ଗୋମତେଶ୍ଵର ପ୍ରତିମୂର୍ତ୍ତି
ଗୋମତେଶ୍ୱର ಗೊಮ್ಮಟೇಶ್ವರ ବାହୁବଳୀ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ଜୈନ |
ଦେବାଦେବୀ | ବାହୁବଳୀ |
Location | |
ସ୍ଥାନ | ଶ୍ରବଣବେଳାଗୋଲା, ହାସାନ୍ ଜିଲ୍ଲା, କର୍ଣ୍ଣାଟକ, ଭାରତ |
ଭୌଗଳିକ ଅବସ୍ଥିତି | 12°51′14″N 76°29′05″E / 12.854026°N 76.484677°E |
ଗୋମତେଶ୍ୱର ପ୍ରତିମା (କନ୍ନଡ଼ ଭାଷାରେ ಗೊಮ್ಮಟೇಶ್ವರ) ୫୭ ଫୁଟ୍ (୧୭ ମିଟର୍) ଉଚ୍ଚତାବିଶିଷ୍ଟ ଓ ଗୋଟିଏ ପ୍ରସ୍ତରରେ ଗଢ଼ା ଭଗବାନ ବାହୁବଳୀଙ୍କର ଏକ ବିରାଟକାୟ ମୂର୍ତ୍ତି । ଭାରତର କର୍ଣ୍ଣାଟକ ରାଜ୍ୟର ଶ୍ରବଣବେଳାଗୋଲା ସହରରେ ଥିବା ବିନ୍ଧ୍ୟଗିରି ନାମକ ପାହାଡ଼ ଉପରେ ଏହି ମୂର୍ତ୍ତିଟି ଅବସ୍ଥିତ । ଶ୍ରବଣବେଳାଗୋଲାରେ ଦୁଇଟି ପାହାଡ଼ ରହିଛି, ଗୋଟିକର ନାମ ବିନ୍ଧ୍ୟଗିରି ଓ ଅନ୍ୟଟିର ନାମ ଚନ୍ଦ୍ରଗିରି । ଗୋମତେଶ୍ୱର ପ୍ରତିମା ନିର୍ମିତ ହେବାର ବହୁ ପୂର୍ବରୁ ଏହି ଦୁଇଟି ପର୍ବତରେ ଜୈନ ଧାର୍ମିକସ୍ଥଳୀମାନ ବିକାଶ ଲାଭ କରିଥିଲେ ।
ଜୈନ ଧର୍ମର ଭଗବାନ ବାହୁବଳୀଙ୍କ ଉଦ୍ଦେଶ୍ୟରେ ଗୋମତେଶ୍ୱର ପ୍ରତିମା ନିର୍ମିତ । ଖ୍ରୀ. ୯୮୩ ବେଳକୁ ଏହା ନିର୍ମିତ ହୋଇଥିଲା ଓ ମୁକ୍ତ ଭାବେ ବିନା କୌଣସି ସମର୍ଥନରେ ଦଣ୍ଡାୟମାନ ପ୍ରତିମାମାନଙ୍କ ମଧ୍ୟରେ ଏହା ଅନ୍ୟତମ ।[୧] ପଶ୍ଚିମ ଗଙ୍ଗ ବଂଶର ରାଜୁତି କାଳରେ ସେମୀନଙ୍କର ଜଣେ ପ୍ରମୁଖ ମନ୍ତ୍ରୀ ତଥା ସେନାପତି ଚବୁନ୍ଦରାୟ ଏହି ପ୍ରତିମୂର୍ତ୍ତିର ନିର୍ମାଣ ଓ ସ୍ଥାପନା କରାଇଥିଲେ । ସେତେବେଳେ ଆଖପାଖର ଅଞ୍ଚଳରେ ଅନେକ ଜୈନ ମନ୍ଦିର ଓ ଅନେକ ତୀର୍ଥଙ୍କରଙ୍କ ପ୍ରତିମା ରହିଥିଲା । ଚନ୍ଦ୍ରଗିରି ପାହାଡ଼ଟି ପ୍ରଥମ ତୀର୍ଥଙ୍କର ଆଦିନାଥଙ୍କ ପୁତ୍ର ତଥା ଭଗବାନ ବାହୁବଳୀଙ୍କ ଭ୍ରାତା ଜୈନ ଭଗବାନ ଭରତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ।
