ଦହିଆଳ ପକ୍ଷୀ

ଉଇକିପିଡ଼ିଆ‌ରୁ

ଦହିଆଳ ପକ୍ଷୀ
ଦୟାଳୁ ପକ୍ଷୀ
ଅଣ୍ଡିରା ଓ ମାଈ ଦହିଆଳ ପକ୍ଷୀ (ଭାରତରେ ଉଠାଯାଇଥିବା ଏକ ଫଟୋ ଚିତ୍ର)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Muscicapidae
Genus: Copsychus
ଜାତି: C. saularis
ବାଇନୋମିଆଲ ନାମ
Copsychus saularis
(କାର୍ଲ୍ ଲିନାୟସ୍, ୧୭୫୮)
Synonyms

ଗ୍ରାକ୍ୟୁଲା ସୌଲାରିସ୍ (Gracula saularis) ଲିନାୟସ୍, ୧୭୫୮

ନେପାଳର ପୋଖରାରେ ଉଠାଯାଇଥିବା ଦହିଆଳ ପକ୍ଷୀର ଏକ ଚିତ୍ର

ଦହିଆଳ ପକ୍ଷୀ ବା ଦୟାଳୁ ପକ୍ଷୀ (ଇଂରାଜୀ ଭାଷାରେ Oriental Magpie-Robin,ଜୀବବିଜ୍ଞାନ ନାମ Copsychus saularis) ଏକ କ୍ଷୁଦ୍ରାକାର ପକ୍ଷୀ ଯାହାକୁ ପ୍ରଥମେ ଥ୍ରଷ୍ (Thrush) ପରିବାରର ସଦସ୍ୟ ଭାବେ ପରିଗଣନା କରାଯାଉଥିଲା; କିନ୍ତୁ ବର୍ତ୍ତମାନ ଏହାକୁ ମାଛିଖାଇ ପକ୍ଷୀ ପରିବାରରେ (Old World flycatcher) ସ୍ଥାନିତ କରାଯାଇଛି । କଳା-ଧଳା ମିଶା ରଙ୍ଗର ଏହି ପକ୍ଷୀର ଲାଞ୍ଜଟି ଲମ୍ବା ଏବଂ ଭୂମିରେ ବା ଉଚ୍ଚ ସ୍ଥାନରେ ବସି ଖାଇବା ବେଳେ ଏମାନଙ୍କ ଲାଞ୍ଜଟି ଉପରକୁ ଉଠି ରହିଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଥାଏ । ଭାରତୀୟ ଉପମହାଦେଶ ଓ ଦକ୍ଷିଣ-ପୂର୍ବ ଏସିଆରେ ବ୍ୟାପ୍ତ ଏହି ପକ୍ଷୀ ସାଧାରଣତଃ ଜଙ୍ଗଲରେ ଓ ସହରାଞ୍ଚଳର ଉଦ୍ୟାନରେ ପରିଲକ୍ଷିତ ହୋଇଥାଏ । ଦହିଆଳ ପକ୍ଷୀ ସୁନ୍ଦର କାକଳି ଧ୍ୱନି ବା ଗୀତ ସୃଷ୍ଟି କରେ ଓ ଏକଦା ଏମାନଙ୍କୁ ପଞ୍ଜୁରୀରେ ପୋଷା ମନାଇ ରଖିବା ପାଇଁ ବେଶ୍ ଲୋକଚାହିଦା ରହିଥିଲା । ଦହିଆଳ ପକ୍ଷୀ ବଙ୍ଗଳାଦେଶର ଜାତୀୟ ପକ୍ଷୀ ।

ବିବରଣୀ[ସମ୍ପାଦନା]

ମାଈ ଦହିଆଳ ପକ୍ଷୀ (ଭାରତରେ ଉଠାଯାଇଥିବା ଫଟୋଚିତ୍ର)

ଏହି ପ୍ରଜାତିର ପକ୍ଷୀ ପ୍ରାୟ ୧୯ ସେଣ୍ଟିମିଟର (୭.୫ ଇଞ୍ଚ୍) ଲମ୍ବା ଓ ଏହାର ଲାଞ୍ଜଟି ଲମ୍ବା । ଭୂମିରେ ଡେଇଁ ଡେଇଁ ଚାଲିବା ବେଳେ ଦହିଆଳ ପକ୍ଷୀ ନିଜ ଲାଞ୍ଜଟି ଆକାଶ ଆଡ଼କୁ ଟେକି ରଖିଥାଏ । ଗୀତ ଗାଇବା ବେଳେ କିନ୍ତୁ ଅନ୍ୟ ପକ୍ଷୀଙ୍କ ପରି ଦହିଆଳ ପକ୍ଷୀର ଲାଞ୍ଜଟି ନିଜ ସ୍ୱାଭାବିକ ସ୍ଥିତିରେ ଥାଏ । ଆକାରରେ ଦହିଆଳ ପକ୍ଷୀ ୟୁରୋପୀୟ ରବିନ୍ ପକ୍ଷୀ ପରି, କିନ୍ତୁ ଦହିଆଳ ପକ୍ଷୀର ଲାଞ୍ଜଟି ସାମାନ୍ୟ ଦୀର୍ଘତର । ଅଣ୍ଡିରା ଦହିଆଳ ପକ୍ଷୀର ମୁଣ୍ଡ, ବେକ ଓ ପିଠିର ଉପର ପଟ କଳା ରଙ୍ଗର, କେବଳ କାନ୍ଧ ପାଖରେ ଧଳା ରେଖା ରହିଥାଏ । ଲାଞ୍ଜର ଉପର ପଟ ଓ ପାର୍ଶ୍ୱସ୍ଥ ଅଂଶଗୁଡ଼ିକ ଧଳା ରଙ୍ଗର । ମାଈମାନଙ୍କ ଦେହର ଧଳା ଓ କଳା ଅଂଶ ଗାଢ଼ ନ ହୋଇ ସାମାନ୍ୟ ପାଉଁଶିଆ ମିଶା ଧଳା ଓ କଳା ରଙ୍ଗର ହୋଇଥାଏ । ତରୁଣ ଦହିଆଳର ମୁଣ୍ଡ ଓ ପିଠି ଉପରାଂଶ ମାଟିଆ ପରି ରଙ୍ଗର ହୋଇଥାଏ ।

