ସୀତା ନବମୀ

ଉଇକିପିଡ଼ିଆ‌ରୁ
ସୀତା ନବମୀ
ଅନ୍ୟ ନାମସୀତା ଜୟନ୍ତୀ, ଜାନକୀ ନବମୀ
ପାଳନକାରୀଓଡ଼ିଆ ଲୋକ
ତାରିଖବୈଶାଖ ଶୁକ୍ଳ ନବମୀ
୨୦୨୪ ତାରିଖ୧୬ ମଇ (ଗୁରୁବାର)
ସମ୍ପର୍କିତସୀତାଙ୍କ ଜନ୍ମ

ବୈଶାଖ ମାସ ଶୁକ୍ଳପକ୍ଷ ନବମୀକୁ ସୀତା ନବମୀ ଭାବେ ପାଳନ କରାଯାଏ । ଏହିଦିନରେ ସୀତା ଆବିର୍ଭାବ ହୋଇଥିଲେ ବୋଲି ଜନମାନସରେ ବିଶ୍ୱାସ ରହିଛି । ସୀତା ନବମୀକୁ ଜାନକୀ ନବମୀ ମଧ୍ୟ କହାଯାଏ ।

ବୈଶାଖ ମାସ ନବମୀ ତିଥିରେ ଦେବୀ ସୀତାଙ୍କର ଜନ୍ମ ହୋଇଥିଲା ତେଣୁ ଏହି ଦିନଟି ସୀତା ନବମୀ ଭାବେ ପାଳିତ ହୋଇଥାଏ । ଉତ୍ତର ରାମାୟଣର ବର୍ଣ୍ଣନା ଅନୁସାରେ ବାଲ୍ମିକୀ ଋଷିଙ୍କ ଆଶ୍ରମରେ ଥିବା ବାଳକ ଲବ କୁଶ ଭଗବାନ ରାମଙ୍କର ଅଶ୍ବମେଧ ଯଜ୍ଞର ଘୋଡ଼ାକୁ ବାନ୍ଧି ରଖିଥିଲେ । ଯେପର୍ଯ୍ୟନ୍ତ ରାମ ନ ଆସିବେ ସେମାନେ ଘୋଡ଼ାକୁ ଛାଡ଼ିବେ ନାହିଁବୋଲି ଅଡ଼ିବସିଥିଲେ ।

