Jump to content

ବାମ୍ଫୀ

ଉଇକିପିଡ଼ିଆ‌ରୁ


ଶେଖାୱତୀର ଫତେପୁରର ଏକ ବାମ୍ଫୀ
ଇଣ୍ଡୋନେସିଆର ଏକ ବାମ୍ଫୀ

ବାମ୍ଫୀ (ଇଂରାଜୀରେ Stepwells) ହେଉଛି ସୋପାନବିଶିଷ୍ଟ ବଡ଼ କୂପ । ବାମ୍ଫୀରେ ଭୂପୃଷ୍ଠରୁ ଜଳସ୍ତର ପର୍ଯ୍ୟନ୍ତ ତଳକୁ ତଳକୁ ପାହାଚ ରହିଥାଏ ଯାହାକୁ ଓହ୍ଲାଇ ଜଳ ପାଖରେ ପହଞ୍ଚି ହେବ । ଭାରତୀୟ ଉପମହାଦ୍ୱୀପରେ ପ୍ରଥମେ ବାମ୍ଫୀ ନିର୍ମାଣ କରାଯାଇଥିବାର ଅନୁମାନ କରାଯାଏ । କେତେକ ବାମ୍ଫୀ ଅତି ବିରାଟ ଓ ତାହା ଅଟ୍ଟାଳିକା ପରି ବହୁତଳବିଶିଷ୍ଟ ହୋଇଥାଏ । ଏପରି ବାମ୍ଫୀରେ ବଳଦଦ୍ୱାରା ଏକ ଚକ ବା ପୁଲି ବୁଲାଯାଇ ବିଭିନ୍ନ ସ୍ତରରେ ଜଳ ବାହାର କରାଯାଇଥାଏ । ଭାରତର ବିଭିନ୍ନ ସ୍ଥାନରେ (ମୁଖ୍ୟତଃ ପଶ୍ଚିମ-ଭାରତ) ଓ ପାକିସ୍ତାନର ବିଭିନ୍ନ ସ୍ଥାନରେ ବିଶାଳକାୟ ବାମ୍ଫୀମାନ ରହିଛି । ଅଧିକାଂଶ ବାମ୍ଫୀ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ନିର୍ମିତ ହୋଇଥିବା ବେଳେ, କିଛି ମନ୍ଦିରର ଜଳ ଆବଶ୍ୟକତା ପାଇଁ ନିର୍ମିତ ହୋଇଥିଲା । କିଛି ବାମ୍ଫୀ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ।

ଶୁଷ୍କ ଋତୁ ବା ବୃଷ୍ଟିହୀନତା ଯୋଗୁଁ ସୃଷ୍ଟ ଜଳାଭାବର ନିରାକରଣ ପାଇଁ ଜଳ ସଂରକ୍ଷଣ ଓ ଜଳସେଚନର ଉତ୍ସ ରୂପେ ଏହି ବାମ୍ଫୀମାନଙ୍କୁ ବ୍ୟବହାର କରାଯାଉଥିଲା । କୂଅ ଓ ବାମ୍ଫୀ ମଧ୍ୟରେ ରହିଥିବା ଏକ ମୁଖ୍ୟ ତଫାତ ହେଲା – ବାମ୍ଫୀରେ ପାହାଚ ଓହ୍ଲାଇ ଜଳସ୍ତର ନିକଟକୁ ସହଜରେ ପହଞ୍ଚି ହେବ, ତଥା ଜଳାଶୟ ଓ ପାହାଚଶ୍ରେଣୀରେ ବିଶୋଧନ ଓ ମରାମତି କାର୍ଯ୍ୟ କରାଯାଇପାରିବ ।

