ଦହିଆଳ ପକ୍ଷୀ
ଦହିଆଳ ପକ୍ଷୀ ଦୟାଳୁ ପକ୍ଷୀ | |
---|---|
ଅଣ୍ଡିରା ଓ ମାଈ ଦହିଆଳ ପକ୍ଷୀ (ଭାରତରେ ଉଠାଯାଇଥିବା ଏକ ଫଟୋ ଚିତ୍ର) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Passeriformes |
Family: | Muscicapidae |
Genus: | Copsychus |
ଜାତି: | C. saularis |
ବାଇନୋମିଆଲ ନାମ | |
Copsychus saularis (କାର୍ଲ୍ ଲିନାୟସ୍, ୧୭୫୮)
| |
Synonyms | |
ଗ୍ରାକ୍ୟୁଲା ସୌଲାରିସ୍ (Gracula saularis) ଲିନାୟସ୍, ୧୭୫୮ |
ଦହିଆଳ ପକ୍ଷୀ ବା ଦୟାଳୁ ପକ୍ଷୀ (ଇଂରାଜୀ ଭାଷାରେ Oriental Magpie-Robin,ଜୀବବିଜ୍ଞାନ ନାମ Copsychus saularis) ଏକ କ୍ଷୁଦ୍ରାକାର ପକ୍ଷୀ ଯାହାକୁ ପ୍ରଥମେ ଥ୍ରଷ୍ (Thrush) ପରିବାରର ସଦସ୍ୟ ଭାବେ ପରିଗଣନା କରାଯାଉଥିଲା; କିନ୍ତୁ ବର୍ତ୍ତମାନ ଏହାକୁ ମାଛିଖାଇ ପକ୍ଷୀ ପରିବାରରେ (Old World flycatcher) ସ୍ଥାନିତ କରାଯାଇଛି । କଳା-ଧଳା ମିଶା ରଙ୍ଗର ଏହି ପକ୍ଷୀର ଲାଞ୍ଜଟି ଲମ୍ବା ଏବଂ ଭୂମିରେ ବା ଉଚ୍ଚ ସ୍ଥାନରେ ବସି ଖାଇବା ବେଳେ ଏମାନଙ୍କ ଲାଞ୍ଜଟି ଉପରକୁ ଉଠି ରହିଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଥାଏ । ଭାରତୀୟ ଉପମହାଦେଶ ଓ ଦକ୍ଷିଣ-ପୂର୍ବ ଏସିଆରେ ବ୍ୟାପ୍ତ ଏହି ପକ୍ଷୀ ସାଧାରଣତଃ ଜଙ୍ଗଲରେ ଓ ସହରାଞ୍ଚଳର ଉଦ୍ୟାନରେ ପରିଲକ୍ଷିତ ହୋଇଥାଏ । ଦହିଆଳ ପକ୍ଷୀ ସୁନ୍ଦର କାକଳି ଧ୍ୱନି ବା ଗୀତ ସୃଷ୍ଟି କରେ ଓ ଏକଦା ଏମାନଙ୍କୁ ପଞ୍ଜୁରୀରେ ପୋଷା ମନାଇ ରଖିବା ପାଇଁ ବେଶ୍ ଲୋକଚାହିଦା ରହିଥିଲା । ଦହିଆଳ ପକ୍ଷୀ ବଙ୍ଗଳାଦେଶର ଜାତୀୟ ପକ୍ଷୀ ।
ବିବରଣୀ
[ସମ୍ପାଦନା]ଏହି ପ୍ରଜାତିର ପକ୍ଷୀ ପ୍ରାୟ ୧୯ ସେଣ୍ଟିମିଟର (୭.୫ ଇଞ୍ଚ୍) ଲମ୍ବା ଓ ଏହାର ଲାଞ୍ଜଟି ଲମ୍ବା । ଭୂମିରେ ଡେଇଁ ଡେଇଁ ଚାଲିବା ବେଳେ ଦହିଆଳ ପକ୍ଷୀ ନିଜ ଲାଞ୍ଜଟି ଆକାଶ ଆଡ଼କୁ ଟେକି ରଖିଥାଏ । ଗୀତ ଗାଇବା ବେଳେ କିନ୍ତୁ ଅନ୍ୟ ପକ୍ଷୀଙ୍କ ପରି ଦହିଆଳ ପକ୍ଷୀର ଲାଞ୍ଜଟି ନିଜ ସ୍ୱାଭାବିକ ସ୍ଥିତିରେ ଥାଏ । ଆକାରରେ ଦହିଆଳ ପକ୍ଷୀ ୟୁରୋପୀୟ ରବିନ୍ ପକ୍ଷୀ ପରି, କିନ୍ତୁ ଦହିଆଳ ପକ୍ଷୀର ଲାଞ୍ଜଟି ସାମାନ୍ୟ ଦୀର୍ଘତର । ଅଣ୍ଡିରା ଦହିଆଳ ପକ୍ଷୀର ମୁଣ୍ଡ, ବେକ ଓ ପିଠିର ଉପର ପଟ କଳା ରଙ୍ଗର, କେବଳ କାନ୍ଧ ପାଖରେ ଧଳା ରେଖା ରହିଥାଏ । ଲାଞ୍ଜର ଉପର ପଟ ଓ ପାର୍ଶ୍ୱସ୍ଥ ଅଂଶଗୁଡ଼ିକ ଧଳା ରଙ୍ଗର । ମାଈମାନଙ୍କ ଦେହର ଧଳା ଓ କଳା ଅଂଶ ଗାଢ଼ ନ ହୋଇ ସାମାନ୍ୟ ପାଉଁଶିଆ ମିଶା ଧଳା ଓ କଳା ରଙ୍ଗର ହୋଇଥାଏ । ତରୁଣ ଦହିଆଳର ମୁଣ୍ଡ ଓ ପିଠି ଉପରାଂଶ ମାଟିଆ ପରି ରଙ୍ଗର ହୋଇଥାଏ ।
