Jump to content

ଚିନ୍ତାମଣି ଜେନା (ରାଜନୀତିଜ୍ଞ)

ଉଇକିପିଡ଼ିଆ‌ରୁ
ଚିନ୍ତାମଣି ଜେନା
ବିଧାୟକ: ୪ର୍ଥ, ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭  ୧୯୭୭
ପୂର୍ବ ଅଧିକାରୀମହେଶ୍ୱର ବାଗ
ପର ଅଧିକାରୀମହେଶ୍ୱର ବାଗ
ନିର୍ବାଚନ ମଣ୍ଡଳୀବସ୍ତା
ବିଧାୟକ: ୭ମ୮ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦  ୧୯୮୯
ପୂର୍ବ ଅଧିକାରୀସମରେନ୍ଦ୍ର କୁଣ୍ଡୁ
ପର ଅଧିକାରୀସମରେନ୍ଦ୍ର କୁଣ୍ଡୁ
ନିର୍ବାଚନ ମଣ୍ଡଳୀବସ୍ତା
ଉପ-ବାଚସ୍ପତି: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୯ ମାର୍ଚ୍ଚ ୧୯୭୪  ୩୦ ଅପ୍ରେଲ ୧୯୭୭
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୪ ମଇ ୨୦୦୮
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀବିନ୍ଦୁବାସିନୀ ଜେନା
ସନ୍ତାନ୨ ପୁଅ, ୨ ଝିଅ
ବାପା/ବୋଉଭଗବାନ ଚରଣ ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଚିନ୍ତାମଣି ଜେନା (୧୯୨୯ - ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଭାରତୀୟ ସଂସଦର ତଳ ସଦନ ଲୋକ ସଭା ଏବଂ ଓଡ଼ିଶା ବିଧାନ ସଭାରେ ସେ ଜଣେ ସାଂସଦ ଓ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୧, ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ଏବଂ ୧୯୮୦ ଓ ୧୯୮୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ଚିନ୍ତାମଣି ଜେନା ୧୯୨୯ ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଗବାନ ଚରଣ ଜେନା । ଚିନ୍ତାମଣିଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍‌ରୁ କମ୍ । ତାଙ୍କ ପତ୍ନୀଙ୍କ ନାମ ବିନ୍ଦୁବାସିନୀ ଜେନା । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କ ସମେତ ସମୁଦାୟ ସନ୍ତାନ ସଂଖ୍ୟା ୪ ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ

[ସମ୍ପାଦନା]

ଚିନ୍ତାମଣି ଛାତ୍ର ଜୀବନରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ଜଣେ ଗୁପ୍ତ କାର୍ଯ୍ୟକର୍ତ୍ତା ଭାବରେ ସକ୍ରିୟ ଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

ଚିନ୍ତାମଣି ୧୯୫୦ ମସିହାରେ ନାଏବ-ସରପଞ୍ଚ ଭାବରେ ପ୍ରଥମେ ମନୋନୀତ ହୋଇଥିଲେ । ପରେ ୧୯୬୨ ମସିହାରେ ବସ୍ତା ପଞ୍ଚାୟତ ସମିତିର ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୧୯୬୭ ମସିହାଯାଏଁ ସେ କାର୍ଯ୍ୟ କରିଥିଲେ । ସେ ଅଧକ୍ଷ ଥିବା ସମୟରେ ୧୯୬୪ ମସିହାରେ ବସ୍ତା ପଞ୍ଚାୟତ ସମିତିକୁ ଶ୍ରେଷ୍ଠ ପଞ୍ଚାୟତ ସମିତି ପୁରସ୍କାର ମିଳିଥିଲା ।

୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚିନ୍ତାମଣି ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ପୁଣିଥରେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସେ ଓଡ଼ିଶା ବିଧାନ ସଭାରେ ଜଣେ ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ୨୯ ମାର୍ଚ୍ଚ ୧୯୭୪ରୁ ସେ ୩୦ ଅପ୍ରେଲ ୧୯୭୭ ଯାଏଁ ସେ ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।

୧୯୮୦ ଭାରତୀୟ ସାଧାରଣ ନିର୍ବାଚନରେ ଚିନ୍ତାମଣି ଭାରତୀୟ ଜାତୀୟ କଂଗ୍ରେସ (ଇ)ର ପ୍ରାର୍ଥୀ ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ଲୋକ ସଭାରେ ସେ ୧୯୮୦ ମସିହାରୁ ୧୯୮୪ ମସିହାଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ୧୯୮୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁଣିଥରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୪ ମସିହାରୁ ୧୯୮୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

[ସମ୍ପାଦନା]

ଚିନ୍ତାମଣି ୨୦୦୮ ମସିହାର ମଇ ମାସ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।

  1. "Late Chintamani Jena". odishaassembly.nic.in. Odisha Assembly. Retrieved 17 June 2019.