Jump to content

ଆଛୁ

ଉଇକିପିଡ଼ିଆ‌ରୁ

ଆଛୁ
ଆଛୁ ଗଛର ଫୁଲ ଓ ଫଳ
Scientific classification
Kingdom:
(unranked):
(unranked):
Eudicots
(unranked):
Asterids
Order:
Gentianales
Family:
Rubiaceae
Genus:
Morinda
Species:
M. citrifolia
Binomial name
Morinda citrifolia

ଆଛୁ (ଇଂରାଜୀ ନାମ – ଇଣ୍ଡିଆନ ମଲ୍ବେରୀ, ନୋନି, ଗ୍ରେଟ୍ ମୋରିଣ୍ଡା, କାନେରି ଉଡ଼) ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ଫୁଲ ଧଳା ରଙ୍ଗର ଓ ସୁଗନ୍ଧଯୁକ୍ତ । ଏହାର କାଠ ହଳଦିଆ । ଏହା ରୁବିଏସୀ (Rubiaceae) ବା ମଞ୍ଜିଷ୍ଠା କୁଳର ଏକ ବୃକ୍ଷ ।

ଆଛୁ ଗଛର ପତ୍ର ଓ ଫଳ

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ପ୍ରାଦେଶିକ ଭାଷାନାମ
ଓଡ଼ିଆପିଣ୍ଡ୍ରେ, ଆଛୁ
ସଂସ୍କୃତରଞ୍ଜନଦ୍ରୁ, ଆଚ୍ଛକ, ରଞ୍ଜନଦ୍ରୁମ, ସୌବର୍ଣ୍ଣିକ
ହିନ୍ଦୀଆଲ, ଆଛ
କନ୍ନଡ଼ମଡ୍ଡି
କୋଙ୍କଣୀସୁରଙ୍ଗୀ, ବର୍ତୋଣ୍ଡି
ଗୁଜରାଟୀସୁରଙ୍ଗୀ
ତାମିଲମଞ୍ଚନାରି, ମଞ୍ଚତ୍ପବତ୍ତାଇ,ନୁନା
ତେଲୁଗୁମଡ୍ଡି ଚେକ୍କା, ତଗରା, ଟୋଗାରୁ, ଆଚ୍ଛୁ
ବଙ୍ଗଳାଆଚ, ହୃଦି
ମରାଠିଆଲ, ବର୍ତୋଣ୍ଡି
ମାଲୟାଲମସେରୁମଞ୍ଜ୍ଜାନାଥ୍ଥୀ

