ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ପୁରୀ |
Governing body | ଶ୍ରୀଜଗନ୍ନାଥ ମନ୍ଦିର ପ୍ରସାଶନ, ପୁରୀ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ |
Location | |
ସ୍ଥାନ | ପୁରୀ |
State | ଓଡ଼ିଶା |
Country | ଭାରତ |
ଭୌଗଳିକ ଅବସ୍ଥିତି | 19°48′17″N 85°49′6″E / 19.80472°N 85.81833°E |
Architecture | |
Completed | 17 ଜାନୁଆରୀ 2024[୧] |
Elevation | 65 m (213 ft) |
Website | |
Official website |
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବା ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପୁରୀ ଜଗନ୍ନାଥ ମନ୍ଦିରର ଚାରିପାଖରେ ନିର୍ମିତ ୭୫ ମିଟର ଲମ୍ବର ଏକ ଐତିହ୍ୟ ମାର୍ଗ । ମେଘନାଦ ପାଚେରୀକୁ ଲାଗି ଚାରିପଟେରେ କାଶୀ ବିଶ୍ୱନାଥ ମନ୍ଦିର ଭଳି ପରିକ୍ରମା ମାର୍ଗ ନିର୍ମିତ କରାଯାଇଛି, ଯାହାକି ଶ୍ରଦ୍ଧାଳୁଙ୍କୁ ନୀଳଚକ୍ର ସମେତ ମନ୍ଦିରର ଏକ ସୁନ୍ଦର ରୂପ ଦେଖାଇବ । ପରିକ୍ରମା ମାର୍ଗ ସହିତ ଯାତ୍ରୀଙ୍କୁ ସୁବିଧା ପାଇଁ ଶୌଚାଳୟ, ଜିନିଷପତ୍ର ରଖିବାର ସୁବିଧା ଆଦି ନିର୍ମାଣ କରାଯାଇଛି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କର ସଂଖ୍ୟାବୃଦ୍ଧିକୁ ଆଖିରେ ରଖି ୮୦୦ କୋଟି ବ୍ୟୟରେ ଏହି ପ୍ରକଳ୍ପଟି ନିର୍ମାଣ ହୋଇଛି ।[୨] ନଭେମ୍ବର ୨୦୨୧ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୧୭ ଜାନୁଆରୀ ୨୦୨୪ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଏହା ଲୋକାର୍ପିତ ହୋଇଥିଲା ।।[୩][୪]
ଇତିହାସ
[ସମ୍ପାଦନା]ଦ୍ୱାଦଶ ଶତାବ୍ଦୀରେ ପୁନଃନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରକୁ ଆଧୁନିକୀକରଣ କରିବା ପାଇଁ 'ପୁରୀ ହେରିଟେଜ୍ କରିଡର ପ୍ରୋଜେକ୍ଟ' ଯୋଜନାର ଏକ ଅଂଶ ଭାବରେ ଏହି ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୬ ମସିହାରେ ଓଡ଼ିଶା ସରକାର କାର୍ଯ୍ୟ ଆରମ୍ଭ କରିଥିଲେ, ଯାହାକି ସୌନ୍ଦର୍ଯ୍ୟ ସହିତ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ । ଏହା