ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ

ଉଇକିପିଡ଼ିଆ ରୁ
Jump to navigation Jump to search
ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ
କର୍ବେଟ୍ ଜାତୀୟ ଉଦ୍ୟାନ
କର୍ବେଟ୍ ବ୍ୟାଘ୍ର ଅଭୟାରଣ୍ୟ
IUCN Category II (National Park)
Bengal-Tiger Corbett Uttarakhand Dec-2013.jpg
କର୍ବେଟ୍ ଜାତୀୟ ଉଦ୍ୟାନର ବିଜ୍ରାନି କ୍ଷେତ୍ରର ଏକ ମହାବଳ ବାଘ
Map showing the location of ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ.
Map showing the location of ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ.
ଅବସ୍ଥାନନୈନିତାଲ ଜିଲ୍ଲା, ଉତ୍ତରାଖଣ୍ଡ, ଭାରତ
ପାଖ ସହରରାମନଗର
ଦିଗବାରେଣି29°32′55″N 78°56′07″E / 29.54861°N 78.93528°E / 29.54861; 78.93528Coordinates: 29°32′55″N 78°56′07″E / 29.54861°N 78.93528°E / 29.54861; 78.93528
ସ୍ଥାପିତ୧୯୩୬
ପର୍ଯ୍ୟଟକ ସଂଖ୍ୟା୫୦୦୦୦୦[୧]
ପରିଚାଳନାବ୍ୟାଘ୍ର ପ୍ରକଳ୍ପ, ଉତ୍ତରାଖଣ୍ଡ ସରକାର, ବନ୍ୟଜନ୍ତୁ ନିରୀକ୍ଷକ (କର୍ବେଟ୍ ଜାତୀୟ ଉଦ୍ୟାନ)
Official website

ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ ଭାରତର ସବୁଠାରୁ ପୁରୁଣା ଜାତୀୟ ଉଦ୍ୟାନ । କ୍ରମଶଃ ହ୍ରାସ ପାଇଆସୁଥିବା ମହାବଳ ବାଘଙ୍କ ସଂଖ୍ୟାକୁ ଦେଖି ଈଂରେଜ ଶାସନାଧୀନ ଭାରତରେ ୧୯୩୬ ମସିହାରେ ହେଲି ଜାତୀୟ ଉଦ୍ୟାନ ସ୍ଥାପିତ ହୋଇଥିଲା । ଉତ୍ତରାଖଣ୍ଡ (ତତ୍କାଳୀନ ଉତ୍ତର ପ୍ରଦେଶ) ରାଜ୍ୟର ନୈନିତାଲ ଜିଲ୍ଲାରେ ଏହି ଜାତୀୟ ଉଦ୍ୟାନ ସ୍ଥାପିତ ହୋଇଥିଲା । ଏହାର ସ୍ଥାପନରେ ଜିମ୍ କର୍ବେଟ୍ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ଏହି ଜାତୀୟ ଉଦ୍ୟାନ ପରେ ତାଙ୍କରି ନାମରେ ନାମିତ ହୋଇଥିଲା । ଏହି ଜାତୀୟ ଉଦ୍ୟାନ ବ୍ୟାଘ୍ର ପ୍ରକଳ୍ପଦ୍ୱାରା ଚୟନ କରାଯାଇଥିବା ପ୍ରଥମ ବ୍ୟାଘ୍ର ଅଭୟାରଣ୍ୟ ଥିଲା ।[୨]

ଏହି ଜଙ୍ଗଲରେ ତେରାଇ ବା ହିମାଳୟ ପାଦଦେଶବର୍ତ୍ତୀ ଅଞ୍ଚଳର ଭୌଗୋଳିକ ପରିବେଶ ଓ ଜଳବାୟୁ ଅନୁଭୂତ ହୁଏ ।[୩] ଏକ ଇକୋଟୁରିଜମ୍ କ୍ଷେତ୍ର ରୂପେ ପରିଚିତ[୪] ଏହି ଜାତୀୟ ଉଦ୍ୟାନରେ ୪୮୮ ଭିନ୍ନ ପ୍ରଜାତିର ଉଦ୍ଭିଦ ଓ ଅନେକ ପ୍ରକାରର ଜୀବଜନ୍ତୁ ପରିଲକ୍ଷିତ ହୁଅନ୍ତି ।[୫][୬] ମାତ୍ରାଧିକ ପର୍ଯ୍ୟଟକଙ୍କ ଆଗମନ ବର୍ତ୍ତମାନ ଏହି ଜାତୀୟ ଉଦ୍ୟାନର ପାରିବେଶିକ ସନ୍ତୁଳନ ପ୍ରତି ବିପଦ ସୃଷ୍ଟି କରିଛି ।[୭]

କର୍ବେଟ୍ ସବୁବେଳେ ପର୍ଯ୍ୟଟକ ଓ ଜୀବପ୍ରେମୀଙ୍କ ପାଇଁ ଏକ ପ୍ରିୟ ସ୍ଥାନ ରହିଆସିଛି । ଜାତୀୟ ଉଦ୍ୟାନର ସୁନ୍ଦର ଜଙ୍ଗଲ ଓ ଜୀବଜନ୍ତୁଙ୍କ ଦର୍ଶନ କରିବା ପାଇଁ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ସାମ୍ପ୍ରତିକ ସମୟରେ ଜାକୀୟ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ଗୁଣ ବୃଦ୍ଧି ପାଇଛି । ପର୍ଯ୍ୟଟନ ଋତୁରେ ଦୈନିକ ହାରାହାରି ୭୦ ହଜାର ପର୍ଯ୍ୟଟକ ଉଦ୍ୟାନ ଦେଖିବାକୁ ଆସନ୍ତି ।

୫୨୦.୮ ବର୍ଗ କି.ମି. ପରିମିତ ଏହି ଜାତୀୟ ଉଦ୍ୟାନ ପାହାଡ଼, ନଦୀନାଳ, ସନ୍ତସନ୍ତିଆ ନିମ୍ନଭୂମି, ତୃଣଭୂମି ଓ କ ବିରାଟ ହ୍ରଦଦ୍ୱାରା ଶୋଭିତ । ଜାତୀୟ ଉଦ୍ୟାନ ମଧ୍ୟରେ ଏହାର ସର୍ବୋଚ୍ଚ ଓ ସର୍ବନିମ୍ନ ସ୍ଥାନର ସମୁଦ୍ର ପତନଠାରୁ ଉଚ୍ଚତା ଯଥାକ୍ରମେ ୧୩୦୦ ଫୁଟ୍ ଓ ୪୦୦୦ ଫୁଟ୍ । ଶୀତ ଋତୁରେ ରାତିରେ ଭଲ ଥଣ୍ଡା ହୁଏ କିନ୍ତୁ ଦିନବେଳା ଉଜ୍ଜ୍ୱଳ ସୂର୍ଯ୍ୟାଲୋକ ଆବଶ୍ୟକ ଉତ୍ତାପ ଯୋଗାଇଦିଏ । ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଏହି ଜାତୀୟ ଉଦ୍ୟାନରେ ବୃଷ୍ଟିପାତ ହୁଏ ।

ଏଠାକାର ଘଞ୍ଚ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟରେ ମୁଖ୍ୟତଃ ଶାଳ, ବରଗଛ, ଆମ୍ବ, କାମଳ ଓ କଦମ୍ବ ଇତ୍ୟାଦି ଗଛ ଦେଖିବାକୁ ମିଳେ । ଜାତୀୟ ଉଦ୍ୟାନର ୭୩% ଭୂଭାଗ ଅରଣ୍ୟାବୃତ ଓ ୧୦% ଭୂମିରେ ତୃଣଭୂମିର ଗାଲିଚା ରହିଛି । ୧୧୦ ପ୍ରକାରର ବୃକ୍ଷ, ୫୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୫୮୦ ପ୍ରଜାତିର ପକ୍ଷୀ ଓ ୨୫ ପ୍ରଜାତିର ସରୀସୃପ ଉଦ୍ୟାନରେ ଦେଖିବାକୁ ମିଳନ୍ତି ।