ବର୍ଷସାରା ଜଳ ଗଚ୍ଛିତ ରଖିବା ପାଇଁ ବାମ୍ଫୀ ନିର୍ମାତାମାନେ ଭୂତଳ ଜଳସ୍ତର ପର୍ଯ୍ୟନ୍ତ ଗଭୀର ଗର୍ତ୍ତ ଖନନ କରୁଥିଲେ । ପାରମ୍ପରିକ ସ୍ଥାପତ୍ୟ ବିଦ୍ୟାର ବ୍ୟବହାର କରି ଏହି ଗଭୀର ଓ ଓସାରିଆ ଗର୍ତ୍ତର କାନ୍ଥଗୁଡ଼ିକୁ ପ୍ରସ୍ତରରେ ଆଚ୍ଛାଦିତ କରିଦିଆଯାଉଥିଲା । ଗର୍ତ୍ତରେ ପୁରା ତଳ ପର୍ଯ୍ୟନ୍ତ ଯିବା ପାଇଁ ପାହାଚଶ୍ରେଣୀ ନିର୍ମିତ ହେଉଥିଲା ।[] ଏଯାବତ୍ ରହିଥିବା ସମସ୍ତ ବାମ୍ଫୀ ଆମୋଦ ପ୍ରମୋଦ ଅଥବା ପାନୀୟ ଓ ଦୈନନ୍ଦିନ ଜୀବନରେ ବ୍ୟବହାରୋପଯୋଗୀ ଜଳ ବାହାର କରିବା ପାଇଁ ବ୍ୟବହୃତ ହେଉଥିଲା । ଦିନବେଳା ପ୍ରଚଣ୍ଡ ଖରା ସତ୍ତ୍ୱେ ବହୁ ଗଭୀରତାରେ ରହିଥିବା ବାମ୍ଫୀର ଜଳ ଶୀତଳାବସ୍ଥାରେ ରହୁଥିଲା । ବାମ୍ଫୀ ଉପରେ କିଛି ଆଚ୍ଛାଦନର ବ୍ୟବସ୍ଥା କରି ମଧ୍ୟ ଜଳକୁ ଥଣ୍ଡା ରଖାଯାଇପାରୁଥିଲା । ସାମାଜିକ ମିଳନ ଓ ଧାର୍ମିକ ପୂଜା ପର୍ବାଣିରେ ବାମ୍ଫୀ ନିକଟରେ ଜନ ସମାଗମ ହେଉଥିଲା । ପ୍ରାଚୀନ ସମୟରେ ମୁଖ୍ୟତଃ ମହିଳାମାନେ ଘର ପାଇଁ ଜଳ ଆଣୁଥିବାରୁ ବାମ୍ଫୀ ପରିସର ମହିଳାମାନଙ୍କ ସାମାଜିକ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲା । ବାମ୍ଫୀର ଦେବୀଙ୍କ ଆଶୀର୍ବାଦ ପାଇବା ପାଇଁ ମହିଳାମାନେ ତର୍ପଣ ଓ ପ୍ରାର୍ଥନା କରୁଥିଲେ ।[] ଏହି କାରଣରୁ ସହର ଓ ନଗରର ଘରମାନଙ୍କୁ ଅନୁକରଣ କରି କିଛି ବାମ୍ଫୀରେ ସୁନ୍ଦର ସ୍ଥାପତ୍ୟ କଳା ବ୍ୟବହୃତ ହୋଇଛି । ଏହି ନିର୍ମାଣ ଶୈଳୀ ଯୋଗୁଁ କିଛି ବାମ୍ଫୀ ଦୀର୍ଘ କାଳ ପର୍ଯ୍ୟନ୍ତ ତିଷ୍ଠି ରହିପାରିଛନ୍ତି ।

ଏକ ବାମ୍ଫୀରେ ଥିବା ଦୁଇଟି ମୁଖ୍ୟ ଅଂଶ ହେଲା – (୧) ଜଳ ଉତ୍ତୋଳନ କରିବା ପାଇଁ ବ୍ୟବସ୍ଥା ଓ (୨) ବାମ୍ଫୀର ଚତୁଃପାର୍ଶ୍ୱ (ପଥର ନିର୍ମିତ କାନ୍ଥ, ପାହାଚ ଓ କ୍ଷୁଦ୍ର ସୁଡ଼ଙ୍ଗଦ୍ୱାରା ଜଳ ପର୍ଯ୍ୟନ୍ତ ପହଞ୍ଚିବାର ରାସ୍ତା ଇତ୍ୟାଦି) । ବାମ୍ଫୀ ଚତୁଃପାର୍ଶ୍ୱ କାନ୍ଥରେ ସୁନ୍ଦର କାରୁକାର୍ଯ୍ୟ ହୋଇଥିଲା ଓ ଗ୍ରୀଷ୍ମଋତୁରେ ଏଠାକାର ଶୀତଳ ପରିବେଶ ଲୋକଙ୍କୁ ଆକୃଷ୍ଟ କରୁଥିଲା ।[]

