ପେଞ୍ଚ୍ ଜାତୀୟ ଉଦ୍ୟାନ

Coordinates: 21°40′17.76″N 79°18′11.88″E / 21.6716000°N 79.3033000°E / 21.6716000; 79.3033000
ଉଇକିପିଡ଼ିଆ‌ରୁ
ପେଞ୍ଚ୍ ଜାତୀୟ ଉଦ୍ୟାନ
ପେଞ୍ଚ୍ ବ୍ୟାଘ୍ର ଅଭୟାରଣ୍ୟ
IUCN Category II (National Park)
ପେଞ୍ଚ୍ ଜଙ୍ଗଲର ବାଘୁଣୀ “”କଲାର୍‍ୱାଲି”
Map showing the location of ପେଞ୍ଚ୍ ଜାତୀୟ ଉଦ୍ୟାନ.
Map showing the location of ପେଞ୍ଚ୍ ଜାତୀୟ ଉଦ୍ୟାନ.
ଭାରତ ମାନଚିତ୍ରରେ ପେଞ୍ଚ୍ ଜାତୀୟ ଉଦ୍ୟାନର ଅବସ୍ଥିତି
ଅବସ୍ଥାନମଧ୍ୟ ପ୍ରଦେଶମହାରାଷ୍ଟ୍ର ସୀମା
ପାଖ ସହରସିଓନି ଜିଲ୍ଲା ଓ ଛିନ୍ଦୱାଡ଼ା ଜିଲ୍ଲା
ଦିଗବାରେଣି21°40′17.76″N 79°18′11.88″E / 21.6716000°N 79.3033000°E / 21.6716000; 79.3033000
କ୍ଷେତ୍ରଫଳ୭୫୭.୮୫ ବର୍ଗ କିଲୋମିଟର୍
ସ୍ଥାପିତ୧୯୭୭
ପରିଚାଳନାଭାରତ ସରକାର, ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ, ବ୍ୟାଘ୍ର ପ୍ରକଳ୍ପ, ମଧ୍ୟ ପ୍ରଦେଶ ସରକାର

ପେଞ୍ଚ୍ ଜାତୀୟ ଉଦ୍ୟାନ ମହାରାଷ୍ଟ୍ରମଧ୍ୟପ୍ରଦେଶ ରାଜ୍ୟର ସୀମାରେ ଅବସ୍ଥିତ । ସାତପୁରା ବା ସାତପୁଡ଼ା ପାହାଡ଼ର ଦକ୍ଷିଣ ଭାଗରେ ଏହି ଜାତୀୟ ଉଦ୍ୟାନ ଗଢ଼ି ଉଠିଛି । ଜାତୀୟ ଉଦ୍ୟାନର ଉତ୍ତରରୁ ଦକ୍ଷିଣକୁ ପେଞ୍ଚ୍ ନଦୀ ପ୍ରବାହିତ ହେଉଛି ଯାହା ନାମରେ ଏହି ଉଦ୍ୟାନକୁ ନାମିତ କରାଯାଇଛି ।

ଇତିହାସ[ସମ୍ପାଦନା]

ଆକବରଙ୍କ ସମୟର ଆଇନ୍-ଇ-ଆକବରୀରେ ପେଞ୍ଚ୍ ଜଙ୍ଗଲର ଉଲ୍ଲେଖ ରହିଛି । ପୁଣି ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ୍ ଆଦି ଜଙ୍ଗଲ ରୁଡ୍ୟାର୍ଡ୍ କିପ୍ଲିଂଗ୍‍ଙ୍କ ଦ ଜଙ୍ଗଲ ବୁକ୍ ପୁସ୍ତକର କାହାଣୀର ପୃଷ୍ଠଭୂମି ବୋଲି କୁହାଯାଏ ।[୧] ତେବେ ବୋଧହୁଏ କିପ୍ଲିଂଗ୍ ଏହି ସବୁ ଜଙ୍ଗଲ ନିଜେ ବୁଲିନଥାଇ ପାରନ୍ତି ଓ ତାଙ୍କ ଲେଖା ସେ ବୁଲିଥିବା ଅଞ୍ଚଳର ହୋଇଥାଇପାରେ ।[୨]

