ସିନ୍ଧୁ ଜଳ ଚୁକ୍ତି

ଉଇକିପିଡ଼ିଆ ରୁ
Jump to navigation Jump to search
ସିନ୍ଧୁ ଅବବାହିକା ବ୍ୟବସ୍ଥାରେ ବିଭିନ୍ନ ନଦୀ ଦର୍ଶାଉଥିବା ମାନଚିତ୍ର

ସିନ୍ଧୁ ଜଳ ଚୁକ୍ତି ବା ସିନ୍ଧୁ ଜଳ ବୁଝାମଣା (ଇଂରାଜୀରେ Indus Waters Treaty) ଭାରତପାକିସ୍ତାନ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥିବା ଏକ ଐତିହାସିକ ଚୁକ୍ତି । ବିଶ୍ୱବ୍ୟାଙ୍କର ମଧ୍ୟସ୍ତତାରେ ଭାରତରୁ ପାକିସ୍ତାନକୁ ପ୍ରବାହିତ ସିନ୍ଧୁ ନଦୀ ଓ ତାହାର ଉପନଦୀମାନଙ୍କ ଜଳକୁ ଉଭୟ ଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା ।[୧][୨][୩] ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ପାକିସ୍ତାନର କରାଚୀ ସହରରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାଁଙ୍କଦ୍ୱାରା ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।[୪]

ଏହି ବୁଝାମଣା ଅନୁସାରେ, ପୂର୍ବ ପଟର ୩ଟି ନଦୀରେ (ବେଆସ୍, ରାବୀ ଓ ଶତଲେଜ) ପ୍ରବାହିତ ବାର୍ଷିକ ୩.୩ କୋଟି ଏକର-ଫୁଟ୍ ପାଣି ଉପରେ ଭାରତର ନିୟନ୍ତ୍ରଣ ରହିଲା ଏବଂ ପଶ୍ଚିମ ପଟର ୩ଟି ନଦୀରେ (ସିନ୍ଧୁ, ଚେନାବ ଓ ଝେଲମ) ପ୍ରବାହିତ ବାର୍ଷିକ ୮ କୋଟି ଏକର-ଫୁଟ୍ ପାଣି ଉପରେ ପାକିସ୍ତାନର ନିୟନ୍ତ୍ରଣ ରହିଲା ।[୫] ଏହି ଚୁକ୍ତିରେ ପାଣି ଆବଣ୍ଟନ ସମ୍ପର୍କିତ ପ୍ରସ୍ତାବ ଅଧିକ ବିବାଦୀୟ ଥିଲା । ଯେହେତୁ ପାକିସ୍ତାନର ନଦୀଗୁଡ଼ିକର ଅଧିକାଂଶ ଭାଗ ପାଣି ଭାରତରୁ ଆସେ, ତେଣୁ ପଶ୍ଚିମ ପଟର ନଦୀମାନଙ୍କ ପାଣିକୁ ଭାରତ ନିୟନ୍ତ୍ରିତ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ, ଜଳ ପରିବହନ, ମତ୍ସ୍ୟ ପାଳନ ଇତ୍ୟାଦି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ ବୋଲି ଚୁକ୍ତିରେ ପ୍ରସ୍ତାବ ରହିଲା । କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ଭାରତକୁ କିଛି ନିୟମାବଳୀର ଅନୁସରଣ କରିବାକୁ ହେବ । ଭାରତ ଓ ପାକିସ୍ତାନର ମଧ୍ୟରେ ରହିଆସିଥିବା ଦୋଳାୟମାନ ସମ୍ପର୍କ ଯୋଗୁଁ ଯୁଦ୍ଧ ସମୟରେ ଭାରତ ସିନ୍ଧୁ ଓ ଅନ୍ୟ ନଦୀମାନଙ୍କ ଜଳକୁ ନିଜ ଇଚ୍ଛାରେ ନିୟନ୍ତ୍ରଣ କରି ପାକିସ୍ତାନରେ ବନ୍ୟା ବା ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ପାକିସ୍ତାନର ଆଶଙ୍କା (ବା ଅଭିଯୋଗ) ରହିଆସିଛି । ତେଣୁ ସିନ୍ଧୁ ଜଳ ଚୁକ୍ତିର ଉପକ୍ରମରେ ବନ୍ଧୁତା, ସମନ୍ୱୟ ଓ ସଦ୍ଭାବ ରକ୍ଷାକରି ଏବଂ ଉଭୟ ଦେଶଙ୍କ ଅଧିକାରର ସମ୍ମାନ କରି ସିନ୍ଧୁ ଅବବାହିକା ବ୍ୟବସ୍ଥାରୁ ଉପଯୁକ୍ତ ଓ ଯଥେଷ୍ଟ ପରିମାଣର ଜଳ ଆବଣ୍ଟିତ କରିବା ଏହି ଚୁକ୍ତିର ଉଦ୍ଦେଶ୍ୟ ।[୬][୭]

ଚୁକ୍ତିର ଅନୁଚ୍ଛେଦ XII(୨) ଅନୁସାରେ ୧୯୬୦ ମସିହା ଅପ୍ରେଲ ପହିଲାଠାରୁ ଚୁକ୍ତି ଲାଗୁ ହେବା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ସମ୍ବନ୍ଧୀୟ ବିବାଦ ବା ଯୁଦ୍ଧ ହୋଇନାହିଁ । ବିବାଦ କିମ୍ବା ଅସହମତିର ସ୍ଥିତି ଉପୁଜିଲେ ଚୁକ୍ତିର ନିୟମାବଳୀକୁ ଆଧାର କରି ମାମଲାର ବିଚାର କରାଯାଏ ଓ ବୁଝାମଣା ହୁଏ ।[୮] ଆଧୁନିକ ସମୟରେ ବୁଦ୍ଧିଜୀବୀ ଓ ଗବେଷକ ମତ ଦିଅନ୍ତି ଯେ ଏହି ଚୁକ୍ତିରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ନିୟମ ରହିବା କଥା କିନ୍ତୁ ତଥାପି ଜଳ ଆବଣ୍ଟନ ପରିପ୍ରେକ୍ଷୀରେ ସିନ୍ଧୁ ଜଳ ଚୁକ୍ତିକୁ ବିଶ୍ୱର ସଫଳ ଚୁକ୍ତିମାନଙ୍କ ମଧ୍ୟରେ ପରିଗଣନା କରାଯାଏ ।[୯] ଚୁକ୍ତିରେ ଗୃହୀତ ପ୍ରସ୍ତାବ ଅନୁସାରେ ଭାରତ ସିନ୍ଧୁ ନଦୀ ବ୍ୟବସ୍ଥାର ଜଳର ୨୦% ଏବଂ ପାକିସ୍ତାନ ଅବଶିଷ୍ଟ ବ୍ୟବହାର କରିପାରିବ । କିନ୍ତୁ ଭାରତ ପଶ୍ଚିମ ପଟର ନଦୀମାନଙ୍କ ପାଣିକୁ ଘରୋଇ ଜଳଯୋଗାଣ, ଔଦ୍ୟୋଗିକ ଜଳଯୋଗାଣ ବା ଅନ୍ୟ କୌଣସି ଉପଭୋଗ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରିପାରିବ ନାହିଁ ।[୧୦][୧୧][୧୨]

ଚୁକ୍ତିରେ ଗୃହୀତ ପ୍ରସ୍ତାବ[ସମ୍ପାଦନା]

ସିନ୍ଧୁ ନଦୀ ବ୍ୟବସ୍ଥାରେ ପଶ୍ଚିମ ପଟରେ ୩ଟି ନଦୀ (ସିନ୍ଧୁ, ଝେଲମ ଓ ଚେନାବ) ଏବଂ ପୂର୍ବ ପଟରେ ୩ଟି ନଦୀ (ବେଆସ, ରାୱି ଓ ଶତଲେଜ) ରହିଛନ୍ତି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୧ ଅନୁଯାୟୀ ଚୁକ୍ତିରେ ଉଲ୍ଲିଖିତ ପାଞ୍ଚ ଉପନଦୀ ବ୍ୟତୀତ ସିନ୍ଧୁର ଅନ୍ୟ ଉପନଦୀ, ତ୍ରିକୋଣଭୂମିସ୍ଥ ଜୁଆରିଆ ଶାଖାନଦୀ, ନଦୀ ସହ ସଂଯୁକ୍ତ ହ୍ରଦ ଇତ୍ୟାଦି ସିନ୍ଧୁ ନଦୀର ଅଂଶ ବୋଲି ଧରାଯିବ । ଚୁକ୍ତି ଅନୁସାରେ ପୂର୍ବ ପଟର ନଦୀଗୁଡ଼ିକର ପାଣିର ଅନୁମତିପ୍ରାପ୍ତ ଅଂଶ ପାକିସ୍ତାନ ବ୍ୟବହାର କରିବା ପରେ ଏହାର ପାଣିର ବ୍ୟବହାରର ପୂର୍ଣ୍ଣ ଅଧିକାର ଭାରତକୁ ପ୍ରାପ୍ତ ହୋଇଛି । ପୂର୍ବ ପଟର ନଦୀଗୁଡ଼ିକ ପୁଣି ପାକିସ୍ତାନ ଆଡ଼କୁ ପ୍ରବାହିତ ହୋଇ ସିନ୍ଧୁ ସହିତ ମିଳିତ ହୋଇଛନ୍ତି । ସେହିପରି ପଶ୍ଚିମ ପଟର ନଦୀଗୁଡ଼ିକ ଭାରତରେ ପ୍ରବାହିତ ହେବା ସମୟରେ ଭାରତ ତାହାର ଅନୁମତିପ୍ରାପ୍ତ ଅଂଶ ବ୍ୟବହାର କରିବା ପରେ ଏମାନଙ୍କ ଜଳ ଉପରେ ପାକିସ୍ତାନର ପୂର୍ଣ୍ଣ ଅଧିକାର ରହିଛି । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୪ (୧୪) ଅନୁଯାୟୀ କୌଣସି ଦେଶରେ ପାଣିର ସମ୍ପୂର୍ଣ୍ଣ ବିନିଯୋଗ କରାଯାଉନଥିଲେ ଓ ଅନ୍ୟ ଦେଶ ଜଳର ବ୍ୟବହାର କରୁଥିଲେ ମଧ୍ୟ ଏହା ଜଳ ଉପରେ ପୂର୍ବୋକ୍ତ ଦେଶର ଅଧିକାରର ସ୍ଥିତି ବଦଳାଇ ପାରିବ ନାହିଁ ।[୧୩]