ପାହାଡ଼ ଶୀର୍ଷଦେଶରୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ମନୋରମ ଦୃଶ୍ୟ ଦେଖି ହେବ । ମହାମସ୍ତକାଭିଷେକ ନାମରେ ପାଳିତ ଏକ ଉତ୍ସବ ଦେଖିବାକୁ ପୃଥିବୀର ଅନେକ ସ୍ଥାନରୁ ତୀର୍ଥଯାତ୍ରୀ ଓ ଭକ୍ତ ଆସିଥାନ୍ତି ।[୨] ଏହି ମହାମସ୍ତକାଭିଷେକ ଉତ୍ସବ ପ୍ରତି ୧୨ ବର୍ଷରେ ଥରେ ପାଳିତ ହୋଇଥାଏ । ଏହି ଉତ୍ସବ ଦିନ ଗୋମତେଶ୍ୱର ପ୍ରତିମୂର୍ତ୍ତିଙ୍କ ମୁଣ୍ଡ ପଟରୁ କ୍ଷୀର, କେଶର, ଘିଅ, ଆଖୁରସ ଇତ୍ୟାଦି ଢାଳି ତାଙ୍କର ଅଭିଷେକ ଓ ଅର୍ଚ୍ଚନା କରାଯାଇଥାଏ । ଏହି ଅଭିଷେକ ଯୋଗୁଁ ମୂର୍ତ୍ତିଟିରେ ଅପୂର୍ବ ସତେଜତା ଦେଖାଯାଏ ବୋଲି ହାଇନ୍ରିଖ୍ ଜିମ୍ମର୍ ମତ ଦେଇଥିଲେ ।[୧] ୨୦୩୦ ମସିହାରେ ଆଗାମୀ ମହାମସ୍ତକାଭିଷେକ ଅନୁଷ୍ଠିତ ହେବ ।[୩]
୨୦୦୭ ମସିହାରେ ଟାଇମ୍ସ୍ ଅଫ୍ ଇଣ୍ଡିଆ ଖବର କାଗଜଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ ଏହି ପ୍ରତିମୂର୍ତ୍ତିକୁ ଭାରତର ସପ୍ତାଶ୍ଚର୍ଯ୍ୟ ରୂପେ ମାନ୍ୟତା ଦେବା ପାଇଁ ଅନେକ ଲୋକ ମତ ରଖିଥିଲେ । ସମୁଦାୟ ମତର ୪୯% ଲୋକ ଏହାର ସପକ୍ଷରେ ମତ ଦେଇଥିଲେ ।[୪]
ମୂର୍ତ୍ତି ସମ୍ବନ୍ଧୀୟ ତଥ୍ୟ
[ସମ୍ପାଦନା]ଭଗବାନ ବାହୁବଳୀ ସ୍ଥିର ଓ ଦଣ୍ଡାୟମାନ ଅବସ୍ଥାରେ (କାୟୋତ୍ସର୍ଗ) ଗଭୀର ଧ୍ୟାନରେ ମଗ୍ନ । ଏପରି ଦୀର୍ଘ ସମୟ ଧ୍ୟାନମଗ୍ନ ରହିଥିବାରୁ ତାଙ୍କ ଗୋଡ଼ ଉପରେ ଲତିକା ମାଡ଼ିଯାଇଛି ।[୫] ଗୋମତେଶ୍ୱର ପ୍ରତିମାରେ ତାଙ୍କ କେଶ କୁଞ୍ଚୁକୁଞ୍ଚିଆ ଓ ତାଙ୍କ କର୍ଣ୍ଣ ଦ୍ୱୟ ଈଷତ୍ ବଡ଼ । ତାଙ୍କ ଚକ୍ଷୁଦ୍ୱୟ ଉନ୍ମୁକ୍ତ ଓ ସେ ମୋହମାୟା ସମ୍ପୂର୍ଣ୍ଣ ଭାବେ ତ୍ୟାଗ କରି ଜଗତକୁ ଦେଖୁଛନ୍ତି । ତାଙ୍କ ଓଷ୍ଠର କୋଣରେ ଏକ ମୃଦୁ ହାସ୍ୟର ଛଟା ଦେଖିବାକୁ ମିଳେ ଯାହା ଗଭୀର ମାନସିକ ଶାନ୍ତି ଓ ମାର୍ମିକତାର ପ୍ରତୀକ । ଶିଳ୍ପୀମାନେ ତାଙ୍କ ମୁଖମଣ୍ଡଳ ଓ ଶରୀରର ଭାବଭଙ୍ଗୀକୁ ଅତି ନିଖୁଣତାର ସହିତ ପ୍ରଦର୍ଶିତ କରିଅଛନ୍ତି । ତାଙ୍କ ଦୁଇ କାନ୍ଧ ପ୍ରଶସ୍ତ, ବାହୁ ତଳ ପଟକୁ ପ୍ରସାରିତ । ଜଙ୍ଘ ପାଖରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ମୂର୍ତ୍ତିଟି ପାରିପାର୍ଶ୍ୱିକ ପଥର ବା ଦୁମ ଇତ୍ୟାଦିର ବିନା ସହାୟତାରେ ଠିଆ ହୋଇଛି ।
