କାମି

ଉଇକିପିଡ଼ିଆ ରୁ
Jump to navigation Jump to search
ଆମାତେରାଶୁ, ଶିଣ୍ଟୋବାଦରେ ଏକ ମୁଖ୍ଯ କାମି

କାମି (ଜାପାନୀ: , କାମି) ହେଉଛନ୍ତି ଜାପାନୀ ଶିଣ୍ଟୋବାଦରେ ଆରାଧିତ ପ୍ରାକୃତିକ ତଥା ଆଲୌକିକ ସତ୍ତା, ଈଶ୍ବର, ଦେବାଦେବୀ ଦେବତା, ଯକ୍ଷ, ବିଦ୍ଯାଧର ଇତ୍ଯାଦି । ଜାପାନୀ ଲୋକବିଶ୍ୱାସରେ ଯେ କୌଣସି ପ୍ରାକୃତିକ ଶକ୍ତି, ଭୂମିରୂପ ଯଥା - ପାହାଡ଼, ପର୍ବତ, ନଦୀ, ଝରଣା ତଥା ପୋଖରୀ ଆଦି, ପୂର୍ବଜଙ୍କ ଆତ୍ମା, ସ୍ଥାନୀୟ ଶାସକ, ରାଷ୍ଟ୍ରୀୟ ଶାସକ (ସମ୍ରାଟ ତଥା ଶୋଗୁଁ ଆଦି), ଅନ୍ୟ ଧର୍ମର ଦେବୀଦେବତା (ବୌଦ୍ଧ ଧର୍ମର ଦେବୀଦେବତା) ତଥା ଆଲୌକିକ ଶକ୍ତିଙ୍କୁ କାମି ଭାବରେ ପୂଜାର୍ଚ୍ଚନା କରାଯାଇଥାଏ । କେତେକ କାମିଙ୍କୁ ସମ୍ପୂର୍ଣ୍ଣ ଜାତିର ପୂର୍ବଜ ଭାବେ ଚିତ୍ରିତ କରାଯାଇଥାଏ । ଏହା ମଧ୍ଯ ବିଶ୍ବାସ କରାଯାଏ ଯେ ଯଦି ମୃତ୍ଯୁ ପୂର୍ବରୁ ଜଣେ ମହତ୍ବପୂର୍ଣ୍ଣ ବ୍ଯକ୍ତି ନିଜ ଜୀବନରେ କାମିଙ୍କ ସମାନ ଦିବ୍ଯ ଗୁଣ ଓ ସଂସ୍କାର ଧାରଣ କରିଥାଏ ତେବେ ମୃତ୍ଯୁ ପରେ ସେ ନିଜେ କାମିରୂପକୁ ପ୍ରାପ୍ତ ହୁଏ । କେତେକ ମହାନ ଶାସକ ଯଥା ଜାପନର ସମ୍ରାଟଗଣଙ୍କୁ ମରଣୋତ୍ତର କାମି ବୋଲି ଗ୍ରହଣ କରାଯାଏ ।[୧]

ଶିଣ୍ଟୋବାଦରେ କାମି ପ୍ରକୃତିଠାରୁ ଭିନ୍ନ ନୁହଁନ୍ତି, ଅପିତୁ ପ୍ରକୃତିର ଅଟନ୍ତି ଯାହାଙ୍କ ପାଖରେ ସକାରାତ୍ମକ ତଥା ନକାରାତ୍ମକ ଉଭୟ ଗୁଣ ବିଦ୍ଯମାନ । ସେମାନେ ମୁସୁବି (結び), ଅର୍ଥାତ୍ ଏହି ବିଶ୍ବକୁ ବାନ୍ଧି ରଖିଥିବା ଶକ୍ତିର ସ୍ୱରୂପ, ।[୨] କାମିମାନେ ଏକ ଭିନ୍ନ ବିଶ୍ୱରେ ନିବାସ କରନ୍ତି, ଯାହାକୁ ଶିଙ୍କାଇ (ଜାପାନୀ; 神界 - କାମିଙ୍କ ବିଶ୍ୱ) କୁହାଯାଏ । ପ୍ରକୃତି ସହ ତାଳ ମିଳାଇ ସମ୍ପୂର୍ଣ୍ଣ ସହଯୋଗରେ ଚାଲିବାକୁ କାମିଙ୍କ ପଥ (随神の道 କିମ୍ବା 惟神の道; କାନ୍ନାଗାରାନୋ ମିଚି) କୁହାଯାଏ ।