ବ୍ୟତୀତ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ଭଳି ଜଗନ୍ନାଥ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସସ୍ତ କରିବାକୁ ଏହାର ନାମ ପରିବର୍ତ୍ତନ କରାଯାଇ 'ଶ୍ରୀମନ୍ଦିର ପାରିକରାମା' ପ୍ରକଳ୍ପ ବା ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ଭାବରେ ନାମିତ କରାଯାଇଥିଲା ।
ଏହି ପରିକ୍ରମା ପ୍ରକଳ୍ପ ସମୁଦାୟ ୧୫.୬୪ ଏକର (୬.୩୨ ହେକ୍ଟର) ଜାଗାରେ ନିର୍ମିତ ହୋଇଛି, ଏବଂ ପ୍ରଥମେ ଏହି ପ୍ରକଳ୍ପର ମୂଲ୍ୟ ₹୯୪୩ କୋଟି ଥିଲା ଏବଂ ପରେ ଏହାକୁ କମେଇ ₹୮୦୦ କୋଟି କରାଯାଇଥିଲା ।[୫] ଏହା ବ୍ୟତୀତ ପୁରୀର ଐତିହ୍ୟ ଓ ଭିତ୍ତିଭୂମି ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ₹୪୨୨୪ କୋଟି (ଯାହା ପ୍ରଥମେ ₹୩୩୦୦ କୋଟି ଥିଲା) କରିଛନ୍ତି ।
ନଭେମ୍ବର ୨୦୧୯ରେ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ କରାଯାଇଥଲା, ଯେଉଁଥିରେ ୬୦୦ରୁ ଅଧିକ ଲୋକଙ୍କଠାରୁ ୧୫.୬୪ ଏକର ଜମି ଅକ୍ତିଆର କରାଯାଇଥିଲା । ୨୦୧୯ ମସିହାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମନ୍ଦିର ସୁରକ୍ଷା ଓ ଉନ୍ନତୀକରଣ ପାଇଁ ୭୫-ମିଟର ବ୍ୟାସାର୍ଦ୍ଧରୁ ସବୁକିଛି ଖାଲି କରିବାକୁ ଉପଦେଶ ଦେଇଥିଲେ ।[୬]
ଜମି ଅଧିଗ୍ରହଣ ପରେ ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ତିନିଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବା ସହ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶିଳା ସ୍ଥାପନ କରିଥିଲେ ।[୩] ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୮ ମଠର ମହନ୍ତ ଓ ୧୦୮ ଜଣ ବ୍ୟକ୍ତିଗତ ଜମିଦାତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।[୭] ଜାନୁଆରୀ ୨୦୨୧ରେ ଏହି ପ୍ରକଳ୍ପ ଆରମ୍ଭ ହେବାର ଥିଲା, ମାତ୍ର କୋଭିଡ-୧୯ ପାଇଁ ଏହା ବିଳମ୍ବ ହୋଇଥିଲା । ଜାତୀୟ ସ୍ମାରକୀ ପ୍ରାଧିକରଣଦ୍ୱାରା ମନ୍ଦିରର ୧୦୦-ମିଟର ଦୂରତା ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ନ କରିବାକୁ ନୋଟିସ୍ ଦିଆଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ, ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା । ଫେବୃଆରୀ ୨୦୨୨ରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପ୍ରାଚୀନ ସ୍ମାରକୀ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ଅବଶେଷ ଅଧିନିୟମ, ୧୯୫୮ର ଉଲଂଘନ ହୋଇଥିବା ଦର୍ଶାଇ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଆଦେଶ ଦେଇଥିଲା ।
ଏହାପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏହି ମମଲା ଚାଲିଥିଲା ଏବଂ ପରେ ସେପ୍ଟେମ୍ବର ୨୦୨୨ରେ ଜାତୀୟ ସ୍ମାରକୀ ପ୍ରାଧିକରଣଦ୍ୱାରା ଦିଆଯାଇଥିବା ଶପଥପାଠଦ୍ୱାରା ଏହି ମାମଲା ଖାରଜ ହୋଇଥିଲା । ସୁପ୍ରିମ୍ କୋର୍ଟରେ ହୋଇଥିବା ଦୁଇଟି ଜନସ୍ୱାର୍ଥ ମାମଲାକୁ ମଧ୍ୟ ଜୁନ ୨୦୨୨ରେ ଖାରଜ କରାଯାଇଥିଲା ।[୮] ବିଜୁ ଜନତା ଦଳ ଏହାକୁ ରାଜନୈତିକ ଲାଭ ଉଠେଇବାକୁ ବ୍ୟବହାର କରୁଥିବା କଥା ମଧ୍ୟ ଆଲୋଚନା ହୋଇଥିଲା ।[୯][୧୦]
ଶିଳାନ୍ୟାସ ପରେ ନିର୍ମାଣ କାର୍ଯ୍ୟ ଚାଲିଥିଲା ଏବଂ ନଭେମ୍ବର ୨୦୨୩ରେ ଏହାର ଲୋକାର୍ପଣ ଦିନ ଧାର୍ଯ୍ୟ କରାଯାଇଥିଲା ।[୧୦] ଜାନୁଆରୀ ୨୦୨୪ର ପ୍ରଥମ ସପ୍ତାହ ସୁଦ୍ଧା ଏହାର କାର୍ଯ୍ୟ ପ୍ରାୟ ସମାପ୍ତ ହୋଇଥିଲା ।[୧୧] ୧୭ ଜାନୁଆରୀ ୨୦୨୪ରେ ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ ଓ ଗଜପତି ମହାରାଜା ବିଦ୍ୟସିଂହ ଦେବ ଏହି ପ୍ରକଳ୍ପରୁ ଲୋକାର୍ପଣ କରିଥିଲେ ।[୧୨]
ବିବରଣୀ
[ସମ୍ପାଦନା]ମେଘନାଦ ପାଚେରୀକୁ ଘେରି ରହିଥିବା ୭୫ ମିଟର ଲମ୍ବା ପରିକ୍ରମା ପ୍ରକଳ୍ପଟି ୯ଟି ଭାଗରେ ବିଭକ୍ତ ହୋଇଛି:[୨]
- ଗ୍ରୀନ୍ ବଫର୍ ଜୋନ୍: ଏହା ମେଘନାଦ ପାଚେରୀକୁ ଲାଗି ରହିଛି । ଏହା ୭ ମିଟର ଲମ୍ବା, ଯେଉଁଥିରୁ ମେଘନାଦ ପାଚେରୀକୁ ଲାଗିକି ୨-ମିଟର ସବୁଜ ଅଞ୍ଚଳ ରହିଛି । ଅବଶିଷ୍ଟ ୫ ମିଟର ହେଉଛି ୧ ଫୁଟ୍ ଉଚ୍ଚତା ବିଶିଷ୍ଟ ବଗିଚା ।
- ଅନ୍ତର ପ୍ରଦକ୍ଷଣ: ଏହା ଦେବଦେବୀଙ୍କ ଆନୁଷ୍ଠାନିକ ଶୋଭାଯାତ୍ରା ପାଇଁ ୧୦ ମିଟର ଲମ୍ବା ଆଭ୍ୟନ୍ତରୀଣ ସ୍ଥାନ, ଯାହାକୁ ସାଧାରଣ ଜନତା ଶ୍ରୀମନ୍ଦିର ବା ମନ୍ଦିର ପରିସରର ପ୍ରଦକ୍ଷଣ ବା ପରିକ୍ରମା ପାଇଁ ବର୍ଷ ସାରା ବ୍ୟବହାର କରିବେ ।
- ବାହ୍ୟ ପ୍ରଦକ୍ଷଣ: ଉଭୟ ପାର୍ଶ୍ୱରେ ଗଛଦ୍ୱାରା ଆଚ୍ଛାଦିତ ୮ ମିଟର ପରିବ୍ୟାପ୍ତ ଏହି ଅଞ୍ଚଳ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଛାୟାଯୁକ୍ତ ରାସ୍ତା ଭାବରେ ନିର୍ମିତ ହୋଇଛି ।
