ରଣଥମ୍ଭୌର ଦୁର୍ଗ

ଉଇକିପିଡ଼ିଆ ରୁ
Jump to navigation Jump to search
ରଣଥମ୍ଭୌର ଦୁର୍ଗ
ସୱାଇ ମାଧୋପୁର, ରାଜସ୍ଥାନ, ଭାରତ
Ranthambhore Fort.jpg
ରଣଥମ୍ଭୌର ଦୁର୍ଗ is located in India
ରଣଥମ୍ଭୌର ଦୁର୍ଗ
ରଣଥମ୍ଭୌର ଦୁର୍ଗ
Coordinates26°1′13″N 76°27′18″E / 26.02028°N 76.45500°E / 26.02028; 76.45500Coordinates: 26°1′13″N 76°27′18″E / 26.02028°N 76.45500°E / 26.02028; 76.45500
Typeଦୁର୍ଗ
Site information
Open to
the public
ହଁ (ସକାଳ ୬ଟାରୁ ସନ୍ଧ୍ୟ ୬ଟା ପର୍ଯ୍ୟନ୍ତ)

ରଣଥମ୍ଭୌର ଦୁର୍ଗ (ଈଂରାଜୀରେ Ranthambore Fort ଓ ହିନ୍ଦୀରେ रणथम्भोर दुर्ग) ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ ପରିସର ମଧ୍ୟରେ ଅବସ୍ଥିତ । ରାଜସ୍ଥାନ ରାଜ୍ୟର ସୱାଇ ମାଧୋପୁର ସହର ନିକଟରେ ଏହି ଦୁର୍ଗର ଅବସ୍ଥିତି । ବ୍ରିଟିଶ୍ ଶାସନରୁ ଭାରତ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଜୟପୁର ରାଜ୍ୟର ମହାରାଜାଙ୍କ ପାଇଁ ଏହାର ଆଖାପାଖି ଜଙ୍ଗଲ ରାଜକୀୟ ଶିକାର ଜଙ୍ଗଲ ରୂପେ ବ୍ୟବହୃତ ହେଉଥିଲା । ରାଜସ୍ଥାନର ଇତିହାସରେ ଏହି ଅଭେଦ୍ୟ ଦୁର୍ଗର ଅନେକ ଭୂମିକା ରହିଥିଲା । ୧୩ଶ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଦୁର୍ଗ ଚୌହାନ (ଚହମାନ) ବଂଶୀୟ ରାଜାମାନଙ୍କ ଅଧିକାରରେ ରହିଥିଲା ଓ ପରେ ଦିଲ୍ଲୀର ମୋଗଲ ଶାସକମାନେ ଏହାକୁ ଛଡ଼ାଇ ନେଇଥିଲେ ।

୨୦୧୩ ମସିହାରେ ଅନୁଷ୍ଠିତ ବିଶ୍ୱ ଐତିହ୍ୟ ସମିତିର ୩୭ତମ ସମ୍ମିଳନୀରେ ରଣଥମ୍ଭୌର ସମେତ ରାଜସ୍ଥାନର ୫ଟି ଭିନ୍ନ ଭିନ୍ନ ଦୁର୍ଗକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପ୍ରଦାନ କରିଥିଲେ । ଏହି ଐତିହ୍ୟ ସମୂହକୁ ରାଜସ୍ଥାନର ପାହାଡ଼ିଆ ଦୁର୍ଗ ଶ୍ରେଣୀଭୁକ୍ତ କରାଯାଇଥିଲା ।[୧]

ଇତିହାସ[ସମ୍ପାଦନା]

ଜଣେ ଚୌହାନ ବଂଶୀୟ ଶାସକଙ୍କଦ୍ୱାରା ରଣଥମ୍ଭୌର ଦୁର୍ଗ ନିର୍ମିତ ହୋଇଥିଲା । ତେବେ କେଉଁ ଶାସକଙ୍କଦ୍ୱାରା ଏହି ଦୁର୍ଗ ନିର୍ମିତ ହୋଇଥିଲା ତାହା ଏକ ବିବାଦୀୟ ବିଷୟ । ୯୪୪ ମସିହାରେ ସଫଳଦକ୍ଷ ନାମକ ଜଣେ ଶାସକଙ୍କ କାଳରେ ଏହି ଦୁର୍ଗ ନିର୍ମିତ ହୋଇଥିଲା ବୋଲି ବହୁ ଜନ ବିଶ୍ୱାସ କରନ୍ତି । ଅନ୍ୟ କେତେକ ମତାନୁସାରେ ୧୧୧୦ ମସିହାରେ ଜୟନ୍ତ ନାମକ ଜଣେ ଶାସକ ଏହି ଦୁର୍ଗର ନିର୍ମାଣ କରାଇଥିଲେ । ରାଜସ୍ଥାନ ସରକାରଙ୍କ “ଏମ୍ବର୍ ଡେଭେଲପମେଣ୍ଟ୍ ଏଣ୍ଡ୍ ମ୍ୟାନେଜମେଣ୍ଟ୍ ଅଥୋରିଟି” ମତ ରଖିଛି ଯେ ଦଶମ ଶତାବ୍ଦୀର ମଧ୍ୟ ଭାଗରେ ସଫଳଦକ୍ଷ ଦୁର୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇଥିଲେ ଓ ଏହି କାମ ଆଗକୁ ଆହୁରି କିଛି ଶତାବ୍ଦୀ ଧରି ଚାଲିଥିଲା ।[୨]

