ସୌଭାଗ୍ୟ ପକ୍ଷୀ

ଉଇକିପିଡ଼ିଆ ରୁ
Jump to navigation Jump to search

ସୌଭାଗ୍ୟ ପକ୍ଷୀ
Common Iora.jpg
ସୌଭାଗ୍ୟ ପକ୍ଷୀ
ସୌଭାଗ୍ୟ ପକ୍ଷୀର ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
Kingdom: Animalia
Phylum: Chordata
Class: Aves
Order: Passeriformes
Family: Aegithinidae
Genus: Aegithina
ଜାତି: A. tiphia
ବାଇନୋମିଆଲ ନାମ
Aegithina tiphia
(କାର୍ଲ୍ ଲିନାୟସ୍, ୧୭୫୮)
Synonyms

ମୋଟେସିଲା ଟିଫିଆ (Motacilla tiphia) ଲିନାୟସ୍, ୧୭୫୮

ସୌଭାଗ୍ୟ ପକ୍ଷୀ (ଇଂରାଜୀ ଭାଷାରେ Common Iora, ଜୀବବିଜ୍ଞାନ ନାମ Aegithina tiphia) ଭାରତୀୟ ଉପମହାଦେଶ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏକ କ୍ଷୁଦ୍ରାକୃତି ସୁନ୍ଦର କାକଳିବିଶିଷ୍ଟ ପକ୍ଷୀ । ଭୌଗୋଳିକ ଅବସ୍ଥିତି ସହ ଏମାନଙ୍କ ରଙ୍ଗରେ ବିଭିନ୍ନତା ପରିଲକ୍ଷିତ ହୁଏ ଓ ଏହି ଆଧାରରେ ଅନେକ ପକ୍ଷୀଙ୍କୁ ଉପପ୍ରଜାତି ଭାବେ ଚିହ୍ନଟ କରାଯାଉଛି । ବୁଦାଳିଆ ଓ ଘନ ଜଙ୍ଗଲରେ ବାସ କରୁଥିବା ଏହି ପକ୍ଷୀ ପ୍ରଜାତିକୁ ଏମାନଙ୍କ ଶରୀରର ରଙ୍ଗ ଓ ସୁନ୍ଦର ହୁଇସିଲ୍ ଶବ୍ଦରୁ ସହଜରେ ଠାବ କରିହେବ । ମିଳନ ଋତୁରେ ଅଣ୍ଡିରା ପକ୍ଷୀମାନେ ନିଜ ପରକୁ ଫୁଲାଇ ପ୍ରଦର୍ଶନ କରନ୍ତି ।

ବିବରଣୀ[ସମ୍ପାଦନା]

