ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ

ଉଇକିପିଡ଼ିଆ ରୁ
Jump to navigation Jump to search
ବଡ଼ଦାଣ୍ଡ ଉପରେ ଥିବା ଅନ୍ନପୂର୍ଣ୍ଣା ଥିଏଟରର ଦ୍ୱାର । ଏହି ଦ୍ୱାରଟି ଓ ସଂଲଗ୍ନ ଅଞ୍ଚଳ ପ୍ରକୃତରେ ଉତ୍ତରପାର୍ଶ୍ୱ ମଠର ସମ୍ପତ୍ତି ବୋଲି ବିବାଦ ଉପୁଜିଛି ।

ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ (ବା ଅନ୍ନପୂର୍ଣ୍ଣା ଥିଏଟର) ଏକ ଓଡ଼ିଆ ରଙ୍ଗମଞ୍ଚ କମ୍ପାନୀ । ପୁରୀରେ ଅବସ୍ଥିତ ଥିବା ଏହି ରଙ୍ଗମଞ୍ଚ ଆଧୁନିକ ଓଡ଼ିଆ ମଞ୍ଚ ନାଟକର ଏନ୍ତୁଡ଼ିଶାଳ କୁହାଯାଏ । ଲୋକପ୍ରିୟତା ଓ ନାଟକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୪୪ ମସିହାରେ ଏହା ଦୁଇଭାଗ ହୋଇଥିଲା । ଶ୍ରୀକ୍ଷେତ୍ରରେ ହୋଇଥିବା ଗ୍ରୁପଟି ‘କ’ ଗ୍ରୁପ ବୋଲାଉଥିବା ବେଳେ କଟକ ଅନ୍ନପୂର୍ଣ୍ଣା ଥିଏଟରକୁ ଗ୍ରୁପ ‘ଖ’ ବୋଲି କୁହାଯାଏ । ବର୍ତ୍ତମାନ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ।

ଅନ୍ନପୂର୍ଣ୍ଣାର ଅଭ୍ୟୁଦୟ[ସମ୍ପାଦନା]

ସୋମନାଥ ଦାଶ ସନ ୧୯୩୩ରେ ଜୟଦୁର୍ଗା ନାଟ୍ୟମଣ୍ଡଳୀ ନାମକ ଏକ ସଂସ୍ଥା ଗଢ଼ିଥିଲେ,[୧] ଯାହା ଅବିଭକ୍ତ ପୁରୀରେ ଥିବା ଖଣ୍ଡୁଆଳକୋଟ ଗ୍ରାମରେ ଏକ ଅପେରା ପାର୍ଟି ଭାବରେ କାମ କରୁଥିଲା । ଦୁଇ ବର୍ଷ ପରେ ଏହାର ଏହାର ପରିଚାଳକମାନେ ଏହି ସଂସ୍ଥାକୁ ଏକ ଥିଏଟର ବା ରଙ୍ଗମଞ୍ଚ କମ୍ପାନୀରେ ପରିଣତ କରିବାକୁ ସ୍ଥିର କଲେ । ଇତି ମଧ୍ୟରେ ବନମାଳୀ ଆର୍ଟ ଥିଏଟରର କେତେକ କଳାକାର ଓ ଦକ୍ଷ ମ୍ୟାନେଜର ବାଉରୀବନ୍ଧୁ ମହାନ୍ତି ଏମାନଙ୍କ ସହ ଯୋଗଦେଲେ । ଥିଏଟର ସଂସ୍ଥାରେ ମହାନ୍ତିଙ୍କର ଯଥେଷ୍ଟ ଅଭିଜ୍ଞତା ଥିଲା । ସ୍ୱଳ୍ପ ସମୟ ମଧ୍ୟରେ ସେ ଏହି ସଂସ୍ଥାକୁ ପୁନର୍ନିମାଣ କରି ସନ ୧୯୩୬ରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସୃଷ୍ଟି କଲେ । ଏହି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଅଳ୍ପ ଦିନ ମଧ୍ୟରେ ଏକ ଭ୍ରାମ୍ୟମାଣ ଦଳରେ ପରିଣତ ହୋଇଥିଲା । ପ୍ରାକ ସ୍ୱାଧୀନତା ସମୟରେ ସାମାଜିକ ଧର୍ମର ନାଟକ ପରିବେଷଣ ହେବା ସହ ମଂଚର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ଉତ୍ତରପାର୍ଶ୍ୱ ମଠ ମହନ୍ତ ଜମି ଏବଂ ସମାଜର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୧୯୪୨-୪୩ ବେଳକୁ ଅନ୍ନପୂର୍ଣ୍ଣା ଏକ ପୂଣ୍ଣାର୍ଙ୍ଗ ଅନୁଷ୍ଠାନ ହୋଇସାରିଥିଲା । ଜୟଦେବ ପୁରସ୍କାର ଲାଭ କରିଥିବା ରାମଚନ୍ଦ୍ର ପ୍ରତିହାରୀ, ଦୁଃଖୀରାମ ସ୍ୱାଇଁ, ହାସ୍ୟ ଅଭିନେତା ବୁଲବୁଲ ସମେତ ଅନେକ ବରିଷ୍ଠ ଅଭିନେତା ଅନ୍ନପୂର୍ଣ୍ଣା ମଞ୍ଚର ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ ।[୨]

