ବିଜୁଳି ଶାଙ୍କୁଚ

ଉଇକିପିଡ଼ିଆ ରୁ
(Electric Rayରୁ ଲେଉଟି ଆସିଛି)
Jump to navigation Jump to search

ବିଜୁଳି ଶାଙ୍କୁଚ
ଜୀବାଶ୍ମ କାଳ: Eocene–Recent[୧]
Torpedo marmorata2.jpg
ଟୋର୍ପିଡୋ ମାର୍ମୋରାଟା ବିଜୁଳି ଶାଙ୍କୁଚ
Fish4345 - Flickr - NOAA Photo Library.jpg
ସାନ ବିଜୁଳି ଶାଙ୍କୁଚ (ନାର୍ସିନ୍ ବାଂକ୍ରୋଫ୍ଟି)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
Class: Chondrichthyes
Order: Torpediniformes
ଜାତି: Torpediniformes
ବାଇନୋମିଆଲ ନାମ
Torpediniformes
ଡନ୍ ଫର୍ଣ୍ଣାଣ୍ଡୋ ଡି ବୁଏନ୍ ଇ ଲୋଜାନୋ, ୧୯୨୬
Families

ବିଜୁଳି ଶାଙ୍କୁଚ (ଇଂରାଜୀ ଭାଷାରେ Electric Rays) ଟୋର୍ପିଡିନିଫୋର୍ମିସ୍ ବର୍ଗର ଶାଙ୍କୁଚ ଜାତୀୟ ଜଳଜୀବ । ନିଜର ଶିକାରକୁ କିଛି କ୍ଷଣ ଅଚଳ କରିବା ପାଇଁ କିମ୍ବା ନିଜ ପ୍ରତିରକ୍ଷା ପାଇଁ ଏମାନେ ନିଜ ଶରୀରରୁ ୮ରୁ ୨୨୦ ଭୋଲ୍‍ଟ୍ ବିଭବଯୁକ୍ତ ବିଦ୍ୟୁତ ଶକ୍ତି ସୃଷ୍ଟି କରିବାର ସାମର୍ଥ୍ୟ ରଖନ୍ତି ।[୨] ୬୯ ଜାତିର ଏହି ଜୀବମାନଙ୍କୁ ବିଭିନ୍ନ ୪ଟି ପରିବାରରେ ବିଭକ୍ତ କରାଯାଇଥାଏ । ଏହି ସମସ୍ତଙ୍କ ମଧ୍ୟରେ ବୋଧହୁଏ ଟୋର୍ପିଡୋ ପ୍ରଜାତି (ଇଂରାଜୀରେ କ୍ରାମ୍ପ୍ ଫିଶ୍ ବା ନମ୍ବ୍ ଫିଶ୍) ସବୁଠାରୁ ଅଧିକ ଜଣାଶୁଣା । ଏହି ଶାଙ୍କୁଚର ନାମରୁ ‘‘ଟୋର୍ପିଡ଼ୋ’’ (ଜାହାଜ ବୁଡ଼ାଇବା ପାଇଁ ଜଳପୃଷ୍ଠ ତଳେ ପ୍ରୟୋଗ କରାଯାଉଥିବା କ୍ଷେପଣାସ୍ତ୍ର) ଶବ୍ଦର ସୃଷ୍ଟି ହୋଇଛି । ମୂଳ ଲାଟିନ୍ ଶବ୍ଦ ଟୋର୍ପିରେ (torpere)ର ଅର୍ଥ ହେଉଛି ଅଚଳ ବା ଜଡ଼ ପାଲଟିଯିବା । ବିଜୁଳି ଶାଙ୍କୁଚ ସଂସ୍ପର୍ଶରେ ଆସିଲେ ଏପରି ହେଉଥିବାରୁ ଏପରି ନାମକରଣ କରାଯାଇଛି ।

ବିବରଣୀ[ସମ୍ପାଦନା]

