ହନୁ ମାଙ୍କଡ଼
ହନୁ ମାଙ୍କଡ଼ (ହନୁମାନ ଲଂଗୁର୍) [୧] | |
---|---|
ତାମିଲନାଡ଼ୁର ମୁଦୁମଲାଇ ଜଙ୍ଗଲରେ ଉଠାଯାଇଥିବା ହନୁ ମାଙ୍କଡ଼ର ଏକ ଫଟୋ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Mammalia |
ଗଣ: | Primates |
କୁଳ: | Cercopithecidae |
ଉପକୁଳ: | Colobinae |
ପ୍ରଜାତି: | Semnopithecus Desmarest, 1822 |
Type species | |
Simia entellus ଲୁଇ ଡୁଫ୍ରେସ୍ନେ, ୧୭୯୭
| |
Species | |
Semnopithecus schistaceus | |
ହନୁ ମାଙ୍କଡ଼ମାନଙ୍କର ଆନୁମାନିକ ବ୍ୟାପ୍ତି ଓ ବିତରଣ କ୍ଷେତ୍ର |
ହନୁ ମାଙ୍କଡ଼ ବା ହନୁମାନ ଲଂଗୁର୍ ଭାରତୀୟ ଉପମହାଦ୍ୱୀପରେ ସର୍ବବ୍ୟାପ୍ତ ବାନର ପ୍ରଜାତି ଓ ଆଦି ବାନରମାନଙ୍କ ମଧ୍ୟରୁ ଅନ୍ୟତମ । ଏମାନଙ୍କ ପ୍ରଜାତିର ଜୀବବିଜ୍ଞାନ ନାମ ହେଲା Semnopithecus, ଯାହା ଗ୍ରୀକ୍ ଶବ୍ଦ σεμνός (semnós ଅର୍ଥାତ୍ -ପବିତ୍ର) ଓ πίθηκος (píthēkos ଅର୍ଥାତ୍ - ବାନର)ର ସମ୍ମିଶ୍ରଣରୁ ସୃଷ୍ଟ । ଏମାନଙ୍କ ସମସ୍ତ ପ୍ରଜାତି Semnopithecus entellus ମୁଖ୍ୟ ପ୍ରଜାତିର ଅଂଶ ଭାବେ ପରିଗଣିତ ହୁଅନ୍ତି ।[୧] ୨୦୦୧ ମସିହାରେ ପୂର୍ବରୁ ଆବିଷ୍କୃତ କିଛି ଭିନ୍ନ ଭିନ୍ନ ଉପ-ପ୍ରଜାତିଙ୍କୁ ପ୍ରଜାତି ଭାବେ ଗଣନା କରାଯିବାରୁ ୭ଟି ଭିନ୍ନ ପ୍ରଜାତିର ସୃଷ୍ଟି ହେଲା ।[୨] ଅଳ୍ପ ଉପ-ପ୍ରଜାତି ବିଶିଷ୍ଟ ଆଉ ଏକ ପ୍ରସ୍ତାବିତ ଶ୍ରେଣୀ ବିଭାଗ ମଧ୍ୟ ରହିଛି ।[୩] Trachypithecus ପ୍ରଜାତିର ଉପ-ପ୍ରଜାତି ଭାବେ ପରିଗଣିତ ନୀଳଗିରି ହନୁ ମାଙ୍କଡ଼ ଓ ବାଇଗଣୀମୁହାଁ ହନୁ ମାଙ୍କଡ଼ ପ୍ରକୃତରେ Semnopithecus' ପ୍ରଜାତିର ବୋଲି ଜେନେଟିକ୍ ପ୍ରମାଣ ମିଳିଛି ।[୪]
ହନୁ ମାଙ୍କଡ଼ମାନେ ପ୍ରାୟତଃ ପାଉଁଶିଆ ବା ଧୁସରିଆ ରଙ୍ଗର । ଖାଦ୍ୟ ପାଇଁ ହନୁ ମାଙ୍କଡ଼ ଦଳ ଏକ ନିର୍ଦ୍ଦିଷ୍ଟ ଇଲାକାର ନିୟନ୍ତ୍ରଣ କରନ୍ତି । ଭାରତୀୟ ଉପମହାଦ୍ୱୀପରେ ଏମାନେ ଘଞ୍ଚ ଜଙ୍ଗଲ, ପତଳା ଜଙ୍ଗଲ; ଏପରିକି ସହର ଆଖାପାଖି ଅଞ୍ଚଳରେ ମଧ୍ୟ ବସବାସ କରନ୍ତି । ଅଧିକାଂଶ ସ୍ଥାନରେ ହନୁ ମାଙ୍କଡ଼ମାନେ ସମୁଦ୍ର ପତନରୁ ନିମ୍ନ-ମଧ୍ୟମ ଉଚ୍ଚତାରେ ରହୁଥିବା ବେଳେ, ହିମାଳୟ ଅଞ୍ଚଳରେ ନେପାଳୀ ହନୁ ମାଙ୍କଡ଼ ଓ କାଶ୍ମୀରୀ ହନୁ ମାଙ୍କଡ଼ ପ୍ରାୟ ୪୦୦୦ ମିଟର୍ (୧୩୦୦୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ଦେଖାଯାନ୍ତି ।[୫][୬]
ଶ୍ରେଣୀ ବିଭାଗ
[ସମ୍ପାଦନା]ପାରମ୍ପରିକ ଭାବେ କେବଳ Semnopithecus entellusକୁ ଏକ ପ୍ରଜାତି ରୂପେ ଓ ଅନ୍ୟ ସବୁ ଶ୍ରେଣୀଙ୍କୁ ଉପ-ପ୍ରଜାତି ଭାବେ ଅଭିହିତ କରାଯାଉଥିଲା । ୨୦୦୧ ମସିହାରୁ ୭ଟି ଭିନ୍ନ ପ୍ରକାରର ହନୁ ମାଙ୍କଡ଼ଙ୍କୁ ସ୍ୱତନ୍ତ୍ର ପ୍ରଜାତିର ମାନ୍ୟତା ମିଳିଲା ।[୨] ୨୦୦୫ ମସିହାରେ ପ୍ରକାଶିତ ଇଂରାଜୀ ପୁସ୍ତକ Mammal Species of the World (ଅର୍ଥାତ୍ ବିଶ୍ୱର ସ୍ତନ୍ୟପାୟୀ ପ୍ରଜାତିଗଣ)ରେ ଏହି ଶ୍ରେଣୀ ବିଭାଗ ଅନୁସୃତ ହୋଇଥିଲା [୧] କିନ୍ତୁ ପ୍ରଜାତିଙ୍କୁ ଭୌଗୋଳିକ ଦୃଷ୍ଟିକୋଣରୁ ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ଶ୍ରେଣୀରେ ବିଭକ୍ତ କଲା ପରେ ସାତୋଟି ଉପ-ଶ୍ରେଣୀଭାବେ ପ୍ରଦର୍ଶିତ କରାଯାଇଛି ।[୩] ଜେନେଟିକ୍ ଗବେଷଣାରୁ ଉତ୍ତର ଭାରତରେ ୩ଟି ପ୍ରଜାତି, ଦକ୍ଷିଣ ଭାରତର ଗୋଟିଏ ପ୍ରଜାତି ଓ ଶ୍ରୀଲଙ୍କାର ଗୋଟିଏ ପ୍ରଜାତି ସମସ୍ତେ ସ୍ୱତନ୍ତ୍ର ବୋଲି ପ୍ରମାଣିତ ହୋଇଛି ।[୪][୭]
କେଶରଯୁକ୍ତ ହନୁ ମାଙ୍କଡ଼ (ବା Semnopithecus priam thersites) ଏକ ଉପ-ପ୍ରଜାତି ନୁହେଁ ବରଂ ସ୍ୱତନ୍ତ୍ର ପ୍ରଜାତି ବୋଲି ପ୍ରସ୍ତାବ ଦିଆ ଯାଇଛି କିନ୍ତୁ ଏହାର କୌଣସି ଦୃଢ଼ ପ୍ରମାଣ ମିଳି ପାରିନାହିଁ ।[୮] ବାହ୍ୟ ଆକୃତି ବିଜ୍ଞାନ ଓ ଭାରତୀୟ ଉପମହାଦ୍ୱୀପର ପରିସ୍ଥିତିକ ମଡେଲ୍ ଭିତ୍ତିରେ ହନୁ ମାଙ୍କଡ଼ମାନେ ସ୍ୱତନ୍ତ୍ର ପ୍ରକାର ୬ଟି ଉପ-ପ୍ରଜାତିର ହୋଇପାରନ୍ତି ବୋଲି କୁହାଯାଇଛି । ପାରିବେଶିକ ନମନୀୟତା କାରଣରୁ ଲୋମର ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବାରୁ ଏହାକୁ ଭିତ୍ତି କରି ପ୍ରଜାତିଙ୍କ ଶ୍ରେଣୀ ବିଭାଗ କରିବା ତ୍ରୁଟିପୂର୍ଣ୍ଣ ହୋଇପାରେ ।[୯] [୧୦]
Trachypithecusକୁ Semnopithecusର ଉପ-ଶ୍ରେଣୀ ରୂପେ ପରିଗଣିତ କରାଯିବା ଉଚିତ୍ ବୋଲି କେହି କେହି ପ୍ରସ୍ତାବ ରଖିଛନ୍ତି ।[୩] ବାଇଗଣୀମୁହାଁ ହନୁ ମାଙ୍କଡ଼ ଓ ନୀଳଗିରି ହନୁ ମାଙ୍କଡ଼ଙ୍କ ପୂର୍ବପୁରୁଷ ଭିନ୍ନ ବୋଲି ବିବେଚନା କଲେ ସେମାନଙ୍କୁ Trachypithecus ପରିବର୍ତ୍ତେ Semnopithecus ଶ୍ରେଣୀଭୁକ୍ତ କରିବା ଠିକ୍ ହେବ । ବର୍ତ୍ତମାନ ସମୟରେ ଟୋପିବାଲା ହନୁ ମାଙ୍କଡ଼, ସର୍ଟ୍ରିଜ୍ଙ୍କ ହନୁ ମାଙ୍କଡ଼ ଓ ଜିସ୍ ସୁନେଲି ହନୁ ମାଙ୍କଡ଼ଙ୍କୁ ନେଇ ଗଠିତ T. pileatus ଶ୍ରେଣୀ mtDNAର ତଥ୍ୟାନୁସାରେ Semnopithecus ଶ୍ରେଣୀର ଓ Y chromosomeର ତଥ୍ୟାନୁସାରେ Trachypithecus ଶ୍ରେଣୀର ବୋଲି ନିରୂପିତ ହୋଇଥିବାରୁ ବିବାଦ ସୃଷ୍ଟି ହୋଇଛି ।[୪]
