ଆଣ୍ଡିଜ

ଉଇକିପିଡ଼ିଆ ରୁ
Jump to navigation Jump to search
ଆଣ୍ଡିଜ ପର୍ବତମାଳା
କୋର୍ଡିଲିଏରା ଦେ ଲୋସ୍ ଆଣ୍ଡେସ୍
ଉଡ଼ାଜାହାଜରେ ସାଣ୍ଟିଆଗୋ (ଚିଲି)ରୁ ମେଣ୍ଡୋଜା (ଆର୍ଜେଣ୍ଟିନା) ଯିବା ସମୟରେ ଆଣ୍ଡିଜ ପର୍ବତମାଳାର ଦୃଶ୍ୟ । ଚିତ୍ରରେ ବାମ ପଟେ ସାନ୍ ହୋଜେ ଆଗ୍ନେୟଗିରି ଦେଖାଯାଉଛି ।
Highest point
Peakଆକାଙ୍କାଗୁଆ (ମେଣ୍ଡୋଜା, ଆର୍ଜେଣ୍ଟିନା)
Elevation୬୯୬୧ ମିଟର୍
Dimensions
Length୭୦୦୦ କିଲୋମିଟର୍
Width୫୦୦ କିଲୋମିଟର୍
Naming
Native nameଆଣ୍ଟି
Geography
Countries
Range coordinates32°S 70°W / 32°S 70°W / -32; -70Coordinates: 32°S 70°W / 32°S 70°W / -32; -70

ଆଣ୍ଡିଜ ବା ଆଣ୍ଡିଜ୍ ପର୍ବତମାଳା (ଇଂରାଜୀରେ Andes ବା Andean Mountains, ସ୍ପେନୀୟ ଭାଷାରେ Cordillera de los Andes) ଦକ୍ଷିଣ ଆମେରିକା ମହାଦେଶରେ ଅବସ୍ଥିତ ଓ ବିଶ୍ୱର ଦୀର୍ଘତମ ପର୍ବତମାଳା ଭାବେ ଖ୍ୟାତ । ବିଶ୍ୱର ସର୍ବୋଚ୍ଚ ପର୍ବତମାଳାମାନଙ୍କ ବର୍ଗରେ ଆଣ୍ଡିଜ ହିମାଳୟ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ପର୍ବତମାଳା ପ୍ରାୟ ୭୦୦୦ କିଲୋମିଟର ଲମ୍ବା, ଏହାର ପ୍ରସ୍ଥ ୨୦୦ରୁ ୭୦୦ କିଲୋମିଟର ଏବଂ ଏହାର ହାରାହାରି ଉଚ୍ଚତା ୪୦୦୦ ମିଟର । ଆଣ୍ଡିଜ ପର୍ବତମାଳା ଦକ୍ଷିଣ ଆମେରିକାର ୭ଟି ଦେଶରେ ବ୍ୟାପି ରହିଛି ଏବଂ ଉତ୍ତରରୁ ଦକ୍ଷିଣକୁ ଏହି ସବୁ ଦେଶ ହେଲେ ଭେନେଜୁଏଲା, କଲମ୍ବିଆ, ଇକ୍ୱେଡର, ପେରୁ, ବଲିଭିଆ, ଚିଲି ଏବଂ ଆର୍ଜେଣ୍ଟିନା

ବହୁ ସ୍ଥାନରେ ଆଣ୍ଡିଜ ପର୍ବତମାଳା ବିଭକ୍ତ ମଧ୍ୟ ହୋଇଛି । ଆଣ୍ଡିଜର ଅନେକ ସ୍ଥାନରେ ଉଚ୍ଚ ମାଳଭୂମି ମଧ୍ୟ ରହିଛି ଏବଂ କ୍ୱିଟୋ, ବୋଗୋଟା, କାଲି, ଆରେକିପା, ମେଡେଲିନ୍, ବୁକାରାମାଙ୍ଗା, ସୁକ୍ରେ, ମେରିଡା, ଲାପାଜ୍ ପରି ଅନେକ ବୃହତ ନଗର ଏହି ଉଚ୍ଚ ମାଳଭୂମିମାନଙ୍କରେ ଅବସ୍ଥିତ । ତିବ୍ବତ ମାଳଭୂମି ପରେ ଆଲ୍‍ଟିପ୍ଲାନୋ ମାଳଭୂମି ବିଶ୍ୱର ଦ୍ୱିତୀୟ ଉଚ୍ଚତମ ମାଳଭୂମି । ଜଳବାୟୁ ଅନୁସାରେ ଆଣ୍ଡିଜ ପର୍ବତମାଳାକୁ ତିନୋଟି ଅଞ୍ଚଳରେ ବିଭକ୍ତ କରାଯାଇଛି – କ୍ରାନ୍ତୀୟ ଆଣ୍ଡିଜ, ଶୁଷ୍କ ଆଣ୍ଡିଜ ଏବଂ ଆର୍ଦ୍ର ଆଣ୍ଡିଜ ।

ଏସିଆ ବାହାରର ଉଚ୍ଚତମ ପର୍ବତମାଳା ଆଣ୍ଡିଜ ଓ ଏହାର ସର୍ବୋଚ୍ଚ ଶୃଙ୍ଗ ଆକାଙ୍କାଗୁଆ । ସମୁଦ୍ର ପତନରୁ ଆକାଙ୍କାଗୁଆର ଉଚ୍ଚତା ୬୯୬୧ ମିଟର । ଇକ୍ୱେଡରରେ ଅବସ୍ଥିତ ଆଗ୍ନେୟଗିରି ଚିମ୍ବୋରାଜୋର ଶୃଙ୍ଗ ହେଉଛି ପୃଥିବୀର କେନ୍ଦ୍ରରୁ ପୃଥିବୀର ଅନ୍ୟ ସ୍ଥାନମାନଙ୍କ ତୁଳନାରେ ସବୁଠାରୁ ଅଧିକ ଦୂର । ପୃଥିବୀର ସର୍ବୋଚ୍ଚ ଆଗ୍ନେୟଗିରିମାନ ଆଣ୍ଡିଜ ପର୍ବତମାଳାର ଅଂଶ । ଚିଲି ଓ ଆର୍ଜେଣ୍ଟିନାର ସୀମାରେ ରହିଥିବା ଓହୋସ୍ ଏଲ୍ ସାଲାଡ଼ୋର ଉଚ୍ଚତା ୬୮୯୩ ମିଟର ।

ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଆଣ୍ଟାର୍କଟିକା ପର୍ଯ୍ୟନ୍ତ ରହିଥିବା ଆମେରିକୀୟ ପର୍ବତ ମହାଶୃଙ୍ଖଳର (American Cordillera) ଏକ ଅଂଶ ହେଉଛି ଆଣ୍ଡିଜ ।

ଆର୍ଜେଣ୍ଟିନାର ସାଲଟାରେ କୋନୋ ଡେ ଆରିଟା ।

ନାମକରଣ[ସମ୍ପାଦନା]

ଆଣ୍ଡିଜର ନାମକରଣର ଇତିହାସକୁ ନେଇ ଅତୀତରେ ବହୁ ଆଲୋଚନା ହୋଇଛି । ଅଧିକାଂଶଙ୍କ ମତରେ କେଚୁଆ ଭାଷାର ଶବ୍ଦ “ଆଣ୍ଟି (anti)”ରୁ ଆଣ୍ଡିଜର ସୃଷ୍ଟି ଏବଂ ଏହି କେଚୁଆ ଶବ୍ଦର ଅର୍ଥ ହେଲା ପୂର୍ବ (ଦିଗ) ।[୧] ସେହିପରି କେଚୁଆ ଭାଷାରେ ପୂର୍ବାଞ୍ଚଳ[୧] ବୁଝାଉଥିବା ଆଣ୍ଟିସୁୟୁକୁ ଇନ୍‍କା ସାମ୍ରାଜ୍ୟର ୪ ଅଞ୍ଚଳ ମଧ୍ୟରୁ ଗୋଟିଏ ଭାବେ ଗଣା ଯାଉଥିଲା ।

କୋର୍ଡିଲେରା ଶବ୍ଦଟି ଦଉଡ଼ିକୁ ବୁଝାଉଥିବା ସ୍ପେନୀୟ ଶବ୍ଦ “କୋର୍ଡେଲ୍”ରୁ ଉଦ୍ଧୃତ ।[୨] ଉଭୟ ଆମେରିକୀୟ ଦେଶର ପର୍ବତମାଳା ସମୂହକୁ ମିଶାଇ କୋର୍ଡିଲେରା (ପର୍ବତ ମହାଶୃଙ୍ଖଳ) ବୋଲି କୁହାଯାଏ ।

ଭୂଗୋଳ[ସମ୍ପାଦନା]

ଆକାଶମାର୍ଗରୁ ଫୁଏଜିଆନରେ ରହିଥିବା କାର୍ବାହାଲ ଉପତ୍ୟକାର ଦୃଶ୍ୟ

ଆଣ୍ଡିଜ ପର୍ବତମାଳା ପ୍ରାୟ ୨୦୦ କିଲୋମିଟର ଓସାରିଆ; ବଲିଭିଆରେ ଏହାର ଓସାର ୬୪୦ କିଲୋମିଟର ହୋଇଯାଇଛି । ଆଣ୍ଡିଜ ପର୍ବତମାଳାକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ :

  • ଦକ୍ଷିଣ ଆଣ୍ଡିଜ : ଲୁଲାଇଲାକୋର ଦକ୍ଷିଣକୁ ଅବସ୍ଥିତ ଏବଂ ଚିଲି ଓ ଆର୍ଜେଣ୍ଟିନାକୁ ବ୍ୟାପ୍ତ ।
  • ମଧ୍ୟ ଆଣ୍ଡିଜ : ପେରୁ ଓ ବଲିଭିଆରେ ବ୍ୟାପ୍ତ ।
  • ଉତ୍ତର ଆଣ୍ଡିଜ : ଭେନେଜୁଏଲା, କଲମ୍ବିଆ ଓ ଇକ୍ୱେଡରରେ ବ୍ୟାପ୍ତ । ପୃଥକ ଭାବରେ ରହିଥିବା ସାଣ୍ଟା ମାର୍ତ୍ତା ପର୍ବତକୁ ମଧ୍ୟ ବେଳେବେଳେ ଆଣ୍ଡିଜର ଅଂଶ ବୋଲି କୁହାଯାଏ ।[୩]