ଚୁକ୍ତି ଲାଗୁ ହେବା ସମୟରେ ୧୦ ବର୍ଷର ସଂକ୍ରମଣ ଅବଧି ଧାର୍ଯ୍ୟ କରାଗଲା । ଏହି ସମୟରେ ଭାରତ ପୂର୍ବ ନଦୀମାନଙ୍କ ପାଣି ପାକିସ୍ତାନକୁ ଯୋଗାଉଥିଲା । ଏହି ୧୦ ବର୍ଷ ମଧ୍ୟରେ ପାକିସ୍ତାନକୁ ପଶ୍ଚିମ ନଦୀମାନଙ୍କରେ ଜଳସେଚନ ପାଇଁ କେନାଲ୍ ବ୍ୟବସ୍ଥା ନିର୍ମାଣ କରିବାର ସମୟ ଓ ସୁଯୋଗ ମିଳିଲା । ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୫.୧ ଅନୁଯାୟୀ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ କେନାଲ୍ ଓ ଅନ୍ୟାନ୍ୟ ଜଳ ସମ୍ପର୍କିତ ନିର୍ମାଣ କାର୍ଯ୍ୟ ପାଇଁ ଭାରତ ପାକିସ୍ତାନକୁ ୬ କୋଟି ୨୦ ଲକ୍ଷ ୬୦ ହଜାର (୬,୨୦,୬୦,୦୦୦) ଯୁକ୍ତରାଜ୍ୟ ପାଉଣ୍ଡ୍ ଷ୍ଟର୍ଲିଂର (କିମ୍ବା ୧୨୫ ମେଟ୍ରିକ୍ ଟନ୍ ସୁନା) ଅନୁଦାନ ଦେବାକୁ ରାଜି ହୋଇଥିଲା ।[୧୪] ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିବା ସତ୍ତ୍ୱେ ଭାରତ ୧୦ଟି ବାର୍ଷିକ କିସ୍ତିରେ ଏହି ଅନୁଦାନ ପାକିସ୍ତାନକୁ ଯୋଗାଇଥିଲା ।[୧୫][୧୬][୧୭] ୨୦୧୯ ମସିହାର ମୁଦ୍ରା ବିନିମୟ ହାର ଓ ସୁନାର ଦରରେ ବୃଦ୍ଧିକୁ ବିଚାର କଲେ, ଭାରତ ପାକିସ୍ତାନକୁ ପ୍ରାୟ ୫୨୦ କୋଟି ଆମେରିକୀୟ ଡଲାର୍ (୩୫୯୦୦ କୋଟି ଭାରତୀୟ ଟଙ୍କା) ଅନୁଦାନରେ ଦେଇଥିଲା ବୋଲି ଧରାଯିବ ।[୧୮]

ପାକିସ୍ତାନ ଓ ଭାରତ ମାନଚିତ୍ରରେ କୋରି କ୍ରିକ୍

ଚୁକ୍ତି ଅନୁସାରେ ଉଭୟ ଦେଶ ଜଳର ବ୍ୟବହାର ସମ୍ବନ୍ଧୀୟ ତଥ୍ୟ ଆଦାନପ୍ରଦାନ ଓ ସମନ୍ୱୟ ରକ୍ଷା କରିବାକୁ ରାଜି ହେଲେ । ଚୁକ୍ତି ଅନୁସାରେ ସ୍ଥାୟୀ ସିନ୍ଧୁ ଆୟୋଗ (Permanent Indus Commission – ପିଆଇସି) ପ୍ରତିଷ୍ଠିତ ହେଲା ଯେଉଁଥିରେ ଭଭୟ ଦେଶ ପକ୍ଷରୁ ଜଣେ ଲେଖାଏଁ ପ୍ରତିନିଧି (କମିଶନର) ରହିଲେ । ଭବିଷ୍ୟତରେ ଜଳ ଆବଣ୍ଟନ ନେଇ କୌଣସି ବିବାଦ ବା ମତଭେଦ ହେଲେ ଏକ ନିର୍ଦ୍ଦିଷ୍ଟ ନିୟମାବଳୀ ଆଧାର କରି ଏହାର ସମାଧାନ କରିବା ଉକ୍ତ ଆୟୋଗର ଲକ୍ଷ୍ୟ । ଚୁକ୍ତି ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିନୋଟି ଯୁଦ୍ଧ (୧୯୬୫, ୧୯୭୧ ଓ ୧୯୯୯) ହୋଇଥିଲେ ହେଁ ଆୟୋଗ ତିଷ୍ଠି ରହିଛି ଓ ପୂର୍ବବତ୍ ବିବାଦର ସମାଧାନ କରିବାର କାର୍ଯ୍ୟ କରୁଛି । ବର୍ଷକୁ ଥରେ ଆୟୋଗର ବୈଠକ ହୁଏ ଯେଉଁଥିରେ ସିନ୍ଧୁ ନଦୀ ବ୍ୟବସ୍ଥାର ବିକାଶ, ଜଳ ବିନିଯୋଗରେ ସମନ୍ୱୟ ପନ୍ଥା ଏବଂ ସମ୍ଭାବ୍ୟ ବିବାଦର ଦୂରୀକରଣ ପ୍ରଭୃତି ପ୍ରସଙ୍ଗ ଆଲୋଚିତ ହୋଇଥାଏ । ଉଭୟ ପକ୍ଷ ଅପର ପକ୍ଷକୁ ନିର୍ମାଣ କାର୍ଯ୍ୟ ବା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଜଣାଇବାକୁ ବାଧ୍ୟ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେଉ ବା ସୌହାର୍ଦ୍ୟପୂର୍ଣ୍ଣ ରହୁ, କିନ୍ତୁ ଆୟୋଗର ବାର୍ଷିକ ପରିଦର୍ଶନ ଓ ତଥ୍ୟ ବିନିମୟ ଧାରା ବଜାୟ ରହିଥାଏ । ସଲାଲ ଜଳବିଦ୍ୟୁତ୍ ପ୍ରକଳ୍ପ (ନଦୀବନ୍ଧ ଯୋଜନା) ଉଭୟ ଦେଶର ସହମତି ପରେ ନିର୍ମିତ ହୋଇଥିଲା ।[୧୯] କିନ୍ତୁ ଅନେକ ଆଲୋଚନା ପରେ ମଧ୍ୟ ତୁଲ୍‍ବୁଲ୍ ପ୍ରକଳ୍ପର ନିର୍ମାଣ ପାଇଁ ବିଗତ ଅନେକ ଦଶନ୍ଧି ଧରି ସହମତି ହାସଲ ହୋଇନାହିଁ ।[୨୦] ଅସହମତି ସ୍ଥିତିରେ ମଧ୍ୟସ୍ତତା କରିବା ପାଇଁ ସ୍ଥାୟୀ ମଧ୍ୟସ୍ତତା ନ୍ୟାୟାଳୟ (Permanent Court of Arbitration – ପିସିଏ) ବା କୌଣସି ନିରପେକ୍ଷ ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡ଼ାଯାଇଥାଏ । ଅତୀତରେ ବଗ୍ଲିହାର ବିଦ୍ୟୁତ୍ କେନ୍ଦ୍ରର ନିର୍ମାଣ ପାଇଁ ବିଶେଷଜ୍ଞଙ୍କ ରାୟ ଏବଂ କିଶନଗଙ୍ଗା ଜଳବିଦ୍ୟୁତ୍ ପ୍ରକଳ୍ପର ମଞ୍ଜୁରୀ ପାଇଁ ସ୍ଥାୟୀ ମଧ୍ୟସ୍ତତା ନ୍ୟାୟାଳୟର ଆଦେଶ ଲୋଡ଼ା ଯାଇଥିଲା ।[୨୧][୨୨][୨୩] ପାକିସ୍ତାନ ଭାରତର ଜାମୁ ଓ କାଶ୍ମୀରରେ ୮୫୦ ମେଗାୱାଟ୍ କ୍ଷମତାସମ୍ପନ୍ନ ରାଟଲେ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ସିନ୍ଧୁ ଜଳ ଚୁକ୍ତିର ଉଲ୍ଲଂଘନ ବୋଲି ଅଭିଯୋଗ କରିଆସୁଛି ।[୨୪] ଭାରତର ଭୂଖଣ୍ଡରେ ଥିବା ରାୱି ଓ ଶତଲେଜ୍ ଅବବାହିକାର ଅଂଶରୁ ପାକିସ୍ତାନ ନିଜ ବ୍ୟବହାର ପାଇଁ ଭୂତଳଜଳ ବାହାର କରୁଥିଲେ ହେଁ ଭାରତ ବର୍ତ୍ତମାନ ସୁଦ୍ଧା ଚୁକ୍ତିର ଅନୁଚ୍ଛେଦ – ୨ର ଉଲ୍ଲଂଘନ ସମ୍ପର୍କରେ କୌଣସି ଅଭିଯୋଗ କରିନାହିଁ । ନଦୀର ନିମ୍ନାଂଶରେ ଜଳର ଶୀଘ୍ର ଅପସରଣ ପାଇଁ ପାକିସ୍ତାନ ନିର୍ମାଣ କରିଥିବା ଭିତ୍ତିଭୂମି ଯୋଗୁଁ ବନ୍ୟା ପରିସ୍ଥିତିରେ ପାକିସ୍ତାନରେ ବନ୍ୟା ଜଳ ହ୍ରାସ ପାଉଛି କିନ୍ତୁ ଏହି ବନ୍ୟାଜଳ ଭାରତର କଚ୍ଛ ଲବଣମରୁକୁ ପ୍ଳାବିତ କରୁଛି ; ଯାହା ଅନୁଚ୍ଛେଦ – ୪ (୩କ)ର ଉଲ୍ଲଂଘନ ।[୨୫] ପାକିସ୍ତାନ ବାରମ୍ବାର ଭାରତ-ବିରୋଧୀ ଅଭିଯୋଗ ନେଇ ସ୍ଥାୟୀ ମଧ୍ୟସ୍ତତା ନ୍ୟାୟାଳୟ (ପିସିଏ) ବା ଅନ୍ତର୍ଜାତୀୟ ମଧ୍ୟସ୍ତତା ନ୍ୟାୟାଳୟର (ଆଇସିଏ) ଦ୍ୱାରସ୍ଥ ହେବା ସିନ୍ଧୁ ଜଳ ଚୁକ୍ତିର ଅବସାନର କାରଣ ହୋଇପାରେ ।[୨୬]

ଇତିହାସ ଓ ପୃଷ୍ଠଭୂମି[ସମ୍ପାଦନା]

ସିନ୍ଧୁ ଜଳ ଚୁକ୍ତି ସମୟରେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ
ସିନ୍ଧୁ ଜଳ ଚୁକ୍ତି ସମୟରେ ପାକିସ୍ତାନର ରାଷ୍ଟ୍ରପତି ମହମ୍ମଦ ଆୟୁବ୍ ଖାଁ

