ଆଠମଲ୍ଲିକ ଗଡ଼ଜାତ ରାଜ୍ୟ

ଉଇକିପିଡ଼ିଆ‌ରୁ
(Athmallik Stateରୁ ଲେଉଟି ଆସିଛି)
Athmallik State
ଆଠମଲ୍ଲିକ ରାଜ୍ୟ
Princely state of British India
1874–1948
Location of Athmallik
Location of Athmallik
Athmallik State in the Imperial Gazetteer of India
History
 •  Established 1874
 •  Princely State of Odisha
 •  Accession to the Union of India 1948

ଆଠମଲ୍ଲିକ ଇଂରେଜ ଶାସନ ସମୟର ଏକ ଗଡ଼ଜାତ ବା ଦେଶୀୟ ରାଜ୍ୟ । ଏହା ଏକ ପୂର୍ବବର୍ତ୍ତୀ ଇଷ୍ଟେଟ ବା ଜାଗୀର ଯାହାକି ୧୮୭୪ରେ ଏକ ରାଜ୍ୟର ମାନ୍ୟତା ଲାଭ କରିଥିଲା ।[୧] ଏହି ତତ୍କାଳୀନ ଜାଗୀରର ରାଜଧାନୀ ଥିଲା କଇଁତ୍ରାଗଡ଼ । ଦେଶୀୟ ରାଜ୍ୟର ମିଶ୍ରଣ ସମୟରେ ଏହା ୧୯୪୮ ମସିହାରେ ଭାରତ ସହିତ ମିଶିଥିଲା । ଯାହାକି ବର୍ତ୍ତମାନ ଆଧୁନିକ ଅନୁଗୋଳ ଜିଲ୍ଲାର ଏକ ସବ୍ ଡ଼ିଭିଜନ ଅଟେ।

ଇତିହାସ[ସମ୍ପାଦନା]

ବ୍ରିଟିଶରାଜ ସମୟରେ ଏହି ଆଠମଲ୍ଲିକ ହେଉଛି ଓଡ଼ିଶାର ୨୬ଟି ଗଡ଼ଜାତ ରାଜ୍ୟ ମଧ୍ୟରେ ଅନ୍ୟତମ ।

ଆଠମଲ୍ଲିକ ଏକ ପୁରାତନ ରାଜ୍ୟ । ଜୟପୁରର ରାଜବଂଶ ଜଗନ୍ନାଥ ଦର୍ଶନରେ ଆସି ଏହି ରାଜ୍ୟ ସ୍ଥାପନ କରିଥିଲେ । ଏହି ରାଜ୍ୟ ଅଷ୍ଟମଲ୍ଲଙ୍କଦ୍ୱାରା ଶାସିତ ହେଉିବାରୁ ଏହା ଆଠମଲ୍ଲିକ ନାମରେ ଖ୍ୟାତ । କଦମ୍ବ ପୁଷ୍ପ ଏ ରାଜ୍ୟର ସନ୍ତକ । ଏହି ରାଜ୍ୟର ରାଜାମାନେ କଦମ୍ବବଂଶୀ । ରାଜ୍ୟର କ୍ଷେତ୍ରଫଳ ୭୩୦ ବର୍ଗମାଇଲ । ଗ୍ରାମସଂଖ୍ୟା ୫୧୩ । [୨]