ଇତିହାସ[ସମ୍ପାଦନା]

ଏହି ଜାତୀୟ ଉଦ୍ୟାନର କିଛି ଅଂଶ ପୂର୍ବେ ତେହରି ଗଡ଼ୱାଲ୍ ରାଜ୍ୟର ଶିକାର ଜଙ୍ଗଲ ଥିଲା ।[୮] ରୋହିଲା ଅନୁପ୍ରବେଶକାରୀଙ୍କ ଦମନ ପାଇଁ ଜଙ୍ଗଲର ବହୁ ଅଂଶ କାଟି ସଫା କରିଦିଆ ଯାଇଥିଲା ।[୮] ଗୁର୍ଖାଙ୍କୁ ରାଜ୍ୟରୁ ବିତାଡ଼ିତ କରିବାରେ ସାହାଯ୍ୟ କରିଥିବାରୁ ତେହରିର ରାଜା ନିଜ ରାଜ୍ୟର କିଛି ଅଂଶ ବ୍ରିଟିଶ୍ ପୂର୍ବ ଭାରତୀୟ କମ୍ପାନୀକୁ ପ୍ରଦାନ କରିଥିଲେ ।[୮] ତେରାଇ ଅଞ୍ଚଳର ବୋକ୍ଷା ଜନଜାତି ଏଠାରେ ଘର କରି କୃଷିକାର୍ଯ୍ୟ ଇତ୍ୟାଦି କରୁଥିଲେ । କିନ୍ତୁ ୧୮୬୦ ଦଶନ୍ଧିରେ ବ୍ରିଟିଶ୍ ଶାସକମାନେ ଏମାନଙ୍କୁ ତଡ଼ି ଦେଇଥିଲେ ।[୮]

ଉନବିଂଶ ଶତାବ୍ଦୀରେ ଏହି ଅଞ୍ଚଳର ଦାୟିତ୍ତ୍ୱରେ ଥିବା ମେଜର୍ ରାମସେ ଏହି ଜଙ୍ଗଲର ସୁରକ୍ଷା ପାଇଁ ଚେଷ୍ଟା କରିଥିଲେ । ୧୮୬୮ ମସିହାରେ ବ୍ରିଟିଶ୍ ବନ ବିଭାଗ ଜଙ୍ଗଲ ମଧ୍ୟରେ କୃଷି ଓ ପଶୁ ଚରାଇବା ଉପରେ ନିଷେଧାଜ୍ଞା ଜାରି କରିଥିଲେ । ଏହା ଥିଲା ଏହି ଜଙ୍ଗଲର ସୁରକ୍ଷା ଦିଗରେ ପ୍ରଥମ ପଦକ୍ଷେପ ।[୯] ୧୮୭୯ ମସିହାରେ ଏହାକୁ ବ୍ରିଟିଶ୍ ରାଜୁତି ଏକ ସଂରକ୍ଷିତ ଜଙ୍ଗଲ ବୋଲି ଘୋଷଣା କଲେ ଓ ଏହି ଜଙ୍ଗଲରୁ ଗଛ କଟାକଟି ଉପରେ କଟକଣା ଲାଗିଲା ।

୧୯୦୦ ଶତାବ୍ଦୀର ପ୍ରଥମ ଭାଗରେ ଇ. ଆର୍. ଷ୍ଟିଭାନ୍‍ସ୍, ଏଭଲିନ୍ ଆର୍ଥର୍ ସ୍ମାଇଥିଜ୍ ଓ ଅନେକ ବ୍ରିଟିଶ୍ ପ୍ରଶାସକ ଏହି ସ୍ଥାନରେ ଏକ ଜାତୀୟ ଉଦ୍ୟାନ ସ୍ଥାପନ କରାଇବାର ପ୍ରସ୍ତାବ ରଖିଥିଲେ । ୧୯୦୭ ମସିହାରେ ଈଂରେଜ ପ୍ରଶାସନ ଏଠାରେ ଏକ ଶିକାର ଜଙ୍ଗଲ ସ୍ଥାପନ କରିବା ବିଷୟ ଚିନ୍ତା କରୁଥିଲେ ।[୯] ବହୁ ବର୍ଷ ପରେ ୧୯୩୦ ମସିହାରେ ଏଠାକାର ଜଙ୍ଗଲର ସୀମା ଧାର୍ଯ୍ୟ କରାଯିବା ଆରମ୍ଭ ହେଲା । ସେତେବେଳେ ଏହି ସ୍ଥାନ ସହିତ ଭଲ ଭାବେ ପରିଚିତ ଜିମ୍ କର୍ବେଟ୍‍ ଏହି ସୀମା ନିର୍ଦ୍ଧାରଣ କାର୍ଯ୍ୟରେ ସହାୟତା କରିଥିଲେ । ୧୯୩୬ ମସିହାରେ ୩୨୩.୭୫ ବର୍ଗ କି.ମି. ପରିମିତ ଅଞ୍ଚଳରେ ହେଲି ଜାତୀୟ ଉଦ୍ୟାନ ନାମକ ଏକ ସଂରକ୍ଷିତ ଜଙ୍ଗଲ ସ୍ଥାପିତ ହେଲା । ତତ୍କାଳୀନ ୟୁନାଇଟେଡ଼୍ ପ୍ରୋଭିଂସେସ୍ (ଉତ୍ତର ପ୍ରଗଣା)ର ଗଭର୍ଣ୍ଣର୍ ସାର୍ ମାଲ୍‍କମ୍ ହେଲିଙ୍କ ନାମାନୁସାରେ ଏହି ଜାତୀୟ ଉଦ୍ୟାନର ନାମ ରଖାଯାଇଥିଲା । ସେତେବେଳେ ଏହା ସମଗ୍ର ଏସିଆ ମହାଦେଶର ପ୍ରଥମ ଜାତୀୟ ଉଦ୍ୟାନ ଥିଲା ।[୧୦] ଏହି ଜାତୀୟ ଉଦ୍ୟାନ ସୀମା ମଧ୍ୟରେ ଶିକାର ଉପରେ ନିଷିଦ୍ଧାଦେଶ ଲାଗିଲା । କିନ୍ତୁ ଘରେ ବ୍ୟବହାର ପାଇଁ ଏହି ଜଙ୍ଗଲରୁ ଗଛ କାଟିବାର ଅନୁମତି ରହିଥିଲା । ପରବର୍ତ୍ତୀ ସମୟରେ ଅଭୟାରଣ୍ୟ ଘୋଷିତ ହେବା ପରେ ଏଠାକାର ସ୍ତନ୍ୟପାୟୀ, ସରୀସୃପ ଓ ପକ୍ଷୀଙ୍କୁ ଜନ୍ତା ପକାଇ ଧରିବା ବା ମାରିବା ଉପରେ ରହିଥିବା କଟକଣା ବଳବତ୍ତର ରହିଲା ।[୧୧]