ପ୍ରଥମେ ଘୋଡ଼ା ସହିତ ସେନାପତି ସୈନ୍ୟବାହିନୀ ଧରି ଆସିଥିଲେ । ସେମାନେ ଦୁଇ ବାଳକଙ୍କୁ ଯେତେ ବୁଝାଇଲେ ମଧ୍ୟ ଦୁଇ ଭାଇ ମାନିନଥିଲେ । ଶେଷରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପରାକ୍ରମଶାଳୀ ଦୁଇ ବାଳକ ସୈନ୍ୟବାହିନୀ ସହ ସେନାପତିଙ୍କୁ ଅଚେତ କରିଦେଇଥିଲେ । ପରେ ଶ୍ରୀରାମଙ୍କ ସାନ ଭାଇ ଶତ୍ରୁଘ୍ନ ଆସିଲେ, ସେ ମଧ୍ୟ ବାଳକ ଦୁଇ ଜଣଙ୍କୁ ବୁଝାଇବାକୁ ଚେଷ୍ଟା କଲେ, ହେଲେ ସବୁ ବିଫଳ ହେଲା, ତାଙ୍କୁ ମଧ୍ୟ ଯୁଦ୍ଧରେ ପରାସ୍ତ କଲେ ଲବ ଆଉ କୁଶ । ସେହିପରି ମହାପରାକ୍ରମୀ ଭରତ ପରେ ଲକ୍ଷ୍ମଣଙ୍କୁ ମଧ୍ୟ ଦୁଇ ଭାଇ ପରାସ୍ତ କଲେ । ତିନି ଭାଇ ଅଚେତ ହେବା ପରେ ନିଜେ ଶ୍ରୀରାମ ଘଟଣା ସ୍ଥଳକୁ ଆସିଥିଲେ । ତେବେ ଯେଉଁ ଲକ୍ଷ୍ମଣ ନିଜ ବାଣରେ ମେଧନାଦ ଭଲି ବୀରକୁ ପରାସ୍ତ କରିଥିଲେ, ଯେଉଁ ଭରତ ନିଜ ବାଟୁଳିରେ ହନୁମାନଙ୍କୁ ଅଚେତ କରିଥିଲେ, ସେମାନଙ୍କୁ କିପରି ଏହି ଦୁଇ ବାଳକ ପରାସ୍ତ କରିପାରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଦୁଇ ବାଳକଙ୍କ ଭିତରେ ଏଭଳି ପରାକ୍ରମ ସମ୍ଭବ ହୋଇପାରିଥିଲା ମାତା ସୀତାଙ୍କ ଆଶୀର୍ବାଦର ପ୍ରଭାବରେ । ଦେବୀ ସୀତା ହେଉଛନ୍ତି ସ୍ବୟଂ ଶକ୍ତିସ୍ବରୂପା । ଦେବୀ ଦୁର୍ଗା ବାଳିକା ଥିବାବେଳେ ସୀତା ଶିବଧନୁକୁ ନିଜ ବାମ ହାତରେ ଉଠାଇ ଦେଇଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ବୀର ଯୋଦ୍ଧାମାନେ ଉଠାଇବା ତ ଦୂରର କଥା ଘୁଞ୍ଚାଇପାରିନଥିଲେ । ଦେବୀ ସୀତାଙ୍କର ଇଚ୍ଛା ଅନୁସାରେ ଭଗବାନ ଶ୍ରୀରାମ ଏହି ଶିବଧନୁକୁ ଭାଙ୍ଗିଥିଲେ ।

ପୌରାଣିକ[ସମ୍ପାଦନା]

