ବଡ଼ ଓଡ଼ିଆ ମଠ

ଉଇକିପିଡ଼ିଆ ରୁ
Jump to navigation Jump to search

ପୁରୀରେ ଥିବା ଓଡ଼ିଆ ମଠ ଅତିବଡ଼ି ଜଗନ୍ନାଥ ଦାସଙ୍କଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଏହି ମଠଟି ମହାପ୍ରଭୂଙ୍କର ବର୍ଷସାରା ଉପାସନା ସ‌ହିତ ଜଡ଼ିତ । ଓଡ଼ିଆ ଭାଗବତ ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ ଠାରୁ ଶିଷ୍ୟତ୍ୱ ଗ୍ରହଣ କରିବା ପରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଣୀ ତାଙ୍କର ନଅରଟିକୁ ଗୁରୁଙ୍କ ମଠ ପାଇଁ ଦାନ ସୂତ୍ରରେ ଦେଇଦେଇଥିଲେ । ପ୍ରାଚୀନ କାଳରେ ଗଜପତିଙ୍କ ଶ୍ରୀନଅର ବାଲିସାହିରେ ଅବସ୍ଥିତ ଥିଲା । ବର୍ତ୍ତମାନ ଶ୍ରୀନଅରର ଆରାଧ୍ୟ ଦେବୀ ମା' ଶ୍ୟାମାକାଳୀ ନଅରର ଶେଷ ଚିହ୍ନଭାବେ ବିଦ୍ୟମାନ ଅଛନ୍ତି । ସେତେବେଳେ ରାଣୀଙ୍କ ନଅର ଥିଲା ଶ୍ରୀମନ୍ଦିରର ପଶ୍ଚିମ-ଉତ୍ତର କୋଣର ଅନତି ଦୂରରେ ଥିବା ବାସେଳୀ ସାହି ନିକଟରେ । ପ୍ରାଚୀନ ଗଜପତି ପରମ୍ପରାର ରାଣୀ ନଅରଟି ହିଁ ଓଡ଼ିଆମଠର ଶେଷ ସନ୍ତକ ଭାବେ ଅଦ୍ୟାବଧି ରହିଛି ।

ପରିଚାଳନା[ସମ୍ପାଦନା]

ବଡ଼ ଓଡ଼ିଆ ମଠର ବର୍ତ୍ତମାନ ମହନ୍ତ ଶ୍ରୀ ବଂଶୀଧର ଦାସ ଗୋସ୍ୱାମୀ

ପ୍ରାକ୍ତନ ମଠାଧିଶ / ମହନ୍ତ : ବଂଶୀଧର ଦାସ ଗୋସ୍ୱାମୀ

ମଠ ତରଫରୁ ଜଗନ୍ନାଥଙ୍କ ସେବା[ସମ୍ପାଦନା]