୧୯୫୪-୫୫ ମସିହାରେ ଏହି ଅଭୟାରଣ୍ୟକୁ ରାମଗଙ୍ଗା ଜାତୀୟ ଉଦ୍ୟାନ ନାମରେ ନାମିତ କରାଗଲା ଓ ୧୯୫୫-୫୬ ମସିହାରେ ପୁଣି ନାମ ପରିବର୍ତ୍ତନ କରାଯାଇ କର୍ବେଟ୍ ଜାତୀୟ ଉଦ୍ୟାନ ନାମ ରଖାଗଲା ।[୧୦] ବର୍ତ୍ତମାନର ନାମ ବିଖ୍ୟାତ ଲେଖକ ଓ ସଂରକ୍ଷଣବାଦୀ ଜିମ୍ କର୍ବେଟ୍‍ଙ୍କ ନାମାନୁସାରେ ରଖାଯାଇଛି ।[୧୨] ଏଠାକାର ସ୍ଥାନୀୟ ସରକାରଙ୍କୁ ଏକ ଜାତୀୟ ଉଦ୍ୟାନ ଗଠନ କରିବାକୁ ପ୍ରଭାବିତ କରିପାରିଥିବାରୁ ଓ ଏହାର ସ୍ଥାପନା ସମୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କ ନାମରେ ନାମିତ କରିବା ପ୍ରଯୁଜ୍ୟ ମନେହୁଏ ।[୧୧]

୧୯୩୦ ଦଶନ୍ଧିରେ ନିର୍ବାଚିତ ପ୍ରଶସକଙ୍କ ଅଧୀନରେ ଉଦ୍ୟାନର ସୁପରିଚାଳନା ହୋଇଥିଲା ।[୧୩] କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ଗଛ କାଟିବା ଓ ଅବୈଧ ଶିକାର ବହୁ ମାତ୍ରାରେ ବୃଦ୍ଧି ପାଇଲା ।[୧୩] କ୍ରମେ ଅଭୟାରଣ୍ୟର କ୍ଷେତ୍ରଫଳ ବଢ଼ାଇ ଦିଆଯାଇ ୧୯୯୧ ମସିହା ବେଳକୁ ଆଉ ୭୯୭.୭୨ ବର୍ଗ କି.ମି. ଅଭୟାରଣ୍ୟରେ ଯୋଡ଼ା ହୋଇଥିଲା ।[୧୦] ୧୯୯୧ ମସିହାରେ ହୋଇଥିବା ଏହି ବୃଦ୍ଧିରେ କାଲାଗଡ଼ ବନଖଣ୍ଡ ଓ ଏହାର ଅନ୍ତର୍ଗତ ସୋନାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ (୩୦୧.୧୮ ବର୍ଗ କି.ମି.) ଏକ ମୁଖ୍ୟ ଅଂଶ ଥିଲା ।[୧୦] ପ୍ରାରମ୍ଭିକ ଉଦ୍ୟାନ ଭାବେ ୧୯୭୪ ମସିହାରେ ଏହି ଜାତୀୟ ଉଦ୍ୟାନକୁ ବ୍ୟାଘ୍ର ପ୍ରକଳ୍ପ ପାଇଁ ଚୟନ କରାଗଲା ।[୧୪] ନୈନିତାଲ ଜିଲ୍ଲାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ଏହାର ପ୍ରଶାସନିକ କାର୍ଯ୍ୟକଳାପ ନିୟନ୍ତ୍ରିତ ହୁଏ ।[୯]

World Wide Fund For Nature ସଂସ୍ଥାର ସହଯୋଗରେ ଚାଲିଥିବା ତେରାଇ ଆର୍କ୍ ଲାଣ୍ଡସ୍କେପ୍ ପ୍ରକଳ୍ପରେ ଭାରତ ଓ ନେପାଳର ଯେଉଁ ୧୩ଟି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଭକ୍ତ ହୋଇଛି, ସେଥିରୁ କର୍ବେଟ୍ ଅନ୍ୟତମ ।[୧୫] ବାଘ, ହାତୀ, ଭାରତୀୟ ଗଣ୍ଡା ପରି ତିନୋଟି ପ୍ରଜାତିର ସୁରକ୍ଷା ଓ ଏଠାକାର ଜଙ୍ଗଲ ଓ ଜୀବଜନ୍ତୁଙ୍କ ପୁନରୁଦ୍ଧାର ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ।[୧୫]

ଭୌଗୋଳିକ ତଥ୍ୟ[ସମ୍ପାଦନା]

କର୍ବେଟ୍ ଜାତୀୟ ଉଦ୍ୟାନର ସୀମା ମଧ୍ୟରେ ରହିଥିବା ରାମଗଙ୍ଗା ଜଳାଶୟ ଓ ତତ୍‍ସଂଲଗ୍ନ ତୃଣଭୂମିର ଏକ ଚିତ୍ର

କର୍ବେଟ୍ ଜାତୀୟ ଉଦ୍ୟାନ ୨୯°୨୫'ରୁ ୨୯°୩୯' ଉତ୍ତର ଅକ୍ଷାଂଶ ଏବଂ ୭୮°୪୪'ରୁ ୭୯°୦୭' ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ ।[୮] ଏହି ଅଭୟାରଣ୍ୟ ମଧ୍ୟରେ ରହିଥିବା ସର୍ବୋଚ୍ଚ ସ୍ଥାନ ସମୁଦ୍ର ପତନଠାରୁ ୧୦୪୦ ମି. ଓ ସର୍ବନିମ୍ନ ସ୍ଥାନ ସମଦ୍ର ପତନରୁ ୩୬୦ ମିଟର୍ ଉଚ୍ଚ ।[୩] ଉଦ୍ୟାନ ମଧ୍ୟରେ ଅନେକ ପାହାଡ଼ମାଳା, ସଂକୀର୍ଣ୍ଣ ଉପତ୍ୟକା, ଛୋଟ ନଦୀନାଳ, ମାଳଭୂମି ଇତ୍ୟାଦି ରହିଛନ୍ତି ।[୩] ରାମଗଙ୍ଗା ନଦୀଦ୍ୱାରା ସୃଷ୍ଟ ପତ୍‍ଲି ଦୁନ୍ ଉପତ୍ୟକା ମଧ୍ୟ ଜାତୀୟ ଉଦ୍ୟାନର ସୀମା ମଧ୍ୟରେ ଅବସ୍ଥିତ ।[୧୬] ଉତ୍ତରୀୟ ଗାଙ୍ଗେୟ ସମତଳ ଭୂମିର ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ ଓ ହିମାଳୟ ଉପ-କ୍ରାନ୍ତୀୟ ପାଇନ୍ ଅରଣ୍ୟର କିଛି ଅଂଶ ଏହି ଜାତୀୟ ଉଦ୍ୟାନର ସୀମା ମଧ୍ୟରେ ରହିଛନ୍ତି ଓ ସେହି କାରଣରୁ ସଂରକ୍ଷିତ ହୋଇପାରିଛନ୍ତି । ଏଠାକାର ଜଳବାୟୁ ଉପ-କ୍ରାନ୍ତୀୟ ଓ ଉଚ୍ଚଭୂମିସ୍ଥ ଆର୍ଦ୍ର ଜଳବାୟୁ ।

ଅଭୟାରଣ୍ୟର କ୍ଷେତ୍ରଫଳ ୧୩୧୮.୫୪ ବର୍ଗ କି.ମି. । ସେଥିରୁ ୫୨୦ ବର୍ଗ କି.ମି. କୋର୍ ଅଞ୍ଚଳ ଓ ୭୯୭.୭୨ ବର୍ଗ କି.ମି. ଅଣ-କୋର୍ ଅଞ୍ଚଳ । କୋର୍ ଅଞ୍ଚଳରେ ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ ରହିଥିବା ବେଳେ ଅଣ-କୋର୍ ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲ (୪୯୬.୫୪ ବର୍ଗ କି.ମି.) ଓ ସୋନାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ (୩୦୧.୧୮ ବର୍ଗ କି.ମି.) ରହିଛି ।

ଏହି ଅଭୟାରଣ୍ୟ ଆଂଶିକ ରୂପେ ଦକ୍ଷିଣରେ ସିୱାଲିକ୍ ଓ ଉତ୍ତରରେ ନିମ୍ନ ହିମାଳୟଦ୍ୱାରା ସୃଷ୍ଟ ଉପତ୍ୟକାରେ ରହିଛି ।[୩]

