ଫତେ ସିଂ ରାଠୋର୍
ଫତେ ସିଂ ରାଠୋର୍ | |
---|---|
ଜନ୍ମ | ୧୦ ଅଗଷ୍ଟ ୧୯୩୮ ଚୋରାଡିଆ ଗାଁ, ଯୋଧପୁର ଜିଲ୍ଲା, ରାଜସ୍ଥାନ |
ମୃତ୍ୟୁ | ୧ ମାର୍ଚ୍ଚ୍ ୨୦୧୧ ସୱାଇ ମାଧୋପୁର, ରାଜସ୍ଥାନ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରାଜପୁତାନା ବିଶ୍ୱବିଦ୍ୟାଳୟ (ଏବେକାର ରାଜସ୍ଥାନ ବିଶ୍ୱବିଦ୍ୟାଳୟ) - ୧୯୬୦, ଭାରତୀୟ ବନ୍ୟଜୀବ ସଂସ୍ଥାନ - ୧୯୬୯ |
ପ୍ରସିଦ୍ଧି | ବ୍ୟାଘ୍ର ସଂରକ୍ଷଣ |
ବୈବାହିକ-ସାଥୀ | ଖେମ୍ କନୱର୍ |
ପୁରସ୍କାର | World Wildlife Fund lifetime achievement award |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ବନ୍ୟଜୀବ ସଂରକ୍ଷଣ |
କର୍ମାନୁଷ୍ଠାନ | ରାଜସ୍ଥାନ ବନ ବିଭାଗ, ଟାଇଗର୍ ୱାଚ୍ |
ପ୍ରଭାବିତ କରିଥିଲେ | ସରୋଜ ରାଜ ଚୌଧୁରୀ |
ଆଦର୍ଶ | ବେଲିଣ୍ଡା ରାଇଟ୍, ବାଲ୍ମିକ ଥାପର |
ଫତେ ସିଂ ରାଠୋର୍ (୧୦-ଅଗଷ୍ଟ-୧୯୩୮ରୁ ୧-ମାର୍ଚ୍ଚ-୨୦୧୧) ଜଣେ ଭାରତୀୟ ବ୍ୟାଘ୍ର ସଂରକ୍ଷଣବାଦୀ । ସେ ୧୯୬୦ ମସିହାରେ “ଭାରତୀୟ ବନ ସେବା”ରେ କାର୍ଯ୍ୟାରମ୍ଭ କରିଥିଲେ । ସେ “ବ୍ୟାଘ୍ର ପରିଯୋଜନା”ର ଜଣେ ସଭ୍ୟ ମଧ୍ୟ ଥିଲେ । ବାଘମାନଙ୍କ ଜୀବନଶୈଳୀରେ ତାଙ୍କର ଅଶେଷ ଜ୍ଞାନ ଯୋଗୁଁ ସେ “ଟାଇଗର ଗୁରୁ” ବା ବ୍ୟାଘ୍ର ବିଶାରଦ ବୋଲି ସର୍ବବିଦିତ ଥିଲେ ।[୧] ବନ୍ୟଜୀବ ସଂରକ୍ଷଣ କ୍ଷେତ୍ରରେ ସେ ନିଜ ଜୀବନକାଳର ୫୦ ବର୍ଷ ଅତିବାହିତ କରିଥିଲେ ।[୨] ୧୯୭୩-୭୫ ସମୟରେ ରାଜସ୍ଥାନର ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା । ଫତେ ସିଂଙ୍କ ପ୍ରଚେଷ୍ଟା ଯୋଗୁଁ ରନ୍ଥାମ୍ବୋରର ବାଘଙ୍କ ବିଷୟରେ ବିଶ୍ୱବାସୀଙ୍କ ଜ୍ଞାନ ବଢ଼ିଲା ଓ ଏହି ଜାତୀୟ ଉଦ୍ୟାନ ପ୍ରସିଦ୍ଧି ଲାଭ କଲା ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଫତେ ସିଂ ରାଜସ୍ଥାନର ଯୋଧପୁର ଜିଲ୍ଲାର ଚୋରାଡିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୬ଟି ଭାଇ ଓ ୫ଟି ଭଉଣୀଙ୍କ ମଧ୍ୟରେ ଫତେ ସିଂ ଅଗ୍ରଜ ଥିଲେ । ତାଙ୍କ ଜେଜେବାପା ଲକ୍ଷ୍ମଣ ସିଂ ରାଠୋର୍ ଭାରତୀୟ ସେନାରେ ଜଣେ ମେଜର୍ ଥିଲେ । ଲକ୍ଷ୍ମଣ ସିଂଙ୍କ ବଡ଼ପୁଅ ସଗତ ସିଂ (ଫତେ ସିଂଙ୍କ ପିତା) ଜଣେ ପୁଲିସ ଅଧିକାରୀ ଥିଲେ ଓ ନିଜ ଗାଁରେ ଜମିଘର କଥା ବୁଝାବୁଝି କରୁଥିଲେ ।