ଭୌଗଳିକ ପ୍ରାପ୍ତି ସ୍ଥାନ

[ସମ୍ପାଦନା]
ଆଛୁ ଫୁଲ

ଏହା ପଥୁରିଆ ଏବଂ ଘଞ୍ଚ ଛାୟାଯୁକ୍ତ ଜଙ୍ଗଲରେ ତଥା ସମୁଦ୍ର ଉପକୂଳବର୍ତ୍ତୀ ଲୁଣା ମାଟିରେ ମଧ୍ୟ ଭଲ ଭାବରେ ବଢ଼ି ପାରେ । ଏହି ବୃକ୍ଷଟି ରୋପଣର ୧୮ ମାସ ପରେ ପରିପକ୍ୱ ହୋଇ ଫଳ ଧାରଣ କରିଥାଏ । ଏହା ଆଗ୍ନେୟଗିରୀ ଉପତ୍ୟକା ଏବଂ ଚୂନ ପଥର ଖଣି ଅଞ୍ଚଳରେ ମଧ୍ୟ ଖୁବ ଭଲ ଭାବେ ଉପଯୋଜିତ ହୋଇ ବଢ଼ି ପାରେ । ଏହା ୩୦ଫୁଟ ପର୍ଯ୍ୟନ୍ତ ବଢ଼ିପାରେ । ବର୍ତ୍ତମାନ ଏହା ବିଶ୍ୱର ସମଗ୍ର ଅଞ୍ଚଳରେ ବ୍ୟବସାୟୀକ ଭିତ୍ତିରେ ଚାଷ କରାଯାଉଛି । ଦକ୍ଷୀଣପୂର୍ବ ଏସିଆ ଏବଂ ଅଷ୍ଟ୍ରେଲିଆ ମହାଦେଶରେ ଏହା ବହୁଳ ପରିମାଣରେ ଦେଖା ଯାଏ । ଏହାକୁ ବେଳେ ବେଳେ ଦୁର୍ଭିକ୍ଷ ଫଳ ବୋଲି ଆଖ୍ୟା ଦିଆଯାଏ । କିଛି ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସମୂହରେ ଏହାକୁ ପ୍ରଧାନ ଖାଦ୍ୟ ସହିତ କଞ୍ଚା କିମ୍ବା ରନ୍ଧନ ପରେ ଏକ ତରକାରୀ ଭାବେ ଖିଆ ଯାଇ ଥାଏ । ଅଷ୍ଟ୍ରେଲିଆରେ ଏହାକୁ କିଛି ଜାତି ସମୁଦାୟ ଏହି କଞ୍ଚା ଫଳକୁ ଲୁଣ ସହିତ ଖାଇଥାଆନ୍ତି । ଆମ ଭାରତରେ ଅନେକ ରାଜ୍ୟରେ ଏହାକୁ ବ୍ୟବସାୟୀକ ସ୍ତରରେ ଚାଷ କରାଯାଉଥିବାବେଳେ, ଓଡ଼ିଶାରେ ଏହି ବୃକ୍ଷର ଉପସ୍ଥିତି ବିଷୟରେ ପ୍ରାୟ କେହି ଜାଣନ୍ତି ନାହିଁ । ଆମ ଓଡ଼ିଶାର ଅନେକ ପୁର ପଲ୍ଲୀରେ ଏହି ବୃକ୍ଷଟି ଦେଖାଯାଏ କିନ୍ତୁ ଏହାର ଔଷଧୀୟ ଚମତ୍କାରିତା ଏବଂ ଏହାର ପୃଥିବୀ ବ୍ୟାପୀ ବ୍ୟବସାୟୀକ ଓ ଶିଳ୍ପ ଭିତ୍ତିକ ବ୍ୟବହାର ବିଷୟରେ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ଅଜ୍ଞ । ଏହା ବାଲେଶ୍ୱରର ନୀଳଗିରୀ ଜଙ୍ଗଲ ଅଞ୍ଚଳରେ ତଥା ମୟୂରଭଞ୍ଜ, ଭଦ୍ରକ ଅଞ୍ଚଳରେ ଅନେକ ସ୍ଥାନରେ ଏହି ବୃକ୍ଷ ଦେଖାଯାଏ ।

ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା

[ସମ୍ପାଦନା]
ଆଛୁ ଫଳ ଓ ମଞ୍ଜି

ଆଛୁ ଏକ ଚିର ହରିତ ବୃକ୍ଷ ଏବଂ ଏହା ୩ରୁ ୧୦ ମିଟର ଯାଏଁ ଉଚ୍ଚ ହୋଇଥାଏ । ବୃକ୍ଷର ପ୍ରଜାତି ଅନୁଯାୟୀ ଏହାର ଫଳ, ମଞ୍ଜି, ରସ ଗନ୍ଧ, ସ୍ୱାଦ ଭିନ୍ନ ଭିନ୍ନ ହୋଇପାରି ଥାଏ ।