ପେଞ୍ଚ୍ ଅଭୟାରଣ୍ୟର ଦୁଇଟି ଅଣ୍ଡିରା ଚିତଲ ହରିଣଙ୍କ ଯୁଦ୍ଧ

୧୬ଶ ଶତାବ୍ଦୀ ବେଳକୁ ଏହି ଜଙ୍ଗଲ ଦେବଗଡ଼ ବା ଦେଓଗଡ଼ ରାଜ୍ୟର ଅଂଶ ଥିଲା ଏବଂ ପ୍ରାକୃତିକ ସମ୍ପଦ ଓ ଜୀବଜନ୍ତୁରେ ପରିପୂର୍ଣ୍ଣ ଥିଲା (କୁମାର ୧୯୮୯) । ସପ୍ତଦଶ ଶତାବ୍ଦୀର ଶେଷବେଳକୁ ଅନେକ ବ୍ରିଟିଶ୍‍ ଲେଖକ ମଧ୍ୟ ଭାରତର କେନ୍ଦ୍ରୀୟ ଉଚ୍ଚଭୂମି ଓ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଉଦ୍ଭିଦ ଜଗତ ଓ ଜୀବଜନ୍ତୁଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ଫୋର୍ସାଇଥ୍, ଷ୍ଟର୍ଣ୍ଣଡେଲ୍ ଓ ବ୍ରାଣ୍ଡର୍ ସେମାନଙ୍କ ମଧ୍ୟରୁ ଉଲ୍ଲେଖଯୋଗ୍ୟ ।

୧୭ଶ ଶତାବ୍ଦୀରେ ଏଠାକାର ଗୋଣ୍ଡ ଶାସକମାନେ ଏଠାରେ ବସବାସ ଓ କୃଷିକାର୍ଯ୍ୟ କରୁଥିବା ଜଙ୍ଗଲୀ ଲୋକଙ୍କୁ ବିତାଡ଼ିତ କରିଥିଲେ । ସେମାନଙ୍କ ପରେ ଏହି ଅଞ୍ଚଳ ମରହଟ୍ଟା ଓ ତାଙ୍କ ପରେ ଈଂରେଜମାନଙ୍କ ଅଧୀନକୁ ଆସିଥିଲା । ୧୮୬୨ ମସିହା ପରେ ଏହି ଅଞ୍ଚଳର ସଂରକ୍ଷଣ ପ୍ରତି ଦୃଷ୍ଟି ଦିଆଯିବା ଆରମ୍ଭ ହେଲା (କୁମାର ୧୯୮୯) ।

୧୯୭୭ ମସିହାରେ ପେଞ୍ଚ୍ ଅଭୟାରଣ୍ୟର ସ୍ଥାପନା କରାଗଲା । ସେତେବେଳେ ଏହାର ସମୁଦାୟ କ୍ଷେତ୍ରଫଳ ୪୪୯.୩୯ ବର୍ଗ କି.ମି. ଥିଲା । ୧୯୮୩ ମସିହାରେ ଏହାକୁ ଜାତୀୟ ଉଦ୍ୟାନର ମାନ୍ୟତା ଦିଆଯାଇ “ଇନ୍ଦିରା ପ୍ରିୟଦର୍ଶିନୀ ଜାତୀୟ ଉଦ୍ୟାନ” ବୋଲି ନାମିତ କରାଗଲା । ୧୯୯୨ ମସିହାରେ ବ୍ୟାଘ୍ର ପରିଯୋଜନା ଅନୁସାରେ ଏହାକୁ ଭାରତର ୧୯ତମ ବ୍ୟାଘ୍ର ଅଭୟାରଣ୍ୟ ବୋଲି ଘୋଷିତ କରାଗଲା ।

ପାର୍ଶ୍ୱରେ ରହିଥିବା ବୋର୍ ବନ୍ୟଜୀବ ଅଭୟାରଣ୍ୟକୁ ପେଞ୍ଚ୍ ଜାତୀୟ ଉଦ୍ୟାନର ମହାରାଷ୍ଟ୍ର ଭାଗ ସହିତ ମିଶାଇ ଏହାର କ୍ଷେତ୍ର ବୃଦ୍ଧି କରାଯିବାର ଯୋଜନା ରହିଛି ।[୩]

