ରାମେଶ୍ୱର ଠାକୁର

ଉଇକିପିଡ଼ିଆ‌ରୁ

ରାମେଶ୍ୱର ଠାକୁର (୨୮ ଜୁଲାଇ ୧୯୨୭- ୧୫ ଜାନୁୟାରୀ ୨୦୧୫) ଜଣେ ବରିଷ୍ଠ ଭାରତୀୟ ଜାତୀୟ କଂଗ୍ରେସ ଦଳର ରାଜନେତା ତଥା ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ । ସେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ । ସେ ୧୯୬୬ରୁ ୧୯୬୭ ପର୍ଯ୍ୟନ୍ତ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆର ସଭାପତି ମଧ୍ୟ ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଠାକୁର ଝାଡଖଣ୍ଡର ଗୋଦଡା ଜିଲ୍ଲାର ଠାକୁର ଗାଙ୍ଗଟି ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତ ଛାଡ଼ ଆନ୍ଦୋଳନରେ ଭାଗନେଇଥିଲେ । ସେ ନଭେମ୍ବର ୧୯୯୮ରୁ ନଭେମ୍ବର ୨୦୦୧ ପର୍ଯ୍ୟନ୍ତ ଏବଂ ପୁନର୍ବାର ନଭେମ୍ବର ୨୦୦୪ ପରେ ଭାରତ ସ୍କାଉଟ୍ସ ଏବଂ ଗାଇଡର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।

ସେ ନର୍ମଦା ଠାକୁରଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଥିଲେ: ମ୍ରିଦୁଲା, ସଂଗୀତ, ସୁଶୀଲ ଏବଂ ଅନିଲ ଠାକୁର ।

୧୫ ଜାନୁଆରୀ ୨୦୧୫ରେ ଦିଲ୍ଲୀରେ ରାମେଶ୍ୱରଙ୍କ ଦେହାନ୍ତ ହୋଇଥିଲା ।

ରାଜନୈତିକ ଜୀବନ[ସମ୍ପାଦନା]

ସେ ଭାରତ ଛାଡ଼଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଥିପାଇଁ ସେ ସାନ୍ତାଳ ପ୍ରଗଣାର ରାଜ ମହଲ ପାହାଡରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଭୂମିଗତ ହୋଇ ରହିଥିଲେ । ୧୯୪୬ ମସିହାରେ ତାଙ୍କୁ ଜାତୀୟ ଆନ୍ଦୋଳନ ସହ ଜଡ଼ିତ ଥିବା ଅଭିଯୋଗରେ ଗିରଫ କରାଯାଇ କଲିକତାର ସେଣ୍ଟ୍ରାଲ ଜେଲ, ଡୁମଡୁମକୁ ପଠାଯାଇଥିଲା ।[୧]ସେ ଅଗଷ୍ଟ ୨୧, ୨୦୦୭ରେ କର୍ଣ୍ଣାଟକର ୧୫ ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ ।[୨] ଜୁନ୍ ୨୪, ୨୦୦୯ରେ ରଜ୍ୟପାଳରୂପେ ତାଙ୍କ ଅବଶିଷ୍ଟ ସମୟ ପାଇଁ ତାଙ୍କୁ ମଧ୍ୟପ୍ରଦେଶର ରାଜ୍ୟପାଳରୂପେ ସ୍ଥାନାନ୍ତର କରାଯାଇଥିଲା । ସେ ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ରାଜ୍ୟପାଳ ଏବଂ ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ, ୨୦୦୬ରୁ ୨୦୦୭ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଏବଂ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ କର୍ଣ୍ଣାଟକର ରାଜ୍ୟପାଳ ଥିଲେ ।

ବିଭିନ୍ନ ପଦପଦବୀ[ସମ୍ପାଦନା]

ଜୀବନକାଳ ମଧ୍ୟରେ ସେ ଅଳଂକୃତ କରିଥିବ କିଛି ପ୍ରମୁଖ ପଦପଦବୀ:[୧]

  • ସଭାପତି-ଇନଷ୍ଟିଚ୍ୟୁଟ ଅଫ ଚାର୍ଟାରଡ ଆକାଉଣ୍ଟସ ଅଫ ଇଣ୍ଡିଆ (୧୯୬୬-୬୭)
  • ଉପାଧ୍ୟକ୍ଷ-ଅଖିଳ ଭାରତୀୟ ସ୍କାଉଟ ଓ ଗାଇଡ (୧୯୮୯ରୁ)
  • ଅଧ୍ୟକ୍ଷ-ଠାକୁର ଗବେଷଣା ଫାଉଣ୍ଡେସନ, ନୂଆ ଦିଲ୍ଲୀ
  • ନିର୍ଦ୍ଦେଶକ-ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(୧୯୭୮-୮୨)
  • ନିର୍ଦ୍ଦେଶକ-ପଞ୍ଜାବ, ହରିୟାନା ଓ ଦିଲ୍ଲୀ ଚମ୍ବର ଅଫ କମର୍ସ(୩ ବର୍ଷ)
  • ସଭ୍ୟ-ବିହାର ରାଜ୍ୟ ଯୋଜନା ବୋର୍ଡ
  • ସଭ୍ୟ-ଉତ୍ତର ପ୍ରଦେଶ ରାଜ୍ୟ ଯୋଜନା ବୋର୍ଡ
  • ସଭ୍ୟ-କମିଟି ଅଫ୍ ପ୍ରିଭିଲେଜେସ୍, ରାଜ୍ୟ ସଭା(୧୯୮୬-୯୦)
  • ସଭ୍ୟ-ପବ୍ଲିକ ଆକାଉଣ୍ଟସ କମିଟି (୧୯୮୬-୮୯)
  • ସଂପାଦକ-ସଞ୍ଜୟ ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ (୧୯୮୬ରୁ)

ଆଧାର[ସମ୍ପାଦନା]

  1. ୧.୦ ୧.୧ "Biography of Indian Governor Rameshwar Thakur – Winentrance". www.winentrance.com. Archived from the original on 12 October 2020. Retrieved 8 October 2020.
  2. "K'taka: Rameshwar Thakur takes charge as governor". www.rediff.com. Retrieved 8 October 2020.

ବାହାର ଆଧାର[ସମ୍ପାଦନା]