ସିନ୍ଧୁ ନଦୀ ବ୍ୟବସ୍ଥାରେ ସମସ୍ତ ନଦୀ ମୁଖ୍ୟତଃ ଚୀନର ତିବ୍ବତ ଅଞ୍ଚଳ ଓ ଭାରତର ହିମାଚଳ ପ୍ରଦେଶଜାମୁ ଓ କାଶ୍ମୀରରେ ଥିବା ହିମାଳୟ ପର୍ବତମାଳାରୁ ବାହାରିଛନ୍ତି । ଏହି ନଦୀଗୁଡ଼ିକ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ସିନ୍ଧ ପ୍ରଦେଶରେ ପ୍ରବାହିତ ହେବା ପରେ କରାଚୀ ସହରର ଦକ୍ଷିଣକୁ ରହିଥିବା ଗୁଜରାଟର କୋରି କ୍ରିକ୍‍ଠାରେ ଆରବ ସାଗରରେ ସମ୍ମିଳିତ ହୋଇଥାନ୍ତି ।[୨୭] ପାକିସ୍ତାନକୁ ଏହି ନଦୀମାନଙ୍କରୁ ବାର୍ଷିକ ହାରାହାରି ୧୭.୭ କୋଟି ଏକର-ଫୁଟ୍ ବା ୨୧,୮୪୦ କୋଟି ଘନ ମିଟର୍ ଜଳ ସମ୍ବଳ ପ୍ରାପ୍ତ ହୋଇଥାଏ ।[୨୮] ପୂର୍ବେ ଏହି ଅବବାହିକାର ଏକ କ୍ଷୁଦ୍ର ଭାଗ ଜଳସେଚିତ ହେଉଥିଲା । କିନ୍ତୁ କେନାଲ୍ ଓ ଜଳଭଣ୍ଡାରମାନ ନିର୍ମାଣ କରାଯାଇ ୨୦୦୯ ମସିହା ବେଳକୁ ଏହି ଅବବାହିକାରୁ ପାକିସ୍ତାନର ୪୭୦ ଲକ୍ଷ ଏକର ଅଞ୍ଚଳକୁ ଜଳ ପହଞ୍ଚି ପାରୁଛି । ବିଶ୍ୱରେ କୌଣସି ନଦୀ ଅବବାହିକାରୁ ଜଳସେଚିତ ଅଞ୍ଚଳମାନଙ୍କ ମଧ୍ୟରେ ଏହା ବୃହତ୍ତମ ।[୨୯]

ଇଂରେଜ ଶାସନରୁ ସ୍ୱାଧୀନତା ହାସଲ କରିବା ସମୟରେ ଭାରତୀୟ ଭୂଖଣ୍ଡର ବିଭାଜନ ହୋଇ ଭାରତ ଓ ପାକିସ୍ତାନ ସୃଷ୍ଟି ହେବା ପରେ ସିନ୍ଧୁ ଅବବାହିକାର ଜଳକୁ ନେଇ ବିବାଦ ସୃଷ୍ଟି ହେଲା । ନୂତନ ଭାବେ ପ୍ରସ୍ତୁତ ଦୁଇ ଦେଶ କିପରି ଭାବେ ରହି ଆସିଥିବା ଏକ ଜଳସେଚନ ବ୍ୟବସ୍ଥାରୁ ଉପକୃତ ହେବେ ଓ କିପରି ନିଜର ଭାଗ ନେବେ ତାହା ବିବାଦର କାରଣ ହେଲା । ପୁଣି ଭୌଗୋଳିକ ଦୃଷ୍ଟିକୋଣରୁ ବିଭାଜନ ଏପରି ସ୍ଥାନରେ ହେଲା ଯେ ନଦୀମାନଙ୍କ ଉତ୍ସ ଭାରତ ପଟେ ରହିଲା ଓ ସେମାନେ ପାକିସ୍ତାନ ପଟକୁ ପ୍ରବାହିତ ହେଉଥିଲେ । ଉପନଦୀମାନଙ୍କ ଜଳ ସମ୍ବଳର ନିୟନ୍ତ୍ରଣ ଭାରତଦ୍ୱାରା ହେଲେ ଏହା ପାକିସ୍ତାନରେ ଜନସାଧାରଣଙ୍କ ବେଉସା ଓ ଦୈନନ୍ଦିନ ଜୀବନ ପ୍ରଭାବିତ ବା ଜଞ୍ଜାଳମୟ କରିବ ବୋଲି ପାକିସ୍ତାନ ଚିନ୍ତିତ ହେଲା । ଏହି ନଦୀମାନଙ୍କ ଜଳକୁ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟବହାର କରିବା ଭାରତର ଆକାଂକ୍ଷା ରହିବା ସ୍ୱାଭାବିକ କିନ୍ତୁ ଜଳସେଚନର ଏକ ମୁଖ୍ୟ ଉତ୍ସ ଅଭାବରେ ପାକିସ୍ତାନର ଦୁଇ କୃଷିପ୍ରଧାନ ପ୍ରାନ୍ତରେ କୃଷି ବ୍ୟବସ୍ଥା ଧରାଶାୟୀ ହେବାର ଆଶଙ୍କା ଦେଖାଦେଲା ।

ବିଭାଜନ ପରେ ପ୍ରଥମ କିଛି ବର୍ଷ ପାଇଁ ୧୯୪୮ ମସିହା ମଇ ୪ ତାରିଖରେ ପ୍ରଣୀତ ଇଣ୍ଟର୍ ଡୋମିନିୟନ୍ ଏକର୍ଡ୍ (ଦୁଇ ଔପନିବେଶିକ ସ୍ୱାଧୀନ ରାଷ୍ଟ୍ର ମାଧ୍ୟରେ ରହିଥିବା ବୁଝାମଣା) ଅନୁଯାୟୀ ଜଳ ଆବଣ୍ଟିତ ହେଲା । ଏହି ବୁଝାମଣା ଅନୁସାରେ ଭାରତ ପାକିସ୍ତାନ ପାଇଁ ଯଥେଷ୍ଟ ପରିମାଣର ଜଳ ଛାଡ଼ୁଥିଲା ଓ ପାକିସ୍ତାନ ଭାରତକୁ ବାର୍ଷିକ ପାଉଣା ଦେଉଥିଲା । ପାକିସ୍ତାନରେ ଜଳର ଆବଶ୍ୟକତାକୁ ତୁରନ୍ତ ପୂରଣ କରିବା ପାଇଁ ଏହି ବୁଝାମଣା ଏକ ସାମୟିକ ସମାଧାନ ଥିଲା ଓ ଏକ ସ୍ଥାୟୀ ସମାଧାନ ପାଇଁ ପରେ ଅନେକ ଆଲୋଚନା କରାଯାଇଥିଲା । କିନ୍ତୁ ଉଭୟ ଦେଶ ନିଜ ଜିଦରେ ଅଟଳ ରହିବାରୁ ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର ବୁଝାମଣା ହୋଇପାରିଲା ନାହିଁ । ଭାରତୀୟ ଦୃଷ୍ଟିକୋଣରୁ ଭାବିଲେ ଭାରତ ଉପରେ ଚାପ ନଥିଲା କାରଣ ନଦୀର ଉପର ମୁଣ୍ଡରେ ନିର୍ମାଣ କରି ପାଣି ଅଟକାଇଲେ ବା ମାତ୍ରାଧିକ ପାଣି ଛାଡ଼ିଦେଲେ ପାକିସ୍ତାନ ତଳ ମୁଣ୍ଡରେ ରହି କିଛି କରିପାରିବ ନାହିଁ ।[୩୦] ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ଅନ୍ତଃରାଷ୍ଟ୍ରୀୟ ନ୍ୟାୟାଳୟରେ (International Court of Justice) ଉପସ୍ଥାପିତ କରିବାକୁ ଇଚ୍ଛା କଲା, କିନ୍ତୁ ଦ୍ୱିପାକ୍ଷିକ ଆଲୋଚନା ବିନା ଏହି ବିବାଦର ସମାଧାନ ହେବ ନାହିଁ ବୋଲି ଭାରତ ମନା କରିଦେଇଥିଲା ।[୩୧]

ମଧ୍ୟସ୍ତତା ଓ ବିଶ୍ୱବ୍ୟାଙ୍କର ଭୂମିକା[ସମ୍ପାଦନା]

ସେହି ବର୍ଷ ଟେନେସି ଭେଲି ଅଥରିଟି ଓ ଯୁକ୍ତରାଷ୍ଟ୍ର ଆମେରିକା ଆଣବିକ ଶକ୍ତି ସମିତିର ସଭାପତି ରହିଥିବା ଡେଭିଡ୍ ଲିଲିଏନ୍ଥାଲ୍ ଭାରତ-ପାକିସ୍ତାନ ଗସ୍ତରେ ଆସିଥିଲେ ଓ କଲିଅର୍ସ୍ ପତ୍ରିକାରେ ସେ ଅନେକ ଲେଖା ପ୍ରକାଶ କରିଥିଲେ । ଭାରତୀୟ ଉପମହାଦେଶର ବିଭିନ୍ନ ପ୍ରସଙ୍ଗରେ ଡେଭିଡ୍‍ଙ୍କ ରୁଚି ରହିଥିଲା ଓ ତାଙ୍କ ଗସ୍ତ ସମୟରେ ଉଭୟ ଦେଶର ସରକାରଙ୍କ ଉଚ୍ଚ ପଦାଧିକାରୀ ତାଙ୍କ ସହ ଦେଖା କରିଥିଲେ । ଯଦିଓ ଡେଭିଡ୍‍ଙ୍କ ଗସ୍ତ କଲିଅର୍ସ୍ ପତ୍ରିକାଦ୍ୱାରା ପ୍ରାୟୋଜିତ ଏକ ବେସରକାରୀ ଗସ୍ତ ଥିଲା, ତଥାପି ସେ ବିଭି୍ନ୍ନ ସରକାରୀ ପ୍ରତିନିଧିଙ୍କୁ ଭେଟିଥିଲେ ଯେଉଁମାନେ ଦୁଇ ଦେଶ ମଧ୍ୟରେ ରହିଥିବା ସମସ୍ୟାର ଅନୁଧ୍ୟାନ କରି ଏହାକୁ କମ୍ କରିବାରେ ଡେଭିଡ୍ ସହାୟକ ହୋଇପାରିବେ ବୋଲି ଆଶା ପୋଷଣ କରିଥିଲେ । ଏହି ଗସ୍ତରେ ଡେଭିଡ୍‍ଙ୍କୁ ଭାରତ-ପାକିସ୍ତାନ ସମସ୍ୟାର ଗଭୀରତା ଜଣାପଡ଼ିଲା ଏବଂ ଗୋଟିଏ ବଡ଼ ପ୍ରଚେଷ୍ଟାରେ ଏହାର ସମାଧାନ ସମ୍ଭବ ନୁହେଁ ବୋଲି ତାଙ୍କର ହୃଦବୋଧ ହେଲା । ସେ ନିଜ ଲେଖା ମାଧ୍ୟମରେ କୁହନ୍ତି:

କାଶ୍ମୀର ପାଇଁ ଭାରତ ଓ ପାକିସ୍ତାନ ଯୁଦ୍ଧର ଅତି ନିକଟବର୍ତ୍ତୀ ଥିଲେ । ଅଶାନ୍ତ ପରିସ୍ଥିତି ଦୂର ନହେବା ଯାଏଁ କଥାବାର୍ତ୍ତା ବା ବୁଝାମଣାର କୌଣସି ସମ୍ଭାବନା ନଥିଲା । ଏହି ଶତ୍ରୁତା ଦୂର କରିବାର ଗୋଟିଏ ରାସ୍ତା ହେଲା ... ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମନ୍ୱୟ ଆସିପାରିବ ସେହି ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉ । ଏହି ସବୁ ବିଷୟରେ ପ୍ରଗତି ହେଲେ ଉଭୟ ଦେଶ ମଧ୍ୟରେ ବନ୍ଧୁତା ବଢ଼ିବ ଓ ସମୟ ଆସିବ ଯେବେ କାଶ୍ମୀର ସମସ୍ୟାରେ ମଧ୍ୟ ବୁଝାମଣା ହୋଇଯିବ । ତେଣୁ ମୁଁ ପ୍ରସ୍ତାବ ଦେଲି ଯେ ଭାରତ ଓ ପାକିସ୍ତାନ ମିଳିତ ଭାବେ ସିନ୍ଧୁ ଅବବାହିକାର ଜଳ ପରସ୍ପର ମଧ୍ୟରେ ଆବଣ୍ଟିତ କରିବାର ମାର୍ଗ ଖୋଜନ୍ତୁ ଯାହା ଉଭୟ କୃଷିପ୍ରଧାନ ରାଷ୍ଟ୍ରଙ୍କ ଜଳସେଚନ ପାଇଁ ଜରୁରୀ । ନୂଆ ନଦୀବନ୍ଧ ଓ ଜଳସେଚନ କେନାଲ ନିର୍ମାଣ କରି ଉଭୟ ଦେଶ ନିଜର କୃଷି ଉତ୍ପାଦନ ବଢ଼ାଯାଇ ପାରିବ । ମୁଁ ନିଜ ଲେଖାରେ କହିଛି ଯେ ବିଶ୍ୱବ୍ୟାଙ୍କ ଉଭୟ ଦେଶ ମଧ୍ୟରେ ମୀମାଂସା କରାଇ ପାରିବ ଓ ସିନ୍ଧୁ ବିକାଶ ପ୍ରକଳ୍ପ ପାଇଁ ଅର୍ଥନୈତିକ ସହାୟତା ମଧ୍ୟ ପ୍ରଦାନ କରିପାରିବ ।[୩୨]:93

ଡେଭିଡ୍‍ଙ୍କ ଏହି ବିଚାର ବିଶ୍ୱବ୍ୟାଙ୍କର (ସେତେବେଳେ International Bank for Reconstruction and Development ନାମରେ ପରିଚିତ) ଅଧିକାରୀଙ୍କ ମନକୁ ପାଇଲା ତଥା ଉଭୟ ଭାରତ ସରକାର ଓ ପାକିସ୍ତାନ ସରକାର ସହମତି ପ୍ରଦାନ କଲେ । ବିଶ୍ୱବ୍ୟାଙ୍କର ତତ୍କାଳୀନ ଅଧ୍ୟକ୍ଷ ୟୁଗିନ୍ ବ୍ଲାକ୍ ଡେଭିଡ୍‍ଙ୍କ ପ୍ରସ୍ତାବ ସବୁ ଦୃଷ୍ଟିରୁ ଭଲ ବୋଲି ଡେଭିଡ୍‍ଙ୍କୁ ଜଣାଇଲେ । ୟୁଗିନ୍ ଲେଖିଥିଲେ ଯେ ବିଶ୍ୱବ୍ୟାଙ୍କ ଉଭୟ ରାଷ୍ଟ୍ରର ଉନ୍ନତି ଓ ବିକାଶ ପାଇଁ ଆଗ୍ରହୀ ଏବଂ ସିନ୍ଧୁ ଜଳ ବିବାଦ ଏହି ବିକାଶ ପାଇଁ ବାଧା ସୃଷ୍ଟି କରିପାରେ । କୌଣସି ତୃତୀୟ ପକ୍ଷର ମଧ୍ୟସ୍ତତାର ବିରୋଧ କରୁଥିବା ଭାରତକୁ ବିଶ୍ୱବ୍ୟାଙ୍କ ଆଶ୍ୱସ୍ତ କଲା ଯେ ସେ ସମସ୍ୟାର କୌଣସି ବିଚାର କରିବ ନାହିଁ ବରଂ କେବଳ ଆପୋଷ ବୁଝାମଣା ପାଇଁ କେବଳ ମଧ୍ୟସ୍ତତା କରିବ ।[୩୩]

ୟୁଗିନ୍ ସିନ୍ଧୁ ବିବାଦର "କାର୍ଯ୍ୟକାରିତା" ଏବଂ "ରାଜନୈତିକ" ପ୍ରସଙ୍ଗଗୁଡ଼ିକର ପୃଥକୀକରଣ କରିଥିଲେ । ଭାରତ ଓ ପାକିସ୍ତାନର ନେତାଙ୍କ ସହ ପତ୍ରାଳାପରେ ୟୁଗିନ୍ ରାଜନୈତିକ ବିବାଦକୁ ଅଲଗା ରଖି କାର୍ଯ୍ୟକାରିତା ସମ୍ବନ୍ଧୀୟ ଅସହମତିକୁ ପ୍ରଥମେ ଦୂର କରିବା ଉପରେ ଗୁରୁତ୍ୱ ଦେଲେ । ଐତିହାସିକ ଅଧିକାର ଓ ଆବଣ୍ଟନ ଇତ୍ୟାଦି ବିଷୟକୁ ଦୂରରେ ରଖି ସିନ୍ଧୁ ଅବବାହିକାର ଜଳର ଉତ୍ତମ ବିନିଯୋଗ କିପରି କରାଯାଇପାରିବ – ତାହାର ସମାଧାନ ପାଇଁ ସେ ଏକ ଦଳ ଗଠନ କଲେ ।

କିଛି ଭାରତୀୟ, ପାକିସ୍ତାନୀ ଓ ବିଶ୍ୱବ୍ୟାଙ୍କର ଯନ୍ତ୍ରୀମାନଙ୍କୁ ନେଇ ସେ ଏକ କାର୍ଯ୍ୟକାରିଣୀ ଦଳ ଗଠନ କଲେ । ବିଶ୍ୱବ୍ୟାଙ୍କ ଅଧିକାରୀମାନେ କେବଳ ପରାମର୍ଶଦାତା ଓ ଆଲୋଚନାର ନିର୍ବାହକ ଭୂମିକା ଗ୍ରହଣ କଲେ । କାର୍ଯ୍ୟକାରିଣୀ ଦଳକୁ ନିଜର ପ୍ରଥମ ଉଦବୋଧନ ବେଳେ ୟୁଗିନ୍ ଦଳର ସଫଳତା କାମନା କରି କହିଥିଲେ :

ଡେଭିଡ୍‍ଙ୍କ ପ୍ରସ୍ତାବର ଗୋଟିଏ ଦିଗ ମୋତେ ପ୍ରଥମେ ପ୍ରଭାବିତ କରିଥିଲା । ତାହା ହେଲା - ସିନ୍ଧୁ ଜଳ ବିବାଦ ଯାନ୍ତ୍ରିକ ବିଦ୍ୟା ସମ୍ବନ୍ଧୀୟ ଓ କେବଳ ଯନ୍ତ୍ରୀମାନେ ଏହାର ସମାଧାନ କରିପାରିବେ । ବିଶ୍ୱର ସମସ୍ତ ଯନ୍ତ୍ରୀଙ୍କ ଶକ୍ତି ଓ ସାମର୍ଥ୍ୟ ଏହି ଯେ ସେମାନେ ଏକ ଭାଷାରେ (ଯାନ୍ତ୍ରିକ ବିଦ୍ୟାର ଭାଷା) କଥା ହୁଅନ୍ତି ଓ ସମାଧାନ ଖୋଜିବାରେ ତାଙ୍କ ପନ୍ଥା ମଧ୍ୟ ଏକ ମାପଦଣ୍ଡକୁ ଅନୁସରଣ କରେ ।[୩୨]:110

କିନ୍ତୁ ସିନ୍ଧୁ ବିବାଦର ଆଶୁ ସମାଧାନକୁ ଚାହିଁ ବସିଥିବା ୟୁଗିନ୍‍ଙ୍କ ଆଶା ପୂରଣ ହେଲା ନାହିଁ । ଉଭୟ ପକ୍ଷ ଜଳ ଆବଣ୍ଟନକୁ ନେଇ ରାଜି ହୋଇଯିବେ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଥିବା ବେଳେ, ଭାରତ କିମ୍ବା ପାକିସ୍ତାନ କେହି ନିଜ ଜିଦରୁ ହଟିଲେ ନାହିଁ । ସିନ୍ଧୁ ଅବବାହିକାର ଜଳ ଉପରେ ପାକିସ୍ତାନର ପାରମ୍ପରିକ ଅଧିକାର ରହିଛି ଓ ଏହା ବିନା ପଶ୍ଚିମ ପଞ୍ଜାବ ଶୁଷ୍କଭୂମିରେ ପରିଣତ ହେବାର ଆଶଙ୍କା ରହିଛି ବୋଲି ପାକିସ୍ତାନ ଯୁକ୍ତି ବାଢ଼ିଥିବା ବେଳେ ଭାରତ ମତ ରଖିଲା ଯେ ଭବିଷ୍ୟତରେ କିପରି ଜଳ ବିତରଣ କରାଯିବ ତାହା ଅତୀତରେ ଘଟିଥିବା ଜଳ ବିତରଣ ଧାର୍ଯ୍ୟ କରିପାରିବ ନାହିଁ । ଭାରତୀୟ ପକ୍ଷ ଆଉ ଏକ ପ୍ରସ୍ତାବ ଦେଲା ଯେ ସିନ୍ଧୁ ଅବବାହିକାର ସମସ୍ତ ପଶ୍ଚିମ ପଟର ଉପନଦୀ ଉପରେ ପାକିସ୍ତାନର ଓ ପୂର୍ବ ପଟର ଉପନଦୀ ଉପରେ ଭାରତର ପୂର୍ଣ୍ଣ ଅଧିକାର ରହୁ । ଯେଉଁ ରାଜନୈତିକ ପ୍ରସଙ୍ଗକୁ ଅଲଗା ରଖି ୟୁଗିନ୍ ଏହି ସମସ୍ୟାର ସମାଧାନ ଚାହିଁଥିଲେ ସେହି ପ୍ରସଙ୍ଗର ଚାପରେ ବୈଷୟିକ ଓ ଯାନ୍ତ୍ରିକ ଶିକ୍ଷା ଜନିତ ଆଲୋଚନା ଦବିଗଲା ।