ଏକଦଶ ଶତାବ୍ଦୀରେ ଏହାକୁ ଅନ୍ୟ ଏକ ମୁଖ୍ୟ ରାଜ୍ୟ ଭାବରେ ପରିଗଣିତ କରାଯାଇଥିଲା । ଯାହାକି କଦମ୍ବ ବଂଶର ରାଜା ପ୍ରତାପ ଦେଓଙ୍କଦ୍ୱାରା ସ୍ଥାପିତ ହୋଇଥିଲା । କୁହାଯାଏ ରାଜା ପ୍ରତାପ ଦେଓଙ୍କୁ ଏଠାରୁ ଏକ "ହଣ୍ଡା" ମିଳିଥିଲା ତେଣୁ ଆଠମଲ୍ଲିକର ନାମ ପ୍ରଥମେ "ହଣ୍ଡପା" ରଖିଥିଲେ । ସମୟ ଅନୁସାରେ କଦମ୍ବ ବଂଶର ରାଜାମାନେ ରାଜ୍ୟକୁ ଆଠଟି ଉପଖଣ୍ଡରେ ବିଭକ୍ତ କରି ପ୍ରତ୍ୟେକ ଉପଖଣ୍ଡ ପାଇଁ ଜଣେ ଲେଖାଏଁ ଉପମୁଖ୍ୟ (ମଲ୍ଲିକ)ଙ୍କୁ ନିଯୁକ୍ତି କରିଥିଲେ । ସେହି ସମୟଠାରୁ ରାଜ୍ୟର ନାମ ପରିବର୍ତ୍ତନ ହୋଇ ହଣ୍ଡପାରୁ ଆଠମଲ୍ଲିକ ହେଲା । ପ୍ରତାପ ଦେଓଙ୍କଦ୍ୱାରା ଆଠମଲ୍ଲିକରେ ପ୍ରତିଷ୍ଠିତ କଦମ୍ବ ରାଜବଂଶର ଶାସକମାନେ ଭାରତ ସ୍ୱାଧୀନ ହେବା ପର୍ଯ୍ୟନ୍ତ ଦୀର୍ଘ ୮୦୦ ବର୍ଷ କାଳ ରାଜ୍ୱତ୍ୱ କରିଥିଲେ । ରାଜା କିଶୋରଚନ୍ଦ୍ର ଦେଓଙ୍କ ଶାସନକାଳରେ ୧୯୪୮ ମସିହାରେ ଢେଙ୍କାନାଳ ସହିତ ମିଶି ଯାଇଥିଲା ଏବଂ ୧୯୯୩ ମସିହା ପରଠାରୁ ସମ୍ପ୍ରତି ଅନୁଗୋଳ ଜିଲ୍ଲାର ଏକ ସବ୍ ଡିଭିଜନ ହୋଇ ରହିଛି ।

ଅନେକ ବର୍ଷ ଧରି ଆଠମଲ୍ଲିକର ପରିସୀମା ଦକ୍ଷିଣରେ ମହାନଦୀବଉଦ ରାଜ୍ୟ , ଉତ୍ତରରେ ରେଢ଼ାଖୋଲ ଓ ଅନୁଗୋଳ ରାଜ୍ୟ, ପୂର୍ବରେ ଅନୁଗୋଳ ରାଜ୍ୟର ସୋରିଷପାଳ ଓ ଜଗନ୍ନାଥପୁର ଘାଟି ଏବଂ ପଶ୍ଚିମରେ ସୋନପୁର ଓ ରେଢ଼ାଖୋଲ ରାଜ୍ୟର କିଛି ଅଂଶ ମଧ୍ୟରେ ସୀମାବଦ୍ଧ ହୋଇ ରହିଥିଲା । ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଯେତେବେଳେ ଓଡ଼ିଶା ମରହଟ୍ଟା ଶାସନାଧୀନ ହେଲା ଆଠମଲ୍ଲିକର ରାଜା ଶ୍ରୀଧର ଦେଓ ଅନୁଗୋଳର ରାଜାଙ୍କଦ୍ୱାରା ପରାସ୍ତ ହେବାରୁ ଆଠମଲ୍ଲିକର ଷୋଳପଦା ପରଗଣାରୁ ଛେଣ୍ଡିପଦା, ନାଓପଦା ଏବଂ ଆଉ ଏଗାରଟି ପଡା ତାଙ୍କୁ ସମର୍ପଣ କରିଦେଲେ । ଉନ୍ନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆଠମଲ୍ଲିକର ରାଜା ରାମଚନ୍ଦ୍ରଦେଓ (୧୮୨୫-୧୮୫୨) ଏକ ଋଣ ବାବଦରେ ଆଠମଲ୍ଲିକର ଚାରିମଲ୍ଲିକ ଅଞ୍ଚଳକୁ ଅନୁଗୋଳର ରାଜା ସୋମନାଥ ସିଂହ ଜଗଦେବଙ୍କୁ ହସ୍ତାନ୍ତର କରିଦେଲେ । ୧୮୪୮ରେ ଅନୁଗୋଳ ଇଂରେଜ ଶାସନଧୀନ ହେବା ପରେ ଏହି ଅଞ୍ଚଳକୁ ଆଉ ଆଠମଲ୍ଲିକକୁ ଫେରାଇଦିଆଯାଇ ନଥିଲା ।

