ହୋଗେନାକ୍କଲ୍ ଜଳପ୍ରପାତ
ଅବସ୍ଥାନ | ତାମିଲନାଡୁ, ଭାରତ |
---|---|
ଉଠାଣ | ସମୁଦ୍ର ପତନରୁ ୭୦୦ ମିଟର୍ ଉଚ୍ଚତାରେ |
ଦୀର୍ଘତମ ଖାଲର ଉଚ୍ଚତା | ୨୦ ମିଟର୍ |
ହୋଗେନାକ୍କଲ୍ ଜଳପ୍ରପାତ ଦକ୍ଷିଣ ଭାରତର ତାମିଲନାଡ଼ୁ ରାଜ୍ୟର ଧର୍ମପୁରୀ ଜିଲ୍ଲାରେ କାବେରୀ ନଦୀ ଶଯ୍ୟାର ଅବସ୍ଥିତ ।[୧][୨][୩][୪][୫][୬] କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁଠାରୁ ଓ ଧର୍ମପୁରୀ ସହରଠାରୁ ଏହି ଜଳପ୍ରପାତର ଦୂରତା ଯଥାକ୍ରମେ ୧୮୦ କି.ମି. ଏବଂ ୪୬ କି.ମି. ।[୭] କେହି କେହି ଏହି ଜଳପ୍ରପାତକୁ ଭାରତର "ନାଏଗ୍ରା ଜଳପ୍ରପାତ" ବୋଲି କହିଥାନ୍ତି । ନୌବିହାର ଓ ସ୍ନାନ ଉପଯୋଗୀ ହୋଇଥିବାରୁ ଏହା ଦକ୍ଷିଣ ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଏହି ଜଳପ୍ରପାତ ଶଯ୍ୟାର କାର୍ବନାଟାଇଟ୍ ଶିଳା ଦକ୍ଷିଣ ଏସିଆ ତଥା ପୃଥିବୀର ସର୍ବପୁରାତନ ଆଗ୍ନେୟ ଶିଳାମାନଙ୍କ ମଧ୍ୟରେ ଗଣା ।[୮] ତାମିଲନାଡ଼ୁ ସରକାର ଏହି ଜଳପ୍ରପାତରୁ ରାଜ୍ୟକୁ ପାନୀୟ ଜଳ ଯୋଗାଣ ପାଇଁ ଏକ ପ୍ରକଳ୍ପ ଆରମ୍ଭ କରିଥିଲେ ।
ନାମକରଣ
[ସମ୍ପାଦନା]“ହୋଗେନାକ୍କଲ୍” ନାମଟି କନ୍ନଡ଼ ଭାଷାର ଦୁଇଟି ଶବ୍ଦ ହୋଗେ ଓ କଲ୍ର ସମ୍ମିଶ୍ରଣରୁ ସୃଷ୍ଟ । ହୋଗେ ଶବ୍ଦର ଅର୍ଥ “ଧୂଆଁ” ଓ କଲ୍ ଶବ୍ଦର ଅର୍ଥ “ପଥର” । ପଥର ଉପରେ ପାଣି ପିଟି ହେବା ପରେ ଏକ ଧୂମିଳ ଆଭା ସୃଷ୍ଟି ହୁଏ ବୋଲି ଏହି ଜଳପ୍ରପାତର ନାମ “ହୋଗେନାକ୍କଲ୍” (ଧୂମିଳ ଶିଳାରାଶି) ବୋଲି ଦିଆଯାଇଛି ।[୯] ତାମିଲନାଡ଼ୁ ରାଜ୍ୟର ଲୋକେ ତାମିଲ ଭାଷାରେ ଏହାକୁ ମାରିକୋଟ୍ଟାୟାମ୍ ବୋଲି କହିଥାନ୍ତି ।
ନଦୀ
[ସମ୍ପାଦନା]ପଶ୍ଚିମଘାଟ ପର୍ବତମାଳାସ୍ଥିତ ବ୍ରହ୍ମଗିରି ପାହାଡ଼ର “ତଳକାବେରୀ” ନାମକ ସ୍ଥାନରୁ କାବେରୀ ନଦୀର ଉତ୍ପତ୍ତି । ତାହା ପରେ ନଦୀ ଶଯ୍ୟାର ସମୁଦ୍ର ପତନରୁ ଉଚ୍ଚତା କ୍ରମଶଃ କମିଛି ଓ ତେଣୁ ନଦୀ ପ୍ରଖର ବେଗରେ ପ୍ରବାହିତ ହୋଇଛି । ନଦୀ ଶଯ୍ୟାରେ ବହୁ ଉପନଦୀ ଓ ସ୍ରୋତ ମିଳିତ ହେବା ଫଳରେ ନଦୀର କାୟାବୃଦ୍ଧି ମଧ୍ୟ ଘଟିଛି ।[୨] ହୋଗେନାକ୍କଲ୍ଠାରେ କାବେରୀ ନଦୀ ଓସାରିଆ ହୋଇ ପ୍ରସ୍ତର ଶଯ୍ୟା ଦେଇ ଅନେକ ଝରଣା ବା ପ୍ରପାତରେ ବିଭକ୍ତ ହୋଇ ପ୍ରବାହିତ ହେଉଛି । କେତୋଟି ଝରଣା ୨୦ ମିଟର୍ ଉଚ୍ଚା ଓ ନିରନ୍ତର ପଡ଼ୁଥିବା ପାଣି ଆକାଶରେ ଘଡ଼ଘଡ଼ିର ଗର୍ଜ୍ଜନ ପରି ଶୁଣାଯାଏ ।[ଆଧାର ଲୋଡ଼ା] ପ୍ରପାତ ପରେ କାବେରୀ ନଦୀ ଦକ୍ଷିଣ ଦିଗକୁ ପ୍ରବାହିତ ହୋଇ ମେଟ୍ଟୁର୍ ଷ୍ଟାନ୍ଲି ଜଳଭଣ୍ଡାରକୁ ପ୍ରବେଶ କରିଛି । କାବେରୀ ନଦୀ ପରିବହନ କରୁଥିବା ପଟୁମାଟି ନଦୀର ଦକ୍ଷିଣାଂଶର ଉର୍ବରତା ବୃଦ୍ଧି କରିଥାଏ ।
