ଜିମ୍ କର୍ବେଟ୍

ଉଇକିପିଡ଼ିଆ ରୁ
Jump to navigation Jump to search
ଜେମସ୍ ଏଡୱାର୍ଡ୍ "ଜିମ୍" କର୍ବେଟ୍
Jim Corbett.jpg
ଜିମ୍ କର୍ବେଟ୍
ଜନ୍ମ ଓ ଜନ୍ମସ୍ଥାନ ପୁରା ନାମ ଜେମସ୍ ଏଡୱାର୍ଡ୍ (ବା ଏଡୱାର୍ଡ୍ ଜେମସ୍) କର୍ବେଟ୍
୨୫ ଜୁଲାଇ ୧୮୭୫
ନୈନିତାଲ୍, ଆଗ୍ରା ଓ ଅବଧ, ବ୍ରିଟିଶ୍ ଶାସନାଧୀନ ଭାରତ (ବର୍ତ୍ତମାନ ଭାରତ)
ମୃତ୍ୟୁ ଅପ୍ରେଲ ୧୯, ୧୯୫୫(୧୯୫୫-୦୪-୧୯)
ନିୟେରି, କେନିଆ
ଜାତୀୟତା ବ୍ରିଟିଶ୍-ଭାରତୀୟ
ଜୀବିକା ଶିକାରୀ, ପ୍ରକୃତିପ୍ରେମୀ, ଲେଖକ

ଜେମସ୍ ଏଡୱାର୍ଡ୍ କର୍ବେଟ୍ (୨୫ ଜୁଲାଇ ୧୮୭୫ – ୧୯ ଅପ୍ରେଲ୍ ୧୯୫୫) ଜଣେ ବ୍ରିଟିଶ୍ ଭାରତୀୟ ଶିକାରୀ, ପ୍ରକୃତିପ୍ରେମୀ, ଲେଖକ ଓ ପରବର୍ତ୍ତୀ ସମୟରେ ବ୍ୟାଘ୍ର ସଂରକ୍ଷଣ ବାର୍ତ୍ତାର ପ୍ରଚାରକ । ସେ ଅନେକ ନରଖାଦକ ମହାବଳ ବାଘ ଓ କଲରା ପତରିଆ ବାଘର ଶିକାର କରିଥିବାରୁ ଉତ୍ତର ଭାରତର ଅନେକ ଗାଁରେ ଜଣାଶୁଣା ଥିଲେ । କର୍ବେଟ୍ ଭାରତରେ ଅବସ୍ଥାପିତ ବ୍ରିଟିଶ୍ ସେନାରେ ଜଣେ କର୍ଣ୍ଣେଲ୍ ଭାବରେ କାର୍ଯ୍ୟରତ ଥିଲେ । ବ୍ରିଟିଶ୍ ସରକାରଙ୍କ ଅନୁରୋଧରେ ତତ୍କାଳୀନ ଉତ୍ତର ପ୍ରଦେଶର ଗଡୱାଲ୍ ଓ କୁମାୟୁଁ ଅଞ୍ଚଳରେ ନରଖାଦକ ପାଲଟିଥିବା ବାଘମାନଙ୍କୁ ଶିକାର କରି ଅନେକ ଜୀବନ ରକ୍ଷା କରିଥିଲେ ।  

ସେ କୁମାୟୁଁର ନରଖାଦକ, ଜଙ୍ଗଲ ତଥ୍ୟ ଆଦି ଅନେକ ପୁସ୍ତକର ଲେଖକ ମଧ୍ୟ । ସର୍ବସାଧାରଣ ଓ ସମାଲୋଚକଙ୍କଦ୍ଵାରା ଆଦୃତ ତାଙ୍କ ପୁସ୍ତକମାନଙ୍କରେ ନିଜ ଶିକାର ସମୟର ଅନେକ ସ୍ମୃତି ବର୍ଣ୍ଣନା କରିଛନ୍ତି ।   ପରବର୍ତ୍ତୀ ସମୟରେ କର୍ବେଟ୍ ଜଙ୍ଗଲୀ ଜନ୍ତୁଙ୍କ ଚିତ୍ରତ୍ତୋଳନରେ ମନୋନିବେଶ କରିଥିଲେ । ଲୋପ ପାଇଯାଉଥିବା ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମାଜରେ ଜାଗରଣ ସୃଷ୍ଟି କରିବା ଦିଗରେ ମନ ବଳାଇଥିଲେ । ମହାବଳ ବାଘ ମାନଙ୍କୁ ନିରାପଦ ଆସ୍ଥାନ ଦେବା ଉଦ୍ଦେଶ୍ୟରେ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁରୋଧ କରି ସେ ହାଇଲେ ଜାତୀୟ ଉଦ୍ୟାନର ସ୍ଥାପନ କରିବାରେ ସାହାଯ୍ୟ କରିଥିଲେ । ତାଙ୍କ ସମ୍ମାନରେ ୧୯୫୭ ମସିହାରେ ଏହାକୁ କର୍ବେଟ୍ ଜାତୀୟ ଉଦ୍ୟାନ (କର୍ବେଟ୍ ଅଭୟାରଣ୍ୟ) ବୋଲି ନାମିତ କରାଗଲା ।  

