ଷୋଳମପୁର

ଉଇକିପିଡ଼ିଆ ରୁ
Jump to navigation Jump to search
ଷୋଳମପୁର
ଅବସ୍ଥାନଭଦ୍ରକ, ଓଡ଼ିଶା
ନିର୍ମାଣ କାଳଅଷ୍ଟମ ଶତାବ୍ଦୀ
ପ୍ରକାରବୌଦ୍ଧପୀଠ

ଷୋଳମପୁର ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଏକ ପୁରାତନ ବୌଦ୍ଧ ମହାବିହାର । ଏହା ତତ୍କାଳୀନ ବିରଜାମଣ୍ଡଳ ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ମହାବିହାର ଭାବେ ମୁଣ୍ଡ ଟେକିଥିଲା ।

ଅବସ୍ଥିତି[ସମ୍ପାଦନା]

ଯାଜପୁର ସହରର ଦଶାଶ୍ୱାମଧ ଘାଟର ଅପରପାର୍ଶ୍ୱରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ୍‍ରେ ବୈତରଣୀ ନଦୀ କୂଳରେ ଏହି ପ୍ରସିଦ୍ଧ ପୀଠଟି ଅବସ୍ଥିତ।

ନାମକରଣ[ସମ୍ପାଦନା]

ସୋମବଂଶର ଶେଷ ରାଜା କର୍ଣ୍ଣଦେବ ଏଠାରେ ରାଣୀହଂସପୁର ପ୍ରତିଷ୍ଠା କରିଥିଲେ ଏବଂ ଏହାର ଷୋହଳଟି ମୁଖ ରହିଥିଲା । ଏହି ଅନୁସାରେ ଏହାର ନାମ ଷୋଳମପୁର ହୋଇଛି ବୋଲି କୁହାଯାଏ। ଆହୁରି ମଧ୍ୟ ସୋମବଂଶୀ ସମ୍ରାଟ ପ୍ରଥମ ଯଯାତି କେଶରୀ (ଖ୍ରୀ.ଅ. ୯୨୨ - ଖ୍ରୀ.ଅ. ୯୫୫)ଙ୍କ ଏହା ୧୬ତମ ଗଡ଼ ଥିବାରୁ ଏହାର ନାମ ଷୋଳମପୁର ହୋଇଛି ବୋଲି କିଛି ଗବେଷକ ଦାବି କରନ୍ତି।

ଇତିହାସ[ସମ୍ପାଦନା]

ଯାଜପୁର ଜିଲ୍ଲାର ବିଶ୍ୱପ୍ରସିଦ୍ଧ ରତ୍ନଗିରି, ଉଦୟଗିରିଲଳିତଗିରି (କଟକ ଜିଲ୍ଲା) ହୀରକ ତ୍ରିଭୁଜ ସହିତ ଷୋଳମପୁର ବୌଦ୍ଧ କ୍ଷେତ୍ରର ଏକ ନିବିଡ଼ ସଂପର୍କ ରହିଛି । ଭୌମକରବଂଶୀ ରାଜା ପ୍ରଥମ ଶୁଭକର ଦେବ (ଖ୍ରୀ.ଅ.୭୯୦-ଖ୍ରୀ.ଅ.୮୦୦)ଙ୍କ ନେଉଳପୁର (ବର୍ତ୍ତମାନ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍‍ ଅନ୍ତର୍ଗତ) ତାମ୍ରଶାସନରେ ଷୋଳମପୁର ବୌଦ୍ଧକ୍ଷେତ୍ର ସଂପର୍କରେ ଉଲ୍ଲେଖ ରହିଛି[୧] । ପ୍ରଥମ ଶୁଭକର ଦେବ ଜଣେ ବୌଦ୍ଧ ଉପାସକ ଥିଲେ । ସେହିଭଳି ସୋମବଂଶର ଶେଷ ରାଜା କର୍ଣ୍ଣଦେବ (ଖ୍ରୀ.ଅ. ୧୧୦୦-ଖ୍ରୀ.ଅ. ୧୧୧୦)ଙ୍କ ରତ୍ନଗିରି ତାମ୍ରଶାସନରେ ଷୋଳମପୁର ମହାବିହାର (ବୌଦ୍ଧବିହାର) ସଂପର୍କରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଲ୍ଲେଖ ରହିଛି। ଷୋଳମପୁରରେ ପ୍ରଥମ ଶୁଭକର ଦେବ (ଖ୍ରୀ.ଅ. ୭୯୦ - ଖ୍ରୀ.ଅ. ୮୦୦) ଏକ ବୌଦ୍ଧ ବିହାର ନିର୍ମାଣ କରି ତହିଁରେ ଅବଲୋକିତେଶ୍ୱରଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ । ଏହି ମୂର୍ତ୍ତିରେ ଭୌମକର ଶାସନ ସଂପର୍କରେ ଶିଳାଲେଖ ମଧ୍ୟ ରହିଛି । ଅବଲୋକିତେଶ୍ୱର ମୂର୍ତ୍ତିଟି ବର୍ତ୍ତମାନ ଷୋଳମପୁର ରଘୁନାଥ ମନ୍ଦିରରେ ସ୍ଥାପିତ ହୋଇଥିବାର ଦେଖାଯାଏ । ଏହି ଦୃଷ୍ଟିରୁ ଷୋଳମପୁର ଦିନେ ଭୌମକରମାନଙ୍କର ପ୍ରାଚୀନ ରାଜଧାନୀ ଥିଲା ବୋଲି ବିଚାର କରାଯାଏ । ଏଠାରେ ଭୌମବଂଶୀଙ୍କର ରାଜପ୍ରାସାଦର ଧ୍ୱଂସାବଶେଷ ମଧ୍ୟ ଦେଖିବାକୁ ମିଳିଥାଏ । ଭୌମକରମାନଙ୍କ ରାଜତ୍ୱ କାଳରେ ବିରଜା ମଣ୍ଡଳରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା । ତତ୍କାଳୀନ ବିରଜା ମଣ୍ଡଳ ଅନ୍ତର୍ଗତ ରତ୍ନଗିରି, ଲଳିତଗିରି, ଉଦୟଗିରି, ଲାଙ୍ଗୁଡ଼ି, ଏରଡ଼ା, ଖଡ଼ିପଦା, ଷୋଳମପୁର, ତରାଙ୍ଗ, ଶ୍ରୀରାମପୁର, ଶୀତଳେଶ୍ୱର, ସନ୍ଥମାଧବ ଓ ନପଙ୍ଗ ଆଦି ସ୍ଥାନରେ ବୌଦ୍ଧ ଧର୍ମର ଅଂଶବିଶେଷ ଦେଖିବାକୁ ମିଳିଥାଏ