ପ୍ରଥମେ ଆରୁବା, ବୋନାଏର୍, କୁରାସାଓ ପରି ଲିୱାର୍ଡ୍ ଏଣ୍ଟିଲିସ୍ ଦ୍ୱୀପପୁଞ୍ଜକୁ ସମୁଦ୍ରରେ ନିମଜ୍ଜିତ ଉତ୍ତର ଆଣ୍ଡିଜର ଅଂଶ ବୋଲି କୁହାଯାଉଥିଲା । କିନ୍ତୁ ଭୂବୈଜ୍ଞାନିକ ଗବେଷଣାରୁ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ ଓ ଦକ୍ଷିଣ ଆମେରିକୀୟ ପ୍ଲେଟ୍ ମଧ୍ୟରେ ଜଣାପଡ଼ିଥିବା ଜଟିଳ ସମ୍ପର୍କକୁ ଆଖିରେ ରଖି ଏହାକୁ ଉତ୍ତର ଆଣ୍ଡିଜର ଅଂଶ ବୋଲି କହିବା ଏକ ତ୍ରୁଟିଯୁକ୍ତ ସରଳୀକରଣ ମାତ୍ର ।[୪]

ଭୂବିଜ୍ଞାନ[ସମ୍ପାଦନା]

ଆଣ୍ଡିଜ ଏକ ମଧ୍ୟବର୍ତ୍ତୀ ମହାକଳ୍ପ-ତୃତୀୟ କଳ୍ପ ସମୟରେ ଟେକ୍ଟୋନିକ୍ ପ୍ଲେଟର ଚଳନରୁ ସୃଷ୍ଟ । ଆଣ୍ଡିଜ ପର୍ବତମାଳା ପ୍ରଶାନ୍ତ ମହାସାଗରର “ଅଗ୍ନି ବଳୟ”ର ଅଂଶ । ପ୍ରଶାନ୍ତ ଅଗ୍ନିବଳୟ ଉଭୟ ଆମେରିକୀୟ ମହାଦେଶର ପଶ୍ଚିମାଂଶ ଓ ଏସିଆ ମହାଦେଶର ପୂର୍ବାଂଶରେ ବ୍ୟାପ୍ତ ହୋଇ ରହିଛି । ସାମୁଦ୍ରିକ କ୍ରଷ୍ଟ୍ ଦକ୍ଷିଣ ଆମେରିକୀୟ ପ୍ଲେଟଠାରୁ ତଳକୁ ଧସିଯିବାରୁ ଆଣ୍ଡିଜ ପର୍ବତମାଳା ସୃଷ୍ଟି ହୋଇଛି । ଆଣ୍ଟାର୍କଟିକା ଓ ନାଜକା ପ୍ଲେଟ ଦବିଯିବା ଫଳରେ ଦକ୍ଷିଣ ଆମେରିକୀୟ ପ୍ଲେଟର ପଶ୍ଚିମାଂଶ ଉପରେ ଚାପ ପଡ଼ିଥିଲା ଓ ଏହା ଉର୍ଦ୍ଧ୍ୱଗାମୀ ହୋଇ ଆଣ୍ଡିଜ ସୃଷ୍ଟି ହୋଇଛି । ଆଣ୍ଡିଜର ପୂର୍ବ ପଟକୁ ଓରିନୋକୋ ନଦୀ, ଆମାଜନ ନଦୀ, ମାଡ୍ରେ ଡି ଡିଓସ୍ ନଦୀ ଓ ଗ୍ରାନ୍ ଚାକୋ ନଦୀର ଅବବାହିକାମାନ ରହିଛି । ଆଣ୍ଡିଜ ପର୍ବତମାଳାର ଦକ୍ଷିଣକୁ ପାଟାଗୋନିଆ ଅଞ୍ଚଳ ରହିଛି । ଆଣ୍ଡିଜର ପଶ୍ଚିମ ପଟେ ପ୍ରଶାନ୍ତ ମହାସାଗର ରହିଛି । ପ୍ରଶାନ୍ତ ମହାସାଗରରେ ରହିଥିବା ପେରୁ-ଚିଲି ଗର୍ତ୍ତକୁ (Peru-Chile trench) ଆଣ୍ଡିଜର ପଶ୍ଚିମତମ ସୀମା ବୋଲି କହିହେବ । ଭୌଗୋଳିକ ଦୃଷ୍ଟିକୋଣରୁ ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ଆଣ୍ଡିଜର ପଶ୍ଚିମ ସୀମା କୁହାଯିବ । ଆଣ୍ଡିଜ ପର୍ବତମାଳାର ଅନେକ ପର୍ବତରେ ବହୁ ପରିମାଣର ଲୌହ ଓର୍ ଗଚ୍ଛିତ ରହିଛି ।

ଆଣ୍ଡିଜ ପର୍ବତମାଳାରେ ଅନେକ ବାଙ୍କ ରହିଛି । ବଲିଭିଆ ବାଙ୍କ ସମୁଦ୍ରକୁ ଅବତଳ ଓ ଆଣ୍ଡିଜ ପର୍ବତମାଳାରୁ ୧୮° ଦକ୍ଷିଣକୁ ଅବସ୍ଥିତ ।[୫][୬] ଏଠାରେ ଆଣ୍ଡିଜ ଉତ୍ତର-ପଶ୍ଚିମ ଦିଗରେ ପେରୁରୁ ଦକ୍ଷିଣରେ ଚିଲି ଓ ଆର୍ଜେଣ୍ଟିନା ଆଡ଼କୁ ବୁଲିଛି ।[୬] ଆଣ୍ଡିଜର ଉତ୍ତର ଓ ଦକ୍ଷିଣ ଅଂଶ ତଳର ଭୂଭାଗ ପରସ୍ପର ବିପରୀତ ଦିଗରେ ୧୫°ରୁ ୨୦° ବୁଲିଯାଇଛନ୍ତି ।[୬][୭] ବଲିଭୀୟ ଭୂଭାଗ ଓ ଆଲ୍ଟିପ୍ଲାନୋ ମାଳଭୂମି ପ୍ରାୟ ମିଶିଯାଇଛି ଓ କ୍ରଷ୍ଟ୍ କମିଯାଇ ଏପରି ହୋଇଛି ବୋଲି ବ୍ୟାୟାନ୍ ଆଇଜାକ୍ ମତ ରଖିଛନ୍ତି ।[୫] ୧୮° ଦକ୍ଷିଣର ବାଙ୍କକୁ “ଏରିକା କହୁଣି (Arica Elbow)” ବୋଲି କୁହାଯାଏ ।[୮] ଦକ୍ଷିଣ ପଟକୁ ମାଇପୋ ପର୍ବତବାଙ୍କ ରହିଛି ଯାହା ସମୁଦ୍ର ଆଡ଼କୁ ଅବତଳ ।[୯] ପାଟାଗୋନିଆନ୍ ପର୍ବତବାଙ୍କ ହେଉଛି ଆଣ୍ଡିଜରେ ଦକ୍ଷିଣତମ ।[୧୦]

ଆଗ୍ନେୟ ପ୍ରବଣତା[ସମ୍ପାଦନା]

ISSଦ୍ୱାରା ପ୍ରକାଶିତ ଏହି ଚିତ୍ରରେ ସାମନା ପଟକୁ ଆଣ୍ଡିଜ ପର୍ବତମାଳାର ଉଚ୍ଚ ସମଭୂମି ଏବଂ ପୃଷ୍ଠଭୂମିରେ ଆଟାକାମା ମରୁଭୂମି ସାମନାରେ ରହିଥିବା କିଛି ନବୀନ ଆଗ୍ନେୟଗିରି

ଆଣ୍ଡିଜ ପର୍ବତମାଳାରେ ଥିବା ୪ଟି ଆଗ୍ନେୟଶୀଳ ଅଞ୍ଚଳରେ ବହୁ ସଂଖ୍ୟକ ସକ୍ରିୟ ଆଗ୍ନେୟଗିରି ରହିଛି । ସକ୍ରିୟ ଆଗ୍ନେୟଗିରିମାନଙ୍କ ମଧ୍ୟବର୍ତ୍ତୀ ଅଞ୍ଚଳରେ କିଛି ନିଷ୍କ୍ରିୟ ଆଗ୍ନେୟଗିରି ମଧ୍ୟ ରହିଛି । ନାଜକା ଓ ଆଣ୍ଟାର୍କଟିକ ପ୍ଲେଟ ସମୁଦ୍ର ତଳକୁ ଧସିଯିବା କାରଣରୁ ଆଣ୍ଡିଜ ପର୍ବତମାଳାରେ ଆଗ୍ନେୟଶୀଳତା ସୃଷ୍ଟି ହୋଇଥିଲା । ସମ୍ପୂର୍ଣ୍ଣ ଆଗ୍ନେୟ ବଳୟକୁ ୪ଟି ମୁଖ୍ୟ ଅଞ୍ଚଳରେ ବିଭକ୍ତ କରାଯାଇଛି ଓ ଏହି ସବୁ ମୁଖ୍ୟ ଅଞ୍ଚଳ ନିଷ୍କ୍ରିୟ ଆଗ୍ନେୟ ଅଞ୍ଚଳମାନଙ୍କଦ୍ୱାରା ବିଖଣ୍ଡିତ । ଆକୃତି, ଉପାଦାନ ଓ ସକ୍ରିୟାତ ଦୃଷ୍ଟିକୋଣରୁ ଆଣ୍ଡିଜ ଆଗ୍ନେୟ ବଳୟର ଆଗ୍ନେୟଗିରିମାନେ ଭିନ୍ନ ଭିନ୍ନ ପ୍ରକାରର । ଏମାନଙ୍କ ପ୍ରକୃତିରେ ରହିଥିବା ପାର୍ଥକ୍ୟ କିଛି ମାତ୍ରାରେ ବୁଝିହେବ କିନ୍ତୁ ତଥାପି ଗୋଟିଏ ଅଞ୍ଚଳର ଆଗ୍ନେୟଗିରି ଓ ଆଖପାଖର ଆଗ୍ନେୟଗିରିମାନଙ୍କ ମଧ୍ୟରେ ଯଥେଷ୍ଟ ତଫାତ ପରିଲକ୍ଷିତ ହୁଏ ।

ଖଣିଜ ସମ୍ପଦ[ସମ୍ପାଦନା]