ବାମ୍ଫୀର ସ୍ଥାନୀୟ ନାମ

[ସମ୍ପାଦନା]

ପାହାଚ ରହିଥିବା କୂଅକୁ ଓଡ଼ିଆ ଭାଷାରେ ବାମ୍ଫୀ ବୋଲି କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁଯାୟୀ ବାମ୍ଫୀ ଶବ୍ଦର ଅର୍ଥ ହେଉଛି ବଡ଼ କୂଅ ବା ବଡ଼ ଆୟତନ ବିଶିଷ୍ଟ ପଥର ଓ ଇଟାର କାନ୍ଥବିଶିଷ୍ଟ କୂଅ । ଭାଷାକୋଷରେ ରହିଥିବା ବାମ୍ଫୀର ହିନ୍ଦୀ ପ୍ରତିଶବ୍ଦ ହେଉଛି “ବବଲି” ଓ “ବାଉଲୋ” । ବିଭିନ୍ନ ଭାଷାରେ ରହିଥିବା ବାମ୍ଫୀର ସ୍ଥାନୀୟ ନାମଗୁଡିକ ହେଲା :

  • ରାଜସ୍ଥାନୀ ଭାଷାରେ ବାଓଲି, ବାଉଡ଼ି ବା ବାୱଡ଼ି (बावड़ी)
  • ଗୁଜରାଟୀ ଓ ମାରୱାଡ଼ୀ ଭାଷାରେ ଭାୱ ବା ୱାଓ (વાવ)
  • କନ୍ନଡ଼ ଭାଷାରେ କଲ୍ୟାଣୀ ବା ପୁଷ୍କରିଣୀ
  • ହିନ୍ଦୀ ଭାଷାରେ ବାଓଲି (बावली)
  • ମରାଠୀ ଭାଷାରେ ବାରୱ (बारव)

ସଂସ୍କୃତ ଭାଷାରେ ଲିଖିତ ଶିଳ୍ପଶାସ୍ତ୍ରମାନଙ୍କରେ ଏ ପ୍ରକାରର କୂପକୁ ୱାପୀ ବା ୱାପିକ ବୋଲି ଅଭିହିତ କରାଯାଇଛି ।[] ଜଳାଭାବ ସମୟରେ ଜଳର ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ବାମ୍ଫୀଗୁଡ଼ିକ ନିର୍ମାଣ କରାଯାଇଥିବା ସମ୍ଭବପର । ସିନ୍ଧୁ ସଭ୍ୟତାର ଢୋଲାୱିରା ଓ ମୋହେଞ୍ଜୋଦାରୋରେ ଏପରି ସୋପାନବିଶିଷ୍ଟ କୃତ୍ରିମ କୂପର ଅବଶେଷ ଦେଖିବାକୁ ମିଳିଛି ।[] ମୋହେଞ୍ଜୋଦାରୋରେ ରହିଥିବା ତତ୍କାଳୀନ ଏକ ସିଲିଣ୍ଡର ଆକୃତିର ଇଟାନିର୍ମିତ କୂଅ ଓ ସେହି ପ୍ରକାରର କୂଅରୁ ଅନୁପ୍ରାଣୀତ ହୋଇ ପରବର୍ତ୍ତୀ ସମୟର ବାମ୍ଫୀମାନ ନିର୍ମିତ ହୋଇଥାଇପାରେ ।[] ଭାରତର ସର୍ବପୁରାତନ ପଥର କଟା ବାମ୍ଫୀ ଖ୍ରୀଷ୍ଟାବ୍ଦ ୨୦୦-୪୦୦ ସମୟର ।[]