ଜଳବାୟୁ[ସମ୍ପାଦନା]

ଭାରତର ଅନ୍ୟାନ୍ୟ ସଂରକ୍ଷିତ ଜଙ୍ଗଲ ତୁଳନାରେ କର୍ବେଟ୍ ଉଦ୍ୟାନର ଜଳବାୟୁ ସାମାନ୍ୟ ସମଶୀତୋଷ୍ଣ ।[୧୬] ଶୀତଦିନରେ ଏହି ଉଦ୍ୟାନରେ ତାପମାତ୍ରା ୫ ଡିଗ୍ରୀ ସେଲ୍‍ସିୟସ୍‍ରୁ ଆରମ୍ଭ କରି ୩୦ ଡିଗ୍ରୀ ସେଲ୍‍ସିୟସ୍ ପର୍ଯ୍ୟନ୍ତ ହୋଇପାରେ ଓ ସକାଳ ସମୟରେ ବେଳେବେଳେ କୁହୁଡ଼ିଆ ପାଗ ଅନୁଭୂତ ହୁଏ ।[୧୬] ଗ୍ରୀଷ୍ମଋତୁରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍‍ସିୟସ୍ ଅତିକ୍ରମ କରିନଥାଏ ।[୧୬] ଏଠାରେ ଶୁଷ୍କ ଋତୁରେ ସାମାନ୍ୟ ଓ ମୌସୁମୀ ପ୍ରବାହ ସମୟରେ ଅଧିକ ବୃଷ୍ଟିପାତ ହୋଇଥାଏ ।[୨]

ଉଦ୍ଭିଦ ଜଗତ[ସମ୍ପାଦନା]

କର୍ବେଟ୍ ଜାତୀୟ ଉଦ୍ୟାନରେ ୪୮୮ ପ୍ରଜାତିର ବୃକ୍ଷ, ଲତା, ଗୁଳ୍ମ ଆଦି ଦେଖାଯାଇଛି ।[୫] ଅଧିକ ଶାଳ ଗଛ ଥିବା ଅଂଶରେ ଜଙ୍ଗଲର ଘନତା ସର୍ବାଧିକ ହୋଇଥିବା ବେଳେ ଆକାଶିଆ ଗଛ ଥିବା ଅଞ୍ଚଳରେ ଘନତା ସର୍ବନିମ୍ନ ।[୧୭] ଉଦ୍ୟାନର ଘଞ୍ଚ ସ୍ଥାନମାନଙ୍କରେ ଝଙ୍କାଳିଆ ଶାଳ ଗଛ ଅରଣ୍ୟ ଭୂମିକୁ ଆଚ୍ଛାଦିତ କରି ରଖିଥାଏ ।[୧୭] ଜାମୁ ଗଛ ଥିବା ଅଞ୍ଚଳରେ ବୃକ୍ଷରୋପଣ କରି ଅଧିକ ଗଛ ଲଗାଯାଇପାରୁଥିବା ବେଳେ ଶାଳ ଗଛର ଛାୟାରେ ବୃକ୍ଷରୋପଣ କଲେ ଗଛ ଅଧିକ ବଢ଼ିପାରେନାହିଁ ।[୧୭]

ବନ୍ୟପ୍ରାଣୀ[ସମ୍ପାଦନା]

ଧିକଲା ତୃଣଭୂମିରେ ଦୁଇଟି ହାତୀଙ୍କ ଯୁଦ୍ଧକ୍ରୀଡ଼ା
କର୍ବେଟ୍ ଜାତୀୟ ଉଦ୍ୟାନରେ ଦୁଇଟି ହାତୀଙ୍କ ପରସ୍ପର ପ୍ରତି ସ୍ନେହ ପ୍ରଦର୍ଶନ

କର୍ବେଟ୍ ଜାତୀୟ ଉଦ୍ୟାନରେ ୫୮୬ରୁ ଅଧିକ ପ୍ରଜାତିର ପକ୍ଷୀ ଦେଖାଯାଇଛନ୍ତି । ସାପଖିଆ ଚିଲ, ଲାଲ୍‍ମୁହଁ ଶୁଆ, ଲାଲ୍ ବଣକୁକୁଡ଼ା (ଯାହାଠାରୁ ଅନ୍ୟ ବଣକୁକୁଡ଼ା ପ୍ରଜାତିଙ୍କ ବିବର୍ତ୍ତନ ଘଟିଛି), ଇତ୍ୟାଦି ଏଠାକାର କିଛି ଅଧିବାସୀ ପକ୍ଷୀ ।[୬] ୩୩ ପ୍ରଜାତିର ସରୀସୃପ, ୭ ପ୍ରଜାତିର ଉଭୟଚର, ୩୬ ପ୍ରଜାତିର କଙ୍କି ମଧ୍ୟ ଏଠାରେ ଦେଖାଯାନ୍ତି ।[୮]

କର୍ବେଟ୍ ଜାତୀୟ ଉଦ୍ୟାନରେ ବହୁ ସଂଖ୍ୟକ ମହାବଳ ବାଘ ରହିଥିଲେ ହେଁ ଘଞ୍ଚ ଜଙ୍ଗଲ ଓ ପାରିପାର୍ଶ୍ୱିକ ଜଙ୍ଗଲରେ ଏମାନଙ୍କୁ ସହଜରେ ଠାବ କରିହୁଏ ନାହିଁ ।[୨] ଘଞ୍ଚ ଜଙ୍ଗଲ, ଉଦ୍ୟାନ ଦେଇ ପ୍ରବାହିତ ରାମଗଙ୍ଗା ନଦୀ ଓ ବହୁଳ ମାତ୍ରାରେ ଉପଲବ୍ଧ ଶିକାର ଯୋଗୁଁ ଏହା ବାଘଙ୍କ ପାଇଁ ଏକ ଆଦର୍ଶ ଅଧିବାସ ।[୧୮] ଏହି ଜଙ୍ଗଲରେ ବାଘମାନଙ୍କୁ ନିଜ ଆକାରଠାରୁ ଯଥେଷ୍ଟ ବଡ଼ ମଇଁଷି ଓ ହାତୀମାନଙ୍କ ଶିକାର କରୁଥିବା ମଧ୍ୟ ଦେଖାଯାଇଛି ।[୬] ସାଧାରଣ ଶିକାର ଯଥା ହରିଣ, ମାଙ୍କଡ଼ ଇତ୍ୟାଦିଙ୍କ ଅଭାବ ଦେଖାଦେଲେ ବାଘ ବଡ଼ ଆକାରର ପ୍ରାଣୀଙ୍କ ଶିକାର କରିଥାଏ ।[୬] ନିଜ ଇଲାକାରେ ଶିକାର ଅଭାବରେ ଏଠାକାର ବାଘ ଗୃହପାଳିତ ପଶୁଙ୍କ ଶିକାର କରିବା ମଧ୍ୟ ଶୁଣାଯାଇଛି ।[୬]