ଦହିଆଳ ପକ୍ଷୀର ମୂଳନାମ ପ୍ରଜାତି ଭାରତୀୟ ଉପମହାଦେଶରେ ଦେଖାଯାନ୍ତି ଯାହାର ମାଈମାନେ ଅଣ୍ଡିରାଙ୍କ ଅପେକ୍ଷା ଫିକା ରଙ୍ଗର ହୋଇଥାନ୍ତି । ଆଣ୍ଡାମାନ ଦ୍ୱୀପପୁଞ୍ଜରେ ବାସ କରୁଥିବା ଦହିଆଳ (ଆଣ୍ଡାମାନେନ୍ସିସ୍) ପ୍ରଜାତିର ମାଈ ପକ୍ଷୀମାନଙ୍କ ରଙ୍ଗ ଅଣ୍ଡିରାଙ୍କ ଅପେକ୍ଷା ଗାଢ଼ ହୋଇଥାଏ, ମାଈମାନଙ୍କ ଥଣ୍ଟ ଓଜନିଆ ତଥା ଅଣ୍ଡିରାଙ୍କ ତୁଳନାରେ ଲାଞ୍ଜ ଛୋଟ ହୋଇଥାଏ । ଶ୍ରୀଲଙ୍କାର ସ୍ଥାନୀୟ ଦହିଆଳ ପକ୍ଷୀ (ସେଲୋନେନ୍ସିସ୍) ପୂର୍ବେ କାବେରୀ ନଦୀରୁ ଦକ୍ଷିଣକୁ ଭାରତୀୟ ଉପଦ୍ୱୀପରେ ମଧ୍ୟ ଦେଖାଯାଉଥିଲା ।[୨] ଏହି ସିଂହଳୀ ପ୍ରଜାତିର ମାଈ ଓ ଅଣ୍ଡିରା ପକ୍ଷୀ ଦେଖିବାକୁ ଏକା ପରି । ପୂର୍ବ ପଟେ ଭୁଟାନ ଓ ବଙ୍ଗଳାଦେଶର ଦହିଆଳ ପ୍ରଜାପତିଙ୍କୁ ପୂର୍ବେ ଏରିମେଲାସ୍ (erimelas) ନାମରେ ଜଣାଯାଉଥିଲା ଏବଂ ଏମାନଙ୍କ ଲାଞ୍ଜ ଅନ୍ୟ ପ୍ରଜାପତିଙ୍କ ଅପେକ୍ଷା କୃଷ୍ଣତର ।[୩] ବ୍ରହ୍ମଦେଶ ଓ ତାହାର ଦକ୍ଷିଣରେ ବାସ କରୁଥିବା ଦୟାଳୁ ପ୍ରଜାତିର ପକ୍ଷୀଙ୍କୁ ମ୍ୟୁଜିକସ୍ ( musicus) ବୋଲି ନାମିତ କରାଯାଇଛି ।[୪] ଅନ୍ୟ କିଛି ଦହିଆଳ ପକ୍ଷୀ ପ୍ରଜାତି ହେଲେ – ହଂକଂର ପ୍ରୋସଥୋପେଲସ୍ (prosthopellus), ନିସାୟୋଟିସ୍ (nesiotes), ଜାକ୍ନିକସ୍ (zacnecus), ନେସିଆର୍କସ୍ (nesiarchus), ମ୍ୟାସ୍କ୍ୟୁଲସ୍ (masculus), ପେଜିଏନ୍ସିସ୍ (pagiensis), ଜାଭେନ୍ସିସ୍ (javensis), ପ୍ରୋବ୍ଲେମାଟିକସ୍ (problematicus), ଏମିନସ୍ (amoenus), ଆଡାମ୍ସି (adamsi), ପ୍ଲୁଟୋ (pluto), ଡ୍ୟୁଟେରୋନିମସ୍ (deuteronymus) ଏବଂ ମିଣ୍ଡାନେନ୍ସିସ୍ (mindanensis) ।[୫] ଏଥିରୁ ଅନେକ ପ୍ରଜାତି ସଠିକ ନିର୍ଣ୍ଣିତ ହୋଇନାହାନ୍ତି ଓ କିଛି ପ୍ରଜାତିର ସ୍ଥିତି ସମ୍ପର୍କିତ ମତରେ ପାର୍ଥକ୍ୟ ମଧ୍ୟ ରହିଛି ।[୬] ଫିଲିପାଇନ୍ସର ମିଣ୍ଡାନେନ୍ସିସ୍ ଦହିଆଳ ପକ୍ଷୀ ପ୍ରଜାତିକୁ ସମ୍ପୂର୍ଣ୍ଣ ଭାବେ ସ୍ୱତନ୍ତ୍ର ପ୍ରଜାତି ବୋଲି ଚିହ୍ନଟ କରାଯାଇଛି ।[୭] ଭୌଗୋଳିକ ବିତରଣ ଅନୁଯାୟୀ ବିଭିନ୍ନ ପ୍ରଜାତିର ଅଣ୍ଡିରାଙ୍କ ଅପେକ୍ଷା ମାଈମାନଙ୍କ ରଙ୍ଗରେ ଅଧିକ ତାରତମ୍ୟ ପରିଲକ୍ଷିତ ହୋଇଥାଏ ।[୮]