ପରିଚିତି[ସମ୍ପାଦନା]

୧୯୬୮ ମସିହା ଡିସେମ୍ବରରେ ଚାନ୍ଦମାମା ପବ୍ଲିକେଶନଦ୍ୱାରା ପ୍ରକାଶିତ ଦି ହେରିଟେଜ୍ ନାମକ ପତ୍ରିକାର ପୃଷ୍ଠା ୪୪ରେ ଇଂଲଣ୍ଡର କ୍ଲେଭରଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ବରିଷ୍ଠ ପ୍ରାଧ୍ୟାପକ ଥୋମାସ ଇ. ଡୋନାଲଡସନଙ୍କ 'ଯାଜପୁର-ଦି ଆନିସିଏଣ୍ଟ ଶାକ୍ତପୀଠ' ଶୀର୍ଷକ ଆଲେଖ୍ୟ ଷୋଳମପୁରକୁ ଲୋକଲୋଚନଙ୍କୁ ଆଣିଥିଲା [୨]। ବୈତରଣୀ ନଦୀର ଅପର ପାର୍ଶ୍ୱର ଷୋଳମପୁର ଗ୍ରାମରେ ବିକ୍ଷିପ୍ତଭାବେ ପଡିରହିଥିବା ପ୍ରାୟ ଅନାବିଷ୍କୃତ ୨୫ଟି ବୌଦ୍ଧ ଭାସ୍କର୍ଯ୍ୟ ସମ୍ପର୍କରେ ସେ ଏହି ଲେଖା ପ୍ରସ୍ତୁତ କରିଥିଲେ। ରଘୁନାଥଜୀଉ ମନ୍ଦିରର ବାହାର କାନ୍ଥରେ ଖୋଦିତ ତାରା ମୂର୍ତ୍ତି ଓ ତହିଁରେ ତାମ୍ର ଲିଖିତ ବିବରଣୀ ଯାଜପୁରରେ ମହାଯାନ ଓ ବଜ୍ରଯାନ(ତାନ୍ତ୍ରିକ) କେନ୍ଦ୍ରର ଗୁରୁତ୍ୱକୁ ପ୍ରମାଣିତ କରେ ବୋଲି ସେ ମତ ଦେଇଥିଲେ। ଏହି ଶିରୋନାମାରେ ତାରା ମୂର୍ତ୍ତି ଓ ତାମ୍ର ଲିପିର ଫୋଟୋ ପ୍ରକାଶିତ କରି ଏହାର ଅଦ୍ଧୟନ ପାଇଁ ପ୍ରଥମେ ସୁଯୋଗ ସୃଷ୍ଟି କରିଥିଲେ ଥୋମାସ୍।

ଆଧାର[ସମ୍ପାଦନା]

  1. "ଅବହେଳିତ ବୌଦ୍ଧପୀଠ".
  2. "ଧରିତ୍ରୀ ୨୧/୦୨/୨୦୧୬ ପୃଷ୍ଠା ୧୦".