ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି
ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ପୁରୀ ଜିଲ୍ଲା |
ଦେବାଦେବୀ | ଶିବ |
Festivals | ଜାଗର (ମହାଶିବରାତ୍ରୀ), ଶୀତଳ ଷଷ୍ଠୀ, ପଣା ସଂକ୍ରାନ୍ତି, ଅଷ୍ଟପ୍ରହରୀ ,ରାମପରାୟଣ, ମକର ସଂକ୍ରାନ୍ତି, ଦୋଳ ମେଳନ |
Location | |
State | ଓଡ଼ିଶା |
Country | ଭାରତ |
Architecture | |
ପ୍ରଥମ ରାମଚନ୍ଦ୍ରଦେବ |
ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ଏକ ଭାରତୀୟ ଶିବ ମନ୍ଦିର ଓ ଏହା ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ କେନ୍ଦୁସାହି-ହରିଶଙ୍କରପୁରରେ ଅବସ୍ଥିତ । ମନ୍ଦିରର ନିର୍ମାଣଶୈଳୀ ଓ ଲୋକକଥା ତଥା ଇତିହାସ ଆଦିରୁ ଏହା ପୁରୀ ଗଜପତି ପ୍ରଥମ ରାମଚନ୍ଦ୍ରଦେବଙ୍କ (୧୫୬୮-୧୬୦୦) ସ୍ଥାପିତ ହୋଇଥିବା ଜଣାଯାଏ । ଏହା ମୁଖ୍ୟତଃ ଏକ ଶିବ ମନ୍ଦିର ତଥା ଏକ ହରିହରଙ୍କ ପୀଠ । ଏଠାରେ ପାର୍ଶ୍ୱଦେବଦେବୀ ଭାବେ ବାମପଟେ ଦେବୀ ପାର୍ବତୀ, ପଛପଟେ କାର୍ତ୍ତିକେୟ, ଡାହାଣ ପଟେ ଗଣେଶ, ଦକ୍ଷିଣ-ପଶ୍ଚିମ କୋଣରେ ହନୁମାନ ଏବଂ ମନ୍ଦିରର ସମ୍ମୁଖ ଭାଗର ଡାହାଣ ପଟେ ଦେବୀ ରୁଦ୍ରାୟଣୀ ଓ ବାମ ପଟେ ଗୋପୀନାଥଙ୍କ ବିଗ୍ରହ ରହିଛି |
ଅବସ୍ଥିତି
[ସମ୍ପାଦନା]ଏହି ମନ୍ଦିର ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ସତ୍ୟବାଦୀ ମଣ୍ଡଳ ଅନ୍ତର୍ଗତ କାଦୁଆ (ଗ୍ରାମପଞ୍ଚୟତ)ର କେନ୍ଦୁସାହି (ହରିଶଙ୍କରପୁର) ଗ୍ରାମରେ ଅବସ୍ଥିତ | ଏଠାକୁ ସଡ଼କ ପଥରେ ଯିବା ପାଇଁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ୩୧୬ରୁ ପଟ୍ଟନାୟିକିଆ ଛକଠାରୁ ବରାଳ ବାଲୁଙ୍କେଶ୍ୱର (ଗୋପବନ୍ଧୁ ମାର୍ଗ,ସୁଆଣ୍ଡୋ)କୁ ଯିବା ରାସ୍ତାରେ କେନ୍ଦୁସାହି ଗ୍ରାମକୁ ଯିବାକୁ ପଡ଼େ । ସେହି ରାସ୍ତାରୁ କେନ୍ଦୁସାହିକୁ ଚଉଦବାଟିଆ ନାମକ ଏକ ଛୋଟ ରାସ୍ତା ଦେଇ ମଧ୍ୟ ବାଟ ରହିଛି । ନିକଟସ୍ଥ ଦୁଇଟି ବସଷ୍ଟାଣ୍ଡ ହେଲା କାଦୁଆ ଓ ପଟ୍ଟନାଇକିଆ ମନ୍ଦିରଠାରୁ ୫୦୦ ମିଟର ଦୂରରେ ଅବସ୍ଥିତ | ନିକଟସ୍ଥ ବିମାନବନ୍ଦର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଏଠାରୁ ୩୯ କିମି ଦୂରରେ ଓ ନିକଟସ୍ଥ ରେଲଷ୍ଟେସନ ସାକ୍ଷୀଗୋପାଳ ଏଠାରୁ ୨/୩ କିମି) |
