ବୃନ୍ଦାବନ ତ୍ରିପାଠୀ
ବୃନ୍ଦାବନ ତ୍ରିପାଠୀ | |
---|---|
ଜନ୍ମ | ବାଲିପଡ଼ିଆ, ବଡ଼ଚଣା, ଯାଜପୁର | ୧୫ ଜାନୁଆରୀ ୧୯୧୬
ମୃତ୍ୟୁ | ୨୫ ଅକ୍ଟୋବର ୧୯୮୯ | (ବୟସ ୭୩)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ସ୍ୱାଧୀନତା ସଂଗ୍ରାମୀ, ରାଜନେତା |
ବୃନ୍ଦାବନ ତ୍ରିପାଠୀ ଓଡ଼ିଶାର ଜଣେ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସଂସ୍କାରକ ଥିଲେ । [୧]
ବାଲ୍ୟ ଜୀବନ
[ସମ୍ପାଦନା]୧୯୧୬ ମସିହା ଜାନୁଆରୀ ୧୫ ତାରିଖରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମରେ ପିତା ବଳରାମ ତ୍ରିପାଠୀ ଓ ମା' ସଖୀ ଦେବୀଙ୍କ କୋଳମଣ୍ଡନ କରି କୂଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ।[୨]
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ
[ସମ୍ପାଦନା]କୁସୁପୁର ନନ୍ଦକିଶୋର ବିଦ୍ୟାପୀଠରୁ ପାଠପଢ଼ା ଅଧାରେ ଛାଡ଼ି ଭାରତ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ବାପା-ମାଆଙ୍କ କଡ଼ା ଶାସନ ଭିତରେ କିଛିକାଳ ସଂଗ୍ରାମ ଛାଡି ସେ ଶିକ୍ଷକ ଚାକିରୀ କଲେ । ମାତ୍ର ବାପାଙ୍କ ତାଗିଦ ଓ ଶିକ୍ଷକ ଚାକିରିର ଫାଶ ତାଙ୍କୁ ବେଶୀ ଦିନ ବାନ୍ଧି ରଖିପାରିଲାନି । ବଡଚଣାର ସଂଗ୍ରାମୀ ନେତା କୃଷ୍ଣମୋହନ ରାଉତରାୟଙ୍କ ଡାକରାରେ ଚାକିରୀ ଛାଡ଼ି ସ୍ୱାଧୀନତା ସଂଗ୍ରାମର ସଂଗ୍ରାମୀ ସାଜିଥିଲେ । ଗାଁରେ କଂଗ୍ରେସ କମିଟି ଗଢ଼ି ଯୁବକଙ୍କୁ ଏକାଠି କରିବାବାରେ ଶୀଘ୍ର ସଫଳ ହେଲେ ଓ ବଡଚଣା ସାଙ୍ଗକୁ ବରୀ, ମାହାଙ୍ଗା, ଇନ୍ଦୁପୁର ଏବଂ ଧର୍ମଶାଳା ଅଞ୍ଚଳରେ ସଂଗଠନର ନେତୃତ୍ୱ ନେଲେ ।
ମରଣସେନା ବାହିନୀ ଗଠନ