ଚୌହାନ ଶାସନକାଳରେ ରଣଥମ୍ଭୌର[ସମ୍ପାଦନା]

ଏହି ଦୁର୍ଗର ପ୍ରାଚୀନ ନାମ ଥିଲା ରଣସ୍ତମ୍ଭ ବା ରଣସ୍ତମ୍ଭପୁର । ଦ୍ୱାଦଶ ଶତାବ୍ଦୀରେ ଚୌହାନ ବଂଶୀୟ ଶାସକ ପୃଥ୍ୱୀରାଜ (ପ୍ରଥମ)ଙ୍କ ସମୟରେ ଏହି ଦୁର୍ଗ ଜୈନ ଧର୍ମ ପାଇଁ ପ୍ରଖ୍ୟାତ ଥିଲା । ଦ୍ୱାଦଶ ଶତାବ୍ଦୀ କାଳରେ ଏଠାରେ ବସବାସ କରୁଥିବା ସିଦ୍ଧସେନଶୂରୀ ରଣଥମ୍ଭୌରକୁ ଏକ ପ୍ରମୁଖ ଜୈନ ତୀର୍ଥସ୍ଥଳ ବୋଲି କହିଯାଇଛନ୍ତି । ମୋଗଲ ଶାସନ କାଳରେ ଦୁର୍ଗ ମଧ୍ୟରେ ମଲ୍ଲୀନାଥଙ୍କ ମନ୍ଦିର ନିର୍ମିତ ହୋଇଥିଲା ।[୩]

୧୧୯୨ ମସିହାରେ ପୃଥ୍ୱୀରାଜ (ତୃତୀୟ)ଙ୍କ (ଯିଏ ପୃଥ୍ୱୀରାଜ ଚୌହାନ ନାମରେ ମଧ୍ୟ ଜଣାଶୁଣା) ପରାଜୟ ପରେ ଏହି ଦୁର୍ଗ ମୋଗଲ ଶାସକ ମହମ୍ମଦ ଘୋରୀଙ୍କ ଅଧୀନକୁ ଆସିଥିଲା । ପୃଥ୍ୱୀରାଜଙ୍କ ପୁତ୍ର ଗୋବିନ୍ଦରାଜ (ଚତୁର୍ଥ) ଘୋରୀଙ୍କ ଆନୁଗତ୍ୟ ସ୍ୱୀକାର କରି ତାଙ୍କ ପ୍ରତିନିଧି ରୂପେ ରଣଥମ୍ଭୌର ଦୁର୍ଗର ଦେଖରେଖ କରୁଥିଲେ ।[୪] ତେବେ ତାଙ୍କ ଉତ୍ତରାଧିକାରୀମାନେ ସ୍ୱାଧୀନ ହେବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ ।

୧୫୬୯ – ସମ୍ରାଟ ଆକବର ରଣଥମ୍ଭୌର ଦୁର୍ଗକୁ ପ୍ରବେଶ କରୁଥିବା ସମୟ ଏକ ପ୍ରାଚୀନ ଚିତ୍ରରେ ପ୍ରଦର୍ଶିତ

