Jump to content

ପାଇକ

ଉଇକିପିଡ଼ିଆ‌ରୁ
ପାଇକ

ପାଇକମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତତ୍କାଳୀନ ଉତ୍କଳର ସାମରିକ ପଦାତିକ ଯୋଦ୍ଧା ଥିଲେ । ଏମାନେ ମୁଖ୍ୟତଃ ଆଧୁନିକ ଓଡ଼ିଶାର ଖୋର୍ଦ୍ଧା ଅଞ୍ଚଳର ଏବଂ ଭିନ୍ନ ଭିନ୍ନ ପେଶାଧାରୀ ଥିଲେ । କିନ୍ତୁ ଯୁଦ୍ଧ ସମୟରେ ଏମାନେ ସୈନିକର ଭୂମିକା ନେଉଥିଲେ । ଉତ୍କଳର ରାଜା ପ୍ରତାପରୁଦ୍ର ଦେବଙ୍କ ସମୟରେ ପାଇକମାନେ ଥିଲେ ଯୁଦ୍ଧର ମୁଖ୍ୟ ବଳ । ପାଇକମାନେ "ଇଟାକାର" (ସାମରିକ ପାଇକ ନାଚ ପ୍ରଦର୍ଶନକାରୀ), "ଫଡ଼ିକାର" (ଧନୁର୍ଦ୍ଧାରୀ) ଓ "ଧନୁକୀ" ନାମରେ ତିନି ଭାଗରେ ବିଭକ୍ତ । ପାଇକଖେଡ଼ା ବହିରେ ପାଇକମାନଙ୍କ ବାବଦରେ ବିଶଦ୍ ବର୍ଣ୍ଣନା ରହିଛି । ୨୭ ଜଣ ପାଇକଙ୍କୁ ନେଇ "ଦଳ" ହୁଏ ଓ ୭୦ ଜଣ ପାଇକଙ୍କ ଦଳକୁ "ଭୂୟାଁ" କୁହାଯାଏ ।[] ପାଇକମାନଙ୍କ ମୁଖ୍ୟଙ୍କୁ "କ୍ଷତ୍ରିୟ ଖଣ୍ଡାୟତ" କୁହାଯାଉଥିଲା । ଏଠାରେ ଖଣ୍ଡାୟତ ଅର୍ଥ ଏକ ବିଶାଳ ଭୂମଖଣ୍ଡକୁ ଆୟତ୍ତ କରୁଥିବା ବ୍ୟକ୍ତି ବା ମୁଖିଆ ବା ରାଜାଙ୍କ ଉଦ୍ଦେଶ୍ୟରେ କୁହାଯାଇଥାଏ। []

ଇତିହାସ

ପ୍ରତାପରୁଦ୍ରଦେବ

ପ୍ରତାପରୁଦ୍ରଦେବଙ୍କ ରାଜଧାନୀ କଟକରେ ଥିବାରୁ ଦକ୍ଷିଣକୁ ସାମ୍ରାଜ୍ୟ ବଢ଼ାଇବା ବେଳେ ଶାସନ ଓ ସୈନ୍ୟବାହିନୀର ଆବଶ୍ୟକତା ପଡ଼ିଲା । ଶାସନ ପରିଚାଳନାକୁ ଆଖିରେ ରଖି ଉଭୟ ପ୍ରଶାସନିକ ଓ ସେନାବଳ ବଢ଼ାଗଲା ।[]

ଶ୍ରେଣୀବିଭାଗ

୭୦ ଜଣ ପାଇକଙ୍କ ଦଳକୁ "ଭୂୟାଁ" ଓ ୨୭ ଜଣ ପାଇକଙ୍କୁ ନେଇ ଏଇ "ଦଳ" ଗଠିତ ହୁଏ । ଏକ ଦଳ ସହ ସ୍ୱେଚ୍ଛାସେବୀ ଅଣ-ସେନାନୀ ଯାଉଥିଲେ । ଏମାନେ ଯୁଦ୍ଧରେ କ୍ଷତବିକ୍ଷତ ହେଉଥିବା ପାଇକମାନଙ୍କ ଯତ୍ନ ନେଉଥିଲେ ।[] ପାଇକମାନଙ୍କ ଶ୍ରେଣୀବିଭାଗ:

  • "ବାହିନୀପତି" ବା "ପାଇକରାୟ": ପାଇକମାନଙ୍କ ଦଳପତି
  • "ଦଳବେହେରା" ବା "ବେହେରା": ଦଳର ମୁଖିଆ
  • "ନାୟକ" ବା "ଗଡ଼ନାୟକ" ବା "ଦଣ୍ଡନାୟକ": ଗଡ଼ର ମୁଖିଆ
  • "ବାହୁବଳେନ୍ଦ୍ର": ଅଣ-ସେନାନୀର ମୁଖିଆ
  • " ପାଟସାହାଣୀ": ଗଜ ବାହିନୀ ମାନଙ୍କ ମୁଖିଆ