  • ପୁଷ୍ପ – ପୁଷ୍ପ ସମୂହ ୭୫-୯୦ସଂଖ୍ୟା ଗୁଛରେ ପେଣ୍ଡୁ ଆକାର ମଞ୍ଜରିରେ ଥାଏ । ପୁଷ୍ପ ଦଳଗୁଡ଼ିକ ଦେଖିବାକୁ ଧଳା । ପୁଷ୍ପ ଦଣ୍ଡଗୁଡ଼ିକ ୧୦ -୩୦ ମିଲିମିଟର । ଅନ୍ତର୍ଦଳ ୫ ଖଣ୍ଡୀୟ, ଧଳା
  • ପତ୍ର- ଅଭିମୁଖ ସ୍ଥିତି, ମସୃଣ, ଅଣ୍ଡାକାର ୨୦-୪୫ସେଣ୍ଟିମିଟର, ପତ୍ରଡେମ୍ଫ ଟାଣ ୧.୫ରୁ ୨ ସେଣ୍ଟିମିଟର
  • ଫଳ- ଈଷତ ହଳଦିଆ, ମାଂସାଳ, ୫-୧୦ ସେଣ୍ଟିମିଟର, ୩-୪ ସେଣ୍ଟିମିଟର ବ୍ୟାସାର୍ଦ୍ଧ । ପାଚିବା ପରେ କୋମଳ ଏବଂ ମାଂସାଳ ହୋଇଥାଏ । ଏହାର ରସରୁ ଏକ ପ୍ରକାର ଶଢା ଗନ୍ଧ ନିର୍ଗତ ହୋଇଥାଏ ।
  • ମଞ୍ଜି/ ବୀଜ – ମଞ୍ଜିଗୁକରେ ବାୟୁ କୋଟର ଭାରି ରହିଥାଏ ଯାହାକି ବୀଜବପନରେ ସାହାଯ୍ୟ କରିଥାଏ । ମାସ ମାସ ପାଣିରେ ଭାସି ରହିବା ପରେ ମଧ୍ୟ ବିଜରୁ ଚାରା ଅଙ୍କୁରିତ ହୋଇଥାଏ ।
  • ଚେର – ଏହାର ଚେର ପ୍ରତାନ ପ୍ରଣାଳୀ ଲେମ୍ବୁ ଏବଂ କଫି ଗଛର ଚେର ପରି । ଏକ ମୁଖ୍ୟ ଚେର ସହିତ ପାର୍ଶ୍ୱ ଶାଖା ଚେର ମାତି ଥାଏ ।
  • ପ୍ରଜାତି – ମୋରିଣ୍ଡା ଟିଙ୍କଚୋରିଆ, ମୋରିଣ୍ଡା ବ୍ରାକ୍ଟେଟା, ମୋରିଣ୍ଡା ପୋଟ୍ଟେରୀ

ପୋଷାକ ତତ୍ତ୍ୱ ଏବଂ ଉଦ୍ଭିଦ ରସାୟନ

[ସମ୍ପାଦନା]
ଆଛୁ ଫଳ

ଆଛୁ ଫଳ ଗୁଣ୍ଡରେ ଶ୍ୱେତସାର ଏବଂ ତନ୍ତୁ ଜାତୀୟ ତତ୍ତ୍ୱ ମଧ୍ୟମ ପରିମାଣରେ ଥାଏ । ମୁଖ୍ୟ ପୋଷାକ ତତ୍ତ୍ୱଗୁଡ଼ିକ ହେଲା ; ଭିଟାମିନ –ସି ,ନିଆସିନ (ବି-୩),ଆଇରନ୍(ଲୌହ), ପୋଟାସିୟମ, ଭିଟାମିନ-ଏ, କ୍ୟାଲ୍କିଅମ, ସୋଡିୟମ ଇତ୍ୟାଦି ମଧ୍ୟମ ପରିମାଣରେ ଥାଏ । ଉଦ୍ଭିଦ ରସାୟନ - ଲିଗ୍ନାନ, ଓଲିଗୋ ଏବଂ ପୋଲୀ ସାକାରଇଡ, ଫ୍ଲାଭୋନୋ ଇଡ, ଇରିଡୋଇଡ, ଫେଟିଏସିଡ, ସ୍କୋପୋଲେଟିନ, କାଟେଚୀନ, ବିଟା-ସାଇଟୋଷ୍ଟେରୋଲ, ଡାମ୍ନାକାନ୍ଥାଳ ଏବଂ ଆଲ୍କାଲୋଇଡ଼

ବ୍ୟବହାର

[ସମ୍ପାଦନା]