Mammal Species of the World ପୁସ୍ତକର ଲେଖକମାନେ Semnopithecus ଶ୍ରେଣୀର ନିମ୍ନ ୭ଟି ପ୍ରଜାତି ନିରୂପିତ କରିଛନ୍ତି।[୧] ଶ୍ରୀଲଙ୍କାର ଗୋଟିଏ ପ୍ରକାରର ହନୁ ମାଙ୍କଡ଼କୁ Trachypithecus ଶ୍ରେଣୀରୁ Semnopithecusକୁ ସ୍ଥାନାନ୍ତରିତ ହୋଇଥିବାରୁ ବର୍ତ୍ତମାନ ୮ଟି ପ୍ରଜାତି ଚିହ୍ନଟ ହୋଇଛି ।
- ନେପାଳୀ ହନୁ ମାଙ୍କଡ଼ Semnopithecus schistaceus
- କାଶ୍ମୀରୀ ହନୁ ମାଙ୍କଡ଼ Semnopithecus ajax
- ତରାଇ ହନୁ ମାଙ୍କଡ଼ Semnopithecus hector
- ଉତ୍ତର ସମତଳଭୂମି ହନୁ ମାଙ୍କଡ଼ Semnopithecus entellus
- କୃଷ୍ଣପଦ ହନୁ ମାଙ୍କଡ଼ Semnopithecus hypoleucos
- ଦକ୍ଷିଣ ସମତଳଭୂମି ହନୁ ମାଙ୍କଡ଼ Semnopithecus dussumieri
- କେଶରଯୁକ୍ତ ହନୁ ମାଙ୍କଡ଼ Semnopithecus priam
- ବାଇଗଣୀମୁହାଁ ହନୁ ମାଙ୍କଡ଼ Semnopithecus vetulus
ଅଧିବାସ ଓ ଭୌଗୋଳିକ ବିତରଣ
[ସମ୍ପାଦନା]ଉତ୍ତରରେ ହିମାଳୟରୁ ଆରମ୍ଭ କରି ଦକ୍ଷିଣରେ ଶ୍ରୀଲଙ୍କା ଯାଏଁ ଓ ପୂର୍ବରେ ବଙ୍ଗଳାଦେଶରୁ ଆରମ୍ଭ କରି ପଶ୍ଚିମରେ ପାକିସ୍ତାନ ପର୍ଯ୍ୟନ୍ତ ହନୁ ମାଙ୍କଡ଼ମାନେ ବ୍ୟାପ୍ତ ।[୧୧] ସେମାନେ ଆଫଗାନିସ୍ତାନରେ ରହିଥିବାର ସମ୍ଭାବନା ମଧ୍ୟ ରହିଛି ।[୩] ସମୁଦାୟ ହନୁ ମାଙ୍କଡ଼ମାନଙ୍କ ସଂଖ୍ୟାର ଏକ ସିଂହ ଭାଗ ଭାରତରେ ଦେଖିବାକୁ ମିଳେ ଓ ଭାରତରେ ଏମାନଙ୍କ ସାତୋଟି ଯାକ ଉପ-ପ୍ରଜାତି ଊଣା-ଅଧିକେ ବସବାସ କରନ୍ତି ।[୨]
ହନୁ ମାଙ୍କଡ଼ମନେ ଭିନ୍ନ ଭିନ୍ନ ପାରିବେଶିକ ଅବସ୍ଥା ଓ ଅଧିବାସରେ ଖାପ ଖୁଆଇ ଚଳିବା ଦେଖାଯାଇଛି ।[୧୨] ସେମାନେ ମରୁଭୂମି ପରି ଶୁଷ୍କ, କ୍ରାନ୍ତୀୟ ବୃଷ୍ଟିବଣ, ପର୍ଣ୍ଣମୋଚୀ ଅରଣ୍ୟ; ଏପରିକି ପାର୍ବତ୍ୟାଞ୍ଚଳରେ ମଧ୍ୟ ଦୃଶ୍ୟମାନ ହୁଅନ୍ତି । ସମୁଦ୍ର ପତନରୁ ୪୦୦୦ ମିଟର୍ (୧୩୦୦୦ ଫୁଟ୍) ଉଚ୍ଚ ସ୍ଥାନରେ ମଧ୍ୟ ସେମାନେ ଦେଖାଯାନ୍ତି ।[୫][୬] ଗାଁ, ସହର ପରି ଜନବସତି ପୂର୍ଣ୍ଣ ଅଞ୍ଚଳରେ ଓ ଚାଷବାସ ହେଉଥିବା ସ୍ଥାନରେ ମଧ୍ୟ ଏମାନେ ଆରାମରେ ଜୀବନଯାପନ କରି ପାରନ୍ତି ।[୧୩] ଯୋଧପୁର ପରି ଲୋକାକୀର୍ଣ୍ଣ ନଗରରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହନୁ ମାଙ୍କଡ଼ ବସବାସ କରନ୍ତି ।[୧୪]
ଗଠନ ଓ ପ୍ରକୃତି
[ସମ୍ପାଦନା]ହନୁ ମାଙ୍କଡ଼ମାନଙ୍କ ଲୋମ ପ୍ରାୟତଃ ଧୁସରିଆ ରଙ୍ଗର (କେତେକ କ୍ଷେତ୍ରରେ ଈଷତ୍ ହଳଦିଆ ରଙ୍ଗର), ମୁହଁ ଓ କାନ କଳା ରଙ୍ଗର ହୋଇଥାଏ । ହାତ-ପାଦର ରଙ୍ଗ, ଦେହର ରଙ୍ଗ, କେଶର ଓ ବାଳ ଭିତ୍ତିରେ ହନୁ ମାଙ୍କଡ଼ର ଉପ-ପ୍ରଜାତିମାନଙ୍କୁ ଚିହ୍ନଟ କରାଯାଇଥାଏ ।[୨][୩] ପ୍ରାୟତଃ ଉତ୍ତର ଭାରତର ସମସ୍ତ ହନୁ ମାଙ୍କଡ଼ ଚାଲିବା ବେଳେ ତାଙ୍କ ଲାଙ୍ଗୁଡ଼ ମୁଣ୍ଡ ଆଡ଼କୁ ବୁଲି ପଡ଼େ । ଅପର ପକ୍ଷେ ଦକ୍ଷିଣ ଭାରତ ବା ଶ୍ରୀଲଙ୍କାର ହନୁ ମାଙ୍କଡ଼ମାନଙ୍କ ଲାଙ୍ଗୁଡ଼ ଇଂରାଜୀ ଅକ୍ଷର “S” ବା ଓଲଟା “U” ପରି ହୋଇଥାଏ ।[୧୫] ଶାରୀରିକ ଗଠନ ଦୃଷ୍ଟିରୁ ଅଣ୍ଡିରା ମାଙ୍କଡ଼ମାନେ ମାଈ ମାଙ୍କଡ଼ମାନଙ୍କଠାରୁ ବଡ଼ ଆକାରର । ମୁଣ୍ଡକୁ ମିଶାଇ ଦେହର ଲମ୍ବ ୫୧-୭୯ ସେ.ମି. (୨୦-୩୧ ଇଞ୍ଚ୍) ଏବଂ ଲମ୍ବା ଲାଞ୍ଜକୁ ମିଶାଇ ପ୍ରାୟ ୬୯-୧୦୨ ସେ.ମି. (୨୭-୪୦ ଇଞ୍ଚ୍) ।[୧୬] ଦକ୍ଷିଣ ଭାରତର ହନୁ ମାଙ୍କଡ଼ମାନେ ଉତ୍ତର ଭାରତର ହନୁ ମାଙ୍କଡ଼ମାନଙ୍କଠାରୁ ଆକାରରେ ସାମାନ୍ୟ ଛୋଟ । ଏକ ନେପାଳୀ ହନୁ ମାଙ୍କଡ଼ ବର୍ତ୍ତମାନ ସୁଦ୍ଧା ପରିଲକ୍ଷିତ ସବୁଠାରୁ ଅଧିକ ଓଜନିଆ ହନୁ ମାଙ୍କଡ଼ ଥିଲା ଓ ଏହାର ଓଜନ ପ୍ରାୟ ୨୬.୫ କି.ଗ୍ରା. (୫୮ ପାଉଣ୍ଡ୍) ଥିଲା ।[୩] ବଡ଼ ଆକାରର ହନୁ ମାଙ୍କଡ଼ ଏସିଆରେ ଦେଖା ଯାଉଥିବା ଅନ୍ୟ ପ୍ରଜାତିର ବଡ଼ ମାଙ୍କଡ଼ମାନଙ୍କ ପ୍ରତିଦ୍ୱନ୍ଦୀ ରୂପେ ଉଭା ହୋଇଛନ୍ତି । ଏକ ଅଣ୍ଡିରା ହନୁ ମାଙ୍କଡ଼ର ହାରାହାରି ଓଜନ ୧୮ କି.ଗ୍ରା. (୪୦ ପାଉଣ୍ଡ) ଓ ମାଈ ହନୁ ମାଙ୍କଡ଼ର ହାରାହାରି ଓଜନ ୧୧ କି.ଗ୍ରା. (୨୪ ପାଉଣ୍ଡ) ହୋଇଥାଏ ।[୧୬]
-
ସୁଦୂର ଉତ୍ତରରେ ହିମାଳୟ ନିକଟବର୍ତ୍ତୀ କର୍ବେଟ୍ ଜାତୀୟ ଉଦ୍ୟାନର ହନୁ ମାଙ୍କଡ଼ର ଲାଞ୍ଜ (ପ୍ରାୟ ଓଲଟା C ପରି)
-
ରାଜସ୍ଥାନର ଜୟପୁର ସହର (ଉତ୍ତର ଭାରତ)ର ହନୁ ମାଙ୍କଡ଼ର ଲାଞ୍ଜ (ମୁଣ୍ଡ ଆଡ଼କୁ ବୁଲି ପଡ଼ିଥିବା)
-
ଦକ୍ଷିଣ ଭାରତରେ କର୍ଣ୍ଣାଟକ ରାଜ୍ୟର ବନ୍ଦୀପୁର ଜାତୀୟ ଉଦ୍ୟାନରେ ହନୁ ମାଙ୍କଡ଼ର ଲାଞ୍ଜର ଆକାର ଇଂରାଜୀ ଅକ୍ଷର “S” ପରି
-
ସୁଦୂର ଦକ୍ଷିଣ ଭାରତର ହନୁ ମାଙ୍କଡ଼ଙ୍କ ଲାଞ୍ଜ
-
ହନୁ ମାଙ୍କଡ଼ଙ୍କ ବିଭିନ୍ନ ପ୍ରକାରର ଲାଙ୍ଗୁଡ଼
