ବିଜୁଳି ଶାଙ୍କୁଚ
ବିଜୁଳି ଶାଙ୍କୁଚ | |
---|---|
ଟୋର୍ପିଡୋ ମାର୍ମୋରାଟା ବିଜୁଳି ଶାଙ୍କୁଚ | |
ସାନ ବିଜୁଳି ଶାଙ୍କୁଚ (ନାର୍ସିନ୍ ବାଂକ୍ରୋଫ୍ଟି) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
Class: | Chondrichthyes |
Order: | Torpediniformes |
ଜାତି: | Torpediniformes |
ବାଇନୋମିଆଲ ନାମ | |
Torpediniformes ଡନ୍ ଫର୍ଣ୍ଣାଣ୍ଡୋ ଡି ବୁଏନ୍ ଇ ଲୋଜାନୋ, ୧୯୨୬
| |
Families | |
ବିଜୁଳି ଶାଙ୍କୁଚ (ଇଂରାଜୀ ଭାଷାରେ Electric Rays) ଟୋର୍ପିଡିନିଫୋର୍ମିସ୍ ବର୍ଗର ଶାଙ୍କୁଚ ଜାତୀୟ ଜଳଜୀବ । ନିଜର ଶିକାରକୁ କିଛି କ୍ଷଣ ଅଚଳ କରିବା ପାଇଁ କିମ୍ବା ନିଜ ପ୍ରତିରକ୍ଷା ପାଇଁ ଏମାନେ ନିଜ ଶରୀରରୁ ୮ରୁ ୨୨୦ ଭୋଲ୍ଟ୍ ବିଭବଯୁକ୍ତ ବିଦ୍ୟୁତ ଶକ୍ତି ସୃଷ୍ଟି କରିବାର ସାମର୍ଥ୍ୟ ରଖନ୍ତି ।[୨] ୬୯ ଜାତିର ଏହି ଜୀବମାନଙ୍କୁ ବିଭିନ୍ନ ୪ଟି ପରିବାରରେ ବିଭକ୍ତ କରାଯାଇଥାଏ । ଏହି ସମସ୍ତଙ୍କ ମଧ୍ୟରେ ବୋଧହୁଏ ଟୋର୍ପିଡୋ ପ୍ରଜାତି (ଇଂରାଜୀରେ କ୍ରାମ୍ପ୍ ଫିଶ୍ ବା ନମ୍ବ୍ ଫିଶ୍) ସବୁଠାରୁ ଅଧିକ ଜଣାଶୁଣା । ଏହି ଶାଙ୍କୁଚର ନାମରୁ ‘‘ଟୋର୍ପିଡ଼ୋ’’ (ଜାହାଜ ବୁଡ଼ାଇବା ପାଇଁ ଜଳପୃଷ୍ଠ ତଳେ ପ୍ରୟୋଗ କରାଯାଉଥିବା କ୍ଷେପଣାସ୍ତ୍ର) ଶବ୍ଦର ସୃଷ୍ଟି ହୋଇଛି । ମୂଳ ଲାଟିନ୍ ଶବ୍ଦ ଟୋର୍ପିରେ (torpere)ର ଅର୍ଥ ହେଉଛି ଅଚଳ ବା ଜଡ଼ ପାଲଟିଯିବା । ବିଜୁଳି ଶାଙ୍କୁଚ ସଂସ୍ପର୍ଶରେ ଆସିଲେ ଏପରି ହେଉଥିବାରୁ ଏପରି ନାମକରଣ କରାଯାଇଛି ।
ବିବରଣୀ
[ସମ୍ପାଦନା]ବିଜୁଳି ଶାଙ୍କୁଚମାନଙ୍କ ଦେହର ଛାତିରେ ଏକ ଗୋଲାକାର ମାଂସପେଶୀ ଫଳକ ରହିଥାଏ । ଶରୀରର ପାର୍ଶ୍ୱରେ ଦୁଇଟି ଡେଣା ସଦୃଶ ଅଙ୍ଗ ରହିଥାଏ । ଏମାନଙ୍କ ଲାଞ୍ଜଟି ମାଂସଳ, ମୋଟା ଏବଂ ଏଥିରେ ଏକ ସୁବିକଶିତ ଡେଣା ପରି ଉପ-ଅଙ୍ଗ ମଧ୍ୟ ରହିଥାଏ । ଏମାନଙ୍କ ଦେହ ମୋଟା ଓ ଚର୍ବିଳ, ଚର୍ମ ନରମ ଓ ଢିଲା ଯେଉଁଥିରେ କଣ୍ଟା, ଦାନ୍ତ ବା ଥଣ୍ଟ ପରି ଅଙ୍ଗ ନଥାଏ । ବୃକକ୍ ଆକାରର ଦୁଇଟି ବିଦ୍ୟୁତ ଉତ୍ପନ୍ନକାରୀ ଅଙ୍ଗ ଛାତି ନିକଟସ୍ଥ ଡେଣାର ମୂଳ ନିକଟରେ ରହିଥାନ୍ତି । ଏମାନଙ୍କ ନାସାଗ୍ରଟି ଓସାରିଆ; ନାର୍ସିନିଡାଏଙ୍କ କ୍ଷେତ୍ରରେ ଏହା ବଡ଼ ହୋଇଥିବା ବେଳେ ଅନ୍ୟ ବିଜୁଳି ଶାଙ୍କୁଚଙ୍କ କ୍ଷେତ୍ରରେ ଅପେକ୍ଷାକୃତ ଭାବେ କ୍ଷୁଦ୍ରାକାର । ଫଳକର ନିମ୍ନ ଭାଗରେ ଏହି ଶାଙ୍କୁଚର ପାଟି, ନାକ ଓ ଯୋଡ଼ା ଯୋଡ଼ା ହୋଇ ୫ଟି ସ୍ଥାନରେ ଗାଲିସି ରନ୍ଧ୍ର ରହିଥାନ୍ତି ।[୨][୩]
ସମୁଦ୍ରକୂଳରେ ପ୍ରାୟ ୧୦୦୦ ମିଟର୍ ଗଭୀରତା ପର୍ଯ୍ୟନ୍ତ ପାଣିରେ ବିଜୁଳି ଶାଙ୍କୁଚ ଦେଖିବାକୁ ମିଳନ୍ତି । ଏମାନେ ଧୀର ଗତିସମ୍ପନ୍ନ ଓ ଗତି କରିବା ପାଇଁ ନିଜ ଡେଣା ସଦୃଶ ଅଙ୍ଗ ପରିବର୍ତ୍ତେ ଏମାନଙ୍କ ଲାଞ୍ଜର ଅଧିକ ଭୂମିକା ରହିଥାଏ । କ୍ଷୁଦ୍ର ମାଛ ଓ ଅମେରୁଦଣ୍ଡୀ ଜଳତର ଜୀବ ଏମାନଙ୍କ ପ୍ରମୁଖ ଆହାର । ଏମାନେ ସ୍ଥିରାବସ୍ଥାରେ ସମୁଦ୍ରତଳର ଛଳାବରଣରେ ଛପି ରହିଥାନ୍ତି । ଶିକାର ନିକଟକୁ ଆସିଲେ ବିଦ୍ୟୁତ ଆଘାତଦ୍ୱାରା ତାକୁ କିଛି କ୍ଷଣ ପାଇଁ ଜଡ଼ କରିଦିଅନ୍ତି ଓ ତାହାକୁ ଆହରଣ କରନ୍ତି ।[୪] ଓଡ଼ିଶାର ଚିଲିକା ହ୍ରଦର ନଳବଣ, ଚିଲିକାର ମୁହାଣ ଓ ବାହ୍ୟ ଚ୍ୟାନେଲ୍ ଅଞ୍ଚଳରେ ନାର୍ସିନ୍ ଟିମ୍ଲେଇ (Narcine timlei) ପ୍ରଜାତିର ବିଜୁଳି ଶାଙ୍କୁଚ ଦେଖିବାକୁ ମିଳନ୍ତି ।[୫]
ମନୁଷ୍ୟ ଓ ବିଜୁଳି ଶାଙ୍କୁଚ
[ସମ୍ପାଦନା]ଆବହମାନ ସମୟରୁ ବିଜୁଳି ଶାଙ୍କୁଚଙ୍କ ବୈଦ୍ୟୁତିକ ପ୍ରକୃତି ମନୁଷ୍ୟଙ୍କ ଜ୍ଞାତସାରରେ ରହିଛି । ପ୍ରାଚୀନ କାଳରେ ଗ୍ରୀକ୍ମାନେ ଶିଶୁ ପ୍ରସବଜନିତ କଷ୍ଟକୁ ଲାଘବ କରିବା ପାଇଁ ଓ ଅସ୍ତ୍ରୋପଚାର ପାଇଁ ବିଜୁଳି ଶାଙ୍କୁଚଙ୍କ ବ୍ୟବହାର କରୁଥିଲେ ।[୨] ଦ୍ୱନ୍ଦ୍ୱାତ୍ମକ ପ୍ରଶ୍ନ ପଚାରି ସକ୍ରେଟିସ୍ ଲୋକଙ୍କୁ ବିଜୁଳିଶାଙ୍କୁଚ ପରି ଅବାକ୍ କରି ଦେଉଥିବା ବିଷୟରେ ମେନୋଙ୍କ ଅଭିଯୋଗ ପ୍ଲାଟୋ ନିଜ “ମେନୋ” ନାମକ କଥନରେ ଉଲ୍ଲେଖ କରିଥିଲେ ।[୬] ସ୍କ୍ରିବୋନିୟସ୍ ଲାର୍ଗୋସ୍ ନାମକ ଜଣେ ରୋମାନ୍ (ଯବନ) ଚିକିତ୍ସକ ମୁଣ୍ଡବିନ୍ଧା ଓ ବାତରକ୍ତର ଚିକିତ୍ସାରେ ବିଜୁଳି ଶାଙ୍କୁଚଙ୍କ ବ୍ୟବହାର ୪୬ ଖ୍ରୀଷ୍ଟାବ୍ଦରେ ଲିଖିତ ନିଜ ପୁସ୍ତକ କମ୍ପୋସିଟିଓନେସ୍ ମେଡିକେ (Compositiones Medicae)ରେ ଉଲ୍ଲେଖ କରିଯାଇଛନ୍ତି ।