ବୃନ୍ଦାବନ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
(Brundaban Tripathyରୁ ଲେଉଟି ଆସିଛି)
ବୃନ୍ଦାବନ ତ୍ରିପାଠୀ
ଜନ୍ମ(1916-01-15)୧୫ ଜାନୁଆରୀ ୧୯୧୬
ବାଲିପଡ଼ିଆ, ବଡ଼ଚଣା, ଯାଜପୁର
ମୃତ୍ୟୁ୨୫ ଅକ୍ଟୋବର ୧୯୮୯(1989-10-25) (ବୟସ ୭୩)
ଜାତୀୟତା ଭାରତୀୟ
ବୃତ୍ତି(ସମୂହ)ସ୍ୱାଧୀନତା ସଂଗ୍ରାମୀ, ରାଜନେତା

ବୃନ୍ଦାବନ ତ୍ରିପାଠୀ ଓଡ଼ିଶାର ଜଣେ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସଂସ୍କାରକ ଥିଲେ । [୧]

ବାଲ୍ୟ ଜୀବନ[ସମ୍ପାଦନା]

୧୯୧୬ ମସିହା ଜାନୁଆରୀ ୧୫ ତାରିଖରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମରେ ପିତା ବଳରାମ ତ୍ରିପାଠୀ ଓ ମା' ସଖୀ ଦେବୀଙ୍କ କୋଳମଣ୍ଡନ କରି କୂଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ।[୨]

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

କୁସୁପୁର ନନ୍ଦକିଶୋର ବିଦ୍ୟାପୀଠରୁ ପାଠପଢ଼ା ଅଧାରେ ଛାଡ଼ି ଭାରତ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ବାପା-ମାଆଙ୍କ କଡ଼ା ଶାସନ ଭିତରେ କିଛିକାଳ ସଂଗ୍ରାମ ଛାଡି ସେ ଶିକ୍ଷକ ଚାକିରୀ କଲେ । ମାତ୍ର ବାପାଙ୍କ ତାଗିଦ ଓ ଶିକ୍ଷକ ଚାକିରିର ଫାଶ ତାଙ୍କୁ ବେଶୀ ଦିନ ବାନ୍ଧି ରଖିପାରିଲାନି । ବଡଚଣାର ସଂଗ୍ରାମୀ ନେତା କୃଷ୍ଣମୋହନ ରାଉତରାୟଙ୍କ ଡାକରାରେ ଚାକିରୀ ଛାଡ଼ି ସ୍ୱାଧୀନତା ସଂଗ୍ରାମର ସଂଗ୍ରାମୀ ସାଜିଥିଲେ । ଗାଁରେ କଂଗ୍ରେସ କମିଟି ଗଢ଼ି ଯୁବକଙ୍କୁ ଏକାଠି କରିବାବାରେ ଶୀଘ୍ର ସଫଳ ହେଲେ ଓ ବଡଚଣା ସାଙ୍ଗକୁ ବରୀ, ମାହାଙ୍ଗା, ଇନ୍ଦୁପୁର ଏବଂ ଧର୍ମଶାଳା ଅଞ୍ଚଳରେ ସଂଗଠନର ନେତୃତ୍ୱ ନେଲେ ।

ମରଣସେନା ବାହିନୀ ଗଠନ[ସମ୍ପାଦନା]

ସଂଗ୍ରାମୀ କୃଷ୍ଣମୋହନ, ବୃନ୍ଦାବନ ଓ ଦୁର୍ଯ୍ୟୋଧନଙ୍କ ନେତୃତ୍ୱରେ ୧୯୪୨ରେ “ମରଣସେନା ବାହିନୀ' ଗଠନ ହୋଇଥିଲା । ବଡଚଣା, ବରୀ ଓ ଅନ୍ୟାନ୍ୟ ଅଞ୍ଚଳର ସଂଗ୍ରାମୀମାନେ ଏଥିରେ ସାମିଲ ହୋଇଥିଲେ । ୩ ମାସ ଧରି ବ୍ରିଟିଶ ରାଜତ୍ୱରୁ ବରୀ, ମାହାଙ୍ଗା ଓ ବଡଚଣା ଅଞ୍ଚଳକୁ ମୁକ୍ତ କରି ଶାସନ କରିଥିଲା ଏହି ବାହିନୀ । ଏହା ପ୍ରଶାସନିକ ମୁଖ୍ୟଥିଲେ ବୃନ୍ଦାବନ ତ୍ରିପାଠୀ ।

