ଅସୀମ ବସୁ

ଉଇକିପିଡ଼ିଆ ରୁ
Jump to navigation Jump to search
ଅସୀମ ବସୁ
Asim Basu.jpg
ଜନ୍ମ ଓ ଜନ୍ମସ୍ଥାନ ୩୦ ନଭେମ୍ବର ୧୯୩୫(1935-11-30)
କଖଡ଼ା, ଭୋଗରାଇ, ବାଲେଶ୍ୱର
ମୃତ୍ୟୁ ୧ ଫେବୃଆରୀ ୨୦୧୭ (୮୧ ବର୍ଷ)
ଭୁବନେଶ୍ୱର
ମୃତ୍ୟୁର କାରଣ ଶ୍ଵାସ ରୋଗ (ଆକ୍ୟୁଟ ରେସ୍ପିରେଟୋରି ଡ଼ିଜର୍ଡର)
ଜାତୀୟତା  ଭାରତୀୟ
ଶିକ୍ଷାନୁଷ୍ଠାନ ଫକୀର ମୋହନ ମହାବିଦ୍ୟାଳୟ
ପ୍ରସିଦ୍ଧି କଳା ନିର୍ଦ୍ଦେଶକ, ଅଭିନେତା, ସାହିତ୍ୟିକ
ଜୀବନସାଥି ଗୀତା ବସୁ
ସନ୍ତାନ ଗୌତମ, ଅତସୀ ଓ ଭାସ୍ଵତୀ
ବାପା ବୋଉ ମୋତିଲାଲ ବସୁ, ବିଜନବାଳା ବସୁ
ଦସ୍ତଖତ
Sign of Asim Basu (Odia).svg
ଅସୀମ ବସୁଙ୍କ ସଙ୍ଗେ ଏଇ ସାକ୍ଷାତକାର ।

ଅସୀମ ବସୁ (୩୦ ନଭେମ୍ବର ୧୯୩୫ - ୧ ଫେବୃଆରୀ ୨୦୧୭) ଜଣେ ଓଡ଼ିଆ ଚିତ୍ରକର, ଅଭିନେତା, ନିର୍ଦ୍ଦେଶକ, ସାହିତ୍ୟିକ ଏବଂ କଳା ନିର୍ଦ୍ଦେଶକ ଥିଲେ ।[୧][୨] ୫୦ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଅସୀମ ଓଡ଼ିଶାର କଳା ସାହିତ୍ୟ କ୍ଷେତ୍ରରେ ସକ୍ରିୟଥିଲେ ।[୩] ସେ ୨୦୦୦ରୁ ଅଧିକ ନାଟକରେ ମଞ୍ଚ ସଜେଇଥିଲେ ଓ ୫୦ରୁ ଅଧିକ ନାଟକରେ ଅଭିନୟ ବା ନିର୍ଦ୍ଦେଶନା କରିଥିଲେ । ସେ ବହୁବାର ଦିଲ୍ଲୀ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ତିଆରି କରିଥିଲେ ।[୪]ଚିତ୍ରକଳାକୁ ନିଜ ପେଶା ଓ ମଞ୍ଚକୁ ନିଜ ନିଶା ବୋଲି କହୁଥିବା ଅସୀମ ଓଡ଼ିଶା ନାଟ୍ୟସଂଘର ସଭାପତି ପଦବୀ ମଧ୍ୟ ଅଳଙ୍କୃତ କରିଥିଲେ ।[୫] ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଚୟନ କମିଟିରେ ରହି ରାଜ୍ୟର ଅନେକ ପ୍ରତିଭାକୁ ଚୟନ କରିଥିଲେ । ନାଟ୍ୟ ରଚନା ଓ ମଞ୍ଚସଜାରେ ସେ ସିଦ୍ଧହସ୍ତ ଥିଲେ । ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ।

ଜୀବନୀ[ସମ୍ପାଦନା]

