ଓଡ଼ିଶା ମିଶନ ପ୍ରେସ
ସ୍ଥାପନା | ୧୮୩୮ |
---|---|
ପ୍ରତିଷ୍ଠାତା | ଉଇଲିଅମ ଚାର୍ଲସ ଲେସି |
ଆରମ୍ଭ ସ୍ଥାନ | ଭାରତ |
ମୁଖ୍ୟାଳୟ | କଟକ |
ବିତରଣ | ଓଡ଼ିଶା |
ମୁଖ୍ୟବ୍ୟକ୍ତି | ଉଇଲିଅମ ଚାର୍ଲସ ଲେସି |
ପ୍ରକାଶ ପ୍ରକାର | ବହି, ପାଠ୍ୟପୁସ୍ତକ, ପତ୍ରିକା |
ବିଭାବ | ଧର୍ମ, ଶିକ୍ଷା, ଓଡ଼ିଆ ଭାଷା ଓ ସଂସ୍କୃତି |
ଓଡ଼ିଶା ମିଶନ ପ୍ରେସ, କଟକ ମିଶନ ପ୍ରେସ ବା ମିଶନ ପ୍ରେସ ନାମରେ ମଧ୍ୟ ପରିଚିତ, ୧୮୩୮ ମସିହାରେ କଟକରେ ଅବସ୍ଥାପିତ ହୋଇଥିବା ଏକ ଛାପାଖାନା ଥିଲା । ଓଡ଼ିଶାର ଏହି ପ୍ରଥମ ଛାପାଖାନାରେ ମିସନାରି ଚାର୍ଲସ ଲେସିଙ୍କ ତତ୍ତ୍ୱାବଧାନତାରେ ଏକ ହାତଚଳା ଛାପାକଳ ବ୍ରିଟେନରେ ତିଆରି କରି ଓଡ଼ିଶାକୁ ଅଣାଯାଇଥିଲା । ଏହି ପ୍ରେସଟି କଟକର ଗୋଟିଏ ପୁରୁଣା ସ୍କୁଲ ଘରେ ପ୍ରତିଷ୍ଠା କରାଯାଇଥିଲା ଓ ଏଥିରେ ମୁଦ୍ରିତ ପ୍ରଥମ ବହି ଥିଲା ଗୁଣ୍ଡିଚା ଯାତ୍ରାର ମହାଶ୍ଚର୍ଯ୍ୟ ଫଳ । ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରଚାର ପାଇଁ ଆରମ୍ଭ ହୋଇଥିବା ଓଡ଼ିଶା ମିଶନ ଏହି ଛାପାଖାନା ପ୍ରତିଷ୍ଠାବେଳକୁ କଟକ ଓ ପୁରୀରେ ଦୁଇଟି ପ୍ରାଇମେରି ସ୍କୁଲ ଆରମ୍ଭ କରିସାରିଥିବାରୁ ନୂଆ ଓଡ଼ିଆ ପାଠ୍ୟପୁସ୍ତକ ଦରକାର ପଡ଼ୁଥିବାରୁ ଏହି ପ୍ରେସଟିରେ ଆରମ୍ଭରୁ ଅନେକ ବହି ଛପା କାମ ଚାଲିଥିଲା ।[୧] ଏହି ପ୍ରେସରେ ମୁଦ୍ରିତ ଅନ୍ୟାନ୍ୟ ଉଲ୍ଲେଖନୀୟ ପୁସ୍ତକ ମଧ୍ୟରେ ପ୍ରମୁଖ ଓଡ଼ିଆ ଅଭିଧାନ ଉତ୍କଳ ଭାଷାର୍ଥାଭିଧାନ (ଇଂରାଜୀ: Oriya Dictionary with Synonyms), ପ୍ରଥମ ଓଡ଼ିଆ ପତ୍ରିକା ଜ୍ଞାନାଋଣ, ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ପତ୍ରିକା ପ୍ରବୋଧ ଚନ୍ଦ୍ରିକା ଓ ମୁକୁର, ଏବଂ ଅନେକ ପାଠ୍ୟପୁସ୍ତକ ଛପାଯାଇଥିଲା ।
ଇତିହାସ
