ଗଜପତି ସାମ୍ରାଜ୍ୟ

ଉଇକିପିଡ଼ିଆ‌ରୁ

ଗଜପତିମାନେ ଥିଲେ ମଧ୍ୟ ଯୁଗୀୟ ହିନ୍ଦୁ ଶାସକ ବଂଶ ଯାହା କଳିଙ୍ଗ (ବର୍ତ୍ତମାନ ଓଡ଼ିଶା), ଆନ୍ଧ୍ର ପ୍ରଦେଶ ଓ  ପଶ୍ଚିମ ବଙ୍ଗ ର ବୃହତ ଅଞ୍ଚଳ, ମଧ୍ୟ ପ୍ରଦେଶର ପୂର୍ବ ଓ ମଧ୍ୟ ଭାଗ ଏବଂ ଝାରଖଣ୍ଡ  ଉପରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । ଗଜପତି ସାମ୍ରାଜ୍ୟ ୧୪୩୪ ଖ୍ରୀଷ୍ଟାବ୍ଦ ରେ କପିଳେନ୍ଦ୍ର ଦେବ (୧୪୩୪ - ୬୬)ଙ୍କଦ୍ୱାରା ପ୍ରତିଷ୍ଠା ହୋଇଥିଲା । କପିଳେନ୍ଦ୍ର ଦେବ, ଗଜପତି ବଂଶର ପ୍ରଥମ ସମ୍ରାଟଙ୍କ ଗୌରବମୟ ଶାସନ କାଳରେ କଳିଙ୍ଗ-ଉତ୍କଳ ରାଜ୍ୟର ସର୍ବାଙ୍ଗୀନ ବିସ୍ତାର ହୋଇଥିଲା । ଏହି ବଂଶର ଅନ୍ୟ ପ୍ରଭାବଶାଳୀ ଶାସକମାନେ ହେଲେ ପୁରୁଷୋତ୍ତମ ଦେବ (୧୪୬୬-୧୪୯୭) ଏବଂ ପ୍ରତାପରୁଦ୍ର ଦେବ (୧୪୯୭-୧୫୪୦) ।  ଏହାର ଶେଷ ଶାସକ ଥିଲେ କଖାରୁଆ ଦେବ, ଯେ କି ଗୋବିନ୍ଦ ବିଦ୍ୟାଧରଦ୍ୱାରା ୧୫୪୧ ରେ ବଦ୍ଧ ହୋଇଥିଲେ। ଗୋବିନ୍ଦ ବିଦ୍ୟାଧର ଥିଲେ ଭୋଇ ବଂଶର ସ୍ଥାପକ ।

ଗଜର ଅର୍ଥ ହାତୀ ଓ ପତି ଅର୍ଥ ଅଧିକାରୀ । ଗଜପତିର ଅର୍ଥ ରାଜା ଯେ କି ହାତୀ ସେନାର ଅଧିକାରୀ ।

ଇତିହାସ [ସମ୍ପାଦନା]

ଗଙ୍ଗବଂଶୀ ଶାସକମାନେ କଳିଙ୍ଗ ଅଞ୍ଚଳକୁ ନିଜ ଶାସନାଧୀନ ରଖିଥିଲେ। ପୂର୍ବ ବଙ୍ଗବଂଶୀୟ ଶାସକମାନେ କଳିଙ୍ଗନଗର (ଶ୍ରୀକାକୁଲମ, ଆନ୍ଧ୍ର ପ୍ରଦେଶ ନିକଟ ବର୍ତ୍ତୀ ମୁଖଲିଙ୍ଗମ )ଠାରେ ନିଜକୁ ସ୍ଥାପିତ କରି କଳିଙ୍ଗ ଉପରେ ଶାସନ କରୁଥିଲେ। ସେମାନେ ଦ୍ୱାଦଶ ଶତାବ୍ଦୀରେ ପୁରୀକୁ ନିଜ ରାଜଧାନୀ ସ୍ଥାନାନ୍ତରିତ କରିଥିଲେ। ରାଜା ଚୋଡ ଗଙ୍ଗ ଦେବ ପୁରୀ ଜଗନ୍ନାଥ ମନ୍ଦିରର ନବନିର୍ମାଣ କାର୍ଯ୍ୟ କରାଇଥିଲେ, ରାଜା ମଧ୍ୟ ଆଚାର୍ଯ୍ୟ ରାମାନୁଜଙ୍କଦ୍ୱାରା ଖୁବ ପ୍ରଭାବିତ ଥିଲେ। ରାଜା ନରସିଂହ ଦେବ କୋଣାର୍କଠାରେ ଥିବା ସୂର୍ଯ୍ୟ ମନ୍ଦିରର ନିର୍ମାଣ କରାଇଥିଲେ। ଗଜପତିମାନେ ଗଙ୍ଗ ବଂଶୀଙ୍କ ପରେ ଓଡ଼ିଶାର ଶାସନ ଭାର ସମ୍ଭାଳି ଥିଲେ। କୋଲ୍ଲେରୁ ହ୍ରଦରୁ ମିଳିଥିବା ପଲ୍ଲବ ବଂଶ ର ତାମ୍ର ଲିପି ରୁ  ଗଜପତି ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ବିଷୟରେ ଜାଣିବାକୁ ମିଳେ। କିମ୍ବଦନ୍ତୀ ଅନୁସାରେ କୋଲ୍ଲେଟି କୋଟଠାରେ ଅବସ୍ଥିତ ଥିଲା  ଗଜପତି ଦୁର୍ଗ ଯାହା ଓଡ଼ିଆ ସୈନ୍ୟମାନଙ୍କୁ ସୁରକ୍ଷା ଦେବାରେ ସହାୟକ ହେଉଥିଲା। ଶତ୍ରୁମାନେ ଏକ ନାଳୀର ଖୋଦନ କରିଥିଲେ ଯାହାକି ହ୍ରଦର ପାଣିକୁ ନିଷ୍କାସିତ କରିଥିଲା ଯାହା ଫଳରେ ଶତ୍ରୁ ଏହି ଦୁର୍ଗ ଉପରେ ଆକ୍ରମଣ କରିବାରେ ସକ୍ଷମ ହୋଇଥିଲେ।

ସାଂସ୍କୃତିକ ଅବଦାନ[ସମ୍ପାଦନା]