ଶାଖାନ୍ୱିତ[ସମ୍ପାଦନା]

ସନ ୧୯୩୯ରେ, କାର୍ତ୍ତିକ କୁମାର ଘୋଷ ଏକ ବଙ୍ଗାଳୀ ନାଟକ ପିଡବ୍ଲ୍ୟୁଡିକୁ ଓଡ଼ିଆ ଭାଷାରେ ରୁପାନ୍ତର କରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଉପସ୍ଥାପନା କଲେ । ଏହାର ସଫଳତା ଉଦ୍ୟୋକ୍ତାମାନଙ୍କୁ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କଲା । ପରେ ଅଶ୍ୱିନୀ କୁମାର ଘୋଷ ତାଙ୍କ ନିମନ୍ତେ ଅନେକ ଗୁଡ଼ିଏ କାମ ବିଷୟରେ ଲେଖିଥିଲେ । ଅଧିକ ସଂଖ୍ୟକ କଳାକାର ଆସିବାରୁ କମ୍ପାନୀକୁ ଦୁଇ ଭାଗ କରିବାକୁ ନିଷ୍ପତ୍ତି ନିଆଗଲା । ଏ-ଗ୍ରୁପ ବା ଦଳ ପୁରୀରେ ଓ ବି-ଦଳ କଟକରେ ସ୍ଥାୟୀ ମଞ୍ଚରେ ଯଥାକ୍ରମେ ମହାନ୍ତି ଓ ରାମଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ କାମ କଲା । ସନ ୧୯୪୫ରେ ରାମଚନ୍ଦ୍ର ମିଶ୍ରଙ୍କ ସାମାଜିକ ନାଟକ ମ୍ୟାନେଜର କଟକରେ ମଞ୍ଚସ୍ଥ ହେଲା । ପ୍ରାଥମିକ ସ୍ତରରେ ଏହି ଦୁଇ ସଂସ୍ଥା ପରଷ୍ପର ପ୍ରତି ସହୃଦୟ ଥିଲେ । ଏପରିକି ଏକ ତୃତୀୟ ଦଳ କିଛି ଦିନ ନିମନ୍ତେ ଆରମ୍ଭ ହୋଇଥିଲା । ସମୟ କ୍ରମେ ଏହି ଶାଖାଗୁଡ଼ିକ ପରଷ୍ପରଠାରୁ ଅଲଗା ହୋଇଗଲେ ।

ଭଗ୍ନ ରଙ୍ଗମଞ୍ଚ[ସମ୍ପାଦନା]