ଏହାର ସର୍ବାଙ୍ଗ ଔଷଧୀୟ କାମରେ ଆସେ । ରକ୍ତାତିସାର, ଅତିସାର, ରକ୍ତସ୍ରାବ, ରକ୍ତପିତ୍ତ ଓ ବ୍ରଣାଦିର ନିବାରଣ ପାଇଁ ଏହାର ପ୍ରୟୋଗ କରା ଯାଇଥାଏ । ଏହାର ପତ୍ରକୁ ବାଟି ଗୋରୁଙ୍କ ଦେହଲେ ଲେପିଲେ ସେମାନଙ୍କ କାନ୍ଧଫଟା ଦରଜ ନିବାରିତ ହୁଏ । ଏହାର ଚେରର ଛାଲିକୁ ଜଳରେ ସିଝାଇ, ଚାଉଳଧୁଆ ପାଣି ସହିତ ସେବନ କଲେ ପ୍ରଦର ଭଲହୁଏ । ଏହାର ପତ୍ର ରସ ସହିତ ମୁଥା ପତ୍ରର ରସ ସେବନ କଲେ ଅତିସାର ଭଲହୁଏ । ଏହାର ପତ୍ରର ରସ ସହିତ ହଳଦୀଗୁଣ୍ଡ ମିଶାଇ ଖୁଆଇଲେ ବାଛୁରୀ ନୀରୋଗ ରୁହେ। ବିଭିନ୍ନ ଚର୍ମ ରୋଗରେ ଏହାର ପତ୍ରରସକୁ ସୋରିଷ ତେଲ ସହିତ ପାକ କରି ଲଗାଯାଏ । ଏହାର ଛେଲିକୁ ସିଝାଇ ସେହି ପାଣିରେ ଧୋଇଲେ ଅନେକ ପ୍ରକାର ଚର୍ମରୋଗ ପ୍ରଶମିତ ହୁଏ । ଆଛୁ ଫଳକୁ ରସୁଣ ମିଶାଇ ବାଟି ତାହାକୁ ବ୍ରଣରେ ଲେପଦେଲେ ତାହା ଭଲହୁଏ ।

ପାରମ୍ପରିକ ଚିକିତ୍ସାରେ ବ୍ୟବହାର

[ସମ୍ପାଦନା]

ଏହାର ପତ୍ରସିଦ୍ଧ କ୍ୱାଥ ଏବଂ ଫଳରସ ଉପଯୋଗରେ ଜ୍ୱର, ବିଷମ ଜ୍ୱର (ମେଲେରିଆ), କାମଳ, ଉଚ୍ଚ ରକ୍ତ ଚାପ, ଦୁଷ୍ଟ ବ୍ରଣ, ସଂକ୍ରମଣ ଜନିତ ଘା ଇତ୍ୟାଦି ଆରୋଗ୍ୟ ହୋଇଥାଏ । ବୀଜ ତୈଳରୁ ଆମାଶୟ ବ୍ରଣ, ମୁଣ୍ଡ ଉକୁଣି, ଚର୍ମ ଉକୁଣି ଇତ୍ୟାଦି ଚିକିତ୍ସା କରାଯାଇଥାଏ । ପତ୍ର ରସ କିମ୍ବା ପତ୍ର କଳ୍କ ଏବଂ ଫଳମଜ୍ଜାର ଗରମ ସେକଦ୍ୱାରା ଗଣ୍ଠିବାତ, ହାଡ଼ ଏବଂ ମାଂସପେଶୀ ଆଘାତ ଏବଂ ମକଚା, ଗହିର କ୍ଷତ ଇତ୍ୟାଦି ଆରୋଗ୍ୟ ହୋଇ ଥାଏ । ଏହାର ଫୁଲ ଏବଂ ପତ୍ରର ଉଷ୍ମ ଭାମ୍ପଦ୍ୱାରା ଚକ୍ଷୁପତା ବ୍ରଣ ଭଲ ହୋଇଥାଏ । ତାଜା ଫଳ ରସରୁ ଦାନ୍ତମାଢି ଫୁଲା, ମୁଖ ଦୁର୍ଗନ୍ଧ ଓ ରକ୍ତ ବାହାରିବା ଇତ୍ୟାଦି ରୋଗ ଭଲ ହୋଇଥାଏ ।ସମଗ୍ର ଫଳ ଏବଂ ବୀଜରେ ଆନ୍ତ କୃମୀ ମାରକ କ୍ଷମତା ଥାଏ ଓ ଏହା ମୃଦୁ ବିରେଚକ । ଏହାଛଡା ଏହା ମଧୁମେହ, ହାର୍ନିଆ, ହାଡ଼ଭଙ୍ଗା, ଅରୁଚି, ମୂତ୍ରାଶୟ ସଂକ୍ରମଣ, ପେଟ ଫୁଲା ରୋଗରେ ଖୁବ ବ୍ୟବହାର ହୁଏ ।