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କର୍ବେଟ୍ କୁମାୟୁଁର ନୈନିତାଲରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଖ୍ରୀଷ୍ଟୋଫର୍ ୱିଲିୟମ୍ କର୍ବେଟ୍ ଓ ମାତା ମେରି ଜେନଙ୍କ ପରିବାରରେ ସମୁଦାୟ ୧୬ ଜଣ ସନ୍ତାନ ସନ୍ତତି ଥିଲେ ।[୧] କର୍ବେଟ୍ ସେମାନଙ୍କ ମଧ୍ୟରେ ଅଷ୍ଟମ ଥିଲେ । ଖ୍ରୀଷ୍ଟୋଫର୍ କର୍ବେଟ୍ ୧୮୬୨ରେ ସାମରିକ ସେବାରୁ ଅବ୍ୟାହତି ନେଇ ନୈନିତାଲକୁ ଆସିଥିଲେ ଓ ସେଠାରେ ଡାକସେବାରେ କାମ କରିବା ଆରମ୍ଭ କଲେ । ଶୀତମାସରେ ଏହି ପରିବାର ପର୍ବତର ପାଦଦେଶରେ “ଛୋଟ ହଲ୍ଦୱାନୀ” ନାମକ ଗ୍ରାମରେ ରହୁଥିଲେ । ଏହି ଗ୍ରାମ ଏବେ କାଲାଦୁଂଗି ନାମରେ ପରିଚିତ । ମେରି ଜେନ୍ ନୈନିତାଲରେ ବସବାସ କରୁଥିବା ଇଉରୋପୀୟ ସାମାଜରେ ଅତି ଜଣାଶୁଣା ଥିଲେ ।[୨] ଖ୍ରୀଷ୍ଟୋଫର୍ କର୍ବେଟ୍ ୧୮୭୮ରେ ଅବସର ଗ୍ରହଣ କରିଥିଲେ । ୨୧ ଅପ୍ରେଲ୍ ୧୮୮୧ରେ, ଜିମ୍ ୬ ବର୍ଷ ବୟସର ହୋଇଥିବା ବେଳେ, ଖ୍ରୀଷ୍ଟୋଫର୍ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।  ଜିମଙ୍କ ବଡ଼ଭାଇ ଟମ୍ ପୋଷ୍ଟ ମାଷ୍ଟର ଭାବେ ଯୋଗଦେଇ ପରିବାରର ଭାର ଗ୍ରହଣ କରିଥିଲେ । ଅଳ୍ପ ବୟସରୁ ଜିମ୍ କାଲାଦୁଂଗି ପାର୍ଶ୍ଵବର୍ତ୍ତୀ ଜଙ୍ଗଲ ଜୀବନଦ୍ଵାରା ଖୁବ୍ ପ୍ରଭାବିତ ହୋଇଥିଲେ । ବାରମ୍ଵାର ବନରେ ଭ୍ରମଣକରି ସେ ପଶୁପକ୍ଷୀଙ୍କ ଶବ୍ଦଦ୍ଵାରା ସେମାନଙ୍କୁ ଚିହ୍ନିବା ଆରମ୍ଭ କଲେ । ସମୟକ୍ରମେ ସେ ଜଣେ ଭଲ ଶିକାରୀ ଭାବେ ପରିଚିତ ହେଲେ । ସେ ଓକ୍ ଓପନିଙ୍ଗ୍ସ୍ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ପରବର୍ତ୍ତୀ କାଳରେ ଏହି ବିଦ୍ୟାଳୟ ହାଲେଟ୍ ସାମରିକ ବିଦ୍ୟାଳୟ ଓ ବିର୍ଲା ବିଦ୍ୟାମନ୍ଦିର ଭାବେ ନାମିତ ହେଲା । ଉଣେଇଶି ବର୍ଷ ବୟସରୁ ସେ ରେଳସେବାରେ ଯୋଗଦେଇ ବଙ୍ଗ, ପଞ୍ଜାବ, ବିହାର ଏପରି ଅନେକ ସ୍ଥାନରେ କାମ କରିଥିଲେ । [୩]