ଓଡ଼ିଶାରେ ମୁସଲମାନମାନେ ରାଜତ୍ୱ କରୁଥିବା ସମୟରେ ଏକଦା ଆଠମଲ୍ଲିକ ବୌଦ୍ଧର କରଦ ରାଜ୍ୟର ମାନ୍ୟତା ପାଇଥିଲା । କିନ୍ତୁ କେଉଁ ପରିସ୍ତିତିରେ ଓ କେବେ ଆଠମଲ୍ଲିକ ବୌଦ୍ଧର ଅଧୀନସ୍ତହେଲା ଏହା ସଠିକ ଭାବରେ ଜଣାଯାଏନାହିଁ । କିନ୍ତୁ ବ୍ରିଟିଶତଥ୍ୟ ଗୁଡିକରୁ ଜଣାଯାଏ ଯେ , ବୌଦର ରାଜା ଡୁମ୍ବା ଏବଂ ହଣ୍ଡପା ନାମକ ଦୁଇଟି ଦୁର୍ଗ ସ୍ଥାପନ କରିଥିଲେ । ଡୁମ୍ବା ଅଞ୍ଚଳର ରାଜସ୍ୱ ଆଦାୟ ପାଇଁ ସୁଦ ଓ କନ୍ଧମାନଙ୍କ ମଧ୍ୟରୁ ଜଣେ ସର୍ଦ୍ଦାର(ଶବରକାର)ଭାବରେ ନିଯୁକ୍ତ ପାଇଆସୁଥିଲେ । ଠିକ ସେହି ପରି ମହାନଦୀର ଉତ୍ତର ପାର୍ଶ୍ୱରେ ଥିବା ଆଠମଲ୍ଲିକ ଅଞ୍ଚଳ ପାଇଁ ଜଣେ ସାମନ୍ତ ବୌଦରାଜାଙ୍କଦ୍ୱାରା ନିଯୁକ୍ତ ପାଉଥିଲେ । ଆଠମଲ୍ଲିକର ସର୍ଦ୍ଧର ଥିଲେ ଅଷ୍ଟମଲ୍ଲିକଙ୍କର ସର୍ଦ୍ଧାର । ସାମନ୍ତଙ୍କ ମୃତ୍ୟୁ ପରେ ତାଙ୍କର ଉତ୍ତରାଧିକାରୀ ବୌଦର ରାଜାଙ୍କୁ ନଜରାନା ଦେଉଥିଲେ ଏବଂ ପ୍ରତିବଦଳରେ ବୌଦର ରାଜାଙ୍କଠାରୁ ଏକା ଶାଢ଼ୀ ଗ୍ରହଣ କରି ବୌଦର ରାଜପୁରୋହିତଙ୍କଦ୍ୱାରା ସାମନ୍ତ ପଦରେ ଅଭିଷିକ୍ତ ହେବାର ପ୍ରଥା ରହିଥିଲା ।ଆଠମଲ୍ଲିକ ଯେଭଳି ବୌଦର ଏକ କରଦ ରାଜ୍ୟ ଥିଲା,ସେହିପରି ସପ୍ତଦଶ ଶତାବ୍ଦୀସୁଦ୍ଧା ଓଡ଼ିଶାରେ ଯେତେବେଳେ ମୋଗଲମାନେ ରାଜତ୍ୱକରୁଥିଲେ ଆଠମଲ୍ଲିକ ସମ୍ବଲପୁରର ଚୌହାନ ରାଜାମାନଙ୍କର ଏକ କରଦ ରାଜ୍ୟ ହୋଇରହିଥିଲା ।[୩]