ନିଜର ଦୁଇ ହାତ ଓ ଦୁଇ ଗୋଡ଼ର ବ୍ୟବହାର କରି ହନୁ ମାଙ୍କଡ଼ମାନେ ଚାଲନ୍ତି । ଏମାନଙ୍କ ଗୋଟିଏ ଦିନର ଅଧା ସମୟ ଗଛ ଉପରେ ଓ ଅଧା ସମୟ ଭୂମିରେ ଅତିବାହିତ ହୋଇଥାଏ । ସେମାନେ ଦୁଇ ଗୋଡ଼ରେ ଡେଇଁ ପାରନ୍ତି ଓ ସିଧା ଶରୀରରେ ଗଛ ଚଢ଼ି ଓ ଓହ୍ଲାଇ ପାରନ୍ତି । ହନୁ ମାଙ୍କଡ଼ମାନେ ଭୂମି ସହ ସମାନ୍ତରାଳ ଭାବେ ପ୍ରାୟ ୩.୭-୪.୬ ମିଟର୍ (୧୨-୧୫ ଫୁଟ୍) ଓ ଉଚ୍ଚ ସ୍ଥାନରୁ ଓହ୍ଲାଇବା ବେଳେ ୧୦.୭-୧୨.୨ ମିଟର୍ (୩୫-୪୦ ଫୁଟ୍) ଲମ୍ବା ଲମ୍ଫ ପ୍ରଦାନ କରିପାରନ୍ତି ।[୧୭]
ପରିସ୍ଥିତିକ ବ୍ୟବହାର
[ସମ୍ପାଦନା]ହନୁ ମାଙ୍କଡ଼ମାନେ ଦିବାଚର । ରାତିରେ ଏମାନେ ଗଛ ଉପରେ, ଉଚ୍ଚ ଅଟ୍ଟାଳିକାର ଛାତ ଉପରେ, ଖୁଣ୍ଟରେ, ଦୁର୍ଗ ବା ମୀନାର ଉପରେ ଶୋଇଥାନ୍ତି ।[୧୮] ଏମାନେ ଗଛର ସବୁଠାରୁ ଉଚ୍ଚ ଡାଳରେ ଶୋଇବା ପସନ୍ଦ କରନ୍ତି ।[୧୯]
ବଣରେ ହରିଣ ଓ ଗୋଜାତୀୟ ବନ୍ୟପ୍ରାଣୀମାନେ ହନୁ ମାଙ୍କଡ଼ ଗଛ ଉପରୁ ପକାଇ ଦେଉଥିବା ଖାଦ୍ୟ ମଧ୍ୟ ଖାଇଥାନ୍ତି ।[୨୦] ବଣରେ ମହାବଳ ବାଘ, କଲରାପତରିଆ ବାଘ, ବଳିଆ କୁକୁର ହନୁ ମାଙ୍କଡ଼କୁ ନିଜ ଖାଦ୍ୟଭାବେ ଶିକାର କରିଥାନ୍ତି ।[୨୧] ତେଣୁ ବଣରେ ହନୁ ମାଙ୍କଡ଼ମାନେ ଖୁବ୍ ସତର୍କତାର ସହିତ ଚଳନ୍ତି । ସବୁ ହନୁ ମାଙ୍କଡ଼ ଦଳରେ ପାଳି କରି ଜଣେ ଜଗୁଆଳୀର ଭୂମିକା ଗ୍ରହଣ କରେ । ଦଳର ସଦସ୍ୟମାନେ ଯେଉଁ ସ୍ଥାନରେ ଖାଦ୍ୟାହରଣ ବା ଖେଳକୁଦ କରୁଥାନ୍ତି, ପ୍ରହରୀ ହନୁ ମାଙ୍କଡ଼ଟି ସେହି ସ୍ଥାନର ସବୁଠାରୁ ଉଚ୍ଚ ଡାଳରେ ବସି ଜଙ୍ଗଲରେ ଚତୁର୍ଦିଗ ଉପରେ ଦୃଷ୍ଟି ରଖିଥାଏ । ଅତି ଉଚ୍ଚରୁ କୌଣସି ହିଂସ୍ର ଜନ୍ତୁ ବା ମନୁଷ୍ୟ ସେମାନଙ୍କ ଗଛ ଆଡ଼କୁ ଆସୁଥିଲେ ଭୁକିବା ପରି ବା ଖିଙ୍କାରି ଓ ହାତ ଗଛଡାଳରେ ବାଡେଇ ଦଳର ଅନ୍ୟ ସଦସ୍ୟମାନଙ୍କୁ ସତର୍କ କରିଦିଏ । ଜଙ୍ଗଲ ବିଶେଷଜ୍ଞମାନେ ଏହାକୁ “ଲଂଗୁରମାନଙ୍କ ସତର୍କ ସୂଚନା” କୁହନ୍ତି । ହରିଣ ଓ ଗୋଜାତୀୟ ଜୀବମାନେ ହନୁ ମାଙ୍କଡ଼ଙ୍କ ନିକଟରେ ନିରାପଦରେ ଚରି ବୁଲିବାର ଏହା ଏକ ଅନ୍ୟତମ କାରଣ । ଗଧିଆ, ବିଲୁଆ ଓ ଅଜଗର ପରି ସାପମାନେ ମଧ୍ୟ ହନୁ ମାଙ୍କଡ଼ମାନଙ୍କୁ ଶିକାର କରିବା ଦେଖାଯାଇଛି ।
ଖାଦ୍ୟ
[ସମ୍ପାଦନା]ହନୁ ମାଙ୍କଡ଼ମାନେ ପ୍ରାୟତଃ ନିରାମିଶାଷୀ । ଏମାନେ ଫଳ, ଏପରିକି ପାଇନ୍ ଓ ଝାଉଁ ପରି ଶୁଙ୍କଯୁକ୍ତ ଗଛର ଫଳ, କଞ୍ଚା ଫଳ, ସାଗୁଆ ଡାଙ୍ଗ, ବାଉଁଶ, କରଡ଼ି, ଚେରମୂଳ, ମଞ୍ଜି, ଘାସ, କନ୍ଦ, ଶିଉଳି, ଫିମ୍ପି ଇତ୍ୟାଦି ଖାଦ୍ୟ ଭାବେ ଆହରଣ କରିବା ଦେଖାଯାଇଛି । ଏମାନଙ୍କ ପ୍ରଥମ ପସନ୍ଦ ଗଛର ପତ୍ର ଓ ତାହା ନଥିଲେ ଏମାନେ ଜଡ଼ିବୁଟି, ଘାସ ଖାଇବା ପସନ୍ଦ କରନ୍ତି । କେଉଁ କେଉଁ ସ୍ଥାନରେ ଏମାନେ ଊଈ, ସମ୍ବାଳୁଆ ଓ ବୁଢ଼ିଆଣୀ ଜାଲ ଖାଇବା ମଧ୍ୟ ଦେଖାଯାଇଛି ।[୨୨] ଚାଷ ଜମିରୁ ଫସଲ ଓ ଅନ୍ୟାନ୍ୟ ମନୁଷ୍ୟୋପଯୋଗୀ ଖାଦ୍ୟ ଏମାନେ ଛଡ଼ାଇ ନେଇଯିବାର ନଜୀର ରହିଛି ଓ ମନୁଷ୍ୟ ହାତରୁ ଖାଦ୍ୟ ଖାଇବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।[୨୩] ହନୁ ମାଙ୍କଡ଼ମାନେ କ୍ୱଚିତ୍ ପାଣି ପିଅନ୍ତି; କାରଣ ତାଙ୍କ ଶରୀରର ଅଧିକାଂଶ ଜଳୀୟ ଅଂଶ ସେମାନେ ନିଜ ଖାଦ୍ୟରୁ ପାଇଯାନ୍ତି ।[୨୪]
ସାମାଜିକ ବ୍ୟବହାର
[ସମ୍ପାଦନା]ହନୁ ମାଙ୍କଡ଼ମାନଙ୍କୁ ୩ ପ୍ରକାରର ଦଳରେ ବସବାସ କରିବା ଦେଖାଯାଇଛି:
- ଏକ-ଅଣ୍ଡିରା ଦଳ : ଏପରି ଦଳରେ ଗୋଟିଏ ମାତ୍ର ବୟସ୍କ ଅଣ୍ଡିରା ମୁଖିଆ ମାଙ୍କଡ଼ ରହିଥାଏ ଓ ତାହା ସହିତ ଅନେକ ମାଈ ତଥା ଶିଶୁ ମାଙ୍କଡ଼ ରହନ୍ତି
- ବହୁ-ଅଣ୍ଡିରା ଦଳ : ଏପରି ଦଳରେ ଭିନ୍ନ ଭିନ୍ନ ବୟସର ଅନେକ ଅଣ୍ଡିରା ଓ ମାଈ ମାଙ୍କଡ଼ ଦେଖିବାକୁ ମିଳନ୍ତି
- ସବୁ-ଅଣ୍ଡିରା ଦଳ : ଏପରି ଦଳରେ ମାଈ ମାଙ୍କଡ଼ ନଥାନ୍ତି ।[୨୫][୨୬]
ସବୁ-ଅଣ୍ଡିରା ଦଳର ସଦସ୍ୟ ସଂଖ୍ୟା କମ୍ ହୋଇପାରେ ଓ ଏଥିରେ ଭିନ୍ନ ବୟସର ଅଣ୍ଡିରା ମାଙ୍କଡ଼ ଥାଇପାରନ୍ତି । ମିଶ୍ରିତ ବହୁ-ଅଣ୍ଡିରା ଓ ଏକ–ଅଣ୍ଡିରା ଦଳ ଅଧିକାଂଶରେ ଦେଖିବାକୁ ମିଳେ ।[୨୫]
କେତେକ ଦୃଷ୍ଟାନ୍ତରୁ ଜାଣିବାକୁ ମିଳିଛି ଯେ ବଳ-ପୂର୍ବକ ଅନ୍ୟ ଦଳକୁ ଅକ୍ତିଆର କରିବା ସମୟରେ ସାମୟିକ ଭାବେ ବହୁ-ଅଣ୍ଡିରା ଦଳମାନ ଗଢ଼ି ଉଠେ କିନ୍ତୁ ସମୟ କ୍ରମେ ଏହା ବିଭାଜିତ ହୋଇ ଏକ-ଅଣ୍ଡିରା ଓ ସବୁ-ଅଣ୍ଡିରା ଦଳ ତିଆରି ହୁଏ ।[୨୭]
ସବୁ ପ୍ରକାରର ଦଳରେ ସାମାଜିକ ଅନୁକ୍ରମ ରହିଥାଏ ।[୨୮][୨୯] ସବୁ-ଅଣ୍ଡିରା ଦଳରେ ସଂଘର୍ଷରେ ବିଜୟ ହାସଲ କରି ଦଳ ଉପରେ ପ୍ରଭୁତ୍ୱ ଓ ଏକାକୀ ମାଈ ମାଙ୍କଡ଼ ସହିତ ସଂଭୋଗର ଅଧିକାର ହାସଲ କରାଯାଏ ।[୩୦] ଯଦି ଦଳରେ ଅନେକ ପ୍ରଜନନକ୍ଷମ ମାଈ ମାଙ୍କଡ଼ ଥାନ୍ତି, ତେବେ ମାଈ ମାଙ୍କଡ଼ମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଓ ବୟସକୁ ଆଧାର କରି କ୍ରମ ନିର୍ଦ୍ଧାରିତ ହୋଇଥାଏ ।[୩୧][୩୨] ଯୁବାବସ୍ଥାରେ ରହିଥିବା ମାଈ ମାଙ୍କଡ଼ମାନେ ତାଙ୍କ ଦଳରେ ଉଚ୍ଚ କ୍ରମରେ ରହିଥାନ୍ତି । ଉଚ୍ଚ କ୍ରମର ମାଙ୍କଡ଼ମାନେ ନିଜ ପ୍ରଭୁତ୍ୱ ପ୍ରଦର୍ଶନ କରି ଦେଖାଇ ହେବା ଓ ଅନ୍ୟମାନଙ୍କୁ ବାରମ୍ବାର ସତର୍କତା ସୂଚନାପୂର୍ବକ ଜଣାଇବା ସବୁ ଦଳରେ ଏକ ଦୈନନ୍ଦିନ ଘଟଣା ।[୨୯] ଦଳ ଅଧିକାର ବା ବଦଳି ହେଲେ ଅଣ୍ଡିରା ମାଙ୍କଡ଼ମାନଙ୍କ ଅନୁକ୍ରମରେ ସର୍ବାଧିକ ପରିବର୍ତ୍ତନ ଦେଖାଦିଏ । ନିର୍ଦ୍ଦିଷ୍ଟ ମାଙ୍କଡ଼ଟିଏ ୪୫ ଦିନ ପର୍ଯ୍ୟନ୍ତ ଏକ-ଅଣ୍ଡିରା ଦଳର ମୁଖିଆ ହୋଇ ରହିପାରେ ।[୩୩] ଦଳର ଗଠନ ଅନୁସାରେ ଏହାର ମୁଖିଆ କେତେ ଶୀଘ୍ର ପରିବର୍ତ୍ତନ ହେବ ତାହା ନିର୍ଭର କରେ ।[୩୪]