ଇତିହାସ
[ସମ୍ପାଦନା]ପୁରୀ ଗଜପତି ପ୍ରଥମ ରାମଚନ୍ଦ୍ରଦେବ ଏହି ମନ୍ଦିରର ସ୍ଥାପନା କରାଇଥିଲେ ଓ ସ୍ୱପ୍ନେଶ୍ୱର ମହାଦେବ ଓ ରୁଦ୍ରାୟଣୀଙ୍କ ନାମରେ ଅନେକ ଜମି ଖଞ୍ଜାପଢ଼ା କରିଥିଲେ । କୁହାଯାଏ ଯେ ଠାକୁରଙ୍କ ନାଁରେ ୨୨ ଗୁଣ୍ଠ ଏବଂ ଆହୁରି ଜମି ମଧ୍ୟ ଅଛି କିନ୍ତୁ ଭୂଲେଖ ଓଡ଼ିଶାର ରେକର୍ଡ ଅନୁଯାୟୀ ବର୍ତ୍ତମାନ ଏହାର ୧୩ ଏକର ୯ ଡିସିମିଲ୍ ଜମି ରହିଛି | ଏହା ଓଡ଼ିଶା ସରକାରଙ୍କ ଅନୁଦାନ ବୋର୍ଡ (ପୁରୀ-ଭୁବନେଶ୍ବର ଜୋନ)ର କ୍ରମିକ ନଂ ୨୨ ଏବଂ ଇଣ୍ଡେକ୍ସ ନଂ ୨୮-ଏସପି ଅନ୍ତର୍ଗତ |
କିମ୍ବଦନ୍ତୀ
[ସମ୍ପାଦନା]ଲୋକମୁଖର କିମଦନ୍ତୀ ଅନୁସାରେ ପ୍ରତିଦିନ ଏକ ଗାଈ ଏହି ସ୍ଥାନରେ ଥିବା କେନ୍ଦୁବଣର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସିଲେ ସେଠାକାର ଏକ ଗାତ ପାଖରେ ପହ୍ନାରୁ ଆପେଆପେ କ୍ଷୀର ଝରେ । ଗାଈ ପାଳିଥିବା ଗଉଡ଼ ଖୋଜିବାକୁ ଆସି ଏକଥା ଦେଖି ଗଜପତିଙ୍କୁ ଜଣାଏ । ସ୍ୱପ୍ନରେ ମହାଦେବ ଦେଉଳ ତୋଳାଇବାକୁ ଆଦେଶ କରିବାରୁ ସ୍ୱପ୍ନେଶ୍ୱର ନାମରେ ବିଖ୍ୟାତ ହେଲେ। ଏ ଗ୍ରାମ "କେନ୍ଦୁସାହି" ନାମରେ ଖ୍ୟାତିଲାଭ କଲା । ଏହି ଘଟଣା ପରେ "ସ୍ୱପ୍ନେଶ୍ୱର" ନାମରେ ଅର୍ଚ୍ଚିତ ହେଲେ |
ନିର୍ମାଣ ଶୈଳୀ
[ସମ୍ପାଦନା]ଏହି ଦେଉଳଟି ପୂର୍ବାଭିମୂଖୀ ଓ କଳିଙ୍ଗ ରେଖଶୈଳୀରେ ନିର୍ମିତ | ଏହାର ଉଚ୍ଚତା ପ୍ରାୟ ୪୦ ଫୁଟ ଓ ଶିବଲିଙ୍ଗ ପାତାଳଫୁଟା (ସ୍ୱୟଂମ୍ଭୁ) ଭାବେ ଭୂମିପତନଠାରୁ ୧୫ ଫୁଟ ତଳେ ଗମ୍ଭୀରା ମଧ୍ୟରେ ଅଛନ୍ତି । ଆଗ ନାଟମଣ୍ଡପରେ ଚଳନ୍ତି ଠାକୁର ଶ୍ରୀଚନ୍ଦ୍ରଶେଖର ଏବଂ ପାର୍ବତୀ ଅଛନ୍ତି । ଓଡ଼ିଶାର ଅନ୍ୟାନ୍ୟ ଶୈବପୀଠରେ ବିଷ୍ଣୁ ପାର୍ଶ୍ବଦେବତା ଭାବେ ମନ୍ଦିରର କୋଣସି ପାର୍ଶ୍ବରେ ଥିବା ବେଳେ ଏଠାରେ ମନ୍ଦିରର ଡାହାଣ ପାଖରେ ଗୋପୀନାଥଙ୍କ ବିଗ୍ରହ ରହିଛି । ଏହା ଏକ ଶିବମନ୍ଦିର ହେବା ସତ୍ତ୍ୱେ ହରିହରଙ୍କ ଚିହ୍ନ ଭାବେ ଚଉଦୋଳ (ଦୋଳବିମାନ) ଉପରେ ଚକ୍ର ଲାଗିଥାଏ । ୧୯୯୮ ମସିହାରେ ଏହି ମନ୍ଦିରର ନବୀକରଣ ହୋଇ ପୁରୂଣା ପଥର ଉପରେ ସିମେଣ୍ଟ ପ୍ଲାଷ୍ଟର ହୋଇଥିଲା । ଏହା ଫଳରେ ଲୁଚିଗଲା ପୁରୁଣା ପଥର ଖୋଦା କୀର୍ତ୍ତି ଲୁଚିଯାଇଥିଲା । ୨୦୧୯ରେ ଆଗପଟର ଜଗମୋହନ ନୂତନ ଭାବେ ନିର୍ମାଣ ହୋଇଛି |