ଦହିଆଳ ପକ୍ଷୀର ମୂଳନାମ ପ୍ରଜାତି ଭାରତୀୟ ଉପମହାଦେଶରେ ଦେଖାଯାନ୍ତି ଯାହାର ମାଈମାନେ ଅଣ୍ଡିରାଙ୍କ ଅପେକ୍ଷା ଫିକା ରଙ୍ଗର ହୋଇଥାନ୍ତି । ଆଣ୍ଡାମାନ ଦ୍ୱୀପପୁଞ୍ଜରେ ବାସ କରୁଥିବା ଦହିଆଳ (ଆଣ୍ଡାମାନେନ୍ସିସ୍) ପ୍ରଜାତିର ମାଈ ପକ୍ଷୀମାନଙ୍କ ରଙ୍ଗ ଅଣ୍ଡିରାଙ୍କ ଅପେକ୍ଷା ଗାଢ଼ ହୋଇଥାଏ, ମାଈମାନଙ୍କ ଥଣ୍ଟ ଓଜନିଆ ତଥା ଅଣ୍ଡିରାଙ୍କ ତୁଳନାରେ ଲାଞ୍ଜ ଛୋଟ ହୋଇଥାଏ । ଶ୍ରୀଲଙ୍କାର ସ୍ଥାନୀୟ ଦହିଆଳ ପକ୍ଷୀ (ସେଲୋନେନ୍ସିସ୍) ପୂର୍ବେ କାବେରୀ ନଦୀରୁ ଦକ୍ଷିଣକୁ ଭାରତୀୟ ଉପଦ୍ୱୀପରେ ମଧ୍ୟ ଦେଖାଯାଉଥିଲା ।[୨] ଏହି ସିଂହଳୀ ପ୍ରଜାତିର ମାଈ ଓ ଅଣ୍ଡିରା ପକ୍ଷୀ ଦେଖିବାକୁ ଏକା ପରି । ପୂର୍ବ ପଟେ ଭୁଟାନବଙ୍ଗଳାଦେଶର ଦହିଆଳ ପ୍ରଜାପତିଙ୍କୁ ପୂର୍ବେ ଏରିମେଲାସ୍ (erimelas) ନାମରେ ଜଣାଯାଉଥିଲା ଏବଂ ଏମାନଙ୍କ ଲାଞ୍ଜ ଅନ୍ୟ ପ୍ରଜାପତିଙ୍କ ଅପେକ୍ଷା କୃଷ୍ଣତର ।[୩] ବ୍ରହ୍ମଦେଶ ଓ ତାହାର ଦକ୍ଷିଣରେ ବାସ କରୁଥିବା ଦୟାଳୁ ପ୍ରଜାତିର ପକ୍ଷୀଙ୍କୁ ମ୍ୟୁଜିକସ୍ ( musicus) ବୋଲି ନାମିତ କରାଯାଇଛି ।[୪] ଅନ୍ୟ କିଛି ଦହିଆଳ ପକ୍ଷୀ ପ୍ରଜାତି ହେଲେ – ହଂକଂର ପ୍ରୋସଥୋପେଲସ୍ (prosthopellus), ନିସାୟୋଟିସ୍ (nesiotes), ଜାକ୍ନିକସ୍ (zacnecus), ନେସିଆର୍କସ୍ (nesiarchus), ମ୍ୟାସ୍କ୍ୟୁଲସ୍ (masculus), ପେଜିଏନ୍ସିସ୍ (pagiensis), ଜାଭେନ୍ସିସ୍ (javensis), ପ୍ରୋବ୍ଲେମାଟିକସ୍ (problematicus), ଏମିନସ୍ (amoenus), ଆଡାମ୍ସି (adamsi), ପ୍ଲୁଟୋ (pluto), ଡ୍ୟୁଟେରୋନିମସ୍ (deuteronymus) ଏବଂ ମିଣ୍ଡାନେନ୍ସିସ୍ (mindanensis)[୫] ଏଥିରୁ ଅନେକ ପ୍ରଜାତି ସଠିକ ନିର୍ଣ୍ଣିତ ହୋଇନାହାନ୍ତି ଓ କିଛି ପ୍ରଜାତିର ସ୍ଥିତି ସମ୍ପର୍କିତ ମତରେ ପାର୍ଥକ୍ୟ ମଧ୍ୟ ରହିଛି ।[୬] ଫିଲିପାଇନ୍ସର ମିଣ୍ଡାନେନ୍ସିସ୍ ଦହିଆଳ ପକ୍ଷୀ ପ୍ରଜାତିକୁ ସମ୍ପୂର୍ଣ୍ଣ ଭାବେ ସ୍ୱତନ୍ତ୍ର ପ୍ରଜାତି ବୋଲି ଚିହ୍ନଟ କରାଯାଇଛି ।[୭] ଭୌଗୋଳିକ ବିତରଣ ଅନୁଯାୟୀ ବିଭିନ୍ନ ପ୍ରଜାତିର ଅଣ୍ଡିରାଙ୍କ ଅପେକ୍ଷା ମାଈମାନଙ୍କ ରଙ୍ଗରେ ଅଧିକ ତାରତମ୍ୟ ପରିଲକ୍ଷିତ ହୋଇଥାଏ ।[୮]