ବିଜୁଳି ଶାଙ୍କୁଚମାନଙ୍କ ଦେହର ଛାତିରେ ଏକ ଗୋଲାକାର ମାଂସପେଶୀ ଫଳକ ରହିଥାଏ । ଶରୀରର ପାର୍ଶ୍ୱରେ ଦୁଇଟି ଡେଣା ସଦୃଶ ଅଙ୍ଗ ରହିଥାଏ । ଏମାନଙ୍କ ଲାଞ୍ଜଟି ମାଂସଳ, ମୋଟା ଏବଂ ଏଥିରେ ଏକ ସୁବିକଶିତ ଡେଣା ପରି ଉପ-ଅଙ୍ଗ ମଧ୍ୟ ରହିଥାଏ । ଏମାନଙ୍କ ଦେହ ମୋଟା ଓ ଚର୍ବିଳ, ଚର୍ମ ନରମ ଓ ଢିଲା ଯେଉଁଥିରେ କଣ୍ଟା, ଦାନ୍ତ ବା ଥଣ୍ଟ ପରି ଅଙ୍ଗ ନଥାଏ । ବୃକକ୍ ଆକାରର ଦୁଇଟି ବିଦ୍ୟୁତ ଉତ୍ପନ୍ନକାରୀ ଅଙ୍ଗ ଛାତି ନିକଟସ୍ଥ ଡେଣାର ମୂଳ ନିକଟରେ ରହିଥାନ୍ତି । ଏମାନଙ୍କ ନାସାଗ୍ରଟି ଓସାରିଆ; ନାର୍ସିନିଡାଏଙ୍କ କ୍ଷେତ୍ରରେ ଏହା ବଡ଼ ହୋଇଥିବା ବେଳେ ଅନ୍ୟ ବିଜୁଳି ଶାଙ୍କୁଚଙ୍କ କ୍ଷେତ୍ରରେ ଅପେକ୍ଷାକୃତ ଭାବେ କ୍ଷୁଦ୍ରାକାର । ଫଳକର ନିମ୍ନ ଭାଗରେ ଏହି ଶାଙ୍କୁଚର ପାଟି, ନାକ ଓ ଯୋଡ଼ା ଯୋଡ଼ା ହୋଇ ୫ଟି ସ୍ଥାନରେ ଗାଲିସି ରନ୍ଧ୍ର ରହିଥାନ୍ତି ।[୨][୩]

ସମୁଦ୍ରକୂଳରେ ପ୍ରାୟ ୧୦୦୦ ମିଟର୍ ଗଭୀରତା ପର୍ଯ୍ୟନ୍ତ ପାଣିରେ ବିଜୁଳି ଶାଙ୍କୁଚ ଦେଖିବାକୁ ମିଳନ୍ତି । ଏମାନେ ଧୀର ଗତିସମ୍ପନ୍ନ ଓ ଗତି କରିବା ପାଇଁ ନିଜ ଡେଣା ସଦୃଶ ଅଙ୍ଗ ପରିବର୍ତ୍ତେ ଏମାନଙ୍କ ଲାଞ୍ଜର ଅଧିକ ଭୂମିକା ରହିଥାଏ । କ୍ଷୁଦ୍ର ମାଛ ଓ ଅମେରୁଦଣ୍ଡୀ ଜଳତର ଜୀବ ଏମାନଙ୍କ ପ୍ରମୁଖ ଆହାର । ଏମାନେ ସ୍ଥିରାବସ୍ଥାରେ ସମୁଦ୍ରତଳର ଛଳାବରଣରେ ଛପି ରହିଥାନ୍ତି । ଶିକାର ନିକଟକୁ ଆସିଲେ ବିଦ୍ୟୁତ ଆଘାତଦ୍ୱାରା ତାକୁ କିଛି କ୍ଷଣ ପାଇଁ ଜଡ଼ କରିଦିଅନ୍ତି ଓ ତାହାକୁ ଆହରଣ କରନ୍ତି ।[୪] ଓଡ଼ିଶାର ଚିଲିକା ହ୍ରଦର ନଳବଣ, ଚିଲିକାର ମୁହାଣ ଓ ବାହ୍ୟ ଚ୍ୟାନେଲ୍ ଅଞ୍ଚଳରେ ନାର୍ସିନ୍ ଟିମ୍ଲେଇ (Narcine timlei) ପ୍ରଜାତିର ବିଜୁଳି ଶାଙ୍କୁଚ ଦେଖିବାକୁ ମିଳନ୍ତି ।[୫]

ମନୁଷ୍ୟ ଓ ବିଜୁଳି ଶାଙ୍କୁଚ[ସମ୍ପାଦନା]

