ଶରଣ ଶ୍ରୀକ୍ଷେତ୍ର
ଗଞ୍ଜାମ ଜିଲ୍ଲାର ଆଠଗଡ଼ ପାଟଣାଠାରେ ଅବସ୍ଥିତ ପ୍ରାଚୀନ ଦୁର୍ଗସମୂହ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା, ରୁମାଗଡ଼, ଓପାଟିଗଡ଼କୁ ନେଇ ଗଠିତ । ଏହା ଶରଣ ଶ୍ରୀକ୍ଷେତ୍ର, ଗୁପ୍ତଗଡ଼ ଓ ଅଷ୍ଟଗଡ଼ ଭାବେ ଜଣା ।
ଇତିହାସ
[ସମ୍ପାଦନା]୧୬୦୦ ଖ୍ରୀଷ୍ଟାବ୍ଦରେ କଳାପହାଡ଼ ଆକ୍ରମଣ ସମୟରେ ଜଗନ୍ନାଥଙ୍କ ସୁରକ୍ଷା ଏବଂ ଗଜପତି ମହାରାଜାଙ୍କୁ ଶରଣ ଦେଇଥିବାରୁ ଏହି ସ୍ଥାନର ନାମ ଶରଣ ଶ୍ରୀକ୍ଷେତ୍ର । ଆଠଗଡ଼ ରାଜା ମଧୁସୂଦନ ଜଗଦେବ ତତ୍କାଲିନ ରାଜା ଗଜପତି ରମଚନ୍ଦ୍ର ଦେବ ଓ ତାଙ୍କ ସପରିବାରଙ୍କୁ ଆକ୍ରମଣକାରୀଙ୍କଠାରୁ ଉଦ୍ଧାର କରିବା ପାଇଁ ସହଯୋଗ କରିଥିଲେ । ପାନ୍ତିଆମାଗଡ଼ଠାରେ ଗଜପତି ଓ ରାଜପରିବାର ସଦସ୍ୟଙ୍କୁ ଭୂଗର୍ଭରେ ଥିବା ଏକ ମହଲ ଗୁପ୍ତଗଡ଼ଠାରେ ଶରଣ ଦେଇଥିଲେ । ଏକ ସୁନ୍ଦର ଉଦ୍ୟାନ ତଳେ ଏହି ମହଲଟି ନିର୍ମାଣ କରାଯାଇଥୁଲା ଯାହା ଫଳରେ ଆକ୍ରମଣକାରୀ ଏହାର କୌଣସି ସନ୍ଧାନ ମଧ୍ୟ ପାଇ ପାରିନଥିଲେ । ଏଥୁରୁ ପ୍ରମାଣିତ ହୁଏ ରାଜପରିବାରକୁ ସାହାଯ୍ୟ କରି ଉତ୍ତମ ବନ୍ଧୁର ପରିଚୟ ଦେଇଥିଲେ ଆଠଗଡ଼ ରାଜା । ଆଠଗଡ଼ ରାଜାଙ୍କ ଏହି ସାହାଯ୍ୟକୁ ଚିରଦିନ ଇତିହାସରେ ସାକ୍ଷୀ ଭାବରେ ରଖୁବାକୁ ତାଙ୍କୁ ପୁରୀ ଗଜପତି, ମନୋଦ୍ଧାରଣ ଶରଣ ପଞ୍ଜର ବିରାଧୀବୀର ଭାଇ ଶ୍ରୀ ହରିଚନ୍ଦନ ଜଗବ୍ଦବ ରାଜା ବାହାଦୂର ଉପାଧିରେ ଭୂଷିତ କରିଥିଲେ । ସେହିଦିନଠାରୁ ଆଠଗଡ଼ ରାଜାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଜଗନ୍ନାଥ ମନ୍ଦିରରେ ପ୍ରତି ଏକାଦଶୀ ତିଥିରେ ଏକ ମହାଦୀପ ଜଳିଥାଏ । ଗଜପତି ମହାରାଜା ଆଠଗଡ଼ଠାରେ ଅକ୍ଷୟକୀର୍ତ୍ତି ପ୍ରସ୍ତର ନିର୍ମିତ ସଭା ମଣ୍ଡପ ଓ ଜଗନ୍ନାଥ ମନ୍ଦିରର ଶୁଭ ଦେଇଥିଲେ । ପୁରୀ ଜଗନ୍ନାଥ ମନ୍ଦିର ଭଳି ଅନୁରୂପ ଏକ ମନ୍ଦିର ଆଠଗଡ଼ ପାଟଣାଠାରେ ନିର୍ମାଣ କରାଗଲା । ପୁରୀ ମହାରାଜା ଗଜପତି ଦିବ୍ୟସିଂହ ଦେବ ହୃଦୟଙ୍ଗମ କଲେ ଯେ ପ୍ରଭୁଙ୍କର ଏହି ସ୍ଥାନ ହିଁ ଶେଷ ଲୀଳା ଖେଳାର ସ୍ଥାନ । ତେଣୁ ଏହି ମନ୍ଦିରକୁ ସେ କିଛି ପରିମାଣର ସାହାଯ୍ୟ କରୁଛନ୍ତି ।
ନାମକରଣ
[ସମ୍ପାଦନା]ଏହାକୁ ଅଷ୍ଟଦୁର୍ଗ କୁହାଯିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହା ଏକ ଗଡ଼ଜାତ ରାଜ୍ୟ ଥୁଲା । ଏହି ରାଜ୍ୟଟି ଏକ ଭୂସ୍ୱର୍ଗ ସହ ସମାନ ଥୁଲା । ଏହାର ଚାରିପାଖରେ ସୁନ୍ଦର ବନାନୀ, ଫୁଲ ବଗିଚା ନାଗେଶ୍ୱର ଫୁଲର ବଗିଚା ଏହାକୁ ଅଧିକ ସୁନ୍ଦରମୟ କରୁଥିଲା । ବିଭିନ୍ନ ବନ ପଶୁ ଓ ପକ୍ଷୀଙ୍କ କୋଳାହଳ ଶବ୍ଦରେ ପ୍ରକମ୍ପିତ ହୋଇଉଠୁଥୁଲା ସମ୍ପୂର୍ଣ୍ଣ ପରିବେଶ । ଏହି ରାଜ୍ୟର ଚାରିପାଖେ ଆଠଟି ସୁରକ୍ଷିତ ପ୍ରାଚୀର ସଦୃଶ ଦୁର୍ଗ ରହିଥିଲା ତେଣୁ ଏହାର ନାମକରଣ ଏଇଭଳି ହୋଇଛି । ସେହି ଆଠଟି ଦୁର୍ଗ ମଧ୍ୟରେ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା ଦୁର୍ଗ, ରୁମାଗଡ଼, ଓପାଟିଗଡ଼ ଦୁର୍ଗ ସୁରକ୍ଷାର କବଚ ଭାବେ ରାଜ୍ୟକୁ ଶତ୍ରୁ କବଳରୁ ରକ୍ଷା କରୁଥିଲେ । [୧]