ଭୌଗୋଳିକ ରୂପ[ସମ୍ପାଦନା]

ସାତପୁରା ପାହାଡ଼ର ଦକ୍ଷିଣ ପଟକୁ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଏଠାକାର ଭୂମି ଛୋଟ ଛୋଟ ପାହାଡ଼, ଉପତ୍ୟକା ଓ ଢାଲୁଆ ଭୂମିରେ ଗଠିତ । ଜାତୀୟ ଉଦ୍ୟାନର ସମଗ୍ର ଅଞ୍ଚଳ ଅନେକ ଛୋଟ ଛୋଟ ନଦୀନାଳ ଓ ପାହାଡ଼ିଆ ସ୍ରୋତମାନଙ୍କଦ୍ୱାରା ବିଖଣ୍ଡିତ । ପେଞ୍ଚ୍ ନଦୀ ନିକଟରେ ଭୂମି କ୍ରମଶଃ ସମତଳ ହୋଇଯାଇଛି । ବ୍ୟାଘ୍ର ଅଭୟାରଣ୍ୟର ଭୂମି ସାମାନ୍ୟ ଢାଲୁଆ (୦-୨୨°) । ଏହି ଅଭୟାରଣ୍ୟର ହାରାହାରି ଉଚ୍ଚତା ସମୁଦ୍ର ପତନରୁ ପ୍ରାୟ ୫୫୦ ମିଟର୍ । ଆଗ୍ନେୟ ଓ ବାସାଲ୍‍ଟ୍ ଶିଳାଦ୍ୱାରା ଏଠାକାର ପାହାଡ଼ିଆ ଭୂମିର ବିନ୍ୟାସ ହୋଇଛି ।

ଜଳବାୟୁ[ସମ୍ପାଦନା]

ଭାରତର କେନ୍ଦ୍ରୀୟ ଉଚ୍ଚଭୂମିର ଜଳବାୟୁ କ୍ରାନ୍ତୀୟ ମୌସୁମୀ ଜଳବାୟୁ । ଏଠାରେ ଜୁଲାଇରୁ ସେପ୍ଟେମ୍ବର ମାସ ଯାଏଁ ମୌସୁମୀ ବର୍ଷା, ନଭେମ୍ବରରୁ ଫେବୃଆରୀ ଶୀତ ଋତୁ ଏବଂ ଅପ୍ରେଲରୁ ଜୁନ୍ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ଅନୁଭୂତ ହୁଏ ।

ଏଠାରେ ବାର୍ଷିକ ହାରାହାରି ୧୪୦୦ ମି.ମି. ବୃଷ୍ଟିପାତ ହୋଇଥାଏ । ଭାରତର ଅଧିକାଂଶ ସ୍ଥାନ ପରି ଏଠାରେ ମଧ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ସମୟରେ ସର୍ବାଧିକ ବର୍ଷା ହୁଏ । ନଭେମ୍ବରରୁ ମଇ ମାସ ଶୁଷ୍କ ଋତୁ ଓ ଶୁଷ୍କ ସମୟରେ ୫୯.୫ ମି.ମି. ହାରାହାରି ବର୍ଷା ହୁଏ । ବର୍ଷ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଶୀତଦିନେ ୦° ସେଲ୍‍ସିୟସ୍ ଓ ସର୍ବାଧିକ ତାପମାତ୍ରା ଗ୍ରୀଷ୍ମଋତୁରେ ୪୫° ସେଲ୍‍ସିୟସ୍ ପର୍ଯ୍ୟନ୍ତ ହୋଇପାରେ ।

ଉଦ୍ଭିଦ[ସମ୍ପାଦନା]