ଆବହମାନ ସମୟରୁ ବିଜୁଳି ଶାଙ୍କୁଚଙ୍କ ବୈଦ୍ୟୁତିକ ପ୍ରକୃତି ମନୁଷ୍ୟଙ୍କ ଜ୍ଞାତସାରରେ ରହିଛି । ପ୍ରାଚୀନ କାଳରେ ଗ୍ରୀକ୍‍ମାନେ ଶିଶୁ ପ୍ରସବଜନିତ କଷ୍ଟକୁ ଲାଘବ କରିବା ପାଇଁ ଓ ଅସ୍ତ୍ରୋପଚାର ପାଇଁ ବିଜୁଳି ଶାଙ୍କୁଚଙ୍କ ବ୍ୟବହାର କରୁଥିଲେ ।[୨] ଦ୍ୱନ୍ଦ୍ୱାତ୍ମକ ପ୍ରଶ୍ନ ପଚାରି ସକ୍ରେଟିସ୍ ଲୋକଙ୍କୁ ବିଜୁଳିଶାଙ୍କୁଚ ପରି ଅବାକ୍ କରି ଦେଉଥିବା ବିଷୟରେ ମେନୋଙ୍କ ଅଭିଯୋଗ ପ୍ଲାଟୋ ନିଜ “ମେନୋ” ନାମକ କଥନରେ ଉଲ୍ଲେଖ କରିଥିଲେ ।[୬] ସ୍କ୍ରିବୋନିୟସ୍ ଲାର୍ଗୋସ୍ ନାମକ ଜଣେ ରୋମାନ୍ (ଯବନ) ଚିକିତ୍ସକ ମୁଣ୍ଡବିନ୍ଧାବାତରକ୍ତର ଚିକିତ୍ସାରେ ବିଜୁଳି ଶାଙ୍କୁଚଙ୍କ ବ୍ୟବହାର ୪୬ ଖ୍ରୀଷ୍ଟାବ୍ଦରେ ଲିଖିତ ନିଜ ପୁସ୍ତକ କମ୍ପୋସିଟିଓନେସ୍ ମେଡିକେ (Compositiones Medicae)ରେ ଉଲ୍ଲେଖ କରିଯାଇଛନ୍ତି ।[୭] ବିଜୁଳି ଶାଙ୍କୁଚର ମତ୍ସ୍ୟଜୀବୀ ଓ ମନୁଷ୍ୟଙ୍କୁ ବିନା ଛୁଇଁ ମଧ୍ୟ ବିଦ୍ୟୁତ ଆଘାତଦ୍ୱାରା ଅଚଳ କରିଦେବାକୁ ଏକ କୁହୁକ ଶକ୍ତି ବିବେଚନା କରାଯାଉଥିଲା ଓ ବିଦ୍ୟୁତଶକ୍ତିର ଆବିଷ୍କାର ପୂର୍ବରୁ ଏହା ପ୍ରକୃତିରେ ଦୈବୀଶକ୍ତି ବା କଳାଯାଦୁର ଉପସ୍ଥିତି ସମ୍ପର୍କିତ ଧାରଣାକୁ ଆହୁରି ଦୃଢ଼ୀଭୂତ କରୁଥିଲା ।[୮]

ଜୈବବିଦ୍ୟୁତ[ସମ୍ପାଦନା]

