ଧଳା ଶାଙ୍କୁଚ

ଉଇକିପିଡ଼ିଆ‌ରୁ

ଧଳା ଶାଙ୍କୁଚ
ସୁଲେଈ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
Class: Chondrichthyes
Order: Myliobatiformes
Family: Dasyatidae
Genus: Brevitrygon
ଜାତି: B. walga
ବାଇନୋମିଆଲ ନାମ
Brevitrygon walga
ୟୋହାନେସ୍ ପିଟର୍ ମ୍ୟୂଲର୍ ଓ ଫ୍ରିଏଡ୍ରିଖ୍ ଗୁସ୍ତାଭ ୟାକବ୍ ହେନ୍ଲେ, ୧୮୪୧[୨]
Synonyms[୨]
  • ହିମାଣ୍ଟୁରା ୱାଲ୍‍ଗା (ମ୍ୟୂଲର୍ ଓ ହେନ୍ଲେ, ୧୮୪୧)
  • ହିମାଣ୍ଟୁରା ହେଟେରରସ୍ (ବ୍ଲିକର୍, ୧୮୫୨)
  • ହିମାଣ୍ଟୁରା ନୁଡା (ଗୂନ୍ଥର୍, ୧୮୭୦)
  • ହିମାଣ୍ଟୁରା ଐଲେନ୍‍ବର୍ଗି (ଗିଲ‍ଟେ, ୧୯୩୩)
  • ଟ୍ରାଇଗନ୍ ୱାଲ୍‍ଗା ମ୍ୟୂଲର୍ ଓ ହେନ୍ଲେ, ୧୮୪୧

ଧଳା ଶାଙ୍କୁଚ ବା ସୁଲେଈ (ଇଂରାଜୀ ଭାଷାରେ Dwarf Whipray ବା Mangrove Whipray, ଜୀବବିଜ୍ଞାନ ନାମ Brevitrygon walga) ଏକ କ୍ଷୁଦ୍ରାକୃତି ଶାଙ୍କୁଚ । ଏହି ଜୀବ ଡାସ୍ୟାଟିଡାଏ ପରିବାରର ଶାଙ୍କୁଚ । ଏହି ଶାଙ୍କୁଚ ସମୁଦ୍ରତଳରୁ କିଛି ଉପର ସ୍ତରରେ ଡିମର୍ସାଲ୍ ଜୋନରେ ବିଚରଣ କରେ । ପଶ୍ଚିମ ଓ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରର ବିଭିନ୍ନ ଉପକୂଳ ଅଞ୍ଚଳରେ ଏହି ଶାଙ୍କୁଚ ଦେଖିବାକୁ ମିଳେ । ଓଡ଼ିଶାର ଚିଲିକା ହ୍ରଦରେ ମଧ୍ୟ ଏହି ଶାଙ୍କୁଚ ଦେଖାଯାନ୍ତି ।[୩] IUCN ସଂସ୍ଥା ଏହି ପ୍ରଜାତିର ଶାଙ୍କୁଚଙ୍କୁ “ସଙ୍କଟ ନିକଟବର୍ତ୍ତୀ (Near Threatened)” ଶ୍ରେଣୀରେ ସ୍ଥାନିତ କରିଛି ।

ବିବରଣୀ[ସମ୍ପାଦନା]