ସୌଭାଗ୍ୟ ପକ୍ଷୀମାନଙ୍କ ଥଣ୍ଟ ମୁନିଆ । ଏହି ପ୍ରଜାତିର ଅଣ୍ଡିରା ଓ ମାଈମାନେ ଦେଖିବାକୁ ଅଲଗା । ଅଣ୍ଡିରାମାନଙ୍କ ଡେଣା ଓ ଲାଞ୍ଜ କଳା ରଙ୍ଗର ହୋଇଥାଏ । ମିଳନ ଋତୁରେ ଅଣ୍ଡିରା ପକ୍ଷୀମାନଙ୍କ ଟୋପି ବା ଚୂଳ ଓ ପିଠି ମଧ୍ୟ କଳା ରଙ୍ଗର ହୋଇଥାଏ । ମାଈମାନଙ୍କ ଡେଣା ସବୁଜ ରଙ୍ଗର ଓ ସେମାନଙ୍କ ଲାଞ୍ଜ ଅଲିଭ୍ ପରି ରଙ୍ଗର ହୋଇଥାଏ । ଉଭୟଙ୍କ ଶରୀରର ନିମ୍ନାଂଶ ଯଥା - ବେକ, ପେଟ ଇତ୍ୟାଦି ହଳଦିଆ ରଙ୍ଗର । ଅଣ୍ଡିରାଙ୍କ ଡେଣାରେ ଧଳା ରଙ୍ଗର ଗାର ରହିଥାଏ ଯାହା ପ୍ରଜନନ ଋତୁରେ ଅଧିକ ସ୍ପଷ୍ଟ ଦେଖାଯାଏ । ପ୍ରଜନନ ଋତୁରେ ଅଣ୍ଡିରାମାନଙ୍କ ପିଠି ପଟର କଳା ଅଂଶରେ ବିଭିନ୍ନତା ଦେଖାଯାଏ ଓ ଏହା “ମାର୍ଶାଲ୍ସ୍ ଆୟୋରା” ନାମକ ଆଉ ଏକ ସୌଭାଗ୍ୟ ପକ୍ଷୀ ପରି ଦେଖାଯିବାରୁ ମନରେ ଭ୍ରମ ସୃଷ୍ଟି ହୋଇପାରେ । ମାର୍ଶାଲ୍ସ ଆୟୋରା ପକ୍ଷୀର ଲାଞ୍ଜର ଅଗଟି ଧଳା ରଙ୍ଗର ଓ ସେଥିରୁ ଦୁଇ ପ୍ରଜାତିକୁ ଠଉରାଇହେବ ।[୨] ସୌଭାଗ୍ୟ ପକ୍ଷୀଙ୍କ ଏକ ଉପପ୍ରଜାତି ହିମାଳୟ ଅଞ୍ଚଳରେ ଦେଖାଯାନ୍ତି । ଏହି ଅଞ୍ଚଳର ଉପପ୍ରଜାତିର ଅଣ୍ଡିରା ଓ ମାଈମାନେ ଦେଖିବାକୁ ପ୍ରାୟ ଏକାପରି । ଏଠାକାର ଅଣ୍ଡିରାମାନଙ୍କ ଚୂଳ ମଧ୍ୟ ଅଳ୍ପ କଳା ରଙ୍ଗର । ଉତ୍ତର-ପଶ୍ଚିମ ଭାରତରେ ଦେଖାଯାଉଥିବା ସେପ୍ଟେଣ୍ଟ୍ରିଓନାଲିସ୍ (septentrionalis) ଉପପ୍ରଜାତି ଅନ୍ୟ ଉପପ୍ରଜାତିଙ୍କ ତୁଳନାରେ ଅଧିକ ହଳଦିଆ ରଙ୍ଗର । ପ୍ରଜନନ ଋତୁରେ ଉତ୍ତର ଭାରତର ସମତଳ ଭୂମିରେ ଦେଖାଯାଉଥିବା ହୁମେଇ (humei) ପ୍ରଜାତିର ଅଣ୍ଡିରାମାନଙ୍କ ଚୂଳ କଳା ଓ ଶରୀରର ଉପରାଂଶ ଅଲିଭ୍ ରଙ୍ଗର ହୋଇଥାଏ । ଦକ୍ଷିଣ-ପଶ୍ଚିମ ଭାରତ ଓ ଶ୍ରୀଲଙ୍କାରେ ମଲ୍ଟିକଲର୍ (multicolor) ଉପପ୍ରଜାତି ଦେଖାଯାଏ ଯାହାର ଚୂଳ ଓ ଶରୀରର ଉପରାଂଶ ଅତିଶୟ କଳା ରଙ୍ଗର । ଦକ୍ଷିଣ ଭାରତର ସୌଭାଗ୍ୟ ପକ୍ଷୀମାନେ ହୁମେଇ ଓ ମଲ୍ଟିକଲର୍ ଉପପ୍ରଜାତିର ମିଶାମିଶି ରଙ୍ଗ ବହନ କରିଥାନ୍ତି । ଏମାନଙ୍କ ଶରୀରର ପଶ୍ଚାତ ଭାଗର ନିମ୍ନାଂଶ ପାଉଁଶିଆ ଓ ସବୁଜ ମିଶା ରଙ୍ଗର । ଏମାନଙ୍କୁ ପୂର୍ବେ ଡେଇନାନି (deignani) ଉପପ୍ରଜାତି ବୋଲି କୁହାଯାଉଥିଲା କିନ୍ତୁ ବର୍ତ୍ତମାନ ଏହି ନାମଟି ବ୍ରହ୍ମଦେଶୀୟ ସୌଭାଗ୍ୟ ପକ୍ଷୀ ଉପପ୍ରଜାତି ପାଇଁ ନିର୍ଦ୍ଧାରିତ ହୋଇଛି ।[୨][୩][୪][୫]