ନୈରୁକ୍ତଶାସ୍ତ୍ର[ସମ୍ପାଦନା]

ଆମାତେରାଶୁ, ଶିଣ୍ଟୋବାଦରେ ଏକ ମୁଖ୍ଯ କାମି

କାମି ହେଉଛି ଈଶ୍ବର, ଦେବତା, ଦିବ୍ଯତା ଆଦି ପାଇଁ ଜାପାନୀ ଶବ୍ଦ ।[୩] ଏହି ଶବ୍ଦଟିକୁ ମନ (心霊; ଶିନ୍ରେ), ଈଶ୍ବର (ゴッド; ଗୋଦ୍ଦୋ), ପରମାତ୍ମା (至上者;), ଶିଣ୍ଟୋଶାଳର କୌଣସି ଅଧିଷ୍ଠିତ ଦେବତା, ଏକ ସିଦ୍ଧାନ୍ତ ତଥା ଯେକୌଣସି ପୂଜନୀୟ ବସ୍ତୁ ବା ବ୍ଯକ୍ତି ପାଇଁ ବ୍ଯବହାର କରାଯାଇଥାଏ ।[୪]

ଜାପାନୀ କାମି, ଓଡ଼ିଆ ତଥା ସଂସ୍କୃତର ଦେବ ଏବଂ ହିବ୍ରୁର ଇଲୋହିମ ଆଦି ଶବ୍ଦ ସହ ତୁଳନୀୟ । ଇଂରାଜୀ ଅନୁବାଦ ଡେଇଟୀ (deity)କୁ ଶିଣ୍ଟୋଶାସ୍ତ୍ରୀମାନେ ଭୁଲ୍ ବୋଲି ବିବେଚନା କରିଛନ୍ତି ।

କେତେକ ନୈରୁକ୍ତୀୟ ପ୍ରସ୍ତାବନା ହେଲା -

  • କାମି ଏହାର ମୂଳ ରୂପରେ ଏକ ଆଲୌକିକ ଶକ୍ତିକୁ ସୂଚାଇପାରେ । ଏହାକୁ 神, କାଞ୍ଜିରେ ଲେଖାଯାଇଥାଏ; ଏହାର ଚୀନୀ-ଜାପାନୀ ଉଚ୍ଚାରଣ ଶିନ୍ କିମ୍ବା ଯିନ୍ ଏବଂ ଏହାର ଚୀନୀ ଅର୍ଥ ଦେବତା ।[୫]
  • ଆଇନୁ ଭାଷାରେ, କାମୁୟୀ ଶବ୍ଦ ଶିଣ୍ଟୋବାଦ ସମ ଏକ ଜୀବବାଦୀ ବିଶ୍ବାସକୁ ବୁଝାଇଥାଏ । ସାଧାରଣରେ ଏହା ବିଶ୍ବାସ କରାଯାଏ ଯେ କାମି ଏକ ଉଦ୍ଧାରିତ ଶବ୍ଦ ଯାହା ଆଇନୁମାନଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ପୂର୍ବ-ଜାପାନୀରୁ ଅଣାଯାଇଛି ।[୬]
  • କୋଯିକୀ-ଦେନରେ ମୋତୁରୀ ନୋରିନାଗା କାମ୍ରି ଏକ ସଜ୍ଞା ଦେଇଥିଲେ: "... ଯେଉଁ ବ୍ଯକ୍ତିର ସାଧାରଣ ଠାରୁ ଭିନ୍ନ ଅସାଧାରଣ ତଥା ଆଶ୍ଚର୍ଯ୍ୟଜନକ ଗୁଣାଦି ରହିଥାଏ, ସେ କାମି ପଦବାଚ୍ଯ ।"[୭]

ଯେହେତୁ ଜାପାନୀ ଭାଷାରେ ବିଶେଷ୍ୟପଦ ସଂଖ୍ଯାଦ୍ୱାରା ପରିବର୍ତ୍ତିତ ହୋଇନଥାଏ, କାମି ଏକବଚନ ବା ବହୁବଚନ ଉଭୟକୁ ବୁଝାଇପାରେ । ଅନେକ କାମିଙ୍କୁ କାମିଗାମି ବୋଲି ମଧ୍ଯ କୁହାଯାଇପାରେ ।[୮]