ଆଣ୍ଡିଜ ପର୍ବତମାଳାରେ ବହୁ ପରିମାଣର ଧାତବ ଓର ଏବଂ ଖଣିଜ ଲବଣ ଗଚ୍ଛିତ ହୋଇ ରହିଛି । ଆଣ୍ଡିଜର ପୂର୍ବାଂଶରୁ ହାଇଡ୍ରୋକାର୍ବନ ମଧ୍ୟ ବାହାର କରାଯାଏ । ଆଟାକାମା ମରୁଭୂମି ସଂଲଗ୍ନ ଅଞ୍ଚଳରେ ବହୁ ପରିମାଣର ତମ୍ବା ଗଚ୍ଛିତ ରହିଛି ଏବଂ ଏହି କାରଣରୁ ତମ୍ବା ରପ୍ତାନୀରେ ଚିଲି ଓ ପେରୁ ବିଶ୍ୱରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ହାଇଡ୍ରୋଥର୍ମାଲ ତରଳର ଶୀତଳୀକରଣ ଓ ଶୁଷ୍କ ଜଳବାୟୁ ଯୋଗୁଁ ଆଣ୍ଡିଜର ପଶ୍ଚିମ ଢାଲୁରେ ତମ୍ବା ଖଣିଜ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ । ମଧ୍ୟ-ପଶ୍ଚିମ ଆଣ୍ଡିଜର ଶୁଷ୍କ ଜଳବାୟୁ ଯୋଗୁଁ ଏଠାରେ ଚିଲି ସଲ୍ଟପିଟର୍ ବା ନାଇଟ୍ରେଟିନ୍ ସୃଷ୍ଟି ହୋଇ ଗଚ୍ଛିତ ରହିଛି । ଶୁଷ୍କ ଜଳବାୟୁ ଯୋଗୁଁ ଉୟୁନି ଓ ଆଟାକାମାର ସାଲାର୍ ଇତ୍ୟାଦି ସୃଷ୍ଟି ହୋଇଛି ଯେଉଁଠାରୁ ବହୁ ପରିମାଣର ଲିଥିୟମ୍ ମିଳିଥାଏ । ବଲିଭୀୟ ଆଣ୍ଡିଜରେ ବହୁମାତ୍ରାରେ ଟିଣ ଗଚ୍ଛିତ ରହିଛି ।

ଜଳବାୟୁ ଓ ଜଳବିଜ୍ଞାନ[ସମ୍ପାଦନା]

ମଧ୍ୟ ଆଣ୍ଡିଜ
ବଲିଭୀୟ ଆଣ୍ଡିଜ

ଅକ୍ଷାଂଶ, ଉଚ୍ଚତା ଓ ସମୁଦ୍ରରୁ ଦୂରତା ଅନୁସାରେ ଆଣ୍ଡିଜରେ ବିଭିନ୍ନ ପ୍ରକାରର ଜଳବାୟୁ ଅନୁଭୂତ ହୋଇଥାଏ । ସମୁଦ୍ର ପତନରୁ ଅଧିକ ଉଚ୍ଚତାରେ ତାପମାତ୍ରା, ବାୟୁ ଚାପ ଓ ଆର୍ଦ୍ରତା କମିଯାଏ । ଆଣ୍ଡିଜର ଦକ୍ଷିଣାଂଶ ଶୀତଳ ଓ ବୃଷ୍ଟିବହୁଳ ହୋଇଥିବା ବେଳେ ମଧ୍ୟାଂଶ ଶୁଷ୍କ । ଉତ୍ତର ଆଣ୍ଡିଜ ମଧ୍ୟ ବୃଷ୍ଟିବହୁଳ କିନ୍ତୁ ଉଷ୍ମ । କଲମ୍ବିଆରେ ହାରାହାରି ତାପମାତ୍ରା ୧୮° ସେଲସିୟସ ହୋଇଥାଏ । ଅଳ୍ପ ବ୍ୟବଧାନରେ ଆଣ୍ଡିଜରେ ଜଳବାୟୁରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇପାରେ । କୋଟୋପାକ୍ସିର ତୁଷାରାଚ୍ଛନ୍ନ ଶିଖରରୁ ଅଳ୍ପ ଦୂରରେ ବୃଷ୍ଟିବଣ ଦେଖାଯିବା ଏହାର ଏକ ଉଦାହରଣ । ଆଣ୍ଡିଜ ପର୍ବତମାଳା ଆଖପାଖର ଅଞ୍ଚଳର ତାପମାତ୍ରା ନିୟନ୍ତ୍ରଣରେ ବଡ଼ ଭୂମିକା ଗ୍ରହଣ କରିଥାନ୍ତି । ସ୍ଥାନ ଅନୁସାରେ ତୁଷାରରେ ମଧ୍ୟ ତଫାତ ଦେଖାଯାଏ । ଇକ୍ୱେଡର, କଲମ୍ବିଆ, ଭେନେଜୁଏଲା ଓ ପେରୁସିଥିତ ଆଣ୍ଡିଜରେ ୪୫୦୦ରୁ ନେଇ ୪୮୦୦ ମିଟର ଉଚ୍ଚତାରେ ତୁଷାର ଦେଖାଯାଏ । ଦକ୍ଷିଣ ପେରୁରୁ ଉତ୍ତର ଚିଲିର ଶୁଷ୍କ ଅଞ୍ଚଳରେ ୪୮୦୦ରୁ ୫୨୦୦ ମିଟର ଉଚ୍ଚତାରେ ତୁଷାର ଦେଖାଯାଏ । ବହୁ ହିମସ୍ରୋତ ସମୁଦ୍ରପତନ ପର୍ଯ୍ୟନ୍ତ ମଧ୍ୟ ବ୍ୟାପ୍ତ ହୋଇ ରହିଛନ୍ତି ।[୧୧]

ଚିଲି ଓ ଆର୍ଜେଣ୍ଟିନାରେ ଥିବା ଆଣ୍ଡିଜକୁ ଜଳବାୟୁ ଓ ହିମସ୍ରୋତ ଦୃଷ୍ଟିରୁ ୨ଟି ଅଞ୍ଚଳରେ ବିଭକ୍ତ କରାଯାଇପାରିବ । ସେଗୁଡ଼ିକ ହେଲେ ଶୁଷ୍କ ଆଣ୍ଡିଜ ଓ ଆର୍ଦ୍ର ଆଣ୍ଡିଜ । ଆଟାକାମା ମରୁଭୂମିରୁ ନେଇ ମାଉଲେ ନଦୀ ପର୍ଯ୍ୟନ୍ତ ଶୁଷ୍କ ଅଞ୍ଚଳ ବ୍ୟାପ୍ତ ଏବଂ ଏଠାରେ ଦୋଳାୟମାନ ତାପମାତ୍ରା ସହିତ ଅଳ୍ପ ବୃଷ୍ଟିପାତ ପରିଲକ୍ଷିତ ହୁଏ । ଏକ ସ୍ଥାନରେ ହିମସ୍ରୋତର ପ୍ରକୃତିରେ ମଧ୍ୟ ବହୁ ପାର୍ଥକ୍ୟ ଦେଖାଯାଏ ।

ଅଧିକ ସୌର ବିକିରଣ ଯୋଗୁଁ ମଧ୍ୟ ଚିଲିର ଅଧିକ ଉଚ୍ଚତାବିଶିଷ୍ଟ ଆଣ୍ଡିଜ ଓ ମେଣ୍ଡୋଜା ପ୍ରାନ୍ତରେ ସାଧାରଣ ହିମସ୍ରୋତ ପରିବର୍ତ୍ତେ ବୃହତ ଆକାରର ପ୍ରସ୍ତରିକୃତ ହିମସ୍ରୋତ ଅଧିକ ଦେଖାଯାଏ ।[୧୨]

ଉଚ୍ଚତା ସହିତ ବୃଷ୍ଟିପାତର ମାତ୍ରା ବଢ଼ିଥାଏ କିନ୍ତୁ ୭୦୦୦ ମିଟର ପାଖାପାଖି ଉଚ୍ଚତାରେ ଅଳ୍ପଶୁଷ୍କ ଜଳବାୟୁ ଅନୁଭୂତ ହୁଏ । ଉପକ୍ରାନ୍ତୀୟ ଅଞ୍ଚଳରେ ଏପରି ଶୁଷ୍କ ଜଳବାୟୁ ଅଧିକାଂଶରେ ଦେଖାଯାଏ । ପାର୍ବତୀୟ ଉପତ୍ୟକାରେ ଘଞ୍ଚ ଜଙ୍ଗଲ ପରିବର୍ତ୍ତେ ବୁଦାଳିଆ ଜଙ୍ଗଲ ଦେଖିବାକୁ ମିଳେ । ପ୍ଲୋମୋ ଓ ହୋର୍କୋନ୍ ପରି ବୃହତ୍ତମ ହିମସ୍ରୋତ ୧୦ କି.ମି.ରୁ କମ୍ ଦୀର୍ଘ ଓ ଏମାନଙ୍କ ହିମ ଆସ୍ରଣ ଅତ୍ୟଧିକ ମୋଟା ନୁହେଁ । କିନ୍ତୁ ପ୍ରାୟ ୨୦୦୦୦ ବର୍ଷ ତଳେ ହିମଯୁଗରେ ଏହି ସମସ୍ତ ହିମସ୍ରୋତ ବର୍ତ୍ତମାନ ଆକାରରୁ ୧୦ ଗୁଣ ବଡ଼ ଥିବେ । ମେଣ୍ଡୋଜିନା ଆଣ୍ଡିଜର ପୂର୍ବ ପଟ ପର୍ବତ ଉପରୁ ୨୦୬୦ ମିଟର ଓ ପଶ୍ଚିମ ପଟ ୧୨୨୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ରହିଥିବାର ଦେଖାଯାଏ ।[୧୩][୧୪] ଆକାଙ୍କାଗୁଆ (୬୯୬୧ ମି), ଟୁପୁଙ୍ଗାଟୋ (୬୫୫୦ ମି)ଓ ନେଭାଡୋ ହୁଙ୍କାଲ (୬୧୧୦ ମି) ପରସ୍ପରଠାରୁ ମାତ୍ର ୧୦ କି.ମି. ଦୂର ଓ ଏମାନେ ଏକ ହିମ ବ୍ୟବସ୍ଥାଦ୍ୱାରା ସଂଯୁକ୍ତ ଥିଲେ । ଉପତ୍ୟକାର ହିମସ୍ରୋତମାନେ ୧୧୨.୫ କିମି ଲମ୍ବା, ୧୨୫୦ ମିଟରରୁ ଅଧିକ ମୋଟା ଓ ୫୧୫୦ ମିଟରର ଉଚ୍ଚତା ବିଶିଷ୍ଟ ଥିଲେ । ବହୁ ପୁରାତନ ସମୟରେ ହିମରେଖା ୪୬୦୦ ମିଟରରୁ ଖସି ୩୨୦୦ ମିଟରକୁ ଆସିଯାଇଥିଲା ।[୧୩][୧୫][୧୬][୧୭][୧୮][୧୯][୨୦][୨୧][୨୨]

ଉଦ୍ଭିଦ ଜଗତ[ସମ୍ପାଦନା]