ଭାରତର ହାଇଦ୍ରାବାଦ ଅଞ୍ଚଳର ଏକ ଅଣ୍ଡିରା ସୌଭାଗ୍ୟ ପକ୍ଷୀ

ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ ଉପପ୍ରଜାତିମାନ ହେଲେ - ଦକ୍ଷିଣ ଚୀନ, ଉତ୍ତର ଥାଇଲ୍ୟାଣ୍ଡ ଓ ଲାଓସରେ ଦେଖାଯାଉଥିବା ଫିଲିପି (philipi), ବ୍ରହ୍ମଦେଶରେ ଦେଖାଯାଉଥିବା ଡେଇନାନି (deignani), ଦକ୍ଷିଣ ବ୍ରହ୍ମଦେଶ ଓ ସୁମାତ୍ରା ଦ୍ୱୀପଶୃଙ୍ଖଳରେ ଦେଖାଯାଉଥିବା ହୋରାଇଜୋପ୍ଟେରା (horizoptera), କାମ୍ବୋଡ଼ିଆରେ ଦେଖାଯାଉଥିବା କାମ୍ବୋଡିଆନା (cambodiana), ପଲାୱନ ଓ ଉତ୍ତର ବୋର୍ଣ୍ଣିଓରେ ଦେଖାଯାଉଥିବା ଏକାନିମିସ୍ (aeqanimis), ବୋର୍ଣ୍ଣିଓରେ ଦେଖାଯାଉଥିବା ଭିରିଡିସ୍ (viridis) ଏବଂ ଜାଭା ଓ ବାଲିରେ ଦେଖାଯାଉଥିବା ସ୍କାପ୍ୟୁଲାରିସ୍ (scapularis)[୬][୭]

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ଛୋଟ ଛୋଟ ଗୋଷ୍ଠୀରେ ସୌଭାଗ୍ୟ ପକ୍ଷୀମାନେ ଗଛ ଡାଳରେ ବସି କୀଟପତଙ୍ଗ ଖୋଜି ଖାଇଥାନ୍ତି । ଏମାନେ ବେଳେବେଳେ ଅନ୍ୟ ପକ୍ଷୀଙ୍କ ଗହଣରେ ବସି ଖାଇବା ମଧ୍ୟ ଦେଖାଯାଏ । ହ୍ୱୀ-ଟୀ.., ଚୁର୍‍ର୍‍.., ହ୍ୱିସିଲ୍ ମାରିବା ପରି ଶବ୍ଦ, ଚଟର୍-ଚଟର୍ ହେବା ଆଦି ବିଭିନ୍ନ ପ୍ରକାରର ଶବ୍ଦ ଓ ଗୀତ ସୌଭାଗ୍ୟ ପକ୍ଷୀ ସୃଷ୍ଟି କରିଥାଏ । କଜଳପାତି ପରି ଅନ୍ୟ ଚଢ଼େଇଙ୍କ ରାବକୁ ସୌଭାଗ୍ୟ ପକ୍ଷୀ ଅନୁକରଣ କରିବା ମଧ୍ୟ ଦେଖାଯାଏ ।[୮] ବର୍ଷା ଋତୁ ପରେ ମିଳନ ଋତୁ ସମୟରେ ଅଣ୍ଡିରା ସୌଭାଗ୍ୟ ପକ୍ଷୀମାନେ ନିଜ ଦେହର ପର ଫୁଲାଇ, ଆକାଶରେ ଉଠିଯାଇ ଓ ତଳକୁ କୁଣ୍ଡଳାକାର ପଥରେ ତଳକୁ ଖସି ପ୍ରଦର୍ଶନ କରନ୍ତି ଓ ମାଈମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରନ୍ତି । ପ୍ରଦର୍ଶନ ସାରି ତଳକୁ ଓହ୍ଲାଇବା ପରେ ଅଣ୍ଡିରା ପକ୍ଷୀ ନିଜର ଲାଞ୍ଜର ପର ପ୍ରସାରଣ କରି ଡେଣା ବନ୍ଦ କରିଦିଏ ।[୩] ଗଛ ଡାଳରେ ଥିବା ବସାରେ ମାଈ ପକ୍ଷୀ ୨-୪ଟି ସବୁଜ ମିଶା ଧଳା ରଙ୍ଗର ଅଣ୍ଡା ଦେଇଥାଏ । ଉଭୟ ମାଈ ଓ ଅଣ୍ଡିରା ପକ୍ଷୀ ଅଣ୍ଡା ଉଷୁମାଇଥାନ୍ତି ।[୯] ୧୪ ଦିନରେ ଅଣ୍ଡା ଫୁଟି ସେଥିରୁ ଛୁଆ ବାହାରନ୍ତି । କାଉ, କୁମ୍ଭାଟୁଆ, ସାପ ଓ ଏଣ୍ଡୁଅ ପରି ଜୀବମାନେ ଏମାନଙ୍କ ଅଣ୍ଡା ଖାଇଦେବା ଦେଖାଯାଇଛି ।[୧୦] କିଛି କୋଇଲି ପ୍ରଜାତିର ପକ୍ଷୀ ଏମାନଙ୍କ ବସାରେ ଅଣ୍ଡା ଦେଇ ଚାଲିଯିବା ମଧ୍ୟ ଦେଖାଯାଏ ।[୧୧]

