ହୋଗେନାକ୍କଲ୍ ଜଳପ୍ରପାତ

ଉଇକିପିଡ଼ିଆ‌ରୁ
ହୋଗେନାକ୍କଲ୍ ଜଳପ୍ରପାତ
Hogenakkal Falls Close.jpg
ହୋଗେନାକ୍କଲ୍ ଜଳପ୍ରପାତ
ଅବସ୍ଥାନତାମିଲନାଡୁ, ଭାରତ
ଉଠାଣସମୁଦ୍ର ପତନରୁ ୭୦୦ ମିଟର୍ ଉଚ୍ଚତାରେ
ଦୀର୍ଘତମ ଖାଲର ଉଚ୍ଚତା୨୦ ମିଟର୍
ହୋଗେନାକ୍କଲ୍ ଜଳପ୍ରପାତର ସ୍ନାନୋପଯୋଗୀ ଅଂଶ

ହୋଗେନାକ୍କଲ୍ ଜଳପ୍ରପାତ ଦକ୍ଷିଣ ଭାରତର ତାମିଲନାଡ଼ୁ ରାଜ୍ୟର ଧର୍ମପୁରୀ ଜିଲ୍ଲାରେ କାବେରୀ ନଦୀ ଶଯ୍ୟାର ଅବସ୍ଥିତ ।[୧][୨][୩][୪][୫][୬] କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁଠାରୁ ଓ ଧର୍ମପୁରୀ ସହରଠାରୁ ଏହି ଜଳପ୍ରପାତର ଦୂରତା ଯଥାକ୍ରମେ ୧୮୦ କି.ମି. ଏବଂ ୪୬ କି.ମି. ।[୭] କେହି କେହି ଏହି ଜଳପ୍ରପାତକୁ ଭାରତର "ନାଏଗ୍ରା ଜଳପ୍ରପାତ" ବୋଲି କହିଥାନ୍ତି । ନୌବିହାର ଓ ସ୍ନାନ ଉପଯୋଗୀ ହୋଇଥିବାରୁ ଏହା ଦକ୍ଷିଣ ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଏହି ଜଳପ୍ରପାତ ଶଯ୍ୟାର କାର୍ବନାଟାଇଟ୍ ଶିଳା ଦକ୍ଷିଣ ଏସିଆ ତଥା ପୃଥିବୀର ସର୍ବପୁରାତନ ଆଗ୍ନେୟ ଶିଳାମାନଙ୍କ ମଧ୍ୟରେ ଗଣା ।[୮] ତାମିଲନାଡ଼ୁ ସରକାର ଏହି ଜଳପ୍ରପାତରୁ ରାଜ୍ୟକୁ ପାନୀୟ ଜଳ ଯୋଗାଣ ପାଇଁ ଏକ ପ୍ରକଳ୍ପ ଆରମ୍ଭ କରିଥିଲେ ।

ନାମକରଣ[ସମ୍ପାଦନା]

ଝୁଲନ୍ତା ପୋଲରୁ ହୋଗେନାକ୍କଲ୍ ଜଳପ୍ରପାତର ଦୃଶ୍ୟ

“ହୋଗେନାକ୍କଲ୍” ନାମଟି କନ୍ନଡ଼ ଭାଷାର ଦୁଇଟି ଶବ୍ଦ ହୋଗେକଲ୍ର ସମ୍ମିଶ୍ରଣରୁ ସୃଷ୍ଟ । ହୋଗେ ଶବ୍ଦର ଅର୍ଥ “ଧୂଆଁ” ଓ କଲ୍ ଶବ୍ଦର ଅର୍ଥ “ପଥର” । ପଥର ଉପରେ ପାଣି ପିଟି ହେବା ପରେ ଏକ ଧୂମିଳ ଆଭା ସୃଷ୍ଟି ହୁଏ ବୋଲି ଏହି ଜଳପ୍ରପାତର ନାମ “ହୋଗେନାକ୍କଲ୍” (ଧୂମିଳ ଶିଳାରାଶି) ବୋଲି ଦିଆଯାଇଛି ।[୯] ତାମିଲନାଡ଼ୁ ରାଜ୍ୟର ଲୋକେ ତାମିଲ ଭାଷାରେ ଏହାକୁ ମାରିକୋଟ୍ଟାୟାମ୍ ବୋଲି କହିଥାନ୍ତି ।

ନଦୀ[ସମ୍ପାଦନା]