ହୋଗେନାକ୍କଲ୍ଠାରେ କାବେରୀ ନଦୀ ପ୍ରଶସ୍ତ ହୋଇ ପ୍ରଥମେ ପଥର ଓ ତାହା ପରେ ବାଲିଆ ତଟ ସହିତ ପ୍ରବାହିତ ହୋଇଛି । ମେଟ୍ଟୁର୍ ବନ୍ଧକୁ ପ୍ରବେଶ କରି ଏହା ୬୦ ବର୍ଗ କି.ମି. ପରିମିତ ଅଞ୍ଚଳରେ ଯେଉଁ ହ୍ରଦ ସୃଷ୍ଟି କରିଛି ତାହାକୁ “ଷ୍ଟାନ୍ଲି ଜଳଭଣ୍ଡାର” ବୋଲି କୁହାଯାଏ । ୧୯୩୪ ମସିହାରେ ନିର୍ମିତ ଏହି ପରିଯୋଜନା ଜଳବିଦ୍ୟୁତ୍ ଓ ଜଳସେଚନ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ ।[୧୦]
ପାଣିପାଗ
[ସମ୍ପାଦନା]ମୌସୁମୀ ପ୍ରବାହ ବା ବର୍ଷାଋତୁର କିଛି ଦିନ ପରେ ନଦୀରେ ଉତ୍ତମ ଜଳପ୍ରବାହ ହେଉଥାଏ ଓ ହୋଗେନାକ୍କଲ୍ ବୁଲିଯିବା ପାଇଁ ଏହା ପ୍ରକୃଷ୍ଟ ସମୟ । କିନ୍ତୁ ଗହଳିରୁ ବର୍ତ୍ତିବା ପାଇଁ ଲୋକେ ଅନ୍ୟ ଋତୁରେ ମଧ୍ୟ ହୋଗେନାକ୍କଲ୍ ପରିଭ୍ରମଣ କରିବାକୁ ଯାଆନ୍ତି । ଏଠାରେ ଖରା ଦିନେ ତାପମାତ୍ରା ୨୩ରୁ ୩୪° ସେଲ୍ସିୟସ୍ ଏବଂ ଶୀତ ଦିନେ ତାପମାତ୍ରା ୧୩ରୁ ୨୭° ସେଲ୍ସିୟସ୍ ପର୍ଯ୍ୟନ୍ତ ରହିଥାଏ ।[୧୧]
ନୌବିହାର
[ସମ୍ପାଦନା]ଶୁଷ୍କ ଋତୁରେ ଜଳ ପ୍ରପାତରେ ପ୍ରବାହ ବେଶୀ ପ୍ରଖର ନଥାଏ ଓ ଏହି ସମୟରେ ହୋଗେନାକ୍କଲ୍ଠାରେ ନୌକା (କୋରାକଲ୍) ଚାଳନା ପାଇଁ ଅନୁମତି ରହିଛି । ଏଠାକାର ନୌଚାଳକମାନଙ୍କ ପାଇଁ ଏହା ଆମଦାନିର ମୁଖ୍ୟ ଉତ୍ସ । କୋରାକଲ୍ ଡଙ୍ଗାଗୁଡ଼ିକର ବ୍ୟାସ ପ୍ରାୟ ୨.୨୪ ମିଟର୍ ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ ଏଥିରେ ପ୍ରାୟ ୮ ଜଣ ପର୍ଯ୍ୟନ୍ତ ଲୋକ ବସିପାରିବେ ।[୧୨] ଏହି କୋରାକଲ୍ ଡଙ୍ଗାଗୁଡ଼ିକ ବାଉଁଶ, ବେତ ଇତ୍ୟାଦିରେ ନିର୍ମିତ ଏବଂ ଡଙ୍ଗାଟିଏ ତିଆରି ହେବାକୁ ପ୍ରାୟ ୧ ଦିନ ସମୟ ନିଏ । ଡଙ୍ଗାର ତଳ ପଟ ଦେଇ ପାଣି ପଶିବାର ସମ୍ଭାବନା ରହିଥାଏ, ତେଣୁ କୋରାକଲ୍ର ତଳ ପଟେ ଚମଡ଼ା ବା ପ୍ଲାଷ୍ଟିକ୍ ଜରିଦ୍ୱାରା ଆବୃତ୍ତ କରି ରଖାଯାଏ ।[୧୩] ପ୍ରଦୁଷଣ ବୃଦ୍ଧି ହେଉଥିବାରୁ ହୋଗେନାକ୍କଲ୍ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ଲାଷ୍ଟିକ୍ର ବ୍ୟବହାର ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଇନଥାଏ ।[୧୪] ଗୋଟିଏ ମାତ୍ର ଆହୁଲାଦ୍ୱାରା ଏହି ସ୍ୱତନ୍ତ୍ର କୋରାକଲ୍ ଡଙ୍ଗା ପରିଚାଳିତ ହୋଇଥାଏ । ସ୍ଥାନୀୟ ତାମିଲ୍ ଭାଷାରେ କୋରାକଲ୍ମାନଙ୍କୁ “ପାରିସାଲ୍” ବା “ଟେପ୍ପା”[୧୫] ଓ କନ୍ନଡ଼ ଭାଷାରେ ହରିଗୋଳୁ ବୋଲି କୁହାଯାଇଥାଏ ।