ଜୁନାଗଡ଼ର ଉପରକୋଟ ବୌଦ୍ଧ ଗୁମ୍ଫାରେ ଏକ ଅତି ପ୍ରାଚୀନ ସୋପାନବିଶିଷ୍ଟ ପୋଖରୀ ରହିଛି । ଏହି ଗୁମ୍ଫାଗୁଡ଼ିକ ଚତୁର୍ଥ ଶତାବ୍ଦୀ ସମୟର । ପାଖରେ “ନୱଘନ କୂଓ” ନାମକ ଏକ କୂପ ରହିଛି ଯେଉଁଥିରେ କୁଣ୍ଡଳାକାର ସୋପାନ ରହିଛି । ଏଥିରୁ ଅଧିକାଂଶ ବାମ୍ଫୀ ଖ୍ରୀ. ୨୦୦-୪୦୦ ମଧ୍ୟରେ ପଶ୍ଚିମ କ୍ଷତ୍ରପମାନଙ୍କ ଶାସନକାଳରେ ଓ ଖ୍ରୀ. ୬୦୦-୭୦୦ ମଧ୍ୟରେ ମୈତ୍ରକ ନିର୍ମିତ ହୋଇଥିଲା । କିଛି ବାମ୍ଫୀ ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିବାର ପ୍ରମାଣ ମଧ୍ୟ ମିଳିଛି । ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଅଡ଼ିକଡ଼ି ନି ଭାୱ ଦଶମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ କିମ୍ବା ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ହୋଇଥିବାର ସମ୍ଭାବନା ରହିଛି ।[]

ରାଜକୋଟ ଜିଲ୍ଲାର ଢଂକରେ ଥିବା ବାମ୍ଫୀ ଖ୍ରୀଷ୍ଟାବ୍ଦ ୫୫୦-୬୨୫ ବେଳର । ପରବର୍ତ୍ତୀ ସମୟରେ ପ୍ରାୟ ଖ୍ରୀଷ୍ଟାବ୍ଦ ୮୫୦-୯୫୦ ବେଳକୁ ଭୀନମାଲରେ ସୋପାନଯୁକ୍ତ ପୁଷ୍କରିଣୀ ନିର୍ମିତ ହୋଇଥିଲା ।[] ଖ୍ରୀ. ୬୦୦ ବେଳକୁ ଦକ୍ଷିଣ-ପଶ୍ଚିମ ଗୁଜରାଟରେ ଅନେକ ବାମ୍ଫୀ ନିର୍ମିତ ହେଲା ଓ ପରେ ଏହି ପ୍ରଥା ବା ବ୍ୟବସ୍ଥା ରାଜସ୍ଥାନ ଏବଂ ଭାରତର ଉତ୍ତର ଓ ପଶ୍ଚିମକୁ ବ୍ୟାପ୍ତ ହୋଇଗଲା । ପ୍ରଥମେ ହିନ୍ଦୁ ଶିଳ୍ପ ବିଦ୍ୟା ବ୍ୟବହାର କରୁଥିବା ବାମ୍ଫୀ ସ୍ଥାପତ୍ୟ କଳା; ୧୧ଶରୁ ୧୬ଶ ଶତାବ୍ଦୀ ବେଳକୁ ମୋଗଲ ଶାସନ କାଳରେ ଚରମ ସୀମାରେ ପହଞ୍ଚିଥିଲା ।[]