ପଶ୍ଚିମଘାଟ ପର୍ବତମାଳାସ୍ଥିତ ବ୍ରହ୍ମଗିରି ପାହାଡ଼ର “ତଳକାବେରୀ” ନାମକ ସ୍ଥାନରୁ କାବେରୀ ନଦୀର ଉତ୍ପତ୍ତି । ତାହା ପରେ ନଦୀ ଶଯ୍ୟାର ସମୁଦ୍ର ପତନରୁ ଉଚ୍ଚତା କ୍ରମଶଃ କମିଛି ଓ ତେଣୁ ନଦୀ ପ୍ରଖର ବେଗରେ ପ୍ରବାହିତ ହୋଇଛି । ନଦୀ ଶଯ୍ୟାରେ ବହୁ ଉପନଦୀ ଓ ସ୍ରୋତ ମିଳିତ ହେବା ଫଳରେ ନଦୀର କାୟାବୃଦ୍ଧି ମଧ୍ୟ ଘଟିଛି ।[୨] ହୋଗେନାକ୍କଲ୍‍ଠାରେ କାବେରୀ ନଦୀ ଓସାରିଆ ହୋଇ ପ୍ରସ୍ତର ଶଯ୍ୟା ଦେଇ ଅନେକ ଝରଣା ବା ପ୍ରପାତରେ ବିଭକ୍ତ ହୋଇ ପ୍ରବାହିତ ହେଉଛି । କେତୋଟି ଝରଣା ୨୦ ମିଟର୍ ଉଚ୍ଚା ଓ ନିରନ୍ତର ପଡ଼ୁଥିବା ପାଣି ଆକାଶରେ ଘଡ଼ଘଡ଼ିର ଗର୍ଜ୍ଜନ ପରି ଶୁଣାଯାଏ ।[ଆଧାର ଲୋଡ଼ା] ପ୍ରପାତ ପରେ କାବେରୀ ନଦୀ ଦକ୍ଷିଣ ଦିଗକୁ ପ୍ରବାହିତ ହୋଇ ମେଟ୍ଟୁର୍ ଷ୍ଟାନ୍‍ଲି ଜଳଭଣ୍ଡାରକୁ ପ୍ରବେଶ କରିଛି । କାବେରୀ ନଦୀ ପରିବହନ କରୁଥିବା ପଟୁମାଟି ନଦୀର ଦକ୍ଷିଣାଂଶର ଉର୍ବରତା ବୃଦ୍ଧି କରିଥାଏ ।

ପ୍ରଖର ପାଣିର ଭଉଁରି ଯୋଗୁଁ ହୋଗେନାକ୍କଲ୍ ପ୍ରପାତ ନିକଟସ୍ଥ କିଛି ପଥରର ଅବକ୍ଷୟ ଘଟିଛି

ହୋଗେନାକ୍କଲ୍‍ଠାରେ କାବେରୀ ନଦୀ ପ୍ରଶସ୍ତ ହୋଇ ପ୍ରଥମେ ପଥର ଓ ତାହା ପରେ ବାଲିଆ ତଟ ସହିତ ପ୍ରବାହିତ ହୋଇଛି । ମେଟ୍ଟୁର୍ ବନ୍ଧକୁ ପ୍ରବେଶ କରି ଏହା ୬୦ ବର୍ଗ କି.ମି. ପରିମିତ ଅଞ୍ଚଳରେ ଯେଉଁ ହ୍ରଦ ସୃଷ୍ଟି କରିଛି ତାହାକୁ “ଷ୍ଟାନ୍‍ଲି ଜଳଭଣ୍ଡାର” ବୋଲି କୁହାଯାଏ । ୧୯୩୪ ମସିହାରେ ନିର୍ମିତ ଏହି ପରିଯୋଜନା ଜଳବିଦ୍ୟୁତ୍ ଓ ଜଳସେଚନ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ ।[୧୦]

ପାଣିପାଗ[ସମ୍ପାଦନା]

ମୌସୁମୀ ପ୍ରବାହ ବା ବର୍ଷାଋତୁର କିଛି ଦିନ ପରେ ନଦୀରେ ଉତ୍ତମ ଜଳପ୍ରବାହ ହେଉଥାଏ ଓ ହୋଗେନାକ୍କଲ୍ ବୁଲିଯିବା ପାଇଁ ଏହା ପ୍ରକୃଷ୍ଟ ସମୟ । କିନ୍ତୁ ଗହଳିରୁ ବର୍ତ୍ତିବା ପାଇଁ ଲୋକେ ଅନ୍ୟ ଋତୁରେ ମଧ୍ୟ ହୋଗେନାକ୍କଲ୍ ପରିଭ୍ରମଣ କରିବାକୁ ଯାଆନ୍ତି । ଏଠାରେ ଖରା ଦିନେ ତାପମାତ୍ରା ୨୩ରୁ ୩୪° ସେଲ୍‍ସିୟସ୍ ଏବଂ ଶୀତ ଦିନେ ତାପମାତ୍ରା ୧୩ରୁ ୨୭° ସେଲ୍‍ସିୟସ୍ ପର୍ଯ୍ୟନ୍ତ ରହିଥାଏ ।[୧୧]