ଶ୍ରୀମନ୍ଦିର ସହିତ ବଡ଼ ଓଡ଼ିଆ ମଠର ସମ୍ପର୍କ ଅତି ନିବିଡ଼ । ମହାପ୍ରଭୁଙ୍କର ସେବାରେ ଏହି ମଠର ଗୁରୁତ୍ୱପୁର୍ଣ୍ଣ ସେବା ରହିଛି ।[୧] ରଥଯାତ୍ରା ଏବଂ ନବକଳେବର ସମୟରେ ଏହି ମଠର ସେବା ରହିଛି । ନବକଳେବରରେ ଚାରି ଦାରୁ ଆଲମଚଣ୍ଡି/ଯଜ୍ଞ ନୃସିଂହ ପୀଠରୁ ଶ୍ରୀମନ୍ଦିରକୁ ଆସିବା ବେଳେ ବଡ଼ ଓଡ଼ିଆ ମଠର ସଙ୍କୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥାନ୍ତି । ଅଣସର ଏବଂ ମହା ଅଣସର ସମୟରେ ଠାକୁର ପଣା ଏବଂ ଚକଟା ଭୋଗ ମଠ ଯୋଗାଇଥାଏ । ଅନବସରରେ ୬ ସେର ଦିଆଯାଉଥିବା ବେଳେ ମହାଅନବସରରେ ୯ ସେର ଦିଆଯାଇଥାଏ । ପ୍ରତିବର୍ଷ ଅଣସର ବେଳେ ଗୁପ୍ତ ନୀତି ପାଇଁ ଫୁଲୁରୀ ତେଲ ମଠ ପକ୍ଷରୁ ଯୋଗାଇ ଦିଆଯାଏ । ମହାଅଣସର ସମୟରେ ଏହି ଫୁଲୁରୀ ତେଲ ଅଧିକ ମାତ୍ରାରେ ହାରାହାରି ୧୦ ଶେର ରାଶିତେଲ, ୨୪ ପ୍ରକାର ଦ୍ରବ୍ୟ ମିଶାଇ ଯୋଗାଇଦିଆଯାଏ । ଏହି ଦ୍ରବ୍ୟଗୁଡ଼ିକ ଓଡ଼ିଶାରେ ଉପଲବ୍ଧ ହେଉ ନଥିବାରୁ କେତେକ ଦ୍ରବ୍ୟ ଓଡ଼ିଶା ବାହାରୁ ମଠ ମଗାଇଥାଏ । ଉଲ୍ଲେଖଯୋଗ୍ୟ, ଏହି ଫୁଲୁରୀ ତେଲ ପ୍ରସ୍ତୁତି ପାଇଁ ମଠ ପକ୍ଷରୁ ୧ବର୍ଷ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୁଏ । ଆଷାଢ଼ ଶୁକ୍ଳ ମଳ ତ୍ରୟୋଦଶୀ ଦିନ ମ‌ହାପ୍ରଭୁଙ୍କ ପାତାଳୀ ଲୀଲା ପରେ ଶୁଦ୍ଧିକ୍ରିୟା ପାଳନ ଅବସରରେ ଏହି ମଠ ସାଧୁ, ସନ୍ଥ, ସେବକ, ବ୍ରାହ୍ମଣ ଓ ବୈଷ୍ଣବମାନଙ୍କ ପାଇଁ ମ‌ହାପ୍ରସାଦ ଯୋଗାଇଥାଏ । ପୂର୍ବ କାଳରେ ଜଳପଥରେ ଦାରୁ ଆସିବା ପରେ ନ‌ଦୀଘାଟରୁ ମ‌ହାପ୍ରଭୁଙ୍କ ଦାରୁକୁ ଶଗଡ଼ିରେ ଶ୍ରୀମନ୍ଦିରକୁ ବିଜେ ନିମନ୍ତେ ଏହି ମଠ ପକ୍ଷରୁ ବ୍ୟବସ୍ଥା କରାଯାଉଥିଲା । ଚକା ଏବଂ ଅପସର ତିଆରି ଲାଗି କନା ଦିଆଯାଏ । ରଥଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ଘରକୁ ପ୍ରବେଶ ଓ ପ୍ରସ୍ଥାନ କରୁଥିବା ବେଳେ ପଂକ୍ତି ଭୋଗ ହୋଇଥାଏ । ତାହାକୁ ଆଉଡ଼ା ବାଉଡ଼ା ପଂକ୍ତି ଭୋଗ କୁହାଯାଏ । ରଥ ଦକ୍ଷିଣ ମୋଡ଼ ଦିନ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କର ନୂଆ ଲୁଗା ଲାଗି ହୋଇ ଚନ୍ଦନ ସର୍ବାଙ୍ଗ ହୁଏ । ଖିରି, ଖେଚେଡ଼ି, ଅମାଲୁତାଡ଼ିଆ ଭୋଗ ହୋଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ ହୋଇଥାଏ । ଏହା ମଧ୍ୟ ବଡ଼ ଓଡ଼ିଆ ମଠ ପକ୍ଷରୁ କରାଯାଇଥାଏ । ରଥର ପ୍ରତି ବାଡ଼ରେ ଅଧର ପଣା ଦିଆଯାଇଥାଏ । ତିନି ବାଡ଼ ଲାଗି ୩ ହାଣ୍ଡି ଅଧର ପଣା ଦିଆଯାଏ । ନୀଳାଦ୍ରି ବିଜେ ଦିନ ତ୍ରୀମୁଣ୍ଡି ବା କନକ ମୁଣ୍ଡି ଚାନ୍ଦୁଆ ରତ୍ନ ସିଂହାସନ ଉପରେ ଲଗାଯାଇଥାଏ । ହେରାପଞ୍ଚମୀ ଦିନ ମଠ ପରିସରରେ ଚାନ୍ଦୁଆ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ । ନୀଳାଦ୍ରି ବିଜେ ଦିନ ରତ୍ନ ସିଂହାସନରେ ଚାନ୍ଦୁଆ ବନ୍ଧା ସରିବା ପରେ ଏବଂ ରଥରେ ମହାପ୍ରଭୁଙ୍କର ସନ୍ଧ୍ୟାଧୂପ ନୀତି ସମ୍ପନ୍ନ ହେବା ପରେ ବଡ଼ ଓଡ଼ିଆ ମଠର ମଠାଧିଶ ରାଜଥାଟରେ ବଡ଼ ଓଡ଼ିଆ ମଠରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଆନ୍ତି । ସେଠାରେ ଚନ୍ଦନ, କସ୍ତୁରୀ, କର୍ପୂର, ଚୁଆ, କେଶରରେ ରତ୍ନ ସିଂହାସନ ମାଜଣା କରନ୍ତି । ଉକ୍ତ ଦିବସରେ ମଠ ପକ୍ଷରୁ ୧୪ ହାତ ଲମ୍ବର ଏକ ପତିତପାବନ ବାନା ବନ୍ଧାଯାଇଥାଏ । ଗଜପତି ଶାସନ କାଳରୁ ଏ ପର୍ଯ୍ୟନ୍ତ ପତିତପାବନ ବାନା ବାନ୍ଧିବା ପାଇଁ ପାଉଣା ମଠଠାରୁ ଆଦାୟ କରାଯାଏ ନାହିଁ ।[୨]

ଅଧିକ ଦେଖନ୍ତୁ[ସମ୍ପାଦନା]

ପୁରୀରେ ଥିବା ଅନ୍ୟ ସବୁ ମଠ :

ଆଧାର[ସମ୍ପାଦନା]

  1. Orissa Review (PDF). Orissa Government. July 2008. pp. 75 to 77.
  2. ଦାରୁଦିଅଁ, ନବକଳେବର ୨୦୧୫ (୯ ଜୁନ ୨୦୧୫). ମଠେ ମଠେ ଚହଳ... କଟକ: ତଥାଗତ ଶତପଥୀ - ଧରିତ୍ରୀ. pp. ୪୬. Check date values in: |date= (help)