ଅଶ୍ୱିନୀ କୁମାର ଘୋଷ

ଉଇକିପିଡ଼ିଆ‌ରୁ
ଅଶ୍ୱିନୀ କୁମାର ଘୋଷ
ଜନ୍ମ୧୮୯୨
ମୃତ୍ୟୁ୧୯୬୨
ପୁରାତନ ଛାତ୍ରରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଶିକ୍ଷକ
ଜଣାଶୁଣାନାଟ୍ୟକାର
ଜୀବନସାଥୀକିରଣବାଳା ରାୟ
ସମ୍ପର୍କୀୟଗୌରୀଶଙ୍କର ରାୟ (ଅଜା)
କାର୍ତ୍ତିକ କୁମାର ଘୋଷ (ସାନ ଭାଇ)

ଅଶ୍ୱିନୀ କୁମାର ଘୋଷ (୧୮୯୨-୧୯୬୨)[୧] ଜଣେ ଭାରତୀୟ ଓଡ଼ିଆ-ଭାଷୀ ନାଟ୍ୟକାର, ଗୀତିକାର ଓ ଔପନ୍ୟାସିକ ଥିଲେ । ସେ ପ୍ରାୟ ଏକଚାଳିଶଟି ଓଡ଼ିଆ ନାଟକ ରଚନା କରିଥିଲେ । ଏଥିମଧ୍ୟରୁ ପାଞ୍ଚଟି ପୌରାଣିକ ଓ କିମ୍ବଦନ୍ତୀଭିଭିକ । ସେ ଉଭୟ ଓଡ଼ିଆ ଉପନ୍ୟାସ ଓ ନାଟ୍ୟ ରଚନା କ୍ଷେତ୍ରରେ ନୂତନ ଶୈଳୀର ପ୍ରୟୋଗ ପାଇଁ ସେ ଜଣାଶୁଣା । ତାଙ୍କ ରଚିତ ଲୋକପ୍ରିୟ ମଞ୍ଚନାଟକ ମଧ୍ୟରେ ରଘୁ ଅରକ୍ଷିତ, ବନ୍ଧୁ ମହାନ୍ତି, ଚଣ୍ଡାଳୁଣୀ, ଶ୍ରୀଲୋକନାଥଚଷାଝିଅ ଆଦି ଅନ୍ୟତମ । ସେ ରଚନା କରିଥିବା ଚଳଚ୍ଚିତ୍ର କାହାଣୀ ମଧ୍ୟରେ ସେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥ (୧୯୫୦) ଓ ଶ୍ରୀ ଲୋକନାଥ ( ୧୯୬୦) ଅନ୍ୟତମ । ସେ ଶ୍ରୀ ଜଗନ୍ନାଥର ଗୀତ ମଧ୍ୟ ରଚନା କରିଥିଲେ ଯାହା ତାଙ୍କ ଏକମାତ୍ର ଗୀତି ରଚନା । ରାମଶଙ୍କର ରାୟ ତାଙ୍କର ବଡ଼ଭାଇ, କାର୍ତ୍ତିକ କୁମାର ଘୋଷ ସାନଭାଇ ଓ ଗୌରୀଶଙ୍କର ରାୟ ତାଙ୍କର ଅଜା ଥିଲେ ।

୧୯୬୨ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଜୀବନୀ ଓ ଶିକ୍ଷା[ସମ୍ପାଦନା]

ଅଶ୍ୱିନୀ କୁମାର ଘୋଷ ୧୮୯୨ ମସିହାରେ ଅକ୍ଷୟ କୁମାର ଘୋଷ ଓ ସୁନ୍ଦରମଣିଦେବୀଙ୍କ ଜ୍ୟେଷ୍ଠ ପୁତ୍ର ଭାବେ କଟକରେ ଜନ୍ମଗ୍ରହଣ କରିଥିଲେ ।[୨] ରାମଶଙ୍କର ରାୟ ତାଙ୍କର ବଡ଼ଭାଇ, କାର୍ତ୍ତିକ କୁମାର ଘୋଷ ତାଙ୍କର ସାନ ଭାଇ ଆଉ ଗୌରୀଶଙ୍କର ରାୟ ତାଙ୍କର ଅଜା । ସେ ରେଭେନ୍ସା ମହାବିଦ୍ୟାଳୟରୁ ଏଫ.ଏ. ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ କଲିକତାର ବିଦ୍ୟାସାଗର ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ ।[୩]

ସାହିତ୍ୟ ରଚନା[ସମ୍ପାଦନା]

ମଞ୍ଚନାଟକ[ସମ୍ପାଦନା]