୧୧ଶ ଶତାବ୍ଦୀରେ ଗୁଜରାଟରେ ନିର୍ମିତ ମାତା ଭବାନୀଙ୍କ ବାମ୍ଫୀ ଏକ ପୁରାତନ ବାମ୍ଫୀ । ବାମ୍ଫୀର ଜଳ ନିକଟରେ ପହଞ୍ଚିବା ପାଇଁ ଲମ୍ବା ସୋପାନଶ୍ରେଣୀ ରହିଥିବା ବେଳେ ପୂର୍ବ-ପଶ୍ଚିମ ଅକ୍ଷରେ ବିଭିନ୍ନ ଉଚ୍ଚତାରେ ବାରଣ୍ଡା ରହିଛି । ଏହି ବାମ୍ଫୀର ସ୍ତମ୍ଭ, କାନ୍ଥ ଇତ୍ୟାଦିରେ ସୁନ୍ଦର କାରୁକାର୍ଯ୍ୟ ରହିଛି ଯାହା ପୂର୍ବ କାଳରେ ବାମ୍ଫୀରେ ବ୍ୟବହୃତ ସ୍ୱତନ୍ତ୍ର ସ୍ଥାପତ୍ୟ ଓ ଚିତ୍ରକଳାର ପରିଚୟ ବହନ କରେ ।[]

ମୋଗଲ ଶାସକମାନେ ବାମ୍ଫୀ ନିର୍ମାଣ ଓ ସେଠାକାର ସାଂସ୍କୃତିକ ପ୍ରଥାକୁ ବିରୋଧ କରୁନଥିଲେ, ବରଂ ଅଧିକ ବାମ୍ଫୀ ନିର୍ମାଣ କରିବା ପାଇଁ ସେମାନେ ଲୋକଙ୍କୁ ଉତ୍ସାହିତ କରୁଥିଲେ । ବ୍ରିଟିଶ୍ ରାଜୁତି କାଳରେ ଅଧିକାରୀମାନେ ବାମ୍ଫୀ ଜଳର ଅସ୍ୱଚ୍ଛ ଓ ଅନୁପଯୋଗୀ ହୋଇଯାଇଥିବା ଉପଲବ୍ଧି କରିଥିଲେ ଏବଂ ସେଥିରେ ନଳ ଓ ପମ୍ପ ଲଗାଇ ବାମ୍ଫୀଗୁଡ଼ିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବାକୁ ଲାଗିଲେ ।[]

ଗୁରୁତ୍ୱ

[ସମ୍ପାଦନା]

ଜଳାଭାବ, ମରୁଡ଼ି ଓ ଶଷ୍କ ଋତୁରେ ବାମ୍ଫୀ ଏକ ଜଳ ଉତ୍ସ ରୂପେ ବ୍ୟବହୃତ ହେଉଥିଲା । ତା’ ଛଡ଼ା ବାମ୍ଫୀ ନିକଟରେ ଲୋକେ ଏକତ୍ରିତ ହେଉଥିବାରୁ ବାମ୍ଫୀର ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଗୁରୁତ୍ୱ ମଧ୍ୟ ରହିଥିଲା ।[] ଅନେକ ଭୂମିକମ୍ପର ସମ୍ମୁଖୀନ ହେବା ସତ୍ତ୍ୱେ ଏହି ବାମ୍ଫୀଗୁଡ଼ିକ ଭୁସୁଡ଼ି ନପଡ଼ିବା ଏମାନଙ୍କ ଦୃଢ଼ ସଂରଚନାର ସାକ୍ଷୀ ।[]

କଳା ଓ ସ୍ଥାପତ୍ୟ

[ସମ୍ପାଦନା]

ହିନ୍ଦୁ ମନ୍ଦିରମାନଙ୍କ ପରି ଅନେକ ବାମ୍ଫୀର କାନ୍ଥରେ ସୁନ୍ଦର ପ୍ରସ୍ତର କାରୁକାର୍ଯ୍ୟ ଦେଖିବାକୁ ମିଳେ । ଭାରତର ଅନ୍ୟ ସ୍ଥାପତ୍ୟ କଳା ପରି ମନୁଷ୍ୟ ଶରୀରର ଅଙ୍ଗପ୍ରତ୍ୟଙ୍ଗର ମାପ ଓ ଅନୁପାତକୁ ନେଇ ବାମ୍ଫୀର ପଥର ବିନ୍ୟାସ କରାଯାଇଛି ।[]

ଭାରତର କିଛି ପ୍ରମୁଖ ବାମ୍ଫୀ

[ସମ୍ପାଦନା]

