ରାଜେନ୍ଦ୍ର ପ୍ରସାଦ

ଉଇକିପିଡ଼ିଆ ରୁ
ରାଜେନ୍ଦ୍ର ପ୍ରସାଦ

କାର୍ଯ୍ୟକାଳ
୨୬ ଜାନୁଆରୀ ୧୯୫୦ – ୧୩ ମଇ ୧୯୬୨
ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ
ଉପ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ
ପୂର୍ବ ଅଧିକାରୀ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ (ଭାରତରଗଭର୍ଣ୍ଣର ଜେନେରାଲରୂପେ)
ପର ଅଧିକାରୀ ସର୍ବପଲ୍ଲୀ ରାଧାକୃଷ୍ଣନ

ଜନ୍ମ ୩ ଡିସେମ୍ବର ୧୮୮୪(1884-12-03)
ଜିରାଦେଇ ପଞ୍ଚାୟତ ସମିତି, ବିହାର, ଭାରତ
ମୃତ୍ୟୁ ୨୮ ଫେବ୍ରୁଆରି, ୧୯୬୩ (୭୮ ବର୍ଷ)
ପାଟନା, ବିହାର
ରାଜନୀତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥି ରାଜବଂଶୀ ଦେବୀ
ଶିକ୍ଷାନୁଷ୍ଠାନ କଲିକତା ବିଶ୍ୱବିଦ୍ୟାଳୟ

ରାଜେନ୍ଦ୍ର ପ୍ରସାଦ (ଶବଦ ବିଷୟରେ ଉଚ୍ଚାରଣ ହିନ୍ଦୀ : डा॰ राजेन्द्र प्रसाद; ୩ ଡିସେମ୍ବର ୧୮୮୪ - ୨୮ ଫେବ୍ରୁଆରୀ ୧୯୬୩) ହେଉଛନ୍ତି ଜଣେ ଭାରତୀୟ ରାଜନେତା, ଭାରତୀୟ ସାଧାରଣତନ୍ତ୍ରର ଜଣେ ସ୍ଥପତି, ପ୍ରଥମ ଭାରତୀୟ ରାଷ୍ଟ୍ରପତି (୨୬ ଜାନୁଆରୀ ୧୯୫୦ରୁ ୧୩ ମଇ ୧୯୬୨)। ସେ ହେଉଛନ୍ତି ଭାରତର ଏକମାତ୍ର ରାଷ୍ଟ୍ରପତି ଯିଏ ଦୁଇଥର ଏହି ପଦ ପାଇଁ ନିର୍ବାଚିତ ହୋଇଥିଲେ। [୧]

ବାଲ୍ୟ ଜୀବନ[ସମ୍ପାଦନା]

ସଂସ୍କୃତ ଓ ପାର୍ସୀ ଭାଷାର ବିଦ୍ୱାନ, ୟୁନାନୀ ଚିକିତ୍ସା ଓ ଅଶ୍ୱାରୋହଣ କଳାରେ ରୁଚି ରଖୁଥିବା ମହାଦେବ ସହାୟ ପହଲବାନୀ ଥିଲେ ତାଙ୍କର ପିତା। ମାତା କାମେଶ୍ୱରୀ ଦେବୀ ଥିଲେ ଜଣେ ଧର୍ମପରାୟଣା ମହିଳା। ପିତାମାତାଙ୍କର ସୁସଂସ୍କାର ରାଜେନ୍ଦ୍ର ପ୍ରସାଦଙ୍କ ଜୀବନର ଢାଞ୍ଚାକୁ ବାଲ୍ୟକାଳରୁ ସୁସଂସ୍କୃତ ଓ ସୁରୁଚି-ସମ୍ପନ୍ନ କରି ଗଢି ତୋଳିଥିଲା। କାୟସ୍ଥ ପରିବାରରେ ଜନ୍ମିତ କନିଷ୍ଠ ସନ୍ତାନ ରାଜେନ୍ଦ୍ର ପ୍ରସାଦ, ପରିବାର ଓ ବନ୍ଧୁ ଗହଣରେ ରାଜନ୍ ନାମରେ ପରିଚିତ ଥିଲେ। [୨]

ଛାତ୍ର ଜୀବନ[ସମ୍ପାଦନା]