ନରଖାଦକ ମହାବଳ ବାଘ ଓ କଲରା ପତରିଆ ବାଘଙ୍କ ଶିକାର[ସମ୍ପାଦନା]

ମୃତ ରୁଦ୍ରପ୍ରୟାଗର ମଣିଷଖିଆ କଲରାପତରିଆ ବାଘ ସହିତ ଜିମ୍ କର୍ବେଟ୍
ମୃତ ପାନାର ନରଭକ୍ଷୀ କଲରାପତରିଆ ବାଘ

ନିଜ ଜୀବନକାଳରେ କର୍ବେଟ୍ ଅନେକ ମହାବଳ ଓ କଲରା ପତରିଆ ବାଘଙ୍କ ଶିକାର କରିଥିଲେ । ଏମାନଙ୍କ ମଧ୍ୟରୁ କେବଳ ୧୨ଟି ନରଖାଦକ ବୋଲି ସରକାରୀ ଗଣନାରୁ ଜଣାଯାଏ । କର୍ବେଟ୍ ନିଜେ ଲେଖିଥିବା ପୁସ୍ତକମାନଙ୍କରେ କେତେ ଜୀବନହାନି ହୋଇଥିଲା ତାହାର ଏକ ଆକଳନ ପ୍ରଦାନ କରିଛନ୍ତି । କର୍ବେଟଙ୍କ ଅନୁସାରେ ସମୁଦାୟ ୧୨୦୦ଟି ଜୀବନହାନି ହୋଇଥିଲା । ଏହି ଆକଳନ ସରକାରୀ ଗଣନାଠାରୁ ଢେର୍ ଅଧିକ । 

କର୍ବେଟ୍ ସର୍ବପ୍ରଥମେ ଚମ୍ପାୱତ୍ ନରଖାଦକର ଶିକାର କରିଥିଲେ । ସରକାରୀ ଗଣନା ଅନୁସାରେ ଏହି ବାଘ ୪୩୬ଟି ପ୍ରାଣହାନି ଘଟାଇଥିଲା ।[୪] କର୍ବେଟ୍ ୧୯୧୦ରେ ପାନାରରେ ଏକ କଲରା ପତରିଆ ବାଘର ଶିକାର କରିଥିଲେ । ଏହି ବାଘ ପ୍ରାୟ ୪୦୦ଟି ଜୀବନ ନେଇଥିଲା ବୋଲି କୁହାଯାଏ । କେଦାରନାଥ ଓ ବଦ୍ରିନାଥ ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ କାଳ ସାଜିଥିବା ଓ ପ୍ରାୟ ୧୨୬ଟି ଜୀବନହାନି ଘଟାଇଥିବା ରୁଦ୍ରପ୍ରୟାଗର ନରଖାଦକ କଲରା ପତରିଆ ବାଘ ୧୯୨୬ ମସିହାରେ କର୍ବେଟଙ୍କଦ୍ଵାରା ନିହତ ହୋଇଥିଲା । କର୍ବେଟଙ୍କଦ୍ଵାରା ନିହତ ଅନ୍ୟାନ୍ୟ ଜଣାଶୁଣା ନରଖାଦକଙ୍କ ମଧ୍ୟରେ ତଲ୍ଲାଦେଶ ନରଖାଦକ, ମୋହାନ ନରଖାଦକ, ଥାକ୍ ନରଖାଦକ, ମୁକ୍ତେଶ୍ଵର ନକଖାଦକ ଓ ଚୌଗଡର ବାଘୁଣୀ ଅନ୍ୟତମ । 

ପ୍ରାୟତଃ ନରଖାଦକ ମାନେ କୌଣସି ରୋଗରେ ଆକ୍ରାନ୍ତ ହୋଇ ବା କୌଣସି ଶାରୀରିକ ବିକୃତି ଯୋଗୁଁ ନିଜର ସାଧାରଣ ଶିକାର ମାରିବାରେ ଅସମର୍ଥ ହୋଇ ସହଜରେ ଉପଲବ୍ଧ ମନୁଷ୍ୟମାନଙ୍କୁ ଶିକାର କରନ୍ତି । ଝିଙ୍କ କାଠି ଗୋଡରେ ପଶିଲେ, କୌଣସି ଶିକାରର ଗୁଳିରେ କ୍ଷତାକ୍ତ ହୁଅନ୍ତି । ଅନେକ ଦିନ ଯାଏଁ ଏହି କ୍ଷତ ନ ଶୁଖିଲେ ଜନ୍ତୁମାନେ ନିଜର ଦୌଡିବାର ବେଗ ହରାନ୍ତି ଓ ବଣରେ ଛପିଛପି ଚାଲିପାରନ୍ତି ନାହିଁ । ତେଣୁ କ୍ଷୁଧାତୁର ହୋଇ ଧୀରଗତିରେ ଚାଲବୁଲ କରୁଥିବା, ଜଙ୍ଗଲରେ କାର୍ଯ୍ୟରତ ଥିବା ବା ନିତ୍ୟକର୍ମ କରୁଥିବା ବେଳେ ମଣିଷମାନଙ୍କୁ ଆକ୍ରମଣ କରିଥାନ୍ତି । ମୁକ୍ତେଶ୍ଵର ନରଖାଦକ ଓ ଥାକ୍ ନରଖାଦକ ଏହି ବିବେଚନାର ଉଦାହରଣ । କୁମାୟୁଁର ନରଖାଦକ ବହିର ଉପକ୍ରମରେ କର୍ବେଟ୍ ଲେଖନ୍ତି: ବାଘର ଦେହରେ ଦେଖାଯାଇଥିବା ଏହି କ୍ଷତର କାରଣ ଖାମଖିଆଲି ଭାବେ ଫୁଟାଯାଇଥିବା ଗୁଳି ଓ ପରବର୍ତ୍ତୀ ସମୟରେ ବାଘଟିକୁ ଛପି ମାରି ନପାରିବା ଯୋଗୁଁ ବାଘଟି ନରଖାଦକ ପାଲଟି ଥାଇପାରେ । ତା’ ଦେହର କ୍ଷତର କାରଣ ଝିଙ୍କର ଶିକାର କରୁଥିବା ବେଳେ ତା’ ନିଜର ଭୁଲ ମଧ୍ୟ ହୋଇପାରେ । 

କର୍ବେଟ୍ ଏକାକୀ ବଣରେ ଚାଲି ଚାଲି ଏହି ଭୟଙ୍କର ନରଭକ୍ଷୀଙ୍କ ଶିକାର କରିବାକୁ ପସନ୍ଦ କରୁଥିଲେ । ଅନେକ ସମୟରେ ସେ ନିଜ ପ୍ରିୟ କୁକୁର ରବିନ୍ ସହିତ ଶିକାରରେ ଯାଉଥିଲେ । ରବିନ୍ ବିଷୟରେ ସେ କୁମାୟୁଁର ନରଖାଦକ ବହିରେ ଉଲ୍ଲେଖ କରିଛନ୍ତି ।[୫]

 ଶିକାରୀରୁ ସଂରକ୍ଷଣବାଦୀ[ସମ୍ପାଦନା]

ନିଜ ବନ୍ଧୁ ଫ୍ରେଡରିକ୍ ୱାଲ୍ଟର୍ ଚାମ୍ପିୟନଙ୍କଦ୍ଵାରା ଅନୁପ୍ରାଣିତ ହୋଇ କର୍ବେଟ୍ ୧୯୨୦ ମସିହାରେ ନିଜ ପ୍ରଥମ କ୍ୟାମେରା କିଣିଥିଲେ ଓ ବଣରେ ବାଘମାନଙ୍କ ଚିତ୍ର ଉତ୍ତୋଳନ କରିବାକୁ ଲାଗିଲେ । ବାଘମାନେ ଅତି ସଜାଗ ରହି ମନୁଷ୍ୟଠାରୁ ଦୂରରେ ରହିବା ପସନ୍ଦ କରନ୍ତି । ତେଣୁ ଜଙ୍ଗଲର ଗୁଢ ଜ୍ଞାନ ଥାଇ ମଧ୍ୟ କର୍ବେଟଙ୍କ ପାଇଁ ଏକ ଭଲ ବାଘ ଫଟୋ ଉଠାଇବା ଅତି କଷ୍ଟସାଧ୍ୟ କାମ ହୋଇଥିଲା । 