[ସମ୍ପାଦନା]୧୮୧୧ ମସିହାରୁ ମିଶନାରୀମାନେ ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରଚାର ପାଇଁ କଟକକୁ କେନ୍ଦ୍ରସ୍ଥଳ ରୂପେ ବାଛିଥିଲେ । ଧର୍ମପ୍ରଚାରକମାନେ ଆଧୁନିକ ଛାପାକଳଦ୍ୱାରା ଧର୍ମଗ୍ରନ୍ଥ ଛପାଉଥିଲେ । ପ୍ରଥମ ଓଡ଼ିଆ ବହିସବୁ ୧୮୧୧ରୁ ଆରମ୍ଭ କରି କଲିକତା ନିକଟସ୍ଥ ଶ୍ରୀରାମପୁର ମିଶନ ପ୍ରେସରେ ଆରମ୍ଭ ହୋଇଥିଲା । ଓଡ଼ିଆ ଭାଷାର ପ୍ରଥମ ବାଇବେଲ ଥିଲା ୧୮୧୧ ମସିହାରେ କାରେ ଓ ପୁରୁଷୋତ୍ତମ ପଣ୍ଡିତ ଅନୂଦିତ ନିଉ ଟେଷ୍ଟାମେଣ୍ଟ ।[୨] ତାହାର ପାଣ୍ଡୁଲିପି କଲିକତାସ୍ଥିତ ଫୋର୍ଟ ଉଇଲିଅମ କଲେଜରେ ପ୍ରସ୍ତୁତ ହୋଇ ଶ୍ରୀରାମପୁର ପ୍ରେସରେ ଛପାଯାଇଥିଲା । ପରବର୍ତ୍ତୀ ସମୟରେ ସେଠାରେ ଓଡ଼ିଆ ବାଇବେଲ ଓ ଅନ୍ୟାନ୍ୟ ଓଡ଼ିଆ ଗ୍ରନ୍ଥ ମୁଦ୍ରିତ ହେବାକୁ ଲାଗିଲା । ବାଲେଶ୍ବର, କଟକ ଓ ପୁରୀ ଜିଲ୍ଲାରେ ଖ୍ରୀଷ୍ଟଧର୍ମ ଅଧିକ ପ୍ରଚାର ଲାଭ କଲା ପରେ ୧୮୨୩ରୁ ୧୮୨୫ ମସିହା ଭିତରେ ମିସନାରି ଚାର୍ଲସ ଲେସି ଓ ଆମୋସ ସଟନ କଟକରେ ପହଞ୍ଚିଥିଲେ । ୧୮୩୮ ମସିହାରେ ବ୍ରିଟେନରେ ଏକ ହାତତିଆରି ଛାପାକଳ ବା ଲେଟରପ୍ରେସ ତିଆରି ହୋଇ କଟକକୁ ଅଣାଯାଇଥିଲା ଓ ତାହାକୁ ଏକ ପୁରୁଣା ସ୍କୁଲ ଘରେ ପ୍ରତିଷ୍ଠା କରାଯାଇଥିଲା । ଏହା ଓଡ଼ିଶା ମିଶନ ପ୍ରେସରେ ପରିଣତ ହୋଇଥିଲା ଓ ଏହା ଥିଲା ତତ୍କାଳୀନ ଓଡ଼ିଶାର ପ୍ରଥମ ଛାପାଖାନା । ଲେସି ଏବଂ ସଟନଙ୍କୁ ଓଡ଼ିଶାରେ ମୁଦ୍ରଣ ଶିଳ୍ପ ଇତିହାସର ଜନକ ବୋଲି ଗଣାଯାଏ ।[୧] ଅନ୍ୟାନ୍ୟ ମିଶନାରୀମାନଙ୍କ ତୁଳନାରେ ସଟନ ଓଡ଼ିଆ ଭାଷା ଓ ସାହିତ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟୟନ କରିଥିଲେ । ସେ କାରେଙ୍କ ଓଡ଼ିଆ ବାଇବେଲ ସଂଶୋଧନ କରିବା ସହ ଓଡ଼ିଆରେ ତିନିଖଣ୍ଡି ଅଭିଧାନ, ସ୍ୱର୍ଗୀୟ ଯାତ୍ରାର ବୃତ୍ତାନ୍ତ (ଅନୁବାଦ), ଓଡ଼ିଶାର ଇତିହାସ, ଓଡ଼ିଆ ବ୍ୟାକରଣ, ପଦାର୍ଥ ବିଦ୍ୟାସାରଆଦି ପୁସ୍ତକ ରଚନା କରିଥିଲେ । ଏହି ପୁସ୍ତକସବୁ ଓଡ଼ିଶା ମିଶନ ପ୍ରେସରେ ଛପାଯାଇଥିଲା । ବାଇବେଲର ଓଡ଼ିଆ ଅନୁବାଦ ପରେ ଓଡ଼ିଆରେ ଛପା ପ୍ରମୁଖ ପୁସ୍ତକଗୁଡ଼ିକ ମଧ୍ୟରେ ସଟନଙ୍କର ଉତ୍କଳ ଭାଷାର୍ଥାଭିଧାନ (ଇଂରାଜୀ: Oriya Dictionary with Synonyms) ଅନ୍ୟତମ । ଏହି ଅଭିଧାନ ସେ ଭୁବନାନନ୍ଦ ନ୍ୟାୟାଳଙ୍କାରଙ୍କ ସହାୟତାରେ ପ୍ରକାଶ କରିଥିଲେ । ଅଭିଧାନଟିର