କାରାବାସ[ସମ୍ପାଦନା]

ଲଢୁଆ, ଦୁର୍ଦ୍ଦାନ୍ତ ଓ ଦୁର୍ବାର ନେତୃତ୍ୱ ଦେଉଥିବା ବୃନ୍ଦାବନଙ୍କୁ ଗିରଫ କରିବାକୁ ପୋଲିସ ନାକେଦମ ହୋଇଯାଇଥିଲା । ଶେଷରେ ବିଶ୍ୱାସଘାତର ଷଡଯନ୍ତ୍ରରେ ପଡ଼ି ଧରାପଡିଥିଲେ । ତେବେ ପୋଲିସକୁ ସାଙ୍ଗରେ ଧରି ନିଜ ଘରକୁ ଯାଇଥିଲେ ଓ ମା'ଠାରୁ ବିଦାୟ ନେଇ ଏକ ବିରାଟ ପଟୁଆରରେ ସେ ଆସିଥିଲେ । ସେଦିନ ଶହ ଶହ ସଂଗ୍ରାମୀ ଆପଣାଛାଏଁ ପୋଲିସଦ୍ୱାରା ଗିରଫ ହୋଇଥିଲେ । କଟକରୁ ସ୍ୱତନ୍ତ୍ର ପୋଲିସ ଫୋର୍ସ ମଗାଯାଇ ସଂଗ୍ରାମୀଙ୍କୁ ଗିରଫ କରାଯାଇଥିଲା ଓ ଗଜେନ୍ଦ୍ରପୁରସ୍ଥିତ କଳାଶ୍ରୀ-ଗୋପାଳପୁର ଡାକବଙ୍ଗଳାକୁ ଅସ୍ଥାୟୀ ଜେଲରେ ପରିଣତ କରାଯାଇଥିଲା । ବୃନ୍ଦାବନଙ୍କୁ ସର୍ବାଧିକ ୧୨ ବର୍ଷ ଜେଲଦଣ୍ଡ ହୋଇଥିଲା । କଟକ ଜେଲରେ ସେ ସର୍ବାଧକ ସମୟ କାଟିଥିଲେ । କିଛି କାଳ ତାଙ୍କୁ ବ୍ରହ୍ମପୁର ଜେଲକୁ ପଠାଯାଇଥିଲା । ବୃନ୍ଦାବନ ଜେଲରେ ଥିବାବେଳେ ଏପଟେ ସଂଗ୍ରାମକୁ ଦୁର୍ବଳ କରିବାକୁ ବ୍ରିଟିଶ ଦଲାଲ ଘୋଷଣା କରିଦେଲେଯେ ପୋଲିସ ଗୁଳି କରି ଜେଲ ଭିତରେ ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କୁ ମାରିଦେଇଛି । ଏହି ଘୋଷଣାରେ ଅନ୍ୟ ସଂଗ୍ରାମୀ ସାଥୀ ଭାଙ୍ଗି ପଡ଼ିଲେ । ଏଥିସାଙ୍ଗକୁ ମା ସଖାଦେବୀ ଏକମାତ୍ର ପୁତ୍ରର ମିଛ ମୃତ୍ୟୁ ଖବର ଶୁଣି ପ୍ରଥମେ ଅସୁସ୍ଥ ହୋଇଗଲେ ଓ ପରେ ମୃତ୍ୟୁବରଣ କଲେ । ଜେଲରେ ଥାଇ ସଂଗ୍ରାମୀ ବୃନ୍ଦାବନ ଏ ଖବର ପାଇ ଭାଙ୍ଗି ପଡ଼ିଥିଲେ ।

