ଓଡ଼ିଶା ମିଶନ ପ୍ରେସ

ଉଇକିପିଡ଼ିଆ‌ରୁ
(Orissa Mission Pressରୁ ଲେଉଟି ଆସିଛି)
ଓଡ଼ିଶା ମିଶନ ପ୍ରେସ
ସ୍ଥାପନା୧୮୩୮
ପ୍ରତିଷ୍ଠାତାଉଇଲିଅମ ଚାର୍ଲସ ଲେସି
ଆରମ୍ଭ ସ୍ଥାନଭାରତ
ମୁଖ୍ୟାଳୟକଟକ
ବିତରଣଓଡ଼ିଶା
ମୁଖ୍ୟବ୍ୟକ୍ତିଉଇଲିଅମ ଚାର୍ଲସ ଲେସି
ପ୍ରକାଶ ପ୍ରକାରବହି, ପାଠ୍ୟପୁସ୍ତକ, ପତ୍ରିକା
ବିଭାବଧର୍ମ, ଶିକ୍ଷା, ଓଡ଼ିଆ ଭାଷା ଓ ସଂସ୍କୃତି

ଓଡ଼ିଶା ମିଶନ ପ୍ରେସ, କଟକ ମିଶନ ପ୍ରେସ ବା ମିଶନ ପ୍ରେସ ନାମରେ ମଧ୍ୟ ପରିଚିତ, ୧୮୩୮ ମସିହାରେ କଟକରେ ଅବସ୍ଥାପିତ ହୋଇଥିବା ଏକ ଛାପାଖାନା ଥିଲା । ଓଡ଼ିଶାର ଏହି ପ୍ରଥମ ଛାପାଖାନାରେ ମିସନାରି ଚାର୍ଲସ ଲେସିଙ୍କ ତତ୍ତ୍ୱାବଧାନତାରେ ଏକ ହାତଚଳା ଛାପାକଳ ବ୍ରିଟେନରେ ତିଆରି କରି ଓଡ଼ିଶାକୁ ଅଣାଯାଇଥିଲା । ଏହି ପ୍ରେସଟି କଟକର ଗୋଟିଏ ପୁରୁଣା ସ୍କୁଲ ଘରେ ପ୍ରତିଷ୍ଠା କରାଯାଇଥିଲା ଓ ଏଥିରେ ମୁଦ୍ରିତ ପ୍ରଥମ ବହି ଥିଲା ଗୁଣ୍ଡିଚା ଯାତ୍ରାର ମହାଶ୍ଚର୍ଯ୍ୟ ଫଳ । ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରଚାର ପାଇଁ ଆରମ୍ଭ ହୋଇଥିବା ଓଡ଼ିଶା ମିଶନ ଏହି ଛାପାଖାନା ପ୍ରତିଷ୍ଠାବେଳକୁ କଟକ ଓ ପୁରୀରେ ଦୁଇଟି ପ୍ରାଇମେରି ସ୍କୁଲ ଆରମ୍ଭ କରିସାରିଥିବାରୁ ନୂଆ ଓଡ଼ିଆ ପାଠ୍ୟପୁସ୍ତକ ଦରକାର ପଡ଼ୁଥିବାରୁ ଏହି ପ୍ରେସଟିରେ ଆରମ୍ଭରୁ ଅନେକ ବହି ଛପା କାମ ଚାଲିଥିଲା ।[୧] ଏହି ପ୍ରେସରେ ମୁଦ୍ରିତ ଅନ୍ୟାନ୍ୟ ଉଲ୍ଲେଖନୀୟ ପୁସ୍ତକ ମଧ୍ୟରେ ପ୍ରମୁଖ ଓଡ଼ିଆ ଅଭିଧାନ ଉତ୍କଳ ଭାଷାର୍ଥାଭିଧାନ (ଇଂରାଜୀ: Oriya Dictionary with Synonyms), ପ୍ରଥମ ଓଡ଼ିଆ ପତ୍ରିକା ଜ୍ଞାନାଋଣ, ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ପତ୍ରିକା ପ୍ରବୋଧ ଚନ୍ଦ୍ରିକାମୁକୁର, ଏବଂ ଅନେକ ପାଠ୍ୟପୁସ୍ତକ ଛପାଯାଇଥିଲା ।

ଇତିହାସ[ସମ୍ପାଦନା]