କୌଣସି ବାଘ ମଣିଷ ମାରିବା ସିଦ୍ଧ ନ ହେଲାଯାଏଁ କର୍ବେଟ୍ ତାହାର ଶିକାର କରିବା ପାଇଁ ମନ ବଳାଉନଥିଲେ ବୋଲି ଜନସାଧାରଣରେ କଥିତ ଥିଲା ।[୬] କିନ୍ତୁ କୌଣସି ଜୀବନହାନି ଘଟାଇନଥିବା ବୃହଦାକାର ବିଶିଷ୍ଟ ପୋୱଲଗଡର କୁମାରକୁ କର୍ବେଟ୍ ଶିକାର କରିବା ଏହି ମତର ବ୍ୟତିକ୍ରମ ବୋଲି କହିହେବ । [୭]

କର୍ବେଟ୍ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରାକୃତିକ ସମ୍ପଦ, ବଣ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ପର୍କରେ ବୁଝାଉଥିଲେ । ଉତ୍ତର ଭାରତର ରାଜ୍ୟମାନଙ୍କରେ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସେ କେତେକ ସଂସ୍ଥାର ଗଠନ କରିଥିଲେ । ଚାମ୍ପିୟନଙ୍କ ସହିତ ସେ ଭାରତର ପ୍ରଥମ ଜାତୀୟ ଉଦ୍ୟାନର ସ୍ଥାପନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଲର୍ଡ୍ ମାଲ୍କମ୍ ହେଲିଙ୍କ ନାମାନୁସାରେ ଏହି ଜାତୀୟ ଉଦ୍ୟାନକୁ ହେଲି ଜାତୀୟ ଉଦ୍ୟାନ ବୋଲି କୁହାଗଲା । ୧୯୫୭ ମସିହାରେ ଏହାକୁ କର୍ବେଟ୍ ଜାତୀୟ ଉଦ୍ୟାନର ନାମ ଦିଆଯାଇଥିଲା । [୮]

କର୍ବେଟଙ୍କ ମନରେ କାଲାଦୁଂଗି ଓ ଉତ୍ତର ପ୍ରଦେଶର ଅନ୍ୟ ଗ୍ରାମର ଗରିବଗୁରୁବାଙ୍କ ପ୍ରତି ସହାନୁଭୂତି ରହିଥିଲା । ରେଳବାଇର କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟରତ ଥିବା ସମୟରେ ସେ ମୋକାମେହ ଘାଟରେ ଅନେକ ଗରିବଙ୍କୁ ନିଯୁକ୍ତି ଦେଇଥିଲେ । “ମୋ ଭାରତ” ପୁସ୍ତକରେ ଏହି ଗରିବ ଓ ସରଳ ପାହାଡିଆ ଲୋକଙ୍କ ମଧ୍ୟରେ ବିତେଇଥିବା ସମୟକୁ ମନେପକାଇ ଏହି ପୁସ୍ତକଟିକୁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । 

କେନିଆରେ ଅବସର ଜୀବନ[ସମ୍ପାଦନା]

ନିଜ ଭଉଣୀ ମେଗି କର୍ବେଟଙ୍କ ସହିତ ଜିମ୍ “ଗର୍ନି ହାଉସ୍”ରେ ରହୁଥିଲେ । ଏହି ଘରଟିକୁ ୧୯୪୭ ମସିହାରେ ସେମାନେ ଶ୍ରୀମତୀ କଳାବତୀ ବର୍ମାଙ୍କୁ ବିକ୍ରି କରି କେନିଆ ଚାଲିଯାଇଥିଲେ । ଏହି ଘରଟିକୁ ବର୍ତ୍ତମାନ ଜିମ୍ କର୍ବେଟ୍ ସଂଗ୍ରହାଳୟରେ ପରିବର୍ତ୍ତିତ କରାଯାଇଛି ।  ୧୯୪୭ ପରେ ଜିମ୍ ଓ ତାଙ୍କ ଭଉଣୀ ମେଗି ଅବସର ନେଇ କେନିଆର ନିୟେରିରେ ବସବାସ କରୁଥିଲେ । କେନିଆରେ ମଧ୍ୟ କର୍ବେଟ୍ କ୍ରମଶଃ ବିଲୋପ ହେଉଥିବା ବାଘମାନଙ୍କ ସଂରକ୍ଷଣର ବାର୍ତ୍ତା ପ୍ରଚାର କରୁଥିଲେ । ପିତା ରାଜା ଜର୍ଜ୍(ଷଷ୍ଠ)ଙ୍କ ମୃତ୍ୟୁ ବେଳକୁ ରାଜକୁମାରୀ ଏଲିଜାବେଥ କେନିଆ ବୁଲିଯାଇଥିଲେ ଓ କର୍ବେଟଙ୍କ ମଞ୍ଚାଘର(ଟ୍ରି ଟପ୍ସ୍)ରେ ରହୁଥିଲେ । 

