ଆସାମୀୟ ମାଙ୍କଡ଼

ଉଇକିପିଡ଼ିଆ ରୁ
Jump to navigation Jump to search
ଆସାମୀୟ ମାଙ୍କଡ଼ [୧]
Macaca assamensis mâle.jpg
Conservation status
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Mammalia
ଗଣ: Primates
କୁଳ: Cercopithecidae
ପ୍ରଜାତି: Macaca
ଜାତି: M. assamensis
ବାଇନୋମିଆଲ ନାମ
ମକାକା ଆସାମେଂସିସ୍ (Macaca Assamensis)
ଡଃ ଜନ୍ ମେକ୍ଲେଲାଣ୍ଡ୍, ୧୮୪୦
Assam Macaque area.png
ଆସାମୀୟ ମାଙ୍କଡ଼ମାନଙ୍କ ବ୍ୟାପ୍ତି

ଆସାମୀୟ ମାଙ୍କଡ଼ (ଈଂରାଜୀରେ Assam macaque)ର ଜୀବବିଜ୍ଞାନ ନାମ ହେଉଛି ମକାକା ଆସାମେଂସିସ୍ (Macaca assamensis)। ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏହା ଆଦି ବାନରମାନଙ୍କ ଏକ ଉପ-ପ୍ରଜାତି । ଅବୈଧ ଶିକାର, ଅଧିବାସ କ୍ଷୟ ଓ ବିଚ୍ଛିନ୍ନ ହୋଇଯାଉଥିବାରୁ ଏହି ମାଙ୍କଡ଼ମାନଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି ଓ ୨୦୦୮ ମସିହାରୁ IUCN ଏହି ବାନର ଉପ-ପ୍ରଜାତିକୁ “Near Threatened“ ଶ୍ରେଣୀଭୁକ୍ତ କରିଛି । [୨]

ଗଠନ ଓ ପ୍ରକୃତି[ସମ୍ପାଦନା]

ଆସାମୀୟ ମାଙ୍କଡ଼ର ଲୋମ ହଳଦିଆ-ଧୁସରିଆ ରଙ୍ଗରୁ ଆରମ୍ଭ କରି ଗାଢ଼ ମାଟିଆ ରଙ୍ଗ ଭଳି ବିଭିନ୍ନ ପ୍ରକାରର ହୋଇପାରେ । ଏମାନଙ୍କ ମୁହଁର ରଙ୍ଗ ଗାଢ଼ ମାଟିଆ ବା ବାଇଗଣୀ ରଙ୍ଗର ହୋଇଥାଏ । ଏହି ମାଙ୍କଡ଼ର ଗାଲରୁ କାନ ପଟକୁ ଘଞ୍ଚ ଲୋମ ରହିଥାଏ । ମୁଣ୍ଡଟି ମଝିରେ ଏକ ଉତ୍ତଳ ଗର୍ତ୍ତଦ୍ୱାରା ବିଭାଜିତ । କାନ୍ଧ, ମୁଣ୍ଡ ଓ ବାହୁର ପଶ୍ଚାତ୍ ଭାଗ ଈଷତ୍ ପାଉଁଶିଆ ରଙ୍ଗର । ଏମାନଙ୍କ ଲାଞ୍ଜଟି ଛୋଟ ଏ ଘଞ୍ଚ ଲୋମାବୃତ୍ତ । ମୁଣ୍ଡରୁ ଶରୀରର ଦୈର୍ଘ୍ୟ ୫୧-୭୩.୫ ସେ.ମି. (୨୦.୧-୨୮.୯ ଇଞ୍ଚ୍) ଓ ଲାଞ୍ଜ ପ୍ରାୟ ୧୫-୩୦ ସେ.ମି. (୫.୯-୧୧.୮ ଇଞ୍ଚ୍) ଲମ୍ବା ହୋଇଥାଏ । ବୟସ୍କ ମାଙ୍କଡ଼ମାନଙ୍କ ଶରୀରର ଓଜନ ୫-୧୦ କି.ଗ୍ରା. (୧୧-୨୨ ପାଉଣ୍ଡ୍) ପର୍ଯ୍ୟନ୍ତ ହୋଇଥାଏ । [୩]

ଅଧିବାସ ଓ ଭୌଗୋଳିକ ବିତରଣ[ସମ୍ପାଦନା]