୧୨ ବର୍ଷର ସଜା ପାଉଥିଲେ ହେଁ ଦେଶ ସ୍ୱାଧୀନତା ପାଇବାର ଅବ୍ୟବହିତ ପୂର୍ବରୁ ବନ୍ଦୀମାନଙ୍କୁ ମୁକ୍ତ କରାଗଲା । ସେଥିରେ ସଂଗ୍ରାମୀ ବୃନ୍ଦାବନ ଓ ତାଙ୍କ କକାପୁଅ ସାନଭାଇ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅନୁଜ ପ୍ରତିମ ସାରଙ୍ଗଧର ସାମଲ, ନୀଳମଣି ସାମଲ, ତିଳ ମଳିକ, ନୀଳ ମଳିକ, ଗୋଲକ ପ୍ରଧାନ, ହରି ବାରିକ, ବୈଲୋଚନ ପ୍ରଧାନ, ତ୍ରିଲୋଚନ ପ୍ରଧାନ, ଭୋଳାନାଥ ମହାନ୍ତି ପ୍ରମୁଖ ମୁକ୍ତି ପାଇଲେ ।

ସମାଜ ସଂସ୍କାର[ସମ୍ପାଦନା]

ସଂଗ୍ରାମୀ ସରସ୍ୱତୀ ଦେବୀଙ୍କ ସହ ବିବାହ ପରେ ନବବିବାହିତା ପତ୍ନୀଙ୍କୁ ଧରି ସଂଗ୍ରାମୀ ବୃନ୍ଦାବନବାବୁ ଆଦିବାସୀଙ୍କ ସେବାଲାଗି ଗାଁ ଛାଡିଥିଲେ । ବର୍ଷ ବର୍ଷ ଧରି ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ଆଦିବାସୀ ଅଞ୍ଚଳ, ବନ୍ଧୁଗାଁ, ନାରାୟଣପାଟଣା, ରାୟଗଡ଼ା, ଗୁଣୁପୁରରେ ଶିକ୍ଷାଦାନ, ଖଦୀ ପ୍ରସାର ଓ ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ଚଳାଇଥୁଲେ । ଗୁଣପୁରର ତୁମିଙ୍ଗମାନଗୁଡ଼ାଠାରେ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଆଦିବାସୀ ଗାଁରେ ଆଶ୍ରମ ପ୍ରତିଷ୍ଠା କରି ସେହି ଅଞ୍ଚଳର ବିକାଶ ପାଇଁ ଲାଗିପଡ଼ିଥିଲେ । ପରେ ନିଜ ଗାଁକୁ ଫେରି ସମାଜରେ ରୁଢିବାଦୀ ନୀତିର ବିଲୋପ ପାଇଁ ରଚନାତ୍ମକ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବ୍ରାହ୍ମଣ ହୋଇ ଲଙ୍ଗଳରେ ଚାଷ କରିଥିଲେ ଓ ଅନ୍ୟ ବ୍ରାହ୍ମଣ ଯୁବକଙ୍କୁ ଏକାଠି କରି ଲଙ୍ଗଳ ଉତ୍ସବ କରିଥିଲେ । ଗାଁରେ ପାଠାଗାର, ସୂତାକଟା କେନ୍ଦ୍ର, ଶିକ୍ଷା କେନ୍ଦ୍ର ମଧ୍ୟ ତାଙ୍କଦ୍ୱାରା ପ୍ରତିଷ୍ଠା ହୋଇଥିଲା ।