ଦହିଆଳ ପକ୍ଷୀ ପ୍ରାୟ ଭୂମିରେ ବା ଭୂମିଠାରୁ ଅଳ୍ପ ଉଚ୍ଚତାରେ ଗଛ ଉପରେ ଦେଖିବାକୁ ମିଳେ । ଏମାନେ ନିଜ ଲାଞ୍ଜ ଟେକି ଡେଇଁ ଡେଇଁ ଗଛର ଶାଖା ବା ପତ୍ର ଗଦାରୁ ନିଜ ଖାଦ୍ୟ ଖୋଜି ଖାଉଥାନ୍ତି । ମିଳନ ଋତୁରେ ଅଣ୍ଡିରାମାନେ ବଡ଼ ଗଛ ଡାଳରୁ ଉଚ୍ଚ ସ୍ୱରରେ ସୁନ୍ଦର ଗୀତ ଗାଇବା ଶୁଣାଯାଏ ।[୩]

ନାମକରଣର ଇତିହାସ[ସମ୍ପାଦନା]

ଜନ୍ ରଏଙ୍କ ୧୭୧୩ ମସିହାର ପୁସ୍ତକ Synopsis methodicam avium & pisciumରେ ଦହିଆଳ ପକ୍ଷୀର ବର୍ଣ୍ଣନା ପ୍ରଦାନ କରୁଥିବା ଚିତ୍ର

ଏହାର ପେଟ ଦହି ପରି ଧଳା ଥିବାରୁ ଏପରି ନାମକରଣ କରାଯାଇଛି । ଦଇଆଳ, ଦଇୟାଳ, ଦୟାଳ ଓ ଦୟାଳୁ ପକ୍ଷୀ ପ୍ରଭୃତି ଏହାର ଅନ୍ୟାନ୍ୟ କଥିତ ନାମ ।[୯] ଏହି ପକ୍ଷୀର ଅନ୍ୟ ଭାରତୀୟ ଭାଷାରେ ସ୍ଥାନୀୟ ନାମ ହେଲା ଧ୍ୟାଲ୍ ବା ଧୟାଲ୍ ଏବଂ ଏହି ନାମ ବିଦେଶୀ ପକ୍ଷୀବିଜ୍ଞାନୀମାନଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା । ଧ୍ୟାଲ୍‍କୁ ଇଂରାଜୀରେ ଢ୍ୟାଲ୍ ବା ଡାୟାଲ୍ ବୋଲି ମନେ କରି ୧୭୩୭ ମସିହାରେ ପ୍ରଥମେ ଏଲିଜାର୍ ଆଲ୍‍ବିନ୍ ଏହାକୁ ଡାୟାଲ୍ ବର୍ଡ୍ ବୋଲି କହିଥିଲେ (ପୁସ୍ତକ - Suppl. N. H. Birds, i. p. 17, pls. xvii. xviii.)। ଆଉ ଜଣେ ବିଜ୍ଞାନୀ ଲେଫେଲଁ ଏହି ପକ୍ଷୀ ସୌର ଫଳକ (ଇଂରାଜୀରେ ସନ୍ ଡାୟାଲ୍ - sun dial) ସହ ସମ୍ପର୍କିତ ବୋଲି ଏହାକୁ ନିଜ ମାତୃଭାଷା ଫରାସୀରେ କେଡ୍ରଁ (Cadran) ବୋଲି ନାମିତ କରିଥିଲେ (ପୁସ୍ତକ - Ois. d'Afr. iii. p. 50) । ଥୋମାସ୍ ଜେର୍ଡନଙ୍କ ଅନୁସାରେ କାର୍ଲ୍ ଲିନାୟସ୍[୧୦] ସୌର ଫଳକ ସହ ସମ୍ପର୍କ ବଜାୟ ରଖିବାକୁ ଯାଇ ଏହି ପକ୍ଷୀର ଜୀବବିଜ୍ଞାନ ନାମରେ ତ୍ରୁଟିପୂର୍ଣ୍ଣ ଭାବେ ସୋଲାରିସ୍ ବା ସୌଲାରିସ୍ ଶବ୍ଦ ଯୋଡ଼ିଥିଲେ (ପୁସ୍ତକ - B. India, ii. p. 1l6) । ପରବର୍ତ୍ତୀ ସମୟରେ ଏଡ୍ୱାର୍ଡ୍ ବ୍ଲାଇଥ୍ ଏହି ଭ୍ରମ ଧାରଣା ଓ ପକ୍ଷୀର ବୈଜ୍ଞାନିକ ନାମର ପ୍ରକୃତ କାରଣ ପ୍ରକାଶ କରିଥିଲେ । ହିନ୍ଦୀ ଭାଷାର ଶବ୍ଦ (ଶୌ ଲୋରି – ଅର୍ଥାତ୍ ୧୦୦ ଗୀତ)ର ଲାଟିନ୍ ରୂପାନ୍ତରଣ ଓ ଅପଭ୍ରଂଶରେ ସୌଲାରିସ୍ ଶବ୍ଦ ସୃଷ୍ଟି ହୋଇଥିବା ବିଷୟ ସେ ପ୍ରକାଶ କରିଥିଲେ । ମାନ୍ଦ୍ରାଜର ଏଡ୍ୱାର୍ଡ୍ ବକ୍ଲି ନାମକ ଜଣେ ଶଲ୍ୟ ଚିକିତ୍ସକ ଜେମ୍ସ୍ ପେଟିଭେରଙ୍କ ପାଖକୁ ଏକ ଅଣ୍ଡିରା ଦହିଆଳ ପକ୍ଷୀ ଓ ଏହାର ହିନ୍ଦୀ ନାମ ଲେଖା କାଗଜ ପଠାଇଥିଲେ । ଜେମ୍ସ ପରେ ଦହିଆଳ ପକ୍ଷୀର ବର୍ଣ୍ଣନା ଲେଖିଥିଲେ (Ray, Synops. Meth. Avium, ପୃଷ୍ଠା ୧୯୭) ।[୧୧][୧୨]