ଘୋଷ ପ୍ରାୟ ଏକଚାଳିଶଟି ନାଟକ ରଚନା କରିଛନ୍ତି । ପାଞ୍ଚଟି ପୌରାଣିକ ଓ କିମ୍ବଦନ୍ତୀଭିଭିକ ନାଟକ । ୧୯୧୫ ମସିହାରେ ଘୋଷ ତାଙ୍କର ପ୍ରଥମ ନାଟକ ପୁରାଣ ଆଧାରିତ ତାଙ୍କର ପ୍ରଥମ ନାଟକ ଭୀଷ୍ମ ରଚନା କରିଥିଲେ । ଶେଓଜୀ ଥିଲା ତାଙ୍କର ଦ୍ଵିତୀୟ ଏବଂ ଏକ ଐତିହାସିକ ନାଟକ । ୧୯୧୮ ମସିହାରେ ଏହି ନାଟକ ପରିବେଷଣ ଅବସରରେ ପୁରୀ ଜିଲ୍ଲା ବଳଙ୍ଗା ଗ୍ରାମର ଜମିଦାର ବନମାଳି ପତିଙ୍କ ସହ ତାଙ୍କେ ସାକ୍ଷାତ ହୋଇଥିଲା । ପତି ତାଙ୍କର ରାଧାକୃଷ୍ଣ ଥିଏଟର୍ ନିମନ୍ତେ ନିୟମିତ ନାଟକ ଲେଖିବା ପାଇଁ ଅଶ୍ୱିନୀଙ୍କୁ ଅନୁରୋଧ କରିଥିଲେ ଯାହା ଫଳସ୍ୱରୂପ ସେ ଅନେକ ନାଟକ ରଚନା କଲେ ।[୩] ଏହି ଥିଏଟରରେ ତାଙ୍କ ରଚିତ ୧୯୨୨ରେ କଳାପାହାଡ଼ ଏବଂ ୧୯୨୭ରେ କୋଣାର୍କ ଦୀର୍ଘଦିନ ଧରି ପ୍ରର୍ଦଶିତ ହୋଇଥିଲା । ବନମାଳୀ ପତିଙ୍କ ବିୟୋଗ ପରେ ସେ ନିଜ ଘର ବନ୍ଧା ପକାଇ ଥିଏଟରଟିକୁ କିଣିନେଇଥିଲେ ଏବଂ ପତିଙ୍କ ନାମାନୁସାରେ ଏହାର ନାମ ବନମାଳୀ ଆର୍ଟ ଥିଏଟର ରଖିଥିଲେ । ତେବେ ସେ ତାହା ବେଶୀଦିନ ଚଳାଇ ପାରିନଥିଲେ । ଥିଏଟରଟି ବନ୍ଦ ହୋଇଯିବା ପରେ ସେ ନୂଆକରି ଗଢ଼ାଯାଇଥିବା ଅନ୍ନପୂର୍ଣ୍ଣା ଥିଏଟର ପାଇଁ ନାଟକ ଲେଖିଲେ । ସେଠାରେ ତାଙ୍କର ରଘୁ ଅରକ୍ଷିତ, ବନ୍ଧୁ ମହାନ୍ତି, ଚଣ୍ଡାଳୁଣୀ, ଶ୍ରୀଲୋକନାଥଚଷାଝିଅ ଆଦି ଅନେକ ନାଟକ ଅଭିନୀତ ହୋଇ ବହୁ ଲୋକପ୍ରିୟ ହୋଇଥିଲା ।

ଚଳଚ୍ଚିତ୍ର[ସମ୍ପାଦନା]

ସେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥ (୧୯୫୦) କାହାଣୀକାର ଓ ଗୀତିକାର ଥିଲେ । ସେ ଶ୍ରୀ ଲୋକନାଥ ( ୧୯୬୦) ଚଳଚ୍ଚିତ୍ରର କାହାଣୀକାର ଥିଲେ । ତାଙ୍କ ଗୀତରେ ଓଡ଼ିଆ ଲୋକରୀତି ଓ କାବ୍ୟରୀତି ଆଦି ବିଭାବରେ ପରିବର୍ତ୍ତିତ ହୋଇଥିଲା । ସେ ଚଳଚ୍ଚିତ୍ର ଗୀତ ରଚନାରେ ସଞ୍ଚାରଣଶୀଳ ଧ୍ୱନି ଓ ଯମଜ ଶବ୍ଦ ପ୍ରୟୋଗକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଉଦାହରଣସ୍ୱରୂପ ଶ୍ରୀ ଜଗନ୍ନାଥର ଏକ ଗୀତର ଉଦ୍ଧୃତି "ଅଭିଯାନ ପଯୋଥ ଯହିଁ ଘଟେ ପରମାଦ, ଜାଣିବୁ ରହିଛି ତହିଁ ପରମ ସମ୍ପଦ, ଦେଖରେ ପରଖି ବାରେ ଲଗାଇ ଲୟ, ନାହିଁ ଭୟ, ହବ ଜୟ"ରେ ସଞ୍ଚାରଣଶୀଳ ଧ୍ୱନି ଓ ଶବ୍ଦ ଚାତୁର୍ଯ୍ୟ ରହିଛି । ଏହି ଗୀତ ବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆଉ କୌଣସି ଗୀତ ରଚନା କରିନାହାନ୍ତି ।

ଆଧାର[ସମ୍ପାଦନା]

  1. K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 308–. ISBN 978-81-7201-324-0.
  2. Hemanta Kumāra Dāsa (1 January 1998). Aswini Kumar Ghose. Sahitya Akademi. pp. 17–. ISBN 978-81-260-0491-1.
  3. ୩.୦ ୩.୧ "ଅଶ୍ୱିନୀ କୁମାର ଘୋଷ". ova.gov.in. Retrieved 2023-11-23.