ଶ୍ୟାମାଚନ୍ଦ୍ର ତ୍ରିପାଠୀ

ଉଇକିପିଡ଼ିଆ ରୁ
(Shyama Chandra Tripathy ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଶ୍ୟାମାଚନ୍ଦ୍ର ତ୍ରିପାଠୀ
ଶ୍ୟାମାଚନ୍ଦ୍ର ତ୍ରିପାଠୀ.jpg
ଜନ୍ମ ଓ ଜନ୍ମସ୍ଥାନ ୧ ମାର୍ଚ୍ଚ ୧୮୯୩(1893-03-01)
ମାଧପୁର ଗାଁ, ଉଦଳା, ମୟୂରଭଞ୍ଜ
ମୃତ୍ୟୁ ୧୮ ଅଗଷ୍ଟ, ୧୯୫୧ (୫୮ ବର୍ଷ)
ଜୟପୁର, ରାଜସ୍ଥାନ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ନାଗରିକତା ଭାରତୀୟ
ଶିକ୍ଷାନୁଷ୍ଠାନ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
ବାପା ମା ଚିନ୍ତାମଣି ତ୍ରିପାଠୀ, ସଖୀ ଦେବୀ

ଶ୍ୟାମାଚନ୍ଦ୍ର ତ୍ରିପାଠୀ (୧ ମାର୍ଚ୍ଚ ୧୮୯୩ - ମୃତ୍ୟୁ ୧୮ ଅଗଷ୍ଟ ୧୯୫୧), ଜଣେ ଶିକ୍ଷାବିତ ଓ ପ୍ରଶାସକ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟର ପ୍ରଥମ ଓଡ଼ିଆ ତଥା ଭାରତୀୟ ଅଧ୍ୟକ୍ଷ ଥିଲେ[୧] ଏବଂ ଓଡ଼ିଶା ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବାରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା ।

ଜୀବନୀ[ସମ୍ପାଦନା]

ଶ୍ୟାମାଚନ୍ଦ୍ର, ୧୮୯୩ ମସିହା ମାର୍ଚ୍ଚ ୧ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ଉଦଳା ଅନ୍ତର୍ଗତ ମାଧପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଚିନ୍ତାମଣି ତ୍ରିପାଠୀ ଓ ମାତାଙ୍କ ନାମ ସଖୀ ଦେବୀ । ସେ ୧୯୧୦ ମସିହାରେ ବାରିପଦାର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ । ତା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇ.ଏସ.ସି ଓ କଲିକତାର ପ୍ରେସିଡେନସି କଲେଜରୁ ୧୯୧୪ମସିହାରେ ପଦାର୍ଥ ବିଜ୍ଞାନ ଅନର୍ସ ରଖି ସ୍ନାତକ ବିଜ୍ଞାନ ପାସ କରିଥିଲେ । ଏହି ପରିକ୍ଷାରେ ସେ ସମଗ୍ର କଲିକତା ବିଶ୍ଵବିଦ୍ୟାଳୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ବିହାର ଓ ଓଡ଼ିଶା ସରକାରଙ୍କ ତରଫରୁ ବୃତ୍ତି ପାଇ, ସେ ଲଣ୍ଡନର କେମ୍ବ୍ରିଜ ବିଶ୍ଵବିଦ୍ୟାଳୟକୁ ପଢିବାକୁ ଯାଇଥିଲେ । ସେଠାରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର[୨] ଓ ଟ୍ରାଇପସ ଡିଗ୍ରୀ ହାସଲ କରି ୧୯୧୯ ମସିହାରେ ଓଡ଼ିଶା ଫେରିଥିଲେ । ଇଂରେଜ ସରକାର ତାଙ୍କୁ ରେଭେନ୍‌ସା କଲିଜିଏଟ ସ୍କୁଲର ପ୍ରଧାନଶିକ୍ଷକ ଭାବରେ ନିଯୁକ୍ତି ଦେଲେ । ୧୯୨୧ରେ ସେ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଦାର୍ଥ ବିଜ୍ଞାନର ପ୍ରଫେସର ଭାବରେ ନିଯୁକ୍ତ ହେଲେ । ୧୯୨୪ମସିହାରେ ବନ୍ଧୁ ତଥା ମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କଠାରୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଆଣି ରେଭେନ୍ସା ମହାବିଦ୍ୟାଳୟରେ ଏକ ପାୱର ପ୍ଲାଣ୍ଟ ସ୍ଥାପନ କରି, କଲେଜକୁ ଆଲୋକିତ କରିଥିଲେ । ପ୍ରଫେସର ଭାବରେ ସେ ନ'ବର୍ଷ କାର୍ଯ୍ୟ କରିଥିଲେ । ତାପରେ ସେ ୬ବର୍ଷ କାଳ, ବିହାର ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୧୯୩୬ ମସିହା ଜାନୁଆରୀ ୧୭ତାରିଖରେ ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ । ତାଙ୍କ ପୂର୍ବରୁ ଏହି ପଦବୀରେ କେବଳ ଇଂରେଜମାନେ ହିଁ ଅବସ୍ଥାପିତ ଥିଲେ । ୧୯୩୮ମସିହାରେ ସେ ସ୍ଵାଧୀନ ଓଡ଼ିଶା ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେଲେ ।[୩] ୧୯୪୮ମସିହାରେ ଏହି ପଦବୀରୁ ଅବସର ନେଇଥିଲେ । ସେହି ବର୍ଷ ତାଙ୍କୁ କେନ୍ଦ୍ର ପବ୍ଲିକ ସର୍ଭିସ କମିଶନର ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଲା । ବର୍ଷେ ପରେ, ରାଜସ୍ଥାନ ପବ୍ଳିକ ସର୍ଭିସ କମିସନ ଭାବରେ ନିଯୁକ୍ତ ପାଇ, ଜୟପୁର ଗଲେ । ସେହି ଜୟପୁରରେ ରହଣି କାଳରେ ୧୯୫୧ମସିହା ଅଗଷ୍ଟ ୧୮ତାରିଖରେ ତାଙ୍କର ପରଲୋକ ଘଟିଥିଲା ।

ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ଥାପନା[ସମ୍ପାଦନା]

୧୯୪୧-୧୯୪୬ମସିହା ପର୍ଯ୍ୟନ୍ତ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ଵ ସରକାରରେ ଗୋଦାବରୀଶ ମିଶ୍ର ଶିକ୍ଷାମନ୍ତ୍ରୀ ଓ ମୌଲବୀ ଶୋଭନ୍ ଖାନ୍ ଆଇନ ମନ୍ତ୍ରୀ ଥିଲେ । ଏହି ସମୟରେ ଓଡ଼ିଶାରେ ଏକ ବିଶ୍ଵବିଦ୍ୟାଳୟରେ ଆବଶ୍ୟକତାକୁ ଅନୁଭବ କରି, ସରକାର ସେତେବେଳର ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶ୍ୟାମାଚନ୍ଦ୍ର ତ୍ରିପାଠୀଙ୍କ ଉପରେ ଉତ୍କଳ ବିଶ୍ଵବିଦ୍ୟାଳୟ ବିଲ ପ୍ରସ୍ତୁତ କରିବାର ଦାୟିତ୍ଵ ନ୍ୟସ୍ତ କଲେ । ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶ୍ୟାମାଚନ୍ଦ୍ର ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟର ରେଜିଷ୍ଟାର ମେକଲିନଙ୍କୁ ଡାକି ଚିଠା ପ୍ରସ୍ତୁତ କରିଥିଲେ । ଶିକ୍ଷାମନ୍ତ୍ରୀ ଗୋଦାବରୀଶ ମିଶ୍ର, ୧୯୪୩ ମସିହା ଜୁନ ୩୦ତାରିଖରେ ବିଧାନ ସଭା(ରେଭେନ୍ସା ମହାବିଦ୍ୟାଳୟର ଆଜିର ଆସେମ୍ବ୍ଲି ହଲ)ରେ ଏହି ବିଲ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ୬୦ସଭ୍ୟ ବିଶିଷ୍ଟ ବିଧାନ ସଭାରେ ଏହି ବିଲକୁ ପୂର୍ଣ୍ଣ ସମର୍ଥନ ମିଳିଥିଲା । ରାଜ୍ୟପାଳ ହଥର୍ଣ୍ଣ ଲୁଇସ୍ ବିଲକୁ ଅନୁମୋଦନ କରିବା ପରେ ଏହା ଆଇନରେ ପରିଣିତ ହୋଇଥିଲା । ୧୯୪୩ ମସିହା ଅଗଷ୍ଟ ୨ ତାରିଖରେ ବିଶ୍ୱବିଦ୍ୟାଳୟର ଶୁଭଉଦଘାଟନ କରାଯାଇ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ଭାବେ ନାମିତ କରାଯାଇଥିଲା । ରେଭେନ୍ସା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗରେ ୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର କାର୍ଯ୍ୟରମ୍ଭ ହୋଇଥିଲା ।[୪]

ଆଧାର[ସମ୍ପାଦନା]

  1. Girish Chandra Roy (୧୯୯୬). Socio-cultural Consequences of Colonial Mode of Education in Orissa. Ratneswar Publication. 
  2. Justice Harihar Mahapatra (୧୫ February ୨୦୧୧). My Life, My Work. Allied Publishers. pp. ୧୦୭–. ISBN ୯୭୮-୮୧-୮୪୨୪-୬୪୦-୭. 
  3. Śrīdhara Dāsa (୨୦୦୬). A Leaf in the Stream: An Autobiography. Rupantar. ISBN ୯୭୮-୮୧-୯୦୧୭୫୯-୬-୮. 
  4. "ଯେଉଁମାନେ ଉତ୍କଳ ବିଶ୍ଵବିଦ୍ୟାଳୟ ଗଢିଥିଲେ". ନିତିଦିନ ୨୭/୧୧/୨୦୧୬ ପୃଷ୍ଠା ୮. http://odishanewsnitidin.com/index.php?ID=20&PubId=4&schedule=2016-11-27&PageId=13759&PageNum=8. Retrieved 29 November 2016.