୧୨୨୬ ମସିହାରେ ଦିଲ୍ଲୀର ସୁଲତାନ୍ ଇଲ୍‍ତୁତ୍‍ମିଶ୍ ରଣଥମ୍ଭୌର ଅଧିକାର କରିନେଲେ କିନ୍ତୁ ୧୨୩୬ ମସିହାରେ ତାଙ୍କ ମୃତ୍ୟୁ ପରେ ଚୌହାନମାନେ ରଣଥମ୍ଭୌର ଦୁର୍ଗକୁ ପୁନରାଧିକାର କରିନେଲେ । ୧୨୪୮ ଓ ୧୨୫୩ ମସିହାରେ ସୁଲତାନ୍ ନସିରୁଦ୍ଦିନ୍ ମାମୁଦ୍ ଓ ସେତେବେଳର ଭାବୀ ସୁଲତାନ୍ ବଲ୍‍ବନ୍ ନିଜର ସୈନ୍ୟବାହିନୀ ସହ ରଣଥମ୍ଭୌର ଅକ୍ତିଆର କରିବାର ଅସଫଳ ଚେଷ୍ଟା କରିଥିଲେ । ଶେଷରେ ୧୨୫୯ ମସିହାରେ ଜୟତ୍ରସିଂହ ଚୌହାନଙ୍କଠାରୁ ବଳପୂର୍ବକ ଅକ୍ତିଆର କରିଥିଲେ । ଜୟତ୍ରସିଂହଙ୍କ ଉତ୍ତରାଧିକାରୀ ଶକ୍ତିଦେବ ୧୨୮୩ ମସିହାରେ ରାଜା ହେବା ପରେ ରଣଥମ୍ଭୌର ପୁନରକ୍ତିଆର କଲେ ଓ ନିଜ ସାମ୍ରାଜ୍ୟକୁ ଆହୁରି ବଢ଼ାଇ ପାରିଥିଲେ । ୧୨୯୦-୯୧ ମସିହାରେ ସୁଲତାନ୍ ଜଲାଲୁଦ୍ଦିନ୍ ଫିରୋଜ୍ ଖିଲିଜି ଅଳ୍ପ ସମୟ ପାଇଁ ଏହି ଦୁର୍ଗକୁ ଅଧିକାର କରିନେଇଥିଲେ । ୧୨୯୯ ମସିହାରେ ସୁଲତାନ୍ ଅଲାଉଦ୍ଦିନ୍ ଖିଲିଜିଙ୍କ ଜଣେ ବିରୋଧୀ ସେନାପତି ମହମ୍ମଦ ଶାହ ରଣଥମ୍ଭୌରର ତତ୍କାଳୀନ ରାଜା ହମ୍ମିରଦେବଙ୍କ ଶରଣାଗତ ହୋଇଥିଲେ । ରାଜା ଅଲାଉଦ୍ଦିନଙ୍କୁ ନିଜ ଶରଣାଗତକୁ ହସ୍ତାନ୍ତର କରିବାକୁ ମନା କରିଦେବାରୁ ସୁଲତାନ୍ ଯୁଦ୍ଧ ଘୋଷଣା କଲେ ଓ ୧୩୦୧ ମସିହାରେ ରଣଥମ୍ଭୌର ଅକ୍ତିଆର କରିନେଲେ ।

ମେୱାର୍ ଶାସନକାଳରେ ରଣଥମ୍ଭୌର[ସମ୍ପାଦନା]

ପରବର୍ତ୍ତୀ ସମୟରେ ଏହି ଦୁର୍ଗ ମେୱାର୍ ରାଜ୍ୟର ବିଭିନ୍ନ ରାଜା ଯଥା - ରାଣା ହମିର୍ ସିଂହ (ରାଜୁତି କାଳ : ୧୩୨୬-୧୩୬୪) ଓ ରାଣା କୁମ୍ଭା (ରାଜୁତି କାଳ : ୧୪୩୩-୧୪୬୮) ଇତ୍ୟାଦିଙ୍କ ଅଧୀନରେ ରହିଥିଲା ।[୫][୬]

ହାଡ଼ା ଶାସନକାଳରେ ରଣଥମ୍ଭୌର[ସମ୍ପାଦନା]

ରାଣା ଉଦୟ ସିଂହ (ପ୍ରଥମ)ଙ୍କ (ରାଜୁତି କାଳ : ୧୪୬୮ରୁ ୧୪୭୩) ଶାସନ ସମୟରେ ରଣଥମ୍ଭୌର ଦୁର୍ଗ ବୁଣ୍ଡିର ରାଜପୁତ ଶାସକ ହାଡ଼ା ଚୌହାନଙ୍କ ଅଧିକାରକୁ ଯାଇଥିଲା । ଗୁଜରାଟର ସଲତାନ୍ ବାହାଦୁର ଶାହା ୧୫୩୨ରୁ ନେଇ ୧୫୩୫ ପର୍ଯ୍ୟନ୍ତ ଏହି ଦୁର୍ଗକୁ ନିଜ ଅଧୀନରେ ରଖିଥିଲେ । ୧୫୬୯ ମସିହାରେ ମୋଗଲ ସମ୍ରାଟ ଆକବର ରଣଥମ୍ଭୌର ଦୁର୍ଗକୁ ଅକ୍ତିଆର କରିଥିଲେ ।

ଜୟପୁର ରାଜ୍ୟ ଅଧୀନରେ ରଣଥମ୍ଭୌର[ସମ୍ପାଦନା]