ଏକ ଦଳର ଏକାଧିକ ମାଈ ମାଙ୍କଡ଼ ଗୋଟିଏ ମା’ଠାରୁ ଜନ୍ମ ଗ୍ରହଣ କରିଥାଇ ପାରନ୍ତି ଓ ପରସ୍ପରର ଭଉଣୀ ପରି । ବଡ଼ ଦଳରେ ଏହାର ସମ୍ଭାବନା କମ୍ ।[୨୬][୩୧] ମାଈ ମାଙ୍କଡ଼ମାନଙ୍କ ମଧ୍ୟରେ ସାଧାରଣତଃ ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ଦେଖିବାକୁ ମିଳେ । ସେମାନେ ପରସ୍ପର ସହିତ ଖାଦ୍ୟ ଅନ୍ୱେଷଣ, ଯାତ୍ରା ଓ ବିଶ୍ରାମ କରିଥାନ୍ତି । କ୍ରମ ନିର୍ବିଶେଷରେ ସେମାନେ ପରସ୍ପରର ଯତ୍ନ ନେଇଥାନ୍ତି । କିନ୍ତୁ ସର୍ବୋଚ୍ଚ-କ୍ରମର ମାଈମାନେ ବଳ-ପୂର୍ବକ ଅନ୍ୟ ମାଈ ମାଙ୍କଡ଼ମାନଙ୍କଠାରୁ ଯତ୍ନ ଓ ସେବା ଲାଭ କରିଥାନ୍ତି ।[୩୫] ମାଈ ମାଙ୍କଡ଼ମାନେ ଅଣ୍ଡିରା ମାଙ୍କଡ଼ମାନଙ୍କ ଯତ୍ନ ଓ ସେବା କରୁଥିବା ବେଳେ ଏହାର ବିପରୀତ ଖୁବ୍ କମ୍ ଦେଖିବାକୁ ମିଳେ ।[୩୬] ଅଣ୍ଡିରା ଓ ମାଈମାନଙ୍କ ସମ୍ପର୍କ ପ୍ରାୟତଃ ଭଲ ହିଁ ଥାଏ । ଦୁଇଟି ଅଣ୍ଡିରା ମାଙ୍କଡ଼ ମଧ୍ୟରେ ଥିବା ସମ୍ପର୍କ ଶାନ୍ତିପୂର୍ଣ୍ଣ ବା ପରସ୍ପରର ଘୋର ବିରୋଧୀ ମଧ୍ୟ ହୋଇପାରେ । ମାଈମାନେ ଗୋଟିଏ ଦଳରେ ରହିବା ପସନ୍ଦ କରୁଥିବା ବେଳେ ଅଣ୍ଡିରା ମାଙ୍କଡ଼ମାନେ ପୂର୍ଣ୍ଣ ବିକଶିତ ହେଲା ପରେ ଦଳ ଛାଡ଼ି ଚାଲିଯାଆନ୍ତି ।[୨୬] ଦୁଇଟି ଅଜଣା ଦଳ ମଧ୍ୟରେ ସର୍ବଦା ପ୍ରତିଦ୍ୱନ୍ଦିତା ଓ ବିରୋଧାଭାସ ଦେଖିବାକୁ ମିଳେ । ଉଚ୍ଚ କ୍ରମର ଅଣ୍ଡିରାମାନେ ଅନ୍ୟ ଦଳକୁ ଶବ୍ଦ, ଭାବଭଙ୍ଗୀର ପ୍ରଦର୍ଶନ କରି ଓ ପରସ୍ପର ମଧ୍ୟରେ ଲଢ଼େଇ କରି ଡରାଇବାକୁ ଚେଷ୍ଟା କରନ୍ତି ।
ପ୍ରଜନନ ଓ ଶିଶୁ ପାଳନ
[ସମ୍ପାଦନା]ଏକ-ଅଣ୍ଡିରା ଦଳରେ ଅଣ୍ଡିରା ମୁଖିଆ ମାଙ୍କଡ଼ ଦଳର ସବୁ ମାଈଙ୍କ ସହିତ ପ୍ରଜନନ ପ୍ରକ୍ରିୟାରେ ଲିପ୍ତ ଥାଏ । ବହୁ-ଅଣ୍ଡିରା ଦଳରେ ଉଚ୍ଚ-କ୍ରମର ଅଣ୍ଡିରା ମାଙ୍କଡ଼ମାନେ ମୁଖ୍ୟତଃ ଶିଶୁମାନଙ୍କ ପିତା ହୋଇଥାନ୍ତି, ତା’ପରେ ନିମ୍ନ ପଦସ୍ଥ ଅଣ୍ଡିରାମାନଙ୍କୁ ସୁଯୋଗ ମିଳେ ଓ ସମୟେ ସମୟେ ବାହାର ଦଳର ଅଣ୍ଡିରାମାନେ ମଧ୍ୟ ପ୍ରଜନନ ପ୍ରକ୍ରିୟାରେ ଯୋଗଦାନ କରନ୍ତି ।[୩୭] ଉଚ୍ଚ-କ୍ରମର ମାଈ ମାଙ୍କଡ଼ମାନେ ଦଳର ନିମ୍ନ-କ୍ରମର ମାଈମାନଙ୍କ ତୁଳନାରେ ଅଧିକ ପ୍ରଜନନକ୍ଷମ ।[୩୨]
ମାଈ ମାଙ୍କଡ଼ମାନେ ପ୍ରଜନନଶୀଳ ହେବାର ପ୍ରଦର୍ଶନ ନ କଲେ ମଧ୍ୟ ଅଣ୍ଡିରା ମାଙ୍କଡ଼ମାନେ କେଉଁ କେଉଁ ମାଈ ମାଙ୍କଡ଼ ପ୍ରଜନନୋପଯୋଗୀ ତାହା ଜାଣି ପାରନ୍ତି ।[୩୮] ମାଈ ମାଙ୍କଡ଼ମାନେ ମୁଣ୍ଡ ହଲାଇ, ଲାଞ୍ଜ ତଳକୁ କରି ବା ନିଜର ପଶ୍ଚାତ୍ ଭାଗ ଦେଖାଇ ଅଣ୍ଡିରା ମାଙ୍କଡ଼କୁ ପ୍ରେମ କରିବାର ସହମତି ପ୍ରଦାନ କରନ୍ତି ।[୩୯] ଅବଶ୍ୟ ଏପରି ଭାବଭଙ୍ଗୀ ସର୍ବଦା ରତିକ୍ରୀଡ଼ାରେ ସମାପ୍ତ ହୁଏ ବୋଲି କହି ହେବ ନାହିଁ । ହନୁ ମାଙ୍କଡ଼ମାନେ ପ୍ରେମକ୍ରୀଡ଼ାରେ ମଜ୍ଜି ରହିଥିବା ବେଳେ ଦଳର ଅନ୍ୟ ସଦସ୍ୟମାନେ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଥାନ୍ତି ।[୩୩] ମାଈ ମାଙ୍କଡ଼ମାନେ ମଧ୍ୟ କ୍ରୀଡ଼ାଭଙ୍ଗୀରେ ଅନ୍ୟ ମାଈ ମାଙ୍କଡ଼ ଉପରକୁ ଚଢ଼ିଥାନ୍ତି ।[୪୦]
ଯୋଧପୁର ଅଞ୍ଚଳରେ ହନୁ ମାଙ୍କଡ଼ମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ୨୦୦ ଦିନ । କେତେକ ଅଞ୍ଚଳରେ ହନୁ ମାଙ୍କଡ଼ମାନେ ବର୍ଷ ତମାମ ପ୍ରଜନନ କରୁଥାନ୍ତି ।[୩୯] ମନୁଷ୍ୟ ଆଖରେ ପାଖରେ ରହୁଥିବା ହନୁ ମାଙ୍କଡ଼ଙ୍କଠାରେ ଏହି ପ୍ରବୃତ୍ତି ଦେଖିବାକୁ ମିଳେ । ଅନ୍ୟ ହନୁ ମାଙ୍କଡ଼ମାନେ ପ୍ରଜନନ ଋତୁ ଅନୁଯାୟୀ ପ୍ରଜନନ କରିଥାନ୍ତି ।[୩୩]
ଶିଶୁ ହତ୍ୟା ହନୁ ମାଙ୍କଡ଼ମାନଙ୍କ ଏକ ସାଧାରଣ ପ୍ରବୃତ୍ତି । କୌଣସି ଅଣ୍ଡିରା ମାଙ୍କଡ଼ ଏକ ଦଳର ମୁଖିଆକୁ ଘଉଡ଼ାଇ ନୂଆ ମୁଖିଆ ହେଲେ ସେ ଦଳର ସମସ୍ତ ଶାବକଙ୍କୁ ହତ୍ୟା କରିଦେଇଥାଏ । ନିଜଠାରୁ ଜାତ ଶାବକ ଛଡ଼ା ଏହି ଅଣ୍ଡିରାମାନେ ଅନ୍ୟ ସବୁ ଶାବକଙ୍କ ହତ୍ୟା କରିପକାନ୍ତି ।[୪୧] ଏକ ସମୟରେ କେବଳ ଜଣେ ଅଣ୍ଡିରା ପ୍ରେମ ଅଧିକାର ପାଉଥିବାରୁ ଏକ-ଅଣ୍ଡିରା ଦଳରେ ଶିଶୁ ହତ୍ୟା ସର୍ବାଧିକ ପରିଲକ୍ଷିତ ହୁଏ । ବହୁ-ଅଣ୍ଡିରା ଦଳରେ କେହି ଅଣ୍ଡିରା ଶିଶୁ ହତ୍ୟାର ମନ ବଳାଇଲେ ମଧ୍ୟ ଶିଶୁମାନଙ୍କୁ ନିଜ ପିତାଠାରୁ ସୁରକ୍ଷା ମିଳୁଥିବାରୁ ଓ ଅନେକ ଅଣ୍ଡିରା ମାଙ୍କଡ଼ଙ୍କ ଉପସ୍ଥିତିରେ ପ୍ରେମ କରିବାର ଅଧିକାର ମିଳିବା କଷ୍ଟ ହୋଇଥିବାରୁ ଶିଶୁ ମୃତ୍ୟୁ ହାର କମିଯାଏ । ଶାବକର ହତ୍ୟା କଲେ ମାଈ ମାଙ୍କଡ଼ ପୁଣି ପ୍ରଜନନୋପଯୋଗୀ ହୋଇଥାଏ ଓ ରତିକ୍ରୀଡ଼ାର ସୁଯୋଗ ସୃଷ୍ଟି ହୁଏ ବୋଲି ଅଣ୍ଡିରା ମାଙ୍କଡ଼ମାନେ ଶାବକଙ୍କୁ ହତ୍ୟା କରନ୍ତି ।[୪୨]