ନୌବିହାର[ସମ୍ପାଦନା]

ହୋଗେନାକ୍କଲ୍ ଜଳପ୍ରପାତ ନିକଟରେ ରଖାଯାଇଥିବା କୋରାକଲ୍ (ବେତ, ବାଉଁଶ ପାତିଆ, ଚାଙ୍ଗଡ଼ା ତିଆରି ଗୋଲ ଡଙ୍ଗା)
ହୋଗେନାକ୍କଲ୍ ଜଳପ୍ରପାତରେ କୋରାକଲ୍ ଡଙ୍ଗାର ବ୍ୟବହାର କରି ନୌବିହାର କରାଯିବାର ଦୃଶ୍ୟ

ଶୁଷ୍କ ଋତୁରେ ଜଳ ପ୍ରପାତରେ ପ୍ରବାହ ବେଶୀ ପ୍ରଖର ନଥାଏ ଓ ଏହି ସମୟରେ ହୋଗେନାକ୍କଲ୍‍ଠାରେ ନୌକା (କୋରାକଲ୍) ଚାଳନା ପାଇଁ ଅନୁମତି ରହିଛି । ଏଠାକାର ନୌଚାଳକମାନଙ୍କ ପାଇଁ ଏହା ଆମଦାନିର ମୁଖ୍ୟ ଉତ୍ସ । କୋରାକଲ୍ ଡଙ୍ଗାଗୁଡ଼ିକର ବ୍ୟାସ ପ୍ରାୟ ୨.୨୪ ମିଟର୍ ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ ଏଥିରେ ପ୍ରାୟ ୮ ଜଣ ପର୍ଯ୍ୟନ୍ତ ଲୋକ ବସିପାରିବେ ।[୧୨] ଏହି କୋରାକଲ୍ ଡଙ୍ଗାଗୁଡ଼ିକ ବାଉଁଶ, ବେତ ଇତ୍ୟାଦିରେ ନିର୍ମିତ ଏବଂ ଡଙ୍ଗାଟିଏ ତିଆରି ହେବାକୁ ପ୍ରାୟ ୧ ଦିନ ସମୟ ନିଏ । ଡଙ୍ଗାର ତଳ ପଟ ଦେଇ ପାଣି ପଶିବାର ସମ୍ଭାବନା ରହିଥାଏ, ତେଣୁ କୋରାକଲ୍‍ର ତଳ ପଟେ ଚମଡ଼ା ବା ପ୍ଲାଷ୍ଟିକ୍ ଜରିଦ୍ୱାରା ଆବୃତ୍ତ କରି ରଖାଯାଏ ।[୧୩] ପ୍ରଦୁଷଣ ବୃଦ୍ଧି ହେଉଥିବାରୁ ହୋଗେନାକ୍କଲ୍ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ଲାଷ୍ଟିକ୍‍ର ବ୍ୟବହାର ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଇନଥାଏ ।[୧୪] ଗୋଟିଏ ମାତ୍ର ଆହୁଲାଦ୍ୱାରା ଏହି ସ୍ୱତନ୍ତ୍ର କୋରାକଲ୍ ଡଙ୍ଗା ପରିଚାଳିତ ହୋଇଥାଏ । ସ୍ଥାନୀୟ ତାମିଲ୍ ଭାଷାରେ କୋରାକଲ୍‍ମାନଙ୍କୁ “ପାରିସାଲ୍” ବା “ଟେପ୍ପା”[୧୫] ଓ କନ୍ନଡ଼ ଭାଷାରେ ହରିଗୋଳୁ ବୋଲି କୁହାଯାଇଥାଏ ।

