ସୁଜାତା ପ୍ରିୟମ୍ବଦା

ଉଇକିପିଡ଼ିଆ‌ରୁ

ସୁଜାତା ପ୍ରିୟମ୍ବଦା ଜଣେ ଭାରତୀୟ ଓଡ଼ିଆ-ଭାଷୀ ନାଟ୍ୟ ନିର୍ଦ୍ଦେଶିକା ଓ ନାଟ୍ୟାଭିନେତ୍ରୀ । ସେ ଓଡ଼ିଶାର ହାତଗଣତି ନାଟ୍ୟ ନିର୍ଦ୍ଦେଶିକାଙ୍କ ଭିତରୁ ଅନ୍ୟତମ । ସେ ନାଟ୍ୟ ଚେତନା ନାମକ ନାଟକ ସଂଗଠନ ସହ ମିଶି ୨୫ ବର୍ଷ ଧରି ନାଟକ ନିର୍ଦ୍ଦେଶନା ଓ ନାଟକରେ ଅଭିନୟ ସମେତ ନାଟକ ପରିଚାଳନା କରିଆସିଛନ୍ତି । ତାଙ୍କ ଅଭିନୀତ ଉଲ୍ଲେଖନୀୟ ନାଟକ ଭିତରେ ସୀତା ଅସୀତା, ଫକୀରମୋହନ ସେନାପତିଙ୍କ ରଚିତ "ରେବତୀ" ଗଳ୍ପର ନାଟ୍ୟରୂପ ଆଦି ଅନ୍ୟତମ । ୨୦୦୪ ମସିହାରେ ତାଙ୍କର ସାମାଜିକ ନାଟକ ପ୍ରତି ଅବଦାନ ପାଇଁ ତାଙ୍କୁ ସାରଳା ସାହିତ୍ୟ ସଂସଦ ତରଫରୁ ମାନସିଂହ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ନାଟକଗୁଡ଼ିକରେ ଆଧୁନିକ ଭାରତୀୟ ସମାଜ ଓ ବିଶେଷ କରି ଓଡ଼ିଶାରେ ନାରୀମାନଙ୍କ ଭୂମିକା ବର୍ଣ୍ଣିତ ଏବଂ ସେ ପ୍ରାୟ ୫୦ ନାଟକରେ ଏବଂ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ମଞ୍ଚରେ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ସୁଜାତା ପ୍ରିୟମ୍ବଦା ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ମାଆଙ୍କ ନାମ ବିଜୟ ଲକ୍ଷ୍ମୀ ଚୌଧୁରୀ ଓ ବାପାଙ୍କ ନାମ ଶରତ ଚନ୍ଦ୍ର ଚୌଧୁରୀ ।[୧] ସେ ସୁଶୀଳାବତୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଅଧ୍ୟୟନ କରିଥିଲେ ଓ ସେଠାରେ ଛାତ୍ରୀ ସଂସଦର ସମ୍ପାଦିକା ହୋଇଥିଲେ । ପରେ ସେ ନାଟକ ଅଭିନୟରେ ସ୍ନାତକୋତ୍ତର ଲାଭକରିଥିଲେ ।[୨]

ବୃତ୍ତିଗତ ଜୀବନ[ସମ୍ପାଦନା]

ପ୍ରାରମ୍ଭିକ ନାଟ୍ୟାଭିନୟ[ସମ୍ପାଦନା]