ତାଙ୍କର ଆଦ୍ୟ ଶିକ୍ଷା ଆରମ୍ଭ ହୋଇଥିଲା ମୌଲବୀଙ୍କ ଚାଟଶାଳୀରେ ପାର୍ସୀ, ହିନ୍ଦୀ ଓ ପାଟୀ ଗଣିତ ଶିକ୍ଷା କରିବାରେ। ପାରମ୍ପରିକ ଶିକ୍ଷା ସମାପ୍ତି ପରେ ସେ ଛାପ୍ରା ଜିଲ୍ଲାସ୍କୁଲରେ ପାଠ ପଢିଲେ ଓ ପରେ ପରେ ନିଜ ଭାଇ ମହେନ୍ଦ୍ର ପ୍ରସାଦଙ୍କ ସହିତ ପାଟନାର ଟି.କେ. ଘୋଷ ଏକାଡେମୀରେ ଦୁଇ ବର୍ଷକାଳ ପାଠ ପଢ଼ିଲେ। କଲିକତା ବିଶ୍ୱ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ସେ ପ୍ରଥମ ହୋଇଥିଲେ ଓ ସେଥିପାଇଁ ମାସକୁ ୩୦ ଟଙ୍କାର ମାସିକ ବୃତ୍ତି ମଧ୍ୟ ହାସଲ କରିଥିଲେ। ୧୯୦୨ ରେ ସେ କଲିକତା ପ୍ରେସିଡେନ୍ସି କଲେଜରେ ପ୍ରଥମେ ଏକ ବିଜ୍ଞାନ ଛାତ୍ର ହିସାବରେ ଯୋଗଦେଲେ। ୧୯୦୪କେ ଇଣ୍ଟରମିଡିଏଟ ବା ସେ ସମୟର ଏଫ.ଏ. ପାସ କଲେ। ପରେ ପରେ ସେ କଳା ବିଭାଗରେ ଯୋଗଦେଇ ୧୯୦୯ରେ କଲିକତା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉନ୍ନୀତ ହେଲେ।ନିଜ ଭାଇଙ୍କ ସହିତ ସେ ଇଡେନ ହିନ୍ଦୁ ଛାତ୍ରାବାସରେ ରହୁଥିଲେ ଓ ସତୀଶ ଚନ୍ଦ୍ର ମୁଖାର୍ଜୀଙ୍କ ଦି ଡନ ସୋସାଇଟିର ଜଣେ ସକ୍ରିୟ ସଭ୍ୟ ଥିଲେ। [୩] ନିଜ ପରିବାର ଓ ଶିକ୍ଷାପ୍ରତି ଦାୟିତ୍ୱଭାବ ଯୋଗୁଁ ସେ ଭାରତ ସେବକ ସମାଜ Servants of India Societyରେ ଯୋଗଦେବାକୁ ମନା କରି ଦେଇଥିଲେ। ସେ ୧୯୦୬ରେ ପାଟନା ବିଶ୍ୱବିଦ୍ୟାଳୟରେ ବିହାରୀ ଛାତ୍ର ସମ୍ମେଳନ କରିଥିଲେ। ଏହି ସଙ୍ଗଠନରୁ ପରବର୍ତ୍ତୀ କାଳରେ ଅନୁରାଗ ସିନ୍ହା ଓ ଶ୍ରୀ କୃଷ୍ଣ ସିଂହଙ୍କ ପରି ଅନେକ ପ୍ରତିଷ୍ଠିତ ନେତା ବାହାରିଥିଲେ।

ବୃତ୍ତି[ସମ୍ପାଦନା]

ଜଣେ ଶିକ୍ଷକ ହିସାବରେ[ସମ୍ପାଦନା]

ରାଜେନ୍ଦ୍ର ପ୍ରସାଦ ଅନେକ ଶିକ୍ଷାୟତନରେ ଜଣେ ଶିକ୍ଷକ ଭାବେ କାମ କରିଥିଲେ। ଅର୍ଥନୀତିରେ ଏମ.ଏ. ପାସ କଲାପରେ ସେ ମୁଜାଫରପୁରର ଭୂମିହର ବ୍ରାହ୍ମଣ କଲେଜ (ବର୍ତ୍ତମାନ ଲଙ୍ଗଟ ସିଂହ କଲେଜ)ରେ ଇଂରାଜୀ ଅଧ୍ୟାପକ ଭାବେ ଯୋଗ ଦେଇ ପରେ ପ୍ରଧାନ ଅଧ୍ୟାପକ (principal) ହୋଇ ପାରିଥିଲେ। ୧୯୦୯ରେ କଲିକତାରେ ଆଇନ ପଢୁଥିଲାବେଳେ ସେ କଲିକତା ସିଟି କଲେଜରେ ଅର୍ଥନୀତି ଅଧ୍ୟାପକ ରୂପେ କାମ କରିଥିଲେ । ୧୯୧୫ରେ ସେ ସ୍ୱର୍ଣ୍ଣ ପଦକ ସହିତ ଆଇନରେ ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କଲେ। ଏହାପରେ ସେ ଆଇନରେ ଡକ୍ଟରେଟ କରିଥିଲେ।

ଜଣେ ଓକିଲ ହିସାବରେ[ସମ୍ପାଦନା]

୧୯୧୬ରେ ସେ ବିହାର ଓ ଓଡ଼ିଶା ହାଇକୋର୍ଟରେ ଯୋଗ ଦେଇଥିଲେ। ୧୯୧୭ରେ ସେ ପାଟନା ବିଶ୍ୱବିଦ୍ୟାଳୟର ସିନେଟ ଓ ସିଣ୍ଡିକେଟର ଜଣେ ପ୍ରଥମ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ବିହାରର ରେଶମ ନଗରୀ ଭାଗଲପୁରରେ ମଧ୍ୟ ସେ ଓକିଲାତି ଅଭ୍ୟାସ କରୁଥିଲେ।[ଆଧାର ଲୋଡ଼ା]

(ବସିଛନ୍ତି ବାମ ରୁ ଡାହାଣ)ରାଜେନ୍ଦ୍ର ପ୍ରସାଦ ଓ ଅନୁରାଗ ନାରାୟଣ ସିନ୍ହା : ମହାତ୍ମା ଗାନ୍ଧୀଙ୍କ ଚମ୍ପାରଣ ସତ୍ୟାଗ୍ରହ ୧୯୧୭ କାଳର ଛବି।

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

ପ୍ରସାଦ ୧୯୧୧ରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଲେ। ୧୯୨୦ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାପାଇଁ ସେ ନିଜର ଲାଭଜନକ ଓକିଲାତି ପେଶା ତ୍ୟାଗ କରିଥିଲେ ଓ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ମଧ୍ୟ ଛାଡ଼ି ଦେଇଥିଲେ।

ଗାନ୍ଧୀଜୀଙ୍କର ପାଶ୍ଚାତ୍ୟ ଶିକ୍ଷା ବର୍ଜନ ଡାକରା ଅନୁସାରେ ସେ ନିଜ ପୁଅ ମୃତ୍ୟୁଞ୍ଜୟ ପ୍ରସାଦଙ୍କୁ ତାଙ୍କର ତତ୍କାଳୀନ ଶିକ୍ଷାଗ୍ରହଣରୁ ବିରତ କରି ପାରମ୍ପରିକ ଭାରତୀୟ ଢାଞ୍ଚାରେ ତିଆରି ବିହାର ବିଦ୍ୟାପୀଠରେ ପଢାଇଥିଲେ। [୪]

ଜବାହରଲାଲ ନେହେରୁ, ଭୁଲାଭାଇ ଦେଶାଇ ଓ ରାଜେନ୍ଦ୍ର ପ୍ରସାଦ (ମଝିରେ) ଏପ୍ରିଲ ୧୯୩୯ର AICC ସଭାରେ

୧୯୧୪ର ବିହାର ବଙ୍ଗଳା ବଢ଼ିରେ ସେ କ୍ଷତିଗ୍ରସ୍ତ ଲୋକମାନଙ୍କର ସହାୟତା ପାଇଁ ସକ୍ରିୟ ଭୂମିକା ନିଭାଇଥିଲେ। ଏପରିକି ୧୫ ଜାନୁଆରୀ ୧୯୩୪ରେ ବିହାରରେ ଯେଉଁ ଭୂମିକମ୍ପ ହୋଇଥିଲା, ସେତେବେଳେ ସେ ଜେଲରେ ଥିବାରୁ ତାଙ୍କର ସହକର୍ମୀ ଅନୁରାଗ ନାରାୟଣ ସିନ୍ହାଙ୍କୁ ରିଲିଫ୍ କାମ ହସ୍ତାନ୍ତର କରିଥିଲେ। [୫]

ନେହେରୁଙ୍କ ନେତୃତ୍ୱାଧୀନ ଭାରତର ମଧ୍ୟବର୍ତ୍ତୀ କାଳୀନ ସରକାରର ୧୨ ଜଣିଆ ମନ୍ତ୍ରୀମଣ୍ଡଳରେ ସେ ଖାଦ୍ୟ ଓ କୃଷିମନ୍ତ୍ରୀ ହିସାବରେ କାମ କରିଥିଲେ। ଜୀବତରାମ କୃପାଳିନୀଙ୍କ ପରେ ୧୭ ନଭେମ୍ବର ରେ ସେ ତୃତୀୟଥର କଂଗ୍ରେସ ପ୍ରେସିଡେଣ୍ଟ ହୋଇଥିଲେ।

