ଗାନ୍ଧୀ ଟୋପି

ଉଇକିପିଡ଼ିଆ‌ରୁ
ନେହେରୁଙ୍କ ଜୀବନ, ୧୯୫୦ ଦଶକର ପୋଷ୍ଟର, ତାଙ୍କୁ ୧୯୨୯–୧୯୫୫ ମସିହା ମଧ୍ୟରେ ଗାନ୍ଧୀ ଟୋପି ପିନ୍ଧିଥିବାର ଦର୍ଶାଯାଇଛି

ଗାନ୍ଧୀ ଟୋପି ଖଦି କନାରେ ତିଆରି ଏକ ଧଳା ରଙ୍ଗ ଟୋପି । ଏହାର ଆଗ ଓ ପଛ ମୁନିଆ ହୋଇଥାଏ । ଏହା ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀ ଏହି ଟୋପି ବ୍ୟବହାର କରୁଥିବାରୁ ଏହି ଟୋପିର ଲୋକପ୍ରିୟତା ବଢ଼ିଥିଲା ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତାମାନେ ଏହି ଟୋପିର ବ୍ୟବହାର କରିବା ଆରମ୍ଭ କରିଥିଲେ ।

ଆରମ୍ଭ[ସମ୍ପାଦନା]

୧୯୨୦ ମସିହାରେ ଗାନ୍ଧୀଟୋପି ପିନ୍ଧିଥିବା ମହାତ୍ମା ଗାନ୍ଧୀଙ୍କ ଛବି

୧୯୦୭ରୁ ୧୯୧୪ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର କାରାଗାରରେ ଥିବା ଭାରତୀୟ କଏଦୀମାନଙ୍କୁ "ନିଗ୍ରୋ" ଶ୍ରେଣୀଭୁକ୍ତ କରାଯାଉଥିଲା ଓ ସେମାନଙ୍କ ପାଇଁ ଗୋଟିଏ ଧଳା ଟୋପି ପିନ୍ଧିବା ବାଧ୍ୟତାମୂଳକ ଥିଲା । ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ହେନେରୀ ପୋଲାକଙ୍କ ମତରେ ଦକ୍ଷିଣ ଆଫ୍ରିକାର ଜେଲରେ ଗାନ୍ଧୀଙ୍କୁ ମଧ୍ୟ "ନିଗ୍ରୋ" ଶ୍ରେଣୀଭୁକ୍ତ କରାଯାଇଥିଲା ଓ ତାଙ୍କୁ ମଧ୍ୟ ସେହି ଧଳା ଟୋପି ପିନ୍ଧିବାକୁ ପଡ଼ିଥିଲା । ଏହି ଘଟଣାରୁ ଗାନ୍ଧୀ ଟୋପିର ଜନ୍ମ ହୋଇଥିଲା ।[୧]

ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟମାନଙ୍କ ଗାନ୍ଧୀ ଟୋପି ପିନ୍ଧି ୧୯୩୭ ମସିହାରେ ନୂଆଦିଲ୍ଲୀରେ ପଦଯାତ୍ରା

ତେବେ ଗାନ୍ଧୀଜୀ କାକା କାଲେଲକରଙ୍କୁ ଲେଖିଥିବା ଏକ ପତ୍ରରେ ସେ କାଶ୍ମୀରୀ ଟୋପି ଅନୁକରଣରେ ସେ ଧଳା ଟୋପି ପିନ୍ଧିବା ଆରମ୍ଭ କରିଥିଲେ ବୋଲି ଲେଖିଛନ୍ତି ।[୨]

୧୯୧୮–୧୯୨୧ ମଧ୍ୟରେ ପ୍ରଥମ ଅସହଯୋଗ ଆନ୍ଦୋଳନ ସମୟରେ କଂଗ୍ରେସ କର୍ମୀମାନଙ୍କଦ୍ୱାରା ଗାନ୍ଧୀ ଟୋପିର ବ୍ୟବହାର ଭାରତରେ ଆରମ୍ଭ ହୋଇଥିଲା ।[୩] ୧୯୨୧ ମସିହାରେ ବ୍ରିଟିଶ ସରକାର ଗାନ୍ଧୀ ଟୋପି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିଥିଲେ । ୧୯୨୦–୨୧ ମସିହାରେ ଗାନ୍ଧୀଜୀ ନିଜେ କେବଳ ଗୋଟିଏ କିମ୍ବା ଦୁଇ ବର୍ଷ ପାଇଁ ଏହି ଟୋପି ପିନ୍ଧିଥିଲେ ।[୪]