[୭] ବିଜୁଳି ଶାଙ୍କୁଚର ମତ୍ସ୍ୟଜୀବୀ ଓ ମନୁଷ୍ୟଙ୍କୁ ବିନା ଛୁଇଁ ମଧ୍ୟ ବିଦ୍ୟୁତ ଆଘାତଦ୍ୱାରା ଅଚଳ କରିଦେବାକୁ ଏକ କୁହୁକ ଶକ୍ତି ବିବେଚନା କରାଯାଉଥିଲା ଓ ବିଦ୍ୟୁତଶକ୍ତିର ଆବିଷ୍କାର ପୂର୍ବରୁ ଏହା ପ୍ରକୃତିରେ ଦୈବୀଶକ୍ତି ବା କଳାଯାଦୁର ଉପସ୍ଥିତି ସମ୍ପର୍କିତ ଧାରଣାକୁ ଆହୁରି ଦୃଢ଼ୀଭୂତ କରୁଥିଲା ।[୮]
ଜୈବବିଦ୍ୟୁତ
[ସମ୍ପାଦନା]ସମସ୍ତ ଜୀବଙ୍କ ମଧ୍ୟରେ ବିଜୁଳି ଶାଙ୍କୁଚ ସର୍ବାଧିକ ବିଦ୍ୟୁତ-ସମ୍ବେଦନ ହୋଇଥିବା ଅନୁମାନ କରାଯାଏ । ମୁଣ୍ଡର ଉପରେ ଥିବା ଏମାନଙ୍କ ଆଖି ଦୁଇଟିର ଦୃଷ୍ଟିଶକ୍ତି କ୍ଷୀଣ ହୋଇଥାଏ କିନ୍ତୁ ଏହା ବଦଳରେ ଅନ୍ୟ ଇନ୍ଦ୍ରିୟ ଅଧିକ ସକ୍ରିୟ ଯାହା ବୈଦ୍ୟୁତିକ ପ୍ରକୃତିରେ ମଧ୍ୟ ସାହାଯ୍ୟ କରନ୍ତି । ବିଜୁଳି ଶାଙ୍କୁଚ ପରିବାର ବ୍ୟତୀତ ଅନ୍ୟ ବିଭିନ୍ନ ଶାଙ୍କୁଚ ଓ ଜଳଜୀବଙ୍କ ଲାଞ୍ଜରେ ବୈଦ୍ୟୁତିକ ଅଙ୍ଗ ଥିବା ଦେଖାଯାଏ । କିନ୍ତୁ ବିଜୁଳି ଶାଙ୍କୁଚଙ୍କ ମୁଣ୍ଡର ଦୁଇପଟେ ଗୋଟିଏ ଲେଖାଏଁ ବୈଦ୍ୟୁତିକ ଅଙ୍ଗ ରହିଥାଏ । ଏହି ବୈଦ୍ୟୁତିକ ଅଙ୍ଗରେ ଶରୀରର ପୃଷ୍ଠର ନିମ୍ନାଂଶରୁ ଅପରାଂଶକୁ ବିଦ୍ୟୁତ ପ୍ରବାହ ହୋଇଥାଏ । ୪ଟି କେନ୍ଦ୍ରୀୟ ସ୍ନାୟୁ ଏହି ବୈଦ୍ୟୁତିକ ଅଙ୍ଗର ନିୟନ୍ତ୍ରଣ କରିଥାନ୍ତି । ଏହି ମୁଖ୍ୟ ସ୍ନାୟୁ ବାରମ୍ବାର ବିଭାଜିତ ହୋଇ ବ୍ୟାଟେରୀ ବ୍ୟବସ୍ଥାର ତଳ ପଟଳରେ ସଂଯୁକ୍ତ ହୋଇଥାନ୍ତି । ଏହି ବ୍ୟାଟେରୀ ବ୍ୟବସ୍ଥା ଷଡ଼ଭୂଜାକାର ସ୍ତମ୍ଭମାନଙ୍କରେ ଗଠିତ ହୋଇଥାଏ । ଲୁଣି ପାଣିରେ ରହୁଥିବା ଜୀବଙ୍କ ବ୍ୟାଟେରୀଗୁଡ଼ିକ ସମାନ୍ତରାଳ ଭାବେ ସଂଯୁକ୍ତ ହୋଇଥିବା ସ୍ଥଳେ ମଧୁର ପାଣିର ଜୀବଙ୍କ ବ୍ୟାଟେରୀ କ୍ରମରେ ସଂଯୁକ୍ତ ହୋଇଥାଏ । ତେଣୁ ମଧୁରଜଳର ଜୀବ ସାମୁଦ୍ରିକ ଜୀବଙ୍କ ତୁଳନାରେ ଅଧିକ ବିଦ୍ୟୁତ ଶକ୍ତି ସୃଷ୍ଟି କରିବାର ସାମର୍ଥ୍ୟ ରଖନ୍ତି । ଏପରି ବ୍ୟାଟେରୀ ଯୋଗୁଁ ଏକ ବିଜୁଳି ଶାଙ୍କୁଚ ୫୦-୨୦୦ ଭୋଲ୍ଟ୍ ବିଦ୍ୟୁତ ବିଭବ ଓ ୩୦ ଆମ୍ପିୟର୍ ବିଦ୍ୟୁତ୍ ପ୍ରବାହ ସମ୍ପନ୍ନ ବିଦ୍ୟୁତ ଶକ୍ତି ସୃଷ୍ଟି କରିପାରେ ଓ ବଡ଼ ଆକାରର ଶିକାରକୁ ବିଦ୍ୟୁତ ଆଘାତ ଦେଇପାରେ । ୧୧୦-୨୨୦ ଭୋଲ୍ଟ୍ ବିଦ୍ୟୁତ ସଂଯୁକ୍ତ ତାରକୁ ପାଣି କୁଣ୍ଡରେ ପକାଇଲେ ଯେଉଁ ପ୍ରକାରର ଆଘାତ ଲାଗିବ ତାହା ସହିତ ଏକ ବିଜୁଳି ଶାଙ୍କୁଚର ହାରାହାରି କ୍ଷମତାକୁ ତୁଳନା କରିହେବ ।
ବର୍ଗୀକରଣ
[ସମ୍ପାଦନା]ପାଖାପାଖି ୬୦ ବିଭିନ୍ନ ବିଜୁଳି ଶାଙ୍କୁଚଙ୍କୁ ୧୨ଟି ଜାତି ଓ ୨ଟି ପରିବାରରେ ବିଭକ୍ତ କରାଯାଇଛି ।[୯] ନାର୍କିନାଏମାନଙ୍କୁ କିଛି ବିଭାଗୀକରଣରେ ନାର୍କିଡାଏ ପରିବାର ବୋଲି ମଧ୍ୟ ବିବେଚନା କରାଯାଇଛି । ଟୋର୍ପିଡାଇନିଡ୍ମାନେ ବୃହଦାକାର ଶିକାରକୁ ଅଚଳ କରି ତା’କୁ ସମ୍ପୂର୍ଣ୍ଣ ଭାବେ ଗିଳିବା ଦେଖାଯାଏ, କିନ୍ତୁ ନାର୍ସିନିଡ୍ମାନେ ମୁଖ୍ୟତଃ କ୍ଷୁଦ୍ରାକାର ଶିକାର ଖାଇବା ପସନ୍ଦ କରନ୍ତି । ଉଭୟ ଶାଙ୍କୁଚ ନିଜ ପ୍ରତିରକ୍ଷା ପାଇଁ ବିଦ୍ୟୁତ ଆଘାତ ଦିଅନ୍ତି, କିନ୍ତୁ ଖାଇବା ବେଳେ ନାର୍ସିନିଡ୍ମାନଙ୍କ ବିଦ୍ୟୁତ ବ୍ୟବହାର ସମ୍ପର୍କୀୟ ତଥ୍ୟ ଅସ୍ପଷ୍ଟ ।[୧୦]
- ପରିବାର ନାର୍ସିନିଡାଏ
- ଉପ-ପରିବାର ନାର୍ସିନିନାଏ
- ଜାତି ବେନ୍ଥୋବେଟିସ୍
- ଜାତି ଡାଇପ୍ଲୋବେଟିସ୍
- ଜାତି ଡିସ୍କୋପାଇଜ୍
- ଜାତି ନାର୍ସିନ୍
- ଉପ-ପରିବାର ନାର୍କିନାଏ
- ଜାତି କ୍ରାସିନାର୍କି
- ଜାତି ଇଲେକ୍ଟ୍ରୋଲକ୍ସ
- ଜାତି ହେଟେରୋନାର୍ସ୍
- ଜାତି ନାର୍କି
- ଜାତି ଟେମେରା
- ଜାତି ଟାଇଫ୍ଲୋନାର୍କି
- ଉପ-ପରିବାର ନାର୍ସିନିନାଏ
- ପରିବାର ହିପ୍ନିଡାଏ
- ଉପ-ପରିବାର ହିପ୍ନିନାଏ
- ଜାତି ହିପ୍ନୋସ୍
- ଉପ-ପରିବାର ହିପ୍ନିନାଏ
- ପରିବାର ଟୋର୍ପିଡାଇନିଡାଏ
- ଉପ-ପରିବାର ଟୋର୍ପିଡାଇନିନାଏ
- ଜାତି ଟେଟ୍ରୋନାର୍ସ୍
- ଜାତି ଟୋର୍ପିଡୋ
- ଉପ-ପରିବାର ଟୋର୍ପିଡାଇନିନାଏ
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Froese, Rainer, and Daniel Pauly, eds. (2011). "Torpediniformes" in FishBase. February 2011 version.
- ↑ ୨.୦ ୨.୧ ୨.୨ Martin, R. Aidan. Electric Rays. ReefQuest Centre for Shark Research. Retrieved on October 12, 2008.
- ↑ Hamlett, William C. (1999). Sharks, Skates, and Rays: The Biology of Elasmobranch Fishes. Baltimore and London: JHU Press. ISBN 0-8018-6048-2.
- ↑ Stevens, J.; Last, P.K. (1998). Paxton, J.R.; Eschmeyer, W.N. (eds.). Encyclopedia of Fishes. San Diego: Academic Press. p. 66. ISBN 0-12-547665-5.
- ↑ "Fish And Shellfish Diversity And Its Sustainable Management in Chilika Lake". ICAR & CDA.
{{cite journal}}
: Cite journal requires|journal=
(help) - ↑ Wikisource:Meno
- ↑ Theodore Holmes Bullock; Carl D. Hopkins; Richard R. Fay (28 September 2006). Electroreception. Springer Science & Business Media. p. 6. ISBN 978-0-387-28275-6.
- ↑ Copenhaver, Brian P. (September 1991). "A tale of two fishes: Magical objects in natural history from antiquity through the scientific revolution". Journal of the History of Ideas. 52 (3): 373–398. doi:10.2307/2710043.
- ↑ Nelson, J.S. (2006). Fishes of the World (fourth ed.). John Wiley. pp. 69–82. ISBN 0-471-25031-7.
- ↑ Compagno, Leonard J.V. and Heemstra, Phillip C. (May 2007) "Electrolux addisoni, a new genus and species of electric ray from the east coast of South Africa (Rajiformes: Torpedinoidei: Narkidae), with a review of torpedinoid taxonomy". Smithiana, Publications in Aquatic Biodiversity, Bulletin 7: 15-49. Retrieved on October 22, 2008.