ସଂଗ୍ରାମୀ ଅମୃତ ଲାଲ ଠକ୍କର ବା ଠକର ବାପାଙ୍କ ନାଁରେ ବାଲିପଡ଼ିଆଠାରେ ଠକ୍କର ବାପା ଆଶ୍ରମ ପ୍ରତିଷ୍ଠା କଲେ । ଦେଶ ତଥା ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ସେହି ଆଶ୍ରମକୁ ବୁଲି ଆସିଥିଲେ । ଏଠାରେ ତାଙ୍କଦ୍ୱାରା ସ୍ଥାପିତ ମହାତ୍ମା ଗାନ୍ଧିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପୂଜା ପାଉଛନ୍ତି । ଶେଷ ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟ ସୁରୂପ ଶିକ୍ଷାଦାନ, ଖଦୀ ବସ୍ତ୍ରର ବ୍ୟବହାର, ଦଳିତ ଉତଥାନ, ସାମାଜିକ ସଂସ୍କାର ଆଦି କାର୍ଯ୍ୟରେ ନିଜକୁ ସେ ନିୟୋଜିତ ରଖିଥିଲେ ।

ସରକାରୀ ପଦପଦବୀ[ସମ୍ପାଦନା]

ସେ ଦୁଇ ଥର ଭରତପୁର ପଞ୍ଚାୟତର ସରପଞ୍ଚ ହୋଇଥିଲେ । ତେବେ ବିଧାୟକ ହୋଇ ପ୍ରତ୍ଯକ୍ଷ ରାଜନୀତିରେ ସକ୍ରିୟ ହେବା ପ୍ରସ୍ତାବକୁ ବିନମ୍ର ଭାବେ ଏଡ଼ାଇଯାଇଥିଲେ ।

ମାନ ସମ୍ମାନ[ସମ୍ପାଦନା]

  • ତ୍ୟାଗ, ସେବା ଓ ସଂଗ୍ରାମ ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କଦ୍ୱାରା ଦିଲ୍ଲୀଠାରେ ତାମ୍ରପତ୍ର ସମ୍ମାନ
  • ଉତ୍ତରପ୍ରଦେଶ ସରକାରଙ୍କଠାରୁ ଲକ୍ଷ୍ନୌଠାରେ ସର୍ବଭାରତୀୟ ସ୍ତରରେ ଅନ୍ୟମାନଙ୍କ ସହ ‘ରାଷ୍ଟ୍ରବୀର' ସମ୍ମାନ
  • ଓଡ଼ିଶା ସରକାରଙ୍କ ପକ୍ଷରୁ ଏକାଧିକବାର ସମ୍ମାନ ସହ ଗୃହବିଭାଗଦ୍ୱାରା ସ୍ୱତନ୍ତ୍ର ଫଳକ
  • ମୃତ୍ୟୁପରେ ମରଣୋତ୍ତର ସମ୍ମାନ ସ୍ୱରୂପ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ତାଙ୍କୁ 'ବଡଚଣା ଗାନ୍ଧି’ ଭାବେ ଉପାଧି [୩]

ମୃତ୍ୟୁ[ସମ୍ପାଦନା]

୧୯୮୯ ମସିହା ଅକ୍ଟୋବର ୨୫ ତାରିଖରେ ପବିତ୍ର ରମା ଏକାଦଶୀ ତିଥିରେ ବୃନ୍ଦାବନ ତ୍ରିପାଠୀଙ୍କର ପରଲୋକ ଘଟିଥିଲା ।

ଆଧାର[ସମ୍ପାଦନା]

  1. ଅମର ପ୍ରସାଦ, ଶତପଥୀ. "ଧୂଳିମାଟିର ସନ୍ଥଟିଏ". ସୂର୍ଯ୍ୟପ୍ରଭା. Retrieved 16 January 2017.
  2. "ସ୍ୱାଧୀନତା ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମର ଶୁଭାରମ୍ଭ". ଓଡ଼ିଶାନ. Retrieved 16 January 2017.
  3. "ସ୍ୱାଧୀନତା ସଂଗ୍ରାମୀ ବଡଚଣା ଗାନ୍ଧୀ ବୃନ୍ଦାବନ ତ୍ରିରପାଠୀଙ୍କ ଜନ୍ମଶତବାର୍ଷିକୀ ଶୁଭାରମ୍ଭ". ନ୍ୟୁଜ ଡେଲି ହଣ୍ଟ. Retrieved 16 January 2017.