ଭୌଗୋଳିକ ବିତରଣ ଓ ପରିବାସ[ସମ୍ପାଦନା]

ଦହିଆଳ ପକ୍ଷୀ କ୍ରାନ୍ତୀୟ ଦକ୍ଷିଣ ଏସିଆ ଅଞ୍ଚଳର ବଙ୍ଗଳାଦେଶ, ଭାରତ, ଶ୍ରୀଲଙ୍କା, ପୂର୍ବ ପାକିସ୍ତାନ, ପୂର୍ବ ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ୍, ଦକ୍ଷିଣ ଚୀନ, ମାଲେସିଆ, ସିଙ୍ଗାପୁର ଇତ୍ୟାଦି ଅଞ୍ଚଳର ସ୍ଥାନୀୟ ପକ୍ଷୀ ।[୩] ପରବର୍ତ୍ତୀ ସମୟରେ ଅଷ୍ଟ୍ରେଲିଆରେ ମଧ୍ୟ ଏହି ପକ୍ଷୀଙ୍କୁ ଆଣି ଛଡ଼ା ଯାଇଥିଲା ।[୧୩]

ଖୋଲା ବଣ ଏବଂ ଜନବସତି ନିକଟରେ ଚାଷଜମିମାନଙ୍କ ନିକଟରେ ଦହିଆଳ ପକ୍ଷୀ ଦେଖିବାକୁ ମିଳନ୍ତି ।

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ୱିସ୍‍ବାଡେନ୍ ସଂଗ୍ରହାଳୟରେ ରଖାଯାଇଥିବା ଦହିଆଳ ପକ୍ଷୀର ଅଣ୍ଡା

ଭାରତରେ ମାର୍ଚ୍ଚରୁ ଜୁଲାଇ ମାସ ଓ ଦକ୍ଷିଣ-ପୂର୍ବ ଏସିଆରେ ଜାନୁଆରୀରୁ ଜୁନ୍ ମାସ ପର୍ଯ୍ୟନ୍ତ ଦହିଆଳ ପକ୍ଷୀଙ୍କ ପ୍ରଜନନ ସମୟ । ମିଳନ ଋତୁରେ ଅଣ୍ଡିରାମାନେ ଉଚ୍ଚ ସ୍ଥାନରୁ କାକଳି ରାବ କରି ମାଈମାନଙ୍କୁ ଆକୃଷ୍ଟ କରନ୍ତି । ଅଣ୍ଡିରାମାନେ ନିଜର ପର ଫୁଲାଇ, ଥଣ୍ଟ ଉପରକୁ କରି, ଲାଞ୍ଜର ପର ବିଞ୍ଛଣା ପରି ପ୍ରସାରିତ କରି ଓ ଗର୍ବ ଭଙ୍ଗୀରେ ଚାଲି ପ୍ରଦର୍ଶନ କରନ୍ତି ।[୨] ଦହିଆଳ ପକ୍ଷୀମାନେ ଗଛର କୋରଡ଼ରେ, ଘର ଓ ଅଟ୍ଟାଳିକାର କାନ୍ଥ ଉପରେ ନିଜର ବସା ବାନ୍ଧିଥାନ୍ତି । ବସାର ପାର୍ଶ୍ୱକୁ ସେମାନେ ଘାସ, କୁଟା ଇତ୍ୟାଦିରେ ନିର୍ମାଣ କରନ୍ତି । ମାଈ ପକ୍ଷୀମାନେ ବସା ବାନ୍ଧିବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଅଣ୍ଡା ଦେବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ମାଈମାନେ ବସା ନିର୍ମାଣ ଆରମ୍ଭ କରିଦିଅନ୍ତି । ୨୪ ଘଣ୍ଟା ସମୟ ମଧ୍ୟରେ ମାଈ ଦହିଆଳ ପକ୍ଷୀ ୪-୫ଟି ଅଣ୍ଡା ଦେଇଥାଏ । ଅଣ୍ଡାଗୁଡ଼ିକ ଫିକା ନୀଳ ସାଗୁଆ ମିଶା ପାଳ ପରି ରଙ୍ଗର ହୋଇଥାନ୍ତି । ମାଈ ପକ୍ଷୀ ଏକାକୀ ୮-୧୪ ଦିନ ପର୍ଯ୍ୟନ୍ତ ଅଣ୍ଡାଗୁଡ଼ିକୁ ଉଷୁମାଇଥାଏ ।[୧୪][୧୫]

ଶ୍ରୀଲଙ୍କାର ଏକ ତରୁଣ ଦହିଆଳ ପକ୍ଷୀ

ଶାବକଙ୍କୁ ଆହାର ଯୋଗାଇ ଦେବାରେ ମଧ୍ୟ ଅଣ୍ଡିରାମାନଙ୍କ ତୁଳନାରେ ମାଈ ପକ୍ଷୀଙ୍କର ଅଧିକ ଭୂମିକା ରହିଥାଏ । ପ୍ରଜନନ ଋତୁରେ ଅଣ୍ଡିରା ପକ୍ଷୀମାନେ ଖୁବ୍ ଆକ୍ରମଣାତ୍ମକ ସ୍ୱଭାବ ପ୍ରଦର୍ଶନ କରନ୍ତି ଓ ନିଜ କ୍ଷେତ୍ରକୁ ନିୟନ୍ତ୍ରଣ କରନ୍ତି ।[୧୬] ଅନ୍ୟ କୌଣସି ଅଣ୍ଡିରା ତାଙ୍କ କ୍ଷେତ୍ରର ସୀମା ମଧ୍ୟରେ ରାବିଲେ ବା ଅନ୍ୟ ଅଣ୍ଡିରାକୁ ଦେଖିଲେ ସେମାନେ ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇଉଠନ୍ତି ।[୧୭] ଅଣ୍ଡିରାମାନେ ଅଧିକାଂଶ ସମୟ ବସାକୁ ଜଗିବାରେ ଅତିବାହିତ କରିଥାନ୍ତି ।[୧୮] ଏହି ପକ୍ଷୀମାନଙ୍କ ବିଷୟରେ କରାଯାଇଥିବା ଅଧ୍ୟୟନରୁ ଜଣାଯାଏ ଯେ ସେମାନଙ୍କ ରାବରେ ସାମାନ୍ୟ ଭାଷାଗତ ସ୍ୱାତନ୍ତ୍ର୍ୟ ରହିଥାଏ[୧୯] ଓ ଦୁଇଟି ପଡ଼ୋଶୀ ପକ୍ଷୀଙ୍କ ରାବ ମଧ୍ୟ ଅଳ୍ପ ଅଲଗା ହୋଇପାରେ । ରାବିଲା ବେଳେ ଦହିଆଳ ପକ୍ଷୀ ଅନ୍ୟ ପକ୍ଷୀଙ୍କ ରାବର ଅନୁକରଣ ମଧ୍ୟ କରିପାରେ ।[୨୦][୨୧] ଏଥିରୁ ଅନୁମାନ କରାଯାଏ ଯେ ଏହି ପକ୍ଷୀମାନେ ସ୍ୱଭାବରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବା ପକ୍ଷୀ ନୁହଁନ୍ତି ।[୨୨] ଅଣ୍ଡିରାମାନଙ୍କ ସହିତ ଥିବା ବେଳେ ମାଈମାନେ ମଧ୍ୟ କାକଳି ଗାଇବା ଦେଖାଯାଏ ।[୨୩] ସୁନ୍ଦର ଗୀତ ଛଡ଼ା ଏମାନେ ସୃଷ୍ଟି କରୁଥିବା ବିଭିନ୍ନ ଶବ୍ଦ କ୍ଷେତ୍ର ନିୟନ୍ତ୍ରଣ କରିବା, ବିପଦ ସଙ୍କେତ ସୂଚନା ଦେବା, ଧମକାଇବା, ଯାଚନା କରିବା, ଆଶ୍ରୟ ଗ୍ରହଣ କରିବା, ଦୁଃଖରେ ଥିବା ଆଦି ଭାବନା ବ୍ୟକ୍ତ କରିଥାଏ ।[୨୪] ଏମାନେ ଏକ ପ୍ରକାରର କର୍କଷ ଧ୍ୱନି ମଧ୍ୟ ସୃଷ୍ଟି କରନ୍ତି ।[୨][୩][୨୫]