ଆଲୋଚନାରେ ଅଗ୍ରଗତି ହେଉନଥିବାରୁ ବିଶ୍ୟବ୍ୟାଙ୍କ ହତାସ ହୋଇପଡ଼ିଲା । ପ୍ରଥମେ ବୈଷୟିକ ସମସ୍ୟା ପରି ବୋଧ ହେଉଥିବା ଓ ଶୀଘ୍ର ସମାଧାନ ଦିଗକୁ ଯାଇପାରିବା ବିଷୟ ଜଟିଳତର ହୋଇଯାଇଥିଲା । ଯୋଜନାର କାର୍ଯ୍ୟାରମ୍ଭ ଦୂରରେ ଥାଉ, ଭାରତ ଓ ପାକିସ୍ତାନ ଆବଣ୍ଟନର ବୈଷୟିକ ପ୍ରସଙ୍ଗମାନଙ୍କ ଉପରେ ମଧ୍ୟ ସହମତ ହେଲେ ନାହିଁ । ଦୁଇ ବର୍ଷ ଧରି ଆଲୋଚନା ଚାଲିଲା ପରେ ୧୯୫୪ ମସିହାରେ ବିଶ୍ୱବ୍ୟାଙ୍କ ନିଜ ସୀମିତ ଭୂମିକାରୁ ଉପରକୁ ଉଠି ଏକ ପ୍ରସ୍ତାବ ରଖିଲା । ସିନ୍ଧୁ ନଦୀର ତିନି ପୂର୍ବ ଉପନଦୀ ଉପରେ ଭାରତର ଓ ପଶ୍ଚିମ ପଟର ୩ ନଦୀ ଉପରେ ପାକିସ୍ତାନର ଅଧିକାର ରହୁ ଓ କେନାଲ୍ ନିର୍ମାଣ କରି ମିଳୁନଥିବା ଜଳର ଆବଶ୍ୟକତା ପୂରଣ କରାଯାଉ ବୋଲି ବିଶ୍ୟବ୍ୟାଙ୍କ ପ୍ରସ୍ତାବ ରଖିଲା ।

ବିଶ୍ୱବ୍ୟାଙ୍କର ପ୍ରସ୍ତାବକୁ ଭାରତୀୟ ପକ୍ଷ ମାନିଲା କିନ୍ତୁ ପାକିସ୍ତାନ ଅସହମତ ହୋଇ ରହିଲା । ବିଶ୍ୱବ୍ୟାଙ୍କ ପୂର୍ବ ତିନି ନଦୀ ଭାରତକୁ ଓ ପଶ୍ଚିମ ତିନି ନଦୀ ପାକିସ୍ତାନକୁ ଆବଣ୍ଟିତ କଲା ଓ ଏହି ଆବଣ୍ଟନରେ ଅତୀତରେ ହୋଇଥିବା ବିତରଣକୁ ଉପେକ୍ଷା କରାଗଲା । ପଶ୍ଚିମ ପଞ୍ଜାବର କିଛି ଅଂଶ ମରୁଭୂମି ପାଲଟିଯିବା ଆଶଙ୍କା ଆବଣ୍ଟନରେ ପାକିସ୍ତାନର ପକ୍ଷକୁ ଦୁର୍ବଳ କରୁଥିଲା । ଭାରତ ଏକ ନୂଆ ଆବଣ୍ଟନ ବ୍ୟବସ୍ଥା ଚାହୁଁଥିଲା ଯାହା ତା’କୁ ଦିଆଗଲା କିନ୍ତୁ ଦେଶ ବିଭାଜନ ପୂର୍ବର ସ୍ଥିତିକୁ ଆଗରେ ରଖି ଜଳ ଆବଣ୍ଟନ କରିବାର ପାକିସ୍ତାନର ଦାବୀ ପ୍ରତି ଦୃଷ୍ଟି ପକାଗଲା ନାହିଁ । ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଭାରତକୁ ସୁହାଇଲା ଭଳି ହୋଇଥିବା ଅଭିଯୋଗ କରି ପାକିସ୍ତାନର ଅଧିକାରୀମାନେ ରାଗରେ କାର୍ଯ୍ୟକାରିଣୀ ଦଳ ପରିତ୍ୟାଗ କରିବାର ଧମକ ଦେଲେ । ବିନା ସଫଳତାରେ ବୁଝାମଣା ଓ ଆଲୋଚନାର ଅବସାନ ନିକଟତର ହେଲା ।

କିନ୍ତୁ ଉଭୟ ପକ୍ଷ ଆଲୋଚନା ବନ୍ଦ କରିବାକୁ ଉତ୍ସାହୀ ନଥିଲେ । ପାକିସ୍ତାନୀ ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହେଲା ଯେ ବୃଦ୍ଧି ପାଉଥିବା ଶତ୍ରୁତା ଯୋଗୁଁ ସିନ୍ଧୁ ବିବାଦ ଆଲୋଚନା ବନ୍ଦ ହୋଇଗଲା ଓ ଭାରତ ସହ କଥାବାର୍ତ୍ତା ବନ୍ଦ କରି ଯୁଦ୍ଧ କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ନଥିବାରୁ ନିଜ ଯୁକ୍ତି ବିଷୟରେ ପୁନର୍ବିଚାର କରୁ ।[୩୪][୩୫] ଭାରତ ମଧ୍ୟ ସିନ୍ଧୁ ସମସ୍ୟାର ସମାଧାନ ପାଇଁ ବ୍ୟଗ୍ର ଥିଲା । କଥାବାର୍ତ୍ତା ଯୋଗୁଁ ଅନେକ ପ୍ରକଳ୍ପର କାମ ଅଧାରେ ବନ୍ଦ ହୋଇଯାଇଥିଲା ଓ ଭାରତୀୟ ରାଜନେତାମାନେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲ୍ ଯଥା ସମ୍ଭବ କମ୍ ସମୟରେ ନିର୍ମାଣ କରିବାକୁ ଚାହୁଁଥିଲେ ।[୩୬]

୧୯୫୪ ମସିହା ଡିସେମ୍ବର ମାସରେ ଉଭୟ ପକ୍ଷ ପୁଣି ଆଲୋଚନା ଆରମ୍ଭ କଲେ । ବିଶ୍ୱବ୍ୟାଙ୍କର ପ୍ରସ୍ତାବ ଶେଷ ନିଷ୍ପତ୍ତି ନୁହେଁ ବରଂ ଆଲୋଚନା ପରେ ବୁଝାମଣାରୁ ଶେଷ ନିଷ୍ପତ୍ତି ନିଆଯିବା ସ୍ଥିର ହେବାରୁ କଥାବାର୍ତ୍ତା ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ଚାଲିଲା ।[୩୭]

ବୁଝାମଣାର ଶେଷ ବାଧା ଥିଲା କେନାଲ ଓ ଜଳଭଣ୍ଡାରଗୁଡ଼ିକର ନିର୍ମାଣର ଆର୍ଥିକ ସହାୟତା । ପାକିସ୍ତାନ ପୂର୍ବ ପଟର ନଦୀମାନଙ୍କ ଅଧିକାର ହରାଉଥିବାରୁ ପଶ୍ଚିମ ପଟର ନଦୀର ଜଳ ଗଚ୍ଛିତ ରଖିବା ଜରୁରୀ ଥିଲା । ବିଶ୍ୱବ୍ୟାଙ୍କ ପ୍ରଥମେ ଏହି ନିର୍ମାଣ କାର୍ଯ୍ୟର ଆର୍ଥିକ ଭାର ଭାରତକୁ ଦେବାକୁ ଚାହୁଁଥିଲା ଯାହାକୁ ନେଇ ଭାରତ ରାଜି ହେଲା ନାହିଁ ।[୩୮] ବିଶ୍ୱବ୍ୟାଙ୍କ ଏଥିପାଇଁ ଏକ ଯୋଜନା କଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ କରାଚୀ ସହରରେ ପାକିସ୍ତାନ, ଅଷ୍ଟ୍ରେଲିଆ, କାନାଡ଼ା, ପଶ୍ଚିମ ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ଓ ବିଶ୍ୱବ୍ୟାଙ୍କ ମିଳିତ ଭାବେ ସିନ୍ଧୁ ଅବବାହିକା ଉନ୍ନୟନ କୋଷ ଚୁକ୍ତି (Indus Basin Development Fund Agreement)ରେ ସ୍ୱାକ୍ଷର କଲେ । ଏହି ଦେଶ ଓ ସଂସ୍ଥା ପାକିସ୍ତାନକୁ ଆର୍ଥିକ ଅନୁଦାନ ତଥା ଋଣ ଦେବାକୁ ରାଜି ହେଲେ ।[୩୯] ଏହା ସିନ୍ଧୁ ଜଳ ବିବାଦର ବୁଝାମଣାରେ ସହାୟକ ହେଲା ଓ ସେହି ଦିନ ସିନ୍ଧୁ ଜଳ ଚୁକ୍ତି ଉଭୟ ଦେଶଙ୍କଦ୍ୱାରା ସ୍ୱାକ୍ଷରିତ ହେଲା । ଜଳଚୁକ୍ତି ଅନୁଚ୍ଛେଦ – ୧୧(୩) ଅନୁସାରେ ଆର୍ଥିକ ସହାୟତା ଚୁକ୍ତିର ନିୟମ ଜଳ ଆବଣ୍ଟନ ଚୁକ୍ତିରୁ କୌଣସି ପ୍ରକାରରେ ପ୍ରଭାବିତ କରେନାହିଁ । [୧୭] ୧୯୬୪ ମସିହାରେ ପାକିସ୍ତାନକୁ ଅତିରିକ୍ତ ଋଣ ଓ ଅନୁଦାନ ପ୍ରଦାନ କରାଯାଇଥିଲା ।[୪୦]