ଆଣ୍ଡିଜର ଉତ୍ତର ଭାଗରେ ଲାଗୁନା ଡି ସୋନ୍ସୋର କ୍ରାନ୍ତୀୟ ଶୁଷ୍କ ଅରଣ୍ୟ

ଆଣ୍ଡିଜ ପର୍ବତମାଳାରେ ବହୁ ଜଳବାୟୁ ପରିଲକ୍ଷିତ ହୁଏ – ଶୁଷ୍କ ଓ ଆର୍ଦ୍ର, ଉଷ୍ମ ଓ ଶୀତଳ । ଉତ୍ତର ଆଣ୍ଡିଜରେ ପୂର୍ବେ ଉଭୟ ବୃଷ୍ଟିବଣ ଓ କ୍ରାନ୍ତୀୟ ଶୁଷ୍କ ଅରଣ୍ୟ ଦେଖାଯାଉଥିଲା ।[୨୩] ବର୍ତ୍ତମାନ ଜଙ୍ଗଲ ଉଚ୍ଛେଦ ଯୋଗୁଁ କଲମ୍ବିଆର ଉପତ୍ୟକା ଓ ଏଲ୍ ଚୋକୋରେ ଏହି ସବୁ ଅରଣ୍ୟ ବହୁ ମାତ୍ରାରେ କମିଯାଇଛି । ପେରୁ, ଚିଲି, ଆର୍ଜେଣ୍ଟିନାର ପଶ୍ଚିମ ପଟେ ଆର୍ଦ୍ର ପରିବର୍ତ୍ତେ ଅପେକ୍ଷାକୃତ ଶୁଷ୍କ ଅରଣ୍ୟ ଦେଖାଯାଏ । ଆଣ୍ଡିଜର ସ୍ଥାନେ ସ୍ଥାନେ ପର୍ଣ୍ଣମୋଚୀ ଓ ବୁଦାଳିଆ ଜଙ୍ଗଲ ରହିଥିବା ବେଳେ ଆଟାକାମା ମରୁଭୂମି ପ୍ରାୟ ଜୀବହୀନ ।

ଆଣ୍ଡିଜରେ ପ୍ରାୟ ୩୦,୦୦୦ ପ୍ରଜାତିର ଉଦ୍ଭିଦ ରହିଛନ୍ତି । ଏଥିରୁ ପାଖାପାଖି ୫୦% ସ୍ଥାନୀୟ ପ୍ରଜାତି । ଏହି ସ୍ଥାନ ଜୈବ ବିବିଧତା ଦୃଷ୍ଟିକୋଣରୁ ମଧ୍ୟ ଶ୍ରେଷ୍ଠ ।[୨୪] ମ୍ୟାଲେରିଆର ଔଷଧ ପାଇଁ ଆବଶ୍ୟକ ଉପାଦାନ କୁଇନାଇନ୍‍ ଏଠାରେ ବଢ଼ୁଥିବା କିଞ୍ଚୋନା ପ୍ୟୁବିସେନ୍ସ ଗଛରୁ ବାହାର କରାଯାଏ । ଆଣ୍ଡିଜ ପର୍ବତ ହେଲା ତମାଖୁ ଓ ଆଳୁ ପରି ଗଛର ଉତ୍ପତ୍ତି ସ୍ଥଳ । ପେରୁ, କଲମ୍ବିଆ, ବଲିଭିଆ, ଇକ୍ୱେଡର ଓ ଚିଲିରେ ଆଣ୍ଡିଜର ଉଚ୍ଚ ଅଞ୍ଚଳରେ (ସମୁଦ୍ର ପତନରୁ ୪୫୦୦ ମିଟର ଉଚ୍ଚ) ବଢ଼ୁଥିବା ଗଛକୁ ସ୍ଥାନୀୟ ଲୋକେ କେନୁଆ ବା ୟାଗୁଆଲ୍ ବୋଲି କୁହନ୍ତି । ଠାଏ ଠାଏ ଯାଗାରେ ରହିଥିବା ବଣଗୁଡ଼ିକ ପ୍ରାକୃତିକ ଭାବେ ଏପରି ବିକ୍ଷିପ୍ତ ହୋଇ ସୃଷ୍ଟି ହୋଇଛନ୍ତି ବା ଇନ୍‍କା ସଭ୍ୟତା ସମୟରେ ଏଠାରେ ବୃକ୍ଷଛେଦନ ହୋଇ ଏପରି ଜଙ୍ଗଲ ସୃଷ୍ଟି ହୋଇଛି ତାହା କହିବା କଷ୍ଟକର । ସେ ଯାହା ହେଉ, ଆଧୁନିକ ଯୁଗରେ ଜଙ୍ଗଲ ଉଚ୍ଛେଦ ଆହୁରି ବଢ଼ିଯାଇଥିବାରୁ ପୂର୍ବ ସମୟର କେବଳ ୧୦% ଜଙ୍ଗଲ ବଞ୍ଚି ରହିଛି ।[୨୫]

ଜୀବଜନ୍ତୁ[ସମ୍ପାଦନା]

ଆର୍ଦ୍ର ଆଣ୍ଡିଜ ଜଙ୍ଗଲରେ ଦେଖାଯାଉଥିବା “ଆଣ୍ଡିଆନ୍ କକ୍-ଅଫ୍-ଦ-ରକ୍” ପକ୍ଷୀ ପେରୁର ଜାତୀୟ ପକ୍ଷୀ
ଆଉସାଙ୍ଗାଟେ ପର୍ବତରେ ଆଲପକା ଗୋଠ
ଟରେସ୍ ଡେଲ୍ ପାଇନ୍ ଜାତୀୟ ଉଦ୍ୟାନରୁ କ୍ୱେର୍ନୋସ୍ ଡେଲ୍ ପାଇନ୍

ଆଣ୍ଡିଜ ପର୍ବତମାଳାରେ ପ୍ରାୟ ୧୦୦୦ ପ୍ରଜାତିର ଜୀବଜନ୍ତୁ ଦେଖାଯାନ୍ତି ଯହାର ଦୁଇ-ତୃତୀୟାଂଶ ସ୍ଥାନୀୟ । ଆଣ୍ଡିଜରେ ବହୁ ପ୍ରଜାତିର ଉଭୟଚର ଜୀବ ଦେଖାଯାନ୍ତି ।[୨୪] ଆଣ୍ଡିଜର ଜୈବବିବିଧତା ମଧ୍ୟ ଉନ୍ନତ ମାନର ; ଏଠାରେ ୬୦୦ ପ୍ରଜାତିର ସ୍ତନ୍ୟପାୟୀ (୧୩% ସ୍ଥାନୀୟ), ୧୭୦୦ରୁ ଅଧିକ ପକ୍ଷୀ ପ୍ରଜାତି (ଏକ-ତୃତୀୟାଂଶ ସ୍ଥାନୀୟ), ୬୦୦ରୁ ଅଧିକ ପ୍ରଜାତିର ସରୀସୃପ (୪୫% ସ୍ଥାନୀୟ) ଓ ପ୍ରାୟ ୪୦୦ ପ୍ରଜାତିର ମାଛ (ଏକ-ତୃତୀୟାଂଶ ସ୍ଥାନୀୟ) ଦେଖିବାକୁ ମିଳନ୍ତି ।[୨୪]

ଆଲ୍‍ଟିପ୍ଲାନୋରେ ଭିକୁନା ଓ ଗ୍ୱାନାକୋ ବାସ କରୁଥିବା ବେଳେ ଲାମା ଓ ଆଲପକା ପରି ଜୀବମାନଙ୍କୁ ସ୍ଥାନୀୟ ଲୋକେ ମାଂସ ଓ ଶୀତ କପଡ଼ା ପାଇଁ ଗୋଠରେ ପୋଷା ମନାଇ ରଖନ୍ତି । ଭୋର ଏବଂ ଗୋଧୂଳି ସମୟରେ ସକ୍ରିୟ ରହୁଥିବା ଚିଞ୍ଚିଲା ମୂଷାର ଉଭୟ ବିରଳ ପ୍ରଜାତି ଆଣ୍ଡିଜ ପର୍ବତରେ ଦେଖାଯାନ୍ତି ।[୨୬][୨୭] ଆଣ୍ଡିଜ କୋଣ୍ଡୋର ପକ୍ଷୀ ଏଠାକାର ସର୍ବବୃହତ ପକ୍ଷୀ କିନ୍ତୁ ଏମାନଙ୍କ ଘନତା କମ୍ ।[୨୮] ଅଳ୍ପ ଖୋଲା ଅଧିବାସରେ ହୁଏମୁଲ, କୁଗାର ଓ କୋକିଶିଆଳୀ ପରି ଜୀବ[୨୬][୨୭] ଏବଂ ଟିନାମୌ, ଆଣ୍ଡିଜ୍ ବତକ, ଜାଏଣ୍ଟ କୁଟ୍, ଫ୍ଲାମିଙ୍ଗୋ, ସାନ ରିଆ, ଆଣ୍ଡିଜ୍ ଫ୍ଲିକର୍, ଫ୍ଲିଞ୍ଚ୍, ମାଇନର୍, ପ୍ଲୋଭର୍ ପରି ପକ୍ଷୀ ବାସ କରନ୍ତି ।[୨୮]

ଟିଟିକାକା ହ୍ରଦରେ ମଧ୍ୟ ଡେଣାହୀନ ଗ୍ରେବେ[୨୮] ଓ ପାଣି ବେଙ୍ଗ[୨୯] ସମେତ ଆହୁରି ବହୁ ସ୍ଥାନୀୟ ଜୀବ ଦେଖିବାକୁ ମିଳନ୍ତି । କିଛି ପ୍ରଜାତିର ହମିଂବର୍ଡ୍ ପକ୍ଷୀ ୪୦୦୦ ମିଟରରୁ ଅଧିକ ଉଚ୍ଚତାରେ ଦେଖାଯାନ୍ତି । କିନ୍ତୁ ଉଚ୍ଚତାରେ ରହୁଥିବା କିଛି ପକ୍ଷୀ ନିମ୍ନାଞ୍ଚଳରେ ଆର୍ଦ୍ର ଜଙ୍ଗଲରେ ବାସ କରିବା ମଧ୍ୟ ଦେଖାଯାଇଛି ।[୨୮] ଆଣ୍ଡିଜର ଜଙ୍ଗଲମାନଙ୍କରେ ବିରଳ ପାର୍ବତୀୟ ଟାପିର, ଚଷମାଆଖି ଭାଲୁ ଓ ହଳଦିଲାଞ୍ଜିଆ ମାଙ୍କଡ଼ ମଧ୍ୟ ବାସ କରନ୍ତି ।[୨୬]

ଆର୍ଦ୍ର ଆଣ୍ଡିଜ ଜଙ୍ଗଲମାନଙ୍କରେ ପାର୍ବତୀୟ ଟୁକାନ, କିତ୍ଜାଲ, ଆଣ୍ଡିଜ କକ୍-ଅଫ୍-ଦ-ରକ୍, ଟାନାଜର୍, ଟାପାକୁଲୋ, ରେନ୍, ଆଣ୍ଟପିଟା ଆଦି ପକ୍ଷୀ ପରିଲକ୍ଷିତ ହୁଅନ୍ତି ।[୨୮]

ମାନବୀୟ କାର୍ଯ୍ୟକଳାପ[ସମ୍ପାଦନା]