କାମି ଶବ୍ଦଟି ଲିଙ୍ଗ ଦୃଷ୍ଟିରୁ ମଧ୍ଯ ଅପରିବର୍ତ୍ତନୀୟ, ତେଣୁ ଏକ ନାରୀ ଦେବତାଙ୍କୁ ମଧ୍ଯ କାମି ବୋଲି କୁହାଯାଇ ପାରେ ।

ଇତିହାସ[ସମ୍ପାଦନା]

ଶିଣ୍ଟୋବାଦର କୌଣସି ସଂସ୍ଥାପକ, ଧାର୍ମିକ ମୂଳଗ୍ରନ୍ଥ କିମ୍ବା ବିଶ୍ବାସ ନାହିଁ, କିନ୍ତୁ ଏକ ଐତିହାସିକ ଦୃଷ୍ଟିକୋଣରୁ ଲିଖିତ କୋଯିକୀ ଏବଂ ନିହୋଁ ଶୋକୀରେ ଜାପାନୀ ସୃଷ୍ଟି କିମ୍ବଦନ୍ତୀ ବିଷୟରେ ଲିଖିତ । କୋଯିକୀରେ ଅନେକ କାମିଙ୍କ ବିଷୟରେ ବର୍ଣ୍ଣନା ରହିଛି ।

ପ୍ରାଚୀନ ପରମ୍ପରାରେ କାମିଙ୍କ ପାଞ୍ଚଟି ସଜ୍ଞାବାଚକ ଗୁଣ ରହିଛି:

  • କାମିଙ୍କର ଦୁଇଟି ମନ ଥାଏ । ସେମାନେ ସମ୍ମାନ ପାଇଲେ ପ୍ରେମ ଏବଂ ଦୟାରେ ଲାଳନପାଳନ କରନ୍ତି ଏବଂ ରାଗିଗଲେ ବିନାଶ ମଧ୍ଯ କରିପାରନ୍ତି । କାମିଙ୍କ ପ୍ରିୟଭାଜନ ହେବା ପାଇଁ ଏବଂ ତାଙ୍କର କ୍ରୋଧକୁ ଏଡାଇବା ପାଇଁ, ସବୁବେଳେ ତାଙ୍କୁ ପ୍ରାର୍ଥନା ଏବଂ ସେବା ଦ୍ବାରା ସନ୍ତୁଷ୍ଟ କରି ରଖିବା କଥା । ପାରମ୍ପରିକ ଭାବରେ କାମିଙ୍କର ଦୁଇଟି ଆତ୍ମା ଥାଏ, ଏକ ଶାନ୍ତ (ନିଗି-ମିତାମା) ଏବଂ ଏକ କ୍ରୋଧୀ (ଆରା-ମିତାମା) । ୟାମାକାଗେ-ଶିଣ୍ଟୋରେ ଅତିରିକ୍ତ ଭାବେ ଆଉ ଦୁଇଟି ଆତ୍ମା ଥାଏ, ଏକ ସୁଖୀ (ସାକି-ମିତାମା) ଏବଂ ଏକ ରହସ୍ଯମୟ (କୁଶୀ-ମିତାମା) ।
  • ମନୁଷ୍ଯ ସଂସାରରେ କାମି ଦୃଶ୍ଯମାନ ନୁହଁନ୍ତି । ସେମାନେ ପବିତ୍ର ସ୍ଥାନ, ବସ୍ତୁ, ପ୍ରାକୃତିକ ଶକ୍ତି ତଥା ଲୋକମାନଙ୍କ ମଧ୍ଯରେ ପ୍ରବେଶ କରି ଆଶୀର୍ବାଦ ଦେଇପାରନ୍ତି ।
  • କାମି ସାଧାରଣତଃ ଗତିଶୀଳ, କେବେହେଁ ଗୋଟିଏ ସ୍ଥାନରେ ରହନ୍ତି ନାହିଁ । ତାଙ୍କ ପାଇଁ ସମର୍ପିତ ବିଭିନ୍ନ ସ୍ଥାନରେ ସେ ବୁଲାବୁଲି କରୁଥାନ୍ତି ।
  • କୋଯିକୀ ଅନୁସାରେ ପ୍ରାୟ ୩୦୦ ରୂପର କାମି ଅଛନ୍ତି । ସେମାନେ ସମସ୍ତଙ୍କର ଭିନ୍ନ କାର୍ଯ୍ୟ ରହିଥାଏ; ଯଥା - ପବନର କାମି, ଜଳର କାମି, ରାସ୍ତାର କାମି, ଦ୍ୱାରବନ୍ଧର କାମି ଇତ୍ୟାଦି ।
  • ସମସ୍ତ କାମିଙ୍କର କର୍ତ୍ତବ୍ଯ ଭିନ୍ନ ଥାଏ । ଯେପରି ଲୋକମାନେ କାମିଙ୍କୁ ଖୁସି କରାଇବା ପାଇଁ ବିଭିନ୍ନ କାର୍ଯ୍ୟ କରିଥାନ୍ତି, କାମିଙ୍କୁ ମଧ୍ଯ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ପାଇଁ ପଡ଼ିଥାଏ ।