ଓଡ଼ିଶାରେ ମରହଟ୍ଟା ରାଜତ୍ୱ କାଳରେ ୧୮୦୩ରେ ଇଂରେଜମାନେ ବାରବାଟୀ ଦୁର୍ଗ ଅଧିକାର କରିବାପରେ ଗଡ଼ଜାତ ରାଜ୍ୟଗୁଡିକୁ ନିଜ ଅଧୀନକୁ ଆଣିବାପାଇଁ ବରମୂଳ ଘାଟୀ ଅଧୀକାର କଲେ । ଏହା ପରେ ଇଂରେଜମାନଙ୍କର ଅଧୀନତା ସ୍ୱୀକାର କରିବାପାଇଁ ଆଗ୍ରହ ପ୍ରକାଶ କରି ଆଠମଲ୍ଲିକର ସାମନ୍ତଙ୍କ ସହିତ ବୌଦର ରାଜା ଏକ ସ୍ମାରକପତ୍ର ସହ ଜଣେ ଏଜେଣ୍ଟଙ୍କୁ କଟକ ବ୍ରିଟିଶ କମିଶନରଙ୍କ ପାଖକୁ ପଠେଇଥିଲେ । ଫଳରେ ୧୮୦୪ ମାର୍ଚ୍ଚ ୪ ତାରିଖରେ ବୌଦର ରାଜା ଓ ଆଠମଲ୍ଲିକର ସାମନ୍ତ ଛତ୍ରବର ଦେଓଙ୍କ ସହିତ ଇଂରେଜ କମ୍ପାନୀ ସରକାର ଏକ ଚୁକ୍ତିରେ ସ୍ୱାକ୍ଷର କଲେ । ଅବଶ୍ୟ ଏହି ଚୁକ୍ତିର ମର୍ଯ୍ୟଦା କିଛି ରହିନଥିଲା । କାରଣ ଆଠମଲ୍ଲିକ ବୌଦ ସହିତ ସମ୍ବଲପୁର ଅଞ୍ଚଳ ୧୮୧୮ ମସିହା ପର୍ଯ୍ୟନ୍ତ ମରହଟ୍ଟା ଶାସନାଧୀନ ଥିଲା । ୧୮୧୯ ମସିହା ମେ ୩୦ ତାରିଖରେ ଆଠମଲ୍ଲିକର ସାମନ୍ତ ଲଛେନ୍ଦ୍ର ଦେଓ ଇଂରେଜ କମ୍ପାନୀ ସରକାର ସହ ଏକ ଚୁକ୍ତି ସ୍ୱାକ୍ଷର କରିବାପରେ ଆଠମଲ୍ଲିକ ଏକ ସ୍ୱତନ୍ତ୍ର ରାଜ୍ୟ ହେଲା । କିନ୍ତୁ ପ୍ରକୃତ ପକ୍ଷେ ଆଠମଲ୍ଲିକ ବ୍ରିଟିଶ ସାମ୍ରାଜ୍ୟର ଏକ ସ୍ୱତନ୍ତ୍ର କରଦ ରାଜ୍ୟର ମାନ୍ୟତା ହାସଲ କଲା ୧୮୯୪ ମସିହରେ,ଯେତେବେଳେ ରାଜା ମହେନ୍ଦ୍ର ଦେଓ ଇଂରେଜ ସରକାରଙ୍କଠାରୁ ଏକ ସନନ୍ଦ ହାସଲ କଲେ । ୧୮୧୯ ମସିହାରୁ ୧୮୯୪ ମଧ୍ୟରେ ଆଠମଲ୍ଲିକ ଏକ ସ୍ୱତନ୍ତ୍ର ରାଜ୍ୟ ହେଇଥିଲେ ମଧ୍ୟ ଏହା ବୌଦ ଏବଂ ସର୍ବୋପରି ଭାବେ ସମ୍ବଲପୁରର ଶାସନାଧିନ ଥିଲା । ଆଠମଲ୍ଲିକର ସମ୍ବଲପୁର ସହିତ ଶାସନଗତ ସମ୍ପର୍କ ଛିନ୍ନ ହେଲା ଯେତେବେଳେ ୧୮୨୧ରେ ବ୍ରିଟିଶ ସରକାର ସମ୍ବଲପୁରର ତାର ନିୟନ୍ତ୍ରଣାଧୀନ ରାଜ୍ୟ ଉପରେ ଥିବା ଜାଗିର ପ୍ରଥାକୁ ରଦ୍ଦ କଲେ । ଫଳରେ ୧୮୩୭ରୁ ବୌଦ ଓ ଆଠମଲ୍ଲିକର ଶାସନ କଟକ କରଦ ମହଲଦ୍ୱାରାଦ୍ୱାରା ନିୟନ୍ତ୍ରିତ ହେଲା । ୧୮୭୪ ମେ ୨୧ ତାରିଖରେ ଇଂରେଜ ସରକାର ପ୍ରଦାନ କରିଥିବା ଏକ ସନନ୍ଦଦ୍ୱାରା ଆଠମଲ୍ଲିକର ସାମନ୍ତ ଯୋଗେନ୍ଦ୍ର ଦେଓ ପ୍ରଥମେ ବଂଶାନୁକ୍ରମିକ ଭାବେ ରାଜା ଉପାଧି ବ୍ୟବହାର କରିବାର ଯୋଗ୍ୟତା ହାସଲ କଲେ । ୧୮୯୦ରେ ରାଜା ମହେନ୍ଦ୍ର ଦେଓ ତାଙ୍କର ଉତ୍ତମ ଶାସନ ପାଇଁ ବ୍ରିଟିଶ ସରକାରଙ୍କଦ୍ୱାରା ମହାରାଜା ଉପାଧିରେ ସମ୍ମାନିତ ହେଲେ । ୧୮୯୪ ଅକ୍ଟୋବର ୨୪ରେ ଆଠମଲ୍ଲିକ ଅନ୍ୟ କରଦ ରାଜ୍ୟ ପରି ସବୁପ୍ରକାର ରାଜନୈତିକ ସୁବିଧା ହାସଲ କଲା । ପ୍ରତାପ ଦେଓଙ୍କଦ୍ୱାରା ଆଠମଲ୍ଲିକରେ କଦମ୍ବ ରାଜବଂଶ ପ୍ରତିଷ୍ଠିତ ହେବାଠାରୁ ଏହି ରାଜବଂଶର ବୟାଳିଶି ଜଣ ଶାସକ କ୍ରମାଗତ ଭାବରେ ଶାସନ କରିଥିଲେ । ୩୭ତମ ଶାସକ ଲଛେନ୍ଦ୍ର ଦେଓ (୧୮୦୮-୧୮୨୫) ଓ ତାଙ୍କ ଉତ୍ତରାଧିକାରୀ ରାମଚନ୍ଦ୍ର ଦେଓ (୧୮୨୫ -୧୮୫୨) ସଫଳତାର ସହ ଶାସନ କଲେ । ୧୮୫୨ରେ ଆଠମଲ୍ଲିକର ରାଜଗାଦି ଅଧିକାର କଲେ ଯୋଗେନ୍ଦ୍ର ଦେଓ, ଯିଏ କି ଜଣେ ଭକ୍ତ ଓ ଉପାସକ ଭାବରେ ଜଣାଶୁଣା ଥିଲେ । ପ୍ରତିବର୍ଷ ଏକ ନିର୍ଦ୍ଧିଷ୍ଟ ସମୟରେ ତାଙ୍କର ଧର୍ମ କାର୍ଯ୍ୟ ଅଭ୍ୟାସ କରିବା ପାଇଁ ପଞ୍ଚଧାରା ପାହାଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ତିତ ଢ଼ଳେଇପଥରକୁ ଯାଉଥିଲେ । ୧୮୭୧ରେ କଇଁତ୍ରାଗଡ଼ରେ(ବର୍ତ୍ତମାନ ଆଠମଲ୍ଲିକ) ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିଥିଲେ ଯାହାକି ଆଠମଲ୍ଲିକ ରାଜ୍ୟର ପ୍ରଥମ ବିଦ୍ୟାଳୟ । ଆଉ ମଧ୍ୟ ଜଣାଯାଏ ଯେ ରାଜବାଟୀର ନିରାପତ୍ତା ପାଇଁ ସେ କେତେକ ମୁସଲମାନମାନଙ୍କୁ ଖୋର୍ଦ୍ଧାରୁ ଆଣି ରଖାଇଥିଲେ । ଯୋଗେନ୍ଦ୍ର ଦେଓଙ୍କ ଶାସନ ଏକ ରାଜନୈତିକ ସମସ୍ୟାର ସମ୍ମୁଖୀନ ହେଲା ୧୮୬୨-୬୩ ମଧ୍ୟରେ ଯେତେବେଳେ ବଳ ବିଶ୍ୱାସ ନାମକ ଜଣେ ସରବରକାର ବିଦ୍ରୋହ କଲେ । ବଳ ବିଶ୍ୱାସ ଥିଲେ ପଇଁଛଖୋଳ ପରଗଣାର ଜାମୁଡୋଲି ଗ୍ରାମର ଜଣେ ବ୍ୟକ୍ତି ଯେ କି ଆଠମଲ୍ଲିକର ଆଠୋଟି ମଲ୍ଲିକ ମଧ୍ୟରୁ ଜଣେ ଓ ଯାହାର କି ଆଠମଲ୍ଲିକର ରାଜାମାନଙ୍କ ସହିତ ଅସନ୍ତୋଷଜନକ ସମ୍ପର୍କ ରହିଆସୁଥିଲା ୧୮୪୭ରୁ । ବଳ ବିଶ୍ୱାସଙ୍କ ସହିତ ରାଜାଙ୍କ ସମ୍ପର୍କ ତିକ୍ତ ହେଲା ଯେତେବେଳେ ୧୮୬୩ରେ ବଳ ବିଶ୍ୱାସ ଅନେକ ଅନାବଦୀ ଜମିକୁ କୃଷିକ୍ଷେତ୍ରରେ ପରିଣତ କରି ଦଖଲ କଲେ କିନ୍ତୁ ସେହି ଜମି ପାଇଁ ଖଜଣା ଦେବାକୁ ମନାକଲେ । ଏଣୁ ରାଜା ତାଙ୍କୁ ରାଜ୍ୟ ଛାଡି ଯିବାକୁ ଆଦେଶ ଦେଲେ । ଫଳରେ କେତେମାସ ନିର୍ବାସିତ ହୋଇ ହଠାତ ବଳ ବିଶ୍ୱାସ ଆଠମଲ୍ଲିକ ରାଜ୍ୟରେ ପ୍ରବେଶ କରି ତାର ସହଯୋଗୀଙ୍କ ସହ ଅନେକ ଗ୍ରାମରେ ଲୁଟତରାଜ କଲେ ଓ ଗ୍ରାମଗୁଡିକ ପୋଡିଦେଲେ । ଅବଶ୍ୟ ରାଜା ଇଂରେଜ ସୈନ୍ୟବାହିନୀ ସହାୟତାରେ ତାକୁ ଦମନ କରିବାରେ ସକ୍ଷମ ହେଲେ ।

