ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି, ଓଡ଼ିଶା

ଉଇକିପିଡ଼ିଆ‌ରୁ


ଓଡ଼ିଶା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି (CMRF) ହେଉଛି, ବିପଦ ଏବଂ ସଙ୍କଟ ସ୍ଥିତିରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସହାୟତା ଦେବା, ଗୁରୁତର ରୋଗରେ ପୀଡ଼ିତ ରୋଗୀମାନଙ୍କର ଚିକିତ୍ସା କରିବା, ଜନକଲ୍ୟାଣ ପାଇଁ ସହାୟତା ଇତ୍ୟାଦି କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କର ଏକ ଜରୁରୀକାଳୀନ ପାଣ୍ଠି ।[୧] ପ୍ରାକୃତିକ ଦୁର୍ବିପାକ ଯଥା ବନ୍ୟା, ବାତ୍ୟା, ଭୂମିକମ୍ପ, ମରୁଡ଼ି ଇତ୍ୟାଦି ଏବଂ କର୍କଟ ରୋଗର ଚିକିତ୍ସା , ବୃକକ ପ୍ରତିରୋପଣ, ମସ୍ତିଷ୍କରେ ଟ୍ୟୁମର, ହୃଦୟ ଅସ୍ତ୍ରୋପଚାର ଇତ୍ୟାଦିରେ ମଧ୍ୟ ଏହି ପାଣ୍ଠି ପ୍ରଦାନ କରାଯାଇପାରେ । ୧୯୫୪ ମସିହାରେ ଏହାକୁ ଆରମ୍ଭ କରାଯାଇଥିଲା । ଉଭୟ ରାଜ୍ୟ ସରକାରଙ୍କର ବଜେଟ ଏବଂ ସାଧାରଣ ଜନତାଙ୍କର ସିଧା ସଳଖ ଅବଦାନରୁ ଏଥିରେ ପାଣ୍ଠି ଯୋଗାଡ଼ ହୋଇଥାଏ ।[୨]

କୋଭିଡ-୧୯ ମୁକାବିଲା ବେଳେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ କରିବାକୁ ଜାରି କରାଯାଇଥିବା ପୋଷ୍ଟର


ପରିଚାଳନା[ସମ୍ପାଦନା]

ପୂର୍ବନିର୍ଦ୍ଧାରିତ କିଛି ରାଷ୍ଟ୍ରୀୟ ବ୍ୟାଙ୍କରେ ଏହି ପାଣ୍ଠି ଜମା କରାଯାଇଥାଏ । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ବିନା ଅନୁମତିରେ ଏହି ପାଣ୍ଠିରୁ ଗୋଟିଏ ବି ଟଙ୍କା ଖର୍ଚ୍ଚ କରାଯାଇ ପାରିବନି । ଓଡ଼ିଶାର ମୁଖ୍ୟ ସଚିବଙ୍କର ଅଧୀନରେ ଗଠିତ ଏକ ଟ୍ରଷ୍ଟଦ୍ୱାରା ପାଣ୍ଠିଟିର ପରିଚାଳନା ହୋଇଥାଏ । ଓଡ଼ିଶାର ଡେଭେଲପମେଣ୍ଟ କମିଶନର, ସରକାରୀ ସଚିବ, ଅର୍ଥ ବିଭାଗ, ଘରୋଇ ବିଭାଗ, ଖଜଣା ଏବଂ ଡି ଏମ ବିଭାଗ ଏହି ଟ୍ରଷ୍ଟର ସଦସ୍ୟ ରହିଥାନ୍ତି ।

ଉପଯୁକ୍ତ ଦରକାରୀ ବ୍ୟକ୍ତିକୁ ଯେଭଳି ଏ ସୁବିଧା ପହଞ୍ଚିପାରିବ ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଆର୍ଥିକ ସୀମା ମଧ୍ୟରେ ଏହି ପାଣ୍ଠିରୁ ଖର୍ଚ୍ଚ କରିବାର କ୍ଷମତା ପ୍ରଦାନ କରାଯାଇଛି । [୩]