କଲରାପତରିଆ ବାଘ ସାଧାରଣତଃ ପାହାଡ଼ିଆ ଭୂମିରେ ବାସ କରନ୍ତି ଓ ଆବଶ୍ୟକ ପଡ଼ିଲେ ନିମ୍ନାଞ୍ଚଳକୁ ଓହ୍ଲାଇ ଆସନ୍ତି ।[୬] କର୍ବେଟ୍ ଜଙ୍ଗଲରେ ଦେଖାଯାଉଥିବା ଛୋଟ ବିଲେଇ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବଣଭୁଆ, ମାଛଖିଆ ବଣ ବିଲେଇ ଓ ଚିତା ବିଲେଇ ଅନ୍ୟତମ ।[୬] କୁଟୁରା, ସମ୍ବର, କୁଜି ହରିଣ, ଚିତଲ୍ ହରିଣ, ଭାଲୁ, ହିମାଳୟ କଳାଭାଲୁ, ଭାରତୀୟ ପାଉଁଶିଆ ନେଉଳ, ଓଧ, ଭାରତୀୟ ମାର୍ଟେନ୍, ହିମାଳୟ ଘୋରାଲ୍, ବଜ୍ରକାପ୍ତା, ହନୁ ମାଙ୍କଡ଼, ପାତି ମାଙ୍କଡ଼ ଇତ୍ୟାଦି ଏଠାରେ ଦେଖାଯାଉଥିବା ଅନ୍ୟ କିଛି ସ୍ତନ୍ୟପାୟୀ ପ୍ରାଣୀ ।[୧୮] ରାତିରେ ପେଚା ଓ ଦେବତା ବିନ୍ଧାଣୀ ପକ୍ଷୀଙ୍କ (ଭୂଇଁ ଚାପୁଳି – ଈଂରାଜୀରେ Nightjar) ଡାକ ଶୁଣିବାକୁ ମିଳେ ।[୬]

ଗ୍ରୀଷ୍ମଋତୁରେ ଶହ ଶହ ହାତୀଙ୍କ ପଲ ଦେଖାଯାଇପାରିବ ।[୬] ଏଠାରେ ଅଜଗର ମଧ୍ୟ ବସବାସ କରନ୍ତି । ଅଜଗର ଏକ ଭୟଙ୍କର ସାପ ଓ ବେଳେବେଳେ ଚିତଲ୍ ହରିଣମାନଙ୍କୁ ମାରି ଖାଇବା ମଧ୍ୟ ଦେଖାଯାଇଛି ।[୬] ସ୍ଥାନୀୟ ଗୋମୁହାଁ ଓ ଥଣ୍ଟିଆ କୁମ୍ଭୀର ମାନେ ଏକଦା ଲୁପ୍ତ ହେବା ସ୍ଥିତିରେ ଥିଲେ । କିନ୍ତୁ ଏବେ ପ୍ରଜନନ କେନ୍ଦ୍ରରେ ଏମାନଙ୍କୁ ବଢ଼ାଇ ରାମଗଙ୍ଗା ନଦୀରେ ଛାଡ଼ି ଦିଆଯାଇଥାଏ ।[୬]

ପର୍ଯ୍ୟଟନ[ସମ୍ପାଦନା]

ମାଛଖିଆ ଚିଲ
ଏକ ଯୁବ ହାତୀ ପର୍ଯ୍ୟଟକଙ୍କ ଗାଡ଼ିଆଡ଼କୁ ମାଡ଼ି ଆସୁଛି

ଯଦିଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଜାତୀୟ ଉଦ୍ୟାନର ମୂଳ ଉଦ୍ଦେଶ୍ୟ, ଏମାନଙ୍କୁ ଭଲଭାବେ ଜାଣିବା ପାଇଁ ପରିବେଶୋପଯୋଗୀ ଓ ଅଣବ୍ୟବସାୟିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଏ ।[୧୦] ୧୯୯୩ ମସିହାରେ ଉଦ୍ୟାନର ଗାଇଡ୍‍ମାନଙ୍କୁ ପ୍ରାକୃତିକ ଇତିହାସ, ପର୍ଯ୍ୟଟନ ପରିଚାଳନା, ଉଦ୍ୟାନର ବ୍ୟାଖ୍ୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା ।[୧୦] ୧୯୯୫ ମସିହାରେ ଆହୁରି ଗାଇଡ୍ ନିଯୁକ୍ତି ପାଇଲେ ଓ ଆଉ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଗଲା ।[୧୦] ଅନେକ ପ୍ରଶିକ୍ଷିତ ଗାଇଡ୍ ବ୍ୟବସ୍ଥାରେ ଆସିବା ଫଳରେ ଉଦ୍ୟାନରେ ପୂର୍ବରୁ ପର୍ଯ୍ୟଟକଙ୍କ ସୁବିଧା ବୁଝିବାରେ ବ୍ୟସ୍ତ କର୍ମଚାରୀ ଉତ୍ତମ ରୂପେ ପରିଚାଳନା କରିବାରେ ସମର୍ଥ ହେଲେ ।[୧୦] ଏହା ବ୍ୟତୀତ ଭାରତ ସରକାର କର୍ବେଟ ଜାତୀୟ ଉଦ୍ୟାନ ଓ ଗଡ଼ୱାଲ ଅଞ୍ଚଳରେ ପରିବେଶୋପଯୋଗୀ ପର୍ଯ୍ୟଟନ ପାଇଁ ଆହୁରି ଅନେକ କର୍ମଶାଳା ଆୟୋଜନ କରିଛନ୍ତି । ଏହି କର୍ମଶାଳା ସ୍ଥାନୀୟ ଲୋକଙ୍କୁ ପର୍ଯ୍ୟଟନରୁ ଲାଭ ପାଇବା ଓ ଜାତୀୟ ଉଦ୍ୟାନକୁ ସୁରକ୍ଷିତ ରଖିବା ଇତ୍ୟାଦି ସମ୍ପର୍କରେ ଅବଗତ କରାଇଲା ।[୧୦]

ଅପ୍ରେଲ୍‍ରୁ ଜୁନ୍ ମାସ ଭାରତୀୟ ପର୍ଯ୍ୟଟକ ଓ ନଭେମ୍ବରରୁ ଜାନୁଆରୀ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରକୃଷ୍ଟ ସମୟ ବୋଲି କିଛି ଲେଖକ ମତ ରଖିଛନ୍ତି ।[୧୯] ହାତୀପିଠିରେ ବସି ଶୁଷ୍କ ଋତୁ (ଅପ୍ରେଲ୍‍ରୁ ଜୁନ୍)ରେ ଜାତୀୟ ଉଦ୍ୟାନକୁ ଗଲେ ବାଘଙ୍କୁ ଦେଖିବାର ଅଧିକ ସମ୍ଭାବନା ରହିଥାଏ ବୋଲି ମଧ୍ୟ କୁହାଯାଏ ।[୬]

୧୯୯୧ ମସିହା ୧୫ ନଭେମ୍ବରରୁ ୧୫ ଜୁନ୍ ମଧ୍ୟରେ କର୍ବେଟ୍ ଜାତୀୟ ଉଦ୍ୟାନ ବୁଲିବାକୁ ୪୫୨୧୫ ପର୍ଯ୍ୟଟକ ଆସିଥିଲେ ଓ ୩୨୩୭ଟି ଗାଡ଼ିରେ ବସି ଜାତୀୟ ଉଦ୍ୟାନକୁ ଉପଭୋଗ କରିଥିଲେ ।[୪] ଏପରି ମାତ୍ରାଧିକ ପର୍ଯ୍ୟଟକଙ୍କ ଆଗମନ ପ୍ରାକୃତିକ ପରିବେଶ ପ୍ରତି ବିପଦ ସୃଷ୍ଟି କରିପାରେ ।[୪] ଅତ୍ୟଧିକ ପର୍ଯ୍ୟଟନ ଯୋଗୁଁ ମୃତ୍ତିକାର ଆର୍ଦ୍ରତା କମେ ଓ ଏହା ଫଳରେ ଉଦ୍ୟାନର ଉଦ୍ଭିଦ ପ୍ରଭାବିତ ହୁଅନ୍ତି ।[୪] ସେତେବେଳେ ପର୍ଯ୍ୟଟକମାନେ ଜାଳେଣୀ ପାଇଁ କାଠ ବ୍ୟବହାର କରିବା ବଢ଼ିଗଲା ।[୪] ଏହି ସବୁ କାଠ ଆଖପାଖର ଜଙ୍ଗଲରୁ କଟା ହୋଇ ଆସୁଥିଲା ଯାହା ସ୍ଥାନୀୟ ଜଙ୍ଗଲକୁ ନଷ୍ଟ କରୁଥିଲା ।[୪] ପର୍ଯ୍ୟଟକମାନେ ଆନନ୍ଦ ଉଲ୍ଲାସରେ ପାଟିତୁଣ୍ଡ କରି, ଏଣେତେଣେ ମଇଳା ଫୋପାଡ଼ି ଅଧିକ କ୍ଷତି ପହଞ୍ଚାଇଥାନ୍ତି ।[୨୦]