ପେଞ୍ଚ୍ ଜାତୀୟ ଉଦ୍ୟାନର ଅରଣ୍ୟ କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଶ୍ରେଣୀର ।[୪] ତେବେ ଚାମ୍ପିୟନ୍ ଓ ସେଠଙ୍କ ୧୯୬୮ ମସିହାର ବର୍ଗୀକରଣ ଅନୁସାରେ ଏଠାରେ ଥିବା ଗଛ ଗୁଡ଼ିକ ଉଭୟ କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ ଓ କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ ଶ୍ରେଣୀର ।

ଏଠାକାର ଜଙ୍ଗଲରେ ଶାଗୁଆନ୍ ଗଛ ସର୍ବବ୍ୟାପ୍ତ । ଏହାଛଡ଼ା ସମତଳିଆ ଭୂମିରେ ମହୁଲି (Madhuca indica), କେନ୍ଦୁ (Diospyros melanoxylon), ଅସନ (Terminalia tomentosa), ଚାରୁ (Buchanania lanzan), ଭସ୍ମଗର୍ଭ (Ougeinia dalbergoides), ଇନ୍ଦ୍ରମୟୀ (Lannea coromandalica) ଇତ୍ୟାଦି ଗଛ ମଧ୍ୟ ଏଠାକାର ଜଙ୍ଗଲରେ ଦେଖାଯାନ୍ତି । ପାହାଡ଼ିଆ ଭୂମିରେ ଗୁଗ୍‌ଗୁଳ (Boswellia serrata), ଧାବଡ଼ା (Anogeissus latifolia), ଗୁଡ଼ାଳ (Sterculia urens), କୁର୍ଲୁ (Gardenia latifolia) ପରି ଗଛ ମଧ୍ୟ ଦେଖିବାକୁ ମିଳନ୍ତି । ନଦୀ କୂଳିଆ ଓ ଢାଲୁଆ ଅଞ୍ଚଳରେ ବାଉଁଶ ବଣ ମଧ୍ୟ ଦେଖିବାକୁ ମିଳେ । ଲମ୍ବା ଘାସ ଥିବା ଅଞ୍ଚଳରେ ସ୍ଥାନେ ସ୍ଥାନେ ପଳାଶ (Butea monosperma), ବରକୋଳି (Zizyphus mauritiana) ପରି ଗଛ ରହିଥାଏ । ପେଞ୍ଚ୍ ଜଙ୍ଗଲରେ ନଦୀକୂଳିଆ ସ୍ଥାନମାନଙ୍କରେ ଅର୍ଜୁନ (Terminalia arjuna), ଜାମୁକୋଳି (Syzygium cumini), ତେଲ୍ଲୁ (Ixora parviflora) ପରି ଚିରହରିତ୍ ଗଛ ମଧ୍ୟ ଦେଖାଯାନ୍ତି ।

ପୂର୍ବରୁ ଗ୍ରାମ ରହିଥିବା ସ୍ଥାନ, ଯେଉଁଠାରୁ ଗ୍ରାମଗୁଡ଼ିକୁ ଜାତୀୟ ଉଦ୍ୟାନର ବାହରକୁ ବିସ୍ଥାପିତ କରାଯାଇଛି, ସେଠାରେ ବର୍ତ୍ତମାନ ବିସ୍ତୀର୍ଣ୍ଣ ତୃଣଭୂମି ସୃଷ୍ଟି ହୋଇଛି । ଏହି ସବୁ ତୃଣଭୂମିର ରୂପ ଖରା ଓ ଶୀତ ଦିନ ଅନୁସାରେ ବଦଳୁଥାଏ ।

ଚିତ୍ର ଗ୍ୟାଲେରି[ସମ୍ପାଦନା]

ବନ୍ୟପ୍ରାଣୀ[ସମ୍ପାଦନା]

ପେଞ୍ଚ୍ ଜଙ୍ଗଲରେ ଦେଖାଯାଉଥିବା କିଛି ମାଂସଭୋଜୀ ପ୍ରାଣୀ ହେଲେ ମହାବଳ ବାଘ, କଲରାପତରିଆ ବାଘ, ବଳିଆ କୁକୁର, ବଣଭୁଆ, କଟାସ ଇତ୍ୟାଦି । କିଛି ସ୍ଥାନରେ ଗଧିଆ ପରି ଜୀବ ମଧ୍ୟ ଦେଖାଯାନ୍ତି । ହେଟା ବାଘ, ଭାଲୁ, ସୁବର୍ଣ୍ଣ ବିଲୁଆ, ଶାଳିଆପତିନି ପରି ମାଂସାସୀ ଜୀବ ମଧ୍ୟ ଏଠାକାର ଜଙ୍ଗଲରେ ଦେଖିବାକୁ ମିଳେ ।