[ସମ୍ପାଦନା]ସଂଗ୍ରାମୀ କୃଷ୍ଣମୋହନ, ବୃନ୍ଦାବନ ଓ ଦୁର୍ଯ୍ୟୋଧନଙ୍କ ନେତୃତ୍ୱରେ ୧୯୪୨ରେ “ମରଣସେନା ବାହିନୀ' ଗଠନ ହୋଇଥିଲା । ବଡଚଣା, ବରୀ ଓ ଅନ୍ୟାନ୍ୟ ଅଞ୍ଚଳର ସଂଗ୍ରାମୀମାନେ ଏଥିରେ ସାମିଲ ହୋଇଥିଲେ । ୩ ମାସ ଧରି ବ୍ରିଟିଶ ରାଜତ୍ୱରୁ ବରୀ, ମାହାଙ୍ଗା ଓ ବଡଚଣା ଅଞ୍ଚଳକୁ ମୁକ୍ତ କରି ଶାସନ କରିଥିଲା ଏହି ବାହିନୀ । ଏହା ପ୍ରଶାସନିକ ମୁଖ୍ୟଥିଲେ ବୃନ୍ଦାବନ ତ୍ରିପାଠୀ ।
କାରାବାସ
[ସମ୍ପାଦନା]ଲଢୁଆ, ଦୁର୍ଦ୍ଦାନ୍ତ ଓ ଦୁର୍ବାର ନେତୃତ୍ୱ ଦେଉଥିବା ବୃନ୍ଦାବନଙ୍କୁ ଗିରଫ କରିବାକୁ ପୋଲିସ ନାକେଦମ ହୋଇଯାଇଥିଲା । ଶେଷରେ ବିଶ୍ୱାସଘାତର ଷଡଯନ୍ତ୍ରରେ ପଡ଼ି ଧରାପଡିଥିଲେ । ତେବେ ପୋଲିସକୁ ସାଙ୍ଗରେ ଧରି ନିଜ ଘରକୁ ଯାଇଥିଲେ ଓ ମା'ଠାରୁ ବିଦାୟ ନେଇ ଏକ ବିରାଟ ପଟୁଆରରେ ସେ ଆସିଥିଲେ । ସେଦିନ ଶହ ଶହ ସଂଗ୍ରାମୀ ଆପଣାଛାଏଁ ପୋଲିସଦ୍ୱାରା ଗିରଫ ହୋଇଥିଲେ । କଟକରୁ ସ୍ୱତନ୍ତ୍ର ପୋଲିସ ଫୋର୍ସ ମଗାଯାଇ ସଂଗ୍ରାମୀଙ୍କୁ ଗିରଫ କରାଯାଇଥିଲା ଓ ଗଜେନ୍ଦ୍ରପୁରସ୍ଥିତ କଳାଶ୍ରୀ-ଗୋପାଳପୁର ଡାକବଙ୍ଗଳାକୁ ଅସ୍ଥାୟୀ ଜେଲରେ ପରିଣତ କରାଯାଇଥିଲା । ବୃନ୍ଦାବନଙ୍କୁ ସର୍ବାଧିକ ୧୨ ବର୍ଷ ଜେଲଦଣ୍ଡ ହୋଇଥିଲା । କଟକ ଜେଲରେ ସେ ସର୍ବାଧକ ସମୟ କାଟିଥିଲେ । କିଛି କାଳ ତାଙ୍କୁ ବ୍ରହ୍ମପୁର ଜେଲକୁ ପଠାଯାଇଥିଲା । ବୃନ୍ଦାବନ ଜେଲରେ ଥିବାବେଳେ ଏପଟେ ସଂଗ୍ରାମକୁ ଦୁର୍ବଳ କରିବାକୁ ବ୍ରିଟିଶ ଦଲାଲ ଘୋଷଣା କରିଦେଲେଯେ ପୋଲିସ ଗୁଳି କରି ଜେଲ ଭିତରେ ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କୁ ମାରିଦେଇଛି । ଏହି ଘୋଷଣାରେ ଅନ୍ୟ ସଂଗ୍ରାମୀ ସାଥୀ ଭାଙ୍ଗି ପଡ଼ିଲେ । ଏଥିସାଙ୍ଗକୁ ମା ସଖାଦେବୀ ଏକମାତ୍ର ପୁତ୍ରର ମିଛ ମୃତ୍ୟୁ ଖବର ଶୁଣି ପ୍ରଥମେ ଅସୁସ୍ଥ ହୋଇଗଲେ ଓ ପରେ ମୃତ୍ୟୁବରଣ କଲେ । ଜେଲରେ ଥାଇ ସଂଗ୍ରାମୀ ବୃନ୍ଦାବନ ଏ ଖବର ପାଇ ଭାଙ୍ଗି ପଡ଼ିଥିଲେ ।