ଆଣ୍ଡିଜ ପର୍ବତମାଳା ଉତ୍ତର-ଦକ୍ଷିଣ ଦିଗରେ ରହିଥିବା ଏକ ସାଂସ୍କୃତିକ ଅକ୍ଷ ପରି । ପଞ୍ଚଦଶ ଶତାବ୍ଦୀରେ ଇନ୍‍କା ସଭ୍ୟତାର ପ୍ରସାର ସମୟରେ ଏହି ଅଞ୍ଚଳ ସାଂସ୍କୃତିକ ଦୃଷ୍ଟିରୁ ପ୍ରଭାବିତ ହୋଇଥିଲା । ଇନ୍‍କାମାନେ ଉତ୍ତମ ସୈନ୍ୟବାହିନୀ, ପରିଚାଳନା ପଦ୍ଧତିର ବ୍ୟବହାର କରି ନିଜ ସଭ୍ୟତାକୁ ବିକଶିତ କରିଥିଲେ ।[୩୦] ଇନ୍‍କା ସରକାର ସଡ଼କ, ପାଣି ପାଇଁ ନଳ ପ୍ରଭୃତି ନିର୍ମାଣ କରାଇଥିଲେ ଯାହାର ଅବଶେଷ ଅଦ୍ୟାବଧି ଦେଖିବାକୁ ମିଳେ । ୟୁରୋପରୁ ସଂକ୍ରମିତ ରୋଗ ଏବଂ ଗୃହଯୁଦ୍ଧ ଇନ୍‍କା ସଭ୍ୟତାକୁ ଦୁର୍ବଳ କରିଥିଲା । ୧୫୩୨ ମସିହାରେ ହୁଆନ୍‍କା, ଚାଚାପୋୟା, କାନାରି ଓ ଫ୍ରାନ୍ସିସ୍କୋ ପିଜାରୋଙ୍କ କ୍ଷୁଦ୍ର ସ୍ପେନୀୟ ସେନାର ମିଳିତ ଆକ୍ରମଣରେ ଇନ୍‍କାମାନେ ପରାସ୍ତ ହୋଇଥିଲେ । କିନ୍ତୁ ଆଣ୍ଡିଜ ପର୍ବତର ଏକ ଶୃଙ୍ଗ ପଛରେ ଲୁକ୍କାୟିତ ଭାବେ ଇନ୍‍କାମାନଙ୍କଦ୍ୱାରା ସ୍ଥାପିତ ମାଚୁ ପିଚୁ ବିଷୟରେ କେହି ଜାଣି ପାରିନଥିଲେ । ପୃଥିବୀର ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରୁ ମାଚୁ ପିଚୁ ଅନ୍ୟତମ । କେଚୁଆ ଓ ଆୟମାରା ପରିବାରର ଭାଷାମାନ ଏବେ ବି ଆଣ୍ଡିଜ ଅଞ୍ଚଳରେ ଜୀବିତ ରହିଛି । ୧୮୨୬-୨୭ରେ ଉଡ୍‍ବାଇନ୍ ପେରିଶ୍ ଓ ଜୋସେଫ୍ ପେଣ୍ଟଲ୍ୟାଣ୍ଡ ବଲିଭୀୟ ଆଣ୍ଡିଜର ଏକ ବୃହତ ଅଞ୍ଚଳରେ ସର୍ବେକ୍ଷଣ କରିଥିଲେ ।

ନଗର ସମୂହ[ସମ୍ପାଦନା]

ବଲିଭିଆର ରାଜଧାନୀ ଲାପାଜ ବିଶ୍ୱର ଉଚ୍ଚତମ ରାଜଧାନୀ ନଗର
ଚିଲିର ରାଜଧାନୀ ସାଣ୍ଟିଆଗୋ
କଲମ୍ବିଆର ରାଜଧାନୀ ବୋଗୋଟା

ଆଧୁନିକ ସମୟରେ ଆଣ୍ଡିଜ କୋଳରେ ବହୁ ବୃହତ ନଗରୀମାନ ଗଢ଼ିଉଠିଛି ଓ ବୋଗୋଟା, ସାଣ୍ଟିଆଗୋ, ମେଡେଲିନ୍, କାଲି ଏମାନଙ୍କ ମଧ୍ୟରୁ ଅନ୍ୟତମ । ଲିମା ନଗର ଏକ ଉପକୂଳବର୍ତ୍ତୀ ନଗର ଯାହା ଆଣ୍ଡିଜକୁ ସଂଲଗ୍ନ । ଆଣ୍ଡିଜରେ ଥିବା ନଗରମାନଙ୍କ ମଧ୍ୟରେ ଲିମା ବୃହତ୍ତମ । ଆଣ୍ଡିଆନ୍ ରାଷ୍ଟ୍ରମାନଙ୍କ ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ଲିମାରେ ଅବସ୍ଥିତ ।

ବଲିଭିଆର ରାଜଧାନୀ ଲାପାଜ ବିଶ୍ୱର ସର୍ବୋଚ୍ଚ ରାଜଧାନୀ ନଗର । ସମୁଦ୍ର ପତନରୁ ଏହାର ଉଚ୍ଚତା ପ୍ରାୟ ୩୬୫୦ ମିଟର । ଲାପାଜର କିଛି ଅଂଶ ଏବଂ ଏଲ୍ ଆଲ୍ଟୋ ନଗର ୪୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପ୍ତ ।

ଆଣ୍ଡିଜରେ ଅବସ୍ଥିତ ଅନ୍ୟ ନଗରମାନଙ୍କ ମଧ୍ୟରେ ପ୍ରମୁଖ ହେଲେ :

  • ପେରୁର ଆରେକିପୋ, କୁସ୍କୋ, ହୁଆନ୍‍କାୟୋ, କାହାମାର୍କା, ହୁଲିଆକା, ହୁଆନୁକୋ, ହୁଆରାଜ୍ ଓ ପୁନୋ
  • ଇକ୍ୱେଡରର କ୍ୱିଟୋ, କ୍ୱେଙ୍କା, ଆମ୍ବାଟୋ, ଲୋହା, ରିଓବାମ୍ବା ଓ ଇବାରା
  • ବଲିଭିଆର କୋଚାବାମ୍ବା, ଓରୁରୋ, ସୁକ୍ରେ, ତାରିହା
  • ଚିଲିର କାଲାମା ଓ ରାଙ୍କାଗୁଆ
  • କଲମ୍ବିଆର ଆର୍ମେନିଆ, କୁକୁଟା, ବୁକାରାମାଙ୍ଗା, ଇବେଗ୍ୱେ, ପେରେଇରା, ପାସ୍ତୋ, ପାଲମିରା, ପୋପାୟାନ, ଟୁନ୍‍ହା, ଭିଲାଭିସେନ୍ସିଓ ଓ ମାନିଜାଲେସ୍
  • ଭେନେଜୁଏଲାର ବାର୍କିସିମେଟୋ, ସାନ୍ କ୍ରିଷ୍ଟୋବାଲ, ମେରିଡ଼ା ଓ ଭାଲେରା
  • ଆର୍ଜେଣ୍ଟିନାର ମେଣ୍ଡୋଜା, ଟୁକୁମାନ, ସାଲଟା ଓ ସାଁ ହୁଆଁ

ଭେନେଜୁଏଲାର କାରାକାସ, ଭାଲେନ୍ସିଆ ଓ ମାରାକେ ଉପକୂଳବର୍ତ୍ତୀ ଓ ପର୍ବତ ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ କିନ୍ତୁ ଏହି ଅଞ୍ଚଳର ପର୍ବତ ଆଣ୍ଡିଜର ଅଂଶ ନା ନୁହେଁ ତାହା ବିବାଦୀୟ ବିଷୟ ।

ପରିବହନ[ସମ୍ପାଦନା]

ଆଣ୍ଡିଜର ନଗର ଓ ସହରଗୁଡ଼ିକ ପିଚୁରେ ତିଆରି ପକ୍କା ସଡ଼କମାନଙ୍କଦ୍ୱାରା ସଂଯୋଜିତ ହୋଇଥିବା ବେଳେ ଛୋଟ ସହରଗୁଡ଼ିକ କଚା ସଡ଼କ ମାଧ୍ୟମରେ ସଂଯୁକ୍ତ ।[୩୧]

ଭେନେଜୁଏଲାର ମେରିଡ଼ା

ଆଧୁନିକ ବୈଷୟିକ ଜ୍ଞାନକୌଶଳ ସତ୍ତ୍ୱେ ଆଣ୍ଡିଜର ପଥୁରିଆ ପାହାଡ଼ ଭେଦି ସଡ଼କପଥ ବା ରେଳପଥ ନିର୍ମାଣ କରିବା ଏକ ବ୍ୟୟବହୁଳ ବ୍ୟାପାର । ଉଦାହରଣ ସ୍ୱରୂପ ଆର୍ଜେଣ୍ଟିନାରୁ ଚିଲି ଯିବା ପାଇଁ “ଇଣ୍ଟରନାସିଓନାଲ୍ ଲସ୍ ଲିବେର୍ତାଡୋରେସ୍” ଗିରିପଥ ଏବେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ନିକଟ ଅତୀତରେ କିଛି ରାଜପଥର ସଂଯୋଗୀକରଣ ହୋଇପାରିଛି ।[୩୨] ତେଣୁ ଯାତ୍ରୀମାନେ ଅଧିକାଂଶରେ ଆକାଶପଥର ବ୍ୟବହାର କରିଥାନ୍ତି ।

ଆଣ୍ଡିଜ ମଧ୍ୟ ଦେଇ ଚିଲି ଓ ପେରୁକୁ ସଂଯୋଗ କରୁଥିବା ଏକ ରେଳପଥ ମଧ୍ୟ ରହିଛି । ଦକ୍ଷିଣ ବଲିଭିଆରେ ମଧ୍ୟ ଆଣ୍ଡିଜ ଉପରେ କିଛି ରେଳପଥ ନିର୍ମିତ ହୋଇଛି ।

ବଲିଭିଆରେ ଅନେକ ରାଜପଥ ଆଣ୍ଡିଜକୁ ବିଖଣ୍ଡିତ କରିଅଛନ୍ତି । ବଲିଭିଆ ଓ ପାରାଗୁଏ ଯୁଦ୍ଧ ସମୟରେ ଏଥିରୁ କିଛି ସଡ଼କପଥ ନିର୍ମିତ ହୋଇଥିଲା । ସେ ସମୟରେ ଦକ୍ଷିଣ-ପୂର୍ବ ବଲିଭିଆ ଓ ପଶ୍ଚିମ ପାରାଗୁଏକୁ ସୈନ୍ୟବଳ, ଜରୁରୀ ସାମଗ୍ରୀ, ଗୁଳିଗୋଳା ପଠାଇବା ପାଇଁ ଏହି ସଡ଼କପଥ ବ୍ୟବହୃତ ହେଉଥିଲା ।

