ବୈକୁଣ୍ଠନାଥ ପୂଝାରୀ

ଉଇକିପିଡ଼ିଆ‌ରୁ
(Baikunthanath Pujariରୁ ଲେଉଟି ଆସିଛି)
ବୈକୁଣ୍ଠନାଥ ପୂଝାରୀ
ଜାତୀୟତା ଭାରତୀୟ
ପ୍ରସିଦ୍ଧିସମ୍ବଲପୁରରେ ଓଡ଼ିଆ ଭାଷା ଆନ୍ଦୋଳନ
ପିତାମାତାଦାଶରଥି ପୂଝାରୀ

ବୈକୁଣ୍ଠନାଥ ପୂଝାରୀ, ବିଂଶ ଶତାବ୍ଦୀର ଆରମ୍ଭରେ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷାର ସୁରକ୍ଷା ଦିଗରେ କାର୍ଯ୍ୟ କରିଥିବା ଜଣେ ବିଶିଷ୍ଟ ଭାଷାପ୍ରେମୀ । [୧]

ଉନବିଂଶ ଶତାବ୍ଦୀର ଶେଷ ବେଳକୁ ସମ୍ବଲପୁରର ଓଡ଼ିଆ ଭାଷା ଆନ୍ଦୋଳନ ଦୁର୍ବଳ ହୋଇଆସିଥିଲା । ଓଡ଼ିଆ ବିରୋଧୀ ହିନ୍ଦୀ ଭାଷାଭାଷୀଲୋକଙ୍କର ଯୋର ଥିଲା ଓ ସମ୍ବଲପୁରରେ ଓଡ଼ିଆ ଭାଷା ବିଲୁପ୍ତ ହେବାକୁ ବସିଥିଲା । ୧୯୦୧ ମସିହାରେ ବୈକୁଣ୍ଠନାଥ ପୂଝାରୀ ଏକସ୍ଟ୍ରା ଆସିଷ୍ଟାଣ୍ଟ କମିସନର ଭାବରେ କମିସନର ଏଣ୍ଡ୍ରୁ ଫ୍ରେଜରଙ୍କ ଅଧିନରେ ଯୋଗଦାନ କରିଥିଲେ । ତାଙ୍କ ପିତା ଦାଶରଥି ପୂଝାରୀ ମଧ୍ୟ ୧୮୭୭ ମସିହାରେ ବରଗଡ଼ର ସବ ଡିଭିଜନାଲ ଅଫିସର ଏଣ୍ଡ୍ରୁ ଫ୍ରେଜରଙ୍କ ଅଧିନରେ ଯୋଗଦାନ କରି ଜଣେ କିରାଣୀ ଭାବରେ କାମକରିଥିଲେ । ଏଣ୍ଡ୍ରୁ ଫ୍ରେଜରଙ୍କ ସମ୍ବଲପୁର ଓଡ଼ିଆଙ୍କ ଭାଷା ଦାବୀ ପ୍ରତି ସମବେଦନା ରହିଥିଲେ ମଧ୍ୟ, ଚିଫ କମିସନର ଉଡବର୍ନ ସେଥି ପ୍ରତି ବିମୁଖ ଥିଲେ । ଏହି ସମୟରେ ୧୯୦୧ ମସିହାରେ ସମ୍ବଲପୁରର ଜନଗଣନା କାର୍ଯ୍ୟ ଆରମ୍ଭ ହୋଇ ବିଭିନ୍ନ କାରଣରୁ ଅଟକି ଯାଇଥିଲା । ଜନଗଣନା କାର୍ଯ୍ୟରେ ନିୟୋଜିତ ହିନ୍ଦୀ ଭାଷୀ କର୍ମଚାରୀମାନେ ଓଡ଼ିଆ କହି ପାରୁନଥିବାରୁ, ଆବଶ୍ୟକୀୟ ପ୍ରଶ୍ନୋତ୍ତର ଫର୍ମାଟରେ ଉତ୍ତର ଆଦାୟ କରିପାରୁନଥିଲେ । ଦ୍ୱିତୀୟରେ ସମ୍ବଲପୁରର ଦୁର୍ଗମ ଅଞ୍ଚଳକୁ ସେମାନେ ପହଞ୍ଚିପାରୁନଥିଲେ । ସବୁଠାରୁ ବଡ଼ କାରଣ ଥିଲା, ଏହି ଜନଗଣନା କାର୍ଯ୍ୟ ସମ୍ବଲପୁରର ଓଡ଼ିଆ ପ୍ରାଧାନ୍ୟ ପ୍ରମାଣ କରାଇଦେବାର ଆଶଙ୍କା । ଏହିଭଳି ସମୟରେ ଜନଗଣନା କାର୍ଯ୍ୟର ଦାୟିତ୍ୱ ପଡ଼ିଲା ୨୪ ବର୍ଷ ବୟସ୍କ ବୈକୁଣ୍ଠନାଥ ପୂଝାରୀଙ୍କ ଯୁବ କାନ୍ଧରେ । [୨]