ଏହି ଶାଙ୍କୁଚର ସର୍ବାଧିକ ଦୈର୍ଘ୍ୟ ୪୫ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇଥାଏ ।[୨] ଏହାର ପୃଷ୍ଠ ଫଳକର ପ୍ରସ୍ଥ ସାଧାରଣତଃ ୨୪ ସେଣ୍ଟିମିଟର ମାପର ହୋଇଥାଏ ।[୧] ଏହାର ଶରୀର ଅଣ୍ଡାକୃତି ହୋଇଥିବା ସ୍ଥଳେ ନାସିକା ଗୋଜିଆ ହୋଇ ଆଗକୁ ବାହାରିଥାଏ । ଛାଟ ବା ଚାବୁକ ପରି ଥିବା ଏହାର ଲାଙ୍ଗୁଡ଼ର ଦୈର୍ଘ୍ୟ ଶରୀରର ଦୈର୍ଘ୍ୟଠାରୁ ଲମ୍ବା । କିଛି ଧଳା ଶାଙ୍କୁଚର ଲାଞ୍ଜରେ ଚର୍ମର ଏକ ଆସ୍ତରଣ ରହିଥାଏ । ମାଈ ଶାଙ୍କୁଚର ଲାଙ୍ଗୁଡ଼ ଅଣ୍ଡିରା ଶାଙ୍କୁଚର ଲାଙ୍ଗୁଡ଼ଠାରୁ କ୍ଷୁଦ୍ରତର । ଉଭୟ ମାଈ ଓ ଅଣ୍ଡିରା ଶାଙ୍କୁଚର ଲାଞ୍ଜାଗ୍ରରେ ୪-୬ ବିଷାକ୍ତ ଶୁଙ୍କ ବାହାରିଥାଏ । ଏହି ଶାଙ୍କୁଚର ରଙ୍ଗ ଗୋଲାପୀ, ଧଳା ମିଶ୍ରିତ ଫିକା ଗୋଲାପୀ ଆଦି ହୋଇଥାଏ । ଗୋଳିଆ ପାଣିରେ ଏହି ଶାଙ୍କୁଚ ଅଶ୍ୱଖୁରାକୃତି କଙ୍କଡ଼ାର ଭ୍ରମ ସୃଷ୍ଟି କରିପାରେ ।[୪]

ପରିବାସ ଓ ଭୌଗୋଳିକ ବିତରଣ[ସମ୍ପାଦନା]

ଧଳା ଶାଙ୍କୁଚ ପଶ୍ଚିମ-କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦେଖାଯାନ୍ତି । ଥାଇଲ୍ୟାଣ୍ଡ, କାମ୍ବୋଡିଆ, ଭିଏତନାମରୁ ନେଇ ସିଙ୍ଗାପୁର, ମାଲେସିଆ, ଫିଲିପାଇନ୍ସଇଣ୍ଡୋନେସିଆ ପର୍ଯ୍ୟନ୍ତ ଅଞ୍ଚଳରେ ଏହି ଶାଙ୍କୁଚ ବ୍ୟାପ୍ତ । ଭାରତରେ ମଧ୍ୟ ଏହି ପ୍ରଜାତିର ଶାଙ୍କୁଚ ଦେଖିବାକୁ ମିଳନ୍ତି କିନ୍ତୁ ଅନେକ ସମୟରେ ଏମାନଙ୍କୁ କାତିଆ ଶାଙ୍କୁଚ ବୋଲି ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । ବାଲୁକାମୟ ସମୁଦ୍ରତଳରେ ୫୦ ମିଟରରୁ କମ୍ ଗଭୀର ଅଞ୍ଚଳରେ ଏହି ଶାଙ୍କୁଚ ରହନ୍ତି ।[୧]

ଓଡ଼ିଶାର ଚିଲିକାରେ ପ୍ରଥମେ ୨୦୦୮ ମସିହାରେ ଅରଖକୁଦ ନିକଟସ୍ଥ ବାହ୍ୟ ଚ୍ୟାନେଲରେ ଏହି ଶାଙ୍କୁଚ ସଂଗ୍ରହ କରି ତଥ୍ୟ ଲିପିବଦ୍ଧ କରାଯାଇଥିଲା । ବାହ୍ୟ ଚ୍ୟାନେଲ ଛଡ଼ା ଚିଲିକାର ଦକ୍ଷିଣ ଓ କେନ୍ଦ୍ରୀୟ ଭାଗରେ ମଧ୍ୟ ଏହି ଶାଙ୍କୁଚ ଅନେକ ମାତ୍ରାରେ ଦେଖିବାକୁ ମିଳନ୍ତି । ମୌସୁମୀ ପ୍ରବାହ ସମୟରେ ନଳବଣରେ ବହୁ କିଶୋର ଧଳା ଶାଙ୍କୁଚ ବୁଲୁଥିବାର ଦେଖାଯାଏ ।[୩]

ଜୀବ ବୈଜ୍ଞାନିକ ତଥ୍ୟ[ସମ୍ପାଦନା]