ଦହିଆଳ ପକ୍ଷୀ ପ୍ରାୟ ଭୂମିରେ ବା ଭୂମିଠାରୁ ଅଳ୍ପ ଉଚ୍ଚତାରେ ଗଛ ଉପରେ ଦେଖିବାକୁ ମିଳେ । ଏମାନେ ନିଜ ଲାଞ୍ଜ ଟେକି ଡେଇଁ ଡେଇଁ ଗଛର ଶାଖା ବା ପତ୍ର ଗଦାରୁ ନିଜ ଖାଦ୍ୟ ଖୋଜି ଖାଉଥାନ୍ତି । ମିଳନ ଋତୁରେ ଅଣ୍ଡିରାମାନେ ବଡ଼ ଗଛ ଡାଳରୁ ଉଚ୍ଚ ସ୍ୱରରେ ସୁନ୍ଦର ଗୀତ ଗାଇବା ଶୁଣାଯାଏ ।[୩]
ନାମକରଣର ଇତିହାସ
[ସମ୍ପାଦନା]ଏହାର ପେଟ ଦହି ପରି ଧଳା ଥିବାରୁ ଏପରି ନାମକରଣ କରାଯାଇଛି । ଦଇଆଳ, ଦଇୟାଳ, ଦୟାଳ ଓ ଦୟାଳୁ ପକ୍ଷୀ ପ୍ରଭୃତି ଏହାର ଅନ୍ୟାନ୍ୟ କଥିତ ନାମ ।[୯] ଏହି ପକ୍ଷୀର ଅନ୍ୟ ଭାରତୀୟ ଭାଷାରେ ସ୍ଥାନୀୟ ନାମ ହେଲା ଧ୍ୟାଲ୍ ବା ଧୟାଲ୍ ଏବଂ ଏହି ନାମ ବିଦେଶୀ ପକ୍ଷୀବିଜ୍ଞାନୀମାନଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା । ଧ୍ୟାଲ୍କୁ ଇଂରାଜୀରେ ଢ୍ୟାଲ୍ ବା ଡାୟାଲ୍ ବୋଲି ମନେ କରି ୧୭୩୭ ମସିହାରେ ପ୍ରଥମେ ଏଲିଜାର୍ ଆଲ୍ବିନ୍ ଏହାକୁ ଡାୟାଲ୍ ବର୍ଡ୍ ବୋଲି କହିଥିଲେ (ପୁସ୍ତକ - Suppl. N. H. Birds, i. p. 17, pls. xvii. xviii.)। ଆଉ ଜଣେ ବିଜ୍ଞାନୀ ଲେଫେଲଁ ଏହି ପକ୍ଷୀ ସୌର ଫଳକ (ଇଂରାଜୀରେ ସନ୍ ଡାୟାଲ୍ - sun dial) ସହ ସମ୍ପର୍କିତ ବୋଲି ଏହାକୁ ନିଜ ମାତୃଭାଷା ଫରାସୀରେ କେଡ୍ରଁ (Cadran) ବୋଲି ନାମିତ କରିଥିଲେ (ପୁସ୍ତକ - Ois. d'Afr. iii. p. 50) । ଥୋମାସ୍ ଜେର୍ଡନଙ୍କ ଅନୁସାରେ କାର୍ଲ୍ ଲିନାୟସ୍[୧୦] ସୌର ଫଳକ ସହ ସମ୍ପର୍କ ବଜାୟ ରଖିବାକୁ ଯାଇ ଏହି ପକ୍ଷୀର ଜୀବବିଜ୍ଞାନ ନାମରେ ତ୍ରୁଟିପୂର୍ଣ୍ଣ ଭାବେ ସୋଲାରିସ୍ ବା ସୌଲାରିସ୍ ଶବ୍ଦ ଯୋଡ଼ିଥିଲେ (ପୁସ୍ତକ - B. India, ii. p. 1l6) । ପରବର୍ତ୍ତୀ ସମୟରେ ଏଡ୍ୱାର୍ଡ୍ ବ୍ଲାଇଥ୍ ଏହି ଭ୍ରମ ଧାରଣା ଓ ପକ୍ଷୀର ବୈଜ୍ଞାନିକ ନାମର ପ୍ରକୃତ କାରଣ ପ୍ରକାଶ କରିଥିଲେ । ହିନ୍ଦୀ ଭାଷାର ଶବ୍ଦ (ଶୌ ଲୋରି – ଅର୍ଥାତ୍ ୧୦୦ ଗୀତ)ର ଲାଟିନ୍ ରୂପାନ୍ତରଣ ଓ ଅପଭ୍ରଂଶରେ ସୌଲାରିସ୍ ଶବ୍ଦ ସୃଷ୍ଟି ହୋଇଥିବା ବିଷୟ ସେ ପ୍ରକାଶ କରିଥିଲେ । ମାନ୍ଦ୍ରାଜର ଏଡ୍ୱାର୍ଡ୍ ବକ୍ଲି ନାମକ ଜଣେ ଶଲ୍ୟ ଚିକିତ୍ସକ ଜେମ୍ସ୍ ପେଟିଭେରଙ୍କ ପାଖକୁ ଏକ ଅଣ୍ଡିରା ଦହିଆଳ ପକ୍ଷୀ ଓ ଏହାର ହିନ୍ଦୀ ନାମ ଲେଖା କାଗଜ ପଠାଇଥିଲେ । ଜେମ୍ସ ପରେ ଦହିଆଳ ପକ୍ଷୀର ବର୍ଣ୍ଣନା ଲେଖିଥିଲେ (Ray, Synops. Meth. Avium, ପୃଷ୍ଠା ୧୯୭) ।[୧୧][୧୨]