ସେ ୨୦ ବର୍ଷ ବୟସରୁ ନାଟକରେ ଅଭିନୟ ଆରମ୍ଭ କରିଥିଲେ । ସେ ପିଲାଦିନେ ଦୂରଦର୍ଶନରେ ବିଭିନ୍ନ ନାଟକ ଓ ସିନେମା ଦେଖି କଳାକାରମାନଙ୍କ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ । ପରେ ସ୍କୁଲରେ ପଢ଼ୁଥିବା ବେଳେ ଘରେ କଟକଣା ସତ୍ତ୍ୱେ ଗୀତ ଓ ନାଚ ଶିଖୁଥିଲେ । ରାଉରକେଲାରେ ମହୁମାଛି ନାମକ ନାଟକ ଅନୁଷ୍ଠାନ ତରଫରୁ ଏକ ଶିଶୁନାଟକ ପ୍ରତିଯୋଗିତାରେ ଅସଫଳ ଭାବେ ଭାଗ ନେଇଥିଲେ । ପରେ ସୁଶୀଳାବତୀ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମହିଷାମର୍ଦ୍ଦିନୀ ଗୀତିନାଟ୍ୟରେ ନାରଦ ଚରିତ୍ରରେ ଅଭିନୟ କରିଥିଲେ ।[୨] ପ୍ରାରମ୍ଭିକ ଅଭିନୟ କାଳରେ ଓଡ଼ିଆ ସିନେ ଅଭିନେତ୍ରୀ ସୁଜାତା ଆନନ୍ଦଅନୀତା ଦାସଙ୍କ ଅଭିନୟ ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା ।[୩]

ରେଡିଓରେ ଘୋଷଣା[ସମ୍ପାଦନା]

ସେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଜଣେ ଅସ୍ଥାୟୀ ରେଡ଼ିଓ କଳାକାର ଭାବେ କାର୍ଯ୍ୟ କରିଥିଲେ । ଆକାଶବାଣୀ ରାଉରକେଲାରେ ଜଣେ ଘୋଷକ ଭାବେ କାର୍ଯ୍ୟ କରିଥିଲି ।[୨] ସ୍ନାତକୋତ୍ତର ପରେ ସେ ଅଲ ଇଣ୍ଡିଆ ରେଡିଓ ଏବଂ ଏକ ସ୍ଥାନୀୟ କେବୁଲ ଟେଲିଭିଜନ ଚ୍ୟାନେଲ ପାଇଁ କାର୍ଯ୍ୟକ୍ରମ ଘୋଷିକା ଭାବେ କାର୍ଯ୍ୟ କରୁଥିଲେ |[୩]

ନାଟକ ତାଲିମ[ସମ୍ପାଦନା]

ସେ ୧୯୯୪ ମସିହାରେ ଢେଙ୍କାନାଳରେ ଏକ ନାଟକ କର୍ମଶାଳାରେ ଯୋଗ ଦେଇଥିଲେ । ପରେ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, କଲିକତାର ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆଦିରେ ନାଟ୍ୟଶିବିରରେ ଯୋଗଦେଇଥିଲେ । ସୁବୋଧ ପଟ୍ଟନାୟକଙ୍କ ସଂସ୍ଥାପିତ ନାଟ୍ୟ ଚେତନା ତରଫରୁ ଆୟୋଜିତ ମହିଳାଙ୍କ ଉଦ୍ଦେଶ୍ୟରେ ନାଟକ ଲିଖନ, ଅଭିନୟ, ନିର୍ଦ୍ଦେଶନା ଓ ପରିଚାଳନା ଆଦି ଉପରେ ତାଲିମ ଗ୍ରହଣ କରିଥିଲେ ।[୨] ଏଥିରେ ମଞ୍ଚ ଅଭିନୟ ବ୍ୟତୀତ ସେ କଣ୍ଢେଇ ନାଚ, ନାଟକ ପାଇଁ ପୋଷ୍ଟର ଡିଜାଇନିଂ ଓ ନାଟକ ରଚନା ଆଦି ଶିଖିଥିଲେ ।[୩]

ନାଟକ ଅଭିନୟ ଓ ନିର୍ଦ୍ଦେଶନା[ସମ୍ପାଦନା]