ଲିଙ୍ଗରାଜ ନନ୍ଦଙ୍କଦ୍ୱାରା ପରିଚାଳିତ ଅନ୍ନପୁର୍ଣ୍ଣା ଏ ଗ୍ରୁପର ସ୍ଥାୟୀ ଷ୍ଟେଜ କଟକର ତିନିକୋଣିଆ ବଗିଚାରେ ଥିଲା । ସେହି ଗୃହ ଅଦ୍ୟାବଧି ସେହିଠାରେ ଅଛି । ସନ ୧୯୬୮ ପର୍ଯ୍ୟନ୍ତ ୫ରୁ ୬ଟି ନାଟକ ପ୍ରତି ବର୍ଷ ସେଠାରେ ମଞ୍ଚସ୍ଥ ହେଉଥିଲା । ଏହି ମଞ୍ଚରୁ ରାମଚନ୍ଦ୍ର ମିଶ୍ର, ଭଞ୍ଜ କିଶୋର ପଟନାୟକ, କମଳ ଲୋଚନ ମହାନ୍ତି, ଓ ବିଜୟ ମିଶ୍ର ଭଳି କଳାକାର ସୃଷ୍ଟି ହୋଇଥିଲେ । ପୁରୀର ଏ ଗ୍ରୁପ ପ୍ରତି ବର୍ଷ ଦୁଇ ମାସ ସାରା ଓଡ଼ିଶା ବୁଲି ବୁଲି ନାଟକ ପ୍ରଦର୍ଶନ କରୁଥିଲେ । କିନ୍ତୁ ଧୀରେ ଧୀରେ ଉଭୟ କମ୍ପାନୀ ଅର୍ଥନୈତିକ ସାମର୍ଥ୍ୟ ହରେଇ ଦେଲେ ଓ ପରିଚାଳନାଗତ ତୃଟି ଯୋଗୁ ପତନ ଆରମ୍ଭ ହେଲା । ଅବଶେଷରେ ସନ ୧୯୭୦ରେ ଉଭୟ ରଙ୍ଗମଞ୍ଚ ବନ୍ଦ ହୋଇଗଲା । ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ତାହାର ନାଟକୀୟ ପରମ୍ପରା ବଜାୟ ରଖି ରଙ୍ଗମଞ୍ଚ ବନ୍ଦ ହେବାପରେ ମଧ୍ୟ କଳାକାର, ନାଟକ ଲେଖକ ଓ ଅନ୍ୟାନ୍ୟ ରଙ୍ଗମଞ୍ଚ ପରିଚାଳକ ସୃଷ୍ଟି କରିବାରେ ମୂଖ୍ୟ ଭୂମିକା ନିର୍ବାହ କରିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଅନ୍ନପୂର୍ଣ୍ଣା ଥିଏଟରର ରକ୍ଷଣାବେକ୍ଷଣର ଦାୟିତ୍ୱ ବାଉରିବନ୍ଧୁ ମହାନ୍ତି ନେଇଥିଲେ । ୧୯୭୧ ମସିହାରେ ତାଙ୍କ ମୃତ୍ୟୁ କେବଳ ଅନ୍ନପୂର୍ଣ୍ଣାକୁ କ୍ଷତି ପହଞ୍ଚାଇ ନ ଥିଲା ବରଂ ଉପକୂଳ ଓଡ଼ିଶାରେ ଗତିଶୀଳ ନାଟ୍ୟ ଆନ୍ଦୋଳନ ଉପରେ ମଧ୍ୟ ଏକ ପ୍ରକାରର ରୋକ ଲଗାଇଥିଲା । ଏହାର ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଏହାକୁ ରାଜନୈତିକ ବ୍ୟକ୍ତିବିଶେଷ ଅଣଦେଖା କଲେ । ୧୯୮୯ରେ ପୁରୀର ଜିଲ୍ଲାପାଳଙ୍କୁ ମଂଚ ପରିଚାଳନା କମିଟିର ଅଧ୍ୟକ୍ଷ କରାଯିବା ପ୍ରସ୍ତାବ ରଖାଗଲା, ମାତ୍ର ଏଥିରେ ଅନ୍ନପୂର୍ଣ୍ଣାର ଭାଗ୍ୟ ବଦଳି ନଥିଲା । ଧୀରେ ଧୀରେ ରଙ୍ଗମଂଚର ପରିଚାଳନା ପାଇଁ ମିଳୁଥିବା ଅନୁଦାନ ହ୍ରାସ ପାଇବାକୁ ଲାଗିଲା ।

ପୁନରୁଦ୍ଧାର[ସମ୍ପାଦନା]