କାମି ଏକ ଚିର ପରିବର୍ତ୍ତନୀୟ ଚିନ୍ତାଧାରା କିନ୍ତୁ ଜାପାନୀ ଲୋକଙ୍କ ମନରେ ତାଙ୍କର ଅସ୍ତିତ୍ବ ସନାତନ ଓ ଅପରିବର୍ତ୍ତନୀୟ ଅଟେ । ପ୍ରାରମ୍ଭରେ କାମିଙ୍କୁ ପ୍ରାକୃତିକ ଶକ୍ତି ଭାବେ ବିବେଚନା କରାଯାଉଥିଲା ଯିଏ ପ୍ରାଥମିକ ଶିକାରୀ-ସଂଗ୍ରହାକମାନଙ୍କୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରୁଥିଲେ । ସେମାନଙ୍କୁ ପୃଥିବୀ (ପର୍ବତ) ଓ ସାଗରର ଦେବତା ରୂପେ ପୂଜା କରାଯାଉଥିଲା । ଜାପାନରେ ଧାନଚାଷ ଓ ଅମଳର ମହତ୍ତା ବୃଦ୍ଧି ପାଇବା ସହ କାମିଙ୍କ ସ୍ୱରୂପ ଅଧିକ ପୋଷକରୂପକୁ ପ୍ରାପ୍ତ ହେଲା ଯାହା ସିଧାସଳଖ ଚାଷ ସହ ସମ୍ବନ୍ଧ ରଖିଲା, ଯେପରି ବର୍ଷା କରାଇବା, ଅଧିକ ଅମଳ ହେବା ଇତ୍ୟାଦି ।[୯] ପ୍ରାଥମିକ ଜାପାନୀ ଲୋକ ଏବଂ କାମିଙ୍କ ମଧ୍ଯରେ ଉତ୍ପନ୍ନ ଏହି ସମ୍ବନ୍ଧ ପରେ ବିଭିନ୍ନ ରୀତିନୀତିର ରୂପ ନେଲା ଯାହାର ଉଦ୍ଦେଶ୍ଯ କାମିଙ୍କୁ ସନ୍ତୁଷ୍ଟ କରିବା ଏବଂ ଅଧିକ ଫସଲ କରାଇବା ପାଇଁ ଅନୁରୋଧ କରିବା । ଏହି ରୀତିନୀତି ସବୁ, ସେ ବେଳର ସମ୍ରାଟଙ୍କ ପାଇଁ କ୍ଷମତା ଓ ଶକ୍ତିର କାମ କଲା ।[୧୦]

ଜାପାନୀ ଶିଣ୍ଟୋବାଦରେ କିମ୍ବଦନ୍ତୀ-ଇତିହାସର ଏକ ସୁଦୃଢ଼ ପରମ୍ପରା ରହିଆସିଛି । ସେହିପରି ଏକ କିମ୍ବଦନ୍ତୀ ଆମାତେରାଶୁଙ୍କ ନାତି ବା ଜାପାନର ପ୍ରଥମ ସମ୍ରାଟଙ୍କ ଆବିର୍ଭାବ ବିଷୟରେ କହିଥାଏ । ଯେତେବେଳେ ଆମାତେରାଶୁ ନିଜ ନାତିଙ୍କୁ ଏହି ଧରାକୁ ପଠାଇଲେ, ସେତେବେଳେ ସେ ତାଙ୍କୁ ସ୍ୱର୍ଗର କ୍ଷେତରେ (ତାକାମାଗାହାରାରେ) ଉତ୍ପନ୍ନ ଧାନର ପାଞ୍ଚଟି ଦାନା ଦେଇଥିଲେ । ଜାପାନର ଅନୁର୍ବରତାକୁ ସମାପ୍ତ କରି ଉର୍ବରତାରେ ପରିଣତ କରିବାରେ ଏହି ଧାନ ତାଙ୍କର ସାହାଯ୍ୟ କଲା ।[୧୦]