ଭୌଗୋଳିକ ବିତରଣ ଓ ପରିବାସ
[ସମ୍ପାଦନା]ଦହିଆଳ ପକ୍ଷୀ କ୍ରାନ୍ତୀୟ ଦକ୍ଷିଣ ଏସିଆ ଅଞ୍ଚଳର ବଙ୍ଗଳାଦେଶ, ଭାରତ, ଶ୍ରୀଲଙ୍କା, ପୂର୍ବ ପାକିସ୍ତାନ, ପୂର୍ବ ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ୍, ଦକ୍ଷିଣ ଚୀନ, ମାଲେସିଆ, ସିଙ୍ଗାପୁର ଇତ୍ୟାଦି ଅଞ୍ଚଳର ସ୍ଥାନୀୟ ପକ୍ଷୀ ।[୩] ପରବର୍ତ୍ତୀ ସମୟରେ ଅଷ୍ଟ୍ରେଲିଆରେ ମଧ୍ୟ ଏହି ପକ୍ଷୀଙ୍କୁ ଆଣି ଛଡ଼ା ଯାଇଥିଲା ।[୧୩]
ଖୋଲା ବଣ ଏବଂ ଜନବସତି ନିକଟରେ ଚାଷଜମିମାନଙ୍କ ନିକଟରେ ଦହିଆଳ ପକ୍ଷୀ ଦେଖିବାକୁ ମିଳନ୍ତି ।
ପରିସ୍ଥିତିକ ବ୍ୟବହାର
[ସମ୍ପାଦନା]ଭାରତରେ ମାର୍ଚ୍ଚରୁ ଜୁଲାଇ ମାସ ଓ ଦକ୍ଷିଣ-ପୂର୍ବ ଏସିଆରେ ଜାନୁଆରୀରୁ ଜୁନ୍ ମାସ ପର୍ଯ୍ୟନ୍ତ ଦହିଆଳ ପକ୍ଷୀଙ୍କ ପ୍ରଜନନ ସମୟ । ମିଳନ ଋତୁରେ ଅଣ୍ଡିରାମାନେ ଉଚ୍ଚ ସ୍ଥାନରୁ କାକଳି ରାବ କରି ମାଈମାନଙ୍କୁ ଆକୃଷ୍ଟ କରନ୍ତି । ଅଣ୍ଡିରାମାନେ ନିଜର ପର ଫୁଲାଇ, ଥଣ୍ଟ ଉପରକୁ କରି, ଲାଞ୍ଜର ପର ବିଞ୍ଛଣା ପରି ପ୍ରସାରିତ କରି ଓ ଗର୍ବ ଭଙ୍ଗୀରେ ଚାଲି ପ୍ରଦର୍ଶନ କରନ୍ତି ।[୨] ଦହିଆଳ ପକ୍ଷୀମାନେ ଗଛର କୋରଡ଼ରେ, ଘର ଓ ଅଟ୍ଟାଳିକାର କାନ୍ଥ ଉପରେ ନିଜର ବସା ବାନ୍ଧିଥାନ୍ତି । ବସାର ପାର୍ଶ୍ୱକୁ ସେମାନେ ଘାସ, କୁଟା ଇତ୍ୟାଦିରେ ନିର୍ମାଣ କରନ୍ତି । ମାଈ ପକ୍ଷୀମାନେ ବସା ବାନ୍ଧିବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଅଣ୍ଡା ଦେବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ମାଈମାନେ ବସା ନିର୍ମାଣ ଆରମ୍ଭ କରିଦିଅନ୍ତି । ୨୪ ଘଣ୍ଟା ସମୟ ମଧ୍ୟରେ ମାଈ ଦହିଆଳ ପକ୍ଷୀ ୪-୫ଟି ଅଣ୍ଡା ଦେଇଥାଏ । ଅଣ୍ଡାଗୁଡ଼ିକ ଫିକା ନୀଳ ସାଗୁଆ ମିଶା ପାଳ ପରି ରଙ୍ଗର ହୋଇଥାନ୍ତି । ମାଈ ପକ୍ଷୀ ଏକାକୀ ୮-୧୪ ଦିନ ପର୍ଯ୍ୟନ୍ତ ଅଣ୍ଡାଗୁଡ଼ିକୁ ଉଷୁମାଇଥାଏ ।[୧୪][୧୫]
ଶାବକଙ୍କୁ ଆହାର ଯୋଗାଇ ଦେବାରେ ମଧ୍ୟ ଅଣ୍ଡିରାମାନଙ୍କ ତୁଳନାରେ ମାଈ ପକ୍ଷୀଙ୍କର ଅଧିକ ଭୂମିକା ରହିଥାଏ । ପ୍ରଜନନ ଋତୁରେ ଅଣ୍ଡିରା ପକ୍ଷୀମାନେ ଖୁବ୍ ଆକ୍ରମଣାତ୍ମକ ସ୍ୱଭାବ ପ୍ରଦର୍ଶନ କରନ୍ତି ଓ ନିଜ କ୍ଷେତ୍ରକୁ ନିୟନ୍ତ୍ରଣ କରନ୍ତି ।[୧୬] ଅନ୍ୟ କୌଣସି ଅଣ୍ଡିରା ତାଙ୍କ କ୍ଷେତ୍ରର ସୀମା ମଧ୍ୟରେ ରାବିଲେ ବା ଅନ୍ୟ ଅଣ୍ଡିରାକୁ ଦେଖିଲେ ସେମାନେ ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇଉଠନ୍ତି ।[୧୭] ଅଣ୍ଡିରାମାନେ ଅଧିକାଂଶ ସମୟ ବସାକୁ ଜଗିବାରେ ଅତିବାହିତ କରିଥାନ୍ତି ।[୧୮] ଏହି ପକ୍ଷୀମାନଙ୍କ ବିଷୟରେ କରାଯାଇଥିବା ଅଧ୍ୟୟନରୁ ଜଣାଯାଏ ଯେ ସେମାନଙ୍କ ରାବରେ ସାମାନ୍ୟ ଭାଷାଗତ ସ୍ୱାତନ୍ତ୍ର୍ୟ ରହିଥାଏ[୧୯] ଓ ଦୁଇଟି ପଡ଼ୋଶୀ ପକ୍ଷୀଙ୍କ ରାବ ମଧ୍ୟ ଅଳ୍ପ ଅଲଗା ହୋଇପାରେ । ରାବିଲା ବେଳେ ଦହିଆଳ ପକ୍ଷୀ ଅନ୍ୟ ପକ୍ଷୀଙ୍କ ରାବର ଅନୁକରଣ ମଧ୍ୟ କରିପାରେ ।[୨୦][୨୧] ଏଥିରୁ ଅନୁମାନ କରାଯାଏ ଯେ ଏହି ପକ୍ଷୀମାନେ ସ୍ୱଭାବରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବା ପକ୍ଷୀ ନୁହଁନ୍ତି ।[୨୨] ଅଣ୍ଡିରାମାନଙ୍କ ସହିତ ଥିବା ବେଳେ ମାଈମାନେ ମଧ୍ୟ କାକଳି ଗାଇବା ଦେଖାଯାଏ ।[୨୩] ସୁନ୍ଦର ଗୀତ ଛଡ଼ା ଏମାନେ ସୃଷ୍ଟି କରୁଥିବା ବିଭିନ୍ନ ଶବ୍ଦ କ୍ଷେତ୍ର ନିୟନ୍ତ୍ରଣ କରିବା, ବିପଦ ସଙ୍କେତ ସୂଚନା ଦେବା, ଧମକାଇବା, ଯାଚନା କରିବା, ଆଶ୍ରୟ ଗ୍ରହଣ କରିବା, ଦୁଃଖରେ ଥିବା ଆଦି ଭାବନା ବ୍ୟକ୍ତ କରିଥାଏ ।[୨୪] ଏମାନେ ଏକ ପ୍ରକାରର କର୍କଷ ଧ୍ୱନି ମଧ୍ୟ ସୃଷ୍ଟି କରନ୍ତି ।[୨][୩][୨୫]
ବିଭିନ୍ନ ପୋକ ଓ କ୍ଷୁଦ୍ର ଅମେରୁଦଣ୍ଡୀ ପ୍ରାଣୀ ଦହିଆଳ ପକ୍ଷୀର ମୁଖ୍ୟ ଆହାର । ଏହି କୀଟଭକ୍ଷୀ ପକ୍ଷୀ ବେଳେବେଳେ ଫୁଲରୁ ବାହାରୁଥିବା ରସ, ଝିଟିପିଟି[୨୬][୨୭], ଯୋକ[୨୮], ସମ୍ବାଳୁଆ[୨୯] ଓ ଏପରିକି ମାଛ ଖାଇବା ମଧ୍ୟ ଦେଖାଯାଇଛି ।[୩୦]
ବହୁ ସମୟରେ ଗୋଧୂଳିର ଶେଷ ଆଡ଼କୁ ଏମାନେ ସକ୍ରିୟ ଥାଆନ୍ତି ।[୩] ଏମାନେ ଗଛ ପତ୍ରରେ ଜମା ହୋଇଥିବା ବର୍ଷା ପାଣିରେ ଗାଧୋଇବା ମଧ୍ୟ ଦେଖାଯାଇଛି ।[୩୧]
ସଂରକ୍ଷଣ ସ୍ଥିତି