ଦୁଇ ବିଦ୍ୟୁତ ସୃଷ୍ଟିକାରୀ ଅଙ୍ଗ

ସମସ୍ତ ଜୀବଙ୍କ ମଧ୍ୟରେ ବିଜୁଳି ଶାଙ୍କୁଚ ସର୍ବାଧିକ ବିଦ୍ୟୁତ-ସମ୍ବେଦନ ହୋଇଥିବା ଅନୁମାନ କରାଯାଏ । ମୁଣ୍ଡର ଉପରେ ଥିବା ଏମାନଙ୍କ ଆଖି ଦୁଇଟିର ଦୃଷ୍ଟିଶକ୍ତି କ୍ଷୀଣ ହୋଇଥାଏ କିନ୍ତୁ ଏହା ବଦଳରେ ଅନ୍ୟ ଇନ୍ଦ୍ରିୟ ଅଧିକ ସକ୍ରିୟ ଯାହା ବୈଦ୍ୟୁତିକ ପ୍ରକୃତିରେ ମଧ୍ୟ ସାହାଯ୍ୟ କରନ୍ତି । ବିଜୁଳି ଶାଙ୍କୁଚ ପରିବାର ବ୍ୟତୀତ ଅନ୍ୟ ବିଭିନ୍ନ ଶାଙ୍କୁଚ ଓ ଜଳଜୀବଙ୍କ ଲାଞ୍ଜରେ ବୈଦ୍ୟୁତିକ ଅଙ୍ଗ ଥିବା ଦେଖାଯାଏ । କିନ୍ତୁ ବିଜୁଳି ଶାଙ୍କୁଚଙ୍କ ମୁଣ୍ଡର ଦୁଇପଟେ ଗୋଟିଏ ଲେଖାଏଁ ବୈଦ୍ୟୁତିକ ଅଙ୍ଗ ରହିଥାଏ । ଏହି ବୈଦ୍ୟୁତିକ ଅଙ୍ଗରେ ଶରୀରର ପୃଷ୍ଠର ନିମ୍ନାଂଶରୁ ଅପରାଂଶକୁ ବିଦ୍ୟୁତ ପ୍ରବାହ ହୋଇଥାଏ । ୪ଟି କେନ୍ଦ୍ରୀୟ ସ୍ନାୟୁ ଏହି ବୈଦ୍ୟୁତିକ ଅଙ୍ଗର ନିୟନ୍ତ୍ରଣ କରିଥାନ୍ତି । ଏହି ମୁଖ୍ୟ ସ୍ନାୟୁ ବାରମ୍ବାର ବିଭାଜିତ ହୋଇ ବ୍ୟାଟେରୀ ବ୍ୟବସ୍ଥାର ତଳ ପଟଳରେ ସଂଯୁକ୍ତ ହୋଇଥାନ୍ତି । ଏହି ବ୍ୟାଟେରୀ ବ୍ୟବସ୍ଥା ଷଡ଼ଭୂଜାକାର ସ୍ତମ୍ଭମାନଙ୍କରେ ଗଠିତ ହୋଇଥାଏ । ଲୁଣି ପାଣିରେ ରହୁଥିବା ଜୀବଙ୍କ ବ୍ୟାଟେରୀଗୁଡ଼ିକ ସମାନ୍ତରାଳ ଭାବେ ସଂଯୁକ୍ତ ହୋଇଥିବା ସ୍ଥଳେ ମଧୁର ପାଣିର ଜୀବଙ୍କ ବ୍ୟାଟେରୀ କ୍ରମରେ ସଂଯୁକ୍ତ ହୋଇଥାଏ । ତେଣୁ ମଧୁରଜଳର ଜୀବ ସାମୁଦ୍ରିକ ଜୀବଙ୍କ ତୁଳନାରେ ଅଧିକ ବିଦ୍ୟୁତ ଶକ୍ତି ସୃଷ୍ଟି କରିବାର ସାମର୍ଥ୍ୟ ରଖନ୍ତି । ଏପରି ବ୍ୟାଟେରୀ ଯୋଗୁଁ ଏକ ବିଜୁଳି ଶାଙ୍କୁଚ ୫୦-୨୦୦ ଭୋଲ୍‍ଟ୍ ବିଦ୍ୟୁତ ବିଭବ ଓ ୩୦ ଆମ୍ପିୟର୍ ବିଦ୍ୟୁତ୍ ପ୍ରବାହ ସମ୍ପନ୍ନ ବିଦ୍ୟୁତ ଶକ୍ତି ସୃଷ୍ଟି କରିପାରେ ଓ ବଡ଼ ଆକାରର ଶିକାରକୁ ବିଦ୍ୟୁତ ଆଘାତ ଦେଇପାରେ । ୧୧୦-୨୨୦ ଭୋଲ୍‍ଟ୍ ବିଦ୍ୟୁତ ସଂଯୁକ୍ତ ତାରକୁ ପାଣି କୁଣ୍ଡରେ ପକାଇଲେ ଯେଉଁ ପ୍ରକାରର ଆଘାତ ଲାଗିବ ତାହା ସହିତ ଏକ ବିଜୁଳି ଶାଙ୍କୁଚର ହାରାହାରି କ୍ଷମତାକୁ ତୁଳନା କରିହେବ ।

ବର୍ଗୀକରଣ[ସମ୍ପାଦନା]