ହୋଗେନାକ୍କଲ୍ ପ୍ରପାତ ନିକଟରେ ନଦୀରୁ ଧରାଯାଇଥିବା ସଜ ମାଛ, ପାଣି, ଜଳଖିଆ ଇତ୍ୟାଦି ବିକ୍ରି କରାଯାଉଥାଏ । ବିକ୍ରେତାମାନେ କୋରାକଲ୍ ଡଙ୍ଗାରେ ବୁଲି ବିକ୍ରି କରିବାର ଦେଖିବାକୁ ମିଳେ । ପ୍ରପାତ ନିକଟରେ ଭାକୁର, ରୋହି, ମାଗୁର ପ୍ରଭୃତି ମାଛ ମିଳନ୍ତି । ଗଣ୍ଡରୁ ଫେରିବା ପରେ ବାମ ତଟରେ ରହିଥିବା ଅନେକ ଅସ୍ଥାୟୀ ଚୁଲି ନିକଟରେ ମାଛ ଭଜା ଖାଇବାକୁ ମିଳେ । ଏହିଠାରେ ବହୁ ଲୋକ ଗାଧୁଆ, ପହଁରାରେ ବ୍ୟସ୍ତ ଥାଆନ୍ତି ।
ହୋଗେନାକ୍କାଲ୍ ଜଳ ପ୍ରକଳ୍ପ
[ସମ୍ପାଦନା]ହୋଗେନାକ୍କଲ୍ଠାରେ ତାମିଲନାଡ଼ୁ ସରକାରଙ୍କଦ୍ୱାରା ସ୍ଥାପିତ ସମନ୍ୱିତ ପାନୀୟ ଜଳ ପ୍ରକଳ୍ପ ରହିଛି ।[୧୬] ତାମିଲନାଡ଼ୁର କୃଷ୍ଣଗିରି ଓ ଧର୍ମପୁରୀ ଜିଲ୍ଲାର ଗ୍ରାମ ଓ ସହରାଞ୍ଚଳ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଗଲା ।[୧୭] ୨୦୦୮ ମସିହା ଫେବୃଆରୀ ମାସରେ ଜାପାନର ଅନ୍ତର୍ଜାତୀୟ ସହଯୋଗ ବ୍ୟାଙ୍କ୍ ଏହି ପ୍ରକଳ୍ପ ପାଇଁ ୧୩୪୦ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରିଥିଲା ।[୧୮]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Upon entering Tamil Nadu, the Kaveri continues through a series of twisted wild gorges until it reaches Hogenakal Falls and flows through a straight, narrow gorge.... "Kaveri River". Encyclopædia Britannica. Retrieved 6 March 2012.
- ↑ ୨.୦ ୨.୧ ARTICLE 262 AND INTER-STATE DISPUTES RELATING TO WATER Ministry of Law, Government of India
- ↑ "Taluk Information". Tnmaps.tn.nic.in. Archived from the original on 2009-04-16. Retrieved 2008-11-07.
- ↑ Station Details Archived 21 July 2011 at the Wayback Machine.
- ↑ "National Portal of India : Know India : State and UTs". India.gov.in. Retrieved 2008-11-07.