ପରିପକ୍ୱତା ହାସଲ କରିବା ବେଳକୁ ଧଳା ଶାଙ୍କୁଚ ୧୭ ମିଟର ପାଖା ପାଖି ଲମ୍ବ ହୋଇଯାଇଥାଏ । ଅଣ୍ଡିରା ଶାଙ୍କୁଚ ଓ ମାଈ ଶାଙ୍କୁଚଙ୍କ ଉଦର ପୃଷ୍ଠ ମଧ୍ୟରେ ସଂସ୍ପର୍ଶ ହୋଇ ମିଳନ କ୍ରିୟା ହୋଇଥାଏ । ଏହି ଶାଙ୍କୁଚ ନିଜ ଶାବକମାନଙ୍କୁ ପ୍ରସବ କରିଥାନ୍ତି ଓ ଏକା ବେଳକେ ୧-୨ଟି ଶାବକଙ୍କୁ ଜନ୍ମ ଦିଅନ୍ତି । ଏମାନଙ୍କ ଗର୍ଭଧାରଣ କାଳ କେତେ ଦିନର ତାହା ସମ୍ପର୍କରେ ତଥ୍ୟ ଅନୁପଲବ୍ଧ । କିନ୍ତୁ ଜନ୍ମ ପୂର୍ବରୁ ଶାବକମାନେ ହିଷ୍ଟୋଟ୍ରୋଫି ପ୍ରକ୍ରିୟା ମାଧ୍ୟମରେ କ୍ଷରିତ ତରଳ ପଦାର୍ଥ ଆହରଣ କରୁଥାନ୍ତି ।[୧] ଚିଲିକାରେ ଶୀତ ଋତୁ ଏହି ଶାଙ୍କୁଚଙ୍କ ପ୍ରଜନନ ସମୟ ।[୩]

ବ୍ୟବହାର[ସମ୍ପାଦନା]

ଅନ୍ୟାନ୍ୟ ଶାଙ୍କୁଚ ଓ ବ୍ୟବସାୟୋପଯୋଗୀ ମାଛ ଧରିବା ସମୟରେ ଧଳା ଶାଙ୍କୁଚ ମଧ୍ୟ ଜାଲରେ ଧରା ପଡ଼ିଯାନ୍ତି କିନ୍ତୁ ଏମାନଙ୍କ ବ୍ୟାବସାୟିକ ମୂଲ୍ୟ ଅତି କମ୍ । ମନୁଷ୍ୟମାନେ ଏମାନଙ୍କୁ ଅନ୍ୟ ମାଛ ପରି ଆହରଣ କରନ୍ତି, କିନ୍ତୁ କ୍ଷୁଦ୍ରାକାର ଯୋଗୁଁ ଏହି ଶାଙ୍କୁଚ ଧରିବା ଉଦ୍ଦେଶ୍ୟରେ କେବେ ଜାଲ ପକାଯାଇନଥାଏ ।[୧]

ସଂରକ୍ଷଣ ସ୍ଥିତି[ସମ୍ପାଦନା]

IUCN ସଂସ୍ଥା ଧଳା ଶାଙ୍କୁଚଙ୍କୁ “ସଙ୍କଟ ନିକଟବର୍ତ୍ତୀ (Near Threatened)” ଶ୍ରେଣୀରେ ଗଣନା କରିଥାଏ । ଏମାନଙ୍କ ପରିବାସରେ ଅତ୍ୟଧିକ ମାଛ ଧରା ଯାଉଥିବାରୁ ଏମାନଙ୍କ ଅସ୍ଥିତ୍ୱ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି । ଏମାନଙ୍କ ସଂଖ୍ୟା ହ୍ରାସ ପାଉଛି ଓ ଜାଲରେ ଧରା ପଡ଼ୁଥିବା ଏହି ଶାଙ୍କୁଚଙ୍କୁ ଲକ୍ଷ୍ୟ କଲେ ଜଣାଯିବ ଯେ ଏମାନଙ୍କ ଆକାର ମଧ୍ୟ କ୍ରମଶଃ ଛୋଟ ହେବାରେ ଲାଗିଛି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ White, W.T.; Manjaji, B.M.; Fahmi; Samiengo, B. (2009). "Brevitrygon walga". Retrieved 2015-05-17. {{cite journal}}: Cite journal requires |journal= (help); Invalid |ref=harv (help)
  2. ୨.୦ ୨.୧ ୨.୨ "Himantura walga (Müller & Henle, 1841)". FishBase. Retrieved 2015-05-18.
  3. ୩.୦ ୩.୧ ୩.୨ "Fish And Shellfish Diversity And Its Sustainable Management in Chilika Lake". ICAR & CDA. {{cite journal}}: Cite journal requires |journal= (help)
  4. "Mangrove whipray: Himantura walga". Wild Singapore. Retrieved 2015-05-18.