ଟ୍ରି ଟପ୍ସ୍ ନାମକ ନିଜର ଷଷ୍ଠ ପୁସ୍ତକ ଲେଖିସାରିବାର ଅଳ୍ପ କିଛି ଦିନ ପରେ କର୍ବେଟ୍ ହୃଦଘାତରେ ପ୍ରାଣ ହରାଇଥିଲେ । ତାଙ୍କର ଅନ୍ତିମ କ୍ରିୟା ନିୟେରିର ସେଣ୍ଟ୍ ପିଟର୍ସ୍ ଆଙ୍ଗଲିକାନ୍ ଗୀର୍ଜାଘର ପ୍ରାଙ୍ଗଣରେ ହୋଇଥିଲା ।  ମୋତି ହାଉସ୍ (ନିଜ ବନ୍ଧୁ ମୋତି ସିଂଙ୍କ ପାଇଁ ସେ ତିଆରି କରିଥିବା ଘର) ଓ କର୍ବେଟ୍ ପ୍ରାଚୀର (ପ୍ରାୟ ୭.୨ କି.ମି. ଲମ୍ଵା ଏକ ପ୍ରାଚୀର ଯାହା ବନ୍ୟଜନ୍ତୁଙ୍କଠାରୁ ଫସଲର ରକ୍ଷା କରିବା ପାଇଁ ଗାଁ ଚାରିପଟେ ନିର୍ମିତ ହୋଇଥିଲା) ତାଙ୍କ ସ୍ମୃତି ବହନ କରି ଆଜି ବି ଦଣ୍ଡାୟମାନ । 

କୁମାୟୁଁର ନରଖାଦକ ପୁସ୍ତକଟି ଭାରତ, ଯୁକ୍ତରାଜ୍ୟ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବହୁଳ ସଫଳତା ହାସଲ କରିଥିଲା । ପରେ ଏହି ପୁସ୍ତକର ପ୍ରାୟ ୨୭ଟି ଭାଷାରେ ଅନୁବାଦ ପ୍ରକାଶ ପାଇଲା । ଜଙ୍ଗଲ ତଥ୍ୟ (ଈଂରାଜୀରେ Jungle Lore) ନାମକ କର୍ବେଟଙ୍କ ଚତୁର୍ଥ ପୁସ୍ତକ ତାଙ୍କ ଆତ୍ମଜୀବନୀ କହିଲେ ଅତ୍ୟୁକ୍ତି ହେବନାହିଁ ।  ୧୯୬୮ ମସିହାରେ ବାଘଙ୍କର ଏକ ଭାରତୀୟ-ଚୀନୀ ପ୍ରଜାତି ମଧ୍ୟ ତାଙ୍କ ନାମାନୁସାରେ ପାନ୍ଥେରା ଟାଇଗ୍ରିସ୍ କର୍ବେଟି ବୋଲି ନାମିତ ହୋଇଛି । ଜିମ୍ କର୍ବେଟ୍ ସଂସ୍ଥାନର ପ୍ରତିଷ୍ଠାତା ଜେରି ଏ. ଜଲୀଲଙ୍କଦ୍ଵାରା କେନିଆରେ ବହୁକାଳରୁ ଅବହେଳିତ ଅବସ୍ଥାରେ ଥିବା ଜିମ୍ ଓ ତାଙ୍କ ଭଉଣୀଙ୍କ ସମାଧିସ୍ଥଳ ୧୯୯୪ ଓ ୨୦୦୨ରେ ମରାମତ ହୋଇଥିଲା । 