ରାଜା ଯୋଗେନ୍ଦ୍ର ଦେଓଙ୍କ ଉତ୍ତରାଧିକାରୀ ହେଲେ ତାଙ୍କ ପୁତ୍ର ମହେନ୍ଦ୍ର ଦେଓ ଯେ କି ୧୮୭୭ରୁ ୧୯୦୧ ପର୍ଯ୍ୟନ୍ତ ଶାସନ କଲେ । ତାଙ୍କର ରାଜତ୍ୱ କାଳରେ ଆଠମଲ୍ଲିକ ପ୍ରତ୍ୟେକ କ୍ଷେତ୍ରରେ ଅନେକ ଉନ୍ନତି କରିପାରିଥିଲା । ଫଳତଃ ଇଂରେଜ ସରକାର ମଧ୍ୟ ତାଙ୍କୁ ମହାରାଜା ଉପାଧୀରେ ଭୂଷିତ କରିଥିଲେ । ତାଙ୍କଦ୍ୱାରା ପଣ୍ଡିତ ସର୍ବସ୍ୱର ଏକ ସଂଶୋଧିତ ସଂସ୍କରଣ ପ୍ରକାଶରୁ ଜଣାଯାଏ ଯେ ସେ ସଂସ୍କୃତ ଶିକ୍ଷାର ଜଣେ ପୃଷ୍ଠପୋଷକ ଥିଲେ । ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ ପ୍ରକାଶିତ ହେବାରେ ତାଙ୍କର ଭୂମିକା ଅତୁଳନୀୟ । ଶିକ୍ଷାର ପ୍ରସାର ପାଇଁ ସେ ଅନେକ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବ ଗୋଟିଏ ସଂସ୍କୃତ ଶିକ୍ଷା ସଂସ୍ଥା ନିଜ ରାଜ୍ୟରେ ସ୍ଥାପନ କରିଥିଲେ । ରାଜ୍ୟ ବସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏକ ଆର୍ୟୁବେଦ ଓ ଦୁଇଟି ଭେଷଜ ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ । ତାଙ୍କ ସମୟରେ କୃଷି ଓ ବାଣିଜ୍ୟର ମଧ୍ୟ ଉନ୍ନତି ଘଟିଥିଲା । ଯାହା ଫଳରେ ୧୮୯୦ରେ ଯେତେବେଳେ ଦୁର୍ଭିକ୍ଷ ଦେଖାଦେଲା ପ୍ରଜାମାନଙ୍କୁ ଖାଦ୍ୟ ଯୋଗାଇ ଦେବାପାଇଁ ସମସ୍ତ କର୍ମଚାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଯାହାଦ୍ୱାରା ପଡୋଶୀ ରାଜ୍ୟଗୁଡିକରୁ ଅନେକ ଲୋକ ନିଜ ଘରଦ୍ୱାର ଛାଡି ଆଠମଲ୍ଲିକରେ ସ୍ଥାୟୀ ବସବାସ କରିବାପାଇଁ ଆଗେଇ ଆସିଥିଲେ ।