ବେଶଭୂଷା

ପାଇକମାନେ ବ୍ୟବହାର କରୁ ଥିବା ଅସ୍ତ୍ର ଶସ୍ତ୍ରଗୁଡ଼ିକ ହେଉଛି କଣ୍ଟିଆ, ଅର୍ଦ୍ଧଚନ୍ଦ୍ର, ହବୁଡ଼ା, ଭୂଷଣ୍ଡୀ, କଟାରି, ଯୋଡ଼ାଗୁଆଳି, ଭିନ୍ଦିପାଳ, ଭାଲିମୁଖ, ପଞ୍ଚସୁର, ଜଜାଳ, କଉତୁଣ୍ଡି, ସପ୍ତସୁର, ଢାଲ, ଚକ୍ର, ଫରକଟ, ଶୂଳ, ବାଘନଖିଆ, ଗୋପୁଚ୍ଛ, ଭାଲ୍ଳା, କାଣ୍ଡଶର, ଗଦା, ଯମଦାଢ଼, ବାଙ୍କଛୁରୀ, ଶଲ୍ୟ, ଶାବେଳୀ, ଖଣ୍ଡା, ଛୁରୀ, ପରିଘ, ତଲୱାର, ଦଣ୍ଡ, ଶତଘ୍ନୀ, ଦିବ୍ୟାସ୍ତ୍ରକବଚ, କୁନ୍ତ, କବଚ, ପାଶ, ବଜ୍ର, ମୂଷଳ, ଅଙ୍କୁଶ, ପଟୀଶ, ସଲା, ପରଶୁ, ମୁଦ୍ଗର, ଚଡକାନଳୀ, କର୍ତରୀ, କୁଠାର, କ୍ଷୁର, ବାଳୁତଦାନ୍ତୀ, ଖଟ୍ୱାଙ୍ଗ ଇତ୍ୟାଦି ।

ଶରୀରର ବିଭିନ୍ନ ସ୍ଥାନରେ ରଖାଯାଉଥିବା ଅସ୍ତ୍ରଶସ୍ତ୍ର

ମୁଣ୍ଡ

ମୁଣ୍ଡର ମୁକୁଟରେ ଥିବା ବିଭିନ୍ନ ଅଂଶ:

  • ବଜ୍ର: ମୁକୁଟର ଚୂଳ
  • ବାଘ ମର୍ଗଆ: ବଜ୍ର ଶେଷରେ ଥିବା ଏକ ଗୋଲାକାର ବସ୍ତୁ
  • ହାଣ୍ଡିଆ: ବାଘ ମର୍ଗଆ ପରେ ଥିବା ଅର୍ଦ୍ଧଚନ୍ଦ୍ରାକାର ଧାତବ ବସ୍ତୁ

କବନ୍ଧ

କାନ୍ଧ

ଏକ କାନ୍ଧରୁ ଆରଟିକୁ ଏକ ପଟି ପଡ଼ିଥାଏ । ତାହାକୁ "କପ" କୁହାଯାଏ । ଏକ କାନ୍ଧରେ ଢେଣୁ (ଧନୁ) ଓ ଆର କାନ୍ଧରେ କାଣ୍ଡସର ଝୁଲୁଥାଏ ।

ଛାତି

ଛାତିରେ ପଟି ବନ୍ଧାହୋଇ ଏକ "କଟାରି" ଖୋସାଯାଇଥାଏ ।

ବାହା ଓ ହାତ

ବାହୁରେ "ବାହୁଟି" ପିନ୍ଧାଯାଇଥାଏ । ବାହୁଟି ତଳକୁ "କବଚ" ଓ ତା' ତଳକୁ "କଲିଙ୍ଗି" । କଚଟିରୁ କହୁଣିର ଟିକେ ତଳ ଯାଏ ହୋତା-ବାହାତା ପିନ୍ଧାଯାଏ । ଗୋଟେ ହାତରେ ପାଇକମାନେ ଖଣ୍ଡା ଆଉ ଆର ହାତରେ ଢାଲ ଧରିଥାନ୍ତି ।

ଅଣ୍ଟା

ଅଣ୍ଟାରେ ଏକ "ପେଟି" ପିନ୍ଧାଯାଇଥାଏ । କାନ୍ଧରୁ ଆସିଥିବା "କପ" ଏଥିରେ ଖୋସାଯାଇଥାଏ । ଏଥି ସହିତ ଏକ ତିନିକୋଣିଆ "ସିଙ୍ଗଡ଼ା", ଏକ "ବାଙ୍କଛୁରି" ଓ ମଇଁଷି ଶିଙ୍ଗରେ ତିଆରି "ଶିଙ୍ଗା" ଅଣ୍ଟାରୁ ଝୁଲୁଥାଏ । ଅଣ୍ଟା ତଳକୁ ଆଣ୍ଠୁଯାଏ ଏକ ପୋଷାକ ପିନ୍ଧାଯାଇଥାଏ । ଏଥିରେ ମଝି ଅଂଶରେ ଏକ "ରୁଢ଼ିମାଳ" ଅଣ୍ଟାରୁ ଝୁଲୁଥାଏ । ଅଣ୍ଟାର ଟିକେ ତଳକୁ ଏକ "କଟି ଢାଲ" ଓ ତା' ତଳକୁ "ରଞ୍ଜକ ପଟି" ଝୁଲୁଥାଏ । ଏକ କାନିପରି ଦିଶୁଥିବା "ଓଜମାଳ" ଓ ତହିଁରେ ଥିବା "ଗଣ୍ଠିଆ" ଦେହର ପଛ ଆଡ଼ରେ ଝୁଲୁଥାଏ ।