ବିଭିନ୍ନ ପୋକ ଓ କ୍ଷୁଦ୍ର ଅମେରୁଦଣ୍ଡୀ ପ୍ରାଣୀ ଦହିଆଳ ପକ୍ଷୀର ମୁଖ୍ୟ ଆହାର । ଏହି କୀଟଭକ୍ଷୀ ପକ୍ଷୀ ବେଳେବେଳେ ଫୁଲରୁ ବାହାରୁଥିବା ରସ, ଝିଟିପିଟି[୨୬][୨୭], ଯୋକ[୨୮], ସମ୍ବାଳୁଆ[୨୯] ଓ ଏପରିକି ମାଛ ଖାଇବା ମଧ୍ୟ ଦେଖାଯାଇଛି ।[୩୦]

ବହୁ ସମୟରେ ଗୋଧୂଳିର ଶେଷ ଆଡ଼କୁ ଏମାନେ ସକ୍ରିୟ ଥାଆନ୍ତି ।[୩] ଏମାନେ ଗଛ ପତ୍ରରେ ଜମା ହୋଇଥିବା ବର୍ଷା ପାଣିରେ ଗାଧୋଇବା ମଧ୍ୟ ଦେଖାଯାଇଛି ।[୩୧]

ସଂରକ୍ଷଣ ସ୍ଥିତି[ସମ୍ପାଦନା]

ଯଦିଓ ବିଶ୍ୱ ସ୍ତରରେ ଏହି ପକ୍ଷୀର ସଂରକ୍ଷଣ ସ୍ଥିତି "ଚିନ୍ତାର କାରଣ ନୁହେଁ (little concern)" ବୋଲି କୁହାଯାଉଛି, ତଥାପି କିଛି ଅଞ୍ଚଳରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ସିଙ୍ଗାପୁରହଂକଂରେ (ଏଠାରେ ଦହିଆଳ ପକ୍ଷୀର ପ୍ରଚଳିତ ମାଳୟ ନାମ ମୁରାଇ କାମ୍ପୁଂଗ୍/କ୍ୟାକିଂ) ୧୯୨୦ ଦଶନ୍ଧି ପର୍ଯ୍ୟନ୍ତ ଏମାନଙ୍କୁ ଦେଖିବା ଏକ ସାଧାରଣ ବିଷୟ ଥିଲା । କିନ୍ତୁ ସମ୍ଭବତଃ ବଣିମାନଙ୍କ ସଂଖ୍ୟା ଓ ତତ୍-ସମ୍ପର୍କିତ ପ୍ରତିଯୋଗିତା ବଢ଼ିବାରୁ ୧୯୭୦ ଦଶନ୍ଧି ବେଳକୁ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାକୁ ଲାଗିଲା ।[୩୨] ପୋଷା ମନାଇବା ପାଇଁ ଫାଶ ପକାଇ ଧରିବା, ପରିବାସ ନଷ୍ଟ ଓ ପକ୍ଷୀ ବ୍ୟବସାୟ ମଧ୍ୟ ଏହାର ଅନ୍ୟାନ୍ୟ କାରଣ ସାଜିବାରୁ ଦହିଆଳ ପକ୍ଷୀଙ୍କୁ ସ୍ଥାନୀୟ ଆଇନର ସୁରକ୍ଷା ପ୍ରଦାନ କରାଯାଉଛି ।[୩୩]

ଢାକା ସହରର ଡୋଏଲ୍ ଛକ

କିଛି ଶିକାରୀ ପକ୍ଷୀ ଦହିଆଳ ପକ୍ଷୀଙ୍କ ଶିକାର ମଧ୍ୟ କରିଥାନ୍ତି । ବିଭିନ୍ନ ଭୂତାଣୁ ଓ ପରଜୀବୀ ଜୀବାଣୁ ମଧ୍ୟ ଏମାନଙ୍କୁ ଆକ୍ରାନ୍ତ କରିପାରନ୍ତି । ପକ୍ଷୀଙ୍କ ମ୍ୟାଲେରିଆ ଜୀବାଣୁଠାରୁ ଏମାନେ ସୁରକ୍ଷିତ[୩୪], କିନ୍ତୁ ଦହିଆଳ ପକ୍ଷୀମାନେ ଏଚ୍୪ଏନ୍୩ (H4N3)[୩୫] ଓ ଏଚ୍୫ଏନ୍୧ (H5N1)ଦ୍ୱାରା ଆକ୍ରାନ୍ତ ହେବା ଦେଖାଯାଇଛି ।[୩୬] ଏମାନଙ୍କ ଆଖିକୁ ପରଜୀବୀ ଆକ୍ରାନ୍ତ କରିବା ମଧ୍ୟ ଦେଖାଯାଇଛି ।[୩୭]

ସଂସ୍କୃତିରେ ଦହିଆଳ ପକ୍ଷୀ[ସମ୍ପାଦନା]