[ସମ୍ପାଦନା]ଯଦିଓ ବିଶ୍ୱ ସ୍ତରରେ ଏହି ପକ୍ଷୀର ସଂରକ୍ଷଣ ସ୍ଥିତି "ଚିନ୍ତାର କାରଣ ନୁହେଁ (little concern)" ବୋଲି କୁହାଯାଉଛି, ତଥାପି କିଛି ଅଞ୍ଚଳରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ସିଙ୍ଗାପୁର ଓ ହଂକଂରେ (ଏଠାରେ ଦହିଆଳ ପକ୍ଷୀର ପ୍ରଚଳିତ ମାଳୟ ନାମ ମୁରାଇ କାମ୍ପୁଂଗ୍/କ୍ୟାକିଂ) ୧୯୨୦ ଦଶନ୍ଧି ପର୍ଯ୍ୟନ୍ତ ଏମାନଙ୍କୁ ଦେଖିବା ଏକ ସାଧାରଣ ବିଷୟ ଥିଲା । କିନ୍ତୁ ସମ୍ଭବତଃ ବଣିମାନଙ୍କ ସଂଖ୍ୟା ଓ ତତ୍-ସମ୍ପର୍କିତ ପ୍ରତିଯୋଗିତା ବଢ଼ିବାରୁ ୧୯୭୦ ଦଶନ୍ଧି ବେଳକୁ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାକୁ ଲାଗିଲା ।[୩୨] ପୋଷା ମନାଇବା ପାଇଁ ଫାଶ ପକାଇ ଧରିବା, ପରିବାସ ନଷ୍ଟ ଓ ପକ୍ଷୀ ବ୍ୟବସାୟ ମଧ୍ୟ ଏହାର ଅନ୍ୟାନ୍ୟ କାରଣ ସାଜିବାରୁ ଦହିଆଳ ପକ୍ଷୀଙ୍କୁ ସ୍ଥାନୀୟ ଆଇନର ସୁରକ୍ଷା ପ୍ରଦାନ କରାଯାଉଛି ।[୩୩]
କିଛି ଶିକାରୀ ପକ୍ଷୀ ଦହିଆଳ ପକ୍ଷୀଙ୍କ ଶିକାର ମଧ୍ୟ କରିଥାନ୍ତି । ବିଭିନ୍ନ ଭୂତାଣୁ ଓ ପରଜୀବୀ ଜୀବାଣୁ ମଧ୍ୟ ଏମାନଙ୍କୁ ଆକ୍ରାନ୍ତ କରିପାରନ୍ତି । ପକ୍ଷୀଙ୍କ ମ୍ୟାଲେରିଆ ଜୀବାଣୁଠାରୁ ଏମାନେ ସୁରକ୍ଷିତ[୩୪], କିନ୍ତୁ ଦହିଆଳ ପକ୍ଷୀମାନେ ଏଚ୍୪ଏନ୍୩ (H4N3)[୩୫] ଓ ଏଚ୍୫ଏନ୍୧ (H5N1)ଦ୍ୱାରା ଆକ୍ରାନ୍ତ ହେବା ଦେଖାଯାଇଛି ।[୩୬] ଏମାନଙ୍କ ଆଖିକୁ ପରଜୀବୀ ଆକ୍ରାନ୍ତ କରିବା ମଧ୍ୟ ଦେଖାଯାଇଛି ।[୩୭]
ସଂସ୍କୃତିରେ ଦହିଆଳ ପକ୍ଷୀ
[ସମ୍ପାଦନା]ସୁନ୍ଦର ଗୀତ ଗାଉଥିବାରୁ ଓ ପକ୍ଷୀ ଲଢ଼େଇ ପାଇଁ ପୂର୍ବେ ଭାରତରେ ଏମାନଙ୍କୁ ପଞ୍ଜୁରୀରେ ପୋଷା ମନାଇ ରଖାଯାଉଥିଲା ।[୩୮] ଦକ୍ଷିଣ-ପୂର୍ବ ଏସିଆରେ ଏଯାବତ ଏମାନଙ୍କ ବ୍ୟବସାୟ ହେବାର ପ୍ରଥା ଚାଲିଛି ।
ବଙ୍ଗଳାଦେଶରେ ଦହିଆଳ ପକ୍ଷୀକୁ ଦୋୟେଲ୍ (ବଙ୍ଗଳା ଭାଷାରେ দোয়েল) ବା ଦୋଏଲ୍ ବୋଲି କୁହାଯାଏ ।[୩୯] ବଙ୍ଗଳାଦେଶରେ ଦହିଆଳ ପକ୍ଷୀ ବିଭିନ୍ନ ସାଙ୍କେତିକ ଚିହ୍ନରେ ଓ କାଗଜ ମୁଦ୍ରାର ଚିତ୍ରରେ ପ୍ରକାଶିତ । ଢାକା ସହରରେ ଦୋଏଲ୍ ଛତ୍ତର୍ (ଅର୍ଥାତ୍ - ଦୋଏଲ୍ ଛକ) ନାମକ ଏକ ଜଣାଶୁଣା ଛକ ମଧ୍ୟ ରହିଛି ।[୪୦][୪୧]
ଶ୍ରୀଲଙ୍କାରେ ଏହି ପକ୍ଷୀ ପୋଲକିଚ୍ଚା ନାମରେ ଜଣାଶୁଣା ।[୪୨]
ଆଧାର
[ସମ୍ପାଦନା]- ↑ BirdLife International. 2017. Copsychus saularis (amended version of 2016 assessment). The IUCN Red List of Threatened Species 2017: e.T103893432A111178145. https://dx.doi.org/10.2305/IUCN.UK.2017-1.RLTS.T103893432A111178145.en. Downloaded on 24 May 2018.