ଅସୀମ, ୧୯୩୫ ମସିହାରେ ବାଲେଶ୍ଵର ଜିଲ୍ଲାର ଭୋଗରାଇ ଥାନା ଅନ୍ତର୍ଗତ କଖଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ମୋତିଲାଲ ବସୁ ଓ ସେ ଜଣେ ଭେଟେନାରୀ ଡାକ୍ତର ଥିଲେ । ମାତାଙ୍କ ନାମ ଥିଲା ବିଜନବାଳା । ପରିବାରେ କଳା ସାହିତ୍ୟର ଆଦର ଥିଲା । ତାଙ୍କର କକାମାନେ କଳାକାର ଥିଲେ । ମାଟ୍ରିକ ପାସ କରିବା ପରେ ଅସୀମ ଫକୀର ମୋହନ ମହାବିଦ୍ୟାଳୟରେ ପାଠ ପଢୁଥିଲେ । ପାଠରେ ମନ ନଲାଗିବାରୁ, ପରିବାରର ଅନିଚ୍ଛାସତ୍ତ୍ଵେ ଚିତ୍ର ଆଙ୍କିବା ଶିଖିବା ପାଇଁ ସେ କଲିକତା ପଳେଇ ଯାଇଥିଲେ । କଲିକତାରେ ନିଜ ଖର୍ଚ୍ଚ ନିଜେ ଉଠେଇବା ପାଇଁ, ଅସୀମ ପୁରୁଣା ବହି ବିକ୍ରି କରିବାଠୁ ଆରମ୍ଭ କରି ଲଣ୍ଡ୍ରି ଦୋକାନରେ କାମ କରିଥିଲେ । ଖର୍ଚ୍ଚ ବଞ୍ଚେଇବା ପାଇଁ କୁଲିମାନେ ଯେଉଁ ଛତୁଟେଳା ଖାଆନ୍ତି, ତାକୁ ସେ କିଣିକରି ଖାଉଥିଲେ । ସେଠାରେ ଧରଣୀଧର ନାୟକ ନାମକ ବ୍ୟକ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା ଓ ତାଙ୍କରି ପାଖରେ ସେ ରହିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ବୃତ୍ତି ମିଳିବାରୁ, ସେ ୧୯୫୯ମସିହାରେ କଲିକତା ଆର୍ଟ ସ୍କୁଲରେ ଉତ୍ତୀର୍ଣ୍ଣ ହୋଇପାରିଲେ ।[୬] ପାଠ ପଢୁଥିବା ସମୟରେ, ସେ ଉତ୍ପଳ ଦତ୍ତଙ୍କ ପି.ଏଲ.ଟି ଥିଏଟରରେ ସହଯୋଗୀ କଳା ନିର୍ଦ୍ଦେଶକ ଭାବରେ ଯୋଗଦେଇ କାମ ଶିଖିଥିଲେ ।