ସୁନ୍ଦର ଗୀତ ଗାଉଥିବାରୁ ଓ ପକ୍ଷୀ ଲଢ଼େଇ ପାଇଁ ପୂର୍ବେ ଭାରତରେ ଏମାନଙ୍କୁ ପଞ୍ଜୁରୀରେ ପୋଷା ମନାଇ ରଖାଯାଉଥିଲା ।[୩୮] ଦକ୍ଷିଣ-ପୂର୍ବ ଏସିଆରେ ଏଯାବତ ଏମାନଙ୍କ ବ୍ୟବସାୟ ହେବାର ପ୍ରଥା ଚାଲିଛି ।

ବଙ୍ଗଳାଦେଶରେ ଦହିଆଳ ପକ୍ଷୀକୁ ଦୋୟେଲ୍ (ବଙ୍ଗଳା ଭାଷାରେ দোয়েল) ବା ଦୋଏଲ୍ ବୋଲି କୁହାଯାଏ ।[୩୯] ବଙ୍ଗଳାଦେଶରେ ଦହିଆଳ ପକ୍ଷୀ ବିଭିନ୍ନ ସାଙ୍କେତିକ ଚିହ୍ନରେ ଓ କାଗଜ ମୁଦ୍ରାର ଚିତ୍ରରେ ପ୍ରକାଶିତ । ଢାକା ସହରରେ ଦୋଏଲ୍ ଛତ୍ତର୍ (ଅର୍ଥାତ୍ - ଦୋଏଲ୍ ଛକ) ନାମକ ଏକ ଜଣାଶୁଣା ଛକ ମଧ୍ୟ ରହିଛି ।[୪୦][୪୧]

ଶ୍ରୀଲଙ୍କାରେ ଏହି ପକ୍ଷୀ ପୋଲକିଚ୍ଚା ନାମରେ ଜଣାଶୁଣା ।[୪୨]

ଆଧାର[ସମ୍ପାଦନା]