ସମ୍ବିଧାନ ଅନୁସାରେ ଜଣେ ଆଦର୍ଶ ରାଷ୍ଟ୍ରପତି ଯେମିତି ହେବା କଥା, ପ୍ରସାଦ ସେହି ମର୍ଯ୍ୟାଦାକୁ ଠିକେ ଠିକେ ପାଳନ କରୁଥିଲେ। ରାଜନୀତିରେ ସେ ସ୍ୱାଧୀନଭାବେ କାମ କରୁଥିଲେ। ହିନ୍ଦୁ କୋଡ ବିଲ୍ କୁ ନେଇ ଚାଲୁଥିବା ବିବାଦ ପରେ ପରେ ସେ ଦେଶର କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିବାକୁ ଚାହିଁଲେ। ୧୨ ବର୍ଷର ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ସେ ଅବସର ନେବାକୁ ସ୍ଥିର କଲେ। ତଦୁପରାନ୍ତ ସେ ମଇ ୧୯୬୨ରେ ପାଟନା ଆସି ବିହାର ବିଦ୍ୟାପୀଠ ପରିସରରେ ରହିବାକୁ ପସନ୍ଦ କରିଥିଲେ।[୬] ପରେପରେ ସେ ଭାରତ ରତ୍ନ, ଦେଶର ସର୍ବୋଚ୍ଚ (ଅସୈନିକ) ପୁରସ୍କାର ଲାଭ କରିଥିଲେ।

ସେ ୨୮ ଫେବ୍ରୁଆରୀ ୧୯୬୩ରେ ଇହଲୀଳା ସମ୍ବରଣ କରିଥିଲେ। [୭]

ସାହିତ୍ୟିକ କୃତି[ସମ୍ପାଦନା]

  • ଚମ୍ପାରଣର ସତ୍ୟାଗ୍ରହ (Satyagraha at Champaran) (1922)
  • ବିଖଣ୍ଡିତ ଭାରତ (India Divided) (1946)
  • ଆତ୍ମକଥା (Atmakatha) (1946), his autobiography written during his 3-year prison term in Bankipur Jail
  • ବିହାରରେ ମହାତ୍ମା ଗାନ୍ଧୀ - କିଛି ସ୍ମୃତି (Mahatma Gandhi and Bihar, Some Reminisences) (1949)
  • ବାପୁଙ୍କ ପାଦତଳେ (Bapu ke Kadmon Mein) (1954)
  • ସ୍ୱାଧୀନତା ଠାରୁ (Since Independence) (published in 1960)

ଆଧାର[ସମ୍ପାଦନା]

ଆଗକୁ ପଢ଼ନ୍ତୁ[ସମ୍ପାଦନା]

  • Rajendra Prasad, first President of India, by Kewalram Lalchand Panjabi. Macmillan ପ୍ରକାଶିତ, 1960.
  • Rajendra Prasad: twelve years of triumph and despair, by Rajendra Lal Handa. Sterling Publishers ପ୍ରକାଶିତ, 1979.
  • Dr Rajendra Prasad, Correspondence and Select Documents, by Rajendra Prasad, Valmiki Choudhary. Allied Publishers ପ୍ରକାଶିତ, 1984. ISBN 81-7023-002-0. Excerpts (Vol. 1-Vol. 10)
  • Dr Rajendra Prasad by India Parliament. Lok Sabha. Lok Sabha Secretariat ପ୍ରକାଶିତ, 1990.
  • Rajendra Prasad and the Indian freedom struggle, 1917-1947, by Nirmal Kumar. Patriot Publishers ପ୍ରକାଶିତ, 1991. ISBN 81-7050-128-8.
  • Dr Rajendra Prasad: Political Thinkers Of Modern India, by V. Grover. Deep & Deep Publications ପ୍ରକାଶିତ, 1993.
  • First Citizens of India, Dr Rajendra Prasad to Dr Shanker Dayal Sharma: Profile and Bibliography, by A. B. Kohli. Reliance Pub. House, 1995 ପ୍ରକାଶିତ। ISBN 81-85972-71-0.

ଅଧିକ ତଥ୍ୟ[ସମ୍ପାଦନା]

Political offices
Preceded by
ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ
as ଗଭର୍ଣ୍ଣର ଜେନେରାଲ
ଭାରତର ରାଷ୍ଟ୍ରପତି
୧୯୫୦–୧୯୬୨
Succeeded by
ସର୍ବପଲ୍ଲୀ ରାଧାକୃଷ୍ଣନ