ପଛପଟେ ରହିଥିବା ଊଈହୁଙ୍କା ଦୀର୍ଘ ସମୟ ଧରି ଚାଲିଥିବା ତପସ୍ୟାର ସୂଚକ । ଏହି ଊଈହୁଙ୍କାରୁ ସାପଟିଏ ମୁଣ୍ଡ ଟେକି ରହିଛି ଓ ଲତାଟିଏ ବାହାରି ଦୁଇ ଗୋଡ଼ ଓ ହାତ ଉପରେ ମାଳିଯାଇଛି । ହାତର ଉପର ପଟେ ଲତାର ଫୁଲ ଓ କୋଳି ରହିଛି । ମୂର୍ତ୍ତିଟି ଏକ ଶିଳା ଖୋଦିତ ପଦ୍ମଫୁଲ ଉପରେ ଦଣ୍ଡାୟମାନ । ଗୋମତେଶ୍ୱରଙ୍କ ଉଭୟ ପାର୍ଶ୍ୱରେ ଛତା-ଚାମର ଧାରୀ ରହିଛନ୍ତି ଓ ପ୍ରଭୁଙ୍କର ସେବା କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯକ୍ଷ ଓ ଅନ୍ୟଟି ଯକ୍ଷିଣୀ । ସୁନ୍ଦର ଭାବେ ଖୋଦିତ ଏହି ଯକ୍ଷ-ଯକ୍ଷିଣୀ ମୂର୍ତ୍ତି ଗୋମତେଶ୍ୱର ମୂର୍ତ୍ତିର ପରିପୂରକ । ଊଈ ହୁଙ୍କାର ପଛପଟେ ଜଳ ଓ ଅଭିଷେକ ସମୟରେ ବ୍ୟବହୃତ ତରଳ ଦ୍ରବ୍ୟର ନିଷ୍କାସନ ପାଇଁ ଏକ ନାଳ ବା ମାର୍ଗ ରହିଛି ।
ଗୋମ୍ମତେଶାରର ଇଂରାଜୀ ଅନୁବାଦରେ ଜଗୋମନ୍ଦର ଲାଲ୍ ଜୈନି ଲେଖିଛନ୍ତି ଯେ :
ଏହି ପ୍ରତିମୂର୍ତ୍ତିର ମହାନତା, ଶାନ୍ତ-ସ୍ନିଗ୍ଧ ମୁଖମଣ୍ଡଳ ଓ ଶାନ୍ତି ପ୍ରଦାୟିନୀ ଉପସ୍ଥିତି ଏହି ମୂର୍ତ୍ତିର ଦର୍ଶନର ସୌଭାଗ୍ୟ ଲାଭ କରିଥିବା ସମସ୍ତ ଜୈନ ଓ ଅଣ-ଜୈନଙ୍କୁ ଜଣା । ୧୯୧୦ ମସିହାରେ ମୁଁ ଏହି ମୂର୍ତ୍ତିର ଦର୍ଶନ ପାଇଁ ଯାଇଥିବା ସମୟରେ ସେଠାରେ କିଛି ଈଂରେଜୀ ଖ୍ରୀଷ୍ଟ ଧର୍ମ ପ୍ରଚାରକଙ୍କୁ ଦେଖିଥିଲି, ଯେଉଁମାନେ ଏହି ପବିତ୍ର ମୂର୍ତ୍ତିକୁ ସମ୍ମାନ ଜଣାଇ ଖାଲି ପାଦରେ ସବୁ ବୁଲି ଦେଖୁଥିଲେ । ମୂର୍ତ୍ତି ସମ୍ପର୍କରେ ସେମାନେ ମଧ୍ୟ ମୁଁ ଲେଖିଥିବା ଉପରୋକ୍ତ ମତର ଅନୁରୂପ ମତ ଦେଇଥିଲେ । ମୂର୍ତ୍ତିଟି ପ୍ରାୟ ୫୭ ଫୁଟ୍ ଉଚ୍ଚ ଏବଂ ଏହାର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ସଠିକ ଅନୁପାତରେ ଗଢ଼ା । ଶବ୍ଦରେ ଏହି ପ୍ରତିମାର କଳା ନୈପୁଣ୍ୟ ବା ଗୌରବକୁ ବର୍ଣ୍ଣନା କରିବା ଅସମ୍ଭବ । ଯେ କେହି ଏହି ମୂର୍ତ୍ତିଟିକୁ ସ୍ୱଚକ୍ଷୁରେ ଦେଖିବାର ସୁଯୋଗ ପାଇଛି ସେ ମୋ କଥାର