ପାକିସ୍ତାନକୁ ମିଳିଥିବା ଋଣ ଓ ଅନୁଦାନ[ସମ୍ପାଦନା]

ଦେଶ ମୁଦ୍ରା ପ୍ରାରମ୍ଭିକ ଅନୁଦାନ (୧୯୬୦) ପରବର୍ତ୍ତୀ ଅନୁଦାନ (୧୯୬୪) ପ୍ରାରମ୍ଭିକ ଋଣ (୧୯୬୦) ପରବର୍ତ୍ତୀ ଋଣ (୧୯୬୪)
ଭାରତ ଗ୍ରେଟ୍ ବ୍ରିଟେନ୍ ପାଉଣ୍ଡ୍ (GB£) ୬,୨୦,୬୦,୦୦୦ ୧୦ଟି ବାର୍ଷିକ କିସ୍ତିସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ – ୫
ଅଷ୍ଟ୍ରେଲିଆ ଅଷ୍ଟ୍ରେଲୀୟ ପାଉଣ୍ଡ୍ (A£) ୬୯,୬୫,୦୦୦ ୪୬,୬୭,୬୬୬
କାନାଡ଼ା କ୍ୟାନେଡ଼ୀୟ ଡଲାର୍ (Can$) ୨,୨୧,୦୦,୦୦୦ ୧,୬୮,୧୦,୭୯୪
ପଶ୍ଚିମ ଜର୍ମାନୀ ଡଏଚ୍ ମାର୍କ୍ (DM) ୧୨,୬୦,୦୦,୦୦୦ ୮,୦୪,୦୦,୦୦୦
ନ୍ୟୁଜିଲ୍ୟାଣ୍ଡ ନ୍ୟୁଜିଲ୍ୟାଣ୍ଡ ପାଉଣ୍ଡ୍ (NZ£) ୧୦,୦୦,୦୦୦ ୫,୦୩,୪୩୪
ଯୁକ୍ତରାଜ୍ୟ ଗ୍ରେଟ୍ ବ୍ରିଟେନ୍ ପାଉଣ୍ଡ୍ (GB£) ୨,୦୮,୬୦,୦୦୦ ୧,୩୯,୭୮,୫୭୧
ଯୁକ୍ତରାଷ୍ଟ୍ର ଆମେରିକା ଆମେରିକୀୟ ଡଲାର୍ (US$) ୧୭,୭୦,୦୦,୦୦୦ ୧୧,୮୫,୯୦,୦୦୦ ୭,୦୦,୦୦,୦୦୦ ୫,୧୨,୨୦,୦୦୦
ବିଶ୍ୱବ୍ୟାଙ୍କ ଆମେରିକୀୟ ଡଲାର୍ (US$) ସୁଧ ସହିତ ବିଭିନ୍ନ ଦେଶର ମୁଦ୍ରାରେ ୯,୦୦,୦୦,୦୦୦[୪୧] ୫,୮୫,୪୦,୦୦୦ (ବିଭିନ୍ନ ଦେଶର ମୁଦ୍ରାରେ)

ବର୍ତ୍ତମାନ ଏହି ଜଳ ଚୁକ୍ତିରେ ବିଶ୍ୱବ୍ୟାଙ୍କର ଭୂମିକା ହେଉଛି ଯେ କୌଣସି ପକ୍ଷ ଅରାଜି ହେଲେ ବା ଅସହଯୋଗ କଲେ ଚୁକ୍ତିର ନିୟମାବଳୀ ଅନୁସାରେ ବିବାଦର ସମାଧାନ ପ୍ରକ୍ରିୟାକୁ ଚାଲୁ ରଖିବା ।[୪୨][୧୭]

ଚୁକ୍ତିର ନିହିତ୍ତାର୍ଥ[ସମ୍ପାଦନା]

ସିନ୍ଧୁ ଜଳ ଚୁକ୍ତିରୁ ଭାରତକୁ ୧୬% (ପ୍ରାୟ ୩.୩ କୋଟି ଏକର-ଫୁଟ୍) ଜଳ ମିଳୁଥିବା ବେଳେ ପାକିସ୍ତାନକୁ ୮୪% (୧୭୭ କୋଟି ଏକର-ଫୁଟ୍) ଜଳ ମିଳିଥାଏ ।[୨୮][୪୩] ତେବେ ପଶ୍ଚିମ ପଟର ନଦୀମାନଙ୍କ ପାଣିରୁ ୧୨.୫ ଲକ୍ଷ ଏକର-ଫୁଟ୍ ଗଚ୍ଛିତ କରି ଭାରତ ୭,୦୧,୦୦୦ ଏକର ଅଞ୍ଚଳରେ ଜଳସେଚନ କରିପାରିବ, ୧୬ ଲକ୍ଷ ଏକର-ଫୁଟ୍ ପାଣି ଗଚ୍ଛିତ ରଖି ଜଳବିଦ୍ୟୁତ୍ ପ୍ରକଳ୍ପରେ ଉପଯୋଗ କରିପାରିବ ଏବଂ ୭.୫ ଲକ୍ଷ ଏକର-ଫୁଟ୍ ପାଣି ବନ୍ୟା ନିୟନ୍ତ୍ରଣ ପାଇଁ ଗଚ୍ଛିତ ରଖିପାରିବ ।[୯] ଏହି ଚୁକ୍ତିରୁ ମିଳୁଥିବା ଜଳ ଜାମୁ ଓ କାଶ୍ମୀରର ଅଳ୍ପ ଅଞ୍ଚଳରେ ଜଳସେଚନ ହୋଇପାରୁଥିବା ବେଳେ ପାକିସ୍ତାନର ୮୦% ଜମି ଜଳସେଚିତ ହୋଇପାରେ ।[୪୪][୪୫] ଚୁକ୍ତି ଅନୁସାରେ ଭାରତରେ ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ଯେତିକି ଜଳ ଗଚ୍ଛିତ ରଖିପାରିବାର ପ୍ରସ୍ତାବ ରହିଛି, ଯଦି କେବଳ ଜାମୁ-କାଶ୍ମୀରର ନଦୀମାନଙ୍କର ସମ୍ପୂର୍ଣ୍ଣ ଜଳକୁ ବାନ୍ଧି ରଖାଯାଏ ତେବେ ତାହାଠାରୁ ଅଧିକ ପଟୁମାଟି ବନ୍ଧରେ ଜମା ହେବ ।[ଆଧାର ଲୋଡ଼ା] ଜାମୁ-କାଶ୍ମୀରରେ ବନ୍ଧ ବାନ୍ଧିବାର ବିରୋଧ ନକଲେ ପାକିସ୍ତାନକୁ ନିଜ ଭୂଖଣ୍ଡରେ ଛୋଟ ଛୋଟ ବନ୍ଧ ନିର୍ମାଣର ଆବଶ୍ୟକତା ରହିବ ନାହିଁ । ପରିଣାମ ସ୍ୱରୂପ ଜାମୁ-କାଶ୍ମୀରରେ ଥିବା ଜଳଭଣ୍ଡାରମାନଙ୍କୁ ସଚଳ ରଖିବା ପାଇଁ ପ୍ରତିବର୍ଷ ଜମା ପଟୁ ମାଟି ଓ ବାଲି ଅଧିକ ଅର୍ଥ ବ୍ୟୟରେ ସଫା କରିବାକୁ ପଡ଼ୁଛି । କିନ୍ତୁ ପାକିସ୍ତାନରେ ୪୫୦୦ ମେଗାୱାଟ କ୍ଷମତାସମ୍ପନ୍ନ ଡାୟମର୍-ବାଶା ବନ୍ଧ, ୩୬୦୦ ମେଗାୱାଟ କ୍ଷମତାସମ୍ପନ୍ନ କାଲାବାଘ ବନ୍ଧ, ୬୦୦ ମେଗାୱାଟ କ୍ଷମତା ସମ୍ପନ୍ନ ଅଖୋରି ବନ୍ଧ, ଦାସୁ ବନ୍ଧ, ବୁଞ୍ଜି ବନ୍ଧ, ଥାକୋଟ ବନ୍ଧ, ପଟାନ ବନ୍ଧ ପରି ବହୁମୁଖୀ ଯୋଜନାର ନିର୍ମାଣ ହୋଇପାରୁଛି ।[୯] ଏହି ସମସ୍ତ ବନ୍ଧ ଭୂମିକମ୍ପ-ପ୍ରବଣ ବଳୟର ଅନ୍ତର୍ଭୁକ୍ତ ଓ ଦୈବାତ୍ ଭୂମିକମ୍ପ ଯୋଗୁଁ ନଦୀବନ୍ଧ ଭାଙ୍ଗିଗଲେ ପାକିସ୍ତାନରେ ସିନ୍ଧୁର ତଳମୁଣ୍ଡ ଓ କଚ୍ଛ ଲବଣମରୁ ଅତ୍ୟଧିକ ବନ୍ୟା ପ୍ଳାବିତ ହେବାର ଆଶଙ୍କା ରହିଛି ।[୪୬]

୨୦୦୩ ମସିହାରେ ସିନ୍ଧୁ ଜଳ ଚୁକ୍ତିରେ ପୁନର୍ବିଚାର ଓ ପରିବର୍ତ୍ତନ କରାଯାଉ ବୋଲି ପୁରାତନ ଜାମୁ ଓ କାଶ୍ମୀର ରାଜ୍ୟ ବିଧାନ ସଭାରେ ଏକ ପ୍ରସ୍ତାବ ସର୍ବସମ୍ମତିରେ ଗୃହୀତ ହୋଇଥିଲା । ୨୦୧୬ ମସିହାରେ ଏହାର ପୁନରାବୃତ୍ତି ଘଟିଥିଲା ।[୫][୪୭] ଜାମୁ-କାଶ୍ମୀରର ତତ୍କାଳୀନ ବିଧାୟକମାନେ ମତ ରଖିଥିଲେ ଯେ ଏହି ଚୁକ୍ତି ଜାମୁ-କାଶ୍ମୀରକୁ ସମ୍ପୂର୍ଣ୍ଣ ଭାବେ ଉପେକ୍ଷା କରି ଏହାର ନାଗରିକଙ୍କ ଅଧିକାର କ୍ଷୁଣ୍ଣ କରୁଛି ।[୪୮][୪୯][୫୦]