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

ତିକ୍ତ ରସ ମିଶ୍ରିତ କଟୁରସ, ଚକ୍ଷୁ ହିତକର, ଉଷ୍ଣବୀର୍ଯ୍ୟ। ମାତ୍ରା ଦୁଇ ଅଣାରୁ ଆଠଅଣା।

ଚିକିତ୍ସା ବିଜ୍ଞାନଦ୍ୱାରା ପ୍ରମାଣିତ ତଥ୍ୟ

[ସମ୍ପାଦନା]
  1. ଏହାର ଫଳ ବିଜରୁ ପ୍ରସ୍ତୁତ ତୈଳରେ ଲିନୋଲେଇକ୍ ଏସିଡ୍ ମହଜୁଦ ଥିବା ହେତୁ ଏହା ଗଣ୍ଠିବାତ ଏବଂ କୈଶୋର ଅବସ୍ତାରେ ଚେହେରାରେ ହେଉଥିବା ବ୍ରଣ ଆରୋଗ୍ୟ କରେ ।
  2. ଏବେ ଗବେଷଣାରୁ ପ୍ରମାଣିତ ଯେ ଆଛୁ ଫଳ ରସ କର୍କଟ ରୋଗକୁ ବହୁପରିମାଣରେ ପ୍ରତିହତ ଓ ପ୍ରତିରୋଧ କରିଥାଏ ।
  3. ଆଛୁ ଫଳ ରସ ଯକୃତ ଦୌର୍ବଲ୍ୟ ଏବଂ କ୍ଷୟଶୀଳ ଜର୍ଜରୀତ ଯକୃତକୁ ସଂପୂର୍ଣ୍ଣ ଭାବେ ପୁନର୍ଜୀବିତ କରିବାର କ୍ଷମତା ଥାଏ ।
  4. ଏହା ଶିରା ଧମନୀ ବିସ୍ତାରକ ହୋଇଥିବା ହେତୁ ଏହା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ ଏହାଛଡା ଅତିସାର ଓ ପେଟମୋଡା ତରଳ ଝାଡାରେ ଏହାର ଉପଯୋଗଦ୍ୱାରା ଅନେକ ଉପଶମ ଦେଇଥାଏ ।
  5. ଏହାର ଫଳ ମଜ୍ଜାରେ ଯଥେଷ୍ଟ ପରିମାଣରେ ବେଦନା ନାଶକ ଓ ଶୋଥହର ଉପାଦାନ ରହିଛି ଯାହା ବେଦନା ଓ ପୀଡ଼ା ହ୍ରାସ କରିବା ସହିତ ତୀବ୍ର ଫୁଲା କମାଇଥାଏ ।
  6. ଏକ ଗବେଷଣା ଅନୁଯାୟୀ ଆଛୁ ଫଳ ମସ୍ତିସ୍କପିଣ୍ଡକୁ ରକ୍ତ ସଞ୍ଚାଳନ ବୃଦ୍ଧି କରାଇ ସ୍ମୃତି ବିଭ୍ରଂଶ ଓ ସ୍ମୃତିନାଶରୁ ସ୍ୱାଭାବିକ ସ୍ଥିତିକୁ ଆଣି ଥାଏ ।

ବାହାର ଆଧାର

[ସମ୍ପାଦନା]
  1. ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
  2. Scot C. Nelson - Species Profiles for Pacific Island Agroforestry www.traditionaltree.org April 2006 ver. 4
  3. Wang MY, Su C. Cancer preventive effect of Morinda citrifolia (Noni). Ann N Y Acad Sci. 2001 Dec;952:161-8.Department of Pathology, UIC College of Medicine, Rockford, Illinois 61107, USA. mianwang@uic.edu.
  4. Basar S, Uhlenhut K, Högger P, Schöne F, Westendorf J.- Analgesic and antiinflammatory activity of Morinda citrifolia L. (Noni) fruit.(Institute of Experimental and Clinical Pharmacology and Toxicology, University Clinic Hamburg, Germany)-Phytother Res. 2010 Jan;24(1):38-42.
  5. Pachauri SD, Tota S, Khandelwal K, Verma PR, Nath C, Hanif K, Shukla R, Saxena JK, Dwivedi AK.- Protective effect of fruits of Morinda citrifolia L. on scopolamine induced memory impairment in mice: a behavioral, biochemical and cerebral blood flow study. (Division of Pharmaceutics, CSIR-Central Drug Research Institute, Lucknow, India)- J Ethnopharmacol. 2012 Jan 6;139(1):34-41. Epub 2011 Nov 15.