ଚିତଲ୍ ହରିଣ, ସମ୍ବର ହରିଣ, ବନ୍ୟ ଗୟଳ, ନୀଳଗାଈ, ବାର୍‍ହା, କୁଟୁରା, ଚୌଶିଂଘା ହରିଣ ପରି ତୃଣଭୋଜୀ ଜୀବ ପେଞ୍ଚ୍ ଜଙ୍ଗଲରେ ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି । ଜଙ୍ଗଲ ମଧ୍ୟରେ ପାଣିର ମାତ୍ରା ଏହି ଜୀବଙ୍କ ଅବସ୍ଥିତି ନିର୍ଦ୍ଧାରଣ କରିଥାଏ । ଖରା ଦିନେ ବା ଶୁଷ୍କ ଋତୁରେ ବନ୍ୟ ଗୟଳମାନେ ପାହାଡ଼ିଆ ସ୍ଥାନରୁ ତଳକୁ ଓହ୍ଲାଇ ଆସି ଜଳସ୍ରୋତମାନଙ୍କ ପାଖରେ ରହନ୍ତି ଏବଂ ବର୍ଷା ଆରମ୍ଭ ହେଲେ ପୁଣି ପାହାଡ଼ିଆ ସ୍ଥାନକୁ ଚାଲିଯାନ୍ତି । ନୀଳଗାଈମାନେ ଖୋଲା ଅଞ୍ଚଳରେ, ବୁଦାଳିଆ ଓ ଅଣ-କୋର୍ ଅଞ୍ଚଳର ଜଙ୍ଗଲରେ ରହନ୍ତି । ଚୌଶିଂଘାମାନଙ୍କ ବ୍ୟାପ୍ତି ଅତ୍ୟନ୍ତ ସୀମିତ । ଆର୍ଦ୍ର ସ୍ଥାନମାନଙ୍କରେ କୁଟୁରାମାନେ ଚଳପ୍ରଚଳ ହୁଅନ୍ତି । ଖୋଲା ସ୍ଥାନମାନଙ୍କରେ ଚିଂକାରା ହରିଣ କାଁ ଭାଁ ପରିଲକ୍ଷିତ ହୁଅନ୍ତି ।

ପେଞ୍ଚ୍ ଜଙ୍ଗଲରେ ହନୁ ମାଙ୍କଡ଼ପାତି ମାଙ୍କଡ଼ ପରି ଆଦି ବାନର ପ୍ରଜାତି ବସବାସ କରନ୍ତି । ଝିଙ୍କ, ନେଉଳ, ଭାରତୀୟ ଠେକୁଆ ପରି ଜୀବ ମଧ୍ୟ ଏହି ଜାତୀ ଉଦ୍ୟାନରେ ସ୍ଥାନେ ସ୍ଥାନେ ଦେଖାଯାନ୍ତି ।

ପେଞ୍ଚ୍ ଉଦ୍ୟାନର ମହାବଳ ବାଘ[ସମ୍ପାଦନା]