ଭାରତର କର୍ଣ୍ଣାଟକ, ଗୁଜରାଟ, ରାଜସ୍ଥାନ, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟରେ ଅନେକ ପୁରାତନ ବାମ୍ଫୀର ଅବଶେଷ ଅଦ୍ୟାବଧି ରହିଛି । ୨୦୧୬ ମସିହାରେ କରାଯାଇଥିବା “ଷ୍ଟେପ୍ ୱେଲ୍ ଆଟଲାସ୍”[୧୦] ନାମକ ପ୍ରକଳ୍ପ ବାମ୍ଫୀମାନଙ୍କ ଅବସ୍ଥିତି ନିରୂପଣ ଓ ତଥ୍ୟ ସଂଗ୍ରହରେ ସହାୟକ ହୋଇଥିଲା । ୨୭୦୦ରୁ ଅଧିକ ବାମ୍ଫୀ ଚିହ୍ନଟ କରାଯାଇ ପାରିଥିଲା । ରାଜସ୍ଥାନର ବୁଣ୍ଡି ଅଞ୍ଚଳରେ ଆଖପାଖ ହୋଇ ପ୍ରାୟ ୬୦ଟି ଛୋଟବଡ଼ ବାମ୍ଫୀ ରହିଛି ।

ଭାରତରେ ଅବସ୍ଥିତ କିଛି ପ୍ରମୁଖ ବାମ୍ଫୀ ହେଲେ:

ଓଡ଼ିଶାରେ ଥିବା ବାମ୍ଫୀ

[ସମ୍ପାଦନା]

ଓଡ଼ିଶାରେ ମଧ୍ୟ ଅନେକ ଛୋଟବଡ଼ ବାମ୍ଫୀ ଦେଖିବାକୁ ମିଳେ । ପ୍ରାଚୀନ ଉଦୟଗିରି ବୌଦ୍ଧ ଗୁମ୍ଫାରେ ଏକ ବାମ୍ଫୀର ଅବଶେଷ ଦେଖି ହେବ । ଓଡ଼ିଶାର ନାନା ପ୍ରାଚୀନ ମନ୍ଦିରରେ ବାମ୍ଫୀମାନ ରହିଛି । ପୂରୀ ସହରର ବାଙ୍କୀ ମୁହାଣଠାରେ ରହିଥିବା ଗନ୍ଧର୍ବ ମଠର ଶୂନ୍ୟ ଭଜନ ପୀଠଟି ଏକ ବାମ୍ଫୀକୁ ପୋତି ନିର୍ମିତ ଯାହାକୁ ଶୂନ୍ୟ ବାମ୍ଫୀ ବୋଲି କୁହାଯାଉଥିଲା ।[୧୧]

ଉଦୟଗିରି ବୌଦ୍ଧ ଗୁମ୍ଫାରେ ରହିଥିବା ବାମ୍ଫୀକୁ ପଶିବା ପାଇଁ ରହିଥିବା ସୋପାନଶ୍ରେଣୀ
ପରିତ୍ୟକ୍ତ ଉଦୟଗିରି ବାମ୍ଫୀର ଜଳ


ପାକିସ୍ତାନର କିଛି ପ୍ରମୁଖ ବାମ୍ଫୀ

[ସମ୍ପାଦନା]

ମୋଗଲ ଶାସନକାଳରେ ନିର୍ମିତ ଅନେକ ବାମ୍ଫୀ ବର୍ତ୍ତମାନ ପାକିସ୍ତାନରେ ଦେଖିବାକୁ ମିଳେ । ସେଥିରୁ କିଛି ବାମ୍ଫୀର ରକ୍ଷଣାବେକ୍ଷଣ କରାଯାଇଥିବା ବେଳେ ଅନ୍ୟ କିଛି ପରିତ୍ୟକ୍ତ ଅବସ୍ଥାରେ ରହିଛି ।