- ଲ୍ୟାଣ୍ଡସ୍କେପ୍ ଜୋନ୍: ଏହି ବଗିଚାଗୁଡ଼ିକ ଗୋଟିଏ ଜୋନ୍ରେ ୧୪ ମିଟର ପରିବ୍ୟାପ୍ତ । ଜଗନ୍ନାଥ ସଂସ୍କୃତିରେ ବ୍ୟବହୃତ ବିଭିନ୍ନ ପ୍ରଜାତିର ଗଛ ଏଠାରେ ଲଗାଯାଇଛି ।
- ଜନ ସୁବିଧା କ୍ଷେତ୍ର: ୧୦ ମିଟର ଦୀର୍ଘ ଏହି ଅଞ୍ଚଳରେ ବିଶ୍ରାମାଗାର, ପାନୀୟ ଜଳ, ସୂଚନା ଓ ଦାନ କେନ୍ଦ୍ର, ବିଶ୍ରାମ ପାଇଁ ଆଶ୍ରୟ ସ୍ଥଳୀ ଭଳି ସୁବିଧା ରହିଛି ।
- ରକ୍ଷଣାବେକ୍ଷଣ କ୍ଷେତ୍ର: ୪.୫ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେତ୍ରଟି ଯାନବାହନର ମରାମତି ତଥା କରିଡରର ରକ୍ଷଣାବେକ୍ଷଣ ପାଇଁ ବ୍ୟବହୃତ ହୁଏ ।
- ଜରୁରୀକାଳୀନ କ୍ଷେତ୍ର: ୪.୫ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେତ୍ରଟି ଜରୁରୀକାଳୀନ ସେବା ଓ ବିପର୍ଯୟ ପରିଚାଳନା ପାଇଁ ବ୍ୟବହୃତ ହୁଏ ।
- ଯାନବାହନ କ୍ଷେତ୍ର: ଏହି ଅଞ୍ଚଳଟିର ଲମ୍ବ ୭.୫ ମିଟର ଏବଂ ଏହା ଐତିହ୍ୟ କରିଡର ଚାରିପଟେ ଯାନବାହନ ଚଳାଚଳରେ ସହାୟକ ହୋଇଥାଏ, ଯାହା ସହିତ ବାହାର ପ୍ରବେଶ ପଥ ଓ ଆଖପାଖ ସାହିର ଗଳିଗୁଡ଼ିକୁ ସଂଯୋଗ କରୁଛି ।
- ଛାୟାଯୁକ୍ତ ପଦଚଲା ରାସ୍ତା: ଲୋକମାନଙ୍କ ଯାତାୟତ ପାଇଁ ୭ ମିଟର ଲମ୍ବ ବିଶିଷ୍ଟ ଏକ ପଦଚଲା ରାସ୍ତା ରହିଛି, ଯେଉଁଠି ପାଖରେ ଥିବା ଗଛଗୁଡ଼ିକର ଛାଇ ରହିଛି । ଏଥିରେ ସେବକ ଓ ମନ୍ଦିର ଅଧିକାରୀଙ୍କ ପାଇଁ ପାର୍କିଂର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ଡଷ୍ଟବିନ୍, ରାସ୍ତା କଡ଼ରେ ବସିବା ପାଇଁ ବେଞ୍ଚ, ପାନୀୟ ଜଳର ସୁବିଧା ଇତ୍ୟାଦି ରହିଛି ।
ଐତିହ୍ୟ କରିଡରର ପୂର୍ବ ଭାଗଟିକୁ ଖାଲି ରଖାଯାଇଛି, କାରଣ ରଥଯାତ୍ରା ତଥା ଅନ୍ୟ ପର୍ବପର୍ବାଣି ସମୟରେ ପୂର୍ବ ଦିଗ ହିଁ ବ୍ୟବହାର ହୁଏ ।
ସୁବିଧା
[ସମ୍ପାଦନା]ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଐତିହ୍ୟ କରିଡରରେ ଥିବା ସୁବିଧାଗୁଡ଼ିକ:[୨]
- ମୁଖ୍ୟ ଜିନିଷ ରଖିବା କକ୍ଷ: ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ମନ୍ଦିର ପରିସରକୁ ପ୍ରବେଶ ପାଇଁ ଧାଡ଼ିରେ ଛିଡ଼ା ହେବା ପୂର୍ବରୁ ସେମାନଙ୍କର ବ୍ୟାଗ୍, ଜୋତା ଏବଂ ମୋବାଇଲ୍ ଆଦି ରଖିବା ପାଇଁ ଏହାକୁ ବ୍ୟବହାର କରାଯିବ । ଏହା ମନ୍ଦିରର ଉତ୍ତର-ପୂର୍ବ କୋଣରେ ଅବସ୍ଥିତ, ଯାହାର କ୍ଷେତ୍ରଫଳ ୫୦୦ ବର୍ଗ ମିଟରରୁ (୫,୪୦୦ ବର୍ଗ ଫୁଟ) ଅଧିକ ।