ସ୍ଥାନୀୟ ପ୍ରତିଭା
[ସମ୍ପାଦନା]କବି ବଳଦେବ ରଥଙ୍କ ଜନ୍ମସ୍ଥାନ ଓ ଯଦୁମଣି ମହାପାତ୍ରଙ୍କ ଲୀଳା ଖେଳା ଭାବରେ ରହିଛି ଏହାର ଇତିହାସ । ଏହି ମାଟିରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଅଜା ତ୍ରୀପୁରାରି ଓତା ଏଠାରେ ନିଜର ତନ୍ତ୍ର ସାଧନା କରି ମା ବନଦେବୀଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ହୋଇଥିଲେ । ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର ୧୭୮୧ ଖ୍ରୀଷ୍ଟାବ୍ଦରେ ଏହି ଭୂମିରେ ଜନ୍ମଗ୍ରହଣ କରିଥିଲେ । ଆଠଗଡ଼ ପାଟଣାର ଘୋଟିକା ସାହିରେ ସେ ଜନ୍ମଗ୍ରହଣ କରିଥୁଲେ । ସେଇଭଳି ବଳଦେବ ରଥ ୧୭୮୯ ଅଜା ତ୍ରୀପୁରାରି ଓ ତାଙ୍କ ଘରେ ଜନ୍ମଗ୍ରହଣ କରିଥୁଲେ । ଯେଉଁ ସମୟରେ ଅସାଧାରଣ ଜ୍ଞାନ, ପାଣ୍ଡିତ୍ୟ, କବି ପ୍ରତିଭା ବଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରିତୀଯୁଗରେ ପ୍ରତିଷ୍ଠିତ କବି ଭାବେ ଉଭା ହୋଇଥିଲେ । ସେତେବେଳେ ଏହି ଦୁଇ ମହାନ କବି ରିତୀଯୁଗର ଅନ୍ତିମ ସୂର୍ଯ୍ୟାଲୋକ ଭାବେ ଉଭା ହୋଇଥିଲେ ।
ଅନ୍ୟାନ୍ୟ ବିଶେଷତ୍ୱ
[ସମ୍ପାଦନା]ଆଠଗଡ଼ ପାଟଣାର ଆଉ ଏକ ବିଶେଷତ୍ୱ ହେଉଛି ଏଠାକାର ତିନିଦିଗକୁ ସୁରକ୍ଷା ଦେଉଥିବା ନଦୀମାନଙ୍କରୁ ଅନେକ ନଦୀ ପ୍ରବାହିତ ହେଉଛି । ଯାହା ଫଳରେ ଅଞ୍ଚଳର ଜନସାଧାରଣ ନିଜ ଚାଷ ଜମି ପାଇଁ ଜଳସେଚନ କରୁଛନ୍ତି । ସେଇଭଳି ଅନେକ ପାହାଡ଼ ଗୁମ୍ଫାରେ ବହୁ ଋଷିଗଣ ତପସ୍ୟା କରିଥିବାର ଇତିହାସ ରହିଛି । ସେମାନଙ୍କ ମଧ୍ୟରେ ପଣ୍ଡୁ ନାମକ ସାଧୁ ବହୁ ବର୍ଷ ଧରି ସାଧନା କରୁଥିବା କଥା ଜଣାଯାଏ । ଆଠଗଡ଼ ପାଟଣାରେ ଥିବା ରାଜଦରବାରରୁ ଧରାକୋଟ ରାଜ ଦରବାର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଥିବା ଚର୍ଚ୍ଚା ହୁଏ । [୨]
ଅଧିକ ଦେଖନ୍ତୁ
[ସମ୍ପାଦନା]- ଶାବର ଶ୍ରୀକ୍ଷେତ୍ର, କୋରାପୁଟ
- ପାତାଳୀ ଶ୍ରୀକ୍ଷେତ୍ର, ସୋନପୁର
ଆଧାର
[ସମ୍ପାଦନା]- ↑ ଡାକୁଆ, ରାମକୃଷ୍ଣ. "ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା". ଆମେ ଓଡ଼ିଆ - ମାସିକ ପତ୍ରିକା. Retrieved 11 October 2015.
- ↑ ଡାକୁଆ, ରାମକୃଷ୍ଣ. "ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା". ଆମେ ଓଡ଼ିଆ - ମାସିକ ପତ୍ରିକା. Retrieved 11 October 2015.