କିନ୍ତୁ ସିନ୍ଧୁ ଜଳ ଚୁକ୍ତି ଯୋଗୁଁ ଭାରତକୁ ଏକ ସାମରିକ ଲାଭ ମଧ୍ୟ ମିଳିଛି । ସିନ୍ଧୁ ଜଳ ଚୁକ୍ତିର ଅନଚ୍ଛେଦ – ୨ (୧ରୁ ୪) ଓ ଅନୁଚ୍ଛେଦ – ୩ (୨ରୁ ୩) ଅନୁସାରେ ଭାରତରେ ପ୍ରବାହିତ ପୂର୍ବ ଓ ପଶ୍ଚିମ ପଟର ନଦୀ ଅବବାହିକା ଓ ପାକିସ୍ତାନର ରାୱି-ଶତଲେଜ ଅବବାହିକା ଚୁକ୍ତିର ପରିଧି ମଧ୍ୟରେ ରହିଛନ୍ତି । ଜଳ ଚୁକ୍ତିରେ ଦୁଇ ଦେଶ ମଧ୍ୟରେ କେବଳ ଜଳ ଆବଣ୍ଟନ ସମ୍ପର୍କିତ ନିୟମ ରହିଛି ।[୫୧] ଚୁକ୍ତିର ନିୟମ ଅନୁସାରେ ପାକିସ୍ତାନର ବୋମା ବା ଗୋଳା ବର୍ଷଣ ଯୋଗୁଁ ଭାରତରେ ସିନ୍ଧୁ ନଦୀ ବ୍ୟବସ୍ଥାର ଅଂଶ କୌଣସି ବନ୍ଧ, ବ୍ୟାରେଜ୍, ଜଳବିଦ୍ୟୁତ୍ କେନ୍ଦ୍ର ଇତ୍ୟାଦି କ୍ଷତିଗ୍ରସ୍ତ ହେଲେ ଜଳ ଚୁକ୍ତି ରଦ୍ଦ ହେବାର ସମ୍ଭାବନା ରହିଛି ।[ଆଧାର ଲୋଡ଼ା]

ଚୁକ୍ତିର ପୁନର୍ବିଚାର ମତବାଦ[ସମ୍ପାଦନା]

କଚ୍ଛ ଲବଣମରୁ[ସମ୍ପାଦନା]

ସିନ୍ଧୁ ନଦୀ ଭାରତୀୟ ପ୍ରଦେଶ ଗୁଜରାଟକୁ ପୁନଃ ପ୍ରବେଶ କରି କଚ୍ଛ ଲବଣମରୁର କୋରି କ୍ରିକ୍‍କୁ ପ୍ରବାହିତ ହୋଇଛି । ତ୍ରିକୋଣଭୂମିରେ ଏହାର ଶାଖାକୁ ନାରା ନଦୀ (ବା ନାରା କେନାଲ୍) କୁହାଯାଏ ଯାହା ଶକୁର ହ୍ରଦ ହୋଇ ଆରବ ସାଗରକୁ ପ୍ରବାହିତ ହୋଇଥାଏ । ଭାରତର ବିନା ସହମତିରେ ପାକିସ୍ତାନ ୧୯୮୭ରୁ ୧୯୯୭ ମଧ୍ୟରେ ବିଶ୍ୱବ୍ୟାଙ୍କର ଆର୍ଥିକ ସହାୟତାରେ ଲେଫ୍ଟ ବ୍ୟାଙ୍କ ଆଉଟ୍‍ଫଲ୍ ଡ୍ରେନ୍ (Left Bank Outfall Drain - LBOD) ନିର୍ମାଣ କରିଛି । ଏହି ପ୍ରକଳ୍ପ କଚ୍ଛ ଲବଣମରୁ ମଧ୍ୟ ଦେଇ ଗତି କରିଛି ।[୫୨][୫୩] ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ – ୪ (୧୦)ର ଉଲ୍ଲଂଘନ କରୁଥିବା ଏହି ସହଯୋଗୀ କେନାଲ୍‍ର ଲକ୍ଷ୍ୟ ହେଲା ପାକିସ୍ତାନର ସିନ୍ଧୁ ତ୍ରିକୋଣଭୂମିକୁ ପ୍ରବାହିତ ଲବଣାକ୍ତ ଓ ପ୍ରଦୂଷିତ ପାଣିକୁ କଚ୍ଛ ଲବଣମରୁ ଦେଇ ସମୁଦ୍ରକୁ ବିସ୍ଥାପିତ କରିବା ।[୫୪] ଏହି LBOD କେନାଲରେ ପାଣି ଛଡ଼ାଗଲେ ବନ୍ୟାର ଆଶଙ୍କା ଦେଖାଦେବା ସହ ଏଠାରେ ରହିଥିବା ଲୁଣମରା ଜମିକୁ ଯେଉଁ ସବୁ ଜଳାଶୟରୁ ପାଣି ଆସେ, ସେଗୁଡ଼ିକ ମଧ୍ୟ ପ୍ରଦୂଷିତ ହୋଇଥାଏ ।[୫୫] LBOD କେନାଲ୍ ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ବିବାଦୀୟ ସର୍ କ୍ରିକ୍‍ଠାରେ ସମୁଦ୍ରକୁ ସଂଯୁକ୍ତ ହେବାର ଯୋଜନା ଥିଲେ ହେଁ ଅନେକ ବନ୍ୟାର ସମ୍ମୁଖୀନ ହୋଇ ଏହାର ବାମ ତଟ ବହୁ ସ୍ଥାନରେ କ୍ଷତିଗ୍ରସ୍ତ ହୋଇଛି ଓ ଏହାର ଜଳ ଭାରତକୁ ପ୍ରବେଶ କରୁଛି ।[୫୬] ଯେହେତୁ ଭାରତର ଗୁଜରାଟ ସିନ୍ଧୁ ଅବବାହିକାର ନିମ୍ନତମ ସ୍ଥାନ, ଉପରମୁଣ୍ଡରେ ଥିବା ସମସ୍ତ ନିର୍ମାଣ କାର୍ଯ୍ୟ ବିଷୟରେ ପାକିସ୍ତାନ ଭାରତକୁ ଜଣାଇବାକୁ ବାଧ୍ୟ । ଭାରତରେ କୌଣସି ଭୌତିକ କ୍ଷତି ନ ହେବା ପାଇଁ ଚୁକ୍ତିର ଅନୁଚ୍ଛେଦ – ୪ରେ ଏପରି ପ୍ରସ୍ତାବ ରହିଛି ଏବଂ ମଧ୍ୟସ୍ତତାଦ୍ୱାରା ଏପରି ଅସହମତିର ସମାଧାନ ନ ହେବା ଯାଏଁ ନିର୍ମାଣ ହୋଇପାରିବ ନାହିଁ ବୋଲି ଉଲ୍ଲିଖିତ ରହିଛି ।[୫୭][୫୮]

ଆତଙ୍କବାଦୀ ଆକ୍ରମଣ ପରେ ପୁନର୍ବିଚାର[ସମ୍ପାଦନା]

୨୦୧୬ ମସିହାର ଉରି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଜଳ ଚୁକ୍ତିକୁ ସମାପ୍ତ କରିବାର ଧମକ ଦେଇଥିଲା । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ରକ୍ତ ଓ ପାଣି ଏକା ସାଥୀରେ ପ୍ରବାହିତ ହୋଇପାରିବେ ନାହିଁ" ବୋଲି ଘୋଷଣା କରିଥିଲେ ।[୫୯] କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ।[୬୦] କିନ୍ତୁ କାଶ୍ମୀର ଉପତ୍ୟକାରେ ଝେଲମ୍ ନଦୀ ଉପରେ ପୂର୍ବରୁ ପାକିସ୍ତାନର ଅସହମତି ଯୋଗୁଁ ଅଟକି ପଡ଼ିଥିବା ତୁଲ୍‍ବୁଲ୍ ପ୍ରକଳ୍ପର କାର୍ଯ୍ୟ ପୁନରାରମ୍ଭ କରିବାକୁ ଭାରତ ନିଷ୍ପତ୍ତି ନେଇଥିଲା ।[୬୧] ପାକିସ୍ତାନର ହସନ ଅସ୍କାରି ରିଜଭି ନାମକ ଜଣେ ରାଜନୈତିକ ବିଶ୍ଳେଷକ ମତ ରଖିଥିଲେ ଯେ ପାକିସ୍ତାନକୁ ଜଳଯୋଗାଣରେ ପରିବର୍ତ୍ତନ ଘଟିଲେ ପାକିସ୍ତାନରେ କୃଷିର ସ୍ଥିତି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବ ।[୬୨]

ଭାରତଦ୍ୱାରା ଜଳ ବ୍ୟବହାରର ବିଚାର[ସମ୍ପାଦନା]

୨୦୧୯ ମସିହାର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସଡ଼କ ଓ ଜଳ ସମ୍ବଳ ମନ୍ତ୍ରୀ ନିତିନ ଗଡ଼କରୀ କହିଥିଲେ ଯେ ତିନି ପୂର୍ବ ନଦୀରେ ପାକିସ୍ତାନକୁ ପ୍ରବାହିତ ସମସ୍ତ ପାଣି ପଞ୍ଜାବ, ହରିଆଣା ଓ ରାଜସ୍ଥାନରେ ନାନାବିଧ କାର୍ଯ୍ୟ ପାଇଁ ଉପଯୋଗ କରାଯିବ ।[୬୩]

ସିନ୍ଧୁ ନଦୀ ବ୍ୟବସ୍ଥାର ନଦୀମାନଙ୍କରେ ବାର୍ଷିକ ପ୍ରାୟ ୨୧ କୋଟି ଏକର-ଫୁଟ୍ ଜଳ ପ୍ରବାହିତ ହୁଏ ଓ ଭାରତକୁ ଆବଣ୍ଟିତ ପୂର୍ବ ନଦୀମାନଙ୍କରୁ ଭାରତ କେବଳ ୩.୩ କୋଟି ଏକର-ଫୁଟ୍ (ସମୁଦାୟର ୧୬%) ବ୍ୟବହାର କରେ ।[୬୪] ଏହା ବ୍ୟତୀତ ପଶ୍ଚିମ ପଟର ନଦୀମାନଙ୍କରୁ ମଧ୍ୟ ଭାରତକୁ ସୀମିତ ଜଳସେଚନ, ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳ ମିଳିବାର ନିୟମ ରହିଛି ।[୬୫] ୨୦୧୯ ମସିହାର ତଥ୍ୟ ଅନୁଯାୟୀ ଭାରତକୁ ଆବଣ୍ଟିତ ଅଂଶର ୯୫% (୩.୧ କୋଟି ଏକର-ଫୁଟ୍) ଭାରତ ବ୍ୟବହାର କରେ ଓ ବଳକା ୫% (୨୦ ଲକ୍ଷ ଏକର-ଫୁଟ୍) ପାକିସ୍ତାନକୁ ପ୍ରବାହିତ ହୋଇଯାଏ । ତିନୋଟି ନୂତନ ପ୍ରକଳ୍ପଦ୍ୱାରା ଭାରତ ଏହି ୫% ପାଣିର ଉପଯୋଗ କରିବାର ଯୋଜନା ରଖିଛି । ଏହି ପ୍ରକଳ୍ପଗୁଡ଼ିକ ହେଲେ - (କ) ରାୱି ନଦୀ ଉପରେ ଶାହପୁରକାନ୍ଦି ବନ୍ଧ ଯୋଜନା, (ଖ) ରାୱି-ବେଆସ୍ ସଂଯୋଗୀକରଣ ଓ (ଗ) ଜାମୁ ଓ କାଶ୍ମୀରର ଉଝ୍ ନଦୀ ଉପରେ ଉଝ୍ ବନ୍ଧ । ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ, ରାଜସ୍ଥାନ,  ଦିଲ୍ଲୀ ଓ ଉତ୍ତରର ପାହାଡ଼ିଆ ଅଞ୍ଚଳରେ ଏହି ଜଳକୁ ଉପଯୋଗ କରାଯାଇପାରିବ ।[୬୬][୬୭]