ପାଠ ପଢା ସାରି, ଅସୀମ ଓଡ଼ିଶା ଫେରି ସରକାରୀ ଚାକିରି କରିଥିଲେ । ଚାକିରିରେ ଶାନ୍ତି ନମିଳିବାରୁ ତାକୁ ଛାଡ଼ିଥିଲେ । ପୁଣି କେବେ ଚାକିରି କରିବେ ନାହିଁ ମନସ୍ତ କରି ସବୁ ସାର୍ଟିଫିକେଟ ଚିରି ପକେଇଥିଲେ । ଇତିମଧ୍ୟରେ ତାଙ୍କୁ ଜଣେ ପ୍ରଚ୍ଛଦଶିଳ୍ପୀର ପରିଚିତି ମିଳିସାରିଥିଲା । ଧିରେ ଧିରେ ପ୍ରଚ୍ଛଦକଳାରୁ ମଞ୍ଚ ସଜ୍ୟା, କଳା ନିର୍ଦ୍ଦେଶନା ଓ ମଞ୍ଚ ଅଭିନୟକୁ ପ୍ରବେଶ କରିଥିଲେ । ରୂପାନ୍ତର ନାଟକ ଥିଲା ତାଙ୍କ ଅଭିନିତ ପ୍ରଥମ ଓଡ଼ିଆ ନାଟକ । ବିଭୂତି ପଟ୍ଟନାୟକଙ୍କ ତପସ୍ଵିନୀ ନାଟକରେ ସେ ପ୍ରଥମେ ମଞ୍ଚ ସଜେଇଥିଲେ । ସେତେବେଳେ ଭୁବନେଶ୍ଵରରେ କୌଣସି ନାଟକ ଦଳ ନଥିଲା । କଲିକତା ଅନୁକରଣରେ ଭୁବନେଶ୍ଵର ନାଟକ ଦଳଟିଏ ତିଆରି କରିବା ପାଇଁ ଚେଷ୍ଟା କଲେ ଓ ଏଥିରେ ସହାୟତା କରିଥିଲେ ବିଶ୍ଵଜିତ ଦାସ । ନାଟକ ଦଳର ନାଁ ରଖାଗଲା ରୂପକାର[୭] ରୂପକାର ଦଳ କିଛି ସମୟ ପରେ ଭାଙ୍ଗି ଯାଇଥିଲା । ତାପରେ ଅସୀମ ଉତ୍ତର ପୁରୁଷ ଦଳରେ ଯୋଗ ଦେଇଥିଲେ । ଉତ୍ତର ପୁରୁଷ ଆନୁକୁଲ୍ୟରେ ଅସୀମ ଓଡ଼ିଆ ନାଟକରେ ବିଭିନ୍ନ ପ୍ରୟୋଗ କରିଥିଲେ । ନୂତନ କଳାକାର ଗଠନ ଦିଗରେ ମଧ୍ୟ ଉତ୍ତର ପୁରୁଷ ପ୍ରୟାସ କରିଥିଲା । ଅସୀମ ମଞ୍ଚ ସଜା, ଅଭିନୟ ସହିତ ନିର୍ଦ୍ଦେଶନା ମଧ୍ୟ କରିଥିଲେ । ପ୍ରଶାନ୍ତ ନନ୍ଦଙ୍କ ଜଗା ବଳିଆ କଥାଚିତ୍ରରେ କଳା ନିର୍ଦ୍ଦେଶନା ଦେବା ଅବସରରେ ସେ ନିଜ ଅଭିନୟଦ୍ଵାରା ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ ଓ ସେଥିରୁ ତାଙ୍କର ଚଳଚ୍ଚିତ୍ର ଅଭିନୟ ଆରମ୍ଭ ହୋଇଥିଲା ।

ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅସୀମଙ୍କର ଅବଦାନ ଅଛି । ଗଳ୍ପ ଓ ନାଟକ ରଚନା ବ୍ୟତିତ, ଖବରକାଗଜରେ ସ୍ଥମ୍ଭକାର ଭାବରେ ସେ ନିଜ ଲେଖନି ଚାଳନା କରିଥିଲେ । କଥାରେ କଥାରେ ନାମରେ ନିଜ ଆତ୍ମଜୀବନୀ[୮] ମଧ୍ୟ ରଚନା କରିଥିଲେ ।[୯] "କ୍ୟାକଟସର ଫୁଲ" ନାମରେ ଏକ ଗଳ୍ପ ପୁସ୍ତକ ଓ "ଛୋଟ ବଡ଼ କଥା କହୁ" ନାମରେ ତାଙ୍କର ଏକ ପ୍ରବନ୍ଧ ସଂକଳନ ପ୍ରକାଶ ପାଇଥିଲା ।

ଅଭିନିତ/ନିର୍ଦ୍ଦେଶିତ ମଞ୍ଚ ନାଟକ[ସମ୍ପାଦନା]