- କ୍ଷୁଦ୍ର ଜନିଷ ରଖିବା କକ୍ଷ: ମନ୍ଦିରର ଦକ୍ଷିଣ ଓ ପଶ୍ଚିତଦ୍ୱାରା ନିକଟରେ ଜିନିଷ ରଖିବା ପାଇଁ ଦୁଇଟି କ୍ଷୁଦ୍ର କକ୍ଷ ରହିଛି, ଯାହାର କ୍ଷେତ୍ରଫଳ ହେଉଛି ୨୬.୭ ବର୍ଗ ମିଟର (୨୮୭ ବର୍ଗଫୁଟ) । ଏହି କକ୍ଷଦୁଇଟି ମୁଖ୍ୟତଃ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ଓ ମନ୍ଦିର କର୍ମଚାରୀଙ୍କ ସୁବିଧା ପାଇଁ ତିଆରି କରାଯାଇଛି, ଯେଉଁଠି ସେମାନେ ଜୋତା ତଥା ମୋବାଇଲ ଫୋନ୍ ରଖିପାରିବେ ।
- ସୂଚନା ଓ ଦାନ କେନ୍ଦ୍ର: କରିଡରର ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଏହି କେନ୍ଦ୍ରଗୁଡ଼ିକ ରହିଛି, ଯାହାର ଆକାର ହେଉଛି ୨୬.୭ ବର୍ଗ ମିଟର (୨୮୭ ବର୍ଗଫୁଟ), ଯାହା ଭକ୍ତମାନଙ୍କୁ ମନ୍ଦିର ବିଷୟରେ ଆବଶ୍ୟକ ସୂଚନା, ସୁବିଧା, ରୀତିନୀତି ବିଷୟରେ ଜଣାଇବାକୁ ନିର୍ମାଣ କରାଯାଇଛି । ଏଥିସହିତ ମନ୍ଦିରକୁ ଦାନ ଦେବା ପାଇଁ ଏଠାରେ ସୁବିଧା ଉପଲବ୍ଧ କରାଯାଇଛି ।
- ଶ୍ରୀଜଗନ୍ନାଥ ସ୍ୱାଗତ କେନ୍ଦ୍ର: ମନ୍ଦିର ଓ ଐତିହ୍ୟ କରିଡରକୁ ଆସୁଥିବା ପର୍ଯ୍ୟଟକଙ୍କ ଅତ୍ୟାବଶ୍ୟକୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହା ନିର୍ମିତ, ଯେଉଁଥିରେ ୬ ହଜାର ଲୋକଙ୍କ ଧାଡ଼ିରେ ଛିଡ଼ା ହୋଇପାରିବେ ଏବଂ ସୁରକ୍ଷା ଯାଞ୍ଚ, ୪ ହଜାର ପରିବାରର ଜିନିଷପତ୍ର ରଖିବା ପାଇଁ ସୁବିଧା, ପାନୀୟ ଜଳ ଓ ଶୌଚାଳୟର ସୁବିଧା, ହାତଗୋଡ଼ ଧୋଇବାର ସୁବିଧା ରହିଛି । ଏହି କେନ୍ଦ୍ରଟି ୭,୯୧୭ ବର୍ଗ ମିଟର (୮୫,୨୨୦ ବର୍ଗଫୁଟ) ପରିମିତ ଅଞ୍ଚଳ, ଯେଉଁଥିରେ ବହି ଦୋକାନ ସମେତ ସ୍ମାରକପତ୍ର ମଧ୍ୟ ଉପଲବ୍ଧ । ଦକ୍ଷିଣ-ପୂର୍ବ ଦିଗରେ ଐତିହ୍ୟ କରିଡର ନିକଟରେ ଉପଲବ୍ଧ ଅଧା ଏକର ଜମିରେ ଏହା ନିର୍ମିତ ହୋଇଛି ।
- ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ: ନବୀକରଣ ହୋଇଥିବା ମନ୍ଦିର ପ୍ରଶାସନର କାର୍ଯ୍ୟାଳୟରେ ବିଶିଷ୍ଟ ବ୍ୟକ୍ତି ଓ ଅତିଥିମାନଙ୍କୁ ସ୍ୱାଗତ କରାଯାଇ ମନ୍ଦିର ବିଷୟରେ ସୂଚନା ଦିଆଯାଉଛି । ଏହାବ୍ୟତୀତ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅତିଥିମାନଙ୍କ ପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆବଶ୍ୟକତା ଅନୁସାରେ ଏହି କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।