ସପ୍ତଦଶ ଶତାବ୍ଦୀରେ ଏହି ଦୁର୍ଗଟି ଜୟପୁରର କଛୱାଃ ବଂଶର ମହାରାଜାମାନଙ୍କ ଅଧୀନକୁ ଯାଇଥିଲା ଏବଂ ବ୍ରିଟିଶ୍ ଶାସନରୁ ଭାରତକୁ ସ୍ୱାଧୀନତା ମିଳିବା ପର୍ଯ୍ୟନ୍ତ ସେମାନଙ୍କ ଅଧୀନରେ ରହିଥିଲା । ଦୁର୍ଗ ଆଖପାଖର ଜଙ୍ଗଲ ଜୟପୁର ମହାରାଜାମାନଙ୍କର ରାଜକୀୟ ଶିକାର ଜଙ୍ଗଲରେ ପରିଣତ ହୋଇଥିଲା । ୧୯୪୯ ମସିହାରେ ଜୟପୁର ରାଜ୍ୟ ସ୍ୱାଧୀନ ଭାରତରେ ମିଳିତ ହେବାର ଆଗ୍ରହ ପ୍ରକାଶ କଲା ଓ ୧୯୫୦ ମସିହାରୁ ରାଜସ୍ଥାନ ରାଜ୍ୟର ଅଂଶ ଭାବେ ରହିଲା ।

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ପାର୍ଶ୍ୱବର୍ତ୍ତୀ ମନ୍ଦିରସମୂହ[ସମ୍ପାଦନା]

ରଣଥମ୍ଭୌର ଦୁର୍ଗ ମଧ୍ୟରେ ଦ୍ୱାଦଶ-ତ୍ରୟୋଦଶ ଶତାବ୍ଦୀରେ ଲାଲ୍ କରୌଲି ପଥରରେ ନିର୍ମିତ ଏବଂ ଗଣେଶ, ଶିବ ଓ ରାମଲାଲ୍‍ଜୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ତିନୋଟି ହିନ୍ଦୁ ମନ୍ଦିର ରହିଛି । ଜୈନ ଭଗବାନ ସମ୍ଭବନାଥ ଓ ପଞ୍ଚମ ଜୈନ ତୀର୍ଥଙ୍କର ଭଗବାନ ସୁମତିନାଥଙ୍କୁ ସମର୍ପିତ ଦୁଇଟି ଜୈନ ମନ୍ଦିର ମଧ୍ୟ ଏହି ଦୁର୍ଗ ମଧ୍ୟରେ ରହିଛି ।

ନିକଟସ୍ଥ ପର୍ଯ୍ୟଟନ ସ୍ଥଳ ଓ ଅନ୍ୟ ସ୍ଥାନ[ସମ୍ପାଦନା]

ସରୋବର

୧. କଚିଡା ଉପତ୍ୟକା

୨. ସୁରୱଲ୍ ହ୍ରଦ

ବଣଭୋଜି ପାଇଁ ଉଦ୍ଦିଷ୍ଟ ସ୍ଥାନ

୩. ମାଲିକ ତାଲାଓ

ବନ୍ୟଜୀବ ଦର୍ଶନ ପାଇଁ ଉଦ୍ଦିଷ୍ଟ ସ୍ଥାନ

୪. ବକୁଳ

୫. ଲକର୍ଡା ଓ ଅନନ୍ତପୁର

୬. ରାଜବାଗ୍ ତାଲାଓ

୭. ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ

ଐତିହାସିକ ସ୍ଥଳ

୮. ଯୋଗୀ ମହଲ

୯. ପଦମ୍ ତାଲାଓ

୧୦. ରାଜ ବାଗ୍‍ର ଭଗ୍ନ ଅବଶେଷ

୧୧. ରଣଥମ୍ଭୌର ଦୁର୍ଗ

୧୨. ରଣଥମ୍ଭୌର କଳା ବିଦ୍ୟାଳୟ

୧୩. ଗଣେଶ ମନ୍ଦିର

୧୪. ଜୈନ ମନ୍ଦିର


ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "UNESCO World Heritage". Retrieved 27 Feb 2018.
  2. "Hill Forts of Rajasthan: Ranthambore". Amber Development & Management Authority. Retrieved 6 March 2016.
  3. Singh, Narendra (1 January 2001). Encyclopaedia of Jainism. 1. Anmol Publications / Indo-European Jain Research Foundation. p. 5538. ISBN 978-81-261-0691-2.
  4. Dasharatha Sharma (1959). Early Chauhān Dynasties. S. Chand / Motilal Banarsidass. p. 102. ISBN 9780842606189.
  5. IA, Vol. XLII, pp. 57-64
  6. Yasovarman of Kanau,p.123. Books.google.co.in. Retrieved 2012-09-25.

ବାହ୍ୟ ସଂଯୋଗ[ସମ୍ପାଦନା]