ସାଂଘାଇ ଚିଡ଼ିଆଖାନାରେ ଥିବା ଏକ ଆସାମୀୟ ମାଙ୍କଡ଼

ଆସାମୀୟ ମାଙ୍କଡ଼ର ତିନୋଟି ଉପପ୍ରଜାତି ରହିଛି । ନେପାଳରେ ଏକ କ୍ଷୁଦ୍ର ପରିମିତ ଅଞ୍ଚଳରେ ଏହି ମାଙ୍କଡ଼ର ଏକ ଉପ-ପ୍ରଜାତି ଓ ତାହାର ପୂର୍ବ ତଥା ଦକ୍ଷିଣ-ପୂର୍ବ ପଟକୁ ଆଉ ଦୁଇଟି ଉପ-ପ୍ରଜାତି ଦେଖାଯାନ୍ତି । ଉତ୍ତର-ପୂର୍ବ ଭାରତରେ ଦେଖାଯାଉଥିବା ଏହି ମାଙ୍କଡ଼ ଅନ୍ୟ ଦୁଇ ପ୍ରଜାତିଙ୍କଠାରୁ ବିଚ୍ଛିନ୍ନ । ବ୍ରହ୍ମପୁତ୍ର ନଦୀଦ୍ୱାରା ଅନ୍ୟ ଦୁଇ ଉପ-ପ୍ରଜାତିଙ୍କ ଇଲାକା ବିଭାଜିତ ହୋଇଛି । [୪]

ଆସାମ ଓ ନେପାଳରେ ୧୯୭୬, ୧୯୭୮ ଓ ୧୯୮୪ ମସିହାରେ କରାଯାଇଥିବା ବିଭିନ୍ନ ସର୍ବେକ୍ଷଣରୁ ଜଣା ପଡ଼ିଛି ଯେ ପୂର୍ବେ ଆସାମୀୟ ମାଙ୍କଡ଼ମାନେ କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଅରଣ୍ୟର ନଦୀକୂଳିଆ ଅଞ୍ଚଳରେ ଓ ସମୁଦ୍ର ପତନଠାରୁ ପ୍ରାୟ ୨୦୦-୧୮୦୦ ମି. (୬୬୦-୫୯୧୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ବସବାସ କରୁଥିଲେ । କିନ୍ତୁ କାଳୀଗଣ୍ଡକୀ ନଦୀର ପଶ୍ଚିମ ପଟେ ଏମାନେ ବସବାସ କରୁନଥିବା ଜଣା ପଡ଼ିଥିଲା । [୫] ଭାରତରେ ଏମାନେ ସମୁଦ୍ର ପତନରୁ ୪୦୦୦ ମିଟର୍ (୧୩୦୦୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଅରଣ୍ୟରେ, ଅଳ୍ପ ଚିରହରିତ୍ ଜଙ୍ଗଲରେ, ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟରେ ତଥା ପାର୍ବତୀୟ ଅରଣ୍ୟମାନଙ୍କରେ ଦେଖାଯାନ୍ତି । [୬] ପାହାଡ଼ିଆ ସ୍ଥାନମାନଙ୍କରେ ଏମାନେ ୧୦୦୦ ମିଟର (୩୩୦୦ ଫୁଟ୍)ରୁ ଉପର ଅଞ୍ଚଳରେ ବସବାସ କରିଥାନ୍ତି । ଅଧିକ ବୃଷ୍ଟିପାତ ହେଉଥିବା ସ୍ଥାନରେ ଏମାନେ ନିମ୍ନ ଉଚ୍ଚତାରେ ମଧ୍ୟ ବସବାସ କରନ୍ତି ଓ ଅଧିକ ଉଚ୍ଚ ସ୍ଥାନକୁ ଯିବା କ୍ୱଚିତ୍ ଦେଖାଯାଏ । ଲାଓସ୍ ଓ ଭିଏତ୍‍ନାମରେ ଏହି ମାଙ୍କଡ଼ମାନେ ଅଧିକ ଉଚ୍ଚତାରେ (ପ୍ରାୟ ୫୦୦ ମିଟର୍ ବା ୧୬୦୦ ଫୁଟ୍‍ରୁ ଅଧିକ) ଦେଖାଯାଉଥିବା ବେଳେ ଚୁନ ପଥୁରିଆ ବା ଅନ୍ୟାନ୍ୟ ପଥୁରିଆ ପାହାଡ଼ରେ କମ୍ ଉଚ୍ଚତା ଅଞ୍ଚଳରେ ବସବାସ କରିଥାନ୍ତି । [୨]