୨୦୦୭ ମସିହାରେ କାହିନି ଘୋଷ ମେହେତା ନାମକ ଜଣେ ଯୁବ ପ୍ରକୃତିପ୍ରେମୀ ଓ ଫଟୋଗ୍ରାଫର୍ କର୍ବେଟ୍ ଉଦ୍ୟାନରେ ଦାୟିତ୍ତ୍ୱବାନ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗାଇଡ୍ ପୁସ୍ତକ ଲେଖିଥିଲେ । ୱାଇଲ୍ଡ୍ ସାଗା ଅଫ୍ କର୍ବେଟ୍ ନାମକ ଏକ ଚଳଚ୍ଚିତ୍ର ପର୍ଯ୍ୟଟକମାନେ କିପରି ସଂରକ୍ଷଣ ଦିଗରେ ଯୋଗଦାନ କରିବେ ସେ ବିଷୟରେ ଆଲୋକପାତ କରିଛି ।

ଅନ୍ୟାନ୍ୟ ଆକର୍ଷଣ[ସମ୍ପାଦନା]

  • ଧିକାଲା ଏକ ବିଶ୍ରାମ ଶିବିର । ବହୁ ବର୍ଷ ପୂର୍ବେ ଏହାକୁ ଶିକାର ଶିବିର ରୂପେ ବ୍ୟବହାର କରାଯାଉଥିଲା । ଏଠାରେ ଶହେରୁ ଅଧିକ ବର୍ଷ ପୁରୁଣା ଏକ ବିଶ୍ରାମସ୍ଥଳ ରହିଛି । ଧିକାଲା ପତ୍‍ଲି ଦୁନ୍ ଉପତ୍ୟାକାରେ ଓ କାଣ୍ଡାର ଢାଲୁ ନିକଟରେ ଅବସ୍ଥିତ ।
  • ଜିପ୍ ସଫାରୀ ପର୍ଯ୍ୟଟକଙ୍କ ପାଇଁ ଏକ ସୁବିଧାଜନକ ମାଧ୍ୟମ ଓ ରାମନଗରରୁ ଜିପ୍ ଭଡ଼ାରେ ନେଇହେବ ।[୨୧]
  • ପଦଭ୍ରମଣ: ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନ ମଧ୍ୟରେ ପଦଭ୍ରମଣ କରିପାରିବେ ନାହିଁ । କିନ୍ତୁ ଗାଇଡ୍‍ଙ୍କ ଉପସ୍ଥିତିରେ ଉଦ୍ୟାନ ବାହାରର ଜଙ୍ଗଲରେ ପଦଭ୍ରମଣ କରିବାର ଅନୁମତି ରହିଛି ।
  • ପଦ ସଫାରୀ: ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀଙ୍କ ସହିତ ଉଦ୍ୟାନର ଅଣ-କୋର୍ ଅଞ୍ଚଳରେ ପଦ ସଫାରୀ କରିହେବ ।
  • କାଲାଗଡ଼ ବନ୍ଧ ଜାତୀୟ ଉଦ୍ୟାନର ଦକ୍ଷିଣ-ପଶ୍ଚିମ କୋଣରେ ଅବସ୍ଥିତ । ସ୍ଥାନୀୟ ଓ ପ୍ରବାସୀ ପକ୍ଷୀଙ୍କ ଦର୍ଶନ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ।
  • କର୍ବେଟ୍ ଜଳପ୍ରପାତ ୨୦ ମିଟର୍ ଉଚ୍ଚା ଓ ରାମନଗରରୁ ୨୫ କିଲୋମିଟର୍ ଦୂରରେ ଅବସ୍ଥିତ । କାଲାଦୁଂଗୀ ପଟରୁ ଏହାର ଦୂରତା କେବଳ ୪ କିଲୋମିଟର୍ । ଏହି ପ୍ରପାତ ଚାରିପଟୁ ଘଞ୍ଚ ଅରଣ୍ୟ ଘେରା ଓ ଏଠାରେ ଏକ ଅପୂର୍ବ ଶାନ୍ତ ପରିବେଶ ସୃଷ୍ଟି ହୋଇଥାଏ ।[୨୨]
  • ଗର୍ଜିୟା ଦେବୀ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ହେଲେ ଗର୍ଜିୟା ଦେବୀ । କାର୍ତ୍ତିକ ପୂର୍ଣ୍ଣିମା ବେଳେ ଏଠାକୁ ବହୁ ଭକ୍ତଙ୍କ ସମାଗମ ହୁଏ । ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ କୋଶୀ ନଦୀତୀରରେ ଓ ରାମନଗରଠାରୁ ୧୪ କି.ମି. ଦୂରରେ ଗର୍ଜିୟା ଗାଁ ନିକଟରେ ଏହି ମନ୍ଦିର ଅବସ୍ଥିତ ।[୨୩]


ଅବସ୍ଥିତି[ସମ୍ପାଦନା]

ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ରାମନଗରରେ କର୍ବେଟ୍ ଜାତୀୟ ଉଦ୍ୟାନ ଅବସ୍ଥିତ ।

କ୍ଷେତ୍ରଫଳ : ୫୨୧ କି.ମି.

ଗମନାଗମନ : ରାମନଗର ସହରରେ କର୍ବେଟ୍ ବାଘ ଅଭୟାରଣ୍ୟର ମୁଖ୍ୟ କାର୍ଯ୍ୟାଳୟ ରହିଛି । ଦିଲ୍ଲୀରୁ ରାମନଗର ଯାଏଁ ରେଳ ଚଳାଚଳ ବ୍ୟବସ୍ଥା ରହିଛି । ଏହି ରେଳ ସନ୍ଧ୍ୟାରେ ବାହାରି ପରଦିନ ସକାଳେ ରାମନଗରରେ ପହଞ୍ଚେ । କିଛି ରେଳଗାଡ଼ି ବାରଣାସୀ-ଲକ୍ଷ୍ନୌ-ରାମନଗର ଓ ଆଲାହାବାଦ୍-କାନପୁର-ରାମନଗର ପଥରେ ଚଳାଚଳ କରେ । ରାମନଗରରୁ ମୋଟର ଗାଡ଼ି ଯୋଗେ ଜାତୀୟ ଉଦ୍ୟାନ ଓ ଧିକଲା ପହଞ୍ଚିହେବ ।

କାନପୁର, ଲକ୍ଷ୍ନୌ, ବରେଲି, ନୈନିତାଲ, ରାଣୀକ୍ଷେତ୍, ହରିଦ୍ୱାର, ଦେରାଦୁନ୍, ନୂଆ ଦିଲ୍ଲୀ ଆଦି ସ୍ଥାନରୁ ରାମନଗର ପର୍ଯ୍ୟନ୍ତ ସଡ଼କପଥ ରହିଛି । ଦିଲ୍ଲୀରୁ ଗାଡ଼ି ଚଳାଇ ବାହାରିଲେ ଗଜରୌଲା, ମୋରାଦାବାଦ୍, କାଶୀପୁର ଦେଇ ୨୯୫ କି.ମି. ଅତିକ୍ରମ କରି ରାମନଗରରେ ପହଞ୍ଚି ହେବ । ନୂଆ ଦିଲ୍ଲୀରୁ ରାମନଗରକୁ ଏକ ରେଳଗାଡ଼ି ମଧ୍ୟ ରହିଛି । ନହେଲେ, ହଲ୍‍ଦୱାନି-କାଶୀପୁର-କାଠଗୋଦାମ ଦେଇ ରାମନଗର ପର୍ଯ୍ୟନ୍ତ ସଡ଼କପଥରେ ଯାଇହେବ ।