- ଆଶ୍ରୟସ୍ଥଳୀ: ପରିକ୍ରମା ପ୍ରକଳ୍ପ ସହିତ ଚାରିପାଖରେ ତୀର୍ଥଯାତ୍ରୀଙ୍କ ବିଶ୍ରାମ ପାଇଁ ଛାୟାଯୁକ୍ତ ବିଶ୍ରାମାଗାର ନିର୍ମାଣ କରାଯାଇଛି । ପଶ୍ଚିମ ପାର୍ଶ୍ୱରେ ଦୁଇଟି ମଣ୍ଡପ ଅଛି ଏବଂ ଦକ୍ଷିଣ ପାର୍ଶ୍ୱରେ ତିନୋଟି ମଣ୍ଡପ ଅଛି । ପ୍ରତ୍ୟେକ ଆଶ୍ରୟସ୍ଥଳ ୧୩ ବର୍ଗ ମିଟର (୧୪୦ ବର୍ଗଫୁଟ) ଅଞ୍ଚଳରେ ନିର୍ମିତ ହୋଇଛି ।
- ଶୌଚାଳୟ: ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ସ୍ଥାନରେ ଶୌଚାଳୟ ରହିଛି । ଏହି ଦୁଇଟି ଶୌଚାଳୟ ୪୫ ବର୍ଗ ମିଟର (୪୮୦ ବର୍ଗଫୁଟ) ଅଞ୍ଚଳରେ ରହିଛି, ଯାହାକି କରିଡରର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦିଗରେ ଅବସ୍ଥିତ ।
- ସେବାୟତଙ୍କ ପାଇଁ ଶୌଚାଳୟ: ମନ୍ଦିରର ସେବାୟତ, କର୍ମଚାରୀ ଓ ରୋଷେୟାଙ୍କ ପାଇଁ ଗୋଟିଏ ଲେଖାଏଁ ଶୌଚାଳୟ ରହିଛି । ଏଗୁଡ଼ିକ ୪୫ବର୍ଗ ମିଟର (୪୮୦ ବର୍ଗଫୁଟ) ଅଞ୍ଚଳରେ ନିର୍ମିତ ଏବଂ କରିଡରର ଉତ୍ତର ଓ ଦକ୍ଷିଣ ଦିଗରେ ଅବସ୍ଥିତ ।
- ପୋଲିସ୍ ସେବା କେନ୍ଦ୍ର: ମନ୍ଦିର ଓ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ନିୟୋଜିତ ପୁଲିସ କର୍ମଚାରୀମାନଙ୍କ ନିମନ୍ତେ ଏହି କେନ୍ଦ୍ରଟି ନିର୍ମିତ ହୋଇଛି । ଏହା କରିଡରର ପଶ୍ଚିମ ଦିଗରେ ୨୬.୭ ବର୍ଗ ମିଟର (୨୮୭ ବର୍ଗଫୁଟ) ଅଞ୍ଚଳରେ ତିଆରି ହୋଇଛି ।
- ଏଟିଏମ୍: ଏହା କରିଡରର ଉତ୍ତର ପାର୍ଶ୍ୱରେ ଅବସ୍ଥିତ, ଯାହାଦ୍ୱାରା ଶ୍ରଦ୍ଧାଳୁମାନେ ଆବଶ୍ୟକ ସ୍ଥଳେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠେଇପାରିବେ ।
- ବୈଦ୍ୟୁତିକ କେନ୍ଦ୍ର: ମନ୍ଦିର ପରିସର ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ର ସୁପରିଚାଳନା ପାଇଁ କରିଡରର ପଶ୍ଚିମ ପାର୍ଶ୍ୱରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି କେନ୍ଦ୍ର ତିଆରି ହୋଇଛି, ଯାହାର କ୍ଷେତ୍ରଫଳ ହେଉଛି ୧୩୦ ବର୍ଗ ମିଟର (୧୪୦୦ ବର୍ଗଫୁଟ) ।