ହୋଗେନାକ୍କଲ୍ ପ୍ରପାତ ନିକଟରେ ନଦୀରୁ ଧରାଯାଇଥିବା ସଜ ମାଛ, ପାଣି, ଜଳଖିଆ ଇତ୍ୟାଦି ବିକ୍ରି କରାଯାଉଥାଏ । ବିକ୍ରେତାମାନେ କୋରାକଲ୍ ଡଙ୍ଗାରେ ବୁଲି ବିକ୍ରି କରିବାର ଦେଖିବାକୁ ମିଳେ । ପ୍ରପାତ ନିକଟରେ ଭାକୁର, ରୋହି, ମାଗୁର ପ୍ରଭୃତି ମାଛ ମିଳନ୍ତି । ଗଣ୍ଡରୁ ଫେରିବା ପରେ ବାମ ତଟରେ ରହିଥିବା ଅନେକ ଅସ୍ଥାୟୀ ଚୁଲି ନିକଟରେ ମାଛ ଭଜା ଖାଇବାକୁ ମିଳେ । ଏହିଠାରେ ବହୁ ଲୋକ ଗାଧୁଆ, ପହଁରାରେ ବ୍ୟସ୍ତ ଥାଆନ୍ତି ।

ହୋଗେନାକ୍କଲ୍ ନିକଟବର୍ତ୍ତୀ ପାହାଡ଼

ହୋଗେନାକ୍କାଲ୍ ଜଳ ପ୍ରକଳ୍ପ[ସମ୍ପାଦନା]

ହୋଗେନାକ୍କଲ୍‍ଠାରେ ତାମିଲନାଡ଼ୁ ସରକାରଙ୍କଦ୍ୱାରା ସ୍ଥାପିତ ସମନ୍ୱିତ ପାନୀୟ ଜଳ ପ୍ରକଳ୍ପ ରହିଛି ।[୧୬] ତାମିଲନାଡ଼ୁର କୃଷ୍ଣଗିରି ଓ ଧର୍ମପୁରୀ ଜିଲ୍ଲାର ଗ୍ରାମ ଓ ସହରାଞ୍ଚଳ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଗଲା ।[୧୭] ୨୦୦୮ ମସିହା ଫେବୃଆରୀ ମାସରେ ଜାପାନର ଅନ୍ତର୍ଜାତୀୟ ସହଯୋଗ ବ୍ୟାଙ୍କ୍ ଏହି ପ୍ରକଳ୍ପ ପାଇଁ ୧୩୪୦ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରିଥିଲା ।[୧୮]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Upon entering Tamil Nadu, the Kaveri continues through a series of twisted wild gorges until it reaches Hogenakal Falls and flows through a straight, narrow gorge.... "Kaveri River". Encyclopædia Britannica. Retrieved 6 March 2012.
  2. ୨.୦ ୨.୧ ARTICLE 262 AND INTER-STATE DISPUTES RELATING TO WATER Ministry of Law, Government of India
  3. "Taluk Information". Tnmaps.tn.nic.in. Retrieved 2008-11-07.
  4. Station Details Archived 21 July 2011 at the Wayback Machine.
  5. "National Portal of India : Know India : State and UTs". India.gov.in. Retrieved 2008-11-07.
  6. Dharmapuri district Tamil Nadu Tourism development corporation
  7. Tamil Nadu tourism
  8. Natarajana, M; Bhaskar Rao, B; Parthasarathy, R; Kumar, Anil; Gopalan, K (1994). "2.0 Ga old pyroxenite-carbonatite complex of Hogenakal, Tamil Nadu, South India". Precambrian Research. 65 (1–4): 167–81. doi:10.1016/0301-9268(94)90104-X. ଛାଞ୍ଚ:INIST.
  9. "Dharmapuri district - places of interest". tamilnadutorism.org. Retrieved 2006-11-11.
  10. "Cauvery River in Southern India". cauvery.com. Retrieved 2006-11-11.
  11. "Overview - Visit India Travel Guide Hogenakkal Adventure". Hogenakkal.com. Archived from the original on 24 ଫେବୃଆରୀ 2014. Retrieved 7 ଫେବୃଆରୀ 2014.
  12. The Hindu - Row, row, row your boat
  13. Palmer, Colin; Blue, Lucy; McGrail, Sean (2001). "Hide Boats at Hogenakal on the River Kaveri, Tamil Nadu". South Asian Studies. 17 (1): 199–207. doi:10.1080/02666030.2001.9628601. ଛାଞ୍ଚ:INIST.
  14. Garbage ruining Hogenakkal's beauty - The Hindu
  15. Hogenakkal falls
  16. The Hindu - The 1998 story of Hogenakkal
  17. Times of India - Hogenakkal project: Water of hope
  18. Business Line - Japan Bank agrees to fund Hogenakkal water project

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]