  • ଲଂଗ୍‍ଡ଼ି (ଛୋଟି) – ଲଂଗ୍‍ଡ଼ି ପେଞ୍ଚ୍ ଜାତୀୟ ଉଦ୍ୟାନର ଏକ ଜଣାଶୁଣା ବାଘୁଣୀ ଥିଲା । ଏହି ବାଘୁଣୀ ଚାଲିବା ବେଳେ ମନେ ହେଉଥିଲା ଯେପରି ଏହାର କୌଣସି ଶାରୀରିକ ବିକୃତି ଅଛି ବା ସେ ଆହତ ଅଛି । କିନ୍ତୁ ପ୍ରକୃତରେ ଏହି ବାଘୁଣୀର ସେପରି କୌଣସି ବିକୃତି ନଥିଲା । ଲଂଗ୍‍ଡ଼ି ଏକ ବିରାଟ ଇଲାକାର ନିୟନ୍ତ୍ରଣ କରୁଥିଲା । ପର୍ଯ୍ୟଟକଙ୍କ ଗାଡ଼ି ନିକଟକୁ ଆସିବା ପାଇଁ ଲଂଗ୍‍ଡ଼ି ମନରେ କୌଣସି ସଙ୍କୋଚ ନଥିଲା । କିଛି ବର୍ଷ ପୂର୍ବେ ସେ ୨-୩ଟି ଶାବକ ଜନ୍ମ ଦେଇଥିଲା ।
  • ଶର୍ମିଳି (ଲାଜକୁଳା)- ଏହି ବାଘୁଣୀ ଅତ୍ୟନ୍ତ ଲାଜକୁଳା ପ୍ରକୃତିର ଥିଲା । ମନୁଷ୍ୟ ଆଖପାଖକୁ ସେ ସାଧାରଣତଃ ଆସୁନଥିଲା । ଜଙ୍ଗଲରେ ଏହି ବାଘୁଣୀକୁ ଠାବ କରିବା ମଧ୍ୟ ଅତି କଷ୍ଟକର ।
  • ବି ଏମ୍ ଡବ୍ଲୁ (BMW) – ଏହି ବାଘଟିର ଶରୀରରେ ମୋଟରଗାଡ଼ି ନିର୍ମାତା କମ୍ପାନୀ ବି. ଏମ୍. ଡବ୍ଲୁ.ର ଲୋଗୋ ପରି ଏକ ଚିହ୍ନ ରହିଥିବାରୁ ଏହି ବାଘର ଏପରି ନାମକରଣ କରାଯାଇଥିଲା ।
  • କଲାର୍‍ୱାଲି – ଏହି ବାଘୁଣୀ ବେକରେ ଏକ ରେଡ଼ିଓ କଲାର୍ ବା ପଟି ବନ୍ଧା ହୋଇଥିଲା । ପରେ ଏହି କଲାର୍‍ଟି ଭାଙ୍ଗି ଯାଇଥିଲା ଓ ଏବେ ଏହି ବାଘୁଣୀ ବକରେ କୌଣସି କଲାର୍ ପରିଲକ୍ଷିତ ହୁଏନାହିଁ । କିନ୍ତୁ ବାଘୁଣୀଟିର ନାମ ରହିଯାଇଛି । ପର୍ଯ୍ୟଟକଙ୍କ ସାମନାକୁ ଆସିବା ବା ତାଙ୍କ ଗାଡ଼ି ପାଖରେ ଚଲାବୁଲା କରିବା ପାଇଁ ଏହି ବାଘୁଣୀ କୌଣସି ଶଙ୍କା ପ୍ରଦର୍ଶନ କରେନାହିଁ ।

ପର୍ଯ୍ୟଟନ[ସମ୍ପାଦନା]

ପେଞ୍ଚ୍ ଜାତୀୟ ଉଦ୍ୟାନ ବୁଲି ଦେଖିବା ପାଇଁ ପ୍ରକୃଷ୍ଟ ସମୟ ହେଉଛି ନଭେମ୍ବରରୁ ମଇ ମାସ । ଜାତୀୟ ଉଦ୍ୟାନ ସକାଳ ୬ରୁ ୧୦:୩୦ ଓ ଅପରାହ୍ନ ୩ରୁ ୬ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହେ । ଜୁଲାଇ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହେ । ରେଳପଥ ଓ ସଡ଼କପଥଦ୍ୱାରା ପେଞ୍ଚ୍ ଜାତୀୟ ଉଦ୍ୟାନ ନିକଟରେ ପହଞ୍ଚି ହେବ । ନାଗପୁର ସହରର ଡଃ ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦର ହେଉଛି ଜାତୀୟ ଉଦ୍ୟାନର ନିକଟତମ ବିମାନବନ୍ଦର । ସିଓନି ଜାତୀୟ ଉଦ୍ୟାନର ନିକଟତମ ସହର ଏବଂ ସିଓନିରୁ ବସ୍ ମାଧ୍ୟମରେ ଜାତୀୟ ଉଦ୍ୟାନରେ ପହଞ୍ଚି ହେବ । ପେଞ୍ଚ୍ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଜିପ୍ ସଫାରୀ ପ୍ରତିଦିନ ଦୁଇଥର ବାହାରେ । ଏକଦା ପେଞ୍ଚ୍ ଉଦ୍ୟାନରେ ହାତୀ ପିଠିରେ ବସି ସଫାରୀ ଉପଭୋଗ କରାଯାଉଥିଲା କିନ୍ତୁ ବର୍ତ୍ତମାନ ତାହା ବନ୍ଦ କରିଦିଆ ଯାଇଛି ।