ଗୋଡ଼

ପାଇକମାନେ ଗୋଡ଼ରେ ଏକ ପ୍ରକାର ମୋଜା ଓ ଜୋତା ପିନ୍ଧିଥାନ୍ତି ।

କର

ପ୍ରତାପରୁଦ୍ରଦେବଙ୍କ କାଳରେ ପ୍ରଜାମାନଙ୍କୁ "ପାଇକ" ନାମରେ ଏକ କର ଦେବାକୁ ପଡୁଥିଲା । ଏହି କର ପାଇକମାନଙ୍କ ରକ୍ଷଣାବେକ୍ଷଣା ନିମନ୍ତେ ଖର୍ଚ୍ଚ ହେଉଥିଲା ।[]

ଜଣାଶୁଣା ମାଧ୍ୟମରେ ବର୍ଣ୍ଣନା

ପାଇକମାନଙ୍କ ବେଷଭୂଷା, ଅସ୍ତ୍ରଶସ୍ତ୍ର ଆଦି ବିଷୟର ବର୍ଣ୍ଣନା ବିଭିନ୍ନ ପୁରାତନ ରଚନା ମଧ୍ୟରେ ସାରଳା ଦାସଙ୍କ ସାରଳା ମହାଭାରତରେ ରହିଛି:

ଆପଣେ ଯୁଦ୍ଧକୁ ସଜ ହେଲା ନୃପମଣି
ଶିରେ ସିମନ୍ଥନୀ ପାଗ ଜରିରେ ଖଞ୍ଜଣୀ।।
କରେ କଙ୍କଣ ସ୍ୱର୍ଣ୍ଣ ବାହୁଟୀ ଆଦି ଜଗଦଳା,
ହୃଦରେ ଆଭରଣ ମୁକୁତାର ମାଳା।।
ଶ୍ରବଣେ କୁଣ୍ଡଳ ଶୋଭେ ବାମକରେ ଶରାସନ
ଡାହାଣରେ ନାରାଜ ଦିଶଇ ଶୋଭାବନ।।
ଅନର୍ଗଳ ତୋଡର ବାନ୍ଧିଲୋକ ବାମପାଦେ
ଚରଣେ ନୁପୁର ଶୁଭଇ ମହାନାଦେ ।।
ଦାଢିମୋଡି ରାଜା ବସିଲାକ ରଥେ ଯାଇଁ
ଚିତ୍ରଧ୍ୱଜ ରଜା ଅଇଲା ବେଗେ ସଜ ହୋଇ।।
କପାଳେ ତିଳକ ଶିରେ ପାଗ ବାନ୍ଧି
ଦିବ୍ୟ ଚାରୁପାଟେ ବାଛିଣ ସେ ବୀରବେଶ ପିନ୍ଧି।।
ଚରଣେ ନୁପୁର ବେନି ରୁଣୁ ଝୁଣୁ ବାଜେ
ହୃଦରେ ପଦକ ହାର ମଣିଗଣ ସାଜେ।।
ପୀତ ପତନୀୟେ ସେ କରିଣ ଦୋସଡା
ବିଦମୁଦୀ ବାହୁଦୀ କଚଟୀ ଜଗଦଳା।।
ତାଡ଼ ତୋଢ଼ର ଯେ ଯମଦାଢ଼ ବାମଭାଗେ
କସ୍ତୁରୀ ଲେପନ କରି ଅଛଇ ସର୍ବାଙ୍ଗେ।।
ବେନି ଶ୍ରବଣେ ସୁବର୍ଣ୍ଣ ଲୋଳି ଶୋଭାବନ
କସ୍ତୁରୀ ଉପରେ କରି ଚନ୍ଦନ ଲେପନ।।
ଡାହାଣେ ନାରାଜ ବାମକରେ ଶରାସନ
ସାରଥି ସାଜିଣ ଆଣିଲା ସେ ଦିବ୍ୟଯାନ।।

ଆଧାର

  1. ୧.୦ ୧.୧ Dipti Ray (2007). Prataparudradeva, the Last Great Suryavamsi King of Orissa (A.D. 1497 to A.D. 1540). Northern Book Centre. pp. 65–. ISBN 978-81-7211-195-3.
  2. Session, Orissa History Congress (1977). Proceedings of the Annual Session (in ଇଂରାଜୀ). The Congress. pp. ୧୮୪.
  3. R.Sewel, Indian Historical Researchers, Vol. 48 (Virabhadra (AD 1497-1515) remain as the ruler of Kondavidu
  4. "The Gopinathpur Temple Inscriptions". The Gopinathpur Temple Inscriptions. 8.

ଅଧିକ ପଠନ