  • ଝେଲମ୍ ନିକଟସ୍ଥ ରୋହତାସ୍ ଗଡ଼ର ବାମ୍ଫୀ
  • ମିଆଁୱାଲି ନିକଟସ୍ଥ ୱାନ୍ ଭାଚରାନ୍
  • ଇସ୍ଲାମାଦବାଦ ପାଖରେ ଥିବା ଲୋସାର୍ ବାଓଲି
  • ଶେରଶାହା ପାର୍କ ୱାଃ ଶିବିରର ଲୋସାର୍ ବାଓଲି
  • ମକ୍ଲି ବାଓଲି

ସୋପାନବିଶିଷ୍ଟ ପୁଷ୍କରିଣୀ

[ସମ୍ପାଦନା]
କର୍ଣ୍ଣାଟକ ରାଜ୍ୟର ଶ୍ରବଣବେଳାଗୋଳାସ୍ଥିତ ଏକ ସୋପାନବିଶିଷ୍ଟ ପୁଷ୍କରିଣୀ

ସୋପାନବିଶିଷ୍ଟ ପୁଷ୍କରିଣୀ ଓ ବାମ୍ଫୀର ଉଦ୍ଦେଶ୍ୟ ଏକା ପ୍ରକାରର କିନ୍ତୁ ଗଠନ ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ତଫାତ ରହିଛି । ଯଥା: ସୋପାନଯୁକ୍ତ ପୁଷ୍କରିଣୀ ସର୍ବଦା ଏକ ମନ୍ଦିର ନିକଟରେ ଖୋଳାଯାଇଥିବା ବେଳେ ବାମ୍ଫୀଗୁଡ଼ିକ ଜନ ଗହଳିରୁ ଦୂରରେ ନିର୍ମିତ ହେଉଥିଲା ।[୧୨] ତେବେ ସ୍ଥାନ ଚୟନରେ ବ୍ୟତିକ୍ରମ ମଧ୍ୟ ରହିପାରେ । ବାମ୍ଫୀଗୁଡ଼ିକ ଅନ୍ଧାରୁଆ ଓ ଭୂପୃଷ୍ଠରୁ ଏତେ ସହଜରେ ଦେଖି ହେବ ନାହିଁ କିନ୍ତୁ ସୋପାନଯୁକ୍ତ ପୁଷ୍କରିଣୀ ଦୂରରୁ ଦେଖିହେବ । ବାମ୍ଫୀମାନଙ୍କରେ ରୈଖିକ ନିର୍ମାଣ ଶୈଳୀ ବ୍ୟବହାର କରାଯାଏ, କିନ୍ତୁ ପୁଷ୍କରିଣୀଗୁଡ଼ିକ ପ୍ରାୟତଃ ବଡ଼ ଓ ଆୟତାକାର ।[]

ପ୍ରଭାବ

[ସମ୍ପାଦନା]
ପାକିସ୍ତାନର ଲାହୋରଠାରେ ରହିଥିବା ଏକ ମୋଗଲ ଉଦ୍ୟାନ

ବାମ୍ଫୀମାନଙ୍କ ସ୍ଥାପତ୍ୟ କଳା ଭାରତୀୟ ସ୍ଥାପତ୍ୟ କଳାକୁ କିପରି ପ୍ରଭାବିତ କରିଥିବ ତାହା ଅନେକାଂଶରେ ଅଜଣା ଓ ଗବେଷଣୀୟ ପ୍ରସଙ୍ଗ । ଜଳ ଗଚ୍ଛିତ ବା ନିୟନ୍ତ୍ରଣ କରୁଥିବା ଅନେକ କଳାକୃତି ଓ ନିର୍ମାଣକୁ ସେମାନେ ପ୍ରଭାବିତ କରିଛନ୍ତି ।[] ଆଗ୍ରାର ରାମବାଗ ଭାରତର ପ୍ରଥମ ମୋଗଲ ଉଦ୍ୟାନ ।[] ମୋଗଲ ସମ୍ରାଟ ବାବର ଏହି ଉଦ୍ୟାନର ପ୍ରତିଷ୍ଠା କରିଥିଲେ । ସୁନ୍ଦର ବୃକ୍ଷଲତା, ଜଳ ଓ ପ୍ରତିଫଳନ ଇତ୍ୟାଦି ତାଙ୍କ ପାଇଁ ସ୍ୱର୍ଗର ଭ୍ରମ ସୃଷ୍ଟି କରୁଥିଲେ । ଏଥିରୁ ଅନୁମେୟ ଯେ ସେ ନିଶ୍ଚିତ କିଛି କାରୁକାର୍ଯ୍ୟପୂର୍ଣ୍ଣ ବାମ୍ଫୀରୁ ଏହା ଅନୁକରଣ କରିଥିବେ । ଆଗ୍ରା ଦୁର୍ଗରେ ସେ ଏକ ବାମ୍ଫୀ ମଧ୍ୟ ଖୋଳାଇଥିଲେ । ଅନେକ ମୋଗଲ ଉଦ୍ୟାନ ଏପରି ଛୋଟ ଗାଡ଼ିଆ ଓ ତାହାର ପ୍ରତିଫଳନରୁ ସୃଷ୍ଟ ମାୟା ପାଇଁ ସୁନ୍ଦର ଦେଖାଯାନ୍ତି । ଏପରି ଜଳ ସମ୍ବନ୍ଧୀୟ ସ୍ଥାପତ୍ୟ ବ୍ୟବହୃତ ହୋଇଥିବା ଅନ୍ୟ କିଛି ପ୍ରସିଦ୍ଧ କଳାକୃତିମାନ ହେଲେ :

