ଶ୍ୟାମାଚନ୍ଦ୍ର ତ୍ରିପାଠୀ
ଶ୍ୟାମାଚନ୍ଦ୍ର ତ୍ରିପାଠୀ | |
---|---|
ଜନ୍ମ | ମାଧପୁର ଗାଁ, ଉଦଳା, ମୟୂରଭଞ୍ଜ | ୧ ମାର୍ଚ୍ଚ ୧୮୯୩
ମୃତ୍ୟୁ | ୧୮ ଅଗଷ୍ଟ ୧୯୫୧ | (ବୟସ ୫୮)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ |
ପିତାମାତା(s) | ଚିନ୍ତାମଣି ତ୍ରିପାଠୀ, ସଖୀ ଦେବୀ |
ଶ୍ୟାମାଚନ୍ଦ୍ର ତ୍ରିପାଠୀ (୧ ମାର୍ଚ୍ଚ ୧୮୯୩ - ମୃତ୍ୟୁ ୧୮ ଅଗଷ୍ଟ ୧୯୫୧), ଜଣେ ଶିକ୍ଷାବିତ ଓ ପ୍ରଶାସକ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟର ପ୍ରଥମ ଓଡ଼ିଆ ତଥା ଭାରତୀୟ ଅଧ୍ୟକ୍ଷ ଥିଲେ[୧] ଏବଂ ଓଡ଼ିଶା ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା ।
ଜୀବନୀ
[ସମ୍ପାଦନା]ଶ୍ୟାମାଚନ୍ଦ୍ର, ୧୮୯୩ ମସିହା ମାର୍ଚ୍ଚ ୧ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ଉଦଳା ଅନ୍ତର୍ଗତ ମାଧପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଚିନ୍ତାମଣି ତ୍ରିପାଠୀ ଓ ମାତାଙ୍କ ନାମ ସଖୀ ଦେବୀ । ସେ ୧୯୧୦ ମସିହାରେ ବାରିପଦାର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ । ତା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏସ.ସି ଓ କଲିକତାର ପ୍ରେସିଡେନସି କଲେଜରୁ ୧୯୧୪ମସିହାରେ ପଦାର୍ଥ ବିଜ୍ଞାନ ଅନର୍ସ ରଖି ସ୍ନାତକ ବିଜ୍ଞାନ ପାସ କରିଥିଲେ । ଏହି ପରିକ୍ଷାରେ ସେ ସମଗ୍ର କଲିକତା ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ବିହାର ଓ ଓଡ଼ିଶା ସରକାରଙ୍କ ତରଫରୁ ବୃତ୍ତି ପାଇ, ସେ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟକୁ ପଢିବାକୁ ଯାଇଥିଲେ । ସେଠାରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର[୨] ଓ ଟ୍ରାଇପସ ଡିଗ୍ରୀ ହାସଲ କରି ୧୯୧୯ ମସିହାରେ ଓଡ଼ିଶା ଫେରିଥିଲେ । ଇଂରେଜ ସରକାର ତାଙ୍କୁ ରେଭେନ୍ସା କଲିଜିଏଟ ସ୍କୁଲର ପ୍ରଧାନଶିକ୍ଷକ ଭାବରେ ନିଯୁକ୍ତି ଦେଲେ । ୧୯୨୧ରେ ସେ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଦାର୍ଥ ବିଜ୍ଞାନର ପ୍ରଫେସର ଭାବରେ ନିଯୁକ୍ତ ହେଲେ । ୧୯୨୪ମସିହାରେ ବନ୍ଧୁ ତଥା ମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କଠାରୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଆଣି ରେଭେନ୍ସା ମହାବିଦ୍ୟାଳୟରେ ଏକ ପାୱର ପ୍ଲାଣ୍ଟ ସ୍ଥାପନ କରି, କଲେଜକୁ ଆଲୋକିତ କରିଥିଲେ । ପ୍ରଫେସର ଭାବରେ ସେ ନ'ବର୍ଷ କାର୍ଯ୍ୟ କରିଥିଲେ । ତାପରେ ସେ ୬ବର୍ଷ କାଳ, ବିହାର ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୧୯୩୬ ମସିହା ଜାନୁଆରୀ ୧୭ତାରିଖରେ ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ । ତାଙ୍କ ପୂର୍ବରୁ ଏହି ପଦବୀରେ କେବଳ ଇଂରେଜମାନେ ହିଁ ଅବସ୍ଥାପିତ ଥିଲେ । ୧୯୩୮ମସିହାରେ ସେ ସ୍ୱାଧୀନ ଓଡ଼ିଶା ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେଲେ ।[୩] ୧୯୪୮ମସିହାରେ ଏହି ପଦବୀରୁ ଅବସର ନେଇଥିଲେ । ସେହି ବର୍ଷ ତାଙ୍କୁ କେନ୍ଦ୍ର ପବ୍ଲିକ ସର୍ଭିସ କମିଶନର ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଲା । ବର୍ଷେ ପରେ, ରାଜସ୍ଥାନ ପବ୍ଳିକ ସର୍ଭିସ କମିସନ ଭାବରେ ନିଯୁକ୍ତ ପାଇ, ଜୟପୁର ଗଲେ । ସେହି ଜୟପୁରରେ ରହଣି କାଳରେ ୧୯୫୧ମସିହା ଅଗଷ୍ଟ ୧୮ତାରିଖରେ ତାଙ୍କର ପରଲୋକ ଘଟିଥିଲା ।
ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପନା
[ସମ୍ପାଦନା]୧୯୪୧-୧୯୪୬ମସିହା ପର୍ଯ୍ୟନ୍ତ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱ ସରକାରରେ ଗୋଦାବରୀଶ ମିଶ୍ର ଶିକ୍ଷାମନ୍ତ୍ରୀ ଓ ମୌଲବୀ ଶୋଭନ୍ ଖାନ୍ ଆଇନ ମନ୍ତ୍ରୀ ଥିଲେ । ଏହି ସମୟରେ ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟରେ ଆବଶ୍ୟକତାକୁ ଅନୁଭବ କରି, ସରକାର ସେତେବେଳର ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶ୍ୟାମାଚନ୍ଦ୍ର ତ୍ରିପାଠୀଙ୍କ ଉପରେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଲ ପ୍ରସ୍ତୁତ କରିବାର ଦାୟିତ୍ୱ ନ୍ୟସ୍ତ କଲେ । ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶ୍ୟାମାଚନ୍ଦ୍ର ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ମେକଲିନଙ୍କୁ ଡାକି ଚିଠା ପ୍ରସ୍ତୁତ କରିଥିଲେ । ଶିକ୍ଷାମନ୍ତ୍ରୀ ଗୋଦାବରୀଶ ମିଶ୍ର, ୧୯୪୩ ମସିହା ଜୁନ ୩୦ତାରିଖରେ ବିଧାନ ସଭା(ରେଭେନ୍ସା ମହାବିଦ୍ୟାଳୟର ଆଜିର ଆସେମ୍ବ୍ଲି ହଲ)ରେ ଏହି ବିଲ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ୬୦ସଭ୍ୟ ବିଶିଷ୍ଟ ବିଧାନ ସଭାରେ ଏହି ବିଲକୁ ପୂର୍ଣ୍ଣ ସମର୍ଥନ ମିଳିଥିଲା । ରାଜ୍ୟପାଳ ହଥର୍ଣ୍ଣ ଲୁଇସ୍ ବିଲକୁ ଅନୁମୋଦନ କରିବା ପରେ ଏହା ଆଇନରେ ପରିଣିତ ହୋଇଥିଲା । ୧୯୪୩ ମସିହା ଅଗଷ୍ଟ ୨ ତାରିଖରେ ବିଶ୍ୱବିଦ୍ୟାଳୟର ଶୁଭଉଦଘାଟନ କରାଯାଇ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ଭାବେ ନାମିତ କରାଯାଇଥିଲା । ରେଭେନ୍ସା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗରେ ୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର କାର୍ଯ୍ୟରମ୍ଭ ହୋଇଥିଲା ।[୪]
ଆଧାର
[ସମ୍ପାଦନା]- ↑ Girish Chandra Roy (1996). Socio-cultural Consequences of Colonial Mode of Education in Orissa. Ratneswar Publication.
- ↑ Justice Harihar Mahapatra (15 February 2011). My Life, My Work. Allied Publishers. pp. 107–. ISBN 978-81-8424-640-7.
- ↑ Śrīdhara Dāsa (2006). A Leaf in the Stream: An Autobiography. Rupantar. ISBN 978-81-901759-6-8.
- ↑ "ଯେଉଁମାନେ ଉତ୍କଳ ବିଶ୍ୱବିଦ୍ୟାଳୟ ଗଢିଥିଲେ". ନିତିଦିନ ୨୭/୧୧/୨୦୧୬ ପୃଷ୍ଠା ୮. Retrieved 29 November 2016.[permanent dead link]