ସେ ବିଧିବଦ୍ଧ ଭାବରେ ୧୯୯୨ରେ ରଙ୍ଗମଞ୍ଚ ଥିଏଟର ଗ୍ରୁପରେ ୨୦ ବର୍ଷ ବୟସରେ ମଞ୍ଚ ଅଭିନୟ ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ ୧୯୯୪ରେ ନାଟ୍ୟ ଚେତନାରେ ତାଲିମ ପାଇବା ପରେ ତାଙ୍କର ବୃତ୍ତିଗତ ଜୀବନ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଥିଲା । ନାଟ୍ୟ ଚେତନାର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ ତାଙ୍କର ଉତ୍ତର ଅଭିନୟ ଜୀବନର ଶିକ୍ଷକ । ସେ ପ୍ରାୟ ୫୦ଟି ନାଟକରେ, ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ମଞ୍ଚରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ନାଟକ ମଧ୍ୟରେ କଳାପାଣି, ୨୫ ଭୂତ, ମାୟାଜାଲ ଭଳି ଚେତନାଧର୍ମୀ ନାଟକ ଏବଂ କାଠ, ଗୀତ, ଭୂତ, ବାବୁରେବତୀ ଆଦି ଅନ୍ତରଙ୍ଗ ନାଟକ ଅନ୍ୟତମ । ତାଙ୍କର ଉଲ୍ଲେଖନୀୟ ଅଭିନୟ ଭିତରେ କରୋନା ସମୟରେ ଜଣେ ଦାଦନ ଫେରନ୍ତା ମହିଳା ଶ୍ରମିକ ତାଙ୍କର ୧୭ଦିନର ଶିଶୁକୁ କାନ୍ଧରେ ବାନ୍ଧି ଶହ ଶହ କିଲୋମିଟର ଦୂରରୁ ଗାଁକୁ ଫେରିବା କାହାଣୀ ବର୍ଣ୍ଣିତ ମୁଁ ତୋ ମା, ସମେତ ସୀତା ଅସୀତାରେବତୀ ଆଦି ନାଟକ ଉଲ୍ଲେଖନୀୟ ।[୨] ସେ ଫକୀର ମୋହନ ସେନାପତିଙ୍କ ରଚିତ ଓ ପ୍ରଥମ ଓଡ଼ିଆ ଯୁଦ୍ରଗଳ୍ପ "ରେବତୀ"ର ନାଟ୍ୟରୂପ ଦେଇ ତାହାର ନିର୍ଦ୍ଦେଶନା ଦେଇଥିଲେ ଓ ସେଥିରେ ଅଭିନୟ ମଧ୍ୟ କରିଥିଲେ । ଦୂରଦର୍ଶନର ଫକୀର ମୋହନ ସେନାପତିଙ୍କ ୧୫୦ତମ ଜନ୍ମ ଉତ୍ସବ ଉପଲକ୍ଷେ ହେଉଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ନାଟକ ପ୍ରଦର୍ଶନ କରାଯାଇଥିଲା ।[୧] ୨୦୨୩ ବେଳକୁ ନାଟ୍ୟ ଚେତନା ସହ ୨୫ ବର୍ଷ ଧରି ସେ ଜଡ଼ିତ ଥାଇ ନାଟକରେ ଅଭିନୟ ସହ ନିର୍ଦ୍ଦେଶନା ଓ ପରିଚାଳନା କରିଆସିଛନ୍ତି ।[୪]

ନାଟକ ଓ ଭାରତ ତଥା ବିଶ୍ୱ ଭ୍ରମଣ[ସମ୍ପାଦନା]

ଓଡ଼ିଶା ଭିତରେ ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ସୁନ୍ଦରଗଡ଼, ନୟାଗଡ଼, କଳାହାଣ୍ଡି, ଫୁଲବାଣୀ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ନାଟ୍ୟ ମଞ୍ଚରେ ତଥା ଦିଲ୍ଲୀ, ଆସାମ, ମେଘାଳୟ, ତ୍ରିପୁରା ସମେତ ଭାରତର ବିଭିନ୍ନ ସ୍ଥାନରେ ଏବଂ ନେପାଳ, ଇଂଲଣ୍ଡ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, ଇଟାଲୀ, ବାଂଲାଦେଶ ଭଳି ବିଦେଶରେ ଓଡ଼ିଆ ନାଟକରେ ଅଭିନୟ କରିଛନ୍ତି । ସେ ଫରାସୀ ନାଟ୍ୟନିର୍ଦ୍ଦେଶକ ପାର୍ଟିକ ନାଭାଟି ଓ ଭାରତୀୟ ବି.ଭି. କରାନ୍ଥଙ୍କ ସହ ମିଶି ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ଦେଇଛନ୍ତି । ନାଟ୍ୟ ଚେତନା ସହ ସେ ଫ୍ରାନ୍ସ, ବେଲଜିୟମ, ନେଦରଲ୍ୟାଣ୍ଡ ଏବଂ ଇଟାଲୀରେ ଅନ୍ତର୍ଜାତୀୟ ଥିଏଟରରେ ଅଭିନୟ କରିଛନ୍ତି । ତାଙ୍କର ବିଶ୍ୱ ନାଟକ ଭ୍ରମଣ ଭିତରୁ ହଂକଂରେ ଡ୍ରାମା ୱାର୍ଲ୍ଡ କଂଗ୍ରେସ, ଇଣ୍ଡୋଫ୍ରେଞ୍ଚ୍- ‘ ଥିଏଟର ଡୁ-ଫିଲ’, ବେଲଜିୟମର ‘ଥିଏଟର ଡୁ କମ୍ୟୁନିଟି’ ଏବଂ ଯୁକ୍ତରାଜ୍ୟର ବେଲଫାଷ୍ଟ ଅନ୍ତର୍ଜାତୀୟ ମହୋତ୍ସବ ଓ କାର୍ଯ୍ୟକ୍ରମ ଆଦି ଅନ୍ୟତମ ।[୩]