୧୯୦୧ର ସମ୍ବଲପୁର ଜନଗଣନାରୁ ଜଣାପଡ଼ିଲା ଯେ, ସମ୍ବଲପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୭ ଲକ୍ଷ ୯୬ହଜାର ୪୧୩ ମଧ୍ୟରୁ ଓଡ଼ିଆଙ୍କ ସଂଖ୍ୟାଥିଲା ୫ ଲକ୍ଷ ୯୫ ହଜାର ୬୦୧ ।[୩] ସମ୍ବଲପୁର ସହିତ ପ୍ରଶାସନିକ ଭାବରେ ଜଡ଼ିତ ଅନ୍ୟାନ୍ୟ କ୍ଷେତ୍ର ଯଥା ବାମଣ୍ଡା, ରେଢାଖୋଲ, ପାଟନା ଓ କଳାହାଣ୍ଡିରେ ମଧ୍ୟ ଲୋକସଂଖ୍ୟାର ୮୭% ଥିଲେ ଓଡ଼ିଆ । ଏହି ଜନଗଣନା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣକଲା ଓ ପ୍ରମାଣିତ କଲା ଯେ, ସମ୍ବଲପୁର ସମେତ ସମସ୍ତ ପଶ୍ଚିମ ଓଡ଼ିଶା ଓଡ଼ିଆ କ୍ଷେତ୍ର । ଏହା ବୈକୁଣ୍ଠନାଥ ପୂଝାରୀଙ୍କ ପ୍ରଚେଷ୍ଟାରୁ ହିଁ ସମ୍ଭବ ହୋଇପାରିଲା । ଦିନବେଳା ସେ ପଦସ୍ଥ ସରକାରୀ କର୍ମଚାରୀ ଥିଲେ ଓ ରାତିରେ ଥିଲେ ଭାଷା ଆନ୍ଦୋଳନର ପୁରୋଧା । ରାତ୍ରି ଆଗମନରେ ସେ ଅଶ୍ୱାରୋହଣ କରି, ସମ୍ବଲପୁରର ଦୁର୍ଗମ ଅଞ୍ଚଳ ସବୁ ବୁଲି ବୁଲି ଲୋକଙ୍କୁ ଏକାଠି କରିଥିଲେ ଓ ଓଡ଼ିଆ ଭାବରେ ସେମାନଙ୍କ ହୃତଗୌରବ ଫେରାଇ ଆଣିପାରିଥିଲେ । [୪]

୧୯୧୯ରେ ହୀରାଖଣ୍ଡରେ ପ୍ରକାଶିତ ତାଙ୍କ ଜୀବନୀରୁ ଉଦ୍ଧୃତ :

ଧନ୍ୟ ସେ କର୍ମବୀରଙ୍କ ନୈତିକ ସାହସ! ଦିବସବ୍ୟାପୀ ସରକାରୀ କର୍ମରେ ନିଯୁକ୍ତ ରହି ନିଶାକାଳ ପ୍ରବେଶ ମାତ୍ରକେ ଅଶ୍ୱୋପରି ଆରୋହଣ କରି ବୈକୁଣ୍ଠନାଥ ରାତ୍ରୀଯାପନ କରୁଥିଲେ । ଗ୍ରାମେ ଗ୍ରାମେ ପରିଭ୍ରମଣ ସମୟରେ ଲୋକମାନଙ୍କୁ ଜିଲ୍ଲାଧିଶଙ୍କ ତଦନ୍ତ ସମୟରେ କିପରି ଭାବରେ ଓଡ଼ିଆ ଭାଷାର ଉପକାରିତା ତର୍କବିତର୍କଦ୍ୱାରା ପ୍ରତିପନ୍ନ କରାଇବେ, ସେଥି ନିମନ୍ତେ ସେ ଚେଷ୍ଟିତ ଥିଲେ । ରାତ୍ରି ସମୟରେ ବହୁ ଦୂରବର୍ତୀ ଗ୍ରାମରେ ଉପସ୍ଥିତ ହୋଇ ସେହି ଗ୍ରାମବାସୀଙ୍କୁ ଉତ୍କଳ ଭାଷାର ପ୍ରଚଳନ ରୂପକ ମନ୍ତ୍ରରେ ଦୀକ୍ଷିତ କରୁଥିଲେ । ହିନ୍ଦୀଭାଷା ପ୍ରଚଳନ ପକ୍ଷପାତୀ କର୍ମଚାରୀବୃନ୍ଦଙ୍କ ବୈଧୃତି ପ୍ରତି ତିଳେ ମାତ୍ର ଭୃକ୍ଷେପ ନକରି ଦେଶର ମାୟା ମମତା ଅନୁବନ୍ଧନର ବଶବର୍ତୀ ହୋଇଥିଲେ ।

[୫]

ଆଧାର[ସମ୍ପାଦନା]

  1. Kedarnath Mahapatra; Orissa State Museum (1982). The Orissa Historical Research Journal. Superintendent, Research and Museum, Orissa.
  2. Proceedings of the ... Annual Conference ... The Congress. 1995.
  3. http://orissa.gov.in/e-magazine/Orissareview/2012/April/engpdf/40-43.pdf
  4. Chittaranjan Mishra (1 September 1986). Freedom Movement in Sambalpur: 1827-1947. Delhi : B.R. Publishing Corporation ; New Delhi. ISBN 978-81-7018-357-0.
  5. ସମ୍ବାଦ ୧୯/୦୪/୨୦୧୪ ପୃଷ୍ଠା ୧୦ରେ ପ୍ରକାଶିତ ହରପ୍ରସାଦ ଦାସଙ୍କ ଆଲେଖ୍ୟ 'ରାତିର ଅଶ୍ୱାରହୀ'