ଉତ୍ତରପାର୍ଶ୍ୱ ମଠ
ଜଗନ୍ନାଥଙ୍କ ନବକଳେବର ଲୀଳାରେ ବନଯାଗଠାରୁ ବ୍ରହ୍ମ ସଂସ୍ଥାପନ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଷୋଳଟି ମଠ ସମ୍ପୃକ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଉତ୍ତରପାର୍ଶ୍ୱ ମଠ ଅନ୍ୟତମ । ରାମାନୁଜ ସମ୍ପ୍ରଦାୟର ଶ୍ରୀକ୍ଷେତ୍ରରେ ରହିଥିବା ୧୮ଟି ମଠ ମଧ୍ୟରୁ ଶ୍ରୀମନ୍ଦିର ଉତ୍ତର ଦିଗରେ ରହିଛି ଉତ୍ତରପାର୍ଶ୍ୱ ମଠ । ଜଗନ୍ନାଥଙ୍କ ଉପାସନା ସହିତ ବର୍ଷ ସାରା ଏହି ମଠ ଜଡ଼ିତ ରହିଛି । ତେଣୁ ଏହାକୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଖଞ୍ଜା ହୋଇଛି ।[୧][୨]
ଭୂମିକା
[ସମ୍ପାଦନା]ମହାପ୍ରଭୁଙ୍କର ଚାରି ଦାରୁ ଶଗଡ଼ି ଦେବଯାନ ମାର୍ଗଦେଇ କୋଇଲି ବୈକୁଣ୍ଠକୁ ବିଜେ ସମୟରେ ଏହି ମଠର ଦ୍ୱାରାଦେଶରେ ଶଗଡ଼ି ସମ୍ମୁଖରେ ପଣାଭୋଗ କରାଯାଇଥାଏ । ମହାପ୍ରଭୁଙ୍କ ଗୋଲକ ବିଶ୍ରାମ ପରେ ଅଶୌଚପାଳନ ପରିସମାପ୍ତିରେ ଦଇତାମାନେ ତେର ଦିନ ମହାପ୍ରସାଦ ସେବନ କରିଥାନ୍ତି । ଏହି ମଠ ପକ୍ଷରୁ କେତେ ହାଣ୍ଡି ମହାପ୍ରସାଦ ଯୋଗାଇ ଦିଆଯାଏ । ଶ୍ରୀମନ୍ଦିର ବାହାରେ ଦେଶବିଦେଶରୁ ଆସିଥିବା ଭକ୍ତ ବା ତୀର୍ଥଯାତ୍ରୀମାନଙ୍କୁ ଏହି ମଠ ସେବା ଯୋଗାଇଥାଏ । ପ୍ରତିଦିନ ମୋହନଭୋଗ ସହ ବଲ୍ଲଭଭୋଗ ମଧ୍ୟ ଠାକୁରଙ୍କ ପୂଜା ନିମନ୍ତେ ଦିଆଯାଏ।[୩]
ପ୍ରସିଦ୍ଧି
[ସମ୍ପାଦନା]ମରହଟ୍ଟା ଛତ୍ରପତି ଶିବାଜୀଙ୍କ ସେନାପତି ବାବୁରାଓ ଏହି ମଠକୁ ଦାନ ଦେଇଥିଲେ । ମଠ ପ୍ରତିଷ୍ଠା ହେବା ପରେ ମହନ୍ତମାନଙ୍କ ସାଧୁତା ଏବଂ ସିଦ୍ଧିରେ ଉଦ୍ବୁଦ୍ଧ ହୋଇ ସେହି ସମୟରେ ଭାରତର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏହି ମଠ ପ୍ରତି ଆକୃଷ୍ଟ ହୋଇଥିଲେ । ସେମାନେ ମଥାର ଶିଷ୍ୟତ୍ୱ ମଧ୍ୟ ଗ୍ରହଣ କରିଥିଲେ । ପରବର୍ତ୍ତୀ କାଳରେ ମହାପ୍ରଭୁଙ୍କର ସେବାପୂଜା ନିମନ୍ତେ ଏହି ମଠକୁ ସ୍ଥାବର ଅସ୍ଥାବର ସମ୍ପତ୍ତି ଦାନ ସୂତ୍ରରେ ଦେଇଥିଲେ । ଦିନ ଥିଲା ଏହି ମଠ ସମଗ୍ର ଭାରତ ବର୍ଷର ଶ୍ରୀସମ୍ପ୍ରଦାୟର ଅର୍ଥାତ ରାମାନୁଜଚାର୍ଯ୍ୟଙ୍କ ସମ୍ପ୍ରଦାୟର ପ୍ରସିଦ୍ଧ ମଠ ଭାବେ ସୁନାମ ଅର୍ଜନ କରିଥିଲା ।[୪]
ଦାନ ଏବଂ ଖଞ୍ଜା