- ↑ Dharmapuri district Tamil Nadu Tourism development corporation
- ↑ Tamil Nadu tourism
- ↑ Natarajana, M; Bhaskar Rao, B; Parthasarathy, R; Kumar, Anil; Gopalan, K (1994). "2.0 Ga old pyroxenite-carbonatite complex of Hogenakal, Tamil Nadu, South India". Precambrian Research. 65 (1–4): 167–81. doi:10.1016/0301-9268(94)90104-X. ଛାଞ୍ଚ:INIST.
- ↑ "Dharmapuri district - places of interest". tamilnadutorism.org. Retrieved 2006-11-11.
- ↑ "Cauvery River in Southern India". cauvery.com. Retrieved 2006-11-11.
- ↑ "Overview - Visit India Travel Guide Hogenakkal Adventure". Hogenakkal.com. Archived from the original on 24 ଫେବୃଆରୀ 2014. Retrieved 7 ଫେବୃଆରୀ 2014.
- ↑ "The Hindu - Row, row, row your boat". Archived from the original on 2007-05-27. Retrieved 2019-01-12.
- ↑ Palmer, Colin; Blue, Lucy; McGrail, Sean (2001). "Hide Boats at Hogenakal on the River Kaveri, Tamil Nadu". South Asian Studies. 17 (1): 199–207. doi:10.1080/02666030.2001.9628601. ଛାଞ୍ଚ:INIST.
- ↑ "Garbage ruining Hogenakkal's beauty - The Hindu". Archived from the original on 2005-04-07. Retrieved 2019-01-12.
- ↑ Hogenakkal falls
- ↑ "The Hindu - The 1998 story of Hogenakkal". Archived from the original on 2008-04-08. Retrieved 2019-01-12.
- ↑ "Times of India - Hogenakkal project: Water of hope". Archived from the original on 2012-10-20. Retrieved 2019-01-12.
- ↑ Business Line - Japan Bank agrees to fund Hogenakkal water project
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- Protest against `encroachment' of island near Hogenekal Falls Archived 2007-08-25 at the Wayback Machine.