ସ୍ୱାଧୀନତା ପରେ[ସମ୍ପାଦନା]

ଭାରତ ସ୍ୱାଧୀନତା ପ୍ରାପ୍ତି ପରେ ଥିବା ରାଜନେତାମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଥିଲେ । ୧୯୪୮ରେ ଗାନ୍ଧୀଜୀଙ୍କ ନିଧନ ପରେ, ଲୋକମାନେ ଭାବପ୍ରବଣ ହୋଇ ଗାନ୍ଧୀ ଟୋପି ଆହୁରି ଅଧିକ ବ୍ୟବହାର କରିବା ଆରମ୍ଭ କରିଥିଲେ । ଜବାହରଲାଲ ନେହେରୁ, ଲାଲ ବାହାଦୁର ଶାସ୍ତ୍ରୀମୋରାରଜୀ ଦେଶାଇଙ୍କ ପରି ନେତାମାନେ ଏହି ଟୋପି ସବୁ ସମୟରେ ପିନ୍ଧୁଥିଲେ । ସଂସଦର ସଦସ୍ୟମାନେ ସେତେବେଳେ ମୁଖ୍ୟତଃ ଖଦି ବସ୍ତ୍ର ଓ ଗାନ୍ଧୀ ଟୋପି ହିଁ ପିନ୍ଧୁଥିଲେ । ଜବାହରଲାଲ ନେହେରୁଙ୍କୁ ସର୍ବଦା ଗାନ୍ଧୀ ଟୋପି ପିନ୍ଧିଥିବାର ଦେଖା ଯାଉଥିଲା । ୧୯୬୪ ମସିହାରେ ନେହେରୁଙ୍କ ଛବି ଥାଇ ଏକ ମୁଦ୍ରା ଉନ୍ମୋଚିତ ହୋଇଥିଲା । ଏଥିରେ ନେହେରୁ କିନ୍ତୁ ଗାନ୍ଧୀ ଟୋପି ପିନ୍ଧି ନଥିବାରୁ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା । ୧୯୮୯ରେ ନେହେରୁଙ୍କ ଜନ୍ମ ଶତବାର୍ଷିକୀରେ ଉନ୍ମୋଚିତ ଅନ୍ୟ ଏକ ମୁଦ୍ରାରେ ସେ ଗାନ୍ଧୀ ଟୋପି ପିନ୍ଧିଥିବା ଛବି ରଖା ଯାଇଥିଲା । ପରବର୍ତ୍ତୀ ସମୟରେ, ରାଜନେତାମାନଙ୍କଦ୍ୱାରା ବିଦେଶୀ ବସ୍ତ୍ରର ବ୍ୟବହାର ବଢ଼ିବା ସହିତ, ଗାନ୍ଧୀ ଟୋପିର ବ୍ୟବହାର କମିବାକୁ ଲାଗିଥିଲା । ୧୯୬୩ ମସିହାରେ ମାର୍ଟିନ ଲୁଥର କିଙ୍ଗଙ୍କର ପ୍ରସିଦ୍ଧ ଭାଷଣ ''ମୋର ଏକ ସ୍ୱପ୍ନ ଅଛି'' (ଆଇ ହାଭ ଏ ଡ୍ରିମ) ପ୍ରଦାନ ଅବସରରେ ତାଙ୍କ ପଛରେ ଅନେକ ଅନୁଗାମୀ ଗାନ୍ଧୀ ଟୋପି ପିନ୍ଧିଥିଲେ । ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ପୁରୁଷମାନେ ଏବେ ମଧ୍ୟ ଗାନ୍ଧୀ ଟୋପି ପିନ୍ଧିବାକୁ ପସନ୍ଦ କରନ୍ତି ।[୫]

ଦୁର୍ନୀତି ବିରୋଧରେ ବିରୋଧ କରୁଥିବା ଆନ୍ନା ହଜାରେ

ପୁନଃ ପ୍ରଚଳନ[ସମ୍ପାଦନା]

