ରମାଦେବୀ ଚୌଧୁରୀ
ରମାଦେବୀ ଚୌଧୁରୀ | |
---|---|
ଜନ୍ମ | |
ମୃତ୍ୟୁ | ୨୨ ଜୁଲାଇ ୧୯୮୫ | (ବୟସ ୮୫)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ସ୍ୱାଧୀନତା ସଂଗ୍ରାମୀ |
ବୈବାହିକ-ସାଥୀ | ଗୋପବନ୍ଧୁ ଚୌଧୁରୀ |
ସନ୍ତାନ | ମନମୋହନ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା |
ପିତାମାତା | ଗୋପାଳ ବଲ୍ଲଭ ଦାସ (ବାପା) |
ସମ୍ପର୍କୀୟ | ଉତ୍କଳଗୌରବ ମଧୁସୂଦନ ଦାସ (ବଡ଼ ବାପା) |
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
ପରିବାର
[ସମ୍ପାଦନା]୧୯୧୪ ମସିହା ଅପ୍ରେଲ ମାସରେ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଓକିଲ ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ କରିଥିଲେ । ଗୋପବନ୍ଧୁ ଥିଲେ କଟକର ପ୍ରସିଦ୍ଧ ଓକିଲ ତଥା ନାମକରା ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କ ପୁତ୍ର । ସେସମୟର ମର୍ଯ୍ୟାଦାସମ୍ପନ୍ନ ଡେପୁଟି କଲେକ୍ଟର ପଦବୀ ଛାଡ଼ି ଗୋପବନ୍ଧୁ ସସ୍ତ୍ରୀକ ସ୍ୱଦେଶୀ ଆନ୍ଦୋଳନରେ ସାମିଲ ହୋଇଗଲେ । ପରେ ପରେ ତାଙ୍କ ଅନୁଜ ନବକୃଷ୍ଣ ଚୌଧୁରୀ, ଭ୍ରାତୃବଧୂ ମାଳତୀ ଚୌଧୁରୀ, ପୁତ୍ର ମନମୋହନ ଚୌଧୁରୀ, କନ୍ୟା ଅନ୍ନପୂର୍ଣ୍ଣା ଦେଶ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ନେଇଥିଲେ ।
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ
[ସମ୍ପାଦନା]୧୯୨୧ ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ କଟକ କାଠଯୋଡି ବାଲି ଓ ବିନୋଦ ବିହାରୀ ପରିସରରେ ଦୁଇଗୋଟି ସାଧାରଣ ସମାବେଶରେ ଯୋଗଦେଇ ହରିଜନ, ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ, ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧୀଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ନିଜର ବହୁମୂଲ୍ୟ ୨୦୦ ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ ମୂଲ୍ୟବାନ ଦ୍ରବ୍ୟ ଗାନ୍ଧୀଙ୍କ ସ୍ୱରାଜ ପାଣ୍ଠିକୁ ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ । ବଂଗଲକ୍ଷ୍ମୀ ପ୍ରେସର ଶାଢ଼ୀ , ଖଦୀବସ୍ତ୍ର ଓ ସ୍ୱଦେଶୀ ବସ୍ତ୍ର ଆଜୀବନ ପରିଧାନ କରିବା ପାଇଁ ସଂକଳ୍ପ କରିଥିଲେ ।
୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ହରିଜନ ସମାବେଶ ସହ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ମୁଖ୍ୟ ଦାୟିତ୍ୱ ନେଇଥିଲେ ରମାଦେବୀ । ୧୯୨୫ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ମହାତ୍ମା ଗାନ୍ଧୀ ଉତ୍କଳଗୌରବ ମଧୁସୂଦନଙ୍କ କଟକ ବାସଭବନରେ ରହିବା ବେଳେ ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ଯ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ । କଟକ ରହଣି ସମୟରେ ମଧୁସୂଦନଙ୍କ ସଞ୍ଚାଳିତ କୁଟୀର ଶିଳ୍ପ, ତାରକସୀ ଶିଳ୍ପ, ଚମଡ଼ା ଶିଳ୍ପ କେନ୍ଦ୍ରଗୁଡ଼ିକ ଦେଖି ଗାନ୍ଧିଜୀ ପ୍ରଭାବିତ ହୋଇ ଯାଇଥିଲେ । କଟକରେ କୁଷ୍ଠାଶ୍ରମ ପ୍ରତିଷ୍ଠା, ହରିଜନ ମଙ୍ଗଳ କାର୍ଯ୍ୟ ଗାନ୍ଧିଜୀ ଆରମ୍ଭ କରିଥିଲେ । ରମାଦେବୀ ଛାଇ ପରି ତାଙ୍କ ସଙ୍ଗେ ସଙ୍ଗେ ରହି ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣର ଓଡ଼ିଆ ଅନୁବାଦ ସମସ୍ତଙ୍କୁ ଶୁଣାଉ ଥିଲେ । ବଡ଼ବାପା ମଧୁସୂଦନ ଓ ଗାନ୍ଧିଜୀଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଓ୍ୱାର୍ଦ୍ଧା ଆଶ୍ରମ ଶୈଳୀରେ ଗଢ଼ିଥିଲେ "ବରି ଆଶ୍ରମ' । ରମାଦେବୀଙ୍କ ଏତାଦୃଶ କାର୍ଯ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଦେଲା । ୧୯୩୦ ନଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ ପାଇଁ କଟକ ଜେଲରେ ରଖାଗଲା । ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ହେତୁ ଇଂରେଜ ସରକାର ମା' ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଦେଲେ । ଦେଶ ସ୍ୱାଧୀନ ହେବା ପରେ ବହୁ ଜନନେତା ପଦପଦବୀ ପାଇଁ ବ୍ୟାକୁଳ ହୋଇଉଠିଲେ । ମାତ୍ର ଏହି ଦେଶ ସେବକ ଦମ୍ପତି ସେଥିରୁ ନିବୃତ ରହି ଜନସେବାକୁ ଧର୍ମଭାବେ ମାନି ନେଇଥିଲେ । ୧୯୫୫ ମସିହା ବିନୋବାଜୀଙ୍କ ଭୂଦାନ ଯଜ୍ଞର ସଫଳତା ପଛରେ ରମାଦେବୀଙ୍କର ଅଭୟ ହସ୍ତ ଥିଲା । ସମସ୍ତ ପରିବାର ସଦସ୍ୟ ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରି ଏକ ଆଦର୍ଶ ସ୍ଥାପନ କରିଯାଇଛନ୍ତି ।
୧୯୫୮ ମସିହା ଏପ୍ରିଲ ୨୯ ସ୍ୱାମୀ ଗୋପବନ୍ଧୁଙ୍କ ମୃତ୍ୟୁ ରମାଦେବୀଙ୍କୁ ନିଃସଙ୍ଗ କରିଦେଲା । ୧୯୬୨ ଚୀନ ଭାରତ ଯୁଦ୍ଧ ସମୟରେ ନିଜେ ସେବାଦଳ ଧରି ଦୁର୍ଦ୍ଦିନରେ ପଡ଼ିଥିବା ଭାରତୀୟ ଜବାନମାନଙ୍କୁ ସେବା ସହ ସାହସ ପ୍ରଦାନ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଜରୁରିକାଳୀନ ପରିସ୍ଥିତିର ଦୃଢ଼ ମୁକାବିଲା କରିଥିଲେ ଜୟପ୍ରକାଶ ନାରାୟଣ । ରମାଦେବୀ ଭାରତୀୟ ଗଣତନ୍ତ୍ରର ମାନ ରକ୍ଷା ଲାଗି ଜୟପ୍ରକାଶଜୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଇ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ କରାଇଥିଲେ । ୧୪୪ଧାରା ଜାରି ସତ୍ତ୍ୱେ ସମାବେଶର ଅଗ୍ରଭାଗରେ ରମାଦେବୀଙ୍କୁ ଦେଖି ପ୍ରଶାସନ ପଛଘୁଞ୍ଚା ଦେଇଥିଲା । ବହୁ ଜନନାୟକ ଜେଲ୍ ଗଲେ, ମାତ୍ର ମା' ରମାଦେବୀଙ୍କୁ ଗିରଫ କରିବାକୁ କେହି ସାହସ କରି ନଥିଲେ ।
ମୃତ୍ୟୁ
[ସମ୍ପାଦନା]ରମାଦେବୀ ୧୯୮୫ ମସିହା ଜୁଲାଇ ୨୨ଦିନ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ବିଶ୍ୱମ୍ଭରନାଥ ପାଣ୍ଡେ କାନ୍ଦ କାନ୍ଦ ହୋଇ କହିଥିଲେ- "ସେ ଓଡ଼ିଆ ଜାତିର ମା' ନଥିଲେ, ମୋର ମଧ୍ୟ ମା' ଥିଲେ' । କୌଣସି ଉଚ୍ଚ ପଦବୀରେ ନଥାଇ ମଧ୍ୟ ତାଙ୍କ ପାଇଁ ରାଷ୍ଟ୍ରୀୟ ମର୍ଯ୍ୟାଦା ମିଳିଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୁଖାଗ୍ନି ଦେଇଥିଲେ ପୁତ୍ର ମନମୋହନ । ତାଙ୍କ ସ୍ମରଣରେ ଏକ ତଟରକ୍ଷୀ ଜାହାଜର ନାମ ମା' ରମାଦେବୀ ରଖାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଏକ ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ଦେଇଛି । ସମର୍ପିତ ସେବା ଲାଗି ମିଳିଛି ସମ୍ମାନଜନକ "ଯମୁନାଲାଲ ବାଜାଜ' ପୁରସ୍କାର । [୧][୨]
ଆଧାର
[ସମ୍ପାଦନା]- ↑ "Jamnalal Bajaj Awards Archive". Jamnalal Bajaj Foundation.
- ↑ British Empire Leprosy Relief Association. Indian Council; Hind Kusht Nivaran Sangh (1 January 1982). Leprosy in India. Hind Kusht Nivaran Sangh. Retrieved 22 April 2011.. JAMNALAL BAJAJ AWARDS, 1981 The Jamnalal Bajaj Awards are given every year for outstanding contributions in any one or more ... Award III was awarded to Smt. Ramadevi Gopabandhu Choudhuri ofCuttackfor her outstanding contribution to the ...
ଅଧିକ ତଥ୍ୟ
[ସମ୍ପାଦନା]- Ma Rama Devi Biography at Rama Devi Women's college website.
- Rama Devi : An Epitome of Women Emancipation Archived 2009-04-10 at the Wayback Machine. Govt. of Orissa website
- Rama Devi : The New Light Among the Women Freedom Fighters of Modern Orissa (Orissa Review, Govt. of Orissa website
- http://bkpublication.in/books/odisha-reference-yearbook.html Archived 2016-06-12 at the Wayback Machine.
Autobiography of Ramadevi : Jibana Pathe