ଆହୁରି ଦେଖନ୍ତୁ[ସମ୍ପାଦନା]

ଉତ୍ସ[ସମ୍ପାଦନା]

  • Barrett, Scott: Conflict and Cooperation in Managing International Water Resources, Policy Research Working Paper 1303, The World Bank, May 1994.
  • Michel, Aloys Arthur: The Indus Rivers – A Study of the Effects of Partition, Yale University Press: New Haven, 1967.
  • Verghese, B.G.: Waters of Hope, Oxford and IBH Publishing: New Delhi, 1990.
  • Indus Waters Treaty: an exercise in international mediation by Niranjan Das Gulhati [୧]

ଆଧାର[ସମ୍ପାଦନା]

  1. Daniel Haines (8 March 2017). "The Rivers Run Wild (Indus Waters Treaty-1960) - Nearly 60 Years Since Their Landmark Treaty, The Pakistan-India Water Dispute Remains Contentious". Newsweek (magazine). Retrieved 28 October 2019.
  2. "Full text of 'Indus Water Treaty' with Annexures, World Bank" (PDF). 1960. Retrieved 30 October 2014.
  3. "War over water". The Guardian. 3 June 2002. Retrieved 30 June 2018.
  4. "How the Indus Treaty was signed". Retrieved 30 October 2017.
  5. ୫.୦ ୫.୧ Khaki, Saadat Bilal (26 July 2018). "Indo-Pak and Hydro-politics". Greater Kashmir.
  6. "Preamble of Indus water treaty" (PDF). Retrieved 30 October 2017.
  7. "Indus Water Treaty: Review is not an Option". Retrieved 30 July 2018.
  8. "Indus Water Treaty: Options for India" (PDF), Scholar Warrior, Centre for Land Warfare Studies, Spring 2017, retrieved 28 October 2017
  9. ୯.୦ ୯.୧ ୯.୨ Bakshi, Gitanjali; Trivedi, Sahiba (2011), Indus Equation (PDF), Strategic Foresight Group, retrieved 28 October 2014
  10. C.A. Brebbia (4 September 2013). Water and Society II. WIT Press. pp. 103–. ISBN 978-1-84564-742-1.
  11. Map Workbook. FK Publications. pp. 27–. ISBN 978-81-89611-79-8.
  12. Roy Chowdhury, Biswaroop. Memory Unlimited. Diamond Pocket Books (P) Ltd. pp. 148–. ISBN 978-81-8419-017-5.
  13. "Water Sharing Conflicts Between Countries, and Approaches to Resolving Them" (PDF). Honolulu: Global Environment and Energy in the 21st century. p. 98. Archived from the original (pdf) on August 21, 2007. Retrieved 2010-04-14.
  14. "The struggle for power over Indus". Retrieved 29 April 2018.
  15. Shreyan, Sengupta. "Transboundary water disputes" (PDF). ETH Zurich. Retrieved 24 September 2013.
  16. Garg, Santosh Kumar (1999). International and interstate river water disputes. Laxmi Publications. pp. 54–55. ISBN 81-7008-068-1.
  17. ୧୭.୦ ୧୭.୧ ୧୭.୨ "Indus water treaty" (PDF). World Bank. Retrieved 28 July 2019.
  18. "Gold price history charts in different currencies". Retrieved 31 March 2019.
  19. "Agreement for the Salal project between India and Pakistan dated 14 April 1978" (PDF). Retrieved 13 June 2018.
  20. "Wullar Barrage: An Unresolved 'Question'". Retrieved 29 August 2018.
  21. "Baglihar Hydroelectric Plant: Expert Determination" (PDF). Retrieved 15 April 2018.
  22. "The Baglihar difference and its resolution process - a triumph for the Indus Waters Treaty?" (PDF). 2008. Retrieved 22 September 2017.
  23. "Verdict of Permanent Court of Arbitration on Kishanganga Hydroelectric Plant". February 2013. Retrieved 22 September 2017.
  24. "Pak 'diplomatic sabotage' busted: India to go ahead with Ratle hydroelectric project, govt to send team to J&K". Retrieved 21 January 2019.
  25. "Indus Basin Floods" (PDF). Asian Development Bank. 2013. Retrieved 20 May 2019.
  26. "Pakistan to take Kishanganga Dam dispute to International Court of Arbitration". Arab News. Retrieved 22 July 2018.
  27. "Interactive map - Indus system of rivers". The Third Pole. Retrieved 29 October 2018.
  28. ୨୮.୦ ୨୮.୧ "Pakistan: Getting More from Water (see Table 3.1)" (PDF). World Bank. Retrieved 29 March 2019.
  29. "Pakistan: Indus Basin Water Strategy – Past, Present and Future" (PDF). Retrieved 29 August 2018.
  30. Adam Nayyar. "What Indus water treaty means". Dawn. Retrieved 29 April 2018.
  31. "Recalling the Indus Water Treaty or Nehru's Sixth Blunder". India Facts. Retrieved 27 July 2019.
  32. ୩୨.୦ ୩୨.୧ Gulhati, Niranjan D., The Indus Waters Treaty: An Exercise in International Mediation, Allied Publishers: Bombay, 1973.
  33. Mason, Edward Sagendorph; Asher, Robert E. (1973). The World Bank Since Bretton Woods (First ed.). Wawshington: The Brookings Institution. p. 612. ISBN 9780815720300. Retrieved 28 October 2014.
  34. A. G. Noorani (7 July 2017). "War on Indus waters? (Review of Indus Waters Treaty by Ijaz Hussain)". Frontline.
  35. "Friends Not Masters - A Political Autobiography By President Ayub Khan (pages 109 to 112)". 1967. Retrieved 28 June 2018.
  36. ଛାଞ୍ଚ:Cite newspaper
  37. Warikoo, K. (July–September 2005), "Indus Waters Treaty: View From Kashmir" (PDF), Himalayan and Central Asian Studies, 9 (3)
  38. Alam, U. Z. (1998). "Water Rationality: Mediating the Indus Waters Treaty" (PDF). University of Durham. Retrieved 22 May 2018.
  39. http://www3.austlii.edu.au/au/other/dfat/treaties/1961/2.html
  40. http://www3.austlii.edu.au/au/other/dfat/treaties/1964/14.html
  41. "Development Credit Agreement" (PDF). World Bank. Retrieved 16 September 2018.
  42. Last page of the Indus Water Treaty
  43. Chellaney, Brahma (11 August 2012). "India generous with its shared water resources". India Water Reivew. Retrieved 28 October 2014.
  44. "Geography of Jammu and Kashmir State: Irrigation – Importance and Types". Kashmiri Pandit Network. Retrieved 28 October 2015.
  45. "Legislative Assembly rejects PDP resolution". Greater Kashmir. 14 March 2015. Retrieved 28 October 2015.
  46. "Pakistan's Indus Cascade - a disaster in the making". The Economic Times. 6 July 2017.
  47. "Finally, J&K hires consultant to quantify Indus Water Treaty losses". Greater Kashmir. 20 February 2-18. Check date values in: |date= (help)
  48. "State all for scrapping of Indo-Pak water treaty". Tribune India. Retrieved 6 December 2017.
  49. "Sustaining energy and food security in trans-boundary river system: case of Indus basin.", 15th International River Symposium, 2012, retrieved 6 December 2017
  50. "Why Hydropower is a Pipe Dream in Kashmir's Development". Retrieved 30 August 2019.
  51. "Development has always been on top of our agenda: Nitin Gadkari". Outlook. 2 May 2019.
  52. Chaturvedi, A. K. (December 2018). "Indus Water Treaty: An Appraisal" (PDF). Vivekananda International Foundation.
  53. Left bank outfall drain: World Bank needs to consult Sindhis before it sinks millions of dollars intoproject, Tribune Pakistan.
  54. "Revisiting the LBOD issue". Dawn. 5 October 2011.
  55. "Indus re-enters India after two centuries, feeds Little Rann, Nal Sarovar". India Today. Retrieved 22 December 2015.
  56. "Evolution of the Delta, the LBOD outfall system and the Badin dhands - chapters 3 & 4" (PDF). World Bank. 2006. Retrieved 22 December 2015.
  57. "India, Pakistan agree on IWT mandated tours to both sides of Indus basin". livemint. Retrieved 31 August 2018.
  58. "Wrangles over water: Pakistan wages a water war on India". The Times of India blog. Retrieved 22 September 2016.
  59. Michael Kugelman, Why the India-Pakistan War Over Water Is So Dangerous, Foreign Policy, 30 September 2016.
  60. Keith Johnson, Are India and Pakistan on the Verge of a Water War?, Foreign Policy, 25 February 2019.
  61. How India plans to use Indus Water Treaty to turn the heat on Pakistan, The Times of India, 28 September 2016.
  62. Archana Chaudhary; Iain Marlow. "Narendra Modi lays groundwork for water war in battle with Pakistan". livemint. Retrieved 23 October 2016.
  63. "Work to stop water from flowing into Pakistan has started: Govt". The Indian Express. Retrieved 21 August 2019.
  64. ଆଧାର ଭୁଲ: ଅଚଳ <ref> ଚିହ୍ନ; pak12 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  65. "Pulwama attack and Indus Waters Treaty: does India hold all the cards?". The Hindu. Retrieved 28 April 2019.
  66. "Will Stop India's Share Of Water Flowing To Pak, Says Nitin Gadkari: 10 Facts". NDTV News. Retrieved 21 February 2019.
  67. "Indus Waters Treaty 1960 : Present Status of Development in India". Government of India. Retrieved 25 February 2019.

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]