ସାଧାରଣତଃ ମାଈ ମାଙ୍କଡ଼ମାନେ ଗୋଟିଏ ବା ଅତି ବେଶୀରେ ଯମଜ ସନ୍ତାନଙ୍କୁ ଜନ୍ମ ଦିଅନ୍ତି । ପ୍ରାୟତଃ ରାତ୍ରି ସମୟରେ ଶାବକମାନେ ଜନ୍ମ ହୋଇଥାନ୍ତି ।[୪୩] ନବଜାତ ଶିଶୁମାନ ପତଳା, ଗାଢ଼ ମାଟିଆ/କଳା/ଅବସନ୍ନ ପୀତ ରଙ୍ଗର ହୋଇଥାନ୍ତି । ଶାବକମାନେ ଜନ୍ମର ପ୍ରଥମ ସପ୍ତାହ ନିଜ ମା’କୁ ଜାବୁଡ଼ି ଧରି ରହନ୍ତି, ମା’ଠାରୁ ସ୍ତନ୍ୟପାନ କରନ୍ତି ଓ ଶୋଇ ରହନ୍ତି ।[୪୪] ଜୀବନର ପ୍ରଥମ ଦୁଇ ସପ୍ତାହ ସେମାନେ ବେଶୀ ଚଳପ୍ରଚଳ ହୁଅନ୍ତି ନାହିଁ । ଜନ୍ମର ଷଷ୍ଠ ସପ୍ତାହ ବେଳକୁ ଏମାନେ ନାନା ଶବ୍ଦ କରିବା ଆରମ୍ଭ କରନ୍ତି ।[୪୫] ସେମାନେ ଭୟରେ ଚିତ୍କାର କରି ନିଜ ମନ ଅବସ୍ଥା ଜଣାନ୍ତି । ପରବର୍ତ୍ତୀ ମାସମାନଙ୍କରେ ଶିଶୁମାନେ ଚାରି ଗୋଡ଼ ସହାୟତାରେ ଚଲାବୁଲା କରିବା ଆରମ୍ଭ କରନ୍ତି ଓ ଦ୍ୱିତୀୟ-ତୃତୀୟ ମାସ ବେଳକୁ ଧାଇଁବା, କୁଦିବା, ଲମ୍ଫ ମାରିବା ଆରମ୍ଭ କରନ୍ତି । ସମଗ୍ର ଦଳ ଶିଶୁମାନଙ୍କୁ ମିଳିମିଶି ଲାଳନପାଳନ କରନ୍ତି, ଅନ୍ୟ ମାଙ୍କଡ଼ମାନେ ଦୁଇ ବର୍ଷ ହେଲେ ଶାବକଙ୍କୁ ପାଳନରେ ସହଯୋଗ କରନ୍ତି ଓ ଅନ୍ୟ ମାଈ ମାଙ୍କଡ଼ଙ୍କ ତତ୍ତ୍ୱାବଧାନରେ ରହନ୍ତି । ଅଧିକାଂଶ ସମୟରେ ମା’ ମରିଗଲେ ଶିଶୁ ମଧ୍ୟ ମୃତ୍ୟୁବରଣ କରିଥାଏ ।[୪୪] ହନୁ ମାଙ୍କଡ଼ମାନେ ୧୩ ମାସରେ ମା’ କ୍ଷୀର ଖାଇବା ଛାଡ଼ି ଦିଅନ୍ତି ।
ଶବ୍ଦ ସଂକେତ
[ସମ୍ପାଦନା]ହନୁ ମାଙ୍କଡ଼ମାନେ ବିଭିନ୍ନ ପ୍ରକାରର ଶବ୍ଦ ଓ ଧ୍ୱନିଦ୍ୱାରା ଯୋଗାଯୋଗ ବା କଥୋପକଥନ କରିଥାନ୍ତି :[୪୬][୪୭]
- ବଡ଼ ପାଟିରେ “ହୁ-ହୁ” ଶବ୍ଦ କରି ଅନ୍ୟମାନଙ୍କ ସାମନାରେ ନିଜର ପ୍ରଭୁତ୍ୱ ପ୍ରଦର୍ଶନ କରିବା;
- କର୍କଷ ଭୁକିବା ବା ଖିଙ୍କାରିବା ଶବ୍ଦଦ୍ୱାରା ଆଗନ୍ତୁକ ହିଂସ୍ରଜନ୍ତୁ ବିଷୟରେ ସତର୍କ ସୂଚନା ଦେବା;
- କାଶ ସଦୃଶ ଭୁକି ଦଳକୁ ଆଗକୁ ବଢ଼ିବାର ସୂଚନା ବା ଆଦେଶ ଦେବା;
- ଝଗଡ଼ା ସମୟରେ ବା ଦଳ ଆଗକୁ ବଢ଼ିବା ବେଳେ ଅସନ୍ତୋଷଜନକ କାମ କରୁଥିବା ସଦସ୍ୟ ଉପରେ ରାଗରେ ଗରଗର ହୋଇ ଭୁକିବା;
- ରାଗରେ ଚପା ଗଳାରେ ଘୁଡ଼ୁରୁ ଘୁଡ଼ୁରୁ ହେବା;
- ଦୁଇଟି ଦଳ ପରସ୍ପର ସହିତ କଥା ହେବା ବେଳେ ଧଁସଁ ହେଲା ଭଳି ଭୁକିବା;
- ବିଭିନ୍ନ ପରିସ୍ଥିତିରେ ଗରଗର ହେବା ଭଳି ଧ୍ୱନି;
- ଦୁଇଟି ଦଳ ପରସ୍ପର ସହିତ କଥା ହେବା ବେଳେ “ହଂକ୍-ହଂକ୍” ଧ୍ୱନି କରିବା;
- ମିଳନ, ଆଲିଙ୍ଗନ ବା ଉପରେ ଚଢ଼ିବା ବେଳେ ଘୁଡ଼ୁରୁ ଘୁଡ଼ୁରୁ ହେବା;
- ଅନ୍ୟ ଏକ ଦଳର ସନ୍ଧାନ ପାଇଲେ ହାକୁଟି ମାରିଲା ଭଳି ଶବ୍ଦ କରିବା ।
ସଂରକ୍ଷଣ ସ୍ଥିତି
[ସମ୍ପାଦନା]କେତେକ ଅଞ୍ଚଳରେ ହନୁ ମାଙ୍କଡ଼ମାନଙ୍କ ସଂଖ୍ୟା ପ୍ରାୟ ସ୍ଥିର ରହିଥିବା ବେଳେ ଆଉ କେତେକ ସ୍ଥାନରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।[୪୮] ଉଭୟ କୃଷ୍ଣପଦ ହନୁ ମାଙ୍କଡ଼ ଓ କାଶ୍ମୀରୀ ହନୁ ମାଙ୍କଡ଼ଙ୍କ ସ୍ଥିତି ସଙ୍କଟାପନ୍ନ ଅବସ୍ଥାରେ ରହିଛି ।[୬][୪୯] ସମୁଦାୟ ୨୫୦ ସଂଖ୍ୟାବିଶିଷ୍ଟ କାଶ୍ମୀରୀ ହନୁ ମାଙ୍କଡ଼, ହନୁ ମାଙ୍କଡ଼ମାନଙ୍କର ଏକ ଅତି ବିରଳ ଉପ-ପ୍ରଜାତି ଅଟନ୍ତି ।[୬]
ଭାରତରେ ହନୁ ମାଙ୍କଡ଼ମାନଙ୍କ ସଂଖ୍ୟା ପ୍ରାୟ ୩୦୦୦୦୦ ।[୫୦] ହନୁ ମାଙ୍କଡ଼ଙ୍କୁ ଧରିବା ବା ଶିକାର କରିବା ଭାରତୀୟ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ, କିନ୍ତୁ ତଥାପି ଭାରତର କିଛି ଅଞ୍ଚଳରେ ଏମାନଙ୍କର ଶିକାର କରାଯାଏ ।[୯] ଏପରି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇ ପାରିନାହିଁ ଓ ଅଧିକାଂଶ ଲୋକ ମଧ୍ୟ ଏହି ଆଇନ ସମ୍ପର୍କରେ ଜାଣି ନାହାନ୍ତି ।[୫୧] ଏତତ୍ ବ୍ୟତୀତ ଖଣି, ବଣନିଆଁ ଓ ଜଙ୍ଗଲ ଉଚ୍ଛେଦ ଯୋଗୁଁ ଏହି ମାଙ୍କଡ଼ମାନଙ୍କ ସଂଖ୍ୟା ହ୍ରାସ ପାଉଛି ।[୫୨]
ହନୁ ମାଙ୍କଡ଼ମାନେ ସଡ଼କ କଡ଼ରେ ଚଳପ୍ରଚଳ କରିବା ଓ ଗାଡ଼ି ତଳେ ଆସି ଦୁର୍ଘଟଣାରେ ପ୍ରାଣ ହରାଇବା ମଧ୍ୟ ଦେଖାଯାଇଛି । ଏହା ସଂରକ୍ଷିତ ଅଞ୍ଚଳରେ ମଧ୍ୟ ଘଟିବାର ଦେଖାଯାଏ; ରାଜସ୍ଥାନର କୁମ୍ଭାଲଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟରେ ହନୁ ମାଙ୍କଡ଼ ମୃତ୍ୟୁର ଏକ-ଚତୁର୍ଥାଂଶ ମୃତ୍ୟୁର କାରଣ ହେଉଛି ସଡ଼କ ଦୁର୍ଘଟଣା ।[୫୩] ହିନ୍ଦୁମାନେ ହନୁ ମାଙ୍କଡ଼କୁ ଏକ ପବିତ୍ର ଜୀବଭାବେ ପରିଗଣିତ କରିଥାନ୍ତି । ତେଣୁ ହିନ୍ଦୁ ପୂଜକମାନେ କେତେକ ମନ୍ଦିର ପାଖରେ ଏମାନଙ୍କୁ ରଖିବା ଦେଖାଯାଇଛି । ଆଉ କେତେକ ଲୋକ ଭାଗ୍ୟୋଦୟ ତଥା ବିପଦରୁ ଦୂରେଇ ରହିବା ପାଇଁ ହନୁ ମାଙ୍କଡ଼ଙ୍କ ଶରୀରର ଅଂଶକୁ ତାବିଜ ଆକାରରେ ଧାରଣ କରନ୍ତି, ସେମାନଙ୍କ ମାଂସ ଖାଆନ୍ତି ଓ ସେମାନଙ୍କ ଶରୀରର ଅଂଶରୁ ଔଷଧ ତିଆରି କରନ୍ତି ।[୫୪]