- ↑ ୨.୦ ୨.୧ ୨.୨ Ali, S; S D Ripley (1997). Handbook of the birds of India and Pakistan. Vol. 8 (2nd ed.). Oxford University Press. pp. 243–247. ISBN 978-0-19-562063-4.
{{cite book}}
: Unknown parameter|lastauthoramp=
ignored (|name-list-style=
suggested) (help) - ↑ ୩.୦ ୩.୧ ୩.୨ ୩.୩ ୩.୪ Rasmussen PC; JC Anderton (2005). Birds of South Asia. The Ripley Guide. Volume 2. Smithsonian Institution and Lynx Edicions. p. 395.
{{cite book}}
: Unknown parameter|lastauthoramp=
ignored (|name-list-style=
suggested) (help) - ↑ Baker, ECS (1921). "Handlist of the birds of the Indian empire". J. Bombay Nat. Hist. Soc. 27 (4): 87–88.
- ↑ Ripley, S D (1952). "The thrushes". Postilla. 13: 1–48.
- ↑ Hoogerwerf, A (1965). "Notes on the taxonomy of Copsychus saularis with special reference to the subspecies amoenus and javensis" (PDF). Ardea. 53: 32–37.
- ↑ Sheldon FH, Lohman DH, Lim HC, Zou F, Goodman SM, Prawiradilaga DM, Winker K, Braile TM, Moyle RG (2009). "Phylogeography of the magpie-robin species complex (Aves: Turdidae: Copsychus) reveals a Philippine species, an interesting isolating barrier and unusual dispersal patterns in the Indian Ocean and Southeast Asia" (PDF). Journal of Biogeography. 36 (6): 1070–1083. doi:10.1111/j.1365-2699.2009.02087.x.
- ↑ Baker, ECS (1924). The Fauna of British India, Including Ceylon and Burma. Birds. Vol. 2 (2nd ed.). Taylor and Francis, London. pp. 112–116.
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
- ↑ Linnaeus, Carolus (1760). Systema naturae. Halae Magdeburgicae : Typis et sumtibus Io. Iac. Curt.
- ↑ Blyth E. (1867). "The Ornithology of India. - A commentary on Dr. Jerdon's 'Birds of India'". Ibis. 3 (9): 1–48. doi:10.1111/j.1474-919x.1867.tb06417.x.
- ↑ Newton, Alfred (1893–1896). A Dictionary of Birds. Adam & Charles Black, London. p. 133.
- ↑ "Inventory of exotic (non-native) bird species known to be in Australia" (PDF). 2007.
- ↑ Pillai, NG (1956). "Incubation period and 'mortality rate' in a brood of the Magpie-Robin [Copsychus saularis (Linn.)]". J. Bombay Nat. Hist. Soc. 54 (1): 182–183.
- ↑ Hume, A.O. (1890). The nests and eggs of Indian birds. Vol. 2 (2nd ed.). R H Porter, London. pp. 80–85.
- ↑ Narayanan E. (1984). "Behavioural response of a male Magpie-Robin (Copsychus saularis Sclater) to its own song". J. Bombay Nat. Hist. Soc. 81 (1): 199–200.
- ↑ Cholmondeley, EC (1906). "Note on the Magpie Robin (Copsychus saularis)". J. Bombay Nat. Hist. Soc. 17 (1): 247.
- ↑ Sethi, Vinaya Kumar; Bhatt, Dinesh (2007). "Provisioning of young by the Oriental Magpie-robin". The Wilson Journal of Ornithology. 119 (3): 356–360. doi:10.1676/06-105.1.
- ↑ Aniroot Dunmak; Narit Sitasuwan (2007). "Song Dialect of Oriental Magpie-robin (Copsychus saularis) in Northern Thailand" (PDF). The Natural History Journal of Chulalongkorn University. 7 (2): 145–153. Archived from the original (PDF) on 2011-10-06. Retrieved 2020-06-01.