[୩] ଫତେ ସିଂଙ୍କ ମା’ ଫେବୃଆରୀ ୨୦୧୦ରେ ସେ ମୃତ୍ୟୁବରଣ କରିଥିଲେ । ଫତେ ସିଂଙ୍କ ଦାଦା/କାକାମାନେ(ଜଣେ ସେନାରେ ଓ ଅନ୍ୟଜଣେ ଓକିଲ) ତାଙ୍କ ଲାଳନପାଳନରେ ସହାୟତା କରିଥିଲେ । ଡେରାଡୁନର କର୍ଣ୍ଣେଲ୍ ବ୍ରାଉନ୍ କେମ୍ବ୍ରିଜ୍ ବିଦ୍ୟାଳୟରେ ସେ ଶିକ୍ଷାଲାଭ କରିଥିଲେ । ବିଦ୍ୟାଳୟରେ ନାଟକପ୍ରତି ଫତେ ସିଂଙ୍କର ଅଧିକ ଆଗ୍ରହ ଥିଲା । ମହାବିଦ୍ୟାଳୟରେ ପଢ଼ିବା ସମୟରେ ସେ ନିଜ ଦାଦାଙ୍କ ସହିତ ରହୁଥିଲେ । ଫତେ ସିଂ ବଡ଼ ହୋଇ ଓକିଲାତି କରନ୍ତୁ ବୋଲି ତାଙ୍କ ଦାଦା ଚାହୁଁଥିଲେ । କିନ୍ତୁ ଫତେ ସିଂଙ୍କର ଓକିଲାତି କରିବାକୁ ଇଚ୍ଛା ନଥିଲା । ଫତେ ସିଂ ୧୯୬୦ରେ ରାଜପୁତାନା ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କଲେ । କର୍ମ ଜୀବନରେ ସେ ପ୍ରଥମେ ଜଣେ କିରାଣୀ ଓ ପରେ କୋଇଲା ବିକାଳୀ ଭାବେ ଜୀବିକା ନିର୍ବାହ କରିଥିଲେ । ନିଜର ଜଣେ ସମ୍ପର୍କୀୟଙ୍କ ସହାୟତାରେ ସେ ବନପାଳକ ଭାବେ କାମ ଆରମ୍ଭ କଲେ ।[୧]
ସଂରକ୍ଷଣ ପ୍ରତି ତାଙ୍କ ଅବଦାନ
[ସମ୍ପାଦନା]ନିଜ ସମ୍ପର୍କୀୟଙ୍କ ପରାମର୍ଶକ୍ରମେ ଫତେ ସିଂ “ରାଜସ୍ଥାନ ବନ ସେବା”ରେ କାମ ଆରମ୍ଭ କଲେ । ୧୯୬୧ରେ ରାଣୀ ଏଲିଜାବେଥ୍-୨ୟ ଓ ଏଡିନବରାର ନବାବଙ୍କ ଭାରତ ଭ୍ରମଣ ସମୟରେ ସେ ତାଙ୍କ ଅଞ୍ଚଳରେ ବାଘ ଶିକାରର ବ୍ୟବସ୍ଥା କରିବାର ଦାୟିତ୍ୱ ବହନ କରିଥିଲେ । ନବାବ ଶିକାର କରିଥିବା ବାଘ ହିଁ ଫତେ ସିଂ ଦେଖିଥିବା ପ୍ରଥମ ବାଘ ଥିଲା । ଏହି ବିଷୟ ମନେପକାଇ ଥରେ ସେ କହିଥିଲେ ଯେ “ସେତେବେଳେ ମୋର ବାଘମାନଙ୍କ ପ୍ରତି କୌଣସି ସ୍ନେହ ନଥିଲା । ଶିକାରରେ ସଫଳତା ଲାଭକରି ଆମେ ଆନନ୍ଦ ଲାଭ କରିଥିଲୁ ।”