ସୌଭାଗ୍ୟ ପକ୍ଷୀମାନେ ବର୍ଷକୁ ଦୁଇଥର ପରଝଡ଼ା ଦେଇ ନୂଆ ପର ଧାରଣ କରନ୍ତି । ଏହି କାରଣରୁ ପରର ରଙ୍ଗକୁ ଆଧାର କରି ଏମାନଙ୍କ ଉପପ୍ରଜାତି ଚିହ୍ନଟ କରିବା ବା ଏମାନଙ୍କ ବର୍ଗୀକରଣ କରିବା ତ୍ରୁଟିପୂର୍ଣ୍ଣ ହୋଇପାରେ ।[୧୧]

ଗୋଆରୁ ମିଳିଥିବା ଏକ ସୌଭାଗ୍ୟ ପକ୍ଷୀ ନମୁନାକୁ ହେମୋପ୍ରୋଟିୟସ୍ (Haemoproteus) ପ୍ରଜାତି H. aethiginae ବୋଲି ବର୍ଣ୍ଣନା କରାଯାଇଛି ।[୧୨]

ଆଧାର[ସମ୍ପାଦନା]

  1. BirdLife International (2012). "Aegithina tiphia". Retrieved 26 November 2013. Cite journal requires |journal= (help)CS1 maint: ref=harv (link)
  2. ୨.୦ ୨.୧ Rasmussen PC; JC Anderton (2005). Birds of South Asia: The Ripley Guide. Volume 2. Smithsonian Institution & Lynx Edicions. pp. 344–346.
  3. ୩.୦ ୩.୧ Baker, ECS (1922). Fauna of British India. Birds. Volume 1 (2nd ed.). Taylor and Francis, London. pp. 339–343.
  4. Wells, D.R.; E.C. Dickinson & R.W.R.J. Dekker (2003). "Systematic notes on Asian birds. 34. A preliminary review of the Aegithinidae". Zool. Verh. Leiden. 344: 7–15.
  5. Dickinson, E.C.; R.W.R.J. Dekker; S. Eck & S. Somadikarta (2003). "Systematic notes on Asian birds. 35. Types of the Aegithinidae" (PDF). Zool. Verh. Leiden. 344: 17–24. Archived from the original (PDF) on 2007-10-26. Retrieved 2010-09-12.
  6. Mayr E; JC Greenway, eds. (1960). Check-list of the birds of the world. Volume 9. Museum of Comparative Zoology, Massachusetts. pp. 300–302.
  7. Marien, D (1952). "The systematics of Aegithina nigrolutea and Aegithina tiphia (Aves, Irenidae)". Am. Mus. Novit. 1589: 1–17. hdl:2246/4066.
  8. Bharos, A. M. K. (1998). "Mimicry by common Iora Aegithina tiphia". J. Bombay Nat. Hist. Soc. 95 (1): 116.
  9. Wesley, H Daniel (1984). "Frequency and duration of incubation of the eggs for Aegithina tiphia". J. Bombay Nat. Hist. Soc. 81 (1): 193–195.
  10. Ali, S (1931). "Casualties among the eggs and young of small birds". J. Bombay Nat. Hist. Soc. 34 (4): 1062–1067.
  11. ୧୧.୦ ୧୧.୧ Ali, S; SD Ripley (1996). Handbook of the Birds of India and Pakistan. Volume 6 (2nd ed.). Oxford University Press. pp. 47–54.
  12. de Mello, I. (1935). "New hæmoproteids of some Indian birds". Proceedings of the Indian Academy of Sciences, Section B. 2 (5): 469–475. doi:10.1007/BF03053034.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]