ସାମାଜିକ ଓ ରାଜନୈତିକ ଅସ୍ଥିରତା ଯୋଗୁଁ ନୂଆନୂଆ କାମିଙ୍କ ଉଦ୍ଭବ ହେଲା; ଯେପରି ଗୋର୍ଯ୍ୟୋଶିଁ (ପବିତ୍ରଆତ୍ମା କାମି । ଗୋର୍ଯ୍ୟୋମାନେ ହେଉଛନ୍ତି ପ୍ରତିଶୋଧ ପୂର୍ଣ୍ଣ ଆତ୍ମା ଯାହାଙ୍କର ଅକାଳ ମୃତ୍ଯୁ ହୋଇଯାଇଛି କିନ୍ତୁ ଶିଣ୍ଟୋବାଦୀମାନଙ୍କର ଭକ୍ତି ଦ୍ବାରା ଶାନ୍ତ ହୋଇଛନ୍ତି । ଏବେ ଏହା ଧାରଣା ଅଛି ଯେ କାମିଙ୍କ ଅସମ୍ମାନ କରୁଥିବା ଲୋକମାନଙ୍କୁ ଏହି ଆତ୍ମାମାନେ ଦଣ୍ଡ ଦିଅନ୍ତି ।[୧୦]

କାମିଙ୍କ ପରି କାମିଙ୍କ ସୂଚୀ ମଧ୍ଯ ବଦଳୁଥାଏ । ଲୋକଙ୍କ ଆବଶ୍ୟକତା ବଦଳିବା ସହ କାମିଙ୍କ କାର୍ଯ୍ୟ ଓ ଭୂମିକା ମଧ୍ଯ ବଦଳିଥାଏ । ଉଦାହରଣ ସ୍ବରୂପ - ବସନ୍ତ ରୋଗର କାମିଙ୍କୁ ପରେ ସମସ୍ତ ସଂକ୍ରାମକ ରୋଗର କାମି ରୂପେ ସ୍ୱୀକାର କରାଗଲା ।[୧୦]

ପ୍ରାଚୀନ ଜୀବବାଦୀ ଧର୍ମରେ କାମିମାନଙ୍କୁ ପ୍ରକୃତିର ଦିବ୍ୟ ଶକ୍ତି ବୋଲି ଗ୍ରହଣ କରାଯାଇ ଥିଲା । ପ୍ରାଚୀନ ଜାପାନର ପୂଜକମାନେ ପ୍ରକୃତିର ଏପରି ଶକ୍ତିମାନଙ୍କର ପୂଜା କରୁଥିଲେ ଯାହାର ଏକ ନିର୍ଦ୍ଦିଷ୍ଟ ଆଲୌକିକ ଆଭା ଓ ସୁନ୍ଦରତା ରହିଥାଏ; ଯଥା - ଜଳପ୍ରପାତ, ପର୍ବତ, ବଡ଼ ଶିଳା, ପ୍ରାଣୀ, ଉଦ୍ଭିଦ, ଘାସ ତଥା ଧାନ ବିଡ଼ା ଇତ୍ୟାଦି ।

୯୨୬ ଖ୍ରୀଷ୍ଟାବ୍ଦରେ, ଏଙ୍ଗିଶିକି (延喜式; ବା ଏଙ୍ଗି କାଳର ସ୍ଥାପକ) ପଚାଶଟି ପୁସ୍ତକରେ ପ୍ରଖ୍ଯାପିତ କରାଗଲା । ଏଥିରେ ଶିଣ୍ଟୋବାଦର ରୀତିନୀତି ତଥା ନୋରିତୋଗୁଡ଼ିକୁ ପ୍ରଥମ କରି ଲେଖାଯାଇଥିଲା ଯାହା ପରବର୍ତ୍ତୀ ଶିଣ୍ଟୋବାଦର ରୀତିନୀତିକୁ ଗଭୀର ପ୍ରବାଭିତ କରିଥିଲା । ଏଥିରେ ସେ କାଳର ସମସ୍ତ ୨,୮୬୧ଟି ଶାଳର ସୂଚୀ ତଥା ୩,୧୩୧ ଜଣ କାମିଙ୍କର ସୂଚୀ ଆଦି ରହିଛି ।[୧୧] ତଦୋପରାନ୍ତ କାମିଙ୍କର ସଂଖ୍ଯା ବହୁତ ବଢି ଯାଇଛି । କେବଳ ଯାସୁକୁନି ଶାଳରେ ୨୪,୪୬,୦୦୦ ଜଣ କାମି ସ୍ଥାପିତ ଅଛନ୍ତି ।[୧୨]