ପାଖାପାଖି ୬୦ ବିଭିନ୍ନ ବିଜୁଳି ଶାଙ୍କୁଚଙ୍କୁ ୧୨ଟି ଜାତି ଓ ୨ଟି ପରିବାରରେ ବିଭକ୍ତ କରାଯାଇଛି ।[୯] ନାର୍କିନାଏମାନଙ୍କୁ କିଛି ବିଭାଗୀକରଣରେ ନାର୍କିଡାଏ ପରିବାର ବୋଲି ମଧ୍ୟ ବିବେଚନା କରାଯାଇଛି । ଟୋର୍ପିଡାଇନିଡ୍‍ମାନେ ବୃହଦାକାର ଶିକାରକୁ ଅଚଳ କରି ତା’କୁ ସମ୍ପୂର୍ଣ୍ଣ ଭାବେ ଗିଳିବା ଦେଖାଯାଏ, କିନ୍ତୁ ନାର୍ସିନିଡ୍‍ମାନେ ମୁଖ୍ୟତଃ କ୍ଷୁଦ୍ରାକାର ଶିକାର ଖାଇବା ପସନ୍ଦ କରନ୍ତି । ଉଭୟ ଶାଙ୍କୁଚ ନିଜ ପ୍ରତିରକ୍ଷା ପାଇଁ ବିଦ୍ୟୁତ ଆଘାତ ଦିଅନ୍ତି, କିନ୍ତୁ ଖାଇବା ବେଳେ ନାର୍ସିନିଡ୍‍ମାନଙ୍କ ବିଦ୍ୟୁତ ବ୍ୟବହାର ସମ୍ପର୍କୀୟ ତଥ୍ୟ ଅସ୍ପଷ୍ଟ ।[୧୦]

  • ପରିବାର ନାର୍ସିନିଡାଏ
    • ଉପ-ପରିବାର ନାର୍ସିନିନାଏ
      • ଜାତି ବେନ୍ଥୋବେଟିସ୍
      • ଜାତି ଡାଇପ୍ଲୋବେଟିସ୍
      • ଜାତି ଡିସ୍କୋପାଇଜ୍
      • ଜାତି ନାର୍ସିନ୍
    • ଉପ-ପରିବାର ନାର୍କିନାଏ
      • ଜାତି କ୍ରାସିନାର୍କି
      • ଜାତି ଇଲେକ୍ଟ୍ରୋଲକ୍ସ
      • ଜାତି ହେଟେରୋନାର୍ସ୍
      • ଜାତି ନାର୍କି
      • ଜାତି ଟେମେରା
      • ଜାତି ଟାଇଫ୍ଲୋନାର୍କି
  • ପରିବାର ହିପ୍ନିଡାଏ
    • ଉପ-ପରିବାର ହିପ୍ନିନାଏ
      • ଜାତି ହିପ୍ନୋସ୍
  • ପରିବାର ଟୋର୍ପିଡାଇନିଡାଏ
    • ଉପ-ପରିବାର ଟୋର୍ପିଡାଇନିନାଏ
      • ଜାତି ଟେଟ୍ରୋନାର୍ସ୍
      • ଜାତି ଟୋର୍ପିଡୋ

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Froese, Rainer, and Daniel Pauly, eds. (2011). "Torpediniformes" in FishBase. February 2011 version.
  2. ୨.୦ ୨.୧ ୨.୨ Martin, R. Aidan. Electric Rays. ReefQuest Centre for Shark Research. Retrieved on October 12, 2008.
  3. Hamlett, William C. (1999). Sharks, Skates, and Rays: The Biology of Elasmobranch Fishes. Baltimore and London: JHU Press. ISBN 0-8018-6048-2.
  4. Stevens, J.; Last, P.K. (1998). Paxton, J.R.; Eschmeyer, W.N. (eds.). Encyclopedia of Fishes. San Diego: Academic Press. p. 66. ISBN 0-12-547665-5.
  5. "Fish And Shellfish Diversity And Its Sustainable Management in Chilika Lake". ICAR & CDA. Cite journal requires |journal= (help)
  6. Wikisource:Meno
  7. Theodore Holmes Bullock; Carl D. Hopkins; Richard R. Fay (28 September 2006). Electroreception. Springer Science & Business Media. p. 6. ISBN 978-0-387-28275-6.
  8. Copenhaver, Brian P. (September 1991). "A tale of two fishes: Magical objects in natural history from antiquity through the scientific revolution". Journal of the History of Ideas. 52 (3): 373–398. doi:10.2307/2710043.
  9. Nelson, J.S. (2006). Fishes of the World (fourth ed.). John Wiley. pp. 69–82. ISBN 0-471-25031-7.
  10. Compagno, Leonard J.V. and Heemstra, Phillip C. (May 2007) "Electrolux addisoni, a new genus and species of electric ray from the east coast of South Africa (Rajiformes: Torpedinoidei: Narkidae), with a review of torpedinoid taxonomy". Smithiana, Publications in Aquatic Biodiversity, Bulletin 7: 15-49. Retrieved on October 22, 2008.