ଭ୍ରମଣ ପାଇଁ ସର୍ବଶ୍ରେଷ୍ଠ ସମୟ : ମଧ୍ୟ-ନଭେମ୍ବରରୁ ମଧ୍ୟ-ଜୁନ୍

ସମସ୍ୟା[ସମ୍ପାଦନା]

ଅତୀତ[ସମ୍ପାଦନା]

ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନର ଏକ ହାତୀପଲ

କାଲାଗଡ଼ ନଦୀ ଉପରେ ବନ୍ଧ ନିର୍ମାଣ ଏହି ଅଭୟାରଣ୍ୟର ଇତିହାସରେ ଏକ ବିଶେଷ ଘଟଣା । କାରଣ ଏହି ବନ୍ଧ ଫଳରେ ୮୦ ବର୍ଗ କି.ମି. ପରିମିତ ଜଙ୍ଗଲ ପାଣିରେ ବୁଡ଼ିଗଲା ।[୧୦] ଏହା ଫଳରେ ବାରାଶିଂଘା ଏହି ଅଞ୍ଚଳରୁ ଲୋପ ପାଇଗଲେ ଓ କୁଜି ହରିଣଙ୍କ ସଂଖ୍ୟା ଯଥେଷ୍ଟ କମିଗଲା ।[୧୦] ତେବେ ନଦୀବନ୍ଧଦ୍ୱାରା ସୃଷ୍ଟ ଜଳାଶୟ ଯୋଗୁଁ ଜଳଜୀବଙ୍କ ସଂଖ୍ୟା ବୃଦ୍ଧି ପାଇଛି ଓ ଶୀତଦିନରେ ଏହା ପ୍ରବାସୀ ପକ୍ଷୀଙ୍କୁ ମଧ୍ୟ ଆକର୍ଷିତ କରୁଛି ।[୧୦]

ଅଭୟାରଣ୍ୟର ଦକ୍ଷିଣ ସୀମାରେ ଓ ରାମନଗର-କାଶୀପୁର ରାଜପଥ କଡ଼ରେ ରହିଥିବା ଫିରୋଜପୁର ଓ ମାନପୁର ନାମକ ଦୁଇଟି ଗାଁ ୧୯୯୦ରୁ ୧୯୯୩ ମସିହା ମଧ୍ୟରେ ଖାଲି କରାଯାଇ ଏହାକୁ ବଫର୍ (ଅଣ-କୋର୍) ଅଞ୍ଚଳ ବୋଲି ବବେଚିତ କରାଗଲା ।[୨୪] ଏହି ଦୁଇ ଗାଁର ଲୋକେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟଙ୍କ ଉପରେ ନିର୍ଭରଶୀଳ ଥିଲେ ।[୨୪] ସମୟକ୍ରମେ ଏହି ଦୁଇ ଗାଁ ରହିଥିବା ସ୍ଥାନର ଜଙ୍ଗଲ ଓ ପରିବେଶ ସୁଧୁରିବାକୁ ଲାଗିଲା ।[୨୪] ଲଟାବୁଦା, ଘାସ ଓ ଛୋଟବଡ଼ ଗଛ ବଢ଼ି ସମୟ କ୍ରମେ ଏକ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହେବାରେ ଲାଗିଲା ।[୨୪] ପରିତ୍ୟକ୍ତ ଚାଷଜମିରେ ତୃଣଭୂମି ସୃଷ୍ଟି ହେଲା ଓ ତାକୁ ଲାଗି ରହିଥିବା ଜଙ୍ଗଲର ଅବସ୍ଥା ସୁଧୁରିଲା ।[୨୪] ୧୯୯୯-୨୦୦୨ ମସିହା ବେଳକୁ ବିଭିନ୍ନ ଗଛଲତା ବଢ଼ି ଉଠିଲେ ଓ ହାତୀ, ହରିଣ ପରି ତୃଣଭୋଜୀ ପ୍ରାଣୀମାନେ ଏହି କ୍ଷେତ୍ରକୁ ଆସି ବର୍ଷାଋତୁ ସାରା ଏଠାରେ ରହିବାକୁ ଲାଗିଲେ ।[୨୪]

୧୯୮୮-୧୯୮୯ ମସିହାରେ ଅବୈଧ ଶିକାରର ୧୦୯ଟି ଘଟଣା ଘଟିଥିବା ଲିପିବଦ୍ଧ କରାଯାଇଛି ।[୨୫] ୧୯୯୭-୧୯୯୮ବେଳକୁ ଅବୈଧ ଶିକାର ଘଟଣା ହ୍ରାସ ପାଇ ୧୨ ହୋଇଯାଇଥିଲା ।[୧୦]

୧୯୮୫ ମସିହାରେ ଡେଭିଡ୍ ହଣ୍ଟ୍ ନାମକ ଜଣେ ପକ୍ଷୀପ୍ରେମୀ ଓ ଗାଇଡ୍‍ଙ୍କୁ କର୍ବେଟ୍ ଜାତୀୟ ଉଦ୍ୟାନରେ ଏକ ବାଘ ମାରି ଦେଇଥିଲା ।[୨୬]

ବର୍ତ୍ତମାନ[ସମ୍ପାଦନା]

କର୍ବେଟ୍ ଜାତୀୟ ଉଦ୍ୟାନର ଏକ ଯୁବ ହାତୀ

ଲାଣ୍ଟାନା, ପାର୍ଥେନିୟମ୍ ପ୍ରଭୃତି ଉଦ୍ଭିଦ ମାଡ଼ିଚାଲନ୍ତି ଓ ସାରା ବଣରେ ବ୍ୟାପିଯାନ୍ତି । କର୍ବେଟ୍ ଜାତୀୟ ଉଦ୍ୟାନର କିଛି ଅଂଶରେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଛି ।[୧୦] ସ୍ଥାନୀୟ ଲୋକେ ମଧ୍ୟ ସମୟ ସମୟରେ ଜଙ୍ଗଲର କିଛି ଅଂଶ ସଫା କରି ସେଠାରେ ବସବାସ ବା କୃଷି କରନ୍ତି । କର୍ବେଟ୍ ଉଦ୍ୟାନରେ ଏପରି ୭୪ଟି ପରିବାର ବିଭିନ୍ନ ସ୍ଥାନରେ ୧୩.୬୨ ହେକ୍ଟର୍ ଜମିରେ ବସବାସ କରିବା ଦେଖାଯାଇଥିଲା ।[୧୦]