ଶିଣ୍ଟୋ ବିଶ୍ବାସ[ସମ୍ପାଦନା]

ଶିଣ୍ଟୋ ବିଶ୍ବାସରେ କାମି ହେଉଛନ୍ତି କେନ୍ଦ୍ରବିନ୍ଦୁ । ଜାପାନର ପ୍ରାଚୀନ ଜୀବବାଦୀ ଆଧ୍ଯାତ୍ମିକତା ହିଁ ଆଧୁନିକ ଶିଣ୍ଟୋର ଆରମ୍ଭ । ଏହା ପରେ ଆନୁଷ୍ଠାନିକ ରୂପ ନେଇ ଏକ ପରମ୍ପରା ଓ ଧାର୍ମିକ ସଂଘରେ ପରିଣତ ହେଲା । ଫଳରେ କାମି ଶବ୍ଦର ଅତି ସାଧାରଣ ଭାବରେ ପ୍ରାକୃତିକ ତଥା ପାରମ୍ପରିକ ଦିବ୍ଯଶକ୍ତିଙ୍କ ପାଇଁ ବ୍ଯବହାର କରାଗଲା ।

କେତେକ ଗୁଣ ଯଥା - ବୃଦ୍ଧି, ଉର୍ବରତା, ଉତ୍ପାଦନ; ପ୍ରାକୃତିକ ଘଟଣା ଯଥା - ପବନ, ଘଡଘଡି; ପ୍ରାକୃତିକ ପଦାର୍ଥ ଯଥା - ସୂର୍ଯ୍ୟ, ପର୍ବତ, ନଦୀ, ବୃକ୍ଷ, ପ୍ରସ୍ତର, କେତେକ ପ୍ରାଣୀ ତଥା ପୂର୍ବଜଙ୍କ ଆତ୍ମା ଆଦିଙ୍କୁ କାମି ଆଖ୍ୟା ଦିଆଯାଇଥାଏ ।[୮]

ଅନ୍ଯାନ୍ଯ ଦିବ୍ଯଶକ୍ତି; ଯଥା - ଭୂମି, ଜୀବିକା ତଥା ଗୁଣର ରକ୍ଷକ ଶକ୍ତି, ଜାପାନୀ ମହାପୁରୁଷ, ମହାନଗୁଣଧାରୀ ବ୍ଯକ୍ତିମାନଙ୍କର ଆତ୍ମା, ଇତ୍ଯାଦିଙ୍କୁ ମଧ୍ଯ କାମି ବୋଲି ଗ୍ରହଣ କରାଯାଏ । ତା ଛଡ଼ା ସଭ୍ଯତା, ସଂସ୍କୃତି ତଥା ସାଧାରଣ ମାନବର ହିତ ପାଇଁ କିଛି କରିଥିବା ବ୍ଯକ୍ତିମାନଙ୍କୁ ମଧ୍ଯ ମରଣୋତ୍ତର କାମି ବୋଲି ଗ୍ରହଣ କରାଯାଏ । ଶକ୍ତିଶାଳୀ ଆତ୍ମାମାନଙ୍କୁ ତ କାମି ବୋଲି ଗ୍ରହଣ କରାଯାଏ, ତା ସହ ଦୁର୍ବଳ ଓ ଦୟାର ପାତ୍ର ଆତ୍ମାଗୁଡ଼ିକୁ ମଧ୍ଯ କାମି ବୋଲି ଗ୍ରହଣ କରାଯାଏ ।