ହିତାକାଂକ୍ଷୀ[ସମ୍ପାଦନା]

୨୦୧୮ ମସିହାରେ ପ୍ରକାଶିତ ଏହି ବିଜ୍ଞପ୍ତି ଅନୁଯାଇ ନିମ୍ନଲିଖିତ ପ୍ରକାରର ବ୍ୟକ୍ତିଗଣଙ୍କୁ ପାଣ୍ଠିରୁ ଅର୍ଥ ଦେବାପାଇଁ ବିଚାର କରାଯାଇପାରେ ।[୧]

  • ଗରିବ ଏବଂ ଅସହାୟ ବ୍ୟକ୍ତି
  • ବୃଦ୍ଧ, ବିକଳାଙ୍ଗ, ଅନାଥ, ଏଚଆଇଭି ପୀଡ଼ିତ ବ୍ୟକ୍ତି ଏବଂ ଏମାନଙ୍କୁ ସହଯୋଗ କରୁଥିବା ସଂସ୍ଥା
  • ପ୍ରାକୃତିକ କିମ୍ବା ମନୁଷ୍ୟକୃତ ଦୁର୍ବିପାକରେ ମୃତ ବ୍ୟକ୍ତିଙ୍କର ନିକଟ ସମ୍ପର୍କୀୟ
  • ଡାକ୍ତରୀ ଚିକିତ୍ସା ଲୋଡ଼ୁଥିବା ଗରିବ ଏବଂ ଅସହାୟ ବ୍ୟକ୍ତି
  • ସ୍ୱାଧୀନତା ସଂଗ୍ରାମୀ ଭତ୍ତା ଲାଭ କରୁଥିବା ବ୍ୟକ୍ତିଙ୍କର ଡାକ୍ତରୀ ଚିକିତ୍ସା
  • ବିଛିନ୍ନ/ଦୁର୍ଗମ ଅଞ୍ଚଳବାସୀଙ୍କର ଚିକିତ୍ସା
  • ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ଭଳି ସମାନ ଉଦ୍ଧେଶ୍ୟ ରଖୁଥିବା ସଂସ୍ଥା
  • ଦରକାରୀ ବ୍ୟକ୍ତିଙ୍କୁ ତତକ୍ଷଣାତ ଅର୍ଥ ସହାୟତା ଦେବାପାଇଁ ଜିଲ୍ଲାପାଳଙ୍କୁ କ୍ଷମତା (ପ୍ରତି ବ୍ଲକ ପିଛା ୧ ଲକ୍ଷ ଅନୁଦାନ ପ୍ରଦାନ କରିବାକୁ ମିଳିଥାଏ)
  • ହରିଶ୍ଚନ୍ଦ୍ର ଯୋଜନା

ଦାନ[ସମ୍ପାଦନା]

ଏହି ରିଲିଫ୍ ପାଣ୍ଠିକୁ କେବଳ ସ୍ୱେଚ୍ଛାକୃତ ଭାବେ ମିଳୁଥିବା ବ୍ୟକ୍ତିଗତ ଏବଂ ଅନୁଷ୍ଠାନିକ ଦାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥାଏ । ସର୍ତ୍ତମୂଳକ ଅନୁଦାନ ,ଯେଉଁଠି ଦାତାଦ୍ୱାରା ଏହା ଉଲ୍ଲେଖ କରାଯାଏ କି ଅନୁଦାନର ରାଶି କୌଣସି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ,ସ୍ୱୀକାର କରାଯାଏ ନାହିଁ । ଏକ ନିର୍ଦ୍ଧିଷ୍ଟ କାରଣ ପାଇଁ ନିଜର ଦାନ ଅର୍ଥ ଉପଯୋଗ ଅର୍ଥରେ ଏଥିରେ ଦାନ କରିହୁଏ ନାହିଁ ।[୩]