ବନ ସେବାରେ କାମ କରି ସେ ଅତି ଖୁସି ଥିଲେ ଓ ସମୟକ୍ରମେ ସଂରକ୍ଷଣ ଦିଗରେ ମନ ବଳାଇଲେ । ସେ ବନ୍ୟଜନ୍ତୁ ଓ ଶିକାରଜନ୍ତୁ ସଂରକ୍ଷକ ଭାବେ ପ୍ରଥମେ ସରିସ୍କା ଜଂଗଲରେ, ୧୯୬୩ରୁ ୧୯୭୦ ଯାଏଁ ମାଉଣ୍ଟ୍ ଆବୁ ଜଂଗଲରେ ଓ ୧୯୭୧ରେ ରନ୍ଥାମ୍ବୋରରେ କାର୍ଯ୍ୟ କରିଥିଲେ ।[୩] ପୂର୍ବେ ଜୟପୁର ରାଜପରିବାରଙ୍କ ଶିକାର ଅଭ୍ୟାସ ନିମନ୍ତେ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ ବ୍ୟବହୃତ ହେଉଥିଲା । ୧୯୬୯ରେ ଫତେ ସିଂ ଡେରାଡୁନସ୍ଥିତ ଭାରତୀୟ ବନ୍ୟଜୀବ ସଂସ୍ଥାନରେ ବନ ଅଧିକାରୀ ପ୍ରଶିକ୍ଷଣ ଲାଭ କଲେ । ପୁସ୍ତକୀୟ ଜ୍ଞାନ ଅପେକ୍ଷା ଗବେଷଣା, ନିରୀକ୍ଷଣ ଓ ଅନୁଭବରୁ ମିଳୁଥିବା ଜ୍ଞାନକୁ ସେ ଅଧିକ ଗୁରୁତ୍ତ୍ୱ ଦେଉଥିଲେ । ପ୍ରଶିକ୍ଷଣ ବେଳେ ତାଙ୍କ ଗୁରୁ ସରୋଜ ରାଜ ଚୌଧୁରୀ ତାଙ୍କ କାର୍ଯ୍ୟ କ୍ଷମତା ବିଷୟରେ ଜାଣି ପାରିଥିଲେ ।
ବ୍ୟାଘ୍ର ପରିଯୋଜନା (Project Tiger)
[ସମ୍ପାଦନା]ନିରଙ୍କୁଶ ବାଘଶିକାର ଯୋଗୁଁ ଭାରତୀୟ ଜଙ୍ଗଲରେ ବାଘସଂଖ୍ୟା ଦୟନୀୟ ସ୍ଥିତିରେ ପହଞ୍ଚି ଯାଇଥିଲା ଓ ଏଥିରେ ଚିନ୍ତିତ ହୋଇ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ବ୍ୟାଘ୍ର ପରିଯୋଜନା (ଈଂରାଜୀରେ Project Tiger (PT))ର ଆରମ୍ଭ କରିଥିଲେ । ତା’ ପରଠାରୁ ଶିକାର ପ୍ରଥାକୁ ନିଷିଦ୍ଧ ଘୋଷିତ କରାଗଲା ଓ ରନ୍ଥାମ୍ବୋର୍ ସମେତ ୯ଟି ଜାତୀୟ ଉଦ୍ୟାନରେ ବାଘସଂଖ୍ୟାର ବୃଦ୍ଧି ପାଇଁ ପ୍ରଚେଷ୍ଟା ଆରମ୍ଭ ହେଲା । ସହକାରୀ କ୍ଷେତ୍ର ନିର୍ଦ୍ଦେଶକ ଭାବେ ଫତେ ସିଂ ରନ୍ଥାମ୍ବୋରରେ ନିଯୁକ୍ତ ହେଲେ ଓ ଏହି ମହତ କାର୍ଯ୍ୟରେ ନିଜ ଉପରିସ୍ଥ ଅଧିକାରୀଙ୍କ ସମର୍ଥନ ପ୍ରାପ୍ତ କଲେ ।
ସେ ସମୟରେ ରନ୍ଥାମ୍ବୋରର ଜଙ୍ଗଲ ଆଜି ଅପେକ୍ଷା ବହୁତ ଅଲଗା ଥିଲା । ବର୍ତ୍ତମାନର “ପଦମ ତାଲାଓ” (ପଦ୍ମ ପୋଖରୀ) ଥିବା ସ୍ଥାନରେ ସେତେବେଳେ ଚାଷଜମି ଥିଲା । ଅଭୟାରଣ୍ୟ ମଧ୍ୟରେ ହୋଇଥିବା କୃତ୍ରିମ ପୋଖରୀକୁ ଶୁଖାଇ ଜଙ୍ଗଲ ଆଖପାଖର ଗ୍ରାମବାସୀ ସେଠାରେ କୃଷିକାର୍ଯ୍ୟ କରୁଥିଲେ । ଫତେ ସିଂ ପଦମ ତାଲାଓ, ରାଜ ବାଗ୍ ଓ ମାଲିକ ତାଲାଓର ପୁନରୁଦ୍ଧାର କରାଇଥିଲେ । ଜାତୀୟ ଉଦ୍ୟାନ ମଧ୍ୟରେ ଓ ସୀମାରେ ୧୬ଟି ଛୋଟ ଗାଁ ରହିଥିଲା ଓ ସେମାନଙ୍କୁ ସଂଯୋଗ କରିବାପାଇଁ ସଡ଼କ ମଧ୍ୟ ନଥିଲା । ଗାଁର ଲୋକମାନେ ଦାରିଦ୍ର୍ୟ, ଅଭାବ, ନିରକ୍ଷରତା ମଧ୍ୟରେ ଜୀବନଯାପନ କରୁଥିଲେ ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରହିଥିଲେ । ସେମାନଙ୍କ ଗୃହପାଳିତ ପଶୁ ଚରିବା ଫଳରେ ଜଙ୍ଗଲ ପଦା ହେବାକୁ ଲାଗିଲା । ବନ୍ୟଜୀବ ଥିଲେ ମଧ୍ୟ କେବଳ ରାତି ସମୟରେ ବାହାରୁଥିଲେ ଓ ପ୍ରାୟ ଦୃଶ୍ୟମାନ ହେଉନଥିଲେ ।
ଫତେ ସିଂ ଏହି ଅଞ୍ଚଳରେ ଦୈନନ୍ଦିନ ନିରୀକ୍ଷଣ ପାଇଁ ରାସ୍ତା ତିଆରି କରାଇଥିଲେ । ସେ ହୃଦବୋଧ କରିପାରିଥିଲେ ଯେ ବାଘମାନଙ୍କ ସଂଖ୍ୟାବୃଦ୍ଧି ପାଇଁ ସ୍ୱାଧୀନ ଓ ଭୟମୁକ୍ତ ପରିବେଶ ଆବଶ୍ୟକ ଓ ସେଥିପାଇଁ ଗ୍ରାମଗୁଡ଼ିକ ଅଭୟାରଣ୍ୟ ବାହାରକୁ ସ୍ଥାନାନ୍ତର ହେବା ଜରୁରୀ । ଅନେକ ଚାତୁର୍ଯ୍ୟ, ଧୈର୍ଯ୍ୟ ସହାୟତାରେ ଲୋକଙ୍କୁ ନିଜର ପୈତୃକ ଘରଛାଡ଼ି ବାହାରକୁ ଯିବାପାଇଁ ସେ ମନାଇ ପାରିଲେ । ସମୟେ ସମୟେ ଭାବପ୍ରବଣ ହୋଇ ଫତେ ସିଂ ଏହି ଲୋକଙ୍କ ମେଳରେ ସେମାନଙ୍କ ଦୁଃଖରେ ଭାଗୀ ହେବାର ମଧ୍ୟ ଦେଖାଯାଇଥିଲା । ସେହି ଅଞ୍ଚଳର ଜଣେ ଯୁବଶିକ୍ଷକଙ୍କୁ ସେ ନିଜ ସ୍ତ୍ରୀଙ୍କ “ରାଖି ଭାଇ” ଭାବେ ସମ୍ପର୍କ ସ୍ଥାପନା କରିଥିଲେ ଓ ତାଙ୍କୁ ହୃଦବୋଧ କରାଇ ପାରିଲେ ଯେ ଜଙ୍ଗଲରୁ ବାହାରି ଅନ୍ୟ ସ୍ଥାନକୁ ଗଲେ ଗାଁବାସୀଙ୍କୁ ଅନେକ ଲାଭ ମିଳିବ । ଗାଁ ଲୋକଙ୍କୁ ଉଚିତ୍ କ୍ଷତିପୂରଣ ଦିଆଗଲା ଓ କୈଳାସପୁରୀ ନାମକ ନୂଆ ଗ୍ରାମର ସ୍ଥାପନା କରାଯାଇ ସେମାନଙ୍କୁ ଥଇଥାନ କରାଗଲା । କୈଳାସପୁରୀରେ ଲୋକଙ୍କ ପାଇଁ ଏକ ସ୍ୱାସ୍ଥ୍ୟକେନ୍ଦ୍ର, ଏକ ବିଦ୍ୟାଳୟ ସ୍ଥାପନା କରାଗଲା ଓ ଅଭୟାରଣ୍ୟ ବାହାରେ ଚାଷୋପଯୋଗୀ ଭଲ ଜମି ମଧ୍ୟ ପ୍ରଦାନ କରାଗଲା ।
୧୯୭୩ରୁ ୧୯୭୫ ମଧ୍ୟରେ ଲୋକଙ୍କ ସ୍ଥାନାନ୍ତରଣ ପରେ ଜାତୀୟ ଉଦ୍ୟାନର ସବୁଜିମା ସ୍ୱତଃ ବଢ଼ିବାକୁ ଲାଗିଲା । ନିତିଦିନର ନିରୀକ୍ଷଣରେ ଫତେ ସିଂ କ୍ରମେ ବାଘଙ୍କ ପଞ୍ଝାଚିହ୍ନ ଦେଖିବାକୁ ପାଇଲେ । କିନ୍ତୁ ତଥାପି ଏହି ନିଶାଚର ପ୍ରାଣୀମାନେ କେବେ ଦୃଶ୍ୟମାନ ହେଉନଥିଲେ । ଲୋକମାନେ ସ୍ଥାନାନ୍ତରଣ ସମୟରେ ଏକ ଛୋଟା ମଇଁଷିକୁ ଜଙ୍ଗଲରେ ଛାଡ଼ି ଚାଲିଯାଇଥିଲେ । ସେହି ପାଖରେ ଏକ ବାଘୁଣୀର ପଞ୍ଝାଚିହ୍ନ ଦେଖି ଫତେ ସିଂ ଭାବିଲେ ଯେ ବାଘୁଣୀଟି ଖୁବ୍ ଶୀଘ୍ର ମଇଁଷିର ଶିକାର କରିବ । କିଛିଦିନ ପରେ ମଇଁଷି ମରିବାର ଖବର ପାଇ ଉତ୍ସାହିତ ଫତେ ସିଂ ମଢ଼ର ପାଖରେ ଥିବା ଏକ ଗଛ ଉପରେ ରହି ବାଘୁଣୀର ଆସିବାର ଅପେକ୍ଷା କଲେ । କିଛି ସମୟ ପରେ ବାଘୁଣୀ ତା’ର ଛୁଆମାନଙ୍କ ସହିତ ଦେଖାଦେଲା ଓ ମୃତ ମଇଁଷିକୁ ଖାଇବା ଆରମ୍ଭ କଲା । କିଛି ସମୟ ପରେ ବାଘୁଣୀଟି ଫତେ ସିଂଙ୍କ ଉପସ୍ଥିତି ବିଷୟରେ ଜାଣିପାରି ନିଜ ବିରକ୍ତି ପ୍ରକାଶ କଲା । ଫତେ ସିଂ ଏତେ ଉତ୍ସାହିତ ଥିଲେ ଯେ ଚିତ୍ର ଉତ୍ତୋଳନ କରିବା ସମୟରେ ତାଙ୍କ ହାତ ସ୍ଥିର ରହୁ ନଥିଲା । ଏହି ବାଘୁଣୀକୁ ନିରୀକ୍ଷଣ କରିବା ପାଇଁ ତାଙ୍କୁ ପରେ ଅନେକ ସୁଯୋଗ ମିଳିଲା ଅବଶ୍ୟ । ଏହି ବାଘୁଣୀକୁ ସେ ନିଜ ବଡ଼ ଝିଅ ପଦ୍ମିନୀଙ୍କ ନାମରେ ନାମିତ କରିଥିଲେ । କ୍ରମେ ପଦ୍ମିନୀ ମଧ୍ୟ ଫତେ ସିଂଙ୍କ ଉପସ୍ଥିତିରେ ବିଚଳିତ ବା ବିରକ୍ତ ହେଲାନାହିଁ । ୧୯୮୧ ଅଗଷ୍ଟ ମାସରେ ଗ୍ରାମ ସ୍ଥାନାନ୍ତରଣରେ ଜୀବିକା ହରାଇଥିବା କେତେକ ଲୋକ ଫତେ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଲୋକମାନେ ଜଙ୍ଗଲରେ ଗୋରୁ ଚରାଉଥିବା ଲୋକଙ୍କଠାରୁ ଚାନ୍ଦା ଆଦାୟ କରୁଥିଲେ । ଫତେ ସିଂଙ୍କୁ ସେମାନେ ଖୁବ୍ ପିଟିବା ପରେ ମରଣମୁଖରେ ଛାଡ଼ି ପଳାଇ ଯାଇଥିଲେ । ଫତେ ସିଂ ପ୍ରାୟ ଏକ ମାସପରେ ଆରୋଗ୍ୟଲାଭ କଲେ । ତାଙ୍କୁ ଏଥିପାଇଁ ସାହସିକ ପୁରସ୍କାର ମଧ୍ୟ ଦିଆଯାଇଥିଲା । ସୁସ୍ଥ ହେବାପରେ ସେ ପୁଣି ଗାଁ ଲୋକଙ୍କ ସହ କଥାବାର୍ତ୍ତା ଆରମ୍ଭ କଲେ । ବାଘଙ୍କ ସୁରକ୍ଷା ପାଇଁ ସେ ଆରମ୍ଭ କରିଥିବା କାର୍ଯ୍ୟରୁ ତାଙ୍କୁ ନିବୃତ୍ତ କରିବା କାହାରି ପାଇଁ ସମ୍ଭବପର ନଥିଲା ।
ଟାଇଗର୍ ୱାଚ୍ (Tiger Watch)