{{cite journal}}
: Unknown parameter|lastauthoramp=
ignored (|name-list-style=
suggested) (help) - ↑ Neelakantan, KK (1954). "The secondary song of birds". J. Bombay Nat. Hist. Soc. 52 (3): 615–620.
- ↑ Law, SC (1922). "Is the Dhayal Copsychus saularis a mimic?". J. Bombay Nat. Hist. Soc. 28 (4): 1133.
- ↑ Bhattacharya, H.; J. Cirillo; B.R. Subba; D. Todt (2007). "Song Performance Rules in the Oriental Magpie Robin (Copsychus salauris)" (PDF). Our Nature. 5: 1–13.
- ↑ Kumar, Anil; Bhatt, Dinesh (2002). "Characteristics and significance of song in female Oriental Magpie-Robin, Copysychus saularis". J. Bombay Nat. Hist. Soc. 99 (1): 54–58.
- ↑ Kumar, A.; Bhatt, D. (2001). "Characteristics and significance of calls in Oriental magpie robin" (PDF). Curr. Sci. 80: 77–82. Archived from the original (PDF) on 2009-03-19. Retrieved 2020-06-01.
{{cite journal}}
: Unknown parameter|lastauthoramp=
ignored (|name-list-style=
suggested) (help) - ↑ Bonnell, B (1934). "Notes on the habits of the Magpie Robin Copsychus saularis saularis Linn". J. Bombay Nat. Hist. Soc. 37 (3): 729–730.
- ↑ Sumithran, Stephen (1982). "Magpie-Robin feeding on geckos". J. Bombay Nat. Hist. Soc. 79 (3): 671.
- ↑ Saxena, Rajiv (1998). "Geckos as food of Magpie Robin". J. Bombay Nat. Hist. Soc. 95 (2): 347.
- ↑ Karthikeyan, S (1992). "Magpie Robin preying on a leech". Newsletter for Birdwatchers. 32 (3&4): 10.
- ↑ Kalita, Simanta Kumar (2000). "Competition for food between a Garden Lizard Calotes versicolor (Daudin) and a Magpie Robin Copsychus saularis Linn". J. Bombay Nat. Hist. Soc. 97 (3): 431.
- ↑ Sharma, Satish Kumar (1996). "Attempts of female Magpie Robin to catch a fish". J. Bombay Nat. Hist. Soc. 93 (3): 586.
- ↑ Donahue, Julian P (1962). "The unusual bath of a Lorikeet [Loriculus vernalis (Sparrman)] and a Magpie-Robin [Copsychus saularis (Linn.)]". J. Bombay Nat. Hist. Soc. 59 (2): 654.
- ↑ Huong SL, Sodhi NS (1997). "Status of the Oriental Magpie Robin Copsychus saularis in Singapore". Malay Nat. J. 50: 347–354.
{{cite journal}}
: Unknown parameter|lastauthoramp=
ignored (|name-list-style=
suggested) (help) - ↑ Yap, Charlotte A. M.; Navjot S. Sodhi (2004). "Southeast Asian invasive birds: ecology, impact and management". Ornithological Science. 3: 57–67.
{{cite journal}}
: Unknown parameter|lastauthoramp=
ignored (|name-list-style=
suggested) (help) - ↑ Ogaki, M. (1949). "Bird Malaria Parasites Found in Malay Peninsula". Am. J. Trop. Med. 29 (4): 459–462. doi:10.4269/ajtmh.1949.s1-29.459. PMID 18153046.
- ↑ Dennis J. Alexander (1992). Avian Influenza in the Eastern Hemisphere 1986-1992. Avian Diseases 47. Special Issue. Third International Symposium on Avian Influenza. 1992 Proceedings. pp. 7–19.
- ↑ Quarterly Epidemiology Report Jan-Mar 2006 (PDF). Hong Kong Government. 2006.
- ↑ Sultana, Ameer (1961). "A Known and a New Filariid from Indian Birds". The Journal of Parasitology. 47 (5): 713–714. doi:10.2307/3275453. JSTOR 3275453. PMID 13918345.
- ↑ Law, Satya Churn (1923). Pet birds of Bengal. Thacker, Spink & Co.
- ↑ "Doel is the mascot". The Daily Star (in ଇଂରାଜୀ). 2009-09-16. Retrieved 2017-12-18.
- ↑ "National Birds". The Daily Star (in ଇଂରାଜୀ). 2016-07-23. Retrieved 2017-12-18.
- ↑ "Fountainous reopening of Doyel Chattar". The Daily Star (in ଇଂରାଜୀ). 2016-05-08. Retrieved 2017-12-18.
- ↑ Anonymous (1998). "Vernacular Names of the Birds of the Indian Subcontinent" (PDF). Buceros. 3 (1): 53–109. Archived from the original (PDF) on 2010-04-01.
ଅନ୍ୟ ଉତ୍ସ
[ସମ୍ପାଦନା]- Mehrotra, P. N. 1982. Morphophysiology of the cloacal protuberance in the male Copsychus saularis (L.) (Aves, Passeriformes). Science and Culture 48:244–246.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]
- Oriental Magpie Robin videos, photos & sounds on the Internet Bird Collection
- Magpie-robin in Banglapedia