୧୨ ବର୍ଷର ସଜା ପାଉଥିଲେ ହେଁ ଦେଶ ସ୍ୱାଧୀନତା ପାଇବାର ଅବ୍ୟବହିତ ପୂର୍ବରୁ ବନ୍ଦୀମାନଙ୍କୁ ମୁକ୍ତ କରାଗଲା । ସେଥିରେ ସଂଗ୍ରାମୀ ବୃନ୍ଦାବନ ଓ ତାଙ୍କ କକାପୁଅ ସାନଭାଇ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅନୁଜ ପ୍ରତିମ ସାରଙ୍ଗଧର ସାମଲ, ନୀଳମଣି ସାମଲ, ତିଳ ମଳିକ, ନୀଳ ମଳିକ, ଗୋଲକ ପ୍ରଧାନ, ହରି ବାରିକ, ବୈଲୋଚନ ପ୍ରଧାନ, ତ୍ରିଲୋଚନ ପ୍ରଧାନ, ଭୋଳାନାଥ ମହାନ୍ତି ପ୍ରମୁଖ ମୁକ୍ତି ପାଇଲେ ।
ସମାଜ ସଂସ୍କାର
[ସମ୍ପାଦନା]ସଂଗ୍ରାମୀ ସରସ୍ୱତୀ ଦେବୀଙ୍କ ସହ ବିବାହ ପରେ ନବବିବାହିତା ପତ୍ନୀଙ୍କୁ ଧରି ସଂଗ୍ରାମୀ ବୃନ୍ଦାବନବାବୁ ଆଦିବାସୀଙ୍କ ସେବାଲାଗି ଗାଁ ଛାଡିଥିଲେ । ବର୍ଷ ବର୍ଷ ଧରି ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ଆଦିବାସୀ ଅଞ୍ଚଳ, ବନ୍ଧୁଗାଁ, ନାରାୟଣପାଟଣା, ରାୟଗଡ଼ା, ଗୁଣୁପୁରରେ ଶିକ୍ଷାଦାନ, ଖଦୀ ପ୍ରସାର ଓ ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ଚଳାଇଥୁଲେ । ଗୁଣପୁରର ତୁମିଙ୍ଗମାନଗୁଡ଼ାଠାରେ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଆଦିବାସୀ ଗାଁରେ ଆଶ୍ରମ ପ୍ରତିଷ୍ଠା କରି ସେହି ଅଞ୍ଚଳର ବିକାଶ ପାଇଁ ଲାଗିପଡ଼ିଥିଲେ । ପରେ ନିଜ ଗାଁକୁ ଫେରି ସମାଜରେ ରୁଢିବାଦୀ ନୀତିର ବିଲୋପ ପାଇଁ ରଚନାତ୍ମକ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବ୍ରାହ୍ମଣ ହୋଇ ଲଙ୍ଗଳରେ ଚାଷ କରିଥିଲେ ଓ ଅନ୍ୟ ବ୍ରାହ୍ମଣ ଯୁବକଙ୍କୁ ଏକାଠି କରି ଲଙ୍ଗଳ ଉତ୍ସବ କରିଥିଲେ । ଗାଁରେ ପାଠାଗାର, ସୂତାକଟା କେନ୍ଦ୍ର, ଶିକ୍ଷା କେନ୍ଦ୍ର ମଧ୍ୟ ତାଙ୍କଦ୍ୱାରା ପ୍ରତିଷ୍ଠା ହୋଇଥିଲା ।
ସଂଗ୍ରାମୀ ଅମୃତ ଲାଲ ଠକ୍କର ବା ଠକର ବାପାଙ୍କ ନାଁରେ ବାଲିପଡ଼ିଆଠାରେ ଠକ୍କର ବାପା ଆଶ୍ରମ ପ୍ରତିଷ୍ଠା କଲେ । ଦେଶ ତଥା ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ସେହି ଆଶ୍ରମକୁ ବୁଲି ଆସିଥିଲେ । ଏଠାରେ ତାଙ୍କଦ୍ୱାରା ସ୍ଥାପିତ ମହାତ୍ମା