[ସମ୍ପାଦନା]୧୯୬୦ ମସିହାରେ ଦଳେ ସାଙ୍ଗ ମିଶି “ଟାଇଗର୍ ୱାଚ୍” ନାମକ ସ୍ୱୟଂସେବୀ ସଂସ୍ଥା ପ୍ରତିଷ୍ଠା କଲେ ଓ ଫତେ ସିଂ ଏହି ସଂଗଠନର ଉପାଧ୍ୟକ୍ଷ ପଦରେ ଅଧିଷ୍ଠିତ ହେଲେ । ପ୍ରଥମେ ଏହି ସଂସ୍ଥାକୁ ଜାତୀୟ ଉଦ୍ୟାନ ପରିସରରେ ଗବେଷଣା କରିବା ପାଇଁ ରାଜସ୍ଥାନ ବନ ବିଭାଗଠାରୁ ଅନୁମତି ମିଳିଥିଲା । ୨୦୦୩ ମସିହାରେ ଧର୍ମେନ୍ଦ୍ର ଖଣ୍ଡାଲ୍ ବୋଲି ଜଣେ ଯୁବ ବନ୍ୟଜୀବ ବିଜ୍ଞାନୀ ଏହି ସଂସ୍ଥା ପକ୍ଷରୁ ଗବେଷଣା କରୁଥିଲେ । ୨୦୦୪ରେ ଧର୍ମେନ୍ଦ୍ର ପରିବେଷଣ କରିଥିବା ତଥ୍ୟ ଅନୁଯାୟୀ ରନ୍ଥାମ୍ବୋରରେ କେବଳ ୨୬ଟି ବାଘ ଥିଲେ । ସେତେବେଳର ସରକାରୀ ଗଣନାରୁ ବାଘସଂଖ୍ୟା ୪୫ଟି ଥିବା କଥା ବନ ବିଭାଗ ପ୍ରକାଶ କରିଥିଲା । ଧର୍ମେନ୍ଦ୍ର କ୍ୟାମେରା ଟ୍ରାପ୍ ବ୍ୟବହାର କରି ଉଠାଇଥିବା ଚିତ୍ରଗୁଡ଼ିକୁ ପ୍ରମାଣ ଭାବେ ଉପସ୍ଥାପନ କଲେ । କିନ୍ତୁ ପାରମ୍ପରିକ ପଞ୍ଝାଚିହ୍ନ ପଦ୍ଧତି ବ୍ୟବହାର କରି ବନ ବିଭାଗ ଗଣନା କରୁଥିଲା । କ୍ୟାମେରା ଟ୍ରାପ୍ ପଦ୍ଧତି ପଞ୍ଝାଚିହ୍ନ ପଦ୍ଧତିଠାରୁ ଅଧିକ ବୈଜ୍ଞାନିକ ଓ ସଠିକ ହୋଇଥିଲେ ମଧ୍ୟ ବନ ବିଭାଗ ଏହାକୁ ଗ୍ରହଣ ନକରି ଟାଇଗର୍ ୱାଚ୍ ସଂସ୍ଥାକୁ ଅଭୟାରଣ୍ୟ ମଧ୍ୟରେ ପରୀକ୍ଷଣ କରିବାର ଅନୁମତି ପ୍ରତ୍ୟାହାର କରିନେଇଥିଲା । ଏହାପରେ ଟାଇଗର୍ ୱାଚ୍ ସଂସ୍ଥା ଅବୈଧ ଶିକାର ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଥିଲା । ପୁଲିସର ସହାୟତାରେ ଅନେକ ଅବୈଧ ଶିକାରୀ ଧରା ପଡ଼ିଲେ, ସେମାନଙ୍କଠାରୁ ଅସ୍ତ୍ର ଜବତ କରାଗଲା । ଅବୈଧ ଶିକାରୀମାନଙ୍କର ବୟାନ ଲିପିବଦ୍ଧ କରାଗଲା, “Curbing the Crisis” (ସଙ୍କଟର ନିୟନ୍ତ୍ରଣ) ନାମରେ ଏକ ଭିଡ଼ିଓ ରେକର୍ଡିଂ କରାଯାଇ ବନବିଭାଗ ସମ୍ମୁଖରେ ଉପସ୍ଥାପନ କରାଗଲା । ତଥାପି ବନ ବିଭାଗ ଟାଇଗର୍ ୱାଚ୍ଦ୍ୱାରା ଉପସ୍ଥାପିତ ତଥ୍ୟକୁ ଗ୍ରହଣ କଲାନାହିଁ ।
ଟାଇଗର୍ ୱାଚ୍ ସଂସ୍ଥାର ସଭ୍ୟମାନେ ଅନୁସନ୍ଧାନ କରି ଜାଣିବାକୁ ପାଇଲେ ଯେ “ମୋଗୟା” ଜାତିର ଯାଯାବର ଶିକାରୀମାନେ ମୁଖ୍ୟତଃ ଏପରି ଅବୈଧ ଶିକାରରେ ଲିପ୍ତ ଥିଲେ । ଏହି ଜାତିର ଲୋକମାନଙ୍କର ଅନ୍ୟ କୌଣସି ଜୀବିକା ନଥିଲା । ଅନ୍ୟ ଜୀବିକା ରହିଲେ ଅବୈଧ ଶିକାରରୁ ସେମାନେ ବିରତ ରହିବେ ବୋଲି ସାମାଜିକ ଜୀବନରେ ଏହି ଲୋକମାନଙ୍କ ଥଇଥାନ ପାଇଁ ଟାଇଗର୍ ୱାଚ୍ ସଂସ୍ଥା ପ୍ରଯତ୍ନଶୀଳ ହେଲା । ମୋଗୟା ଜାତିର ସ୍ତ୍ରୀମାନଙ୍କୁ ହସ୍ତତନ୍ତର