ପୌରାଣିକ କଥାନୁସାରେ ମାରୱାଡ଼କ୍ଷେତ୍ରରେ ବେଦବାଦୀ ଶ୍ରେଷ୍ଠ ଧର୍ମାବତାର ବ୍ରାହ୍ମଣ ଦେବଦତ୍ତ ନିବାସ କରୁଥିଲେ । ତାଙ୍କର ଶୋଭନା ନାମକ ସୁନ୍ଦରୀ ତଥା ନିଜର ରୂପସୌନ୍ଦର୍ଯ୍ୟରେ ଗର୍ବକରୁଥିବା ପତ୍ନୀ ଥିଲେ । ଜୀବିକା ପାଇଁ ଦେବଦତ୍ତ ଗ୍ରାମ ଗ୍ରାମ ବୁଲି ଭିକ୍ଷା ମାଗୁଥିଲେ । କିନ୍ତୁ ବ୍ରାହ୍ମଣୀ ଶୋଭନା କୁସଂଗତରେ ପଡ଼ି ବ୍ୟଭିଚାର ପ୍ରବୃତ୍ତି ହୋଇଗଲେ । ତା’ର କୁକର୍ମ ପ୍ରତ୍ୟେକ ଗ୍ରାମରେ ଚର୍ଚ୍ଚା ହେବାକୁ ଲାଗିଲା । ଯାହାଫଳରେ ଦୁର୍ଷ୍କମରେ ରତ ହୋଇ ଗ୍ରାମକୁ ଧ୍ୱଂସ କରିଦେବା ସହ ବ୍ରାହ୍ମଣୀ ଶୋଭନା ନିଜେ ସ୍ୱୟଂ ପୋଡ଼ିହୋଇ ମରିଗଲା । ପରବର୍ତ୍ତୀ ଜନ୍ମରେ ଚାଣ୍ଡାଳ ଘରେ ଜନ୍ମ ଗ୍ରହଣ କଲା । ବିବାହ କରିବାର କିଛିଦିନ ପରେ ସେ ଚାଣ୍ଡାଳୁଣୀ ହେଲା । ସମୟ ଚକ୍ରରେ ସେ ତା’ର କର୍ମ ପାଇଁ ଅନ୍ଧୁଣୀ, ଭିକାରୁଣୀ ସାଜି ଜୀବନ କାଟିଲା । ଦୈବାତ ସେ ବୈଶାଖ ମାସ, ଶୁକ୍ଳପକ୍ଷ ନବମୀ (ସୀତା ନବମୀ) ତିଥିରେ କୌଶଳପୁରୀରେ ପହଞ୍ଚିଲା । ବ୍ରାହ୍ମଣୀ ଜଣକ ନେହୁରା ହୋଇ କହିଲା-ହେ ସଜ୍ଜନ ମୋ ଉପରେ କୃପା କର କିଛି ଭୋଜନ ଦିଅ, ନଚେତ୍‌ ମୁଁ ଭୋକରେ ମରିଯିବି । ଏପରି କହି ସେ ଶ୍ରୀଜନକ ଭବନ ସମ୍ମୁଖରେ ତିଆରି ହୋଇଥିବା ଏକ ହଜାର ପୁଷ୍ପମଣ୍ଡିତ ଖମ୍ବକୁ ଅତିକ୍ରମ କରି ସେଥିରେ ପ୍ରବେଶ କଲା । ସେ ସେଠାରେ ଭିକ୍ଷା ଆକାରରେ କହିଲା ଭାଇମାନେ ମୋତେ କିଛି ସାହାଯ୍ୟ କର, କିଛି ଖାଇବାକୁ ଦିଅ । ହଠାତ୍‌ ଜଣେ ଭକ୍ତ କହିଲା ହେ ଦେବୀ ! ଆଜି ସୀତା ନବମୀ, ଭୋଜନରେ ଅନ୍ନ ଦେଉଥିବା ବ୍ୟକ୍ତିଙ୍କୁ ପାପ ଲାଗିଥାଏ । ଏଥିପାଇଁ ଆଜି ଅନ୍ନ ମିଳିବନି । କାଲି ଠିକ୍‌ ସକାଳେ ଆସ, ଠାକୁରଙ୍କ ପ୍ରସାଦ ମିଳିବ । କିନ୍ତୁ ସେ କିଛି ନ ମାନି କହିଲା ମୋତେ ବହୁତ ଜୋର୍‌ରେ ଭୋକ ଲାଗୁଛି କିଛି ଦିଅ । ଭକ୍ତ ଜଣକ ଉକ୍ତ ଦେବୀଙ୍କୁ ତୁଳସୀ ଏବଂ ଜଳ ଦେଲେ । ସେହି ପାପିନୀ ତୁଳସୀ ଓ ଜଳ ପାଇ ମୃତ୍ୟୁ ବରଣ କଲା । ଅଜାଣତରେ ଉକ୍ତ ଦେବୀଙ୍କର ସୀତା ନବମୀ ବ୍ରତ ସଂପୂର୍ଣ୍ଣ ହୋଇଗଲା ଓ ପରମ କୃପାଳିନୀ ତାଙ୍କର ସମସ୍ତ ପାପକୁ ମୁକ୍ତ କରିଦେଲେ ବୋଲି ସ୍ଥାନୀୟ ଲୋକ କୁହାକୁହି ହେଲେ । ଏହି ବ୍ରତ ପ୍ରଭାବରେ ପାପିନୀ ନିର୍ମଳ ହୋଇ ସ୍ୱର୍ଗ ଗଲା । ତତ୍‌ପଶ୍ଚାତ୍‌ ସେ କାମରୂପ ଦେଶର ମହାରାଜ ଜୟସିଂହଙ୍କ ମହାରାଣୀ କାମଚଳା ନାମରେ ବିଖ୍ୟାତ ହେଲେ । [୧]

ଆଧାର[ସମ୍ପାଦନା]

  1. ସମୟ, ପୃଷ୍ଠା-୨, ୧୦.୫.୨୦୧୪