- ପ୍ରାଥମିକ ଚିକିତ୍ସା କେନ୍ଦ୍ର: ଜରୁରୀକାଳୀନ ପରିସ୍ଥିତିରେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଏହି ପ୍ରାଥମିକ ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଇଛି, ଯାହାର କ୍ଷେତ୍ରଫଳ ହେଉଛି ୨୬.୭ ବର୍ଗ ମିଟର (୨୮୭ ବର୍ଗଫୁଟ) ।
ମଠଗୁଡ଼ିକର ପୁନଃବିକାଶ
[ସମ୍ପାଦନା]୭୫ ମିଟର ଦୀର୍ଘ ଐତିହ୍ୟ କରିଡର ମଧ୍ୟରେ ଥିବା ମଠ ମନ୍ଦିରର ପୁନଃବିକାଶ ପାଇଁ କାର୍ଯ୍ୟ ହୋଇଛି । ସାଧାରଣତଃ କଳିଙ୍ଗ ସ୍ଥାପତ୍ୟ ଶୈଳୀ ଓ ସମ୍ପୃକ୍ତ ମଠର ନିର୍ଦ୍ଦିଷ୍ଟ ପରମ୍ପରାକୁ ଦୃଷ୍ଟିରେ ରଖି ଏହି ମଠ ମନ୍ଦିରଗୁଡ଼ିକର ପୁନଃବିକାଶ କରାଯାଇଛି । ଏହାବ୍ୟତୀତ ଗର୍ଭଗୃହ, ଜଗମୋହନ ବା ନଟ ମଣ୍ଡପ ଓ ଭୋଗ ମଣ୍ଡପ ପାଇଁ ମଧ୍ୟ ଏହି ପୁନଃନିର୍ମାଣ ବ୍ୟବସ୍ଥା କରାଯାଇଛି ।[୨]
ସୁରକ୍ଷା
[ସମ୍ପାଦନା]ମନ୍ଦିରର ସୁରକ୍ଷା ବଢ଼ାଇବା ପାଇଁ ମନ୍ଦିର ପରିସର ଓ ସହର ଆଖପାଖ ଅଞ୍ଚଳରେ ୪୪ ପ୍ଲାଟୁନ୍ ପୁଲିସ ଫୋର୍ସ ସମେତ ଅତିରିକ୍ତ ପଞ୍ଚ-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ମନ୍ଦିର ନୁହେଁ, ସହର ଓ ଏହାର ଉପକୂଳର ସୁରକ୍ଷା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି । ୨୦୨୪ ଜାନୁଆରି ୧୭ ତାରିଖରେ ଏହି ପ୍ରକଳ୍ପର ଉଦଘାଟନ ପୂର୍ବରୁ ଉଦ୍ଘାଟନ ସମାରୋହକୁ ସୁରୁଖୁରୁରେ ଓ ଅସୁବିଧାମୁକ୍ତ କରିବା ପାଇଁ ସହରରେ ୪-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପ୍ରାୟ ୧୦୦ ସୁପରଭାଇଜର ଅଫିସର, ୨୫୦ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ, ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ହୋମଗାର୍ଡ଼ ମୁତୟନ ହୋଇଥିଲେ । ଏହାବ୍ୟତୀତ ୪ଟି ବମ୍-ସ୍କ୍ୱାଡ଼ ଓ କୁକୁର ସ୍କ୍ୱାଡ଼ ମଧ୍ୟ ମୁତୟନ କରାଯାଇଛି । ମନ୍ଦିରରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ସମଗ୍ର କରିଡର ଓ ପରିସରରେ ଫେସ୍ ରିଡିଂ ଟେକ୍ନୋଲୋଜି ଥିବା ୧୩୫ଟି ସିସିଟିଭି କ୍ୟାମେରା ଲଗାଯାଇଛି ।[୧୩][୧୪][୧୫]
ଆଧାର
[ସମ୍ପାଦନା]- ↑ "Puri Jagannath Heritage Corridor project opens for public: 10 things to know". The Economic Times (in ଇଂରାଜୀ). 17 January 2024. Retrieved 18 January 2024.