ଗାନ୍ଧିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପୂଜା ପାଉଛନ୍ତି । ଶେଷ ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟ ସୁରୂପ ଶିକ୍ଷାଦାନ, ଖଦୀ ବସ୍ତ୍ରର ବ୍ୟବହାର, ଦଳିତ ଉତଥାନ, ସାମାଜିକ ସଂସ୍କାର ଆଦି କାର୍ଯ୍ୟରେ ନିଜକୁ ସେ ନିୟୋଜିତ ରଖିଥିଲେ ।
ସରକାରୀ ପଦପଦବୀ
[ସମ୍ପାଦନା]ସେ ଦୁଇ ଥର ଭରତପୁର ପଞ୍ଚାୟତର ସରପଞ୍ଚ ହୋଇଥିଲେ । ତେବେ ବିଧାୟକ ହୋଇ ପ୍ରତ୍ଯକ୍ଷ ରାଜନୀତିରେ ସକ୍ରିୟ ହେବା ପ୍ରସ୍ତାବକୁ ବିନମ୍ର ଭାବେ ଏଡ଼ାଇଯାଇଥିଲେ ।
ମାନ ସମ୍ମାନ
[ସମ୍ପାଦନା]- ତ୍ୟାଗ, ସେବା ଓ ସଂଗ୍ରାମ ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କଦ୍ୱାରା ଦିଲ୍ଲୀଠାରେ ତାମ୍ରପତ୍ର ସମ୍ମାନ
- ଉତ୍ତରପ୍ରଦେଶ ସରକାରଙ୍କଠାରୁ ଲକ୍ଷ୍ନୌଠାରେ ସର୍ବଭାରତୀୟ ସ୍ତରରେ ଅନ୍ୟମାନଙ୍କ ସହ ‘ରାଷ୍ଟ୍ରବୀର' ସମ୍ମାନ
- ଓଡ଼ିଶା ସରକାରଙ୍କ ପକ୍ଷରୁ ଏକାଧିକବାର ସମ୍ମାନ ସହ ଗୃହବିଭାଗଦ୍ୱାରା ସ୍ୱତନ୍ତ୍ର ଫଳକ
- ମୃତ୍ୟୁପରେ ମରଣୋତ୍ତର ସମ୍ମାନ ସ୍ୱରୂପ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ତାଙ୍କୁ 'ବଡଚଣା ଗାନ୍ଧି’ ଭାବେ ଉପାଧି [୩]
ମୃତ୍ୟୁ
[ସମ୍ପାଦନା]୧୯୮୯ ମସିହା ଅକ୍ଟୋବର ୨୫ ତାରିଖରେ ପବିତ୍ର ରମା ଏକାଦଶୀ ତିଥିରେ ବୃନ୍ଦାବନ ତ୍ରିପାଠୀଙ୍କର ପରଲୋକ ଘଟିଥିଲା ।
ଆଧାର
[ସମ୍ପାଦନା]- ↑ ଅମର ପ୍ରସାଦ, ଶତପଥୀ. "ଧୂଳିମାଟିର ସନ୍ଥଟିଏ". ସୂର୍ଯ୍ୟପ୍ରଭା. Retrieved 16 January 2017.
- ↑ "ସ୍ୱାଧୀନତା ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମର ଶୁଭାରମ୍ଭ". ଓଡ଼ିଶାନ. Retrieved 16 January 2017.
- ↑ "ସ୍ୱାଧୀନତା ସଂଗ୍ରାମୀ ବଡଚଣା ଗାନ୍ଧୀ ବୃନ୍ଦାବନ ତ୍ରିରପାଠୀଙ୍କ ଜନ୍ମଶତବାର୍ଷିକୀ ଶୁଭାରମ୍ଭ". ନ୍ୟୁଜ ଡେଲି ହଣ୍ଟ. Retrieved 16 January 2017.