କୃତି[ସମ୍ପାଦନା]

ତାଙ୍କ ଅଭିନୀତ ଓ ନିର୍ଦ୍ଦେଶିତ ନାଟକଗୁଡ଼ିକ ମଧ୍ୟରେ ସୀତା ଅସୀତା ଏବଂ ରେବତୀ, ଭୂତ, ଫୁଲ, ନିଆଁ ଆଦି ଅନ୍ତରଙ୍ଗ ନାଟକ ତଥା କଳାପାଣି, ୨୫ ଭୂତ ଆଦି ଚେତନାଧର୍ମୀ ନାଟକ ଅନ୍ୟତମ ।[୨]

ଚେତନାଧର୍ମୀ ନାଟକ[ସମ୍ପାଦନା]

  • କଳାପାଣି
  • ୨୫ ଭୂତ
  • ମାୟାଜାଲ
  • ଧଳାସୁନା
  • ମାଠିଏ ପାଣି
  • ଜଙ୍ଗଲ ଯନ୍ତା

ଅନ୍ତରଙ୍ଗ ନାଟକ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

୨୦୦୪ ମସିହାରେ ତାଙ୍କର ନାଟକ ପ୍ରତି ସାମଗ୍ରୀକ ଅବଦାନ ପାଇଁ ସେ ସାରଳା ସାହିତ୍ୟ ସଂସଦ ତରଫରୁ ମାନସିଂହ ସମ୍ମାନ ପାଇଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ପ୍ରିୟମ୍ବଦା, ସୁଜାତା (2017-12-28). "ନାଟକରେ ନାରୀ (ସାକ୍ଷାତକାର - ନାଟ୍ୟ ନିର୍ଦ୍ଦେଶିକା ଓ ନାଟ୍ୟାଭିନେତ୍ରୀ ସୁଜାତା ପ୍ରିୟମ୍ବଦା)". Samadhwani. Retrieved 2024-04-04.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ବେହେରା, ବନବିହାରୀ (2020-11-01). "ମଞ୍ଚ ନାଟକର ନିଆରା ରୂପକାର". Dharitri Odia News. Archived from the original on 2022-04-29. Retrieved 2024-04-04.
  3. ୩.୦ ୩.୧ ୩.୨ ୩.୩ ଚକ୍ର, ଶ୍ୟାମହରି (2021-06-27). "ଥିଏଟର ମୋ ପାଇଁ ଏକ ସାମାଜିକ ସେବା : ମଞ୍ଚ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ସୁଜାତା ପ୍ରିୟମ୍ବଦା". Odisha Sambad. Archived from the original on 2024-04-01. Retrieved 2024-04-04.
  4. ମହାରଣା, ଅଭିମନ୍ୟୁ (2023-11-10). "ନାଟ୍ୟ ଚେତନାର ୨୩ତମ ଲୋକନାଟ୍ୟ ମେଳା ଉଦ୍ଘାଟିତ". Odisha Taza News. Retrieved 2024-04-04.