ରମାଦେବୀ ଚୌଧୁରୀ
ରମାଦେବୀ ଚୌଧୁରୀ | |
---|---|
ଜନ୍ମ | |
ମୃତ୍ୟୁ | ୨୨ ଜୁଲାଇ ୧୯୮୫ | (ବୟସ ୮୫)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ସ୍ୱାଧୀନତା ସଂଗ୍ରାମୀ |
ବୈବାହିକ-ସାଥୀ | ଗୋପବନ୍ଧୁ ଚୌଧୁରୀ |
ସନ୍ତାନ | ମନମୋହନ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା |
ପିତାମାତା | ଗୋପାଳ ବଲ୍ଲଭ ଦାସ (ବାପା) |
ସମ୍ପର୍କୀୟ | ଉତ୍କଳଗୌରବ ମଧୁସୂଦନ ଦାସ (ବଡ଼ ବାପା) |
ରମାଦେବୀ ଚୌଧୁରୀ (୩ ଡିସେମ୍ବର ୧୮୯୯–୨୨ ଜୁଲାଇ ୧୯୮୫) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । ମଧୁସୂଦନ ଦାସ ତାଙ୍କର ବଡ଼ ବାପା ଥିଲେ ଓ ତାଙ୍କ ଜୀବନସାଥୀ ଗୋପବନ୍ଧୁ ଚୌଧୁରୀ ତଥା ଦୁଇସନ୍ତାନ ମନମୋହନ ଚୌଧୁରୀ ଓ ଅନ୍ନପୂର୍ଣ୍ଣା ମହାରଣା ସ୍ୱାଧୀନତା ସଂଗ୍ରାମୀ ଥିଲେ ।
ଜୀବନୀ
[ସମ୍ପାଦନା]୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସ୍ୟରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ "ବେଲ" ବୋଲି ଡାକୁଥିଲେ । ଗୋପାଳ ବଲ୍ଲଭ ତତ୍କାଳୀନ କଲେକ୍ଟର ଥିଲେ ଓ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ କାର୍ଯ୍ୟକରିଥିଲେ । ରମାଦେବୀ ବିଦ୍ୟାଳୟ ଶିକ୍ଷାଲାଭ କରିପାରିନଥିଲେ । ତେବେ ସେ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଆଦି ଭାଷାରେ ଅଭୀଜ୍ଞ ଥିଲେ ।
ପରିବାର
[ସମ୍ପାଦନା]୧୯୧୪ ମସିହା ଅପ୍ରେଲ ମାସରେ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଓକିଲ ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ କରିଥିଲେ । ଗୋପବନ୍ଧୁ ଥିଲେ କଟକର ପ୍ରସିଦ୍ଧ ଓକିଲ ତଥା ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କ ପୁଅ । ସେ ଓ ଡେପୁଟି କଲେକ୍ଟର ପଦବୀ ଛାଡ଼ି ଗୋପବନ୍ଧୁ ସ୍ୱଦେଶୀ ଆନ୍ଦୋଳନରେ ଯୋଗଦେଇଥିଲେ । ପରେ ରମାଦେବୀଙ୍କ ଦିଅର ନବକୃଷ୍ଣ, ଯା' ମାଳତୀ, ପୁଅ ମନମୋହନ, କନ୍ୟା ଅନ୍ନପୂର୍ଣ୍ଣା ଏହି ଆନ୍ଦୋଳନରେ ଯୋଗଦେଇଥିଲେ।
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ
[ସମ୍ପାଦନା]୧୯୨୧ ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ କଟକ କାଠଯୋଡ଼ି ବାଲି ଓ ବିନୋଦ ବିହାରୀ ପରିସରରେ ଦୁଇଗୋଟି ସାଧାରଣ ସମାବେଶରେ ଯୋଗଦେଇ ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ ଓ ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧୀଙ୍କ ଭାଷଣରେ ପ୍ରଭାବିତ ହୋଇ ନିଜର ୨୦୦ ଭରି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ଦ୍ରବ୍ୟ ସ୍ୱରାଜ ପାଣ୍ଠିକୁ ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ । ବଂଗଲକ୍ଷ୍ମୀ ପ୍ରେସର ଶାଢ଼ୀ, ଖଦୀବସ୍ତ୍ର ଓ ସ୍ୱଦେଶୀ ବସ୍ତ୍ର ଆଜୀବନ ପରିଧାନ କରିବା ପାଇଁ ସଂକଳ୍ପ କରିଥିଲେ ।
ରମାଦେବୀ ୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ "ପୁରୀ ହରିଜନ ସମାବେଶ" ସହ ଜଗନ୍ନାଥ ମନ୍ଦିର ଆଗରେରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ମୁଖ୍ୟ ଦାୟିତ୍ୱ ନେଇଥିଲେ । ୧୯୨୫ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ମହାତ୍ମା ଗାନ୍ଧୀ ମଧୁସୂଦନ ଦାସଙ୍କ କଟକ ବାସଭବନରେ ରହିବା ବେଳେ ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ଯ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ । କଟକ ରହଣି ସମୟରେ ମଧୁସୂଦନଙ୍କ ସଞ୍ଚାଳିତ କୁଟୀର ଶିଳ୍ପ, ତାରକସୀ ଶିଳ୍ପ, ଚମଡ଼ା ଶିଳ୍ପ କେନ୍ଦ୍ରଗୁଡ଼ିକ ଦେଖି ଗାନ୍ଧୀ ପ୍ରଭାବିତ ହୋଇଥିଲେ । କଟକରେ କୁଷ୍ଠାଶ୍ରମ ପ୍ରତିଷ୍ଠା, ଦଳିତ ମଙ୍ଗଳ କାର୍ଯ୍ୟ ଗାନ୍ଧୀ ଆରମ୍ଭ କରିଥିଲେ । ରମାଦେବୀ ତାଙ୍କ ସଙ୍ଗେ ରହି ଗାନ୍ଧିଙ୍କ ହିନ୍ଦୀ ଭାଷଣର ଓଡ଼ିଆ ଅନୁବାଦ ସମସ୍ତଙ୍କୁ ଶୁଣାଉଥିଲେ । ମଧୁସୂଦନ ଓ ଗାନ୍ଧିଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଓ୍ୱାର୍ଦ୍ଧା ଆଶ୍ରମ ଶୈଳୀରେ ବରି ଆଶ୍ରମ ଗଢ଼ିଥିଲେ । ରମାଦେବୀଙ୍କ କାମକୁ ରୋକିବା ପାଇଁ ବ୍ରିଟିଶ ସରକାର ୧୯୩୦ ନଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ ପାଇଁ କଟକ ଜେଲରେ ରଖିଥିଲେ । ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ହେତୁ ଇଂରେଜ ସରକାର ରମାଦେବୀ ଓ ଗୋପବନ୍ଧୁଙ୍କୁ ଦୁଇ ବର୍ଷ ପାଇଁ ଜେଲଦଣ୍ଡ ଦେଲେ । ଭାରତ ସ୍ୱାଧୀନ ହେବା ପରେ ଉଭୟ ଦମ୍ପତି କୌଣସି ଚାକିରି କରିନଥିଲେ । ୧୯୫୫ ମସିହା ବିନୋବା ଭାବେନଲ ଭୂଦାନ ଆନ୍ଦୋଳନରେ ରମାଦେବୀ ମୁଖ୍ୟ ଭୂମିକା ନିଭାଇଥିଲେ ।
୧୯୫୮ ମସିହା ଏପ୍ରିଲ ୨୯ ସ୍ୱାମୀ ଗୋପବନ୍ଧୁଙ୍କ ଦେହାନ୍ତ ହୋଇଥିଲା । ୧୯୬୨ ଚୀନ ଭାରତ ଯୁଦ୍ଧ ସମୟରେ ନିଜେ ସେବାଦଳ ଧରି ଅସୁବିଧା ଭୋଗୁଥିବା ଭାରତୀୟ ଜବାନମାନଙ୍କ ସେବା କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଜରୁରିକାଳୀନ ପରିସ୍ଥିତିର ମୁକାବିଲା କରିଥିବା ଜୟପ୍ରକାଶ ନାରାୟଣଙ୍କୁ ସମର୍ଥନ କରି ଭୁବନେଶ୍ୱରରେ ଏକ ବିଶାଳ ସମାବେଶ କରାଇଥିଲେ ।
ମୃତ୍ୟୁ
[ସମ୍ପାଦନା]୧୯୮୫ ମସିହା ଜୁଲାଇ ୨୨ଦିନ ରମାଦେବୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ବିଶ୍ୱମ୍ଭରନାଥ ପାଣ୍ଡେ କହିଥିଲେ, "ସେ ଓଡ଼ିଆ ଜାତିର ମା' ନଥିଲେ, ମୋର ମଧ୍ୟ ମା' ଥିଲେ" ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ତାଙ୍କୁ ଶ୍ରଦ୍ଧଞ୍ଜଳି ଜଣାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ମିଳିଥିଲା । ତାଙ୍କ ସ୍ମରଣରେ ଏକ ତଟରକ୍ଷୀ ଜାହାଜର ନାମ "ମା' ରମାଦେବୀ" ରଖାଯାଇଥିଲା । ଭୁବନେଶ୍ୱରରେ ତାଙ୍କ ନାମରେ ରମାଦେବୀ ମହିଳା ମହାବିଦ୍ୟାଳୟ ସ୍ଥାପନା କରାଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ଦେଇଥିଲା । ତାଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ନେତୃତ୍ତ୍ୱ ଲାଗି ଯମୁନାଲାଲ ବଜାଜ ପୁରସ୍କାର ମିଳିଥିଲା । [୧][୨]
ଆଧାର
[ସମ୍ପାଦନା]- ↑ "Jamnalal Bajaj Awards Archive". Jamnalal Bajaj Foundation.
- ↑ British Empire Leprosy Relief Association. Indian Council; Hind Kusht Nivaran Sangh (1 January 1982). Leprosy in India. Hind Kusht Nivaran Sangh. Retrieved 22 April 2011.. JAMNALAL BAJAJ AWARDS, 1981 The Jamnalal Bajaj Awards are given every year for outstanding contributions in any one or more ... Award III was awarded to Smt. Ramadevi Gopabandhu Choudhuri ofCuttackfor her outstanding contribution to the ...
ଅଧିକ ତଥ୍ୟ
[ସମ୍ପାଦନା]- Ma Rama Devi Biography at Rama Devi Women's college website.
- Rama Devi : An Epitome of Women Emancipation Archived 2009-04-10 at the Wayback Machine. Govt. of Orissa website
- Rama Devi : The New Light Among the Women Freedom Fighters of Modern Orissa (Orissa Review, Govt. of Orissa website
- http://bkpublication.in/books/odisha-reference-yearbook.html Archived 2016-06-12 at the Wayback Machine.
Autobiography of Ramadevi : Jibana Pathe