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

କର୍ବେଟ୍ ସାରା ଜୀବନ ଅବିବାହିତ ରହିଥିଲେ । ସେ ପସନ୍ଦ କରୁଥିବା ଝିଅ ତାଙ୍କ ମାଟ ଓ ଭଉଣୀ ମ୍ୟାଗିଙ୍କୁ ପସନ୍ଦ ନ ଆସିବାରୁ ସେ କୌଣସି ବିବାହ ପ୍ରସ୍ତାବରେ ଆଗକୁ ବଢ଼ି ପାରିଲେ ନାହିଁ । ନିଜ ବନ୍ଧୁ ସାର୍ ୱିଲିୟମ୍ ଇବଟସନଙ୍କ ପତ୍ନୀ ଜିନ୍ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା ବୋଲି ଶୁଣାଯାଏ ।[୯]

ହଲିଉଡ୍ ଚଳଚ୍ଚିତ୍ର[ସମ୍ପାଦନା]

କୁମାୟୁଁର ନରଖାଦକ ପୁସ୍ତକର ସଫଳତା ପରେ, ୧୯୪୮ ମସିହାରେ ବାଇରନ୍ ହାସକିନଙ୍କ ନିର୍ଦ୍ଦେଶିତ ଓ ସାବୁ, ୱେଣ୍ଡେଲ୍ କୋରେ ଓ ଜୋ ପେଜଙ୍କଦ୍ଵାରା ଅଭିନୀତ କୁମାୟୁଁର ନରଖାଦକ ନାମରେ ଏକ ହଲିଉଡ୍ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ଏହି ଚଳଚ୍ଚିତ୍ର କର୍ବେଟଙ୍କ କୌଣସି କାହାଣୀକୁ ଆଧାର କରି ନିର୍ମିତ ହୋଇନଥିଲା । ଏଥିରେ ଏକ ନୂଆ କାହାଣୀର ଉଦ୍ଭାବନ ହୋଇଥିଲା । ବାଘଙ୍କର କେତେକ ସୁନ୍ଦର ଗତିଚିତ୍ର ଥିବା ସତ୍ତ୍ଵେ ଏହି ଚଳଚ୍ଚିତ୍ର ନିରାଶଜନକ ପ୍ରଦର୍ଶନ କରିଥିଲା । କର୍ବେଟ୍ ଏହି ଚଳଚ୍ଚିତ୍ରକୁ କଟାକ୍ଷ କରି କହିଥିଲେ ଯେ ବାଘଟି ସମସ୍ତଙ୍କ ମଧ୍ୟରେ ଶ୍ରେଷ୍ଠ ଅଭିନେତା ଥିଲା । [୧୦]

ଅନ୍ୟାନ୍ୟ ରୂପାନ୍ତରଣ[ସମ୍ପାଦନା]

୧୯୮୬ରେ ବିବିସିଦ୍ଵାରା ପ୍ରଯୋଜିତ ଭାରତର ନରଖାଦକ (ଈଂରାଜୀରେ Man-Eaters of India) ନାମକ ଏକ ଧାରାବାହିକ-ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ଏଥିରେ ଫ୍ରେଡେରିକ୍ ଟ୍ରେଭେସ୍ କର୍ବେଟ୍ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ୨୦୦୨ରେ ଆଇମ୍ୟାକ୍ସଦ୍ଵାରା ପ୍ରଯୋଜିତ ଭାରତ: ବାଘଙ୍କ ସାମ୍ରାଜ୍ୟ (ଈଂରାଜୀରେ India: Kingdom of the Tiger) ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ଯେଉଁଥିରେ ଖ୍ରୀଷ୍ଟୋଫର୍ ହେୟେର୍ଦାଲ୍ କର୍ବେଟଙ୍କ ଭୂମିକାରେ ଅଭିନୟ କରିଥିଲେ । ଜାସନ୍ ଫ୍ଲେମିଙ୍ଗ୍ ୨୦୦୫ରେ ନିର୍ମିତ “ରୁଦ୍ରପ୍ରୟାଗର ନରଖାଦକ କଲରା ପତରିଆ ବାଘ”ନାମକ ଟେଲିଭିଜନ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । 

ସମ୍ମାନ[ସମ୍ପାଦନା]

୧୯୨୮ରେ କର୍ବେଟଙ୍କୁ କାଇଜର୍-ଏ-ହିନ୍ଦ୍ ସମ୍ମାନ ପ୍ରଦାନ କରାଯାଇଥିଲା ।[୧୧] ୧୯୪୬ରେ ରାଜାଙ୍କ ଜନ୍ମଦିନରେ ତାଙ୍କୁ ଭାରତୀୟ ସାମ୍ରାଜ୍ୟର “କମ୍ପାନିଅନ୍ ଅଫ୍ ଦ ଓର୍ଡର୍” ସମ୍ମାନରେ ଅଭିହିତ କରାଯାଇଥିଲା ।[୧୨] 