ଦଶନ୍ଧି ଧରି ଆଣ୍ଡିଜର ପୂର୍ବ ପଟକୁ ଥିବା ଭୂଖଣ୍ଡ ଉପରେ ଚିଲି ଦାବୀ ଉପସ୍ଥାପନ କରି ଆସୁଥିଲା । ବଲିଭିଆ ଓ ପେରୁର ମିଳିତ ସେନା ଓ ଚିଲି ମଧ୍ୟରେ ୧୮୭୦ ମସିହାରେ ହୋଇଥିବା ଯୁଦ୍ଧ ସମୟରେ ଏକ ସନ୍ଧି ଅନୁସାରେ ଚିଲି ନିଜ ଦାବୀ ଫେରାଇ ନେଇଥିଲା । ଚିଲିର ସ୍ଥଳସେନା ଓ ନୌସେନା ପେରୁ ଓ ବଲିଭିଆକୁ ପରାସ୍ତ କରିଥିଲେ । ଏହା ପରେ ଚିଲି ପେରୁର କିଛି ଭୂଭାଗ ଓ ବଲିଭିଆର ଉପକୂଳ ଅଞ୍ଚଳ ନିଜ କବଜାକୁ ନେଇଥିଲା । ସେବେଠାରୁ ବଲିଭିଆର ଆଉ ଉପକୂଳ ନାହିଁ । ଅନ୍ତର୍ଜାତୀୟ ବ୍ୟାପାର ପାଇଁ ଏହା ଆର୍ଜେଣ୍ଟିନା ଓ ଉରୁଗୁଏର ବନ୍ଦର ବ୍ୟବହାର କରିଥାଏ । ପେରୁକୁ ତାହାର ଭୂଭାଗ ଅନେକ ଦଶନ୍ଧି ପରେ ମିଳିଯାଇଥିଲା । ୧୯୭୮ ପରଠାରୁ ବଲିଭିଆ ଓ ଚିଲି ମଧ୍ୟରେ ସମସ୍ତ କୂଟନୈତିକ ସମ୍ପର୍କ ବନ୍ଦ ରହିଛି ।

ଆଣ୍ଡିଜରେ ଥିବା ସହର ଓ ଗ୍ରାମରେ କଷ୍ଟକର ପଥ ରହିଥିବାରୁ ମୋଟରଗାଡ଼ି ଅଧିକ ଉପଯୋଗୀ ନୁହେଁ । ତେଣୁ ସ୍ଥାନୀୟ ଲୋକେ ଗମନାଗମନ ପାଇଁ ଓଟ, ଲାମା, ଆଲପକା, ଗଧ, ଖଚ୍ଚର ଓ ଘୋଡ଼ା ପରି ପଶୁମାନଙ୍କର ବ୍ୟବହାର କରିବା ଦେଖାଯାଏ । କିନ୍ତୁ ଆଧୁନିକ ଯୁଗରେ ପଶୁଙ୍କ ପିଠିରେ ଗମନାଗମନ ଓ ପରିବହନ କମ୍ ଦେଖିବାକୁ ମିଳେ ।

ପେରୁର ଚାଷୀମାନେ ବିନ୍‍ସ୍ ଓ ମକ୍କା ଲଗାଇବାର ଚିତ୍ର
ପେରୁର ଆଣ୍ଡିଜରେ ଜଳସେଚନ ବ୍ୟବସ୍ଥା
ଉନବିଂଶ ଶତାବ୍ଦୀରେ ଚିଲିର ହୁଆସୋ

କୃଷିକାର୍ଯ୍ୟ[ସମ୍ପାଦନା]

ଇନ୍‍କାଙ୍କ ପରି ଆଣ୍ଡିଜରେ ବାସ କରୁଥିବା ପ୍ରାଚୀନ ଲୋକେ ୬୦୦୦ ବର୍ଷରୁ ଜଳସେଚନ ବ୍ୟବସ୍ଥାର ଉପଯୋଗ କରିଆସୁଛନ୍ତି । ଢାଲୁଆ ପାର୍ବତ୍ୟ ଭୂମି ହେତୁ ଏଠାରେ ସୋପାନ ପ୍ରଣାଳୀରେ ଚାଷ କରାଯାଏ । କେବଳ ଇନ୍‍କା ଲୋକେ ବ୍ୟାପକ ଭାବେ ସୋପାନ କୃଷିପ୍ରଣାଳୀ ଅବଲମ୍ବନ କରୁଥିଲେ । ଆଳୁ ଏଠାକାର ମୁଖ୍ୟ କୃଷି ଉତ୍ପାଦନ । ମକାମଧ୍ୟ ଏଠାରେ ଚାଷ ହେଉଥିବା ଏକ ମୁଖ୍ୟ ଫସଲ ଓ ଏଥିରୁ ଚିଚା ପ୍ରସ୍ତୁତ ହୋଇଥାଏ । ଏହାଛଡ଼ା ରପ୍ତାନୀ ପାଇଁ ତମାଖୁ, କପା, କଫି ଇତ୍ୟାଦି ଚାଷ କରାଯାଇଥାଏ । ବହୁ କଟକଣା ସତ୍ତ୍ୱେ କୋକା ଚାଷ ହେଉଥାଏ । ବୈଧ ଭାବେ କୋକାରୁ ଜଡ଼ିବୁଟି ଚା’ ଓ ଅବୈଧ ଭାବେ ଏଥିରୁ କୋକେନ୍ ନାମକ ମାଦକଦ୍ରବ୍ୟ ପ୍ରସ୍ତୁତ କରାଯାଏ ।

ଜଳସେଚନ[ସମ୍ପାଦନା]

ଜଳସେଚନ ନଥିବା ଅଞ୍ଚଳରେ ଜମିକୁ ପଡ଼ିଆ ବା ତୃଣଭୂମି ପାଇଁ ଛାଡ଼ି ଦିଆଯାଏ । ବର୍ଷା ସମୟରେ ଏଥିରୁ କିଛି ଅଂଶକୁ ସାମୟିକ ଫସଲ ଯଥା ଆଳୁ, ବାର୍ଲି, ଗହମ ଓ ଓସାରିଆ ବିନ୍‍ସ୍ ପାଇଁ ଚାଷରେ ଲଗାଯାଏ ।

ଜଳସେଚନର ବ୍ୟବସ୍ଥା ଥିଲେ ବର୍ଷସାରା ଫସଲ ଉତ୍ପାଦନ ସମ୍ଭବପର । ସମୁଦ୍ର ପତନରୁ ୩୮୦୦ ମିଟର ଉଚ୍ଚରେ ମଧ୍ୟ ମକା ପରି ଫସଲ ଲଗାଯାଇପାରିବ । ଶୀତ ଋତୁରେ ଶୁଷ୍କ ସମୟରେ ଜମିକୁ ପଡ଼ିଆ ନ ପକାଇ ଗାଜର ବା ପିଆଜ ପରି ଫସଲ ଚାଷ କରାଯାଏ ।[୩୩]

ଖଣିଜ ସମ୍ପଦ ଓ ଖନନ[ସମ୍ପାଦନା]

ସ୍ପେନୀୟ ଉପନିବେଶ ଯୁଗରେ ଆଣ୍ଡିଜରେ ଗଚ୍ଛିତ ରହିଥିବା ଖଣିଜ ସମ୍ପଦ ଲୋକଲୋଚନକୁ ଆସିଥିଲା । ଆଣ୍ଡିଜର ଆମେରିଣ୍ଡିଆନ୍ ଜାତି ସୁନା ଓ ଅନ୍ୟ ଧାତୁରୁ ଅଳଙ୍କାର ନିର୍ମାଣ କରିବା ଜାଣିଥିଲେ । କିନ୍ତୁ ବ୍ୟାବସାୟିକ ଭିତ୍ତିରେ ସ୍ପେନୀୟ ଲୋକେ ଏଠାରେ ଖଣି ଖନନ ଆରମ୍ଭ କରାଇଲେ । ବଲିଭିଆର ପୋଟୋସି ଓ ପେରୁର କେରୋ ଡି ପାସ୍କୋ ସ୍ପେନୀୟମାନଙ୍କର ପ୍ରମୁଖ ଖଣି ଥିଲା । ରିଓ ଡି ଲା ପ୍ଲାଟା ଓ ଆର୍ଜେଣ୍ଟିନା ଦେଶର ନାମ[୩୪] ଏହି ପୋଟୋସି ଖଣିରୁ ମିଳୁଥିବା ରୂପାରୁ ଗୃହୀତ ।

ବର୍ତ୍ତମାନ ଚିଲି ଓ ପେରୁର ଆଣ୍ଡିଜରେ ତମ୍ବା ଖଣିମାନ ରହିଛି ଏବଂ ଏମାନେ ଯଥାକ୍ରମେ ବିଶ୍ୱର ପ୍ରଥମ ଓ ତୃତୀୟ ତମ୍ବା ଉତ୍ପାଦକ ଦେଶ । ପେରୁର ୟାନାକୋଚା ଖଣି ବିଶ୍ୱର ଚତୁର୍ଥ ବୃହତ୍ତମ ସୁନାଖଣି । ବଲିଭିଆ ଆଣ୍ଡିଜରୁ ଟିଣ ଖନନ କରାଯାଏ । ପାରମ୍ପରିକ ସମୟରେ ଆଣ୍ଡିଜର ଖଣିରୁ ବାହାରୁଥିବା ରୂପା ୧୭ଶ ଶତାବ୍ଦୀର ୟୁରୋପର ଅର୍ଥନୈତିକ ପ୍ରଗତିରେ ବିଶେଷ ସହାୟକ ହୋଇଥିଲା ।

ଆଣ୍ଡିଜ ପର୍ବତମାଳାରେ ଖଣି ପରମ୍ପରା ବହୁ ପୁରାତନ । ୧୬ଶ ଶତାବ୍ଦୀରେ ପୋଟୋସିର ସ୍ପେନୀୟ ରୂପା ଖଣି ହେଉ ବା ବର୍ତ୍ତମାନର ଚୁକିକାମାଟା, ଏସ୍କଣ୍ଡିଡା, ଟୋକିପାଲା ପ୍ରଭୃତି ସ୍ଥାନର ତମ୍ବା ଖଣି ହେଉ, ଏଠାରେ ଖଣି କାମ ସର୍ବଦା ସକ୍ରିୟ । ଏହା ବ୍ୟତୀତ ଲୁହା, ସୁନା, ଟିଣ ଓ ଅନେକ ଅଧାତବ ଖଣିଜ ପଦାର୍ଥ ଆଣ୍ଡିଜରୁ ମିଳିଥାଏ ।

ଗିରିଶୃଙ୍ଗ ସମୂହ[ସମ୍ପାଦନା]