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ନିଜ ଶାବକ ସହିତ ଏକ ମାଈ ଆସାମୀୟ ମାଙ୍କଡ଼

ଆସାମୀୟ ମାଙ୍କଡ଼ମାନେ ଦିବାଚର, ବୃକ୍ଷବାସୀ ଓ ବିଭିନ୍ନ ଦଳ ନିଜ ନିଜର ନିଜ ଖାଦ୍ୟ ଅନ୍ୱେଷଣ କ୍ଷେତ୍ର ନିରୂପଣ କରି ସେହି ଇଲାକାରେ ବସବାସ କରନ୍ତି । ଏମାନେ ପତ୍ର, ଫଳ, ଛୋଟ ଅମେରୁଦଣ୍ଡୀ ଜୀବ, ଶସ୍ୟ ଏପରି ପ୍ରାୟ ସବୁ କିଛି ଖାଦ୍ୟ ଖାଇଥାନ୍ତି । [୨]

୨୦୦୨ ମସିହାରେ ଅରୁଣାଚଳ ପ୍ରଦେଶର ନାମ୍‍ଦାଫା ଜାତୀୟ ଉଦ୍ୟାନରେ ବସବାସ କରୁଥିବା ଭିନ୍ନ ଭିନ୍ନ ୧୫ଟି ଦଳରେ ପ୍ରାୟ ୨୦୯ଟି ମାଙ୍କଡ଼ ରହିଥିଲେ । ଏକ ବର୍ଗ କି.ମି. ପରିମିତ ଅଞ୍ଚଳରେ ଏମାନଙ୍କ ଘନତା ପ୍ରାୟ ୧.୧୧ ଥିଲା ଓ ଏକ ଦଳରେ ହାରାହାରି ୧୩.୯୩ ଜଣ ସଦସ୍ୟ ଥିଲେ । [୭]

ନେପାଳର ଲାଂତାଂ ଜାତୀୟ ଉଦ୍ୟାନରେ ୨୦୦୭ ମସିହାରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ୧୧୩ ବର୍ଗ କି.ମି. ପରିମିତ ଅଞ୍ଚଳରେ ଭିନ୍ନ ଭିନ୍ନ ୯ଟି ଦଳରେ ୨୧୩ଟି ଆସାମୀୟ ମାଙ୍କଡ଼ ରହିଥିଲେ । ଦଳର ସଦସ୍ୟ ସଂଖ୍ୟା ୧୩ରୁ ନେଇ ୩୫ ପର୍ଯ୍ୟନ୍ତ ରହିଥିଲା ଓ ଦଳର ହାରାହାରି ସଂଖ୍ୟା ୨୩.୬୬ ନିରୂପିତ ହୋଇଥିଲା । ଦଳମାନଙ୍କରେ ୩୧% ବୟସ୍କା ମାଈ, ୧୬% ବୟସ୍କ ଅଣ୍ଡିରା ଓ ଅବଶିଷ୍ଟ ଭିନ୍ନ ବୟସର ଶିଶୁ ମାଙ୍କଡ଼ ରହିଥିଲେ । ଏମାନେ ମକା, ବିଲାତି ବାଇଗଣ କନ୍ଦ, ଗହମ, କୁତୁ ଶସ୍ୟ, ବାଜରା ଇତ୍ୟାଦି ଖେତରେ ପଶି ଖାଇଯାଉଥିଲେ । [୮]

ଏହି ପ୍ରଜାତି ପ୍ରତି ବିପଦ[ସମ୍ପାଦନା]