ପ୍ରଥମ ଖଣ୍ଡ ୧୮୪୧ରେ ଓ ପରବର୍ତ୍ତୀ ଦୁଇଖଣ୍ଡ ୧୮୪୩ରେ ଓଡ଼ିଶା ମିଶନ ପ୍ରେସରୁ ପ୍ରକାଶିତ ହୋଇଥିଲା । ଲେସି ପ୍ରଥମ ଓଡ଼ିଆ ପତ୍ରିକା ଜ୍ଞାନାଋଣ ମଧ୍ୟ ୧୮୪୯ରୁ ଏହି ପ୍ରେସରୁ ପ୍ରକାଶ କରିଥିଲେ । ସେ ଏଠାରୁ ପରେ ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ପତ୍ରିକା ପ୍ରବୋଧ ଚନ୍ଦ୍ରିକା ପ୍ରକାଶ କରିଥିଲେ । ପରେ ୧୮୬୧ ମସିହାରେ ଖ୍ରୀଷ୍ଟିୟାନ ଭର୍ଣ୍ଣାକୁଲାର ଲିଟରେଚର ସୋସାଇଟି ଏଠାରୁ ଅରୁଣୋଦୟନାମକ ମାସିକ ଓଡ଼ିଆ ପତ୍ରିକା ପ୍ରକାଶ କରି ତାହାକୁ ତିନି ବର୍ଷ ଧରି ଚଳାଇଥିଲା । ୧୮୨୪ରେ କଟକରେ ଓ ପରେ ପୁରୀରେ ମିଶନାରୀମାନେ ପ୍ରାଇମେରୀ ସ୍କୁଲସବୁ ସ୍ଥାପନ କରିଥିଲେ ଓ ୧୮୪୦ ବେଳକୁ ସେହି ସ୍କୁଲମାନଙ୍କରେ ଓଡ଼ିଆ ବିଭାଗ ନିମନ୍ତେ ଅନେକ ଓଡ଼ିଆ ପାଠ୍ୟ ପୁସ୍ତକ ଆବଶ୍ୟକ ହେଲା । ତେଣୁ ଓଡ଼ିଶା ମିଶନ ପ୍ରେସରେ ଓଡ଼ିଆ ପାଠ୍ୟପୁସ୍ତକ ସବୁ ଧୀରେଧୀରେ ପ୍ରକାଶ ପାଇଲା । ସେଥିମଧ୍ୟରୁ ପ୍ରାକୃତିକ ଦର୍ଶନ, ଓଡ଼ିଆ ବର୍ଣ୍ଣ ପରିଚୟ, ଓଡ଼ିଆ ନୀତି କଥା, ଓଡ଼ିଆ ଗଣିତ, ଗୀତ ଗୋବିନ୍ଦ, ବତ୍ରିଶ ସିଂହାସନ, ମିତ୍ର ଲାଭ, ଓଡ଼ିଶା ଭୂଗୋଳ, ଓଡ଼ିଶା ଇତିହାସ ଆଦି ଉଲ୍ଲେଖଯୋଗ୍ୟ । ଏଥିମଧ୍ୟରୁ କେବଳ ପ୍ରାକୃତିକ ଦର୍ଶନ ବହିଟି କଲିକତା ସ୍କୁଲ ବୁକ ସୋସାଇଟିଦ୍ୱାରା ଛପାଯାଇଥିଲା ।[୩][୪]
ଅଧିକ ପଠନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଆ ଛାପାଅକ୍ଷରର ଇତିହାସ". ସମ୍ବାଦ. ସମ୍ବାଦ. 6 February 2024. Retrieved 6 February 2024.
- ↑ ସାମନ୍ତରାୟ, ନଟବର (୧୯୬୪). ଓଡ଼ିଆ ସାହିତ୍ୟର ଇତିହାସ, ୧୮୦୩-୧୯୨୦ (୧ମ ed.). ଭୁବନେଶ୍ୱର: ପ୍ରଫୁଲ୍ଲ କୁମାର ଧଳ, ହୃଦାନନ୍ଦ ଭୋଳ. pp. ୧୭୧-୧୭୨.
- ↑ ଲେସି, ଉଇଲିଅମ ଚାର୍ଲସ, ed. (1856). ପ୍ରବୋଧ ଚନ୍ଦ୍ରିକା (ପ୍ରଥମ ed.). ଓଡ଼ିଶା ମିଶନ ପ୍ରେସ – via ଉଇକିପାଠାଗାର.
- ↑ Mohanty, B. (1969). "Early Oriya Lexicons: Their importance". Bharati-Utkal University Journal. III.