  • ହୁମାୟୂନଙ୍କ ସମାଧିସ୍ଥଳ, ପୂର୍ବ ନିଜାମୁଦ୍ଦିନ, ଦିଲ୍ଲୀ
  • ତାଜମହଲ, ଆଗ୍ରା
  • ମହତାବ ବାଗ୍, ଆଗ୍ରା
  • ସଫଦରଜଙ୍ଗଙ୍କ ସମାଧିସ୍ଥଳ
  • ଶାଲିମାର ଉଦ୍ୟାନ, ଜାମୁ ଓ କାଶ୍ମୀର
  • ନିଶାତ ଉଦ୍ୟାନ, ଜାମୁ ଓ କାଶ୍ମୀର
  • ୟାଦବିନ୍ଦ୍ର ଉଦ୍ୟାନ, ପିଞ୍ଜୋର୍
  • ଖୁସ୍ରୋ ବାଗ୍, ଏଲାହାବାଦ
  • ରୋଶନାରା ବାଗ୍

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. ୧.୦ ୧.୧ ୧.୨ Shekhawat, Abhilash. "Stepwells of Gujarat". India's Invitation. Retrieved 30 March 2012.
  2. ୨.୦ ୨.୧ ୨.୨ Davies, Philip (1989). The Penguin guide to the monuments of India. London: Viking. ISBN 0-14-008425-8.
  3. http://chitrolekha.com/steps-to-water-stepwells-in-india/
  4. Takezawa, Suichi. "Stepwells -Cosmology of Subterranean Architecture as seen in Adalaj" (pdf). The Diverse Architectural World of The Indian Sub-Continent. Retrieved 2009-11-18.
  5. Livingston & Beach, page 19
  6. ୬.୦ ୬.୧ Livingston & Beach, page xxiii
  7. Jutta Jain-Neubauer (1981). The Stepwells of Gujarat: In Art-historical Perspective. Abhinav Publications. pp. 19–25. ISBN 978-0-391-02284-3.
  8. ୮.୦ ୮.୧ ୮.୨ Tadgell, Christopher (1990). The History of Architecture in India. London: Phaidon Press. ISBN 0-7148-2960-9.
  9. ୯.୦ ୯.୧ ୯.୨ Livingston, Morna (2002). Steps to Water: The Ancient Stepwells of India. New York: Princeton Architectural. ISBN 1-56898-324-7.
  10. Stepwell Atlas
  11. http://www.garoiashram.org/english/places/shunyabhajanapitha.html
  12. Jain-Neubauer, Jutta (1981). The Stepwells of Gujarat: In Art-historical Perspective. New Delhi: Abhinav. ISBN 0-391-02284-9.

ଅନ୍ୟାନ୍ୟ ଲିଂକ୍

[ସମ୍ପାଦନା]