ମହାରାଜା ମହେନ୍ଦ୍ର ଦେଓଙ୍କ ପରେ ତାଙ୍କର ପୁତ୍ର ବିଭଦେନ୍ଦ୍ର ଦେଓ (୧୯୦୧-୧୯୧୮) ଓ ଓ ତାଙ୍କ ପରେ ତାଙ୍କ ପୁତ୍ର କିଶୋରଚନ୍ଦ୍ର ଦେଓ ଆଠମଲ୍ଲିକର ରାଜସିଂହାସନ ଅଧିକାର କରିଥିଲେ । କିନ୍ତୁ ୧୯୧୮ରେ ପିତାଙ୍କ ମୃତ୍ୟୁ ବେଳକୁ ସେ ଥିଲେ ନାବାଳକ । ଏଣୁ ୧୯୨୫ରେ ସେ ପ୍ରକୃତ ଶାସନ କ୍ଷମତା ଅଧିକାର କଲେ । ତାଙ୍କ ଶାସନ କାଳରେ ସେ ଆଠମଲ୍ଲିକକୁ ଆଠମଲ୍ଲିକ ସଦର ଓ କିଶୋରନଗର ସଦର ନାମରେ ଦୁଇଗୋଟି ସବ୍ ଡିଭିଜନରେ ବିଭକ୍ତ କରିଥିଲେ । ତାଙ୍କ ସମୟରେ ଆଠମଲ୍ଲିକରେ ସୁବର୍ଣ୍ଣ ଯୁଗର ସୃଷ୍ଟି ହୋଇଥିଲା। ସେ ଏକ ପ୍ରଜବତ୍ସଳ ଓ ସାହିତ୍ୟାନୁରାଗି ରାଜା ଥିଲେ।