ପ୍ରଶିକ୍ଷଣ ଦିଆଗଲା । ଛୋଟପିଲାଙ୍କୁ ଛାତ୍ରାବାସରେ ରଖି ସେମାନଙ୍କ ପାଇଁ ଶିକ୍ଷା, ଖାଦ୍ୟ, ଲୁଗାପଟାର ବ୍ୟବସ୍ଥା କରାଗଲା । ଏପରି ସୁବିଧା ପାଇବା ପାଇଁ ସେମାନଙ୍କ ସାମନାରେ ଅବୈଧ ଶିକାର ପରିତ୍ୟାଗ କରିବାର ସର୍ତ୍ତ ରଖାଗଲା । ସ୍ୱେଚ୍ଛାସେବୀଙ୍କଠାରୁ ମିଳୁଥିବା ଦାନରୁ ଏହି ପ୍ରଚେଷ୍ଟା ଆଜି ପର୍ଯ୍ୟନ୍ତ ଚାଲିଛି । “ପ୍ରାକୃତିକ ସମାଜ” ନାମରେ ଟାଇଗର୍ ୱାଚର ଏକ ଭଗିନୀ ସଂସ୍ଥା ମଧ୍ୟ ରହିଛି । ଏହି ସଂସ୍ଥା ଫତେ ସିଂଙ୍କ ପୁତ୍ର ଗୋବର୍ଦ୍ଧନଙ୍କଦ୍ୱାରା ସ୍ଥାପିତ । ଏହି ସଂସ୍ଥା “ରନ୍ଥାମ୍ବୋର୍ ସେବିକା” ଓ “ଫତେ ସର୍ବସାଧାରଣ ବିଦ୍ୟାଳୟ” ଆଦିର ସ୍ଥାପନା କରି ରନ୍ଥାମ୍ବୋରର ଅଧିବାସୀଙ୍କ ଜୀବନର ମାନ ବୃଦ୍ଧି କରିବା ଓ ସଂରକ୍ଷଣର ବାର୍ତ୍ତା ପ୍ରଚାର କରିବାରେ ସହାୟତା କରୁଛି ।
ଫତେ ସିଂ “ଦ ଜେଫ୍ କୋର୍ୱିନ୍ ଏକ୍ସପିରିଏନ୍ସ୍” ନାମକ ଡକ୍ୟୁମେଣ୍ଟାରୀର ଏକ ଅଧ୍ୟାୟରେ ଦୃଶ୍ୟମାନ ହୋଇଥିଲେ । ଫତେ ସିଂଙ୍କ ମତ ଥିଲା ଯେ ଏତେ ବୃହତ୍ ଜନସଂଖ୍ୟାବିଶିଷ୍ଟ ଦେଶରେ ଲୋକମାନଙ୍କ ସହାୟତାରେ ହିଁ ବ୍ୟାଘ୍ର ସଂରକ୍ଷଣ ସମ୍ଭବ ଓ ତାଙ୍କ ଜନତା କୈନ୍ଦ୍ରିକ ପଦ୍ଧତି ସଫଳ ମଧ୍ୟ ହୋଇଥିଲା । ଫତେ ସିଂ ଫୁସଫୁସ କର୍କଟ ରୋଗରେ ପୀଡ଼ିତ ଥିଲେ ଓ ୧-ମାର୍ଚ୍ଚ୍-୨୦୧୧ ମସିହାରେ ସୱାଇ ମାଧୋପୁରସ୍ଥିତ ନିଜ ବାସଭବନରେ ୭୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ।[୨] ଫତେ ସିଂଙ୍କ ପରିବାରରେ ତାଙ୍କ ପତ୍ନୀ ଖେନ୍, ପୁତ୍ର ଗୋବର୍ଦ୍ଧନ, ଦୁଇ ଝିଅ ପଦ୍ମିନୀ ଓ ଜୟା, ଚାରିଜଣ ଭାଇ, ଚାରୋଟି ଭଉଣୀ ଓ ଚାରିଜଣ ନାତିନାତୁଣୀ ଅଛନ୍ତି ।
ବ୍ୟାଘ୍ର ସଂରକ୍ଷଣ ପ୍ରତି ତାଙ୍କ ନିଷ୍ଠା ୧୯୯୩ର ଏକ ସାକ୍ଷାତକାରରୁ ସ୍ପଷ୍ଟ ଜଣାପଡେ । ତାଙ୍କ ମତରେ, “ ବନଜଙ୍ଗଲ ଓ ଏହାର ପ୍ରାଣୀ ସମସ୍ତେ ଭଗବାନଙ୍କ ରଚନା । ଦୁର୍ଗାମାତା ନିଜେ ମଧ୍ୟ ବାହନ ବାଘର ଆରୋହଣ କରି ଅସୁରଙ୍କ ନାଶ କରନ୍ତିନି କି? ଏହି ମହାନ ସ୍ୱର୍ଗୀୟ ରଚନାକୁ ବିକୃତ କରିବାର ଅଧିକାର କୌଣସି ମାନବ ପାଖରେ ନାହିଁ । ଜଙ୍ଗଲର ପୁନରୁତ୍ଥାନ ପାଇଁ ଜଙ୍ଗଲ ଛାଡ଼ି ବାହାରକୁ ଯିବାକୁ ହେବ ।”[୧]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ଫତେ ସିଂ ବ୍ୟାଘ୍ର ସଂରକ୍ଷଣ ଦିଗରେ ନିଜ ପ୍ରଚେଷ୍ଟା ପାଇଁ ଅନେକ ମହଲରୁ ସମ୍ମାନ ଓ ପୁରସ୍କାର ଲାଭ କରିଥିଲେ ।