  1. BirdLife International. 2017. Copsychus saularis (amended version of 2016 assessment). The IUCN Red List of Threatened Species 2017: e.T103893432A111178145. https://dx.doi.org/10.2305/IUCN.UK.2017-1.RLTS.T103893432A111178145.en. Downloaded on 24 May 2018.
  2. ୨.୦ ୨.୧ ୨.୨ Ali, S; S D Ripley (1997). Handbook of the birds of India and Pakistan. Vol. 8 (2nd ed.). Oxford University Press. pp. 243–247. ISBN 978-0-19-562063-4. {{cite book}}: Unknown parameter |lastauthoramp= ignored (|name-list-style= suggested) (help)
  3. ୩.୦ ୩.୧ ୩.୨ ୩.୩ ୩.୪ Rasmussen PC; JC Anderton (2005). Birds of South Asia. The Ripley Guide. Volume 2. Smithsonian Institution and Lynx Edicions. p. 395. {{cite book}}: Unknown parameter |lastauthoramp= ignored (|name-list-style= suggested) (help)
  4. Baker, ECS (1921). "Handlist of the birds of the Indian empire". J. Bombay Nat. Hist. Soc. 27 (4): 87–88.
  5. Ripley, S D (1952). "The thrushes". Postilla. 13: 1–48.
  6. Hoogerwerf, A (1965). "Notes on the taxonomy of Copsychus saularis with special reference to the subspecies amoenus and javensis" (PDF). Ardea. 53: 32–37.
  7. Sheldon FH, Lohman DH, Lim HC, Zou F, Goodman SM, Prawiradilaga DM, Winker K, Braile TM, Moyle RG (2009). "Phylogeography of the magpie-robin species complex (Aves: Turdidae: Copsychus) reveals a Philippine species, an interesting isolating barrier and unusual dispersal patterns in the Indian Ocean and Southeast Asia" (PDF). Journal of Biogeography. 36 (6): 1070–1083. doi:10.1111/j.1365-2699.2009.02087.x.
  8. Baker, ECS (1924). The Fauna of British India, Including Ceylon and Burma. Birds. Vol. 2 (2nd ed.). Taylor and Francis, London. pp. 112–116.
  9. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
  10. Linnaeus, Carolus (1760). Systema naturae. Halae Magdeburgicae : Typis et sumtibus Io. Iac. Curt.
  11. Blyth E. (1867). "The Ornithology of India. - A commentary on Dr. Jerdon's 'Birds of India'". Ibis. 3 (9): 1–48. doi:10.1111/j.1474-919x.1867.tb06417.x.
  12. Newton, Alfred (1893–1896). A Dictionary of Birds. Adam & Charles Black, London. p. 133.
  13. "Inventory of exotic (non-native) bird species known to be in Australia" (PDF). 2007.
  14. Pillai, NG (1956). "Incubation period and 'mortality rate' in a brood of the Magpie-Robin [Copsychus saularis (Linn.)]". J. Bombay Nat. Hist. Soc. 54 (1): 182–183.
  15. Hume, A.O. (1890). The nests and eggs of Indian birds. Vol. 2 (2nd ed.). R H Porter, London. pp. 80–85.
  16. Narayanan E. (1984). "Behavioural response of a male Magpie-Robin (Copsychus saularis Sclater) to its own song". J. Bombay Nat. Hist. Soc. 81 (1): 199–200.
  17. Cholmondeley, EC (1906). "Note on the Magpie Robin (Copsychus saularis)". J. Bombay Nat. Hist. Soc. 17 (1): 247.
  18. Sethi, Vinaya Kumar; Bhatt, Dinesh (2007). "Provisioning of young by the Oriental Magpie-robin". The Wilson Journal of Ornithology. 119 (3): 356–360. doi:10.1676/06-105.1.
  19. Aniroot Dunmak; Narit Sitasuwan (2007). "Song Dialect of Oriental Magpie-robin (Copsychus saularis) in Northern Thailand" (PDF). The Natural History Journal of Chulalongkorn University. 7 (2): 145–153. Archived from the original (PDF) on 2011-10-06. Retrieved 2020-06-01. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  20. Neelakantan, KK (1954). "The secondary song of birds". J. Bombay Nat. Hist. Soc. 52 (3): 615–620.
  21. Law, SC (1922). "Is the Dhayal Copsychus saularis a mimic?". J. Bombay Nat. Hist. Soc. 28 (4): 1133.
  22. Bhattacharya, H.; J. Cirillo; B.R. Subba; D. Todt (2007). "Song Performance Rules in the Oriental Magpie Robin (Copsychus salauris)" (PDF). Our Nature. 5: 1–13.
  23. Kumar, Anil; Bhatt, Dinesh (2002). "Characteristics and significance of song in female Oriental Magpie-Robin, Copysychus saularis". J. Bombay Nat. Hist. Soc. 99 (1): 54–58.
  24. Kumar, A.; Bhatt, D. (2001). "Characteristics and significance of calls in Oriental magpie robin" (PDF). Curr. Sci. 80: 77–82. Archived from the original (PDF) on 2009-03-19. Retrieved 2020-06-01. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  25. Bonnell, B (1934). "Notes on the habits of the Magpie Robin Copsychus saularis saularis Linn". J. Bombay Nat. Hist. Soc. 37 (3): 729–730.
  26. Sumithran, Stephen (1982). "Magpie-Robin feeding on geckos". J. Bombay Nat. Hist. Soc. 79 (3): 671.
  27. Saxena, Rajiv (1998). "Geckos as food of Magpie Robin". J. Bombay Nat. Hist. Soc. 95 (2): 347.
  28. Karthikeyan, S (1992). "Magpie Robin preying on a leech". Newsletter for Birdwatchers. 32 (3&4): 10.
  29. Kalita, Simanta Kumar (2000). "Competition for food between a Garden Lizard Calotes versicolor (Daudin) and a Magpie Robin Copsychus saularis Linn". J. Bombay Nat. Hist. Soc. 97 (3): 431.
  30. Sharma, Satish Kumar (1996). "Attempts of female Magpie Robin to catch a fish". J. Bombay Nat. Hist. Soc. 93 (3): 586.
  31. Donahue, Julian P (1962). "The unusual bath of a Lorikeet [Loriculus vernalis (Sparrman)] and a Magpie-Robin [Copsychus saularis (Linn.)]". J. Bombay Nat. Hist. Soc. 59 (2): 654.
  32. Huong SL, Sodhi NS (1997). "Status of the Oriental Magpie Robin Copsychus saularis in Singapore". Malay Nat. J. 50: 347–354. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  33. Yap, Charlotte A. M.; Navjot S. Sodhi (2004). "Southeast Asian invasive birds: ecology, impact and management". Ornithological Science. 3: 57–67. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  34. Ogaki, M. (1949). "Bird Malaria Parasites Found in Malay Peninsula". Am. J. Trop. Med. 29 (4): 459–462. doi:10.4269/ajtmh.1949.s1-29.459. PMID 18153046.
  35. Dennis J. Alexander (1992). Avian Influenza in the Eastern Hemisphere 1986-1992. Avian Diseases 47. Special Issue. Third International Symposium on Avian Influenza. 1992 Proceedings. pp. 7–19.
  36. Quarterly Epidemiology Report Jan-Mar 2006 (PDF). Hong Kong Government. 2006.
  37. Sultana, Ameer (1961). "A Known and a New Filariid from Indian Birds". The Journal of Parasitology. 47 (5): 713–714. doi:10.2307/3275453. JSTOR 3275453. PMID 13918345.
  38. Law, Satya Churn (1923). Pet birds of Bengal. Thacker, Spink & Co.
  39. "Doel is the mascot". The Daily Star (in ଇଂରାଜୀ). 2009-09-16. Retrieved 2017-12-18.
  40. "National Birds". The Daily Star (in ଇଂରାଜୀ). 2016-07-23. Retrieved 2017-12-18.
  41. "Fountainous reopening of Doyel Chattar". The Daily Star (in ଇଂରାଜୀ). 2016-05-08. Retrieved 2017-12-18.
  42. Anonymous (1998). "Vernacular Names of the Birds of the Indian Subcontinent" (PDF). Buceros. 3 (1): 53–109. Archived from the original (PDF) on 2010-04-01.

ଅନ୍ୟ ଉତ୍ସ[ସମ୍ପାଦନା]

  • Mehrotra, P. N. 1982. Morphophysiology of the cloacal protuberance in the male Copsychus saularis (L.) (Aves, Passeriformes). Science and Culture 48:244–246.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]