ଆୟକର ଦାଖଲ ପାଇଁ ଆୟକର ଆଇନ ୧୯୬୧ର ଅଧୀନରେ ଏହି ପାଣ୍ଠିକୁ ରିହାତି ମିଳିଛି । ସେହିପରି ଏହି ସହାୟତା ପାଣ୍ଠିକୁ ଦିଆଯାଉଥିବା ସମସ୍ତ ଦାନ ଉପରେ ଶତ ପ୍ରତିଶତ ଆୟକର ରିହାତି ମିଳୁଛି । ଏହା ଆୟକର ଆଇନ ୧୯୬୧ର  ସେକ୍ସନ-୮୦(ଜି) ଅଧୀନରେ ଏହି ରିହାତି ଦିଆଯାଇଛି । ଏହି ପାଣ୍ଠିର ପ୍ୟାନ (Permanent Account Number) ହେଲା: AAATO4364P[୩][୪]

ଦାନ କରିବାର ପ୍ରଣାଳୀ[ସମ୍ପାଦନା]

ନିମ୍ନଲିଖିତ ପଦ୍ଧତିରେ ଆପଣ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ କରିପାରିବେ । ଏହି ଅନଲାଇନ ସେବାଟି ଫଣୀ ଘୁର୍ଣ୍ଣିବାତ୍ୟାର ଦାନ ଅର୍ଥ ସଂଗ୍ରହପାଇଁ ଆରମ୍ଭ କରାଯାଇଥିଲା ।[୫]

ଖାତା (Account) ନାମ ଓଡ଼ିଶା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି (Odisha Chief Minister’s Relief Fund.)
ଖାତା ଅଙ୍କ ୦୦୬୧୦୧୦୫୭୮୪୨ (006101057842)
ଆଇଏଫଏସସି ଅଙ୍କ (IFSC code) ICIC0000061
ୟୁପିଆଇ ଭିପିଏ (UPI VPA) ODISHACMRF.FANI@ICICI

ହରିଶ୍ଚନ୍ଦ୍ର ଯୋଜନା[ସମ୍ପାଦନା]

ଗରିବ ଓ ଅଭାବଗ୍ରସ୍ତ ମୃତବ୍ୟକ୍ତିର ଅନ୍ତ୍ୟୋଷ୍ଟିକ୍ରିୟା (ଶବ ଦାହ / କବରୀକରଣ ) ସମ୍ପାଦନା କରିବାପାଇଁ ତାଙ୍କର ନିକଟତମ ସମ୍ପର୍କୀୟଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା କିମ୍ବା ଅଚିହ୍ନା ଶବର ଶେଷକୃତ୍ୟ କରିବା ହେଉଛି ହରିଶ୍ଚନ୍ଦ୍ର ଯୋଜନାର ମୂଳ ଲକ୍ଷ୍ୟ । ଗ୍ରାମାଞ୍ଚଳରେ ୨,୦୦୦ ଏବଂ ସହରାଞ୍ଚଳରେ ୩,୦୦୦ ଟଙ୍କା ମିଳିଥାଏ । ଏଥିରେ ଆବେଦନ କରିବାକୁ ଇଣ୍ଟରନେଟରେ ଫର୍ମ ମିଳୁଛି ।[୧]


ଆହୁରି ଦେଖନ୍ତୁ[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ https://cmrfodisha.gov.in/sites/default/files/misc/CMRF%20Guidelines.pdf
  2. "Chief Minister's relief fund | Chief Minister's relief fund". www.cmrfodisha.gov.in. Retrieved 2019-05-07.
  3. ୩.୦ ୩.୧ ୩.୨ "About Us | Chief Minister's relief fund". www.cmrfodisha.gov.in. Retrieved 2019-05-07.
  4. "ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି | ଭାରତର ପ୍ରଧାନମନ୍ତ୍ରୀ". www.pmindia.gov.in. Retrieved 2019-05-07.
  5. Bureau, Odisha Sun Times. "Cyclone FANI: Here's how you can help affected ones in Odisha | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-05-07.