୧୯୮୨ – ଏଡିନବରାର ଶାସକ / ନବାବଙ୍କଠାରୁ ଫ୍ରେଡ୍ ଏମ୍. ପ୍ୟାକାର୍ଡ୍ ଅନ୍ତର୍ଯାତୀୟ ପାର୍କ୍ ମେରିଟ୍ ସମ୍ମାନ ପ୍ରାପ୍ତ କରିଥିଲେ ।
୧୯୮୩ – ସଂରକ୍ଷଣ କାର୍ଯ୍ୟରେ ସାହସିକତା ପାଇଁ ଅନ୍ତର୍ଯାତୀୟ ବୀରତା ସମ୍ମାନ
ବ୍ୟାଘ୍ର ସଂରକ୍ଷଣ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କଠାରୁ ଏସୋ ପୁରସ୍କାର
୧୯୯୯ – ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନର ସମ୍ମାନସ୍ପଦ ବନ୍ୟଜୀବ ୱାର୍ଡେନ୍ ପୁରସ୍କାର
୨୦୧୧ – ବିଶ୍ୱ ବନ୍ୟଜୀବ କୋଷର ଲାଇଫ୍ ଟାଇମ୍ ଏଚିଭମେଣ୍ଟ୍ ସମ୍ମାନ
ପ୍ରକାଶନ
[ସମ୍ପାଦନା]ଫତେ ସିଂଙ୍କଦ୍ୱାରା ନିଆଯାଇଥିବା ରନ୍ଥାମ୍ବୋରର ବାଘଙ୍କ ଚିତ୍ର ଓ ସେମାନଙ୍କ ସମ୍ବନ୍ଧୀୟ ଲେଖା ସବୁ ଅନେକ ପୁସ୍ତକ, ପତ୍ରିକାରେ ସ୍ଥାନ ପାଇଛି ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Dennis Hevesi (3-8-2011), "Fateh Singh Rathore, the 'Tiger Guru,' Dies at 73", New York Times, New York City: The New York Times Company, retrieved 2011-08-14
{{citation}}
: Check date values in:|date=
(help) - ↑ ୨.୦ ୨.୧ "'Tiger man' Fateh Singh Rathore passes away", The Times of India, Jaipur: Bennett, Coleman & Co. Ltd., 3-2-2011, archived from the original on 2011-10-25, retrieved 2011-08-14
{{citation}}
: Check date values in:|date=
(help) - ↑ ୩.୦ ୩.୧ Obituaries (2011-03-03), "Fateh Singh Rathore", The Telegraph, Kent, UK: Telegraph Media Group Limited, retrieved 2011-08-14