ସମର୍ଥନ ନିଶ୍ଚୟ କରିବ । ଜୈନମାନେ ମୂର୍ତ୍ତି ଉପାସକ ବୋଲି ସମାଲୋଚନା କରୁଥିବା ବ୍ୟକ୍ତି ମଧ୍ୟ ଏହି ମୂର୍ତ୍ତି ଦେଖିବା ପରେ ସେମାନଙ୍କ ପ୍ରଶ୍ନର ଉତ୍ତର ପାଇଯିବେ । ଜୈନମାନେ ସୁନା, ପ୍ରସ୍ତର, ରୂପା, ହୀରା ବା ସେଥିରେ ନିର୍ମିତ ମୂର୍ତ୍ତିର ଉପାସକ ନୁହଁନ୍ତି । ବରଂ ସେମାନେ ସଂସାରବୈରାଗ୍ୟ ମନୋଭାବ, ଅଗଣ୍ୟ ଅନ୍ତଃ-ଶାନ୍ତି ଓ ମୁକ୍ତ ଆତ୍ମାର ଉପାସକ ଯାହା ଏହି ପ୍ରତିମୂର୍ତ୍ତିରେ ସ୍ପଷ୍ଟ ପ୍ରତିଫଳିତ ।[୬]
ମହାମସ୍ତକାଭିଷେକ
[ସମ୍ପାଦନା]ମହାମସ୍ତକାଭିଷେକ ସମାରୋହରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥାନ୍ତି । ୧୯୧୦ ମସିହାରେ କୃଷ୍ଣ ରାଜେନ୍ଦ୍ର ୱଡେୟାର୍, ୨୦୧୮ ମସିହାରେ ନରେନ୍ଦ୍ର ମୋଦି ଓ ରାମନାଥ କୋବିନ୍ଦ ମହାମସ୍ତକାଭିଷେକ ସମାରୋହରେ ଅଂଶଗ୍ରହଣ କରିଥିଲେ ।[୭] ୨୦୧୮ ମସିହା ଫେବୃଆରୀ ମାସରେ ସଦ୍ୟ ସମାପ୍ତ ମହାମସ୍ତକାଭିଷେକ ୮୮ତମ ଅଭିଷେକ ସମାରୋହ ଥିଲା ଏବଂ ୨୦୩୦ ମସିହାରେ ଆଗାମୀ ମହାମସ୍ତକାଭିଷେକ ଅନୁଷ୍ଠିତ ହେବ । ଜୈନ ଧର୍ମାବଲମ୍ବୀଙ୍କ ପାଇଁ ଏହା ଏକ ପ୍ରମୁଖ ସମାରୋହ ।
ଏହି ଉତ୍ସବରେ ଭକ୍ତମାନେ ଆଣିଥିବା ୧୦୦୮ ସ୍ୱତନ୍ତ୍ର କଳସରୁ ପ୍ରଥମେ ମୂର୍ତ୍ତିର ମୁଣ୍ଡରେ ପାଣି ଢଳାଯାଏ ଓ ପ୍ରଭୁଙ୍କୁ ସ୍ନାନ କରାଯାଏ । ତାହା ପରେ କ୍ଷୀର, କେଶର, ଘିଅ, ଆଖୁରସ, ଚନ୍ଦନ, ସିନ୍ଦୁର, ହଳଦୀ ପ୍ରଭୃତି ଢାଳି ପ୍ରଭୁ ବାହୁବଳୀଙ୍କ ଅଭିଷେକ କରାଯାଏ । ଅଭିଷେକ ପାଇଁ ଆସିଥିବା ୧୦୦୮ କଳସରୁ ୯୦୦ଟି ପ୍ରଥମ ଅଭିଷେକ ପାଇଁ, ୧୦୩ଟି ଦ୍ୱିତୀୟ ଅଭିଷେକ ପାଇଁ ଓ ୫ଟି ଶେଷ ଅଭିଷେକ ପାଇଁ ଉଦ୍ଦିଷ୍ଟ । ଏହି ୧୦୦୮ଟି କଳସରୁ ୫୧ଟି ସୁନା କଳସ, ୩୦୦ଟି ରୂପା କଳସ, ୩୦୦ଟି ଜର୍ମାନ୍ ରୂପା କଳସ ଓ ୩୫୭ଟି ପିତ୍ତଳ କଳସ ।[୮] ଅଭିଷେକ ସମୟରେ ୧୫ଟି ଦ୍ରବ୍ୟ ନିମ୍ନ କ୍ରମରେ ପ୍ରଭୁ ବାହୁବଳୀଙ୍କୁ ଅର୍ପଣ କରାଯାଇଥାଏ :
୧. ଜଳ ୨. ଶ୍ରୀଫଳ (ନଡ଼ିଆ) ୩. କଦଳୀ ଗଛ
୪. ଗୁଡ଼ ୫. ଘିଅ ୬. ଚିନି
୭. ବାଦାମ୍ ୮. ଖଜୁରୀ ୯. ପୋସ୍ତ