ଏହି ପରି କିଶୋରଚନ୍ଦ୍ର ଦେଓ ଥିଲେ ଆଠମଲ୍ଲିକର ଶେଷ ରାଜା ଯାହାଙ୍କ ରାଜତ୍ୱ କାଳରେ ଭାରତ ସ୍ୱାଧୀନ ହେଲା ।[୪]


୧୯୪୮ ମସିହାରେ କିଶୋର ଚନ୍ଦ୍ର ଦେବଙ୍କ ଶାସନ କାଳରେ ଏହା ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଥାଇ ଭାରତ ସହିତ ମିଶିଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ ୧୯୯୩ ମସିହାରେ ଜିଲ୍ଲା ପୁନର୍ଗଠନ ସମୟରେ ଏହା ଅନୁଗୋଳ ଜିଲ୍ଲାର ଏକ ସବ୍ ଡ଼ିଭିଜନ ହୋଇ ରହିଲା ।

ଆଠମଲ୍ଲିକ ଗଡ଼ଜାତର ଶାସକ[ସମ୍ପାଦନା]

ପ୍ରାକ୍‌ ସ୍ୱାଧୀନତା କାଳରେ ଆଠମଲ୍ଲିକ ଗଡଜାତର ଶାସକମାନେ ହେଲେ: [୫]

  • ୧୮୭୪- ୪ ଫେବୃଆରୀ ୧୮୭୭ ଯୋଗେନ୍ଦ୍ର ସାମନ୍ତ[୬]
  • ୪ ଫେବୃଆରୀ ୧୮୭୭ - ୧୯୦୨ ମହେନ୍ଦ୍ର ଦେଓ ସାମନ୍ତ
  • ୧୯୦୨ -୩ ନଭେମ୍ବର ୧୯୧୮ ବିଭେନ୍ଦ୍ର ଦେଓ ସାମନ୍ତ
  • ୩ ନଭେମ୍ବର ୧୯୧୮-୧୫ ଅଗଷ୍ଟ ୧୯୪୭ କିଶୋର ଚନ୍ଦ୍ର ଦେଓ ସାମନ୍ତ

ଆଧାର[ସମ୍ପାଦନା]

  1. Princely States of India A-J
  2. https://or.wikisource.org/s/5c2
  3. http://angul.nic.in/history.htm
  4. ପଞ୍ଚଧାର ୨୦୧୨
  5. "Rulers". Rulers.org. Retrieved 17 July 2018.
  6. ""Athmallik"". Archived from the original on 2018-05-24. Retrieved 2018-07-17.

ବାହାର ଲିଙ୍କ[ସମ୍ପାଦନା]