ହନୁ ମାଙ୍କଡ଼ମାନେ ପବିତ୍ର ବୋଲି ଧାର୍ମିକ ବିଶ୍ୱାସ ରହିଥିବାରୁ ଓ ଏହି ମାଙ୍କଡ଼ମାନେ ଅତି ଆକ୍ରାମକ ହୋଇନଥିବାରୁ ଏମାନଙ୍କୁ ପୋଷା ମନାଇ ବା ବାନ୍ଧି ରଖାଯାଏ ନାହିଁ । କିନ୍ତୁ ମାଙ୍କଡ଼ମାନଙ୍କ କାର୍ଯ୍ୟକଳାପ ଯୋଗୁଁ ଅନେକ ସ୍ଥାନରେ ଏହି ଉଦାର ମନୋଭାବରେ ବ୍ୟତିକ୍ରମ ଦେଖାଦିଏ । ହନୁ ମାଙ୍କଡ଼ମାନେ ଦଳବଦ୍ଧ ଭାବେ ଫସଲ ଖାଇଯାଆନ୍ତି ଓ ଘରେ ପଶି ମନୁଷ୍ୟଙ୍କ ଖାଦ୍ୟ ଲୁଟି ନେଇଯାନ୍ତି । ତେଣୁ କେତେକ କ୍ଷେତ୍ରରେ ଲୋକେ ଏମାନଙ୍କୁ ଆକ୍ରମଣ କରିବା ଦେଖାଯାଏ ।[୫୫] ମନ୍ଦିରରେ ମଣିଷମାନେ ହନୁ ମାଙ୍କଡ଼ଙ୍କୁ ଖୁଆଉଥିବା ବେଳେ ହନୁ ମାଙ୍କଡ଼ ଘରେ ପଶିଲେ ସମାନ ସହିଷ୍ଣୁତା ଦେଖାନ୍ତି ନାହିଁ ।[୫୬] ସହରାଞ୍ଚଳରେ ହନୁ ମାଙ୍କଡ଼ମାନେ ଖାଦ୍ୟ ଚୋରି କରିବା, ଖାଦ୍ୟ ଛଡ଼ାଇ ନେବା, ଖାଦ୍ୟ ପାଇଁ ମଣିଷଙ୍କୁ କାମୁଡ଼ିବା ପରି କାର୍ଯ୍ୟକଳାପ ମଣିଷଙ୍କୁ ଏମାନଙ୍କ ବିରୋଧରେ ଉତ୍ତ୍ୟକ୍ତ କରାଇବାର ଅନ୍ୟତମ କାରଣ ।[୫୭]
କିମ୍ବଦନ୍ତୀ, ସଂସ୍କୃତି ଓ ସାଧାରଣ ଜୀବନରେ ହନୁ ମାଙ୍କଡ଼
[ସମ୍ପାଦନା]ରାମାୟଣ ଓ ମହାଭାରତ କାବ୍ୟର ହନୁମାନ ଚରିତ୍ର ଜଣେ ବାନରରୂପୀ ଭଗବାନ ଥିଲେ । ହିନ୍ଦୁ ଧର୍ମାବଲମ୍ବୀମାନେ ହନୁମାନଙ୍କୁ ପ୍ରଭୁ ଶ୍ରୀରାମଙ୍କ ଶ୍ରେଷ୍ଠ ଭକ୍ତ ତଥା ଭଗବାନ ଶିବଙ୍କ ଅବତାର ରୂପେ ପୂଜା କରିଥାନ୍ତି । ବାଲ୍ୟକାଳରେ ଉଦିତ ସୂର୍ଯ୍ୟଙ୍କୁ ଫଳ ଭାବି ଅଞ୍ଜନେୟ ତାଙ୍କୁ ଖାଇଦେବା ପାଇଁ ମହାକାଶକୁ ଲମ୍ଫ ପ୍ରଦାନ କରିଥିଲେ । ସୂର୍ଯ୍ୟଦେବଙ୍କ ଅନୁରୋଧ କ୍ରମେ ଦେବରାଜ ଇନ୍ଦ୍ର ଅଞ୍ଜନେୟଙ୍କୁ ରୋକିବା ପାଇଁ ବଜ୍ରର ପ୍ରୟୋଗ କରିଥିଲେ । ଏହି ବଜ୍ରର ପ୍ରୟୋଗରେ ଅଞ୍ଜନେୟଙ୍କ ଥୋଡ଼ିର ହାଡ଼ ବା ହନୁ ହାଡ଼ ଭାଙ୍ଗିଯାଇଥିବାରୁ ପରବର୍ତ୍ତୀ ସମୟରେ ସେ “ହନୁମାନ” ନାମରେ ଖ୍ୟାତ ହୋଇଥିଲେ । ହନୁମାନଙ୍କୁ ବଳ, ଶକ୍ତି ତଥା ସଙ୍କଟ ମୋଚକ ସ୍ୱରୂପରେ ହିନ୍ଦୁମାନେ ପୂଜା କରନ୍ତି । ଏପରି ଧାର୍ମିକ ବିଶ୍ୱାସ ଯୋଗୁଁ ଅନେକ ସ୍ଥାନରେ ମଣିଷମାନେ ହନୁ ମାଙ୍କଡ଼ମାନଙ୍କୁ ପବିତ୍ର ବୋଲି ଭାବନ୍ତି ଓ ସେମାନଙ୍କୁ ଖାଦ୍ୟ ଖୁଆଇଥାନ୍ତି । କର୍ଣ୍ଣାଟକର ବିଦର ଗଡ଼ରେ, ଉଜ୍ଜୈନର କାଳ ଭୈରବୀ ମନ୍ଦିରରେ ଭକ୍ତମାନେ ହନୁ ମାଙ୍କଡ଼ମାନଙ୍କୁ ଖୁଆଇବା ଦେଖିବାକୁ ମିଳେ ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Groves, C. P. (2005). Wilson, D. E.; Reeder, D. M (eds.). Mammal Species of the World (3rd ed.). Baltimore: Johns Hopkins University Press. pp. 174–175. OCLC 62265494. ISBN 0-801-88221-4.
{{cite book}}
: Invalid|ref=harv
(help) - ↑ ୨.୦ ୨.୧ ୨.୨ ୨.୩ Groves C. (2001). Primate taxonomy. Smithsonian Institution Press. ISBN 1-56098-872-X
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Brandon-Jones D (2004). "A taxonomic revision of the langurs and leaf monkeys (Primates: Colobinae) of South Asia" (PDF). Zoos' Print Journal. 19 (8): 1552–1594. doi:10.11609/jott.zpj.971.1552-94. Archived from the original (PDF) on 2018-06-02. Retrieved 2018-01-06.
- ↑ ୪.୦ ୪.୧ ୪.୨ Osterholz, M.; Walter, L.; Roos, C. (2008). "Phylogenetic position of the langur genera Semnopithecus and Trachypithecus among Asian colobines, and genus affiliations of their species groups". BMC Evolutionary Biology. 8: 58. doi:10.1186/1471-2148-8-58. PMC 2268674. PMID 18298809.
{{cite journal}}
: Unknown parameter|last-author-amp=
ignored (|name-list-style=
suggested) (help)CS1 maint: unflagged free DOI (link) - ↑ ୫.୦ ୫.୧ Kumar, A.; Yongzu, Z.; Molur, S. (2008). "Semnopithecus schistaceus". The IUCN Red List of Threatened Species. IUCN. 2008: e.T39840A10275563. doi:10.2305/IUCN.UK.2008.RLTS.T39840A10275563.en. Retrieved 24 December 2017.
{{cite journal}}
: Unknown parameter|last-author-amp=
ignored (|name-list-style=
suggested) (help) - ↑ ୬.୦ ୬.୧ ୬.୨ ୬.୩ Groves, C.P.; Molur, S. (2008). "Semnopithecus ajax". The IUCN Red List of Threatened Species. IUCN. 2008: e.T39833A10274370. doi:10.2305/IUCN.UK.2008.RLTS.T39833A10274370.en. Retrieved 24 December 2017.
{{cite journal}}
: Unknown parameter|last-author-amp=