  • ସବା ଶେଷ ଲୋକ
  • ରୂପାନ୍ତର
  • ନିଶିପଦ୍ମ
  • ନିଜ ପ୍ରତିନିଧିଙ୍କଠାରୁ
  • ଅଥବା ଅନ୍ଧାର
  • ଅଥଚ ଚାଣକ୍ୟ
  • ଶେଷ ପାହାଚ
  • ଡାଉନ ଟ୍ରେନ
  • ତଟ ନିରଞ୍ଜନା
  • ନିଶାନ୍ତ
  • ପ୍ରତୀକ୍ଷା
  • ବନ୍ଦୀ

ଅଭିନିତ/ନିର୍ଦ୍ଦେଶିତ କଥାଚିତ୍ର[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଧର୍ମପଦ ପୁରସ୍କାର(ଓଡ଼ିଶା ଲଳିତ କଳା ଏକାଡ଼େମୀ) - ୨୦୧୦[୧୧]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର[୧୨]
  • ଭାଷା ଭାରତୀ ସମ୍ମାନ - ୨୦୦୩-୦୪[୧୩]
  • ପରମ୍ପରା ସମ୍ମାନ - ୨୦୧୨
  • ଶିଳ୍ପୀ ଦିବସ ସମ୍ମାନ(ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ) - ୨୦୧୫[୧୪]

ବସୁ ଶ୍ଵାସରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ରୋଗ ଶଯ୍ୟାରେ ପଡ଼ିରହିବା ପରେ ୨୦୧୭ ମସିହା ଫେବୃଆରୀ ୧ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଧାର[ସମ୍ପାଦନା]

  1. Dinanath Pathy (୧ January ୨୦୦୩). Beyond the Canvas: Critical Vision of an Indian Painter. Harman Publishing House and Bhāṣayan, Bhubaneswar. ISBN ୯୭୮-୮୧-୮୬୬୨୨-୬୨-୯. 
  2. https://www.telegraphindia.com/1150614/jsp/odisha/story_25571.jsp#.WJBY2tJ97IU
  3. http://sambad.in/news/state/31147.html
  4. http://timesofindia.indiatimes.com/city/bhubaneswar/Watching-present-day-artistes-I-feel-Odia-theatre-is-in-safe-hands-Asim-Basu/articleshow/18621056.cms
  5. http://www.canvasodisha.com/webpage/detailnews/55/1
  6. Dinanath Pathy; Soubhagya Pathy (୧ January ୨୦୦୧). Let a Thousand Flowers Bloom: Contemporary Art of Orissa. Working Artists Association of Orissa ;aNew Delhi. ISBN ୯୭୮-୮୧-୭୩୦୫-୨୦୯-୫. 
  7. Utkal University. Dept. of Analytical and Applied Economics (୧୯୯୬). Development of women: present status and future strategy. Mayur Publications. 
  8. Ajit Keshary Ray (୨୦୦୪). Portrait of a Painter. Orissa Lalit Kala Akademi in collaboration with Working Artists Association of Orissa. 
  9. "ଅସରା କଳାର କାରିଗର". ସମାଜ କଲିକତା ସଂସ୍କରଣ ୩୦/୦୧/୨୦୧୬ ପୃଷ୍ଠା ୧୮. http://samajaepaper.in/pagezoomsinwindows.php?img=undefined&id=5769&boxid=301201724213361&cid=4&mod=1&pagenum=1. Retrieved 31 January 2017. 
  10. http://odishatime.com/odiya/%E0%AC%AA%E0%AD%87%E0%AC%B8%E0%AC%BE%E0%AC%A0%E0%AD%81-%E0%AC%A8%E0%AC%BF%E0%AC%B6%E0%AC%BE-%E0%AC%AC%E0%AD%87%E0%AC%B6%E0%AD%80-%E0%AC%86%E0%AC%95%E0%AC%B0%E0%AD%8D%E0%AC%B7%E0%AC%A3/
  11. http://sarbasadharana.com/?p=4571
  12. http://epaper.prameyanews.com/epaperpdf/222017/222017-md-hr-6.pdf
  13. http://www.thehindu.com/2005/06/08/stories/2005060801980400.htm
  14. http://sarbasadharana.com/?p=14026