ମଧ୍ୟପ୍ରଦେଶର ଅନ୍ୟ ଦୁଇ ଜାତୀୟ ଉଦ୍ୟାନ ବାନ୍ଧବଗଡ଼ ଜାତୀୟ ଉଦ୍ୟାନକାହ୍ନା ଜାତୀୟ ଉଦ୍ୟାନ ସହ ତୁଳନା କଲେ ପେଞ୍ଚ୍ ସେତେଟା ଲୋକପ୍ରିୟ ନୁହେଁ କିନ୍ତୁ ତଥାପି ଏଠାକାର ଜଙ୍ଗଲ ଓ ଜୀବଜନ୍ତୁ ଦେଖିବା ପାଇଁ ଜନ ସମାଗମ ହୋଇଥାଏ । ଅନ୍ୟ ଜାତୀୟ ଉଦ୍ୟାନଙ୍କ ଭଳି କୋର୍ ଅଞ୍ଚଳର ୨୦% ଅଂଶ ପର୍ଯ୍ୟଟନ ପାଇଁ ଖୋଲାଯାଇଛି । ପ୍ରତିଦିନ କେତୋଟି ଗାଡ଼ି ସଫାରୀରେ ଜଙ୍ଗଲ ଭିତରକୁ ଯିବ ତାହା ବନ ବିଭାଗ ନିର୍ଦ୍ଧାରଣ କରିଥାଏ । ମଧ୍ୟପ୍ରଦେଶ ପଟରୁ ପେଞ୍ଚ୍ ଜାତୀୟ ଉଦ୍ୟାନ ଭିତରକୁ ପଶିବା ପାଇଁ ଦୁଇଟି ପ୍ରବେଶ ଦ୍ୱାର ରହିଛି । ଏଇ ଦୁଇଟି ମଧ୍ୟରୁ ମୁଖ୍ୟତଃ ତୁରିଆ ପ୍ରବେଶ ଦ୍ୱାର ବ୍ୟବହୃତ ହୋଇଥାଏ ।

ଆଧାର[ସମ୍ପାଦନା]

  1. "MPT - Madhya Pradesh Tourisum". www.mptourism.com. Retrieved 2016-06-11.
  2. "The Jungle Book with preface by W.W. Robson".
  3. Vijay Pinjarkar, TNN (12-11-2-11), "Bor to be 'satellite' core of Pench tiger reserve", Times of India, Nagpur: Bennett, Coleman & Co. Ltd, archived from the original on 2013-01-03, retrieved 12-3-2012 {{citation}}: Check date values in: |accessdate= and |date= (help)
  4. Wikramanayake, E. D., E. Dinerstein, J. G. Robinson, U. Karanth, A. Rabinowitz, D. Olson, T. Mathew, P. Hedao, M. Conner, G. Hemley, and D. Bolze. (1998), "An Ecology-Based Method for Defining Priorities for Large Mammal Conservation: The Tiger as Case Study" (PDF), Conservation Biology, vol. 12, pp. 865–878, doi:10.1046/j.1523-1739.1998.96428.x, retrieved 2012-03-13{{citation}}: CS1 maint: multiple names: authors list (link)[permanent dead link]

ଆହୁରି ଦେଖନ୍ତୁ[ସମ୍ପାଦନା]