[ସମ୍ପାଦନା]ରାଜା ମାନ ସିଂ ଏହି ମଠକୁ ମଧ୍ୟ ଦାନ କରିଥିଲେ । ଯେଉଁ ତୀର୍ଥଯାତ୍ରୀ, ଭକ୍ତ, ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ଆସୁଥିଲେ ସେମାନଙ୍କୁ ଖାଦ୍ୟ ଯୋଗାଇଦେବା ତାଙ୍କ ଦାନର ଉଦ୍ଦେଶ୍ୟ ଥିଲା । ସେତେବେଳେ ଶ୍ରୀକ୍ଷେତ୍ର ଧାମକୁ ଆସିବା ନିମନ୍ତେ ପକ୍କା ରାସ୍ତା ନଥିଲା । ଯାନବାହନର ସୁବିଧା ନଥିଲା । ଭକ୍ତମାନେ ଚାଲି ଚାଲି ଆସିବାଦ୍ୱାରା ବହୁ ଦିନ ଲାଗୁଥିଲା । ରାସ୍ତାରେ ପ୍ରଧାନ ସମସ୍ୟା ଥିଲା ଖାଦ୍ୟପେୟ । ଖାଦ୍ୟାଭାବରୁ ଶ୍ରଦ୍ଧାଳୁ କଲବଲ ହେଉଥିଲେ । ଏହି ସମସ୍ୟା ତଥା ଶ୍ରଦ୍ଧାଳୁଙ୍କ ଦୁଃଖକୁ ରାଜା ମାନସିଂ ସ୍ୱଚକ୍ଷୁରେ ଦେଖିବା ପରେ ଏହାର ନିରାକରଣ ନିମନ୍ତେ ଉତ୍ତରପାର୍ଶ୍ୱ ମଠ ଦାୟିତ୍ୱରେ ସ୍ଥାୟୀ ସମ୍ପତି ଖଞ୍ଜି ଦେଇଥିଲେ । ପରବର୍ତ୍ତୀକାଳରେ ଏହି ମଠକୁ ବାଲେଶ୍ୱର ଜିଲ୍ଲାର ନୀଳଗିରି ମାହଲ ଦାନ ଦେଇଥିଲେ । ଗୋସୁରକ୍ଷା ପାଇଁ ମୋଗଲ ରାଜା ଔରଙ୍ଗଜେବ ପୁରୀ ଜିଲ୍ଲାର ଛଇତନା ନିକଟସ୍ଥ ଗଈଣ୍ଡଳ ଗ୍ରାମର ଏକ ଘାସ ମାହଲ ଦାନସୂତ୍ରରେ ଏହି ମଠକୁ ପ୍ରାଦାନ କରିଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା, ଏହି ମଠ ପକ୍ଷରୁ ପ୍ରତିଦିନ ଶ୍ରୀମନ୍ଦିର ଆଖପାଖରେ ତଥା ବଡ଼ଦାଣ୍ଡରେ ବୁଲୁଥିବା ଗୋରୁମାନଙ୍କୁ ଘାସ ଖାଇବାକୁ ଦିଆଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମଠ ପକ୍ଷରୁ ଗୋରୁଗାଈମାନଙ୍କୁ ଘାସ ଖାଇବାକୁ ଦିଆଯିବାର ବ୍ୟବସ୍ଥା ଚାଲୁରହିଛି । ଏହି ମଠ ପ୍ରତି ଆକୃଷ୍ଟ ହୋଇ ରାଣୀ ଭିକ୍ଟୋରିଆ ମଧ୍ୟ ସ୍ଥାବର ସମ୍ପତ୍ତି ଦାନ କରିଥିଲେ । ମହାପ୍ରଭୁଙ୍କ ନିକଟରେ ପ୍ରତିଦିନ ମହନଭୋଗ ପୂଜା କରିବା ପାଇଁ ଭିକ୍ଟୋରିଆ ଏହି ଦାନ ଦେଇଥିଲେ । ଏହି ମହନଭୋଗ ସହିତ ବଲ୍ଲଭଭୋଗ ମଧ୍ୟ ତାଙ୍କ ଇଚ୍ଛା ଥିଲା । ସେହିଦିନଠାରୁ ମୋହନଭୋଗ ପୂଜା ହେଉଛି । ଏହି ମୋହନଭୋଗ ସହ ବଲ୍ଲଭଭୋଗ ମଧ୍ୟ ଠାକୁରଙ୍କ ପୂଜା ନିମନ୍ତେ ଦିଆଯାଏ । ଏଥି ନିମନ୍ତେ ଉତ୍ତରପର୍ଶ୍ୱ ମଠକୁ କାକଟପୁରଠାରେ ଥିବା ଡେରୁଣିଆ ମୌଜା ରାଣୀ ଭିକ୍ଟୋରିଆ ଦାନ ସୂତ୍ରରେ ଦେଇଥିଲେ ।[୫]
ଆଧାର
[ସମ୍ପାଦନା]- ↑ ମିଶ୍ର, ସୁରେନ୍ଦ୍ର କୁମାର. "ନବକଳେବର ଲୀଳାରେ ଉତ୍ତରପାର୍ଶ୍ୱ ମଠ". ଧରିତ୍ରୀ. Retrieved 19 August 2015.
- ↑ "ashram and matha". travel to puri. Retrieved 19 August 2015.
- ↑ ମିଶ୍ର, ସୁରେନ୍ଦ୍ର କୁମାର. "ନବକଳେବର ଲୀଳାରେ ଉତ୍ତରପାର୍ଶ୍ୱ ମଠ". ଧରିତ୍ରୀ. Retrieved 19 August 2015.
- ↑ ମିଶ୍ର, ସୁରେନ୍ଦ୍ର କୁମାର. "ନବକଳେବର ଲୀଳାରେ ଉତ୍ତରପାର୍ଶ୍ୱ ମଠ". ଧରିତ୍ରୀ. Retrieved 19 August 2015.
- ↑ ମିଶ୍ର, ସୁରେନ୍ଦ୍ର କୁମାର. "ନବକଳେବର ଲୀଳାରେ ଉତ୍ତରପାର୍ଶ୍ୱ ମଠ". ଧରିତ୍ରୀ. Retrieved 19 August 2015.