୧୮୧୧ ମସିହାରୁ ମିଶନାରୀମାନେ ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରଚାର ପାଇଁ କଟକକୁ କେନ୍ଦ୍ରସ୍ଥଳ ରୂପେ ବାଛିଥିଲେ । ଧର୍ମପ୍ରଚାରକମାନେ ଆଧୁନିକ ଛାପାକଳଦ୍ୱାରା ଧର୍ମଗ୍ରନ୍ଥ ଛପାଉଥିଲେ । ପ୍ରଥମ ଓଡ଼ିଆ ବହିସବୁ ୧୮୧୧ରୁ ଆରମ୍ଭ କରି କଲିକତା ନିକଟସ୍ଥ ଶ୍ରୀରାମ‌ପୁର ମିଶନ ପ୍ରେସରେ ଆରମ୍ଭ ହୋଇଥିଲା । ଓଡ଼ିଆ ଭାଷାର ପ୍ରଥମ ବାଇବେଲ ଥିଲା ୧୮୧୧ ମସିହାରେ କାରେ ଓ ପୁରୁଷୋତ୍ତମ ପଣ୍ଡିତ ଅନୂଦିତ ନିଉ ଟେଷ୍ଟାମେଣ୍ଟ ।[୨] ତାହାର ପାଣ୍ଡୁଲିପି କଲିକତାସ୍ଥିତ ଫୋର୍ଟ ଉଇଲିଅମ କଲେଜରେ ପ୍ରସ୍ତୁତ ହୋଇ ଶ୍ରୀରାମ‌ପୁର ପ୍ରେସରେ ଛପାଯାଇଥିଲା । ପରବର୍ତ୍ତୀ ସମୟରେ ସେଠାରେ ଓଡ଼ିଆ ବାଇବେଲ ଓ ଅନ୍ୟାନ୍ୟ ଓଡ଼ିଆ ଗ୍ରନ୍ଥ ମୁଦ୍ରିତ ହେବାକୁ ଲାଗିଲା । ବାଲେଶ୍ବର, କଟକ ଓ ପୁରୀ ଜିଲ୍ଲାରେ ଖ୍ରୀଷ୍ଟଧର୍ମ ଅଧିକ ପ୍ରଚାର ଲାଭ କଲା ପରେ ୧୮୨୩ରୁ ୧୮୨୫ ମସିହା ଭିତରେ ମିସନାରି ଚାର୍ଲସ ଲେସିଆମୋସ ସଟନ କଟକରେ ପହଞ୍ଚିଥିଲେ । ୧୮୩୮ ମସିହାରେ ବ୍ରିଟେନରେ ଏକ ହାତତିଆରି ଛାପାକଳ ବା ଲେଟରପ୍ରେସ ତିଆରି ହୋଇ କଟକକୁ ଅଣାଯାଇଥିଲା ଓ ତାହାକୁ ଏକ ପୁରୁଣା ସ୍କୁଲ ଘରେ ପ୍ରତିଷ୍ଠା କରାଯାଇଥିଲା । ଏହା ଓଡ଼ିଶା ମିଶନ ପ୍ରେସରେ ପରିଣତ ହୋଇଥିଲା ଓ ଏହା ଥିଲା ତତ୍କାଳୀନ ଓଡ଼ିଶାର ପ୍ରଥମ ଛାପାଖାନା । ଲେସି ଏବଂ ସଟନଙ୍କୁ ଓଡ଼ିଶାରେ ମୁଦ୍ରଣ ଶିଳ୍ପ ଇତିହାସର ଜନକ ବୋଲି ଗଣାଯାଏ ।[୧] ଅନ୍ୟାନ୍ୟ ମିଶନାରୀମାନଙ୍କ ତୁଳନାରେ ସଟନ ଓଡ଼ିଆ ଭାଷା ଓ ସାହିତ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟୟନ କରିଥିଲେ । ସେ କାରେଙ୍କ ଓଡ଼ିଆ ବାଇବେଲ ସଂଶୋଧନ କରିବା ସ‌ହ ଓଡ଼ିଆରେ ତିନିଖଣ୍ଡି ଅଭିଧାନ, ସ୍ୱର୍ଗୀୟ ଯାତ୍ରାର ବୃତ୍ତାନ୍ତ (ଅନୁବାଦ), ଓଡ଼ିଶାର ଇତିହାସ, ଓଡ଼ିଆ ବ୍ୟାକରଣ, ପଦାର୍ଥ ବିଦ୍ୟାସାରଆଦି ପୁସ୍ତକ ରଚନା କରିଥିଲେ । ଏହି ପୁସ୍ତକସବୁ ଓଡ଼ିଶା ମିଶନ ପ୍ରେସରେ ଛପାଯାଇଥିଲା । ବାଇବେଲର ଓଡ଼ିଆ ଅନୁବାଦ ପରେ ଓଡ଼ିଆରେ ଛପା ପ୍ରମୁଖ ପୁସ୍ତକଗୁଡ଼ିକ ମଧ୍ୟରେ ସଟନଙ୍କର ଉତ୍କଳ ଭାଷାର୍ଥାଭିଧାନ (ଇଂରାଜୀ: Oriya Dictionary with Synonyms) ଅନ୍ୟତମ । ଏହି ଅଭିଧାନ ସେ ଭୁବନାନ‌ନ୍ଦ ନ୍ୟାୟାଳଙ୍କାରଙ୍କ ସହାୟତାରେ ପ୍ରକାଶ କରିଥିଲେ । ଅଭିଧାନଟିର ପ୍ରଥମ ଖଣ୍ଡ ୧୮୪୧ରେ ଓ ପରବର୍ତ୍ତୀ ଦୁଇଖଣ୍ଡ ୧୮୪୩ରେ ଓଡ଼ିଶା ମିଶନ ପ୍ରେସରୁ ପ୍ରକାଶିତ ହୋଇଥିଲା । ଲେସି ପ୍ରଥମ ଓଡ଼ିଆ ପତ୍ରିକା ଜ୍ଞାନାଋଣ ମଧ୍ୟ ୧୮୪୯ରୁ ଏହି ପ୍ରେସରୁ ପ୍ରକାଶ କରିଥିଲେ । ସେ ଏଠାରୁ ପରେ ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ପତ୍ରିକା ପ୍ରବୋଧ ଚନ୍ଦ୍ରିକା ପ୍ରକାଶ କରିଥିଲେ । ପରେ ୧୮୬୧ ମସିହାରେ ଖ୍ରୀଷ୍ଟିୟାନ ଭର୍ଣ୍ଣାକୁଲାର ଲିଟରେଚର ସୋସାଇଟି ଏଠାରୁ ଅରୁଣୋଦୟନାମକ ମାସିକ ଓଡ଼ିଆ ପତ୍ରିକା ପ୍ରକାଶ କରି ତାହାକୁ ତିନି ବର୍ଷ ଧରି ଚଳାଇଥିଲା । ୧୮୨୪ରେ କଟକରେ ଓ ପରେ ପୁରୀରେ ମିଶନାରୀମାନେ ପ୍ରାଇମେରୀ ସ୍କୁଲସବୁ ସ୍ଥାପନ କରିଥିଲେ ଓ ୧୮୪୦ ବେଳକୁ ସେହି ସ୍କୁଲମାନଙ୍କରେ ଓଡ଼ିଆ ବିଭାଗ ନିମନ୍ତେ ଅନେକ ଓଡ଼ିଆ ପାଠ୍ୟ ପୁସ୍ତକ ଆବଶ୍ୟକ ହେଲା । ତେଣୁ ଓଡ଼ିଶା ମିଶନ ପ୍ରେସ‌ରେ ଓଡ଼ିଆ ପାଠ୍ୟପୁସ୍ତକ ସବୁ ଧୀରେଧୀରେ ପ୍ରକାଶ ପାଇଲା । ସେଥିମଧ୍ୟରୁ ପ୍ରାକୃତିକ ଦର୍ଶନ, ଓଡ଼ିଆ ବର୍ଣ୍ଣ ପରିଚୟ, ଓଡ଼ିଆ ନୀତି କଥା, ଓଡ଼ିଆ ଗଣିତ, ଗୀତ ଗୋବିନ୍ଦ, ବତ୍ରିଶ ସିଂହାସନ, ମିତ୍ର ଲାଭ, ଓଡ଼ିଶା ଭୂଗୋଳ, ଓଡ଼ିଶା ଇତିହାସ ଆଦି ଉଲ୍ଲେଖ‌ଯୋଗ୍ୟ । ଏଥିମଧ୍ୟରୁ କେବଳ ପ୍ରାକୃତିକ ଦର୍ଶନ ବହିଟି କଲିକତା ସ୍କୁଲ ବୁକ ସୋସାଇଟିଦ୍ୱାରା ଛପାଯାଇଥିଲା ।[୩][୪]

ଅଧିକ ପଠନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଆ ଛାପାଅକ୍ଷରର ଇତିହାସ". ସମ୍ବାଦ. ସମ୍ବାଦ. 6 February 2024. Retrieved 6 February 2024.
  2. ସାମନ୍ତରାୟ, ନଟବର (୧୯୬୪). ଓଡ଼ିଆ ସାହିତ୍ୟର ଇତିହାସ, ୧୮୦୩-୧୯୨୦ (୧ମ ed.). ଭୁବନେଶ୍ୱର: ପ୍ରଫୁଲ୍ଲ କୁମାର ଧଳ, ହୃଦାନନ୍ଦ ଭୋଳ. pp. ୧୭୧-୧୭୨.
  3. ଲେସି, ଉଇଲିଅମ ଚାର୍ଲସ, ed. (1856). ପ୍ରବୋଧ ଚନ୍ଦ୍ରିକା (ପ୍ରଥମ ed.). ଓଡ଼ିଶା ମିଶନ ପ୍ରେସ – via ଉଇକିପାଠାଗାର.
  4. Mohanty, B. (1969). "Early Oriya Lexicons: Their importance". Bharati-Utkal University Journal. III.