ପାର୍ଶ୍ୱଦେବଦେବୀ
[ସମ୍ପାଦନା]ମନ୍ଦିରର ବାମପଟେ ପାର୍ବତୀ, ପଛପଟେ କାର୍ତ୍ତିକେୟ, ଡାହାଣ ପଟେ ଗଣେଶ, ଦକ୍ଷିଣ-ପଶ୍ଚିମ କୋଣରେ ହନୁମାନ ଏବଂ ମନ୍ଦିରର ସମ୍ମୁଖ ଭାଗର ଡାହାଣ ପଟେ ରୁଦ୍ରାୟଣୀ ଓ ବାମଭାଗରେ ଗୋପୀନାଥଙ୍କ ବିଗ୍ରହ ରହିଛି |
ପାଳନ ଓ ପର୍ବପର୍ବାଣୀ
[ସମ୍ପାଦନା]ଏହି ଦେଉଳଟି କେବଳ ସଂକ୍ରାନ୍ତିର ବିଭିନ୍ନ ପର୍ବପର୍ବାଣି ସମୟରେ ଅଧିକ ସମୟ ଏବଂ ରାମପାରାୟଣ, ଅଷ୍ଟପ୍ରହରୀ, ମହାଶିବରାତ୍ରୀ ସମୟରେ ଦିନସାରା ଖୋଲାଥାଇ ଅନ୍ୟ ଦିନ ମାନଙ୍କରେ ନୀତି ସରିବା ପରେ ବନ୍ଦରହେ । ଏଠାରେ ପାଳିତ ପର୍ବପର୍ବାଣୀ ମଧ୍ୟରେ ଜାଗର (ମହାଶିବରାତ୍ରୀ), ଦୋଳ ପୂର୍ଣ୍ଣିମା, ଶୀତଳ ଷଷ୍ଠୀ, ପଣା ସଂକ୍ରାନ୍ତି, ଅଷ୍ଟପ୍ରହରୀ ,ରାମପରାୟଣ, ମକର ସଂକ୍ରାନ୍ତି, ଦୋଳ ମେଳନ ଆଦି ପ୍ରଧାନ । ପ୍ରତିବର୍ଷ ଅଷ୍ଟପ୍ରହରୀ ଅକ୍ଷୟ ତୃତୀୟାଠାରୁ ଦୁଇ ଦିନ ଯାଏଁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୁଏ | ଏଠାର ରାମପରାୟଣ ପ୍ରତିବର୍ଷ କାର୍ତ୍ତିକମାସର ପଞ୍ଚୁକ ପାଞ୍ଚଦିନ ବ୍ୟାପୀ ମନ୍ଦିର ପରିସରରେ ଅନୁଷ୍ଠିତ ହୁଏ |
ଦୋଳ ମେଲଣ
[ସମ୍ପାଦନା]ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମା ତିଥିରେ ଏହି ମନ୍ଦିରରେ ଦୁଇ ଦିନ ବ୍ୟାପୀ ଦୋଳ ମେଲଣ ପାଳନହୁଏ | ଏ ମେଳଣଟି ସାକ୍ଷୀଗୋପାଳର ସର୍ବପ୍ରାଚୀନ ଓ ସବୁଠାରୁ ପ୍ରସିଦ୍ଧ ମେଳନ | ଏହି ଅବସରରେ ଆଖପାଖ ଗ୍ରାମର ଠାକୁରମାନେ ଦୋଳବିମାନରେ ସଜ୍ଜିତ ହୋଇ ଆସିଥାନ୍ତି | ଠାକୁର ଆସୁଥିବା ଆଖପାଖ ଗ୍ରାମଗୁଡ଼ିକ ଓ ସେଠାର ଦେବଦେବୀ ହେଲେ ଭଗବତ ବାସୁଦେବ, କାଦୁଆର ବକ୍ରେଶ୍ୱର ମହାଦେବ, ଭଟ୍ଟପୁରର ମହାଦେବ, ଚଣାଗୋରଡାର କ୍ଷେତ୍ରପାଳୀ ଠାକୁରାଣୀ, ସାତଶଙ୍ଖ, ଆଠବାଟିଆ, ସୁବଳପୁର, ନୂଆପଡ଼ା, ବାଲିସାହିର ମହାଦେବ, ଅଣିଜଙ୍ଗ ଅର୍ଜୁନସିଂହପୁର (ଅର୍ଦିଷପୁର)ର ପଞ୍ଚଲିଙ୍ଗେଶ୍ୱର ଭୈରବ, ଓ ମହାବଳପଡ଼ା ।
ଫଟୋ ଗ୍ୟାଲେରୀ
[ସମ୍ପାଦନା]-
ସ୍ୱପ୍ନେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଓ ଦେବୀ ପାର୍ବତୀ
-
ପାର୍ଶ୍ୱଦେବତା କାର୍ତ୍ତିକେୟ
-
ପାର୍ଶ୍ୱଦେବତା ଗଣେଶ
-
୨୦୨୩ ମେଳନର ଦୋଳ ବିମାନ