କାମିର ଧାରଣ ସମୟ ସହ ବଦଳି ଆସିଛି । ତଥାପି ପ୍ରାଚୀନ କାମିଙ୍କୁ ଏବେ ମଧ୍ଯ କାମି ବୋଲି ଗ୍ରହଣ କରାଯାଏ । ଆଧୁନିକ ଶିଣ୍ଟୋରେ ମଧ୍ଯ ଏଯାଏଁ କାମିର କୌଣସି ଏକ ନିର୍ଦ୍ଦିଷ୍ଟ ସଜ୍ଞା ନାହିଁ ।

ଆଧୁନିକ ଶିଣ୍ଟୋପୂଜକମାନେ କାମିଙ୍କୁ ମାନବୀୟ ଶରୀର ସଦୃଶ ମନେକରନ୍ତି । ଉଦାହରଣ ସ୍ବରୂପ - ଶିଣ୍ଟୋ ଦେବଗଣଙ୍କ ମଧ୍ଯରେ ଥିବା ସୂର୍ଯ୍ୟ ଦେବୀ ଆମାତେରାଶୁ । ଆବ୍ରାହମୀୟ ଧର୍ମଗୁଡ଼ିକ ବିପରୀତ ଶିଣ୍ଟୋର କୌଣସି କାମି ସର୍ବଶକ୍ତିମାନ ବା ସର୍ବଜ୍ଞ ନୁହଁନ୍ତି ଏବଂ ଗ୍ରୀକୀୟ ଦେବତା ତଥା ଭାରତୀୟ ଦେବତାମାନଙ୍କ ପରି ଭୁଲ୍ ଓ ଅନୁଚିତ କାର୍ଯ୍ୟ କରିପାରନ୍ତି । ଉଦାହରଣ ସ୍ବରୂପ - ଆମାତେରାଶୁ ମାନବ ସଂସାରର ସମସ୍ତ ଘଟଣା ଅବଶ୍ଯ ଦେଖିପାରନ୍ତି କିନ୍ତୁ ଭବିଷ୍ଯତକୁ ଦେଖିବା ପାଇଁ ତାଙ୍କୁ ଏକ ବିଶେଷ ଅନୁଷ୍ଠାନ କରିବା ପାଇଁ ପଡେ ।

ବିଶେଷ କାମି[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Tamura, Yoshiro (2000). Japanese Buddhism: A Cultural History (1st ed.). Tokyo: Kosei Publishing. ISBN 4333016843.
  2. Boyd, James W.; Williams, Ron G. (1 January 2005). "Japanese Shintō: An Interpretation of a Priestly Perspective". Philosophy East and West. 55 (1): 33–63. doi:10.1353/pew.2004.0039. JSTOR 4487935.
  3. "Kanji details – Denshi Jisho". 2013-07-03. Archived from the original on 2013-07-03. Retrieved 2017-05-02.
  4. Holtom, D. C. (January 1940). "The Meaning of Kami. Chapter I. Japanese Derivations". Monumenta Nipponica. 3 (1): 1–27. doi:10.2307/2382402. JSTOR 2382402.
  5. "神 - Yahoo奇摩字典 搜尋結果". Yahoo Dictionary. 2013-01-01. Retrieved 2017-01-01.
  6. Nonno, Tresi (2015). "On Ainu etymology of key concepts of Shintō: tamashii and kami" (PDF). Cultural Anthropology and Ethnosemiotics. 1 (1): 24–35. Retrieved June 5, 2016.
  7. Gall, Robert S. (January 1999). "Kami and Daimon: A Cross-Cultural Reflection on What Is Divine". Philosophy East and West. 49 (1): 63–74. doi:10.2307/1400117. JSTOR 1400117.
  8. ୮.୦ ୮.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Yamakage ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  9. ଆଧାର ଭୁଲ: ଅଚଳ <ref> ଚିହ୍ନ; Jones ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  10. ୧୦.୦ ୧୦.୧ ୧୦.୨ ୧୦.୩ Ohnuki-Tierney, Emiko (July 1991). "The Emperor of Japan as Deity (Kami)". Ethnology. 30 (3): 199–215. doi:10.2307/3773631. JSTOR 3773631. S2CID 102344236.
  11. Picken, Stuart D.B. (2011). Historical Dictionary of Shinto (2nd ed.). Lanham: Rowman & Littlefield Publishing Group. p. 92. ISBN 978-0-8108-7372-8.
  12. "Deities". Yasukuni Shrine (in ଇଂରାଜୀ). Retrieved 2016-06-29.