ignored (|name-list-style=
suggested) (help) - ↑ Karanth, P. (2010). "Molecular systematics and conservation of the langurs and leaf monkeys of South Asia". Journal of Genetics. 89 (4): 393–399. doi:10.1007/s12041-010-0057-3.
- ↑ Molur, S.; Singh, M.; Kumar, A. (2008). "Semnopithecus priam". The IUCN Red List of Threatened Species. IUCN. 2008: e.T135440A4128558. doi:10.2305/IUCN.UK.2008.RLTS.T135440A4128558.en. Retrieved 24 December 2017.
{{cite journal}}
: Unknown parameter|last-author-amp=
ignored (|name-list-style=
suggested) (help) - ↑ ୯.୦ ୯.୧ Nag, C.; Karanth, P. (2011). "Taxonomic Implications of a Field Study of Morphotypes of Hanuman Langurs (Semnopithecus entellus) in Peninsular India" (PDF). International Journal of Primatology. 32 (4): 830–848. doi:10.1007/s10764-011-9504-0.
- ↑ Nag, C.; Praveen, K. K.; Vasudeva, G. K. (2014). "Delineating Ecological Boundaries of Hanuman Langur Species Complex in Peninsular India Using MaxEnt Modeling Approach". PLoS ONE. 9 (2): e87804. Bibcode:2014PLoSO...987804C. doi:10.1371/journal.pone.0087804. PMC 3912124. PMID 24498377.
{{cite journal}}
: CS1 maint: unflagged free DOI (link) - ↑ Roonwal, M.L., Mohnot, S.M. (1977) Primates of South Asia: ecology, sociobiology, and behavior. Harvard University Press, Cambridge (MA)
- ↑ Oppenheimer, J.R. (1977) "Presbytis entellus, the Hanuman langur". In: Rainier III (Grimaldi) Prince of Monaco, Bourne, G.H. (eds.) Primate conservation. New York: Academic Press ISBN 0-12-576150-3
- ↑ Bennett, E.L., Davies, A.G. (1994) "The ecology of Asian colobines". In: Davies, A.G., Oates, J.F. (eds.) Colobine monkeys: their ecology, behaviour and evolution. Cambridge University Press. pp. 129–171 ISBN 0-521-33153-6.
- ↑ Waite, T.A.; Chhangani, A.K.; Campbell, L.G.; Rajpurohit, L.S.; Mohonot, S.M. (2007). "Sanctuary in the city: urban monkeys buffered against catastrophic die-off during ENSO-related drought". EcoHealth. 4 (3): 278–286. doi:10.1007/s10393-007-0112-6.
- ↑ Roonwal, M.L (1984). Tail form and carriage in Asian and other primates, and their behavioral and evolutionary significance. Current primate research. Jodhpur University Press. pp. 93–151.
- ↑ ୧୬.୦ ୧୬.୧ Burnie D and Wilson DE (Eds.), Animal: The Definitive Visual Guide to the World's Wildlife. DK Adult (2005), ISBN 0-7894-7764-5
- ↑ Ripley S. (1967). "The leaping of langurs: a problem in the study of locomotor adaptation". Am J Phys Anthropol. 26 (2): 149–70. doi:10.1002/ajpa.1330260206.
- ↑ Sharma SK (2002). "High-tension electric poles used as a night roost by troops of Hanuman langur Presbytes [sic] entellus at Nahargarh Wildlife Sanctuary, Jaipur". J Bombay Nat Hist Soc. 99 (1): 103.
- ↑ Ramakrishnan U, Coss RG (2001). "A comparison of the sleeping behavior of three sympatric primates". Folia Primatol. 72 (1): 51–3. doi:10.1159/000049922. PMID 11275752.
- ↑ Punekar, S.A. (2002). "Some food plants of Hanuman langur Semnopithecus entellus (Dufresne) in the western Ghats of Maharashtra, India" (PDF). Zoos' Print Journal. 17 (6): 797–801. doi:10.11609/jott.zpj.17.6.797-801. Archived from the original (PDF) on 2017-08-11. Retrieved 2018-01-06.