ଆର୍ଜେଣ୍ଟିନାର ଆକାଙ୍କାଗୁଆ ଆଣ୍ଡିଜ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ । ଆଣ୍ଡିଜ ପର୍ବତମାଳାର ପ୍ରମୁଖ ଶୃଙ୍ଗଗୁଡ଼ିକ ଦକ୍ଷିଣ ଆମେରିକାର ବିଭିନ୍ନ ଦେଶରେ ବିଚ୍ଛୁରିତ ଭାବରେ ରହିଛି ।

ଆର୍ଜେଣ୍ଟିନା[ସମ୍ପାଦନା]

  • ଆକାଙ୍କାଗୁଆ (୬୯୬୧ ମିଟର)
  • କେରୋ ବୋନେତେ (୬୭୫୯ ମିଟର)
  • ଗଲାନ (୫୯୧୨ ମିଟର)
  • ମର୍ସେଡାରିଓ (୬୭୨୦ ମିଟର)
  • ମୋଣ୍ଟେ ପିସିସ୍ (୬୭୯୫ ମିଟର)

ଆର୍ଜେଣ୍ଟିନା-ଚିଲି ସୀମା[ସମ୍ପାଦନା]

  • କେରୋ ବାୟୋ (୫୪୦୧ ମିଟର)
  • କେରୋ ଫିଜ୍ ରୋୟ (୩୩୭୫ ମିଟର)
  • କେରୋ ଏସ୍କୋରିଆଲ୍ (୫୪୪୭ ମିଟର)
  • କର୍ଡନ୍ ଡେଲ୍ ଆଜୁଫ୍ରେ (୫୪୬୩ ମିଟର)
  • ଫାଲସୋ ଆଜୁଫ୍ରେ (୫୮୯୦ ମିଟର)
  • ଇନ୍‍କାହୁଆସି (୬୬୨୦ ମିଟର)
  • ଲାଷ୍ଟାରିଆ (୫୬୯୭ ମିଟର)
  • ଲୁଲାଇଲାକୋ (୬୭୩୯ ମିଟର)
  • ମାଇପୋ (ଆଗ୍ନେୟଗିରି, ୫୨୬୪ ମିଟର)
  • ମାର୍ମୋଲେଜୋ (୬୧୧୦ ମିଟର)
  • ଓହୋସ୍ ଡେଲ୍ ସାଲାଡୋ (୬୮୯୩ ମିଟର)
  • ଓଲକା (୫୪୦୭ ମିଟର)
  • ସିଏରା ନେଭାଡା ଡେ ଲାଗୁନାସ୍ ବ୍ରାଭାସ୍ (୬୧୨୭ ମି)
  • ସୋକୋମ୍ପା (୬୦୫୧ ମିଟର)
  • ନେଭାଡୋ ତ୍ରେସ୍ କ୍ରୁକେସ୍ (୬୭୪୯ ମିଟର)
  • ଟ୍ରୋନାଡୋର (୩୪୯୧ ମିଟର)
  • ଟୁପୁଙ୍ଗାଟୋ (୬୫୭୦ ମିଟର)
  • ନାକିମିଏନ୍ତୋ (୬୪୯୨ ମିଟର)

ବଲିଭିଆ[ସମ୍ପାଦନା]

  • ହାଙ୍କୁ ଉମା (୬୪୨୭ ମିଟର)
  • କାବାରାୟା (୫୮୬୦ ମିଟର)
  • ଚାକାଲ୍‍ଟାୟା (୫୪୨୨ ମିଟର)
  • ୱାୟନା ପୋଟୋସି (୬୦୮୮ ମିଟର)
  • ଇଲ୍ଲାମ୍ପୁ (୬୩୬୮ ମିଟର)
  • ଇଲ୍ଲିମାନି (୬୪୩୮ ମିଟର)
  • ଲାରାମ କାୱା (୫୫୨୦ ମିଟର)
  • ମାକିଜୋ ଡେ ପାକୁନି (୫୪୦୦ ମିଟର)
  • ନେଭାଡୋ ଆନାଲାଃସି (୫୭୫୦ ମିଟର)
  • ନେଭାଡୋ ସାହାମା (୬୫୪୨ ମିଟର)
  • ପାଟିଲ୍ଲା ପାଟା (୫୩୦୦ ମିଟର)
  • ଟାଟା ସାବାୟା (୫୪୩୦ ମିଟର)

ବଲିଭିଆ-ଚିଲି ସୀମା[ସମ୍ପାଦନା]

  • ଆକୋଟାଙ୍ଗୋ (୬୦୫୨ ମିଟର)
  • କେରୋ ମିଞ୍ଚିଞ୍ଚା (୫୩୦୫ ମିଟର)
  • ଇରୁ ଫୁଟୁଞ୍ଚୁ (୫୧୬୩ ମିଟର)
  • ଲିକାଙ୍କାବୁର (୫୯୨୦ ମିଟର)
  • ଓଲ୍‍କା (୫୪୦୭ ମିଟର)
  • ପାରିନାକୋଟା (୬୩୪୮ ମିଟର)
  • ପାରୁମା (୫୪୨୦ ମିଟର)
  • ପୋମେରାପେ (୬୨୮୨ ମିଟର)

ଚିଲି[ସମ୍ପାଦନା]

  • ମୋଣ୍ଟେ ସାନ୍ ଭାଲେଣ୍ଟିନ୍ (୪୦୫୮ ମିଟର)
  • କେରୋ ପାଇନେ ଗ୍ରାଣ୍ଡେ (୨୮୮୪ ମିଟର)
  • କେରୋ ମାକା (୨୩୦୦ ମିଟର)
  • ମୋଣ୍ଟେ ଡାରୱିନ (୨୫୦୦ ମିଟର)
  • ଭୋଲ୍କାନ୍ ହଡ୍‍ସନ୍ (୧୯୦୦ ମିଟର)
  • କେରୋ କାଷ୍ଟିଲୋ ଡାଇନେଭୋର୍ (୧୧୦୦ ମିଟର)
  • ମାଉଣ୍ଟ ଟାର୍ଣ୍ଣ (୮୨୫ ମିଟର)
  • ପୋଲ୍ଲେରାସ୍ (୫୯୯୩ ମିଟର)
  • ଆକାମାରାଚି (୬୦୪୬ ମିଟର)

କଲମ୍ବିଆ[ସମ୍ପାଦନା]

  • ପିକୋ କ୍ରିଷ୍ଟୋବାଲ କୋଲୋଁ (୫୭୦୦ ମିଟର)
  • ନେଭାଡୋ ଡେଲ୍ ହୁଇଲା (୫୩୬୫ ମିଟର)
  • ନେଭାଡୋ ଡେଲ୍ ରୁଇ (୫୩୨୧ ମିଟର)
  • ନେଭାଡୋ ଡେଲ୍ ଟୋଲିମା (୫୨୦୫ ମିଟର)
  • ପିକୋ ପାନ୍ ଡେ ଆଜୁକାର (୫୨୦୦ ମିଟର)
  • ରିଟାକ୍ୟୁବା ନିଗ୍ରୋ (୫୩୨୦ ମିଟର)
  • ନେଭାଡୋ ଡେଲ୍ କୁମ୍ବାଲ (୪୭୬୪ ମିଟର)
  • କେରୋ ନିଗ୍ରୋ ଡି ମାୟାସ୍କେର (୪୪୪୫ ମିଟର)
  • ରିଟାକ୍ୟୁବା ବ୍ଲାଙ୍କୋ (୫୪୧୦ ମିଟର)
  • ନେଭାଡୋ ଡେଲ୍ କିନିଡିଓ (୫୨୧୫ ମିଟର)
  • ପୁରାସି (୪୬୫୫ ମିଟର)
  • ସାଣ୍ଟା ଇସାବେଲ୍ (ଆଗ୍ନେୟଗିରି – ୪୯୫୫ ମିଟର)
  • ଡୋନା ହୁଆନା (୪୧୫୦ ମିଟର)
  • ଗାରେଲାସ୍ (୪୨୭୬ ମିଟର)
  • ଆଜୁଫ୍ରାଲ (୪୦୭୦ ମିଟର)

ଇକ୍ୱେଡର[ସମ୍ପାଦନା]

  • ଆଣ୍ଟିସାନା (୫୭୫୨ ମିଟର)
  • କାୟାମ୍ବେ (ଆଗ୍ନେୟଗିରି – ୫୭୯୦ ମିଟର)
  • ଚିଲେସ୍ (ଆଗ୍ନେୟଗିରି – ୪୭୨୩ ମିଟର)
  • ଚିମ୍ବୋରାଜୋ (ଆଗ୍ନେୟଗିରି – ୬୨୬୮ ମିଟର)
  • କୋରାଜୋନ୍ (୪୭୯୦ ମିଟର)
  • କୋଟୋପାକ୍ସି (୫୮୯୭ ମିଟର)
  • ଏଲ୍ ଆଲ୍‍ଟାର (୫୩୨୦ ମିଟର)
  • ଇଲ୍ଲିନିଜା (୫୨୪୮ ମିଟର)
  • ପିଚିଞ୍ଚା (ଆଗ୍ନେୟଗିରି – ୪୭୮୪ ମିଟର)
  • କିଲୋତୋଆ (୩୯୧୪ ମିଟର)
  • ରେଭେଣ୍ଟାଡୋର୍ (୩୫୬୨ ମିଟର)
  • ସାଙ୍ଗାୟ (୫୨୩୦ ମିଟର)
  • ଟୁଙ୍ଗୁରାହୁଆ (୫୦୨୩ ମିଟର)

ପେରୁ[ସମ୍ପାଦନା]

  • ଆଲ୍ପାମାୟୋ (୫୯୪୭ ମିଟର)
  • ଆର୍ଟେସନ୍ରାହୁ (୬୦୨୫ ମିଟର)
  • କାର୍ଣ୍ଣିସେରୋ (୫୯୬୦ ମିଟର)
  • ଚୁମ୍ପେ (୬୧୦୬ ମିଟର)
  • କୋରୋପ୍ୟୁନା (୬୩୭୭ ମିଟର)
  • ଏଲ୍ ମିଷ୍ଟି (୫୮୨୨ ମିଟର)
  • ଏଲ୍ ଟୋରୋ (୫୮୩୦ ମିଟର)
  • ହ୍ୱାଣ୍ଡୋୟ (୬୩୯୫ ମିଟର)
  • ହୁଆସକରାନ (୬୭୬୮ ମିଟର)
  • ହିରିଶାଙ୍କା (୬୦୯୪ ମିଟର)
  • ପୁମାସିଲୋ (୫୯୯୧ ମିଟର)
  • ରାସାକ୍ (୬୦୪୦ ମିଟର)
  • ରୋଣ୍ଡୋୟ (୫୮୭୦ ମିଟର)
  • ସାରାପୋ (୬୧୨୭ ମିଟର)
  • ସାଲକାଣ୍ଟାୟ (୬୨୭୧ ମିଟର)
  • ସେରିଆ ନୋର୍ଟେ (୫୮୬୦ ମିଟର)
  • ସ୍ୟୁଲା ଗ୍ରାଣ୍ଡେ (୬୩୪୪ ମିଟର)
  • ହୁଆଏତାପାଲାନା (୫୫୫୭ ମିଟର)
  • ୟେରୁପାହା (୬୬୩୫ ମିଟର)
  • ୟେରୁପାହା ଚିକୋ (୬୦୮୯ ମିଟର)