ଉଦ୍ୟାନ ଚାରିପଟେ ରହିଥିବା ଗାଁଗୁଡ଼ିକ ୩୦-୪୦ ବର୍ଷ ହେଲା ସ୍ଥାପିତ ହୋଇଛି ଓ ବର୍ତ୍ତମାନ ସମୟରେ ଆଉ କୌଣସି ନୂଆ ଗାଁ ଦେଖାଯାଇନାହିଁ ।[୨୭] ଜାତୀୟ ଉଦ୍ୟାନର ଆଖପାଖରେ ଦ୍ରୁତ ହାରରେ ବଢ଼ୁଥିବା ଜନସଂଖ୍ୟା ଓ ଜନବସତି ଘନତା ଉଦ୍ୟାନ ପାଇଁ ସମସ୍ୟା ସୃଷ୍ଟି କରିପାରେ ।[୨୭] ମହାବଳ ବାଘ ଓ କଲରାପତରିଆ ବାଘମାନେ ଗୃହପାଳିତ ପଶୁ ମାରିବା ଓ ଖାଇବା ସ୍ଥାନୀୟ ଲୋକଙ୍କୁ ଉତ୍‍କ୍ଷିପ୍ତ କରିଦେଇଥାଏ ଓ ସେମାନେ ଏହି ପଶୁଙ୍କୁ ପାନେ ଦେବା ଉଦ୍ଦେଶ୍ୟରେ ଜଗି ରହିଥାନ୍ତି ।[୧୦] ଉଦ୍ୟାନର ଦକ୍ଷିଣ ସୀମାରେ ଏକ ୧୨ କି.ମି. ଲମ୍ବା ପଥର ପାଚେରୀ ନିର୍ମାଣ କରାଯିବା ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ସୀମାରେ ଲୋକଙ୍କ ଚାଷଜମି ଉଦ୍ୟାନର ସୀମାକୁ ଲାଗି ରହିଛି ।[୧୦]

୨୦୦୮ ମସିହା ଅପ୍ରେଲ୍ ମାସରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (National Tiger Conservation Authority-NTCA) ଉଦ୍ୟାନରେ ଶିକାରୀ ପଶିଥିବା ଓ ଅବୈଧ ଶିକାର ହେଉଥିବାର ଚିନ୍ତା ପ୍ରକଟ କଲେ । ବିଭିନ୍ନ କ୍ଷେତ୍ର ନିରୀକ୍ଷଣ ପରେ ହେଉଥିବା ପ୍ରଣୟନ ହୋଇଥିବା କାର୍ଯ୍ୟବିଧି ଓ ଆଚରଣବିଧି ଅନୁସରଣ ହେଉନଥିବା ଜଣାପଡ଼ିଲା । ୨୦୦୬ ମସିହା ପରଠାରୁ ବାଘଙ୍କ ବିଷୟରେ ମାସିକ ରିପୋର୍ଟ୍ ଦିଆଯାଉନଥିବା ପଦାକୁ ଆସିଲା । ଏପରି ଭାବେ କାର୍ଯ୍ୟ ପରିଚାଳନା ହେଲେ ବାଘଙ୍କ ନିରୀକ୍ଷଣ ଓ ଅବୈଧ ଶିକାରୀଙ୍କ ପ୍ରତିରୋଧ ଅସମ୍ଭବ ବୋଲି NTCA ମତ ରଖିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶର ଅବମାନନା କରି ଉଦ୍ୟାନ ମଧ୍ୟରେ ଏକ ପକ୍କା ସଡ଼କ ନିର୍ମାଣ କରାଯାଇଛି । କାଲାଗଡ଼ ଓ ରାମନଗର ମଧ୍ୟରେ ଯାତାୟତ ପାଇଁ ଏହି ସଡ଼କ ବହୁଳ ଭାବେ ବ୍ୟବହୃତ ହୁଏ ଓ ଝିର୍ଣ୍ଣା, କୋତିରୌ, ଧାରା ପରି ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରର ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କରେ । କାଲାଗଡ଼ ଜଳସେଚନ କଲୋନୀରୁ ଜନବସତି ହଟାଇବା ପାଇଁ ୨୦୦୭ ମସିହାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶନାମା ବହୁ ବର୍ଷ ଯାଏଁ କାର୍ଯ୍ୟକାରୀ ହୋଇନଥିଲା ।[୨୮]

୨୦୧୪ ମସିହା ଜାନୁଆରୀ ୧୦ ତାରିଖ ସୁଦ୍ଧା କର୍ବେଟ୍ ଜାତୀୟ ଉଦ୍ୟାନର ବାଘଙ୍କ ଆକ୍ରମଣରେ ୯ ଜଣ ସ୍ଥାନୀୟ ବାସିନ୍ଦା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।[୨୯]

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

  1. Sinha, B. C., Thapliyal, M. and K. Moghe. "An Assessment of Tourism in Corbett National Park". Wildlife Institute of India. Archived from the original on 5 November 2007. Retrieved 2007-10-12.CS1 maint: Uses authors parameter (link)
  2. ୨.୦ ୨.୧ ୨.୨ Riley & Riley 2005: 208
  3. ୩.୦ ୩.୧ ୩.୨ ୩.୩ Tiwari & Joshi 1997: 210
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Tiwari & Joshi 1997: 309
  5. ୫.୦ ୫.୧ Pant 1976
  6. ୬.୦୦ ୬.୦୧ ୬.୦୨ ୬.୦୩ ୬.୦୪ ୬.୦୫ ୬.୦୬ ୬.୦୭ ୬.୦୮ ୬.୦୯ ୬.୧୦ ୬.୧୧ Riley & Riley 2005: 210
  7. Tiwariji & Joshiji 1997: 309–311
  8. ୮.୦ ୮.୧ ୮.୨ ୮.୩ ୮.୪ ୮.୫ UNEP 2003
  9. ୯.୦ ୯.୧ ୯.୨ Tiwari & Joshi 1997: 208
  10. ୧୦.୦୦ ୧୦.୦୧ ୧୦.୦୨ ୧୦.୦୩ ୧୦.୦୪ ୧୦.୦୫ ୧୦.୦୬ ୧୦.୦୭ ୧୦.୦୮ ୧୦.୦୯ ୧୦.୧୦ ୧୦.୧୧ ୧୦.୧୨ ୧୦.୧୩ ୧୦.୧୪ ୧୦.୧୫ ୧୦.୧୬ Corbett National Park (Project Tiger Directorate)
  11. ୧୧.୦ ୧୧.୧ Rangarajan 2006: 72
  12. Jim Corbett National Park – History
  13. ୧୩.୦ ୧୩.୧ Rangarajan 2006: 78
  14. Tiwari & Joshi 1997: 108
  15. ୧୫.୦ ୧୫.୧ Drayton 2004
  16. ୧୬.୦ ୧୬.୧ ୧୬.୨ ୧୬.୩ Tiwari & Joshi 1997: 286
  17. ୧୭.୦ ୧୭.୧ ୧୭.୨ Singh et al. 1995
  18. ୧୮.୦ ୧୮.୧ Riley & Riley 2005: 208–210
  19. Tiwari & Joshi 1997: 298
  20. Tiwari & Joshi 1997: 311
  21. "Jim Corbett National Park". Expert Bulletin. Retrieved 2017-09-10.
  22. chandan@nainitaltourism.com. "NAINITAL TOURISM 1000 Pages Since 1999 - Corbett Water Falls | Jim Corbett National Park | Corbett Water Falls Nainital India |". Nainitaltourism.com. Retrieved 2017-09-10.
  23. "Tourist Places to Visit Near Jim Corbett National Park". Corbett-national-park.com. Retrieved 2017-09-10.
  24. ୨୪.୦ ୨୪.୧ ୨୪.୨ ୨୪.୩ ୨୪.୪ ୨୪.୫ Rao 2004
  25. Tiwari & Joshi 1997: 269
  26. Flumm, D. S. "Obituary". In Rogers, M. J. (ed.) (1985) Isles of Scilly Bird Report 1984. Cornwall Bird Watching and Preservation Society.
  27. ୨୭.୦ ୨୭.୧ Tiwari & Joshi 1997: 263
  28. The Pioneer
  29. Share on Twitter (2014-02-10). "Another Corbett death, another tiger on the prowl? - Times of India". Timesofindia.indiatimes.com. Retrieved 2017-09-10.

ଆଧାର[ସମ୍ପାଦନା]

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]