ଏକ ଅଣ୍ଡିରା ଆସାମୀୟ ମାଙ୍କଡ଼

କାଠ ପାଇଁ ଜଙ୍ଗଲ ଉଚ୍ଛେଦ, ବିଭିନ୍ନ ମାନବୀୟ କାର୍ଯ୍ୟକଳାପ, ଅନୁପ୍ରବେଶ, ଅବୈଧ ଶିକାର ଇତ୍ୟାଦି ଏହି ମାଙ୍କଡ଼ମାନଙ୍କ ସଂଖ୍ୟା ହ୍ରାସ ପାଇବାର ମୁଖ୍ୟ କାରଣ । ଖେଳ, ଔଷଧ, ମାଂସ ତଥା ପୋଷା ମନାଇବା ପାଇଁ ଏମାନଙ୍କୁ ଜନ୍ତା ପକାଇ ଧରାଯାଏ ଓ ତଦ୍ଦ୍ୱାରା ମଧ୍ୟ ଅନେକ ମାଙ୍କଡ଼ ମୃତ୍ୟୁବରଣ କରନ୍ତି । କେତେକ ଅଞ୍ଚଳରେ ଦୁଇ ଭିନ୍ନ ପ୍ରଜାତିର ମାଙ୍କଡ଼ମାନଙ୍କ ମଧ୍ୟରେ ସଙ୍କର ପ୍ରଜନନ ଯୋଗୁଁ ମଧ୍ୟ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁନାହିଁ । [୯]

ସଂରକ୍ଷଣ[ସମ୍ପାଦନା]

ଆସାମୀୟ ମାଙ୍କଡ଼ CITESର ଦ୍ୱିତୀୟ ଅନୁଚ୍ଛେଦରେ ସ୍ଥାନ ପାଇଛି । ଏମାନେ ବସବାସ କରୁଥିବା ସମସ୍ତ ଦେଶରେ ଏମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରାଯାଇଛି । ଭାରତୀୟ ବନ୍ୟଜୀବ ନୀତିର ଦ୍ୱିତୀୟ ଅନୁସୂଚୀର ପ୍ରଥମ ଭାଗରେ ସ୍ଥାନ ପାଇଥିବା ଆସାମୀୟ ମାଙ୍କଡ଼ ଭାରତରେ ମଧ୍ୟ ଏକ ସଂରକ୍ଷିତ ଜୀବ । [୭]

ଆଧାର[ସମ୍ପାଦନା]

  1. Groves, C. P. (2005). Wilson, D. E.; Reeder, D. M (eds.). Mammal Species of the World (3rd ed.). Baltimore: Johns Hopkins University Press. p. 161. OCLC 62265494. ISBN 0-801-88221-4.
  2. ୨.୦ ୨.୧ ୨.୨ ୨.୩ "Macaca assamensis". IUCN Red List of Threatened Species. Version 2012.2. International Union for Conservation of Nature. 2008.
  3. Françis, C. M. (2008) A field guide to the mammals of South-East Asia. New Holland Publishers. ISBN 1-84537-735-4
  4. Groves, C. P. (2001) Primate taxonomy. Smithsonian Institution Press, Washington, DC, USA.
  5. Wada, K. (2005) The distribution pattern of rhesus and Assamese monkeys in Nepal. Primates (2005) 46:115–119.
  6. Srivastava, A. and Mohnot, S. M. (2001) Distribution, conservation status and priorities for primates in Northeast India Archived July 21, 2011, at the Wayback Machine.. ENVIS Bulletin: Wildlife and Protected Areas 1(1): 102–108.
  7. ୭.୦ ୭.୧ Chetry, D., Medhi, R., Biswas, J., Das, D. and Bhattacharjee, P. C. (2003). Nonhuman primates in the Namdapha National Park, Arunachal Pradesh, India. International Journal of Primatology 24(2): 383–388.
  8. Regmi, G. R., Kandel, K. (2008). Population Status, Threats and Conservation Measures of Assamese macaque (Macaca assamensis) in Langtang National Park, Nepal. A final report submitted to Primate Society of Great Britain, UK.
  9. Molur, S., Brandon-Jones, D., Dittus, W., Eudey, A., Kumar, A., Singh, M., Feeroz, M. M., Chalise, M., Priya, P. and Walker, S. (2003). Status of South Asian Primates: Conservation Assessment and Management Plan Report. Workshop Report, 2003. Zoo Outreach Organization/CBSG-South Asia, Coimbatore, India.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ହନୁ ମାଙ୍କଡ଼

ବୋନ୍ନେଟ୍ ମାଙ୍କଡ଼

ନାଲିମୁହାଁ ପାତି ମାଙ୍କଡ଼