୨୦୧୧ ମସିହାରେ, ମହାରାଷ୍ଟ୍ରର ବିଶିଷ୍ଟ ଗାନ୍ଧୀବାଦୀ ଆନ୍ନା ହଜାରେ ଭାରତରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଆରମ୍ଭ କରିବା ପରେ ଗାନ୍ଧୀ ଟୋପିର ପ୍ରଚଳନ ପୁଣି ବଢ଼ିଥିଲା । ଏହି ଆନ୍ଦୋଳନର କେନ୍ଦ୍ରସ୍ଥଳ ଦିଲ୍ଲୀରେ ଥିଲା । ୨୦୧୧ ମସିହା ଅଗଷ୍ଟ ମାସରେ, ଗାନ୍ଧୀ ଟୋପି ପିନ୍ଧିଥିବା ହଜାର ହଜାର ଲୋକ ଦିଲ୍ଲୀର ରାମଲିଳା ମୈଦାନରେ ଜମା ହୋଇ ଆନ୍ନା ହଜାରେଙ୍କ ଆମରଣ ଅନଶନକୁ ସମର୍ଥନ କରିଥିଲେ । ଏହି ଆନ୍ଦୋଳନ ଦେଶର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପି ଯାଇଥିଲା ଏବଂ ଷ୍ଟାଡିୟମ, କମ୍ୟୁନିଟି ସେଣ୍ଟର ଏବଂ ଖୋଲା ପଡ଼ିଆଗୁଡିକରେ ସମାନ ଧରଣର ପ୍ରଦର୍ଶନ କରାଯାଇଥିଲା । ଏହି ଜନ ଆନ୍ଦୋଳନରେ ସମସ୍ତ ବୟସ ବର୍ଗର ଅଂଶଗ୍ରହଣକାରୀ ଗାନ୍ଧୀ ଟୋପି ପିନ୍ଧିଥିଲେ ।

୨୦୧୪ ଲୋକ ସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଗାନ୍ଧୀ ଟୋପି ପିନ୍ଧି ପ୍ରଚାର କରିଥିଲେ । ବିଜେପି ସମର୍ଥକମାନେ ନାରଙ୍ଗୀ ରଙ୍ଗର ସମାନ ଟୋପି ପିନ୍ଧିଥିଲେ ।

ବାଙ୍ଗାଲୋରରେ ଆମ ଆଦମୀ ପାର୍ଟି କର୍ଣ୍ଣାଟକ ଶାଖାର ଉଦଘାଟନୀ ଉତ୍ସବରେ ଅରବିନ୍ଦ କେଜରିୱାଲ

ଆଧାର[ସମ୍ପାଦନା]

  1. H.S.L Polak Mahatma Gandhi (London: Odham's Press, 1949) pg. 61
  2. Clothing Matters: Dress and Identity in India, Emma Tarlo,University of Chicago Press, Sep 1, 1996.82-83
  3. Consumption: The history and regional development of consumption edited by Daniel Miller, p. 424
  4. Gandhi was photographed wearing a turban or a round black topi in 1915 and 1918. He was photographed with the Gandhi cap in 1920. see 1915-1932 Mahatma Gandhi Photo Gallery http://www.mkgandhi.org/gphotgallery/1915-1932/index1.htm, Mahatma Gandhi, 1915 - 1920, Page 7 http://www.gandhimedia.org/cgi-bin/gm/gm.cgi?direct=Images/Photographs/Personalities/Mahatma_Gandhi/1915_-_1920&img=90 Archived 2017-10-19 at the Wayback Machine.. By 1924 he had given up wearing a kurta and the cap. Also see http://www.columbia.edu/itc/mealac/pritchett/00routesdata/1900_1999/gandhi/gandhigods/gandhigods.html
  5. Bhanu, B.V (2004). People of India: Maharashtra, Part 2. Mumbai: Popular Prakashan. pp. 1033, 1037, 1039. ISBN 81-7991-101-2.
  • କ୍ୟାଥରିନ୍ ଫ୍ରାଙ୍କଙ୍କ ଲିଖିତ ପୁସ୍ତକ ଇନ୍ଦିରା: ଦ ଲାଇଫ ଅଫ ଇନ୍ଦିରା ନେହେରୁ ଗାନ୍ଧୀ (୨୦୦୨)
  • ରାଜମୋହନ ଗାନ୍ଧୀ, ପଟେଲ: ଏ ଲାଇଫ (1992)

ବାହାର ଆଧାର[ସମ୍ପାଦନା]