ତିନି ଦଶନ୍ଧିର ପ୍ରାଶାସନିକ ଅବହେଳା ପରେ ୨୦୦୩ ଅଗଷ୍ଟ ମାସରେ ପୁରୀ ଜିଲ୍ଲାପାଳ ଅନ୍ନପୂର୍ଣ୍ଣା ଭିତ୍ତିଭୂମି ବିକାଶ ନେଇ ଏକ ବୈଠକ ଡାକିଥିଲେ । ଏଥିରେ ତତ୍କାଳୀନ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସଚିବ ନିଯୁକ୍ତି କରାଯିବା ସହ ଦୁଇ କୋଟିର ଅନୁଦାନ ପାଇଁ ସୁପାରିଶ କରାଯାଇଥିଲା । ପରେ ଏଥିନେଇ ବିଶେଷ ତତ୍ପରତା ପ୍ରକାଶ ପାଇ ନଥିଲା । ପାଖାପାଖି ଦଶନ୍ଧି ପରେ ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି ପୁଣି ବୈଠକ ଡାକିଥିଲେ । ପୁରୀ ସମେତ କଟକ ଅନ୍ନପୂର୍ଣ୍ଣା ମଂଚର ବିକାଶ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ପାଇଁ ସୁପାରିଶ କରିଥିଲେ । ବୈଷୟିକ କମିଟି ଅନୁଧ୍ୟାନ କଲାପରେ ଏଥିପାଇଁ ଯୋଜନା ବି ପ୍ରସ୍ତୁତ ହୋଇଥିଲା, ମାତ୍ର ୨୦୧୩ ମସିହାର ଫାଇଲିନ ଏହାର ଅଶେଷ କ୍ଷତି ସାଧନା କରିଥିଲା । ପରେ ସାଂସଦ, ବିଧାୟକଙ୍କ ସମେତ କଳାପ୍ରେମୀଙ୍କ ସହଯୋଗରେ ମଞ୍ଚର ପୁନରୁଦ୍ଧାର ହେଲା ।

ସ୍ଥିତି[ସମ୍ପାଦନା]

ଏବେ ସେହି ମଞ୍ଚରେ କାଁ ଭାଁ ନାଟକ ପରିବେଷଣ କରାଯାଉଛି । ମୁଖଶାଳା ଏବେବି ଅବହେଳିତ ।

ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ମୁଖଶାଳା ଜମି ବିବାଦ[ସମ୍ପାଦନା]

ଅନ୍ନପୂର୍ଣ୍ଣ ରଙ୍ଗମଞ୍ଚର ମାତ୍ର ବଡ଼ଦାଣ୍ଡକୁ ମୁଁହ କରି ଛିଡ଼ା ହୋଇଥିବା ଏହାର ମୁଖଶାଳାକୁ ନେଇ ବିବାଦ ତୁଟିନାହିଁ । ଏ ବିବାଦ ସମାଧାନ ଉପରେ ନିର୍ଭର କରୁଛି ପୂର୍ଣ୍ଣାଙ୍ଗ ନବକଳେବର । ଉକ୍ତ ସ୍ଥାନଟି ଉତ୍ତରପାର୍ଶ୍ୱ ମଠର । ମଠ କର୍ତ୍ତୃପକ୍ଷ ସ୍ଥାନଟିକୁ ଦେବାକୁ ରାଜି ନଥିବା ଜଣା ପଡ଼ିଛି । ବର୍ତ୍ତମାନ ମଠାଧୀଶ ନାରାୟଣ ଆଚାର୍ଯ୍ୟଙ୍କ କହିବାନୁଯାୟୀ, ଶ୍ରୀମନ୍ଦିରର ରୀତିନୀତି ସହ ଏହା ଜଡିତ ଥିବାରୁ ଅନ୍ନପୂର୍ଣ୍ଣାକୁ ଏହା ହସ୍ତାନ୍ତର କରି ହେବ ନାହିଁ । ଏହାର ବିକଳ୍ପ ଭାବରେ ମାଟିତୋଟା ଅଞ୍ଚଳରେ ଜମି ଦେବାକୁ ନିର୍ଦ୍ଧାରିତ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ଓ ମଠ କର୍ତ୍ତୃପକ୍ଷ ଏହି ଜମି ବିବାଦ ଅମିମାଂସିତ ଅଛି । [୩]

ଉଲ୍ଲେଖନୀୟ କଳାକାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.oxfordreference.com/view/10.1093/acref/9780195644463.001.0001/acref-9780195644463-e-0019?rskey=p62hc0&result=19&q=
  2. "ପୁରୀ ଅନ୍ନପୂର୍ଣ୍ଣା ଥିଏଟର ପରିଚୟ ଖୋଜୁଛି". ସମାଜ ୦୯/୦୪/୨୦୧୮ ପୃଷ୍ଠା ୧୮. Retrieved 9 April 2018.
  3. http://samanyakathan.com/readmore.php?sid=846
  4. http://newindianexpress.com/states/odisha/article1408447.ece