କାଗୁରା

ଉଇକିପିଡ଼ିଆ‌ରୁ
ସମକାଳୀନ କାଗୁରା ପରିବେଷଣରେ ବ୍ଯବହୃତ ମୁଖା

କାଗୁରା (神楽 ବା かぐら: ଈଶ୍ବରଙ୍କ ମନୋରଞ୍ଜନ) ହେଉଛି ଏକ ଶିଣ୍ଟୋ ପାରମ୍ପରିକ ନୃତ୍ଯ । ଏହା ପାରମ୍ପରିକ କଳା କାମିଗାକାରୀରୁ (神懸 ବା かみがかり: ଭବିଷ୍ଯବାଣୀର ଦୈବିକରଣରୁ) ସଂଗୃହିତ । ଏବେ ଏହା ଏକ ଜୀବନ୍ତ ଲୋକ ସଂସ୍କୃତି ଭାବେ ପରିଚିତ । ଏହା ମୁଖ୍ଯତଃ ଶିମାନେ ଉପରାଜ୍ଯରେ ବହୁଳ ପ୍ରସାରିତ ।[୧] ହିରୋଶିମାରେ ମଧ୍ଯ ଏହା ପ୍ରସାର ଲାଭ କରିଛି ।

ଇତିହାସ[ସମ୍ପାଦନା]

1914ରେ କାଗୁରା ନୃତ୍ୟ

କୋଯିକୀ ଏବଂ ନିହୋଁ ଶୋକି ଐତିହାସିକ କିମ୍ବଦନ୍ତୀରେ କାଗୁରାର ଲୋକପ୍ରଥାରୁ ଉଦ୍ଭବ କଥା କୁହାଯାଇଛି । ଏହି କିମ୍ବଦନ୍ତୀ ଦ୍ୱୟରେ ସୂର୍ଯ୍ୟଦେବୀ, ଆମାତେରାଶୁଙ୍କ ବିଷୟରେ କୁହାଯାଇଛି, ଯେ ଦେବୀ ଆମାତେରାଶୁ ଏକ ଗୁମ୍ଫା ଭିତରେ ନିଜକୁ ବନ୍ଦ କରିଦେଲେ ଫଳରେ ସାରା ସଂସାର ଅନ୍ଧକାର ଏବଂ ଶୀତଳ ହୋଇଗଲା । ଆମେନୋ ଉଜୁମେ ବା ଊଷାର ଦେବୀ, ଅନ୍ୟ ଦେବାଦେବୀଙ୍କୁ ଏକ ନୃତ୍ଯ କରିବା ପାଇଁ କହିଲେ, ଯାହା ଆମାତେରାଶୁଙ୍କୁ ଗୁମ୍ଫାରୁ ବାହାରି ଦେଖିବା ପାଇଁ ପ୍ରେରିତ କଲା ।[୨] ଏହି ଘଟଣାରୁ କାଗୁରା ନୃତ୍ଯର ଉଦ୍ଭବ ବୋଲି ଲୋକେ ବିଶ୍ବାସ କରନ୍ତି ।

ଆଗରେ କାମାକୁରା ବା କାମିକୁରା (神座) ବୋଲି ଖ୍ଯାତ, କାଗୁରା ନୃତ୍ଯ ରାଜସଭାମାନଙ୍କରେ ମିକୋମାନଙ୍କଦ୍ୱାରା ପରିବେଷିତ ହେଉଥିଲା, କାରଣ ବିଶ୍ବାସ ଅଛି ଯେ ମିକୋ ବା ଶାଳର ପରିଚାରିକାମାନେ ଦେବୀ ଆମେନୋ ଉଜୁମେଙ୍କ ବଂଶଧର । ରାଜସଭାରେ ପ୍ରଦର୍ଶିତ ଏହି ମିକାଗୁରା (御神楽) କ୍ରମେ ଗ୍ରାମର ଲୋକ ପରମ୍ପରାରେ ସାତୋକାଗୁରା (里神楽) ରୂପରେ ଜଡ଼ିତ ହେଲା । ଏହା ଦୀର୍ଘ ହଜାରବର୍ଷର ବିସ୍ତାର ପରେ ବିଭିନ୍ନ ରୂପକୁ ପ୍ରାପ୍ତ ହେଲା, ଯଥା - ମିକୋ କାଗୁରା, ଶିଶି କାଗୁରା, ଇଶେ କାଗୁରା ଏବଂ ଇଜୁମୋ କାଗୁରା ଇତ୍ୟାଦି ।[୩] ଏହା ଛଡା ଆହୁରି ଅନେକ ପ୍ରକାରର ଅନେକ ରୂପରେ କାଗୁରା ନୃତ୍ଯ ଦେଶସାରା ପ୍ରସାର ଲାଭ କରିଛି । କାଗୁରାର ଏହି ରୂପଗୁଡ଼ିକ ଧର୍ମ ମଧ୍ଯରେ ସୀମିତ ନ ରହି ସାଧାରଣ ଜାପାନୀ ସମାଜର ଅଭିନ୍ନ ଅଙ୍ଗ ରୂପେ ପରିଗଣିତ ହେଉଛି ।