୧୦. କ୍ଷୀର ୧୧. ଦହି ୧୨. ଚନ୍ଦନ
୧୩. ସ୍ୱର୍ଣ୍ଣ ପୁଷ୍ପ ୧୪. ରୌପ୍ୟ ପୁଷ୍ପ ୧୫. ରୌପ୍ୟ ମୁଦ୍ରା
ଆହୁରି ଦେଖନ୍ତୁ
[ସମ୍ପାଦନା]ଟୀକା
[ସମ୍ପାଦନା]- ↑ ୧.୦ ୧.୧ Zimmer 1953, p. 212.
- ↑ Official website Hassan District
- ↑ "Mahamastakabhisheka to be held in February 2018". The Hindu. Retrieved 2017-06-14.
- ↑ "And India's 7 wonders are..." The Times of India. August 5, 2007.
- ↑ Jain, Champat Rai (1929). Risabha Deva - The Founder of Jainism. Allahabad: K. Mitra, Indian Press. p. 145.
- ↑ Jaini 1927, p. 7-8.
- ↑ "Bahubali Mahamastakabhisheka Mahotsav: Here is the history of the Jain festival PM Modi attended today", The Indian Express, 19 February 2018
- ↑ http://www.jainworld.com/jainbooks/the%20sacred%20sravana%20belagola/cha%2008.htm
ଆଧାର
[ସମ୍ପାଦନା]- Jaini, Jagmandar-lāl (1927). Gommatsara Jiva-kanda. Archived from the original on 2006.
{{cite book}}
: Check date values in:|archive-date=
(help) - Rice, B. Lewis (1889). Inscriptions at Sravana Belgola: a chief seat of the Jains, (Archaeological Survey of Mysore). Bangalore : Mysore Govt. Central Press.
- Zimmer, Heinrich (1953) [April 1952]. Campbell, Joseph (ed.). Philosophies Of India. London, E.C. 4: Routledge & Kegan Paul Ltd. ISBN 978-81-208-0739-6.
{{cite book}}
: Unknown parameter|editorlink=
ignored (|editor-link=
suggested) (help)CS1 maint: location (link)