- ↑ ୨.୦ ୨.୧ ୨.୨ ୨.୩ "About Shreemandira Parikrama". Shree Jagannath Temple Administration. Archived from the original on 15 January 2024. Retrieved 15 January 2024.
- ↑ ୩.୦ ୩.୧ "Foundation stone laid for Rs 331 cr heritage corridor project in Puri". ET Infra (in ଇଂରାଜୀ). 17 November 2021. Retrieved 14 January 2024.
- ↑ "Amid Ram Mandir inauguration, Naveen Patnaik's Jagannath Heritage push in Odisha". Mint (in ଇଂରାଜୀ). 17 January 2024. Retrieved 18 January 2024.
- ↑ "Rs 800-cr heritage corridor project inaugurated around Jagannath temple". Business Standard (in ଇଂରାଜୀ). 17 January 2024. Retrieved 18 January 2024.
- ↑ Mohanty, Aishwarya (18 November 2021). "Explained: What is the Puri heritage corridor, whose foundation will be laid soon in Odisha?". The Indian Express (in ଇଂରାଜୀ). Retrieved 14 January 2024.
- ↑ "ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଶିରୀବଢ଼ାଉଛି ଭାସ୍କର୍ଯ୍ୟ". ସମ୍ବାଦ (in Indian English). ପୁରୀ. 15 January 2024. Archived from the original on 24 January 2024. Retrieved 24 January 2024.
- ↑ Vishwanath, Apurva (3 June 2022). "Explained: Supreme Court rejects pleas against excavation around Puri temple, what is the case?". The Indian Express (in ଇଂରାଜୀ). Retrieved 14 January 2024.
- ↑ Mohanty, Aishwarya (18 May 2022). "Explained: What is the Puri Heritage Corridor Project and why has it landed into a controversy?". The Indian Express (in ଇଂରାଜୀ). Retrieved 14 January 2024.
- ↑ ୧୦.୦ ୧୦.୧ Mohanty, Debabrata (4 November 2023). "Jagannath Puri heritage corridor project to open to public on January 17, 2024". Hindustan Times (in ଇଂରାଜୀ). Retrieved 14 January 2024.
- ↑ Satyasundar, Barik (12 January 2024). "Odisha: Jagannath Temple's heritage corridor set to be inaugurated". The Hindu (in ଇଂରାଜୀ). Retrieved 14 January 2024.
- ↑ "Patnaik inaugurates Rs 800-crore heritage corridor project around Puri's Jagannath temple". Moneycontrol (in ଇଂରାଜୀ). 17 January 2024. Retrieved 18 January 2024.
- ↑ "Security tightened in Puri for heritage corridor project inauguration on Jan 17". The Times of India (in ଇଂରାଜୀ). 13 January 2024. Retrieved 15 January 2024.
- ↑ "Thick Security Blanket Over Puri For Corridor Inauguration On Jan 17, Odisha DGP Reviews Arrangements". Odisha Bytes (in ଇଂରାଜୀ). 12 January 2024. Retrieved 15 January 2024.
- ↑ Mohapatra, Debabrata (12 January 2024). "Iconic Puri Jagannath corridor equipped with advanced CCTV facial recognition cover". The Times of India (in ଇଂରାଜୀ). Retrieved 15 January 2024.
ବାହାର ଆଧାର
[ସମ୍ପାଦନା]- ଅଧିକାରୀକ ୱେବ୍ସାଇଟ୍ Archived 2024-01-15 at the Wayback Machine.