ରାଜସଭାରେ କାଗୁରା[ସମ୍ପାଦନା]

ମିକାଗୁରା ଅନେକ ପବିତ୍ର ସ୍ଥଳ ଏବଂ ମହତ୍ବପୂର୍ଣ୍ଣ ସମ୍ମିଳନୀରେ ପରିବେଷିତ ହୋଇଥାଏ । ସାମ୍ରାଜ୍ୟ ଆଶ୍ରୟସ୍ଥଳରେ ଯେଉଁଠାରେ ପବିତ୍ର ଦର୍ପଣ ରଖାଯାଇଛି, ଗାଗାକୁ ଦରବାର ସଂଗୀତର ସହିତ ଏହା ପ୍ରଦର୍ଶିତ ହୁଏ । ରାଜକୀୟ ଅମଳ ପର୍ବରେ ମଧ୍ଯ ଏହା ପ୍ରଦର୍ଶିତ ହୁଏ । ଏହା ଛଡା ବଡ଼ବଡ଼ ଶିଣ୍ଟୋଶାଳମାନଙ୍କରେ, ଯଥା - ଇଶେ, କାମୋ, ଇୱାଶୀମିଜୁ ହାଚିମାଙ୍ଗୁ, ଆଦିରେ ମଧ୍ଯ ଏହା ପରିବେଷିତ ହୋଇଥାଏ । ପ୍ରଥମ ସହସ୍ରାବ୍ଦରୁ ଏହି ପ୍ରଥାଗୁଡ଼ିକ ପ୍ରତିବର୍ଷ ପାଳିତ ହୋଇଥାଏ ।

ଜାପାନର ରାଜକୀୟ ଗୃହ ବିଭାଗ ଅନୁସାରେ ଏବେ ମଧ୍ଯ ପ୍ରତିବର୍ଷ ଡିସେମ୍ବର ମାସରେ ସାମ୍ରାଜ୍ଯ ଆଶ୍ରୟସ୍ଥଳରେ ଏବଂ ରାଜକୀୟ ଅମଳ ପର୍ବରେ କାଗୁରା ନୃତ୍ଯ ପ୍ରଦର୍ଶିତ ହୋଇଥାଏ ।

ଲୋକ କାଗୁରା[ସମ୍ପାଦନା]

ସାତୋକାଗୁରା ବା ସାଧାରଣ କାଗୁରା, ବାସ୍ତବରେ ମିକାଗୁରାରୁ ସୃଷ୍ଟ ବିଭିନ୍ନ ନୃତ୍ଯ ପରମ୍ପରାକୁ କୁହାଯାଏ । ନିମ୍ନରେ କାଣ୍ଟୋ ଅଞ୍ଚଳର କେତେକ କାଗୁରା ପରମ୍ପରା ବିଷୟରେ ସଂକ୍ଷିପ୍ତରେ ଦିଆଗଲା:

  • ମିକୋ କାଗୁରା - ମିକୋମାନଙ୍କଦ୍ୱାରା ପରିବେଷିତ କାଗୁରା ଯେଉଁଥିରେ କାମିଙ୍କ ଆବାହନ କରାଯାଏ । ପ୍ରଥମରେ ଏଗୁଡ଼ିକ ସାଧାରଣ ଝୁଲିବା ପରି ଅନିୟମିତ ଭାବଭଙ୍ଗୀର ସମାହାର ଥିଲା କିନ୍ତୁ ପରେ ଏହା ଏକ ସୁନିୟନ୍ତ୍ରିତ ନୃତ୍ଯରେ ପରିଣତ ହେଲା । ବର୍ତ୍ତମାନ ଏହା ଦାଇଜୋ ସାଇ (大嘗祭) ପର୍ବରେ ତଥା କାମିଙ୍କ ଆରାଧନାରେ ଶାଳମାନଙ୍କଦ୍ୱାରା ପ୍ରଦର୍ଶିତ ହୁଏ । ବୌଦ୍ଧ ମନ୍ଦିରରେ ମଧ୍ଯ ଯୁଦ୍ଧ କଳା ଭାବରେ ଏହା ପ୍ରଦର୍ଶିତ ହୁଏ । ଏହି ନୃତ୍ଯଗୁଡ଼ିକରେ ଘଣ୍ଟି, ବାଉଁଶ କାଠି ଇତ୍ୟାଦି ବ୍ଯବହାର କରାଯାଏ ।
  • ଇଜୋମୁର୍ୟୁ କାଗୁରା - ଇଜୁମୋ ମହାଶାଳରେ ପ୍ରଦର୍ଶିତ ନୃତ୍ଯର ଅନେକ ମହତ୍ତ୍ବ ରହିଛି; ଯଥା - ପବିତ୍ରକରଣ, ବିଶେଷ ଦିନମାନଙ୍କର ଉତ୍ସବ ପାଳନ ଲୋକକଥାର ନାଟକୀକରଣ ଇତ୍ୟାଦି । ଏହି ନୃତ୍ଯଟି ଇଜୁମୋ ନିକଟବର୍ତ୍ତୀ ଚୁଗୋକୁ ଅଞ୍ଚଳରେ ଲୋକପ୍ରିୟ ଥିଲା କିନ୍ତୁ ଏବେ ଏହା ସାରା ଦେଶରେ ବହୁଳ ପ୍ରସାରିତ ହୋଇଛି । ଏହା ଧାର୍ମିକ ପରମ୍ପରାରୁ ଲୋକ ପରମ୍ପରାରେ ପରିଣତ ହୋଇଛି ।
ସୁସାନୋ ଏବଂ ଓରୋଚି ଇଜୁମୋର୍ୟୁ କାଗୁରା କରୁଛନ୍ତି
  • ୟୁତାତେ କାଗୁରା - କାଗୁରାର ଏକ ବିଶେଷ ରୂପ ଯେଉଁଥିରେ ମିକୋ ଏବଂ ପଣ୍ଡାମାନେ ବାଉଁଶ କାଠିକୁ ଗରମ ପାଣିରେ ବୁଡାଇ ନିଜ ଉପରେ ଏବଂ ସେଠାରେ ଉପସ୍ଥିତ ଲୋକମାନଙ୍କ ଉପରେ ଝିଣ୍ଟିଥାନ୍ତି ।
  • ଶିଶି କାଗୁରା - ସିଂହନୃତ୍ଯର ଏକ ରୂପ, ଶିଶି କାଗୁରାରେ ଏକ ନୃତ୍ଯ ଦଳ ଶିଶି ସିଂହର ରୂପନେଇ ସହର ସାରା ବୁଲିଥାନ୍ତି ।
  • ଦାଇ କାଗୁରା - ଇଶେ ମହାଶାଳ ଏବଂ ଆତ୍ସୁତା ଶାଳ ମଧ୍ଯରେ ଯିବା ଆସିବା କରୁଥିବା ପଣ୍ଡାମାନଙ୍କ ରୀତିନୀତିରୁ ଏହି କାଗୁରା ଉଦ୍ଧୃତ । ପଣ୍ଡାମାନଙ୍କ ଏହି ରୀତିନୀତିଦ୍ୱାରା ସ୍ଥାନୀୟ ଅଞ୍ଚଳର ଦୁଷ୍ଟ ଶକ୍ତିମାନେ ଶାନ୍ତ ହୁଅନ୍ତି ବୋଲି ବିଶ୍ବାସ କରାଯାଏ ।

ତୋକୁଗାୱା ଶୋଗୁନେତର (୧୬୦୩-୧୮୬୮) ଆରମ୍ଭ କାଳରେ ଏଠାରୁ ଉତ୍ପନ୍ନ ନୃତ୍ଯ ପରମ୍ପରା ଏଦୋର ଏକ ମୁଖ୍ଯ ମନୋରଞ୍ଜନର ମାଧ୍ଯମ ହୋଇସାରିଥିଲା । ଶୋଗୁନେତର ସ୍ଥାପନ ଉତ୍ସବ ସହ ମିଶି ଏହାର ବହୁଳ ପ୍ରସାର ହୋଇଥିଲା ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Petersen, David. (2007). Invitation to Kagura: Hidden Gem of the Traditional Japanese Performing Arts. Morrisville: Lulu Press.
  2. Nihongi: Chronicles of Japan from the Earliest Times to A.D. 697, translated from the original Chinese and Japanese by William George Aston. Book I, part 1, page 44f. Tuttle Publishing. Tra edition (July 2005). First edition published 1972. ISBN 978-0-8048-3674-6
  3. "[Photograph]: Survival of Kagura in Shiiba. Circles Mark Hamlets in Which They Persist, Triangles Those in Which They Have Been Lost". Current Anthropology. 28 (S4): S52–S52. 1987-08. doi:10.1086/203582. ISSN 0011-3204. {{cite journal}}: Check date values in: |date= (help)