- ↑ Boggess, JE. (1976) "Social behavior of the Himalayan langur (Presbytis entellus) in eastern Nepal". PhD dissertation, University of California, Berkeley.
- ↑ Srivastava, A. (1991). "Insectivory and its significance to langur diets". Primates. 32 (2): 237–241. doi:10.1007/BF02381181.
- ↑ Vogel, C. (1977) "Ecology and sociology of Presbytis entellus. In: Prasad, M.R.N., Anand Kumar, T.C. (eds.) Use of non-human primates in biomedical research. International Symposium held in New Delhi, India, November 1975. Indian National Science Academy, New Delhi. pp. 24–45.
- ↑ Starin, E.D. (1978). "A preliminary investigation of home range use in the Gir Forest langur". Primates. 19 (3): 551–568. doi:10.1007/BF02373316.
- ↑ ୨୫.୦ ୨୫.୧ Rajpurohit, L.S. (1992). "Origin and composition of the unisexual unit — an all-male band in Hanuman langur, Presbytis entellus, around Jodhpur, India". Prim Rep. 34: 47–52.
- ↑ ୨୬.୦ ୨୬.୧ ୨୬.୨ Newton P. (1994). "Social stability and change among forest Hanuman langurs (Presbytis entellus)". Primates. 35 (4): 489–498. doi:10.1007/BF02381957.
- ↑ Mathur, R.; Manohar, B.R. (1990). "Density of Macaca mulatta and Presbytis entellus in the old city of Jaipur: a three year survey". Applied Animal Behaviour Science. 27 (4): 351–361. doi:10.1016/0168-1591(90)90130-6.
- ↑ Srivastava, A.; Mohnot, S.M. (1992). "Existence of multimale troops and their transformation into unimale troops in Hanuman langurs". Prim Rep. 34: 71–75.
- ↑ ୨୯.୦ ୨୯.୧ Rajpurohit, D.S.; Rajpurohit, L.S. (2005). "Displacement interactions-the determinants of dominance hierarchy in Hanuman langur, Semnopithecus entellus around Jodhpur (India)". Journal Adv Zoology. 26 (2): 64–68.
- ↑ Rajpurohit, L.S.; Chhangani, A.K.; Rajpurohit, R.S.; Bhaker, N.R.; Rajpurohit, D.S.; Sharma, G. (2008). "Recent observation on resident male change followed by infanticide in Hanuman langurs (Semnopithecus entellus) around Jodhpur". Prim Rep. 75: 33–40.
- ↑ ୩୧.୦ ୩୧.୧ Koenig, A. (2000). "Competitive regimes in forest-dwelling Hanuman langur females (Semnopithecus entellus)". Behav Ecol Sociobiol. 48 (2): 93–109. doi:10.1007/s002650000198.
- ↑ ୩୨.୦ ୩୨.୧ Borries, C.; Sommer, V.; Srivastava, A. (1991). "Dominance, age, and reproductive success in free-ranging female Hanuman langurs (Presbytis entellus)". Int J Primatology. 12 (3): 231–257. doi:10.1007/BF02547586.
- ↑ ୩୩.୦ ୩୩.୧ ୩୩.୨ Newton, P.N. (1987). "The social organization of Hanuman langurs (Presbytis entellus)". International Journal of Primatology. 8 (3): 199–232. doi:10.1007/BF02735173.
- ↑ Rajpurohit, L.S.; Chhangani, A.K.; Rajpurohit, R.S.; Mohnot, S.M. (2003). "Observation of a sudden resident-male replacement in a unimale bisexual troop of Hanuman langurs, Semnopithecus entellus, around Jodhpur (India)". Folia Primatol. 74 (2): 85–87. doi:10.1159/000070002. PMID 12778910.
- ↑ Borries, C.; Sommer, V.; Srivastava, A. (1994). "Weaving a tight social net: allogrooming in a free-ranging female langurs (Presbytis entellus)". International Journal of Primatology. 15 (3): 421–443. doi:10.1007/BF02696102.
- ↑ Ahsan, M.F.; Khan, M.A.R. (2006). "Eco-ethology of the common langur Semnopithecus entellus (Dufresne) in Bangladesh". University Journal of Zoology, Rajshahi University. 25: 3–10. doi:10.3329/ujzru.v25i0.317.
- ↑ Launhardt, K.; Borries, C.; Hardt, C.; Epplen, J.T.; Winkler, P. (2001). "Paternity analysis of alternative male reproductive routes among the langurs (Semnopithecus entellus) of Ramnagar". Animal Behaviour. 61 (1): 53–64. doi:10.1006/anbe.2000.1590. PMID 11170696.
- ↑ Ostner, J.; Chalise, M.K.; Koenig, A.; Launhardt, K.; Nikolei, J.; Podzuweit, D.; Borries, C. (2006). "What hanuman langur males know about female reproductive status". American Journal of Primatology. 68 (7): 701–712. doi:10.1002/ajp.20260. PMID 16786522.
- ↑ ୩୯.୦ ୩୯.୧ Sommer, V.; Srivastava, A.; Borries, C. (1992). "Cycles, sexuality, and conception in free-ranging langurs (Presbytis entellus)". American Journal of Primatology. 28 (1): 1–27. doi:10.1002/ajp.1350280102.
- ↑ Sommer, V., Schauer, P., Kyriazis, D. (2006) "A wild mixture of motivations: same-sex mounting in Indian langur monkeys". In: Sommer, V., Vasey, P.L. (eds.) Homosexual behaviour in animals: an evolutionary perspective. Cambridge University Press. pp. 238–372 ISBN 0-521-86446-1.
- ↑ Borries, C., Koenig A. (2000) "Infanticide in hanuman langurs: social organization, male migration, and weaning age". In: van Schaik, C.P., Janson, C.H. (eds.) Infanticide by males and its implications. Cambridge University Press. pp. 99–122 ISBN 0-521-77498-5.
- ↑ Borries, C. (1997). "Infanticide in Seasonally Breeding Multimale Groups of Hanuman Langurs" (Presbytis entellus) in Ramnagar". Behavioral Ecology and Sociobiology. 41 (3): 139–150. doi:10.1007/s002650050373.
- ↑ Agoramoorthy, G. (1992). "Reproductive biology of the Hanuman langur Presbytis entellus in Jodhpur, western India". Journal of the Bombay Natural History Society. 89 (1): 84–93.
- ↑ ୪୪.୦ ୪୪.୧ Sugiyama Y. (1965). "Behavioral development and social structure in two troops of Hanuman langurs (Presbytis entellus)". Primates. 6 (2): 213–247. doi:10.1007/BF01730967.
- ↑ Dolhinow, P.; Murphy, G. (1982). "Langur monkey (Presbytis entellus) development: the first 3 months of life". Folia Primatologica. 39 (3–4): 305–331. doi:10.1159/000156082.
- ↑ Bhaker, N.R.; Rajpurohit, D.S.; Rajpurohit, LS. (2004). "Vocalization in Hanuman langur, Semnopithecus entellus around Jodhpur, Rajasthan". Uttar Pradesh Journal of Zoology. 24 (3): 227–233.
- ↑ Hohmann, G. (1989). "Comparative study of vocal communication in two Asian leaf monkeys, Presbytis johnii and Presbytis entellus". Folia Primatologica. 52 (1–2): 27–57. doi:10.1159/000156380.
- ↑ Srinivasulu C, Nagulu V (2001). "Status of primates in Andhra Pradesh". ENVIS Bull: Wildl Protec Area. 1 (1): 109–12.
- ↑ Singh, M.; Molur, S. (2008). "Semnopithecus hypoleucos". The IUCN Red List of Threatened Species. IUCN. 2008: e.T39838A10275235. doi:10.2305/IUCN.UK.2008.RLTS.T39838A10275235.en. Retrieved 24 December 2017.
{{cite journal}}
: Unknown parameter|last-author-amp=
ignored (|name-list-style=
suggested) (help) - ↑ Mukherjee RP (2001). "Status and conservation of non-human primates in India". ENVIS Bull: Wildl Protec Area. 1 (1): 136–7.
- ↑ Choudhury A. (2001). "Primates in northeast India: an overview of their distribution and conservation status". ENVIS Bull: Wildl Protec Area. 1 (1): 92–101.
- ↑ Rao RJ, Bhatnagar A (2001). "Primates of the Amarkantak forests, Madhya Pradesh". ENVIS Bull: Wildl Protec Area. 1 (1): 120–3.
- ↑ Chhangani AK (2004). "Killing of Hanuman langur (Semnopithecus entellus) in road accidents in Kumbhalgarh Wildlife Sanctuary, Rajasthan, India". Prim Rep. 69: 49–57.
- ↑ Ahmed A. (2001). "Illegal trade, and utilization of primates in India" (PDF). ENVIS Bull:Wildl Protec Area. 1 (1): 177–84.[permanent dead link]
- ↑ Chaudhuri S, Murmu A, Talukder B, Alfred JR (2004). "A population survey of Hanuman langurs in the district of Purulia, west Bengal". Rec Zool Surv India. 103 (3–4): 47–54.
- ↑ Manohar BR. (1999) "Jaipur monkeys-perspective of ecology and management". Sharma BD, editor. Indian wildlife resources ecology and development. Daya Pub House: Delhi. pp. 153–7 ISBN 81-7035-202-9.
- ↑ Pirta RS, Gadgil M, Kharshikar AV (1997). "Management of the rhesus monkey Macaca mulatta and Hanuman langur Presbytis entellus in Himachal Pradesh, India". Biol Conserv. 79 (1): 97–106. doi:10.1016/0006-3207(95)00131-X.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- Kurt Gron (28 October 2008). "Gray langur Semnopithecus". Primate Info Net. Retrieved 30 September 2010.
- Shah Jahan. "Save Earth Series – Hanuman Langur".