ଭେନେଜୁଏଲା[ସମ୍ପାଦନା]

  • ପିକୋ ବୋଲିଭାର୍ (୪୯୭୮ ମିଟର)
  • ପିକୋ ହୁମ୍ବୋଲ୍‍ଟ୍ (୪୯୪୦ ମିଟର)
  • ପିକୋ ବୋନ୍‍ପ୍ଲାଣ୍ଡ୍ (୪୮୮୦ ମିଟର)
  • ପିକୋ ଲା କୋଞ୍ଚା (୪୯୨୦ ମିଟର)
  • ପିକୋ ପିଏଡ୍ରାସ୍ ବ୍ଲାଙ୍କାସ୍ (୪୭୪୦ ମିଟର)
  • ପିକୋ ଏଲ୍ ଅଗ୍ୱିଲା (୪୧୮୦ ମିଟର)
  • ପିକୋ ଏଲ୍ ଟୋରୋ (୪୭୨୯ ମିଟର)
  • ପିକୋ ଏଲ୍ ଲିଓଁ (୪୭୪୦ ମିଟର)
  • ପିକୋ ମୁକୁନୁଚି (୪୬୦୯ ମିଟର)

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

  1. ୧.୦ ୧.୧ Teofilo Laime Ajacopa, Diccionario Bilingüe Iskay simipi yuyayk'ancha, La Paz, 2007 (Quechua–Spanish dictionary)
  2. "Cordillera". etimologias.dechile.net. Retrieved 27 December 2015.
  3. "Mountains, biodiversity and conservation". www.fao.org. Retrieved 28 January 2019.
  4. Miller, Meghan S.; Levander, Alan; Niu, Fenglin; Li, Aibing (23 June 2008). "Upper mantle structure beneath the Caribbean-South American plate boundary from surface wave tomography" (PDF). Journal of Geophysical Research. 114 (B1): B01312. Bibcode:2009JGRB..114.1312M. doi:10.1029/2007JB005507. Archived from the original (PDF) on 5 June 2010. Retrieved 21 November 2010.
  5. ୫.୦ ୫.୧ Isacks, Bryan L. (1988), "Uplift of the Central Andean Plateau and Bending of the Bolivian Orocline" (PDF), Journal of Geophysical Research, 93 (B4): 3211–3231, Bibcode:1988JGR....93.3211I, doi:10.1029/jb093ib04p03211
  6. ୬.୦ ୬.୧ ୬.୨ Kley, J. (1999), "Geologic and geometric constraints on a kinematic model of the Bolivian orocline", Journal of South American Earth Sciences, 12 (2): 221–235, Bibcode:1999JSAES..12..221K, doi:10.1016/s0895-9811(99)00015-2
  7. Beck, Myrl E. (1987), "Tectonic rotations on the leading edge of South America: The Bolivian orocline revisited", Geology, 15 (9): 806–808, Bibcode:1987Geo....15..806B, doi:10.1130/0091-7613(1987)15<806:trotle>2.0.co;2
  8. Prezzi, Claudia B.; Vilas, Juan F. (1998). "New evidence of clockwise vertical axis rotations south of the Arica elbow (Argentine Puna)". Tectonophysics. 292 (1): 85–100. Bibcode:1998Tectp.292...85P. doi:10.1016/s0040-1951(98)00058-4.
  9. Arriagada, César; Ferrando, Rodolfo; Córdova, Loreto; Morata, Diego; Roperch, Pierrick (2013), "The Maipo Orocline: A first scale structural feature in the Miocene to Recent geodynamic evolution in the central Chilean Andes" (PDF), Andean Geology, 40 (3): 419–437
  10. Charrier, Reynaldo; Pinto, Luisa; Rodríguez, María Pía (2006). "3. Tectonostratigraphic evolution of the Andean Orogen in Chile". In Moreno, Teresa; Gibbons, Wes (eds.). Geology of Chile. Geological Society of London. pp. 5–19. ISBN 978-1-86239-219-9.
  11. "Climate of the Andes". Archived from the original on 14 December 2007. Retrieved 9 December 2007.
  12. Jan-Christoph Otto, Joachim Götz, Markus Keuschnig, Ingo Hartmeyer, Dario Trombotto, and Lothar Schrott (2010). Geomorphological and geophysical investigation of a complex rock glacier system – Morenas Coloradas valley (Cordon del Plata, Mendoza, Argentina)
  13. ୧୩.୦ ୧୩.୧ Kuhle, M. (2011): The High-Glacial (Last Glacial Maximum) Glacier Cover of the Aconcagua Group and Adjacent Massifs in the Mendoza Andes (South America) with a Closer Look at Further Empirical Evidence. Development in Quaternary Science, Vol. 15 (Quaternary Glaciation – Extent and Chronology, A Closer Look, Eds: Ehlers, J.; Gibbard, P.L.; Hughes, P.D.), 735–738. (Elsevier B.V., Amsterdam).
  14. Brüggen, J. (1929): Zur Glazialgeologie der chilenischen Anden. Geol. Rundsch. 20, 1–35, Berlin.
  15. Kuhle, M. (1984): Spuren hocheiszeitlicher Gletscherbedeckung in der Aconcagua-Gruppe (32–33° S). In: Zentralblatt für Geologie und Paläontologie Teil 1 11/12, Verhandlungsblatt des Südamerika-Symposiums 1984 in Bamberg: 1635–1646.
  16. Kuhle, M. (1986): Die Vergletscherung Tibets und die Entstehung von Eiszeiten. In: Spektrum der Wissenschaft 9/86: 42–54.
  17. Kuhle, M. (1987): Subtropical Mountain- and Highland-Glaciation as Ice Age Triggers and the Waning of the Glacial Periods in the Pleistocene. In: GeoJournal 14 (4); Kluwer, Dordrecht/ Boston/ London: 393–421.
  18. Kuhle, M. (1988): Subtropical Mountain- and Highland-Glaciation as Ice Age Triggers and the Waning of the Glacial Periods in the Pleistocene. In: Chinese Translation Bulletin of Glaciology and Geocryology 5 (4): 1–17 (in Chinese language).
  19. Kuhle, M. (1989): Ice-Marginal Ramps: An Indicator of Semiarid Piedmont Glaciations. In: GeoJournal 18; Kluwer, Dordrecht/ Boston/ London: 223–238.
  20. Kuhle, M. (1990): Ice Marginal Ramps and Alluvial Fans in Semi-Arid Mountains: Convergence and Difference. In: Rachocki, A.H., Church, M. (eds.): Alluvial fans – A field approach. John Wiley & Sons Ltd, Chester-New York-Brisbane-Toronto-Singapore: 55–68.
  21. Kuhle, M. (1990): The Probability of Proof in Geomorphology – an Example of the Application of Information Theory to a New Kind of Glacigenic Morphological Type, the Ice-marginal Ramp (Bortensander). In: GeoJournal 21 (3); Kluwer, Dordrecht/ Boston/ London: 195–222.
  22. Kuhle, M. (2004): The Last Glacial Maximum (LGM) glacier cover of the Aconcagua group and adjacent massifs in the Mendoza Andes (South America). In: Ehlers, J., Gibbard, P.L. (Eds.), Quaternary Glaciation— Extent and Chronology. Part III: South America, Asia, Africa, Australia, Antarctica. Development in Quaternary Science, vol. 2c. Elsevier B.V., Amsterdam, pp. 75–81.
  23. "Tropical and Subtropical Dry Broadleaf Forest Ecoregions". wwf.panda.org. Archived from the original on 2012-04-25. Retrieved 2015-12-27.
  24. ୨୪.୦ ୨୪.୧ ୨୪.୨ Tropical Andes Archived 2010-08-21 at the Wayback Machine. – biodiversityhotspots.org
  25. "Pants of the Andies". Archived from the original on 15 December 2007. Retrieved 2007-12-09.
  26. ୨୬.୦ ୨୬.୧ ୨୬.୨ Eisenberg, J.F.; & Redford, K.H. (2000). Mammals of the Neotropics, Volume 3: The Central Neotropics: Ecuador, Peru, Bolivia, Brazil. ISBN 978-0-226-19542-1
  27. ୨୭.୦ ୨୭.୧ Eisenberg, J.F.; & Redford, K.H. (1992). Mammals of the Neotropics, Volume 2: The Southern Cone: Chile, Argentina, Uruguay, Paraguay. ISBN 978-0-226-70682-5
  28. ୨୮.୦ ୨୮.୧ ୨୮.୨ ୨୮.୩ ୨୮.୪ Fjeldsaa, J.; & Krabbe, N. (1990). Birds of the High Andes: A Manual to the Birds of the Temperate Zone of the Andes and Patagonia, South America. ISBN 978-87-88757-16-3
  29. Stuart, Hoffmann, Chanson, Cox, Berridge, Ramani and Young, editors (2008). Threatened Amphibians of the World. ISBN 978-84-96553-41-5
  30. D'Altroy, Terence N. The Incas. Blackwell Publishing, 2003
  31. Andes travel map
  32. "Jujuy apuesta a captar las cargas de Brasil en tránsito hacia Chile by Emiliano Galli". La Nación newspaper. 2009-08-07. Retrieved 2011-07-22.
  33. W. van Immerzeel, 1989. Irrigation and erosion/flood control at high altitudes in the Andes. Published in Annual Report 1989, pp. 8–24, International Institute for Land Reclamation and Improvement, Wageningen, The Netherlands. On line: [୧]
  34. "Information on Argentina". Argentine Embassy London.

ଆଧାର[ସମ୍ପାଦନା]

  • Oncken, Onno; et al. (2006). The Andes. Frontiers in Earth Sciences. doi:10.1007/978-3-540-48684-8. ISBN 978-3-540-24329-8.
  • Biggar, J. (2005). The Andes: A Guide For Climbers. 3rd. edition. Andes: Kirkcudbrightshire. ISBN 0-9536087-2-7
  • de Roy, T. (2005). The Andes: As the Condor Flies. Firefly books: Richmond Hill. ISBN 1-55407-070-8
  • Fjeldså, J. & N. Krabbe (1990). The Birds of the High Andes. Zoological Museum, University of Copenhagen: ISBN 87-88757-16-1
  • Fjeldså, J. & M. Kessler (1996). Conserving the biological diversity of Polylepis woodlands of the highlands on Peru and Bolivia, a contribution to sustainable natural resource management in the Andes. NORDECO: Copenhagen. ISBN 978-87-986168-0-1

ପୁସ୍ତକ ଆଧାର[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]