କର୍ବେଟଙ୍କଦ୍ଵାରା ଲିଖିତ ପୁସ୍ତକ[ସମ୍ପାଦନା]

ମୃତ ପୋୱଲଗଡ଼ର କୁମାର ସହିତ ଜିମ୍ କର୍ବେଟ୍
ଜିମ୍ କର୍ବେଟ୍ ସଂଗ୍ରହାଳୟ
ପୁସ୍ତକ ମୂଳ ଈଂରାଜୀ ପୁସ୍ତକର ନାମ ମୂଳ ପୁସ୍ତକର କାଶକ ଓଡ଼ିଆ ଅନୁବାଦ
ଜଙ୍ଗଲ କାହାଣୀ Jungle Stories ୧୯୩୫ରେ ପ୍ରକାଶିତ -
କୁମାୟୁଁର ନରଖାଦକ Man-Eaters of Kumaon ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୪୪ କୁମାୟୁଁର ନରଖାଦକ ‍‌- ଡକ୍ଟର୍ ପ୍ରଫୁଲ୍ଲ କୁମାର କର
ରୁଦ୍ରପ୍ରୟାଗର ନରଖାଦକ କଲରା ପତରିଆ ବାଘ The Man-eating Leopard of Rudraprayag ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୪୭ ରୁଦ୍ରପ୍ରୟାଗ ନରଖାଦକ - ଡକ୍ଟର୍ ପ୍ରଫୁଲ୍ଲ କୁମାର କର
ମୋ ଭାରତ My India ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୫୨ ମୋର ଭାରତ - ଡକ୍ଟର୍ ପ୍ରଫୁଲ୍ଲ କୁମାର କର
ଜଙ୍ଗଲ ତଥ୍ୟ Jungle Lore ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୫୩ ଜଙ୍ଗଲ ତଥ୍ୟ ଓ ଟ୍ରି ଟପ୍ସ୍ - ଡକ୍ଟର୍ ପ୍ରଫୁଲ୍ଲ କୁମାର କର
ମନ୍ଦିରର ବାଘ ଓ ଅନ୍ୟ ନରଖାଦକ The Temple Tiger and More Man-eaters of Kumaon ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୫୪ ମନ୍ଦିରର ବାଘ - ଡକ୍ଟର୍ ପ୍ରଫୁଲ୍ଲ କୁମାର କର
ଟ୍ରି ଟପ୍ସ୍ Tree Tops ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୫୫ ଜଙ୍ଗଲ ତଥ୍ୟ ଓ ଟ୍ରି ଟପ୍ସ୍ - ଡକ୍ଟର୍ ପ୍ରଫୁଲ୍ଲ କୁମାର କର
ଜିମ୍ କର୍ବେଟଙ୍କ ଭାରତ Jim Corbett's India ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୧୯୭୮ -
ମୋ କୁମାୟୁଁ - ଅସଂଗୃହୀତ ଲେଖାବଳୀ My Kumaon: Uncollected Writings ଅକ୍ସଫୋର୍ଡ୍ ୟୁନିଭର୍ସିଟି ପ୍ରେସ୍, ୨୦୧୨ -

ଆଧାର[ସମ୍ପାଦନା]

  1. Booth:20-26.
  2. Booth:29.
  3. Kala, D. C. (1979) Jim Corbett of Kumaon. Ankur Publishing House, New Delhi
  4. Tiger and leopard attacks in Nepal BBC News (11 July 2012)
  5. Rangarajan, M. (2006) India's Wildlife History: An Introduction. Permanent Black and Ranthambore Foundation, Delhi. ISBN 81-7824-140-4.
  6. Thapar, V. (2001) Savings Wild Tigers: the essential writings. Permanent Black, Delhi.
  7. Corbett, J. (1944) Man-Eaters of Kumaon. Oxford University Press.
  8. Beolens, B.; Watkins, M.; Grayson, M. (୨୦୦୯). The Eponym Dictionary of Mammals. Johns Hopkins University Press. p. ୮୬. ISBN ୯୭୮-୦-୮୦୧୮-୯୩୦୪-୯. 
  9. Booth:208-209.
  10. Martin Booth, Carpet Sahib; A Life of Jim Corbett (New York: Oxford University Press, 1991), 230.
  11. ଛାଞ୍ଚ:London Gazette
  12. ଛାଞ୍ଚ:London Gazette